ସାହିତ୍ୟ ବିଷୟକୁ ମୋର ପ୍ରାଣେ ଭୟ ଥିଲା l ଗୋଟିଏ ଛୋଟିଆ ଦୁନିଆରେ ଆବଦ୍ଧ ରହୁଥିବା କୁନି ଝିଅଟିଏ ଯିଏ କେବେ ହାଟ-ବଜାର କୁ ବେଶୀ ଥର ଯାଇ ନ ଥିବ , ଗାଁ ମୋଟରୁ ଦେଖି ନ ଥିବ , ସହରରେ ପଢିଥିବ, ଯେତେବେଳେ ରଚନା ପଡ଼େ “ଏକ ହାଟର ଦୃଶ୍ୟ”, ନ ହେଲେ “ମୋ ଗାଁ ” — ସାହିତ୍ୟ ସାଥୀ ବହିରୁ ଘୋଷିଥିବା ରଚନା କେମିତି ଯେ ଲେଖି ନମ୍ବର ଗଣ୍ଡାଏ ଆଣୁଥିଲି, ଜାଣେନି l ତୃତୀୟ ଶ୍ରେଣୀରୁ କିନ୍ତୁ ପ୍ରଚୁର ବହି ପଢ଼ୁଥିଲି …ମାନେ ପୂରା ଉଈ ପରି l ଲାଇବ୍ରେରୀର ଶିଶୁ ବିଭାଗ ସାରି ଯେଉଁଠୁ ଯାହା ପାଉଥିଲି ପଢ଼ୁଥିଲି l
ସାହିତ୍ୟ ବହିର ଗୀତ ଗୁଡ଼ିକ କିନ୍ତୁ ଭଲ ଲାଗୁଥିଲା …ସ୍ୱର ଦେଇ ଡେଇଁ ଡେଇଁ ବୋଲୁଥିଲୁ ସାଙ୍ଗମାନେ …ହେଲେ କବିତା ଲେଖା ! ସେ ମୋ କଳ୍ପନା ବାହାରେ ଥିଲା l ଅଷ୍ଟମ ଶ୍ରେଣୀରୁ ଡାଏରୀ ଲେଖି ଅଳ୍ପ ଅଳ୍ପ ଗୋପନ ତଥ୍ୟ ସେଥିକୁ ଉତାରିଲି …ହେଲେ ଡର …କାଳେ କିଏ ପଢି ଦେବ…ଚିଡ଼େଇବ ! ସେଇ ଗୋପନ କଥାକୁ ଅନ୍ତରର ବ୍ୟଥାକୁ ଯେତେବଳେ କଲମ ମୂନରେଢାଳିଲି, ଗଦ୍ୟ ଲେଖୁ ଲେଖୁ ପଦ୍ୟ ବାହାରିଲା …ଆଜି ବି ଲାଗେ କବିତା ମୁଁ ଲେଖେନି, କେହି ଯେମିତି ମୋ ଦ୍ୱାରା ଲେଖେଇ ନିଏ ….
ଡଃ ବିୟତପ୍ରଜ୍ଞା ଆଚାର୍ଯ୍ୟ