ବାସ୍ନାର ସ୍ମୃତି (ଶେଷଭାଗ) (7)

ବାସ୍ନାର ସ୍ମୃତି (৬)
June 19, 2022
କିଛି ବିଜ୍ଞାନର କଥା
June 19, 2022

ଯଦିଓ ଏହା ସିରିଜର ଶେଷ ଲେଖା , କଥା ଏଠି ସରିବନି I ଏହା  ପରେ ଆସିବ ବିଜ୍ଞାନର କଥା I ମୁଁ କେବେ  ଅନୁରୋଧ କରେନି  ମୋର କୌଣସି ଲେଖା ପଢିବା ପାଇଁ I ଫେସବୁକ ଏକ ଖୋଲା ବହି ପରି, ଯିଏ ଯାହା ଇଛାରେ ପୋଷ୍ଟ କରି ପାରିବେ, ଯେତିକି ଇଚ୍ଛା ସେତିକି ପଢିବେ I ତେବେ ଆଜି ମୋର ଅନୁରୋଧ, ଲେଖାକୁ ସମ୍ପୂର୍ଣ୍ଣ ପଢିବେ, ମନ ଭିତରକୁ ନେବେ, ଅନୁଶୀଳନ କରିବେ I

**********************************************************************************

ଡଃ ବିୟତପ୍ରଜ୍ଞା ଆଚାର୍ଯ୍ୟ

ପୁଣି ସେ ସାନିଟାଇଜରର ଭୁରୁ ଭୁରୁ ବାସ୍ନା ….ପୁଣି ସେଇ ମୃତ୍ୟୁର ଆତଙ୍କ ……

ପେଶାରେ ମୁଁ  ବାୟୋକେମିଷ୍ଟ ……………..ଡାଇଗ୍ନୋଷ୍ଟିକ ଲାବରେ ମୋର କାମ , ଯାହାକୁ ସାଧାରଣ ଲୋକେପାଥୋଲାବବୋଲି କୁହନ୍ତି | ଆମେ ଲାବରେ ରକ୍ତ ପରୀକ୍ଷା ରିପୋର୍ଟ ସବୁକୁ ତନ୍ନ ତନ୍ନ ପରୀକ୍ଷା କରି ଦେଖିଲା  ପରେ  ତାହା ଡାକ୍ତର ରୋଗୀ ମାନଙ୍କ ପାଖକୁ ଛାଡୁ | ଡାକ୍ତରମାନେ ଏହି ରିପୋର୍ଟ ଆଧାରରେ ରୋଗୀମାନଙ୍କର ଚିକିତ୍ସା କରନ୍ତି | ସେ କଥା ଏବେ ଥାଉ |

କରୋନାଭୂତାଣୁର ଆତଙ୍କ ସବୁଆଡେ | ଆମେ ଆଗଧାଡ଼ିର  ଯୋଦ୍ଧା …..ମୁଣ୍ଡରେ ସର୍ଜିକାଲ ଟୋପି , ମୁହଁରେ ମାସ୍କ , ହାତରେ ଗ୍ଳୋଭସ ପିନ୍ଧି ଲାବ ଭିତରେ ହାତକୁ ଆଉ ଥରେ ସାନିଟାଇଜରରେ ଜୀବାଣୁ ଭୂତାଣୁ ମୁକ୍ତକରି ଯେତେବେଳେ ନିଜ ଡେସ୍କରେ ବସି କାମ ଆରମ୍ଭ କଲି , ମନ ସ୍ୱତଃ ଭାସିଗଲା ଏକ ଘରୋଇ ହସ୍ପିଟାଲର ଆଇ.ସି.ୟୁ  ଦ୍ୱାରମୁହଁକୁ |

