ସେଇ ଶେଷ ମାସ

The soul journey
November 1, 2024
Mo Bus menace
November 13, 2024

(କ୍ଷୁଦ୍ର ଗଳ୍ପ)
********
ଡଃ ବିୟତପ୍ରଜ୍ଞା ଆଚାର୍ଯ୍ୟ
ପ୍ରଫେସର ବାୟୋକେମିଷ୍ଟ୍ରି , କୀମସ ଭୁବନେଶ୍ୱର
—————————————–
ବାହାରେ ଅଳ୍ପ ଅଳ୍ପ ଝିପି ଝିପି ବର୍ଷା, ଅଳ୍ପ ଅଳ୍ପ ପବନରେ ଗଛ ସବୁ ମନ ମତାଣିଆ ଭାବରେ ଛୋଟ ଛୁଆମାନେ ‘ ରିଙ୍ଗା ରିଙ୍ଗା ରୋଜେସ’ ଖେଳିଲା ପରି ମୁଣ୍ଡ ହଲେଇ ଏପଟରୁ ସେପଟକୁ ଝୁଲୁଥା’ନ୍ତି | ମେଘୁଆ ଆକାଶ , ବାହାରେ ଆଉ ଘର ଭିତରେ— ଯେମିତି ସବୁ ଥମ ଥମ | ଅଭିମାନିନୀର କୋହ— ଆଖି କୋଣରେ ଲୁହ ଓ ଆକାଶରେ କଳା ବାଦଲ ଭିତରେ ବର୍ଷା ଯେମିତି ଜମାଟ ବାନ୍ଧିଛି | କୌଣସି ବି ମୁହୂର୍ତ୍ତରେ ଉଭୟ ବରଷି ଯାଇ ପାରନ୍ତି |
ସୌମ୍ୟା ନୀରବରେ ଲକ୍ଷ୍ୟ କରି ଚାଲିଛି ଅନନ୍ୟାକୁ ସେତେବେଳୁ | ଅନନ୍ୟା ସତରେ , ରୂପରେ ଗୁଣରେ ପୁରା ଅନନ୍ୟା | ସୌମ୍ୟା ଭାବେ ଏ ଝିଅଟି ଏତେ ଭାଗ୍ୟ ନେଇ କେମିତି ଆସିଛି ଯେ ? ଉଚ୍ଚ ଶିକ୍ଷିତ ବାପ ମା’ ଙ୍କର ଗୋଟିଏ ବୋଲି ସନ୍ତାନ , ଅଲିଅଳୀ , ସେଥିରେ ପୁଣି ଦୁନିଆ ଯାକର ସବୁ ସୌନ୍ଦର୍ଯ୍ୟ ତାରି ଉପରେ ଭଗବାନ ଢାଳି ଦେଇଛନ୍ତି | ଝିଅଟିଏ ହୋଇ ମଧ୍ୟ ସୌମ୍ୟାର ଆଖି ଲାଖି ରହିଯାଏ ଅନନ୍ୟା ଉପରେ |
ଯାହାକୁ କୁହନ୍ତି ଗୋଟିଏ ଚାଉଳରେ ଗଢା | ଦୁଧ , ଅଳତା ରଙ୍ଗର ଦେହ | ଏତେ କୋମଳାଙ୍ଗୀ ଯେ , ତା’ ଚର୍ମ ତଳୁ ଶିରା, ଧମନୀ ସବୁ ଫୁଟି ଉଠି ଦିଶୁଥା’ନ୍ତି | ପିନ୍ଧିଥାଏ ଲିଜିବିଜି ର ଏକ ଧଳା କୁର୍ତ୍ତୀ ଓ ପାଲାଜୋ | ହାତ , ପାଦ ସତେ ଯେମିତି ଜଣେ ଦେବୀଙ୍କର | ମୁହଁରେ ଲେଶମାତ୍ର ମେକ-ଅପ ନାହିଁ , ଅଥଚ ମୁହଁ ରୁ ଯେମିତି ଲହୁଣୀ ଖସି ପଡୁଛି| ଚନ୍ଦ୍ରମାରେ ପଛେ ଦାଗଟେ ଥିବ କିନ୍ତୁ ଅନନ୍ୟା ଵେଦାଗ | ସତେ ଯେମିତି କେଉଁ ରାଇଜର ପରୀ କି କାହାଣୀର ରାଜକୁମାରୀ !
ବିଶାଳକାୟ ଫ୍ରେଞ୍ଚ ଝରକା ପାଖେ ଦାମୀ ଇରାନୀ ରଗ (ଗାଲିଚା) ପଡିଥାଏ | ସେଇଠି ବସି ଦୁଇ ଆଣ୍ଠୁକୁ ନିଜ ଛାତିରେ ଭିଡି ଧରି ମନକୁ ମାରି ମୁହଁକୁ ଆଣ୍ଠୁ ଉପରେ ରଖି ବାହାରକୁ ଚାହିଁ ରହିଛି | ତାର ରେଶମୀ କେଶ ମୁକୁଳା ହୋଇ ତଳକୁ ଝୁଲି ରହିଛି | ଅନନ୍ୟା ମଝିରେ ମଝିରେ ବଡ଼ ବଡ଼ କରି କଣ କହି ଚାଲିଛି | ହାତରେ ଗୋଟେ ମୁଦି ଧରି ଏପଟ ସେପଟ କରି ଚାଲିଛି |
ସୌମ୍ୟା ଧୀରେ ଆସି ତା ପିଠିରେ ହାତ ରଖି କହିଲା – ” ଅନନ୍ୟା ଆସ ଖାଇବୁ | କୁକ କେତେବେଳୁ ରାନ୍ଧିକି ଘରକୁ ଗଲାଣି | ଥଣ୍ଡା ହୋଇଗଲେ ଆଉ କଣ ଭଲ ଲାଗିବ ? ”
ଅନନ୍ୟା ଧୀରେ ମୁଣ୍ଡ ତୋଳି ସୌମ୍ୟା କୁ ଚାହିଁଲା | କହିଲା – “ମୋର ଆଉ ମାସେ ବାକୀ , ଏଇଟା ଶେଷ ମାସ |”
ସୌମ୍ୟା ହସି ହସି ଗଡ଼ିଗଲା | ବହୁତ ସମୟ ପରେ ହସକୁ ରୋକି କହିଲା – “ହାଃ ହାଃ ! ଆମେ ସମ୍ବିତକୁ ଭଲ ମଜା ଚଖେଇଲେ | ” A lesson for his life. ଛାଡ଼ , ସେ ବାତରା ଟୋକାକୁ | ସମୟ ଥାଉ ଥାଉ ଆଖି ଖୋଲିଗଲା | ଆ, ଏଥର ଖାଇବା | ମୋତେ ଆଜି ଖୁସିରେ ଡବଲ ଭୋକ | ଯାଃ , ଆଜି ମୋ ସାଙ୍ଗ ବଂଚିଗଲା ବରବାଦିରୁ |”
ଅନନ୍ୟା କିନ୍ତୁ ସ୍ଥିର ଚିତ୍ତରେ ମୁହଁ ବୁଲେଇ କେଉଁ ଦୂର ଦିଗ୍ବଳୟରେ ହଜିଗଲା | ତା ଦୃଷ୍ଟି ଏକରକମ ସ୍ଥିର ଥିଲା ଆକାଶରେ | ତା ମନରେ କ’ଣ ଚାଲିଛି ସୌମ୍ୟା କିଛି ଠଉରେଇ ପାରୁ ନ ଥିଲା | ତାକୁ ଏକରକମ ଭୟ ଲାଗିଲା – କଣ ଭାବୁଛି ଅନନ୍ୟା ?
ଅନନ୍ୟାର ବାପା ମା’ ଏକ ବାୟୋଟେକ୍ନୋଲୋଜି କମ୍ପାନୀର ମାଲିକ | କ୍ୟାନ୍ସରର ଏକ ନୂତନ ଔଷଧ ତାଙ୍କ କମ୍ପାନୀ ଆବିଷ୍କାର କରିଛି | ସେଥିପାଇଁ ସ୍ଵିଡେନରେ ଏକ ଆନ୍ତର୍ଜାତିକ ସମ୍ମିଳନୀରେ ସେମାନେ ଯୋଗ ଦେବାକୁ ଯାଇଛନ୍ତି | ଅନନ୍ୟାର ୨୨ ବର୍ଷର ଜୀବନ ଅବଧିରେ ବୋଧହୁଏ ଏଇଥର ପ୍ରଥମ ନିଜ ଲବଣୀ ପିତୁଳକୁ ଏକଲା ଛାଡି ସେମାନେ କୁଆଡେ ଯାଇଛନ୍ତି | ସେଥିପାଇଁ ସୌମ୍ୟାକୁ ଅନନ୍ୟା ପାଖେ ରହିବାକୁ କାନେ କାନେ କହି ଯାଇଛନ୍ତି | ବାକି ରାନ୍ଧୁଣିଆ , ଚାକର ବାକର ସଜିଲ କରି ଯାଇଛନ୍ତି ମାଉସୀ | ସେଥିରେ ବି ଗଲା ବେଳକୁ ମା’ ଝିଅଙ୍କର କେତେ କନ୍ଦାକଟା | ” କେମିତି ରହିବେ ମଉସା ମାଉସୀ ଯେବେ ଅନନ୍ୟା ବାହା ହୋଇ ଘର ଛାଡି ଯିବ ?”
