କୋଡ଼ିଏ ବର୍ଷ ବ୍ୟବଧାନରେ ସମାଜରେ ନାରୀର ସ୍ଥିତି ଉପରେ ଏକ ସମୀକ୍ଷା

ବିଶ୍ୱ କବିତା ଦିବସ ଉପଲକ୍ଷେ
June 21, 2022
ଆଉ ଏକ ଆତ୍ମାହୁତି
June 21, 2022

ଡଃ ବିୟତପ୍ରଜ୍ଞା ଆଚାର୍ଯ୍ୟ
ପ୍ରଫେସର, ବାୟୋକେମିଷ୍ଟ୍ରି

ଆଜି ପଛକୁ ବୁଲି ୨໐ବର୍ଷ ତଳର ଏ ମେଡିକାଲ କଲେଜ ପତ୍ରିକାରେ ନିଜ ଆଲେଖ୍ୟ ଦେଖି ଧାରେ ହସ ଚହଟି ଆସିଲା I କହିଥିଲି ତ, ସାହିତ୍ୟକାରମାନେ ସାହିତ୍ୟ ନୁହେଁ, ଇତିହାସ ରଚନ୍ତି I ଇଏ ସାହିତ୍ୟ କମ, ଇତିହାସ ବେଶୀ I ସେତେବେଳର ସମାଜରେ ନାରୀ ମାନଙ୍କ ଉତ୍ଥାନ, ସଂଘର୍ଷ ବିଷୟରେ ଏ ଲେଖା ବେଶୀ କହେ I ଦମକାଏ ଅବଶୋଷର,ହତାଶାର ଦୀର୍ଘଶ୍ୱାଶର ସ୍ପର୍ଶ ପାଇ ପାରନ୍ତି l

ଏ ଆଲେଖ୍ୟ ପ୍ରକାଶ ପାଇଲା କେମିତି ବୋଲି ହୁଏତ କେତେ ଜଣ ପୁଚ୍ଛା କରି ପାରନ୍ତି l ପୁରୁଷ ପ୍ରଧାନ ସମାଜରେ ପୁଣି ଏ ଭଳି ଲେଖା ! ଲେଖାଟି ପ୍ରକାଶିତ ହୋଇ ପାରିଥିଲା କାରଣ ଜଣେ ଜୁନିଅର ଛାତ୍ରୀ ସମ୍ପାଦକ ମଣ୍ଡଳୀରେ ସାମିଲ ହୋଇଥାଏ ଅନେକ ଦିନ ପରେ l ସେ ଛପିବାକୁ ପଠେଇ ଦେଲା ପରେ ମୋତେ କହିଲା -“ଦିଦି, ମୁଁ ଶୀର୍ଷକଟିକୁ ବଦଳେଇ ଦେଇଛି “ଛାଇ ଆଲୁଅର ଅନ୍ତରାଳେ”, ଛପିଯିବ I”

ମୁଁ ଶୀର୍ଷକ ଦେଇଥିଲି “ମେଡିକାଲ କଲେଜରେ ଛାତ୍ରୀମାନଙ୍କର ସ୍ଥିତି”….ସିଧା ଭାବେ, ସିଧା ଲେଖେ …ସେଇ ଭଳି ଶୀର୍ଷକ ମଧ୍ୟ l ବୋଧହୁଏ “ତସଲିମା ନସରିନଙ୍କ ନିର୍ବାଚିତ କଲାମ” ପଢି ଉଦବୁଦ୍ଧ ହୋଇଥିଲି ସେତେବେଳେ I ଛପିଯିବ ବୋଲି ଯେବେ ଜାଣିଲି ଭିତରେ ଭିତରେ ଗୋଟେ ପ୍ରକାର ଅସ୍ଥିରତା ଲାଗି ରହିଲା ଯେବେଯାଏଁ ସେ ପତ୍ରିକା ହାତକୁ ନ ଆସିଥାଏ I
“ଫତୱା” ଜାରି ହୋଇ ନ ପାରେ, ତେବେ ବାଟ ଚାଲି ପାରିବିନି ବୋଧେ l କିନ୍ତୁ ବଡ ଆଶ୍ଚର୍ଯ୍ୟର କଥା ଅନେକ ସିନିଅର ଓ ଜୁନିଅର ଛାତ୍ର ତଥା କେତେକ ଶିକ୍ଷକ ମଧ୍ୟ ମୋତେ ଆସି ବଧେଇ ଜଣେଇଥିଲେ, ଏ ଭଳି ଏକ ନିର୍ଭୀକ ପରିପ୍ରକାଶ ପାଇଁ I କିଛି ଜଣ ସମବେଦନା ମଧ୍ୟ ଜଣେଇଥିଲେ I
ନିନ୍ଦା ଆଉ ସମାଲୋଚନା …ହାଃ ହାଃ ହାଃ …କେମିତି ନ ହେବ କହିଲେ ! ତେବେ ଡେରିରେ ହେଲେ ମଧ୍ୟ ସମସ୍ତେ ସତ୍ୟକୁ ଗ୍ରହଣ କଲେ I
ଆଜି ମୁଁ ମେଡିକାଲ କଲେଜର ପ୍ରଫେସର ଆଉ ସେଇ ଛାତ୍ର ଛାତ୍ରୀମାନଙ୍କ ଗହଣରେ …ତେବେ କେତେ ପରିବର୍ତ୍ତନ ଆସିଛି ଏ ଭିତରେ …ତା’ର ଏକ ସମୀକ୍ଷା ଦେବି I