ମୋ ପ୍ରିୟ ମାମୁଙ୍କ ଶେଷ କିଛି ଦିନ | ପ୍ରତିଥର ତାଙ୍କୁ ଦେଖି ଗଲା ବେଳକୁ ଆଇ.ସି.ୟୁ ବାହାରେ ହାତକୁ ସାନିଟାଇଜରରେ ଜୀବାଣୁ ଭୂତାଣୁମୁକ୍ତ କରି ମୁହଁ ରେ ମାସ୍କ ପିନ୍ଧି , ପାଦରେ ଆଇ ସି ୟୁ  ସ୍ୱତନ୍ତ୍ର ଚପଲ ପିନ୍ଧି  ଯେତେବେଳେ ହସ୍ପିଟାଲ ଖଟିଆ ପାଖରେ ଠିଆ ହୁଏ ଏହି ସାନିଟାଇଜରର ଭୁରୁ ଭୁରୁ ବାସ୍ନା ସବୁଆଡେ | ଏକରକମ ଘୃଣା ମିଶା ଭୟ ଆସି ଯାଇଥାଏ ବାସ୍ନା ପ୍ରତି |

କି ଆଶାନିରାଶାର ଛାଇଖରାର ଖେଳ ସେତକ ଦିନମନ ସବୁବେଳେ ପଚାରୁଥାଏମାମୁଁ ଏତେ ଶୀଘ୍ର କାହିଁକି ? ତିନି ତିନି ଥର ସର୍ବାଧିକ ରକ୍ତଦାନ ଶିବିର କରାଇଥିବା ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଡାକ୍ତର ତୁମେ , ରକ୍ତଦାନ ଥାଲାସେମିଆ ରୋଗୀ ମାନଙ୍କର ଜୀବନରେ ବୈପ୍ଲବିକ ପରିବର୍ତ୍ତନ ଆଣିଥିବା ଦେବଦୂତ ତୁମେ, ତୁମକୁ ସମାଜ ଆହୁରି ଲୋଡୁଛି

କିନ୍ତୁ ନା, ସତେ ଯେମିତି ମାମୁ  ଇଚ୍ଛାମୃତ୍ୟୁକୁ ଆବାହନ କରିସାରିଥିଲେ | ନିଜ ଧର୍ମପତ୍ନୀଙ୍କ ଅକାଳ ବିୟୋଗରେ ମର୍ମାହତ ହୋଇ ୭୦ ବର୍ଷ ବୟସରେ ୮୦ କିମି /ଘଣ୍ଟା ବେଗରେ ଚାଲୁଥିବା , ୧୭ ବର୍ଷୀୟ ଯୁବକ ମାନଙ୍କଠାରୁ ଅଧିକ ପ୍ରଗତିଶୀଳ ଚେତନାର ଅଧିକାରୀ ଏହି ବିଭୂତି ଯେପରି ଆଜି ଶରଶଯ୍ୟାରେ ଶାୟିତ , ମୃତ୍ୟୁକୁ ଅପେକ୍ଷାରତ |ମାମୁ (: ରାଜେନ୍ଦ୍ର ପ୍ରସାଦ ମିଶ୍ର) ଙ୍କର ଏପରି ଇଛାମୃତ୍ୟୁ ମୋତେ ଅନେକ କଥା ଭାବିବାକୁ ବାଧ୍ୟ କରିଥିଲା |

ମନ ଅନେକରୂପେ ଶରୀରକୁ କାବୁ କରି ପକାଏ | ଆମର ପ୍ରତ୍ୟେକ ରୋଗ ପଛରେ ଏକ ସୂକ୍ଷ୍ମ ଚେତନାର  ବ୍ୟାପାର ପ୍ରଚ୍ଛନ୍ନରୂପେ କାମ କରି ଚାଲିଥାଏ | କୌଣସି ଘଟଣାଚକ୍ରରେ ହେଉ, ଅବା ସେମିତି ଖାଲିରେ ହେଉ ଆମେ ଏକ ଭୟର ମଞ୍ଜି ସୂକ୍ଷ୍ମ ଚୈତ୍ୟଜଗତରେ ପୋତି ଦେଇଥାଉ | ଘରଯାକର ସମସ୍ତ ସଦସ୍ୟ ମିଳିମିଳା ଅବା ହାଡଫୁଟିରେ ଅଳ୍ପେ ବହୁତେ ଆକ୍ରାନ୍ତ ହେଉଥିବା ବେଳେ ସମସ୍ତଙ୍କର ସେବା ଶୁଶ୍ରୂଷା  କରୁଥିବା ମାଟି କେଜାଣି କେମିତି ସେ ରୋଗସବୁରେ ଜମାରୁ  ଆକ୍ରାନ୍ତ ହୁଅନ୍ତିନି ? ‘ମୁଁ ପଡିଗଲେ ଅନ୍ୟ ମାନଙ୍କୁ କିଏ ଦେଖିବ‘- ତ୍ୟାଗପୂତ  ଚିନ୍ତା ସତେ ଯେମିତି ସେଇ ମାମାନଙ୍କ ପାଇଁ କର୍ଣ୍ଣକବଚ ରୂପେ କାମ କରେ |