ହଁ , ଏ ଭିତରେ ନିଜ ବାଲ୍ୟବନ୍ଧୁଙ୍କ ପୁଅ ସମ୍ବିତ ସହ ଅନନ୍ୟାର ବାହାଘର ସ୍ଥିର ହୋଇଯାଇଥାଏ | ଅନନ୍ୟାର ଇଞ୍ଜିନିଅରିଂ ପାଠ୍ୟକ୍ରମ ସରିଲା ମାତ୍ରେ ଉଭୟଙ୍କର ବାହାଘର ହୋଇଯିବ | ସମ୍ବିତ MBA କରି ନିଜର ବ୍ୟବସାୟ ସମ୍ଭାଳୁଛି | ସଂସାର ଦୃଷ୍ଟିରେ ସଫଳ , ହେଲେ ଟିକେ ଚପଳ ମଧ୍ୟ | ଅନନ୍ୟା ପରି ଅପରୂପା ସୁନ୍ଦରୀ ବାଗଦତ୍ତା ଥାଉ ଥାଉ ମଧ୍ୟ ପାର୍ଟି କ୍ଳବରେ ସମୟ ବିତାଇବାକୁ ଭଲପାଏ |
ଏପରିକି ନିର୍ଲଜଭାବେ ତାଙ୍କ ଘରେ ପ୍ରସ୍ତାବ ମଧ୍ୟ ଦେଇଥିଲା ଅନନ୍ୟା ସହ live – in ରେ ରହିବାକୁ କିଛି ମାସ I
ଅନନ୍ୟା କିନ୍ତୁ ପୁରୁଣା ଯୁଗର ଚିନ୍ତାଧାରାର ଟିକିଏ | ଏତେ ପୁଅ ତା’ ପଛରେ, ହେଲେ କେବେ କାହାକୁ ଆଡ ଆଖିରେ ଅନାଏନି | ସେ ଗୋଟିଏ ସମ୍ପର୍କ , ତା’ ବାପା ମା’ ଙ୍କ ପରି ଆଦର୍ଶ ଯୋଡିରେ ବିଶ୍ୱାସ ରଖେ | ଭାଲେଂଟାଇନ୍ସ ଡେ ରେ ସାଙ୍ଗମାନେ ଖିଲ ଖିଲ କରି ହସି ନିଜ ନିଜ ବଏ ଫ୍ରେନ୍ଡ ମାନଙ୍କ ସହ ସେଲ୍ଫି ଆଉ ଉପହାର ସବୁ ଦେଖାନ୍ତି | ଅନନ୍ୟା କହେ ମୋ ଭାଲେଂଟାଇନ୍ସ ଆସିବାକୁ ଟିକେ ସମୟ ଲାଗିବ |
ଶେଷରେ ଉଭୟ ପରିବାରର ଆପୋଷ ଆଲୋଚନା ପରେ ସମ୍ବିତ ସହ ଅନନ୍ୟାର ବାହାଘର ସ୍ଥିର ହୋଇଥିଲା | ନିର୍ବନ୍ଧ ପରଠୁ ସମ୍ବିତର ଅନନ୍ୟା ଉପରେ ସ୍ତ୍ରୀ ପରି ଅଧିକାର ସାବ୍ୟସ୍ତ କରିବାକୁ ଇଛା , ହେଲେ ଅନନ୍ୟା ଧରାଛୁଆଁ ଦିଏନି | ତା’ ମା ସମ୍ବିତ ସହ ଏକଲା ବୁଲିବାକୁ ଅନୁମତି ଦେଲେ ମଧ୍ୟ ସେ ବାହାନା କାଢି ମନା କରିଦିଏ | ସୌମ୍ୟାକୁ ସବୁ କଥା କୁହେ | ସୌମ୍ୟା କହେ , ” ଯାଉନୁ ଗଧ, ପିଲାଟା ଛଟପଟ ହୋଇ ମରିଯିବ ଲାଗୁଛି ତୋ ପାଇଁ |”
ଅନନ୍ୟା କୁହେ , “ସମ୍ବିତ ମୋତେ ନା ମୋ ଶରୀରକୁ ଭଲ ପାଉଛି , ଥରେ ପରଖି ଦେଖି ନବାକୁ ଦେ, ତା’ ପରେ ଦେଖିବି |”
ଅନନ୍ୟାର ବାପା ମା’ ଏଥରକ ପ୍ରଥମ ଥର ପାଇଁ ମାସେ ପାଇଁ ଘରୁ ଗୋଡ କାଢି ଯାଇଛନ୍ତି | ଆଶ୍ଚର୍ଯ୍ୟଜନକ ଭାବେ ଅନନ୍ୟା ସମ୍ବିତକୁ ନିଜେ ହିଁ ଘରକୁ ଏକାନ୍ତରେ ଡାକିଲା | ତେବେ ସୌମ୍ୟାକୁ ଭିତର ଘରେ ଲୁଚି କରି ବସିରହିବାକୁ ନିର୍ଦ୍ଦେଶ ଦେଲା | ସୌମ୍ୟା ଆଶ୍ଚର୍ଯ୍ୟ |
ସମ୍ବିତ ଠିକ ସନ୍ଧ୍ୟା ୭ ଟା ବେଳକୁ ସୁଟ ବୁଟ ପିନ୍ଧି , ଦାମୀ ଅତର ବୋଳି ଗୋଟେ ଫୁଲତୋଡ଼ା ଆଉ ଚକୋଲେଟ ବକ୍ସ ସହ ଆସି ଦୁଆର ମୁହଁରେ ହାଜର |
ସୌମ୍ୟା ଭିତରୁ ଥାଇ ସବୁ ଶୁଣୁଥାଏ | ଅନନ୍ୟା ଚିରାଚରିତ ଢଙ୍ଗରେ ସମ୍ବିତଙ୍କୁ ଟିକେ ଦୂରେଇ ରଖୁଥାଏ | ଟିକିଏ ସମୟ ପରେ କହିବାର ଶୁଣିଲା, ” ମୋତେ ଲିଉକେମିଆ, blood cancer , ମୋ ଜୀବନର ଶେଷ ମାସ ଟି ବାକୀ |
ସମ୍ବିତର ସ୍ୱର ଶୁଭିଲା – “What , କିନ୍ତୁ ତୁମେ ତ ପୁରା ଠିକ ଲାଗୁଛ |”
ଅନନ୍ୟା: “Recently detect ହେଲା କିନ୍ତୁ ପୁରା advanced case | ମୋ ବାପା ମା’ ଏହାରି ଉପରେ ହିଁ research କରି ଆଜି award ନେବାକୁ ବିଦେଶ ଗଲେ | ଅଥଚ ନିଅତିର କ୍ରୂର ପରିହାସ , ମୁଁ ସେହି ରୋଗରେ ଆକ୍ରାନ୍ତ |”
ଅନନ୍ୟାର କାନ୍ଦଣା ଶବ୍ଦ ଶୁଭିଲା | ସମ୍ବିତର ଶବ୍ଦ କିଛି ଶୁଭୁ ନ ଥାଏ | ଅନନ୍ୟା ପୁଣି ଆରମ୍ଭ କଲା , “ସମ୍ବିତ, ବାପା ମା’ ଆୱାର୍ଡ ନେଇ ସେଠିକାର best doctor ଙ୍କ ସାଙ୍ଗେ ମୋର treatment protocol ବିଷୟରେ ଆଲୋଚନା ମଧ୍ୟ କରିବେ | କହିକି ଯାଇଛନ୍ତି ମୁଁ ଧୀରେ ଧୀରେ ଭଲ ହୋଇଯିବି , ଯଦି ଏ ଔଷଧ ମୋ ଉପରେ କାମ କଲା ତ, ନ ହେଲେ ମୋ ହାତରେ ମାସେ ମାତ୍ର ସମୟ | ତୁମେ ମୋ ସାଙ୍ଗରେ ଅଛ ଏବେ , ମୁଁ ଆହୁରି ଜଲଦି ଠିକ ହୋଇଯିବି |”
ସମ୍ବିତ ଚିତ୍କାର କଲା , “Impossible ! , ଇଏ ତ ବିଶ୍ୱାସଘାତକତା | ମୋତେ କିମ୍ବା ମୋ ବାପା ମା’ ଙ୍କୁ ତ କିଛି ଜଣେଇନ!”
ଅନନ୍ୟା କହିଲା – ” ଏଇ ମାତ୍ର ସପ୍ତାହେ ତଳେ ତ …..We are now Family ….କିଛି ଗୋଟେ ସ୍ଥିର କଲା ପରେ ତୁମ family କୁ ଜଣାଇ ଥାନ୍ତୁ |
ସମ୍ବିତ ପୁଣି ଚି଼କ୍କାର କଲା – “Family my foot !” ଘରେ ନ ପଶୁଣୁ ମୁଣ୍ଡରେ ଚାଳ | ମୋ ପଛରେ ଝିଅଙ୍କ line ଲାଗିଛି | କେବଳ ବାପାଙ୍କ କଥାରେ ରାଜି ହୋଇ ତୁମକୁ ବାହା ହେବାକୁ ରାଜି ହୋଇଥିଲି | ହେଲେ କେଉଁ ପୁରୁଣା ବୁଢୀମା’ ଚିନ୍ତା ଧାରାରେ ବଢିଛ କେଜାଣି, ଆଜି ଯାଏଁ ଦେହରେ ଆଂଗୁଳିଟିଏ ଲଗେଇବାକୁ ଦେଇନ | ଆଉ ତା’ ଉପରକୁ ଏଡେ ବଡ ବୋଝ ! ”
ବ୍ୟସ୍ତ ହୋଇ ପଦଚାରଣ କରୁଥାଏ ସମ୍ବିତ | ଅନନ୍ୟା ପଚାରୁଥାଏ – “ଆମେ ପରା ୭ ଜନ୍ମର ସାଥୀ ହୋଇଥା’ନ୍ତେ | ଯଦି ବାହାଘର ପରେ ଏ କଥା ଜଣା ପଡିଥା’ନ୍ତା ?”
ସମ୍ବିତ କହୁଥାଏ – “Divorce କରି ଦେଇଥାନ୍ତି | ସେ ସବୁ କଥାର କିଛି ମୂଲ୍ୟ ନାହିଁ | I am out of this relationship. ରଖ ଏ ମୁଦି | ମୁଁ ଆସୁଛି | ମୋର ବହୁତ ସମୟ ନଷ୍ଟ କରିଦେଲ | ”
ସମ୍ବିତ ଚାଲିଗଲା | ସେଇ ସେତେବେଳଠୁଁ ମୁଦିଟିକୁ ହାତରେ ଧରି ଅନନ୍ୟା ବଡ଼ ବଡ଼ ହେଉଛି | ମୋର ଆଉ ମାସେ ମାତ୍ର ବାକି | ଏଇଟା ମୋର ଶେଷ ମାସ | ”
ଅନନ୍ୟା ହିଁ ଗୋଟିଏ ମିଛ ରିପୋର୍ଟ ବନେଇ ଆଣିଥିଲା କେଉଁଠୁ | ସମ୍ବିତ ଠାରୁ ଆଟେନ୍ସନ୍ ପାଇବା ପାଇଁ ଏମିତି କରୁଛି ବୋଲି ଭାବୁଥିଲା କିନ୍ତୁ ଅନନ୍ୟା ଯେ ତ ଭାବୀ ସ୍ୱାମୀର ଚରମ ପରୀକ୍ଷା ନେଉଥିଲା – ଏବେ ଯାଇ ସୌମ୍ୟା ବୁଝିଲା |
ସମ୍ବିତର ତ ଅସଲି ରୂପ ଧରା ପଡିଲା , ହେଲେ ଅନନ୍ୟା ଏ ଭଳି କାହିଁକି ହେଉଛି ?
Xxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxx
ଅନନ୍ୟାକୁ ଖାଇବାକୁ ଡାକି ଡାକି ସୌମ୍ୟା ନିଜେ ମଧ୍ୟ ନ ଖାଇ ସେଇଠି ସୋଫା ଉପରେ ଶୋଇଗଲା | ଅନନ୍ୟା କିନ୍ତୁ ସେଇ ଫ୍ରେଞ୍ଚ ଝରକା ପାଖେ ବସି ରହି ସେମିତି ଶୂନ୍ୟ ଦୃଷ୍ଟିରେ ଦୂର ଦିଗନ୍ତକୁ ଅନେଇ ରହିଥାଏ |
ସୌମ୍ୟାର ନିଦ ଭାଙ୍ଗିଲା ମାତ୍ରେ ଆଗ ହଡ଼ବଡେ଼ଇ ଅନନ୍ୟାକୁ ଖୋଜିଲା | “ଓହୋ ! ଯା ହେଉ କିଛି କରିନି | ମୁଁ କି ଯେ ଦାୟିତ୍ୱହୀନ ଭାବେ ଶୋଇ ପଡିଲି | ”
କାଲି ରାତି ସାରା ବୁଝେଇ ବୁଝେଇ ଥକି ଯାଇଥିଲା ସୌମ୍ୟା | ଅନନ୍ୟା ସେମିତି ପଥର ମୂର୍ତ୍ତି ପରି ବସି ରହିଥିଲା | ଜନ୍ମରୁ ଆଜି ଯାଏଁ ଫୁଲଟିଏ ପରି ବଢିଛି ସେ | ଜୀବନରେ ବୋଧହୁଏ ଏ ଭଳି ଏକ ଶକ୍ତ ମାନସିକ ଧକ୍କା ସେ କେବେ ବି ପାଇ ନ ଥିଲା | ତା’ ଫୁଲ ପରି ମୁହଁଟି ଝାଉଁଳି ପଡିଥାଏ | ସତେ ଯେମିତି ଜହ୍ନକୁ କଳା ବାଦଲ ମେଞ୍ଚେ ଢାଙ୍କି ଦେଇଥାଏ | ଲାଗୁଚି ଯେମିତି କେଉଁ ଏକ ଅଜଣା ରାଇଜରେ ସେ ହଜି ଯାଇଛି | ସେଇଠୁ ଫେରିକି ଆସି ପାରିବ କି ନାହିଁ , କଳନା କରି ପାରୁ ନଥିଲା |
ସୌମ୍ୟା ଶୀଘ୍ର ଶୀଘ୍ର ନିତ୍ୟକର୍ମ ସାରି ବାହାରି ପଡିଲା | ଅନନ୍ୟାକୁ ହାତ ଧରି ଏକ ରକମ ଟାଣି ନେଇ ଗାଧୁଆ ଘରେ ପୂରେଇ ୫ ମିନଟରେ କାମ ସାରି ବାହାରକୁ ଆସିବାକୁ ତାଗିଦ କଲା | ଗାଧୁଆ ଘର ଆଗରେ ଜଗି ଠିଆ ମଧ୍ୟ ହେଲା | ପ୍ରତ୍ୟୟ ହେଲା, ଅନନ୍ୟା ଗାଧେଇକି ବାହାରୁଛି | ଟିକିଏ ସ୍ୱସ୍ତିର ନିଃଶ୍ୱାସ ମାରିଲା |
ଏ ସମୟରେ ପାଖରେ ଥିବା ଏକ କ୍ୟାଲେଣ୍ଡର ଉପରେ ଆଖି ପଡିଲା | ୧୫ ତାରିଖ ଉପରେ ନାଲି କଲମରେ ଛକି ଦିଆ ହୋଇଛି | ହାତରେ ଗଣି , ଆଖି ମଳି ଆଉ ଥରେ କ୍ୟାଲେଣ୍ଡରକୁ ଦେଖିଲା | ମନେ ମନେ ଭାବିଲା – “ହଁ , କାଲି ତ ୧୫ ତାରିଖ ଥିଲା |” କାନରେ ବାଜିଲା ଅନନ୍ୟାର ଗତ କାଲିର ଅସ୍ପଷ୍ଟ ଭାଷା | ” ଏଇଟା ମୋର ଶେଷ ମାସ | ତା’ ମାନେ କ’ଣ ଅନନ୍ୟା…… “ହେ ପ୍ରଭୁ, ଏ ଝିଅ ପାଗଳ ହୋଇଗଲା କି ? ମଉସା, ମାଉସୀ ମାସେ ପରେ ଫେରିବେ , ଅନନ୍ୟା ଇଆଡୁ ସିଆଡ଼ୁ କିଛି କରିବନି ତ?”

“ଓଃ! ମୁଁ ବି ପାଗଳୀ, କାହିଁକି ଅନନ୍ୟାକୁ ଏ ସବୁ ଖେଳରେ ସାଥି ଦେଉଥିଲି କେଜାଣି ?” ହଠାତ ଭୟରେ ତା ମେରୁଦଣ୍ଡ ଶିହିରି ଗଲା |
କବାଟ ବାଡେଇ ଡାକିଲା – “ଅନନ୍ୟା ଶୀଘ୍ର ଆସେ | ମୋ ଭାଇକୁ ହଷ୍ଟେଲରେ ଦେଖା କରିବାକୁ ଯିବି |”
ଅନନ୍ୟା ନିଃଶ୍ଚୁପ ହୋଇ କବାଟ ଖୋଲି ବାହାରି ଆସିଲା | ସୌମ୍ୟା ଭାବିଲା – ” ନା, ମୁଁ ବୋଧହୁଏ overthinking କରୁଛି |”
Open learning school ସ୍କୁଲ ଆଗରେ ବ୍ରେକ ମାରିଲା ସୌମ୍ୟା | ଗାଡି ଭିତରୁ କିଛି ଖାଦ୍ୟ ସାମଗ୍ରୀ ଓ ପୋଷାକ ଇତ୍ୟାଦି ଧରି ସେ ଓହ୍ଲେଇଲା | ଅନନ୍ୟା ପାଖର କାର ଦ୍ୱାର ଖୋଲିଲା ପରେ ସେ ସେଇମିତି ହଜିଲା ହଜିଲା ଭାବରେ ତଳେ ପାଦ ରଖିଲା |
ଗେଟ ଭିତରକୁ ଯାଇ ଏକ ସିମେଣ୍ଟ ବେଞ୍ଚରେ ଅନନ୍ୟାକୁ ବସିବାକୁ କହିଲା | ସେ ଲଥ କରି ବସି ପଡିଲା | ସୌମ୍ୟା କହିଲା – ” ମୁଁ ଏଇ ସାଙ୍ଗେ ସାଙ୍ଗେ ଯାଇ ଭାଇକୁ ଦେଖା କରି ଆସୁଛି |”
ଜାମୁ କୋଳି ଗଛରୁ ଜାମୁ ଏଣେ ତେଣେ ଖେଳେଇ ହୋଇ ପଡିଥାଏ | ମୃଦୁ ମନ୍ଦ ପବନ ବୋହି ଅନନ୍ୟା ମୁହଁରେ ଚୁର୍ଣ୍ଣ କେଶରାଶି ଖେଳେଇ ଦେଉଥାଏ | ମୁହଁ ଉପରୁ କେଶରାଶି ହଟେଇବାର ବି ନିଘା ନ ଥାଏ | ଅନନ୍ୟା ମୁଣ୍ଡରେ ଖେଳୁଥାଏ ‘ଶେଷ ମାସ , ଶେଷ ମାସ |’
ଏ ସମୟରେ ହଠାତ ଅନନ୍ୟା ନିଜ ବେକରେ ୨ ଟା ହାତ ଛନ୍ଦି ହେବାର ଅନୁଭବ କଲା ଓ ପରେ ପିଠିରେ ଯେମିତି କିଏ ଲାଉ ହେଲା ପରି ଲାଗିଲା | ବୁଲିକରି କିଏ ବୋଲି ଦେଖିଲା ବେଳକୁ ସେ କାନ ପାଖରେ ପଚାରିଲା – ” ମୋ ପାଇଁ କଣ ଆଣିଛ ?”
ଅନନ୍ୟା ଯେମିତି କେଉଁ ଦୂର ଜଗତରୁ ସମ୍ବିତ ପାଇ ଫେରିଲା ଓ ଚଟକରି ମୁହଁ ବୁଲେଇ ଦେଖିଲା ଆଉ ଚିଲ୍ଲେଇ ଉଠିଲା ଆଉ ଠିଆ ହୋଇ ପଡିଲା ହାତ ଦୁଇଟା ଛଡେଇ କରି | ଭୟାତୁର ଆଖିରେ ଜୋର ପାଟିରେ ପଚାରିଲା – “ତୁମେ କିଏ ?”
ତା’ ସାମ୍ନାରେ ୪ ଫୁଟ ଉଚ୍ଚତାର ଫ୍ରକ ପରିହିତା ଝିଅଟିଏ, ଯାହାର ମୁଣ୍ଡଟା ଅତିଶୟ ବଡ ଥିଲା ଦେହ ତୁଳନାରେ I ଆଗ ଦାନ୍ତ ସବୁ ଫାଙ୍କ, ଆଖି ଦୁଇଟା ଟେରା I ତାକୁ ଦେଖି ଅନନ୍ୟା ଭୂତ ଦେଖିଲା ପରି ଚମକି ପଡିଲା I
ପଛ ଆଡୁ କେୟାର ଟେକର ସୁଜାତା ମାଡାମ ଧାଇଁ ଆସି ପାଟି କଲେ -” ହେଃ ! ଯା ଭିତରକୁ I” ଅନନ୍ୟାକୁ ଲକ୍ଷ୍ୟ କରି କହିଲେ -“ମାଡାମ, ଏମାନେ ବେଶି କିଛି ବୁଝନ୍ତିନି I ମୁଁ ଭିତରକୁ ପଠେଇ ଦେଉଛି I”
ସୌମ୍ୟା ତରବର ହୋଇ ବାହାରକୁ ଆସିଲା ଏବଂ କହିଲା -“ଚାଲ ଘରକୁ ଯିବା I”
ଘରକୁ ଫେରିଲା ବାଟରେ ସେ ଆଖି କୋଣରୁ ଲକ୍ଷ୍ୟ କରୁଥାଏ ଅନନ୍ୟାକୁ I ମୁହଁର ହାବଭାବ ଅନେକଟା ବଦଳି ଥାଏ I ଆଖିରେ ଭାବାନ୍ତର ନ ଥାଏ, କିନ୍ତୁ ତା’ ଦୂରନ୍ତ ଜଗତରୁ ଫେରି ଆସିଛି ବୋଲି ବିଶ୍ୱାସ ହେଉଥାଏ I ସୌମ୍ୟାକୁ ସମସ୍ୟାର ସମାଧାନ ମିଳିଗଲା ପରି ଲାଗିଲା I ଘରେ ପହଞ୍ଚି ଉଭୟେ ଖିଆ ପିଆ କଲେ I ସୌମ୍ୟା ହିଁ ଗପି ଚାଲିଥାଏ I
ଅନନ୍ୟାର କାନରେ କିଛି ପଶୁଥାଏ କି ନା, ଜାଣିପାରୁ ନ ଥାଏ I କିନ୍ତୁ ଅନନ୍ୟାକୁ ଏ ଡିପ୍ରେସନରୁ ବାହାର କରିବାକୁ କିଛି ଗୋଟେ କରିବାକୁ ହେବ I ଘରକୁ ପଶୁ ପଶୁ କ୍ୟାଲେଣ୍ଡର ଦେଖି ସାରିଥିଲା, ଅନନ୍ୟା ୧୬ ତାରିଖ ଉପରେ ଛକି ପକେଇ ସାରିଥାଏ I ଆଉ ତେବେ ୨୮ ଦିନ! ଅନନ୍ୟା କଣ କରିବାର ଲକ୍ଷ୍ୟ ରଖିଛି !