ଆଗେ ପଢନ୍ତୁ କୋଡିଏ ବର୍ଷ ତଳର ଆଲେଖ୍ୟ “ଛାଇ ଆଲୁଅର ଅନ୍ତରାଳେ ”
—————————————————————————–

“ଏ ମାଉସୀମାନେ ଇଆଡକେ ଆସ ବୋ !”
ଆମେ ଚାରି ପାଞ୍ଚଜଣ ପ୍ରଥମବର୍ଷ ଛାତ୍ରୀ ଉତ୍କର୍ଣ୍ଣ ହୋଇ ଆହୁରି ବେଗରେ ଚାଲିବାକୁ ଆରମ୍ଭ କରିଦେଲୁ ।
“ହେ ~-ଏ, ହେ… ଏ ….କୁଆଡେ ପଲଉଛ ? ଏ ଫାଷ୍ଟ ଇଅର ବୁଇମାନେ, ତୁମ୍ କୁ ଡାକୁଛୁ ।
ଏଥର ଆଉ ଖସିବାର ଉପାୟ ନଥିଲା । ଧୀରେ ପଛକୁ ବୁଲି ଆମର ସମ୍ମାନନୀୟ ୫-୬ ଜଣ ସିନିୟର ଭାଇମାନଙ୍କ ଆଡକୁ ପାଦେ ପାଦେ କରି ଆଗେଇଲୁ । ପାଖରେ ପହଞ୍ଚିବା ମାତ୍ରେ ସେମାନଙ୍କ ମଧ୍ୟରୁ ଜଣେ କହିଲେ – “ଆବେ, ତୁମମାନଙ୍କୁ ଶୁଣା ଯାଉନି କି ବେ ?” କାନ ସବୁ ଅପମାନରେ ଲାଲ ହୋଇଗଲା ଆମର । ମେଡିକାଲ କଲେଜରେ ପୁଣି ଛାତ୍ରୀମାନଙ୍କୁ ବେ, ବା, ଶଳା ରେ ସମ୍ବୋଧନ କରା ହେଉଥିବ ଏହା ଆମ ମାନଙ୍କର କଳ୍ପନା ବାହାରେ ଥିଲା । ଏହା ଥିଲା ଆମର ଏ କଲେଜରେ ପ୍ରଥମ ଦିନ ।

ପ୍ରତି ଶୁକ୍ରବାର, ଶନିବାର ଗାଈ ମାନଙ୍କୁ ଅଡେଇଲା ପରି ଇନ୍ଦିରା ଗାନ୍ଧୀ ଅଡିଟୋରିୟମକୁ ସମସ୍ତ ୧ମ ବର୍ଷ ଛାତ୍ର ଛାତ୍ରୀ ମାନଙ୍କୁ ଅଡେଇ ନିଆ ଯାଏ ରାଗିଙ୍ଗପାଇଁ । ତେବେ ଛାତ୍ର ମାନଙ୍କୁ କେବଳ ଛାତ୍ରୀମାନଙ୍କୁ ଡାକି ଆଣିବାର କାମରେ ନିୟୋଜନ କରାଯାଇଥାଏ । ସେଠି ରାଗିଙ୍ଗ ହୁଏ କେବଳ ଛାତ୍ରୀ ମାନଙ୍କର । ସେଠାରେ ଜଣେ ଜଣେ ପ୍ରଥମ ବର୍ଷ ଛାତ୍ରୀକୁ ଘେରି ବସିଥିବେ ୫/୬ ଜଣ ସିନିୟର ଛାତ୍ର । ସେମାନେ ବ୍ୟାଟିଂଗ୍ ନାଁରେ ଉପଭୋଗ କରନ୍ତି ଛାତ୍ରୀଙ୍କର ସାନ୍ନିଧ୍ୟ । ଭୀତତ୍ରସ୍ତ ଛାତ୍ରୀଟିକୁ ଏଣୁ ତେଣୁ ଅନେକ ବାଜେ ପ୍ରଶ୍ନ କରା ଚାଲିଥିବ ସବୁଠାରୁ ଆଶ୍ଚର୍ଯ୍ୟର କଥା ଯେ ସିନିୟର ଛାତ୍ରୀମାନେ ଜଣେ ହେଲେ କେହି ବି ସେଠାରେ ଉପସ୍ଥିତନ ଥା’ନ୍ତି, ଶଙ୍କି ରହିଥିବା ନୂଆ ଛାତ୍ରୀମାନଙ୍କୁ ନିଜ ଉପସ୍ଥିତିମାଧ୍ୟମରେ ସାମାନ୍ୟତମ ସୁରକ୍ଷା ପ୍ରଦାନ କରିବା ପାଇଁ । ଛାତ୍ର ମାନଙ୍କର ପ୍ରଶ୍ନରୁ ଅସଭ୍ୟତାର ଗନ୍ଧ ସ୍ପଷ୍ଟ ବାରି ହୋଇ ପଡେ ।