ଅଥଚ ସେଇ ମା‘/ନାରୀ ଯଦି କୌଣସି କାରଣରୁ ମାନସିକ ସ୍ତରରେ ଆଘାତପ୍ରାପ୍ତ ହୁଅନ୍ତି , ସେମାନେ ଅଜଣା ରୋଗ ସବୁରେ ଆକ୍ରାନ୍ତ ହୁଅନ୍ତି , ଯାହା କୌଣସି ଔଷଧ ବଳରେ ନୁହେଁ ବରଂ ଗୁଣିଆର ଝଡାଫୁଙ୍କା , ଅର୍ଥାତ ଯେଉଁ ଚିକିତ୍ସା ପଦ୍ଧତିର କୌଣସି ବିଜ୍ଞାନସମ୍ମତ କାରଣ ଥାଏ , ହେଲେ ଆସ୍ଥାର ଆଧାରରେ କରାଯାଏ , ସେଇଥିରେ ନାରୀମାନେ ସୁସ୍ଥ ହୁଅନ୍ତି | ସବୁ ଗଭୀର ମନସ୍ତାତ୍ତ୍ୱିକ ରୋଗକୁ ଆମେ ଭୂତ, ଡାଆଣି ଲାଗିବା, ଗୁଣିଗାରେଡ଼ି , ଠାକୁରାଣୀ ଧରିବା ଆଦି ନାମରେ ନାମିତ କରିଥାଉ |

ଆମ ପାଠବହି କହେ ଯେ , ଅଧିକାଂଶ ସର୍ପାଘାତଜନିତ ମୃତ୍ୟୁ ଭୟ ଉଦବେଗ କାରଣରୁ | ସ୍ଥଳଭାଗରେ ବିଚରଣ କରୁଥିବା ଅଧିକାଂଶ ସାପ ବିଷଧର ନୁହନ୍ତି | ତେଣୁ  ସର୍ପାଘାତ ରୋଗୀକୁ ପ୍ରଥମେ ଆଶ୍ୱାସନା ଦେବା ଡାକ୍ତରଙ୍କ କର୍ତ୍ତବ୍ୟ, ତାପରେ ଯାଇ ଯେକୌଣସି ପ୍ରକାର ଚିକିତ୍ସା |

ସେଇଭଳି ବନ୍ଧ୍ୟାଦୋଷରେ ପୀଡିତା ନାରୀ ନିଜ ମାତୃତ୍ତ୍ୱର ଅସଫଳତା ହେଉ , ସମାଜର ତାଡନା ହେଉ, ବେଳେବେଳେ ମାନସିକ ସ୍ତରରେ ମାତୃତ୍ତ୍ୱକୁ ଏତେ ଅଧିକ  ଜାବୋଡି  ଧରିଥାଏ ଯେ , ବେଳେବେଳେ ଠିକ ଗର୍ଭାଧାନର ସମସ୍ତ ଲକ୍ଷଣ ଦେଖାଯାଏଯଦିଓ ସେ ଗର୍ଭବତୀ ହୋଇ ନଥାଏ | ଲକ୍ଷଣ ସବୁ  ଅତି ଅଧିକ ହେଲେ ମାସ ଯାଏଁ  ସେ ନାରୀଟି ଗର୍ଭବତୀ ମହିଳା ପରି ସବୁ ଲକ୍ଷଣ ଭୋଗି ଡେ଼ଲିଭରୀ ଯାଏଁ ମଧ୍ୟ ପହଞ୍ଚିଯାଏ | ଏହାକୁ pseudocyesis (ସୁଡୋସାଏସୀସ) ବୋଲି କୁହାଯାଏ