ସୌମ୍ୟା ଗପିବା ଆରମ୍ଭ କଲା -“ମୋ ଭାଇ ମୋଠୁଁ ୧୫ ବର୍ଷ ସାନ І ବାପା ମା’ ମଧ୍ୟବୟସ୍କ ହେଲା ପରେ ଭାଇ ପେଟରେ ରହିଲା I ବୟସର ଆଧିକ୍ୟ ଯୋଗୁଁ ଡାକ୍ତରମାନେ କିଛି ଜେନେଟିକ ଟେଷ୍ଟ ପାଇଁ କହିଥିଲେ, ହେଲେ ମା’, ବାପା ସେ ସବୁକୁ ହେୟଜ୍ଞାନ କଲେ. ଭାଇ ଯେବେ ଜନ୍ମ ହେଲା ଆମେ ସମସ୍ତେ ଖୁବ ଖୁସି ଥିଲୁ I ହେଲେ ଧୀରେ ଧୀରେ ଜଣା ପଡିଲା ଯେ, ଭାଇ ଡାଉନ୍ସ ସିଣ୍ଡ୍ରୋମରେ ଆକ୍ରାନ୍ତ I
ଅନନ୍ୟା ପ୍ରଥମ କରି ମୁଣ୍ଡ ଉଠେଇ ସୌମ୍ୟାକୁ ଅନେଇଲା I
ସୌମ୍ୟା ଜାରୀ ରଖିଲା — ” ଏହା ଏକ ଗୁଣସୂତ୍ରୀୟ ରୋଗ । Trisomy ୨୧ ମଧ୍ୟ କୁହଯାଏ । ଅର୍ଥାତ୍ , ଗୁଣସୂତ୍ର ୨୧ ର ଏକ ଅଧିକା କପି ଆସିଯାଏ । ମାନେ ଆମର ୪୬ଟି କ୍ରୋମୋଜୋମ୍ , ସେମାନଙ୍କର ୪୭ ଟି ଥାଏ ।
” ଭାଇ ବଢିବା ସହିତ ତାର ସବୁ ପ୍ରକାର ଅସୁବିଧା ଧିରେ ଧିରେ ପରିଲକ୍ଷିତ ହେଲା l ତା ମୁହଁର ଗଢ଼ଣ ଅଲଗା ପ୍ରକାର ଥିଲା; ମୋଟା ଚେପଟା ନାକ, ଟେରା ଆଖି, ଛୋଟ ବେକ …….. ଭଲ ଭାବେ ବଢ଼ୁ ନ ଥାଏ , ହାତ,ପାଦ ଗଢଣ ବି ଅଲଗା ପ୍ରକାରର । ତା ପାଇଁ ପ୍ରତିଦିନ ବାପା ମା’ ସଂଘର୍ଷ କରି ଚାଲିଛନ୍ତି । ଆମେ ତାକୁ ପରିବାର ବୋଲି ଗ୍ରହଣ କରିଛୁ ସିନା, ହେଲେ ସବୁ ବେଳେ ତାରି ଚିନ୍ତା । ଶେଷରେ OLS school ରେ ନାଁ ଲେଖେଇଚୁ , ଯେଉଁଠି ସେମାନେ ତାକୁ ଅନ୍ତତଃପକ୍ଷେ କିଛି ଟ୍ରେନିଂ ଦେଇ ଓ ବିଶେଷ ଶିକ୍ଷା ଦେଇ ନିଜ କାମ ନିଜେ କରିବା ଶିଖାଉଛନ୍ତି ।” ସୌମ୍ୟାର ଦୀର୍ଘଶ୍ଵାସଟିଏ ବାହାରିଗଲା ।
ଅନନ୍ୟା ଅଳ୍ପ କିଛି ଖାଇ ଚୁପ୍ ଚାପ୍ ଉଠିଗଲା ଓ ମୁହଁ ଧୋଇ ନିଜ ଝର୍କା ପାଖରେ ଯାଇ ବସି ପଡ଼ିଲା। ଉଭୟଙ୍କର ଛୁଟି ଚାଲିଥାଏ କଲେଜରେ । ସୌମ୍ୟା ଘରକୁ ଯାଇ ନିଜର ଆଉ କିଛି ପୋଷାକପତ୍ର ନେଇ ଆସିଲା । ଏତେବେଳଯାଏଁ ସେ ଦିନ ମା’ ବାପାଙ୍କୁ ମଧ୍ୟ ଗତ ସନ୍ଧ୍ୟାର ଘଟଣା ବିଷୟରେ କହି ନ ଥାଏ । ନିଶ୍ଚିତ ଭାବେ ତାରି ଉପରେ ହିଁ ସବୁଯାକ ଗାଳି ପଡ଼ିବ । ନିଜ ହିସାବରେ ସେ ଅନନ୍ୟାକୁ ପୁଣି ପୁରୁଣା ଅବସ୍ଥାକୁ ଫେରାଇ ଆଣିବାକୁ ଚେଷ୍ଟା କରୁଥାଏ ।
ତା’ ପରଦିନ ମଧ୍ୟ ପୁଣି ଥରେ ଅନନ୍ୟାକୁ ସେଇ OLS କୁ ନେଇ ଗଲା । ଏଥର ସ୍କୁଲ୍ ଭିତର ପାର୍କରେ ଅନନ୍ୟାକୁ ବସାଇ ଦେଇ ଗଲା । ଅନନ୍ୟା କାଠମୂର୍ତ୍ତି ପରି ବସି ରହି ମନ୍ଦବୁଦ୍ଧି ସମ୍ପନ୍ନ ଛୁଆମାନଙ୍କର ଟ୍ରେନିଂ ଓ ଖେଳ ଦେଖୁଥାଏ। ଏଥର ଆଗ ଭଳି ସେମାନଙ୍କୁ ଦେଖି ଚମକୁ ନ ଥାଏ ।
ପୁଣି ସନ୍ଧ୍ୟାରେ ଆଖି କୋଣରୁ ଲକ୍ଷ କଲା ସୌମ୍ୟା.. ୧୭ ତାରିଖରେ ଛକି ପଡ଼ି ସାରିଛି । ଆଜି ଅନନ୍ୟା ସାଧାରଣ ଭାବେ ଜୀନ୍ସ୍ , ଟି ସାର୍ଟ ପିନ୍ଧି ନିଜ ମୁକୁଳା କେଶକୁ ଟେକି ଧରି ଚୁଟିଟିଏ କରି ଦେଇଛି । ଆଖି ଚାରିପଟେ କଳା ଦାଗ । ସମ୍ବିତ ଘଟଣାକୁ ସୌମ୍ୟା ପକାଇବାକୁ ଚାହୁଁ ନ ଥାଏ । ଅନନ୍ୟା ହୁଁ , ହାଁରେ ଉତ୍ତର ଦେଉଥାଏ। ଅଚାନକ ଆଖି ପଡ଼ିଲା , ଅନନ୍ୟା ହାତ କଚଟିରେ ଏ ସରୁ ଦାଗ , ଏଇ ଯେମିତି ଛୁରିଧରି କାଟିବାକୁ ଚେଷ୍ଟା କରିଛି । ପୁଣି ମନରେ ଛନକା ପଶିଲା । ରାତି ଅଧରେ ଛନକାରେ ଉଠି ସୌମ୍ୟା କୁ ହାତ ମାରି ଦେଖୁଥାଏ ।
୧୮ ତାରିଖ — ଏଥର ସୌମ୍ୟା , ଅନନ୍ୟାକୁ ସ୍କୁଲ ଘର ଭିତରକୁ ନେଇଗଲା । ବିଭିନ୍ନ ପ୍ରକାର ଛୁଆ ଦେଖୁଥାଏ । ସୌମ୍ୟା ର ଭାଇ ଆସି ତାକୁ ଜାବୁଡ଼ି ଧରି ଗେଲ କରି ପକାଉଥାଏ । ୮ ବର୍ଷ ର ଛୁଆ , ହେଲେ ୫ ବର୍ଷ ପରି ଲାଗୁଥାଏ ଓ ସେଇ ଭଳି ବ୍ୟବହାର ମଧ୍ୟ କରୁଥାଏ । ଅଧା କଥା ତାର ବୁଝି ହେଉନଥାଏ । ସୌମ୍ୟା ଦେଖିଲା ଅନନ୍ୟା ର ଆଖି କୋଣ ରେ ଲୁହ ଟିକିଏ ଚିକ ମିକ କରୁଛି ।
ଏଥର ଉଭୟ ସ୍କୁଲର ଦ୍ୱିତୀୟ ମହଲାକୁ ଚଢିଲେ । ଅନନ୍ୟା ସେଠି ପହଞ୍ଚି ଯାହା ଦେଖିଲା, ବାନ୍ତି କରୁ କରୁ ନିଜକୁ ରୋକି ତଳକୁ ଧାଇଁ ପଳାଇ ଆସିଲା । ବାହାରକୁ ଦଉଡ଼ି ଦଉଡ଼ି ଆସି ନିଜ କାର ପାଖେ ଭକ କରି ବାନ୍ତି କରି ପକାଇଲା । ତା ପଛେ ପଛେ ସୌମ୍ୟା ଦୌଡ଼ି ଦୌଡ଼ି ଆସିଲା । ଅନନ୍ୟା ପାଣି ଟିକିଏ ପିଇ କହିଲା — ” ଯିବା ” ପ୍ରଥମ ଶବ୍ଦ ଶୁଣିଲା ଦିନ ପରେ ଅନନ୍ୟା ମୁହଁରୁ । ଏକ ସ୍ମିତହାସ୍ୟ ଦେଇ ଗାଡ଼ିର ଷ୍ଟିଅରିଂ ଧରିଲା ସୌମ୍ୟା ।
କ୍ରମଶଃ …..