ବେଳେ ବେଳେ ବିଭିନ୍ନ ଘଟଣା ସୀମା ପାର କରିଯାଏ । ଥରେ ଗୋଟିଏ ଛାତ୍ର ସହ ଗୋଟିଏ ଛାତ୍ରୀର ମିଛିମିଛିକା ବିବାହ ସେହି ଅଡିଟୋରିୟମ ଭିତରେ କରି ଦିଆଗଲା । ଛାତ୍ରୀଟି ଅପମାନ ଓ ଭୟରେ ଲୁହ ଗଡେଇବା ଛଡା କିଛି କରି ପାରି ନଥିଲା । ରାଗିଙ୍ଗରମୁଖ୍ୟ ଉଦ୍ଦେଶ୍ୟ ଥାଏ ପରସ୍ପର ସହ ପରିଚିତ ହେବା ଏବଂ ନୂଆ ଆସିଥିବା ଛାତ୍ର ଛାତ୍ରୀ ମାନଙ୍କୁ ବିଭିନ୍ନ କ୍ଷେତ୍ରରେ ଆଗଭର କରିବା । ତେବେ ଏ ଉଦ୍ଦେଶ୍ୟ କେତେଦୂର ପୂରଣ ହେଉଥିଲା ତାହା ଭଦ୍ରଜନେ ଭଲ ଭାବରେ ଜାଣିଥିବେ ।

ମୋ ପଢିବାର ପାଞ୍ଚ ବର୍ଷ ଭିତରେ ଆମ ଛାତ୍ର ସମାଜରେ ଅନେକବାର ସାଧାରଣ ସଭା (ଜେନେରାଲ ବଡି ମିଟିଂ) ସଂଗଠିତ ହୋଇଛି । ଭାଷଣ କକ୍ଷକୁ ଛାତ୍ରୀମାନେ ପଶିଲା ମାତ୍ରେ ଆଗ ଥରେ ହ୍ୱିସଲଓ ନାନାଦି ମନ୍ତବ୍ୟରେ (hooting) ସ୍ୱାଗତ କରା ହୋଇଯିବ । ସେଥିରେ ସିନିୟର ,ଜୁନିୟର କେହି ବାଦ ପଡନ୍ତି ନାହିଁ । ସେଠିକି ଛାତ୍ରୀମାନେ ଯାଆନ୍ତି ଯାଆନ୍ତି, କେବଳ କାଷ୍ଠ ପୁତ୍ତଳିକା ଭାବେ ବସି ରହିବ ପାଇଁ I କେବେ ମୁଁ ଶୁଣିନି କୌଣସି ଛାତ୍ରୀ ମଞ୍ଚକୁ ଚଢି ଦୁଇ ପଦ କହିବାର । ହଁ, ଥରେ ଜଣେ ଛାତ୍ରୀକୁ ସର୍ବ ସମ୍ମୁଖରେ ଠିଆ କରାଇ ତୀବ୍ର ଭର୍ତ୍ସନା ଅବଶ୍ୟକରାଯାଇଥିଲା |

ଆମର ଛାତ୍ର ୟୁନିଅନ ଗଠିତ ହୁଏ ଆପୋଷ ସମାଧାନରେ । ଯଦିଓ ଛାତ୍ରୀମାନେ ୩୦ ରୁ ୪୦ ପ୍ରତିଶତ ଗଠନ କରନ୍ତିସମଗ୍ର ଛାତ୍ରଶକ୍ତିର, ସେମାନଙ୍କୁ କେବଳ ଏ ଫଇସଲା ବିଷୟରେ ଜଣାଇ ଦିଆଯାଏ । କେବଳ ଛାତ୍ରୀ ପ୍ରତିନିଧି ସ୍ଥାନଟି ଛାଡିଦିଆଯାଏ।