ରାମାୟଣ ମହାଭାରତ କୁ ଟିକିଏ ଯିବା | ଅଳ୍ପେ  ବହୁତେ ସମସ୍ତେ ଦୁଇ ମହାଗ୍ରନ୍ଥ କୁ ନିଶ୍ଚୟ ପଢ଼ିଛେ ,ପୂରା ହେଲେ ମଧ୍ୟ  କିୟଦଂଶ ଭାବେ , କେତେବେଳେ ସାହିତ୍ୟ ବହିରେ , କେତେବେଳେ ଖବର କାଗଜରେ ….ଟିକିଏ ମନେ ପକାନ୍ତୁ , ଦୁଇ ଗ୍ରନ୍ଥରେ କେଉଁଠାରେ ମନ୍ଦିର ବିଷୟରେ ବର୍ଣ୍ଣନା ରହିଛି?କାରଣ ସେତେବେଳେ ମନ୍ଦିରର ଆବଶ୍ୟକତା ଥିଲାନା ନାକେହି ଈଶ୍ବରଙ୍କ ସ୍ଥିତିକୁ ଅସ୍ୱୀକାର  କରୁ ଥିଲେ| ସେମାନେ ସମସ୍ତେ ଈଶ୍ୱରଙ୍କୁ ନିଜ ମଧ୍ୟରେ ଉପଲବ୍ଧି କରିବାକୁ ଚେଷ୍ଟା କରୁଥିଲେଆଧ୍ୟାତ୍ମିକତା କଣ ବୁଝିଥିଲେ | ଲୋକେ ଅଷ୍ଟାଙ୍ଗ ଯୋଗ ମାର୍ଗ ଅଭ୍ୟାସ କରି ଏକ ଶୃଙ୍ଖଳିତ ଜୀବନ  ଯାପନ କରୁଥିଲେ | ମାନବ ଜୀବନର  ଶହେ ବା ତଦୁର୍ଦ୍ଧ୍ୱ ବୟସ  ଅତି ସାଧାରଣ ଥିଲା , ତେଣୁ ଚତୁଷ୍ଟୟ ଆଶ୍ରମବ୍ରହ୍ମଚର୍ଯ୍ୟ ,ଗୃହସ୍ଥ, ବାନପ୍ରସ୍ଥ , ସନ୍ନ୍ୟାସ ବଜାୟ ଥିଲା | ଆଜିକାଲି ପରି  ଚାଳିଶ ବର୍ଷରେ ମୁଣ୍ଡ ଚୁଟି  ପାଚିଥିଲେ କେହି ଆଶ୍ଚର୍ଯ୍ୟ ହେଉ ଥିଲେ |ଆଜିର ସମୟରେ ନିରୋଗ ରହିବା ଟା ଅସ୍ୱାଭାବିକ ମନେ ହେଲାଣି ଅନେକଙ୍କୁ | ଗାଁ ଅପେକ୍ଷାକୃତ ଶୁଦ୍ଧ ବାତାବରଣରେ ଚଳୁଥିବା ଲୋକେ ବି ଆଜି ମଧୁମେହ, ରକ୍ତଚାପ ରୋଗ ଆଦିରେ ଆକ୍ରାନ୍ତ !  