ଖାଇ ସାରିଲା ବେଳକୁ ଅନନ୍ୟା ୧୮ ତାରିଖ ଉପରେ ଛକି ମାରି ସାରିଥିଲା । ଆଜି ଆଖି ଉହାଡ଼ରୁ ଅନନ୍ୟା ମୋବାଇଲ ଉପରେ ନଜର ପକେଇବାରୁ ଦେଖିଲା , “Methods to kill yourself ” keyword ମାରି ଅନନ୍ୟା ଗୁଗୁଲ ସର୍ଚ୍ଚ କରିଛି ।
୧୯ ତାରିଖ – ସକାଳୁ ସକାଳୁ ସୌମ୍ୟା କାର ଧରି ବାହାରିଲା । ଅନନ୍ୟାକୁ ଶୁଣାଇଲା ପରି କହିଲା — ” ଆଜି ଭାଇକୁ ଗୋଟିଏ ପାର୍କ ବୁଲେଇ ନେବାର ଅଛି Sunday ବୋଲି , ଛାଡିକି ସାଙ୍ଗେ ସାଙ୍ଗେ ଆସୁଛି ।“
ଅନନ୍ୟା ଠିଆ ହେଲା , କହିଲା — ” ମୁଁ ବି ଆସୁଛି।”
ସୌମ୍ୟା କାଲିଠୁ ଅନନ୍ୟା ବାନ୍ତି କରିବା ଦେଖି ଭିତରେ ଭିତରେ କେମିତି ଗୋଟେ ଦୁଃଖୀ ଆଉ ହତାସିଆ ହୋଇ ଯାଇଥିଲା । କହିଲା — ” ନା , ଥାଉ ”
ଅନନ୍ୟା ଆହୁରି ଦୃଢ଼ ସ୍ୱରରେ କହିଲା — ” ଚାଲ ଯିବା ।”
ଆଉ କିଛି କଥା ନ ହୋଇ ଭିନ୍ନକ୍ଷମ ସ୍କୁଲ୍ ରେ ଆସି ସୌମ୍ୟା ବ୍ରେକ୍ କଷିଲା । ଅନନ୍ୟାକୁ କହିଲା — ” ଏଇଠି ଥା।”
ଅନନ୍ୟା କାର ବାହାରକୁ ଆସି ଜୋର୍ କବାଟକୁ ବନ୍ଦ କରି କହିଲା — ” ଚାଲ ଦ୍ୱିତୀୟ ମହଲାକୁ । ” ସୌମ୍ୟା କାବା ହୋଇ ତାକୁ ଚାହିଁ ରହିଲା । ଅନନ୍ୟା ମୁହଁର ତେଜ ଫେରି ଆସିଥାଏ । କିନ୍ତୁ ମନ ଭିତରେ କଣ ଚାଲିଛି ବୁଝି ପାରୁ ନ ଥାଏ। ଦୁହେଁ ମିଶିକି ଉପରକୁ ଗଲେ ।
ଶେଷ ପାହାଚରେ ଟିକେ ରହିଯାଇ ଅନନ୍ୟା ନିଜକୁ ପ୍ରସ୍ତୁତ କଲା ପରି ଦୀର୍ଘ ନିଶ୍ୱାସଟିଏ ନେଲା । ଏଥର ସେମାନେ ଆଗକୁ ବଢ଼ିଲେ ।
ପ୍ରାୟ ୨୦ ସରିକି ବିଶେଷଭାବେ ମାନସିକ ବିକାରଗ୍ରସ୍ତ , ସ୍ନାୟବିକ ରୋଗରେ ବିଶେଷଭାବେ ପୀଡ଼ିତ ଶିଶୁ ଓ କିଶୋର କିଶୋରୀ ସେଠି ଭିନ୍ନ ଭିନ୍ନ ପ୍ରକାରରେ ବସିଥାନ୍ତି ଅଥଚ ତାଙ୍କ ହାତ ଗୋଡ ସବୁ ବନ୍ଧା ହୋଇଥାଏ ।କେହି ତଳେ ଗଡୁଥାନ୍ତି I କେହି ଦୋଳି ଖଟରେ ଶୋଇଥାନ୍ତି, କିନ୍ତୁ ହାତ ବନ୍ଧା ହୋଇଥାଏ I
ଗତକାଲି ଏସବୁ ଦେଖି ଅନନ୍ୟା ଏତେ ମାତ୍ରାରେ ଆତଙ୍କିତ ତଥା ବିଚଳିତ ହୋଇପଡ଼ିଥିଲା ଯେ , ବାହାରକୁ ଆସି ବାନ୍ତି କରି ପକାଇଥିଲା । ତାର ୨୩ ବର୍ଷର ଛୋଟ ଜୀବନରେ ସେ ଦାରିଦ୍ର୍ୟ , ଦୁଃଖ , ରୋଗ କ’ଣ ଦେଖି ନ ଥିଲା । ତା ମା’ ବାପାଙ୍କର ନୟନ ପିତୁଳା ଥିଲା । ସବୁ ଜିନଷ ତାର perfect ଥିଲା । ପିଲାବେଳେ କଣ୍ଢେଇ ଘର କେମିତି ହେବ , ପ୍ରତି ବର୍ଷ ଜନ୍ମଦିନର ବିଶେଷ ବିଷୟ (theme) କ’ଣ ହେବ , କେଉଁ ଜୋତା କେଉଁ ଫ୍ରକ୍ ପାଇଁ ଭଲ ଦିଶିବ , ଏଇ ସବୁ ହିଁ ତା ବାପା ମା’ ଙ୍କର ଓ ତା’ର ଚିନ୍ତା ଥିଲା । ତା’ ଅଜା, ଆଈ, ଜେଜେମା, ଜେଜେବାପା ମଧ୍ୟ ବେଶ୍ ସ୍ୱଚ୍ଛଳ ଓ ସମର୍ଥ । ରୋଗ ବୋଇଲେ ସେ ନିଜର ଋତୁସ୍ରାବ ଓ କାଁ ଭାଁ ଥଣ୍ଡା ଜ୍ଵରକୁ ହିଁ ଜାଣିଥିଲା । ହଠାତ୍ ଏ ଭଳି ଦୃଶ୍ୟ ଦେଖି ସେ ଅନ୍ୟ ଏକ ଦୁନିଆରେ ଯେପରି ନିଜକୁ ଆବିଷ୍କୃତ କରିଥିଲା ।
ଧିରେ ଧିରେ ସ୍କୁଲର କେୟାରଟେକରଙ୍କ ସହ ପ୍ରତି ପିଲା ପାଖକୁ ଯାଇ ସେମାନଙ୍କ ବିଷୟରେ ବୁଝିଲା।
କେୟାରଟେକର ସୁଜାତା ମ୍ୟାଡାମ୍ ବୁଝାଉଥା’ନ୍ତି — ” ଏ ଛୁଆଟିକୁ ଡ଼ଷ୍ଟବିନରୁ ପାଇଥିଲୁ । କୁକୁରମାନେ ତା’ ମୁଣ୍ଡରୁ ଫାଳେ ଝୁଣି ଖାଇ ଦେଇଥିଲେ ତଥାପି ବଞ୍ଚିଛି ।”
ଅନନ୍ୟା ପଚାରୁଥାଏ — ” ଏ ଛୁଆକୁ ବାନ୍ଧିଛନ୍ତି କାହିଁକି ଚେୟାରରେ ? ଉତ୍ତର ଥିଲା — ” ଏ ଝିଅ ଖାଇ ସରିବା ପରେ ବାନ୍ତି କରିଦିଏ । ଆଉ ତା ପରେ ସେ ବାନ୍ତିକୁ ଉଠେଇ ନିଜେ ଖାଇ ଦିଏ ।
ଅନନ୍ୟା ପେଟରୁ ଆଉ ଥରେ ବାନ୍ତି ଉଠେଇଲା , ହେଲେ ନିଜକୁ ସମ୍ଭାଳି ନେଲା ।
ମ୍ୟାଡାମ୍ ଚିହ୍ନାଉଛନ୍ତି — ” ଏ ଛୁଆ ଯେତେବେଳେ ଝାଡ଼ା କରିବ କେତେବେଳେ ପରିସ୍ରା , କିଛି ବୁଝା ପଡେନି। ଆମେ ସଫା କରି କରି ନୟାନ୍ତ । ତେଣୁ ତଳେ ଶୋଇବାକୁ ପଡୁଛି I ଆମର ସମ୍ବଳ ଓ ଲୋକବଳ ବି ସୀମିତ I”
” ଏ ଛୁଆର ସବୁବେଳେ ଫିଟସ ମାରୁଥାଏ, ତେଣୁ ତାକୁ ଖଟରେ ନ ଶୁଆଇ, ତଳେ ଶୁଆ ହେଇଚି, ନ ହେଲେ ମୁଣ୍ଡ ଆଦି ମାଡ ହୋଇଯିବ ।
” ଏ ଛୁଆର ହାତ, ଗୋଡ଼ ଖୋଲି ଦେଲେ କାହାକୁ ବାଡେଇବ, କାହାକୁ କାମୁଡ଼ିବ କିଛି କହି ହେବ ନାହିଁ ।”
ଏ ଭିତରେ ସୌମ୍ୟା ତା’ ଭାଇକୁ ପାର୍କରେ ଛାଡି ଫେରି ଆସିଲା ଓ ସାଙ୍ଗ ହୋଇ ଦୁହେଁ ଘରକୁ ଫେରିଲେ । ଆଖି କୋଣରୁ ଲକ୍ଷ କଲା ସୌମ୍ୟା — ଅନନ୍ୟା ଆଖିରୁ ଦୁଇ ଧାର ଲୁହ ଗଡି ଆସିଛି । ଦୃଷ୍ଟି କିନ୍ତୁ ତାର ନିବଦ୍ଧ ଥାଏ , ଯେପରି କେଉଁ ଅନ୍ତରୀକ୍ଷରେ । ” ବରଫ ତେବେ ତରଳୁଛି — ଭାବିଲା ସୌମ୍ୟା ।
ଘରେ ଲାଇଟ୍ ଲିଭେଇଲା ବେଳକୁ କ୍ୟାଲେଣ୍ଡର ରେ ୧୯ ତାରିଖ ପାଇଁ ଛକି ବସି ସାରିଥିଲା । ପୁଣି ସୌମ୍ୟ ଭୟରେ ଶିହିରି ଉଠିଲା ।
ରାତିରେ ୨-୩ ଥର ଉଠି ପାଖରେ ଅନନ୍ୟାକୁ ଲକ୍ଷ୍ୟ କଲା — ” ନା ସବୁ ଠିକ୍ ଅଛି , ବରଂ ଆଜି ଭଲରେ ଶୋଇଛି ।”
