ଡଃ ବିୟତପ୍ରଜ୍ଞା ଆଚାର୍ଯ୍ୟ
ଅଣୁଗଳ୍ପ :
“ଗୁରୁଦେବ, ଆପଣ ମୋ କୋଳରେ ଆରଜନ୍ମରେ ଜନ୍ମ ନିଅନ୍ତୁ …ଆପଣଙ୍କ ବିୟୋଗ ମୋ ପାଇଁ ଅସହ୍ୟ, ମୁଁ ବଞ୍ଚି ପାରିବିନି l ଆକୁଳ ହୋଇ ସୋହମ ଗୁରୁଦେବଙ୍କ ଶିଥିଳ ହାତକୁ ଜାବୁଡି ଧରିଲେ l ଗୁରୁଦେବ ଅନ୍ତିମ ଶଯ୍ୟାରେ ପଡିରହି ମୁଣ୍ଡ ହଲେଇ ନା କଲେ l କହିଲେ ,” ସେ କଷ୍ଟ ନିଅ ନାହିଁ ବାବା l ମୋର ଖୁବ କମ ସମୟ ବାକି l”
ସୋହମ ଅଳିକଲେ , “ମୋର ଏ ଶେଷ ଇଚ୍ଛା ପୂରଣ କରନ୍ତୁ ବାବା l” ଗୁରୁଦେବ ଏକ ଶେଷ ଦୀର୍ଘ ଶ୍ୱାସ ନେଇ ଆଖି ଚିର ଦିନ ପାଇଁ ମୁଦିଦେଲେ l
୮ ମାସ ପରେ ଲେବର ରୁମ ଭିତରୁ କୁଆଁକୁଆଁ ଶବ୍ଦ ଶୁଣି ସୋହମ ଖୁସିରେ ଗଦଗଦ ହୋଇ ଗୁରୁଦେବଙ୍କୁ ପ୍ରଣାମ ଜଣେଇ ଯେତେବେଳେ ପୁଅକୁ ଜାକି ଧରିଲା, ମନ ଯେମିତି ଇଦ୍ରଧନୁର ସପ୍ତରଙ୍ଗୀ ରଙ୍ଗରେ ରଙ୍ଗାୟିତ ହୋଇଉଠିଲା l ମୁହଁଟା ଠିକ ଯେମିତି ଗୁରୁଦେବଙ୍କର l
ପାଞ୍ଚ କେଜି ମିଠା ହାତରୁ ଖସିପଡିଲା ସେଇ ହସ୍ପିଟାଲର କରିଡରରେ ….ଶୁଣିଲା ପୁଅ ଆଉ ନାହିଁ l ମନେ ପଡୁଥିଲା ଗୁରୁଦେବଙ୍କ କଥା-“ମୋର ଖୁବ କମ ସମୟ ବାକି l” ଜନ୍ମ, ମୃତ୍ୟୁ, କର୍ମ , କର୍ମଫଳକୁ ନେଇ ଆମମନରେ ଅନେକ ସନ୍ଦେହ, ଅନେକ ଅସମାହିତ ପ୍ରଶ୍ନସବୁ ଉଙ୍କି ମାରୁଥାଏ | ପ୍ରକୃତିର ଲୀଳାକୁ ଅବା କେତେ ବୁଝିଛେ ଆମେ ??