ଆଜି କରୋନା ଜନିତ ମୃତ୍ୟୁ ଉଦବେଗର କାରଣ ସାଜିଛି | ଲୋକମାନେ ସତେ ଯେମିତି ନିଜ ଛିଙ୍କ , କାଶ ଜ୍ୱରକୁ ଏକପ୍ରକାର ଅବଦମିତ କରି ରଖିଛନ୍ତି | ଗୋଟେ ଛିଙ୍କ ହୋଇଗଲେ,ଏକ ପ୍ରକାର ଭୟ ମନରେ ହେଉଛି କରୋନା ଭୂତାଣୁ ସଂକ୍ରମଣ ହୋଇନି ? ହାସପାତାଳ ସବୁ ରୋଗୀଶୂନ୍ୟ ହେଲେ ମଧ୍ୟ ବହୁତ କମ ରୋଗୀଙ୍କୁ ଦେଖିବାକୁ ମିଳୁଛି | କୁଆଡେ ଗଲେ ସାଧାରଣ ଥଣ୍ଡା କାଶ ଜ୍ୱର ରୋଗୀ, ହୃଦରୋଗୀ , ମାନସିକ ରୋଗୀ ? ଲକଡାଉନ  ଅବଧି ସରିବାଯାଏଁ ଏତେ ସବୁ ରୋଗ ଚିକିତ୍ସା ବିନା ଡାକ୍ତରଙ୍କ ପାଖକୁ ଯାଇ ବେଶ ଅପେକ୍ଷା କରି ପାରୁଛନ୍ତି ! ମନରେ ସ୍ୱତଃ ପ୍ରଶ୍ନ ଉଠେ, ଆମ ରୋଗୀମାନଙ୍କ ଭିତରେ ପ୍ରକୃତ ରୋଗୀ କେତେ ଜଣ ?ଅନେକେ କେବଳ ଆସନ୍ତି ଡାକ୍ତରଙ୍କ ଆଗରେ ନିଜ କଷ୍ଟ ବୟାନ କରିବା ପାଇଁ | କେବଳ କେହି ତାଙ୍କ କଥା  ଶୁଣୁ | ଆଜିକାଲି ଅବଶ୍ୟ କିଛି ଲୋକ ଡାକ୍ତରଙ୍କ ଜ୍ଞାନ ପରୀକ୍ଷା ବି କରିବାକୁ  ଯାଉଛନ୍ତି ଗୁଗୁଲରୁ କିଛି ଜ୍ଞାନ ଆହରଣ କରି |

ଏବେ ଆନ୍ତରୀଣ ସ୍ୱାସ୍ଥ୍ୟ , ଇମ୍ୟୁନିଟି ଉପରେ ସମସ୍ତଙ୍କର ଗୁରୁତ୍ୱ | କଣ ପାଇଁ ଆମେ ଉର୍ଦ୍ଧଶ୍ୱାସ ହୋଇ ଧାଉଁଥିଲେ ? ଏବେ ଖାଇବା , ପିଇବା , କାମ କରିବା ସବୁ ଠିକ ଚାଲିଛି |

ପ୍ରଶ୍ନ ଉଠେ , ଆମେ ପଞ୍ଚେଦ୍ରିୟ ଘୋଡ଼ାକୁ ଲଗାମଛଡ଼ା କରି ଉତକ୍ରାନ୍ତ ହୋଇ ଦୌଡୁ ନଥିଲେ ? ଦରକାର ଠାରୁ ଅଧିକ ଠୁଳ କରୁ ନଥିଲେ ? ନିଶ୍ୱାସ ଉର୍ଦ୍ଧକୁ ଗଲେ ତଳକୁ ଫେରିବ କି ନାହିଁ ବୋଲି ଯେଉଁଠି ଜଣା ନାହିଁ , ସେଠି ଆମେ ଆଗାମୀ ୫୦୧୦୦ ବର୍ଷ ଯାଏଁ ଐଶ୍ୱଯ୍ୟ କୀର୍ତ୍ତି ଠୁଳ କରିବାପାଇଁ ଆକ୍ତା ମାକ୍ତା ହେଉ ନଥିଲେ

ସାନିଟାଇଜର ଭୁରୁ ଭୁରୁ ବାସ୍ନା ମୋତେ ହସ୍ପିଟାଲ ଲାବ୍ ରୁ  ନେଇ ଜୀବନ ଦର୍ଶନ ପଥପ୍ରାନ୍ତରେ ଛାଡି ଦେଇ ଆସିଥିଲା |ଜୀବନକୁ ପୁଣିଥରେ ଅନୁଶୀଳନ କରି ନୂତନ ଦିଗଦର୍ଶନ ସହ ଅଗ୍ରସର ହେବାକୁ ପ୍ରେରଣା ପାଉଥିଲି |   

ଆଗକୁ ଅଛି ବିଜ୍ଞାନର କଥା ……

Leave a Reply

Your email address will not be published. Required fields are marked *