୨୦ ତାରିଖ — ସୌମ୍ୟା ପୂର୍ବରୁ ଅନନ୍ୟା ପ୍ରସ୍ତୁତ ହୋଇ ଅପେକ୍ଷା କରି ବସିଥାଏ । ପୁଣି ସେଲ ସ୍କୁଲ । ଉଭୟେ ଏକା ସଙ୍ଗେ ଦ୍ୱିତୀୟ ମହଲାକୁ ଚଢିଲେ । କେଉଁଠୁ କେଜାଣି ଗୋଟିଏ ପିଲା ଆସି ପଛଆଡୁ ଅନନ୍ୟାକୁ କୁଣ୍ଢାଇ ଧରିଲା । ତାକୁ ଖୁବ୍ ସ୍ନେହରେ ଅନନ୍ୟା ଦେଖିବାକୁ ଲାଗିଲା । ହଠାତ୍ ପିଲାଟି ତା’ ହାତ ନେଇ ଚାଟିବାକୁ ଆରମ୍ଭ କଲା l ଡରିଯାଇ ଅନନ୍ୟା ହାତ ପଛକୁ ହଟାଇନେଲା ।
ପଛ ଆଡ଼ୁ ସୁଜାତା ମ୍ୟାଡାମ୍ ହସି ହସି କହିଲେ ” ତା’ brain development ଟା ପଶୁ ସ୍ତରରେ ରହି ଯାଇଛି | ସେ କୁକୁର ପରି ଚାଟିକି ଆପଣଙ୍କୁ ଚିହ୍ନୁଛି | ତା ନାଁ କୁନା |ଆଶ୍ଚର୍ଯ୍ୟ ହେଉଥିଏ ଅନନ୍ୟା ସେଠିକାର ସମସ୍ତ କାର୍ଯ୍ୟରତ କର୍ମଚାରୀମାନଙ୍କର ନିଷ୍ଠା ଓ କର୍ତ୍ତବ୍ୟପରାୟଣତା ଦେଖି | ଆଜି ଘରୁ କିଛି ବିସ୍କୁଟ୍ ଓ ଫଳ ଧରି ଆସିଥିଲା | ଘରେ ଅନୁଭବ କଲା ସେ ବହୁତ କମ୍ ଆଣିଛି | କାଲିକି ସମସ୍ତଙ୍କ ପାଇଁ ଧରିକି ଆସିବ |
ଅନନ୍ୟା ମନଧ୍ୟାନ ଦେଇ mental retardation, cerebral palsy, seizure ଆଦି ଶବ୍ଦ ଖୋଜୁଥାଏ ଇଣ୍ଟରନେଟରୁ |ସୌମ୍ୟା ଆଗୁଆ ଶୋଇ ପଡିଲା | ସୌମ୍ୟାର ଆଖି ଖୋଲିଲା ବେଳକୁ ଅନନ୍ୟା ଗଧୋଇ ପାଧୋଇ ପ୍ରସ୍ତୁତ | ସ୍କୁଲକୁ ଯିବା ପୂର୍ବରୁ ଗୋଟିଏ ମଲକୁ ଯାଇ ବିସ୍କୁଟ, ଫଳ, ଫିନାଇଲ, ଡିଟରଜେଣ୍ଟ ଆଦି କିଣି ଗାଡିରେ ଭର୍ତ୍ତି କଲେ । ପରେ ସ୍କୁଲରେ ସବୁ ଦେଇ ଆସିଲେ | ଅନନ୍ୟା ସୁଜାତା ମ୍ୟାଡାମ ଓ ଅନ୍ୟାନ୍ୟ କାଉନସେଲର ଆଦିଙ୍କ ସହି ବିଭିନ୍ନ ପ୍ରକାର ଆଲୋଚନା କରିଥାଏ |ସୌମ୍ୟା ଆଶ୍ୱସ୍ତ ହେଲା; ଅନନ୍ୟାକୁ ଜୀବନର ଦିଶା ମିଳି ଯାଇଛି |
ଘରକୁ ଫେରି ସୌମ୍ୟା ଦେଖିଲା, ଅନନ୍ୟା ଅନେକ ରାତି ପର୍ଯ୍ୟନ୍ତ ନିଜ ଲାପଟପରେ କାମ କରିଚାଲିଛି |
୨୨ ତାରିଖ- ସକାଳୁ କ୍ୟାଲେଣ୍ଡର ପାଖକୁ ଯାଇ ସୌମ୍ୟା ଦେଖିଲା ପୁଣି ୨୧ ଉପରେ ଛକି ପଡିଛି | ଓଃ ! ଏ ପାଗଳ ଝିଅଟାର କଣ କରିବ? ଉଭୟ ସ୍କୁଲରେ ପହଁଚିଲେ ଆଜି କିଛି ଘର ପୋଛା ବାଡ଼ି ଆଦି ନେଇ ଦେଇ ଆସିଲେ | କିଛି ଫଳ ମଧ୍ୟ | ସୁଜାତା ମାଡାମଙ୍କୁ ଜଣେଇଲା ଅନନ୍ୟା – ସଂସ୍ଥା ପାଇଁ ବହୁତ ବଡ grant ଆସିବ । ମୁଁ ଚେଷ୍ଟା ଚଲେଇଛି ।
ରାତିରେ ପୁଣି ଛକି ୨୨ ତାରିଖ ଉପରେ । ଅନନ୍ୟା ବ୍ୟସ୍ତ ହୋଇ ଲାପଟପରେ କାମ କରୁଥାଏ । ମଝି ମଝିରେ international call ରେ କଥା ହେଉଥାଏ ।
ସୌମ୍ୟାକୁ ବୁଝିବାରେ ଅସୁବିଧା ରହିଲା ନାହିଁ । ଅନନ୍ୟା ମାସେ ଭିତରେ କିଛି କାମ କରିଦେଲା ପରେ ମାସର ଅନ୍ତିମ ଦିନରେ ଆତ୍ମହତ୍ୟା କରିବା ଯୋଜନା କରୁନି ତ ?
” Oh……..my……… God ” ସେଥି ପାଇଁ ଏତେ ସମୟ ଧରି କାମ କରୁଛି ଆଉ ସବୁ କାମକୁ ମୁଣ୍ଡି ମାରିବାକୁ ଚେଷ୍ଟା କରୁଛି । ଅଥଚ ମନ ଭିତରେ କେଉଁଠି କେଉଁ ନିଭୃତ କୋଣରେ ନିଜ ଦୁଃଖକୁ ଯେମିତି ଜଉମୁଦ ଦେଇ ଦେଇଚି !
କ୍ୟାଲେଣ୍ଡର କଥା ଅନେକ ଥର ପଚାରିବ ଭାବି ଚୁପ୍ ରହି ଯାଉଛି ସୌମ୍ୟା । ଅନ୍ତତଃ ଅନନ୍ୟାର ଗତିବିଧି ବିଷୟରେ ତ ଜଣା ପଡ଼ୁଛି ।
ଏ ଭିତରେ ଅନନ୍ୟା ବାପା ମା’ କୁ ବାରମ୍ବାର call କରି ଆଗୁଆ ଫେରି ଆସିବା ପାଇଁ ଅନୁରୋଧ କରିଛି । କାରଣ ପଚାରିଲେ କହିଛି — ” ଅନନ୍ୟା ଆପଣ ମାନଙ୍କୁ ଖୁବ୍ miss କରୁଛି ।
୨୪ ତାରିଖ — ଅନନ୍ୟା ଭିନ୍ନ ଭିନ୍ନ website ଯାଇ OLS ସ୍କୁଲ୍ ପାଇଁ କେମିତି fund raise କରିବ ସେ ବିଷୟରେ ତଥ୍ୟ ଯୋଗାଡ କରିଛି ।
‘ତତ୍ତ୍ୱ’ ନାମକ NGO ର founder ସିଦ୍ଧାନ୍ତ ସାଙ୍ଗରେ ପରିଚୟ ହୋଇଛି I ସିଦ୍ଧାନ୍ତ IIT ରୁ ଇଞ୍ଜିନିୟରିଂ ପାସ୍ କରି ଆମେରିକାରେ ୧୦ ବର୍ଷ ଚାକିରି କରି ଫେରିଛି । ସେମାନେ ମିଳିମିଶି ଏକ ଚ୍ୟାରିଟି ଶୋ କରିବାକୁ ସ୍ଥିର କରିଛନ୍ତି I
ଅନନ୍ୟା ସ୍କୁଲର ହିଁ କିଛି trainable ଛୁଆଙ୍କୁ ନେଇ ଏକ fashion ସୋ ତଥା କିଛି ମନୋରଞ୍ଜନ ଧର୍ମି କାର୍ଯ୍ୟକର୍ମ ସ୍ତିର କରିଛି ଓ ସେଥିପାଇଁ ଜୋର୍ ସୋର୍ ରେ ଲାଗି ପଡ଼ିଛି ।
ସୌମ୍ୟା ସବୁ କାମରେ ସାହାଯ୍ୟ କରିବା ସଂଗେ ସଂଗେ ଅନନ୍ୟା ଉପରେ କଡା ନଜର ରଖିଥାଏ | ଅନନ୍ୟାର ଲାପଟପରେ incognito window ରୁ କିଛି ଆତ୍ମହତ୍ୟା କରିବାର ସାଧନ ବିଷୟରେ google search ହେଇଥିବାର ଦେଖିଲା |
୩୦ ତାରିଖ – ଅନନ୍ୟାର ବାପା ମା’ ୧୨ ତାରିଖ ଫେରି ଆସୁଛନ୍ତି ବୋଲି ଜଣେଇଲେ | ସମସ୍ତେ ମିଶି ସ୍ଥିର କଲେ ଅନନ୍ୟାକୁ କିଛି ଜଣେଇବେ ନାହିଁ ବୋଲି ଓ ତାକୁ ସରପ୍ରାଇଜ ଦେବେ |
ମନେ ମନେ ହିସାବ କଲା ସୌମ୍ୟା-୧୪ ତାରିଖରେ ମାସେ ପୁରିବ | ୧୩ ତାରିଖ ଅନନ୍ୟା ଓ ସିଦ୍ଧାନ୍ତ ଚ୍ୟାରିଟି ଶୋ ରଖିଛନ୍ତି | ୧୨ ତାରିଖ ମଉସା ମାଉସୀ ସେଠୁ ବାହାରିବେ, ମାନେ ୧୩ ରେ ଏଠି ପହଂଚିବେ | ସିଧା ଚ୍ୟାରିଟି ଶୋରେ ଉଭୟ ପକ୍ଷଙ୍କୁ ଭେଟ କରେଇ ମୋ ଦାୟିତ୍ୱ ସାରିବି | ଆଉ ସବୁ କଥା ମଉସା,ମାଉସୀଙ୍କୁ ବୁଝେଇବି | ଏବେ କହିଲେ ସେମାନେ ଆସି ପାରିବେନି କି ସେଠି ଶାନ୍ତିରେ ରହି ପାରିବେନି | କେଜାଣି ଏ ସବୁ ବିଷୟରେ ଯଦି ଅନନ୍ୟାକୁ କିଛି ମାଲୁମ ହେଇଯାଏ, ତେବେ ହୁଏତ ମାସେ ପୂରିବା ଆଗରୁ କିଛି କରିପକେଇବ ପରା ! ଓଃ !…. ଆଗକୁ କିଛି ଭାବି ପାରିଲାନି |
ପ୍ରତିଦିନ ରାତିରେ କ୍ୟାଲେଣ୍ଡରରେ ଛକି ଦେଖି ସୌମ୍ୟାର ହୃତକମ୍ପନ ଏପଟ ସେପଟ ହୋଇ ଯାଉଥାଏ |
୩ ତାରିଖ – ହଠାତ ସ୍କୁଲରୁ ଖବର ପାଇ ଦୁଇ ସାଙ୍ଗ ଦୌଡିଲେ କ୍ୟାପିଟାଲ ହସ୍ପିଟାଲ | ଅନନ୍ୟା ବାଟ ସାରା ଖାଲି ବ୍ୟସ୍ତ ହୋଇ ଉଠୁଥାଏ | ଏ ଭିତରେ ତାର କୁନା ସହ ଅନେକଟା ଭାବ ବଢ଼ିଯାଥାଏ | ଆଜି କୁନାକୁ ଆଉ ଗୋଟିଏ ପିଲା ପେଲି ଦେବାରୁ ପଡିଯାଇ କୁନାର ମୁଣ୍ଡ ଫାଟିଯାଇଥାଏ | ସେମାନଙ୍କ ଆଗରୁ ସିଦ୍ଧାନ୍ତ ପହଂଚି ସାରିଥାଏ | ଡାକ୍ତରଙ୍କଠୁ ବାରମ୍ବାର ପଚାରି ବୁଝିଲେ ଯେ କ୍ଷତ ବେଶୀ ଗଭୀର ନୁହେଁ , ଅଳ୍ପ ଦିନରେ ଭଲ ହେଇଯିବ |
ଏତେ ଦିନ ପରେ ଅନନ୍ୟା ଆଖିରୁ ଧାର ଧାର ଲୁହ ଗାଡି ଆସୁଥାଏ | ଆଶ୍ଚର୍ଯ୍ୟ ! ତା’ ଦେଖି ସୌମ୍ୟା ଆଶ୍ୱସ୍ତ ହେଉଥାଏ |
“ଯାଉ …ବୋହି ଯାଉ …ଆଜି ଉତ୍ତପ୍ତ ଲାଭା ତରଳି ବାହାରି ଯାଉ I”
ସିଦ୍ଧାନ୍ତ ଅନନ୍ୟାକୁ ହାତରେ ବଢ଼େଇ ନେଇ ବାହାରକୁ ନେଇ ଆସିଲା | ପରେ ସ୍ଥିର ହେଲା ଯେ, ସେମାନେ ଦୁହେଁ ରାତିରେ କୁନାକୁ ଜଗିବେ ଓ ସକାଳୁ ତାକୁ discharge କରେଇକି ତାକୁ ସ୍କୁଲରେ ଛାଡି ଆସିବେ | ସୌମ୍ୟା ତା’ ନିଜ ଘରକୁ ଫେରିଲା ସେ ରାତିରେ |
ପରବର୍ତ୍ତୀ ଦିନ ଗୁଡିକରେ ଅନନ୍ୟା, ସୌମ୍ୟା, ସିଦ୍ଧାନ୍ତ ଚ୍ୟାରିଟି ଶୋ ପାଇଁ ବ୍ୟସ୍ତ ରହିଲେ | ଘରକୁ ଫେରି ହଠାତ ଦିନେ ସୌମ୍ୟା ଦେଖିଲା ଯେ ଆଉ ଛକି ପଡୁନି କ୍ୟାଲେଣ୍ଡରରେ | ମାତ୍ରାଧିକ ବ୍ୟସ୍ତତା ଯୋଗୁ ଅନନ୍ୟା ଭୁଲି ଯାଇନି ତ! “ଯାଉ ଭୁଲି ଯାଉ ସବୁ ”
୧୦ ତାରିଖ – ସକାଳୁ ଖବର ଆସିଲା ମୀନା ବୋଲି ଝିଅଟି ଯିଏ ପ୍ରାୟ କୋମାରେ ପଡିଥିଲା, ଚାଲିଗଲା | ଅନନ୍ୟା ପ୍ରଥମ ଥର ପାଇଁ ଏକ ମୃତ୍ୟୁ ଦେଖିଲା | ଏ ଭିତରେ ସେ ସ୍କୁଲ୍ ପାଇଁ ଅନେକ ଫଣ୍ଡ ଜୁଟେଇ ସାରିଥାଏ ଓ ସମସ୍ତଙ୍କ ସହ ମିଶିଯାଇଥାଏ | ପୁଣି ଥରେ ସୌମ୍ୟା ଅନନ୍ୟା ଆଖିରେ ଲୁହ ଦେଖିଲା |
୧୨ ତାରିଖ – ଅନନ୍ୟାର ବାପା ମା’ ସ୍ୱିଡ଼େନ ମାଟି ଛାଡିଲେ; ସୌମ୍ୟାର ଛାତି ଧଡ଼ ଧଡ଼ କରୁଥାଏ |
୧୩ ତାରିଖ – ଚ୍ୟାରିଟି ଶୋରେ ସମସ୍ତେ ବ୍ୟସ୍ତ | ସୌମ୍ୟାର ନଜର ହ୍ଵାଟ୍ସଆପ (WhatsApp) ଉପରେ ମଉସା ମାଉସୀଙ୍କୁ ସିଧା ଅଡିଟୋରିଅମରେ ପହଂଚିବାକୁ ନିର୍ଦ୍ଦେଶ ଦେଇଥାଏ |
ବଡ ବଡ ତାରକାଙ୍କର ଶୋ ସରିଲାବେଳକୁ ପ୍ରାୟ ରାତି ୧୦ଟା |ଧନ୍ୟବାଦ ଅର୍ପଣ କରିବାକୁ ସିଦ୍ଧାନ୍ତ ମାଇକି ଧରି ସମସ୍ତଙ୍କୁ ଚମକେଇଲା ପରି ଏକ ଘୋଷଣା କଲା | କହିଲା –“ଆପଣମାନଙ୍କ ପାଇଁ ମୋର ଗୋଟେ surprise ଅଛି |”
ହଠାତ ଅନନ୍ୟା ଆଗରେ ଆଣ୍ଠେଇ ପଡି ଅନନ୍ୟାକୁ ପଚାରିଲା, “Will you marry me ?”
ଅନନ୍ୟା ଆଖିରୁ ଲୁହ ଝରି ଚାଲିଥାଏ | ଏପଟେ ଲାଜରେ ଆଖିପତା ଉଠେଇ ମଧ୍ୟ ପାରୁ ନ ଥାଏ |
ସିଦ୍ଧାନ୍ତ ମାଇକ ତା ମୁହଁ ଆଗରେ ଦେଖେଇଲାରୁ କହିଲା “ଧେତ ଏ ଗୁଡା ବାପା ମା’ କହିବେ ନା ମୁଁ କହିବି ?” ତଥାପି ସମ୍ମତିରେ ମୁଣ୍ଡ ହଲେଇଦେଲା |
ଏଥର ସୌମ୍ୟା ମାଇକ ଧରି କହିଲା- “ଏଥର ମୋର ବି ଗୋଟେ surprise ଅଛି | ଏଇ ….ସେଇ ଦେଖ…..”
ଦର୍ଶକ ଗ୍ୟାଲେରୀ ଆଡକୁ ହାତ ଠାରି ଦେଖେଇଲା | ଅନନ୍ୟାର ବାପା ମା’ ଧୀରେ ଧୀରେ ଚାଲି ଆସି ଷ୍ଟେଜ ପାଖରେ ଥାଇ ହାତ ହଲେଇଲେ |
ଏଥର ସବୁଠୁ ବଡ ସପ୍ରାଇଜ ଦେବାର ପାଳି ଥିଲା ଅନନ୍ୟାର |
ଆଖିରୁ ଲୁହ ପୋଛି ମାଇକ ଧରିଲା |
ସମସ୍ତଙ୍କୁ ସମ୍ଭାଷଣପୂର୍ବକ ଆରମ୍ଭ କଲା- “ଦୟାକରି କଥାକୁ ପୂରା ଶୁଣିବା ଆଗରୁ ମୋ ବିଷୟରେ କୌଣସି ଧାରଣା ପୋଷଣ କରିବେ ନାହିଁ |
ଆଜି ଠିକ ରାତି ବାରଟାରେ ମୁଁ ଆତ୍ମହତ୍ୟା କରିବାର ସମସ୍ତ ଯୋଜନା ସ୍ଥିର କରି ରଖିଥିଲି । ”
ହଠାତ ପୁରା ହଲ ସ୍ତବ୍ଧ, ନିଃଶ୍ଚୁପ ହୋଇଗଲା |
ଅନନ୍ୟା ଆରମ୍ଭ କଲା — “ଆଜିକୁ ଠିକ ମାସେ ତଳେ ମୋ ବାଗଦତ୍ତ ମୋ ସହ ସଂପର୍କ ଛିନ୍ନ କରିଥିଲେ । ସମ୍ବିତ, ଭାବୁଚି , ଏ ପ୍ରୋଗ୍ରାମ ୟୁଟ୍ୟୁବ ଲାଇଭରେ କେଉଁଠି ବସି ଦେଖୁଥିଵ । ମୁଁ ପରୀକ୍ଷା କରି ଦେଖୁଥିଲି , ମୋ ଭାବୀ ସ୍ୱାମୀ ମୋତେ କିପରି ସାଥି ଦେବେ ଭବିଷ୍ୟତରେ । ଧନ୍ୟବାଦ୍ ସମ୍ବିତ , ତୁମେ ପ୍ରଥମ ପରୀକ୍ଷାରେ ହିଁ ଫେଲ ହେଇଗଲ । ମୋ ଲିଭୋକେମିଆ ରିପୋର୍ଟ ଟା fake (ମିଛ) ଥିଲା।
କିନ୍ତୁ ସମ୍ବିତ ସଂପର୍କ ଛିନ୍ନ କରିବା ପରେ ମୁଁ ହଠାତ୍ ଯେମିତି ଆକାଶରୁ ଖସି ପଡ଼ିଲି । ଏତେ ବେଗରେ ଖସିଲି , ପୃଥିବୀରେ ପହଞ୍ଚି ଯେମିତି ପାତାଳ ଭିତରକୁ ପଶି ଚାଲିଲି । ସେଠି ମୁଁ ପୁରା ଏକା ଆଉ ଭୟଙ୍କର ଅନ୍ଧକାରରେ ଥାଏ । ମୁଁ ଚାହିଁ କି ବି ଆଲୋକ ଆଡ଼କୁ ଆସି ପାରୁ ନ ଥାଏ । ସେତେବେଳର ମନୋଦଶା କେତେ ଭୟଙ୍କର ଥିଲା , ବର୍ଣ୍ଣନା କରି ପାରିବିନି ।
” ସୌମ୍ୟା ଡିଅର, ତୁ ମୋ ପିଛା ଛାଇ ଭଳି ଲାଗିଥିଲୁ, ମୁଁ ତୋତେ ଏତେ ହେୟଜ୍ଞାନ କରିଛି ସେତେବେଳେ — ବିଶ୍ୱାସ କର ମୁଁ ଚାହିଁକି ବି ସେ ପାତାଳରୁ ଆସି ପାରୁ ନ ଥାଏ।”
“ବାବା, ମା’! ତୁମେ ମୋତେ ଏମିତି ପରୀରାଇଜରେ ସଜେଇ ରଖିଥିଲ ଯେ , ବାହାର ଦୁନିଆ ପ୍ରତି ମୁଁ ସମ୍ପୂର୍ଣ୍ଣ ଅନଭିଜ୍ଞ ଥିଲି । You are the best parents in the world କିନ୍ତୁ ରାଜକୁମାର ସିଦ୍ଧାର୍ଥ ରୁ ଗୌତମ ବୁଦ୍ଧ ପରି ଏ ଯାତ୍ରା ଥିଲା ମୋ ପାଇଁ — ଏଇ ଶେଷ ମାସ ।“
“ନା ମୁଁ କେବେ ଦୁଃଖ କଣ ଜାଣିଥିଲି, ନା ବିଫଳତା, ନା ଦାରିଦ୍ର୍ୟ, ନା ରୋଗ, ନା ମୃତ୍ୟୁ! ତୁମେମାନେ ସବୁ ଜାଣିଥିଲ ବୋଲି ମୋତେ ଏ ସବୁରୁ ଦୂରେଇ ରଖି ଗୋଟେ ପରୀ ରାଇଜର ପରୀ ଭଳି ସଜେଇ ରଖିଥିଲ |”
“ସମ୍ବିତର ପ୍ରତ୍ୟାଖାନ ମୋତେ ବହୁତ କଷ୍ଟ ଦେଇଥିଲା କାରଣ ତାକୁ ନେଇ ମୁଁ ମୋ ଭବିଷ୍ୟତର ପୁରା ସଂସାର ଗଢି ସାରିଥିଲି | ସେ ସମ୍ପର୍କ ତୁଟେଇବା ପରେ ମୋ ମୁଣ୍ଡରେ କେବଳ ଗୋଟିଏ କଥା ପ୍ରତିଧ୍ୱନିତ ହେଉଥାଏ – ମୋର ଆଉ ମାସେ ବାକି, ମୋର ଏଇଟା ଶେଷ ମାସ | ସମ୍ବିତକୁ ଖାଲି ଗୋଟିଏ ଅନୁରୋଧ କରିଥିଲି , ସେ ତୁମେ ମାନେ ଭାରତ ଫେରିଲା ପରେ ଏ କଥା ଜଣେଇବ | ସେତେବେଳକୁ ମୁଁ ବହୁତ ଦୂରକୁ ଯାଇସାରିଥିବି ସମସ୍ତଙ୍କଠାରୁ | କାଳେ ମୋ ମନ ପରିବର୍ତନ ହୋଇଯିବ ବୋଲି ତୁମ ମାନଙ୍କ ସାଙ୍ଗେ ବି ବେଶି କଥା ହେଉ ନ ଥିଲି | ”
ଅନନ୍ୟାର ବାପା ମା’ ଆଖି ପୋଛିଲେ |
ଅନନ୍ୟା ପୁଣି ଆରମ୍ଭ କଲା – “ମୋତେ ଡର ଥିଲା ସୌମ୍ୟାକୁ | କାଳେ ସେ ମୋ ମନ ବଦଳେଇଦବ | ଆଉ ସେ ସେଥିରେ ସଫଳ ହୋଇଥିଲା ମଧ୍ୟ |”
ଅନନ୍ୟା ସୌମ୍ୟାକୁ କୁଣ୍ଢେଇ ଧରିଲା | ଉଭୟେ ଆଖି ପୋଛୁଥାନ୍ତି |
ଅନନ୍ୟା ଜାରି ରଖିଲା – ” ଏ ସ୍କୁଲରେ ଆସି ଜୀବନର ଅନେକ ରଙ୍ଗର ଝଲକ ଦେଖିଲି | ଦେଖିଲି ରୋଗ , ଦେଖିଲି ଦୁଃଖ , ଅସହାୟତା , ଅଭାବ, ତ୍ୟାଗ , ପ୍ରେମ, ଅନାବିଳ ସ୍ନେହ, କିଛି ଆଶା ନ ରଖି ସେବା | ୧୫ ଦିନ ଭିତରେ ମୋର ମନର ଅନ୍ଧକାର ଛଟି ଚାଲିଥଏ | ପ୍ରଥମ କିଛି ଦିନ ମୋ ଜିଦ୍ଦିରେ ଅଟଳ ଥିଲି | ଭାବିଥିଲି ଅନେକ କିଛି କରିଦେଇ ଆଜି ମଧ୍ୟରାତ୍ରିରେ ସମସ୍ତଙ୍କୁ ଛାଡି ଚାଲିଯିବି |”
“ସିଦ୍ଧାନ୍ତଙ୍କ ସହ ପରିଚୟ ହେବା ପରଠୁ ଜୀବନ ଅପୂର୍ଣ୍ଣରୁ ପୂର୍ଣ୍ଣତା ଆଡକୁ ଗତି କଲା |ଡିପ୍ରେସନ (Depression) ବିଷୟରେ କିଛି କିଛି ଶୁଣିଥିଲି କିନ୍ତୁ ଏଇ ଶେଷ ମାସରେ ଭୋଗିଛି | ସବୁ ଥାଇ କିଛି ନଥିବାର ଯେଉଁ ଭାବନା …… ଓଃ!”
“ନିଶ୍ଚୟ ଦୈବୀ କୃପା ଥିଲା , ଯେଉଁଥିପାଇଁ ମୁଁ ଠିକ ସମୟରେ ଏ ସ୍କୁଲ ସହ ଯୋଡି ହୋଇଗଲି | ମୋର କିଛି ଆଶା ନ ଥିଲା, କିଛି ଆକାଙ୍କ୍ଷା ନ ଥିଲା | ମୃତ୍ୟୁ ସହ ଦିନର ୨୪ ଘଣ୍ଟା ମୁଁ ପୁରା ମାସ କାଟିଛି | ସିଦ୍ଧାନ୍ତଙ୍କର କାର୍ଯ୍ୟଶୈଳୀ, ତାଙ୍କ ଜୀବନର ଏ ଲକ୍ଷ୍ୟ ସବୁ ଦେଖି ମୋତେ ଲାଗିଲା , ଏ ଯାଏଁ ଯାହା କରିଛି , ତାହା କିଛି ନୁହେଁ | ଆହୁରି କେତେ କଣ କରିବାକୁ ବାକୀ ଅଛି |

”ସମସ୍ତେ ମରନ୍ତି ଥରେ ହିଁ | ତେବେ ମୁଁ ମୃତ୍ୟୁର ପ୍ରାକପ୍ରସ୍ତୁତିରେ ଏତେ ଥର ମରଣକୁ ଭୋଗିଛି ଯେ, ଶେଷକୁ ମନେ ହେଲା, ମୃତ୍ୟୁ ତ ଅବଶ୍ୟାମ୍ଭାବୀ | ମୁଁ ଅଛି, ତ ଦୁନିଆ ଅଛି | ଥିବାଯାଏଁ କଣ କଲି , ସେତିକ ହିଁ ମୋର ପରିଚିତି | ଏ ଜୀବନ ଭୋଗର ନୁହେଁ ତ୍ୟାଗର | ଯଦି ଏଇ ଛୋଟିଆ ଜୀବନଟା କାହାର କିଛି କାମରେ ଆସି ପାରିବ ତ ଆସୁ | ମୁଁ ତ ମାଗିକି ଏଇ ଦୁନିଆକୁ ଆସି ନ ଥିଲି , ତେବେ ଯିବାପାଇଁ କାହିଁକି ଉଚ୍ଛନ୍ନ ହେଉଛି |”

“ଯେଉଁଟାକୁ ମୋ ଜୀବନର ବଡ ବିଫଳତା ବୋଲି ଭାବୁଥିଲି ଓ ମୋ ଦୁଃଖ ଦୁନିଆର ସବୁଠୁ ବଡ ଦୁଃଖ ବୋଲି ଜାଣୁଥିଲି, ପ୍ରକୃତ ଦୁନିଆ ଦେଖିଲା ପରେ ଜାଣିଲି ଯେ, ମୋ ଦୁଃଖ ଏତେ ଛୋଟ ଯେ, ଅନ୍ୟମାନଙ୍କ ଦୁଃଖ ଆଗରେ କିଛି ନୁହେଁ | ସୌମ୍ୟାର ଭାଇକୁ ଦେଖିଲି, ଦେଖିଲି ଏଠି ପ୍ରତ୍ୟକଟି ଛୁଆଙ୍କୁ, ସିଦ୍ଧାନ୍ତଙ୍କୁ ଜାଣିଲି , ଯିଏ ପିଲାଟି ଦିନରୁ ନିଜ ବାପା ମା’ଙ୍କୁ ହରେଇଛନ୍ତି; ତଥାପି ସମସ୍ତେ ହସୁଛନ୍ତି | ନିଜକୁ ଦୁନିଆର ସବୁଠୁ ବଡ ବୋକା ବୋଲି ଜାଣିଲି |”

“ବାବା, ମା’, ଯେଉଁ ଅନନ୍ୟାକୁ ଛାଡି ଯାଇଥିଲ, ସେ ମରି ଯାଇଛି | ତୁମେ ଆଉ ଏକ ଅନନ୍ୟାକୁ ଦେଖୁଛ ତୁମ ସାମ୍ନାରେ | ମତେ ଗ୍ରହଣ କରିବ ତ!” ହସି ହସି ପଚାରୁଥାଏ | ଏଇ ଶେଷ ମାସ ମୋତେ ସମ୍ପୂର୍ଣ୍ଣ ନୂଆ କରି ଗଢି ତୋଳିଛି |
ଦର୍ଶକ ମଣ୍ଡଳୀ ଠିଆ ହୋଇ ୫ ମିନିଟ ଯାଏଁ କରତାଳିରେ ପୋତି ପକେଇଲେ |

ଆଜିର ଯୁବପିଢ଼ି ନିଜ ସ୍ୱାର୍ଥରେ ଏତେ ମତ୍ତ ଯେ, ସାମାନ୍ୟତମ ଦୁଃଖରେ ଭାଙ୍ଗି ପଡୁଛନ୍ତି , ଟିକିଏ ଅଭାବ ଅନାଟନ ବରଦାସ୍ତ କରୁ ନାହାନ୍ତି | କାହାକୁ କିଛି ଦାନ କରିବାକୁ କହିଲେ, ନିଜ ଅଭାବୀପଣ ଦେଖାଉଛନ୍ତି I ନିଜର ଏକ କାଚଘର ଭିତରେ ଏତେ ସ୍ୱାର୍ଥପର ଜୀବନ ବଂଚି ସାମାନ୍ୟତମ କଷ୍ଟ ବା ଦୁଃଖରେ ପଥହରା ହୋଇ ନିଶାସକ୍ତ ହୋଇ ପଡୁଛନ୍ତି, ନଚେତ ଆତ୍ମହତ୍ୟାକୁ ଆପଣେଇ ନେଉଛନ୍ତି I ଆଶା, ଏ କାହାଣୀ ଅଭିଭାବକ ଓ ଯୁବାପୀଢ଼ି ପାଇଁ ଦିଗବାରେଣୀ ହେବ I
= ଶୁଭମସ୍ତୁ=

Leave a Reply

Your email address will not be published. Required fields are marked *