ଶ୍ରେଣୀ ପ୍ରତିନିଧି ଚୟନ ମଧ୍ୟ ଏହାଠାରୁ ବିଶେଷ କିଛି ଭିନ୍ନ ନୁହେଁ । ଛାତ୍ରମାନେ ସର୍ବଦା ଏ ଭାର ସମ୍ଭାଳିବା ପାଇଁ ଉପଯୁକ୍ତ ବୋଲି ମନେ କରାଯାଏ । ଶ୍ରେଣୀ ପ୍ରତିନିଧି ଜଣେ ଛାତ୍ରୀ ପ୍ରତିନିଧି ଚୟନ କରନ୍ତି । କିନ୍ତୁ ଯଦି କୌଣସି ଛାତ୍ରୀ , ଶ୍ରେଣୀ ପ୍ରତିନିଧି ଭାବେ ମନୋନୀତ ହୁଅନ୍ତି ତେବେ ତାଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେବାର ଆଶ୍ୱାସନା ତ ମିଳେ, ହେଲେ ମିଳେନି ଛାତ୍ର ମାନଙ୍କ ଭିତରୁ ପ୍ରତିନିଧିଟିଏ ଯିଏ ତାଙ୍କର ସେତୁବନ୍ଧ ପରି କାର୍ଯ୍ୟ କରିବେ ଛାତ୍ରମାନଙ୍କ ସହ । କୌଣସି ଛାତ୍ର. ଜଣେ ଛାତ୍ରୀଙ୍କ ଅଧୀନରେ ରହି କାମ କରିବେ, ସେ ପୁଣି ଭିଏସଏସ ମହାବିଦ୍ୟାଳୟରେ, ଏତ ଆତ୍ମହତ୍ୟା କରିବା ସଂଗେ ସମାନ । ଛାତ୍ରୀଟି ଆପେ ଶ୍ରେଣୀ ପ୍ରତିନିଧି ପଦବୀକୁ ତ୍ୟାଗ ଦିଏ ।

ଇଂଦିରାଗାନ୍ଧୀ ଅଡିଟୋରିଅମରେ ଆମର ଯେତେ ଉତ୍ସବ ପାଳିତ ହୋଇଛି, ମଞ୍ଚ ସଜ୍ଜାର ଭାଗ ନିଅନ୍ତି ଛାତ୍ରମାନେ । ଗୌରବର କଥା ଯେ ସେମାନଙ୍କ କଳାଶୈଳୀ ଯେ କୌଣସି ପେଷାଦାର କଳାକାରଙ୍କକୃତୀ ସହ ତୁଳନୀୟ । ଥରେ ମଞ୍ଚର ସମ୍ମୁଖ ଭାଗରେ ପାଖାପାଖି ପ୍ରାୟ ୧୫ ଫୁଟ ଉଚ୍ଚର ଦୁଇଟି ସୋଇ ତିଆରି ପ୍ରତିମୂର୍ତ୍ତି ତିଆରି କରାହେଲା । ସେଥିରେ ଗୋଟିଏ ପୁରୁଷ ସୁଟ୍ ବୁଟ ଆପାଦ ମସ୍ତକ ଆବୃତ । ଅନ୍ୟଟି ଏକ ଉଲଗ୍ନ ନୃତ୍ୟରତା ନାରୀର । ଛାତ୍ରୀଗଣ ଏହା ଦେଖି ଲଜ୍ଜା, ଅପମାନରେ ଥରି ଉଠୁଥିଲେ, ହେଲେ ଏହା ବିରୋଧରେ ସ୍ୱର ଉତ୍ତୋଳନ କରିପାରି ନଥିଲେ । ପ୍ରାୟ ଦୁଇ ତିନୋଟି ଉତ୍ସବ ସେଠି ପାଳିତ ହେବା ପରେ ଅନ୍ୟ ଦୁଇଟି ଚିତ୍ର ପୂର୍ବ ଦୁଇଟିର ସ୍ଥାନ ନେଇଥିଲେ । ଭଗବାନଙ୍କ ଦୟାରୁ ପୂର୍ବ ଭଳି ଚିତ୍ର ଦେଖିବାକୁ ହୋଇନଥିଲା ।

ସେହି ଅଡିଟୋରିୟମରେ ଯେତେଥର କୌଣସି କାର୍ଯ୍ୟକ୍ରମ ହୋଇଛି ଛାତ୍ରୀମାନେ ମଞ୍ଚ ଉପରକୁ ଚଢିବା ମାତ୍ରେ ଛାତ୍ରମାନେ ଗଳା ଫଟେଇ ମନ୍ତବ୍ୟ ଦେଇଛନ୍ତି, ସିଟି ମାରିଛନ୍ତି, ଫୁଲ ପକାଇଛନ୍ତି । ଥରେ ଦୁଇଥର ଏଭଳି କାର୍ଯ୍ୟକ୍ରମରେ ଭାଗ ନେଇ ସେହି ଛାତ୍ରୀମାନେ ଆଉ ମଞ୍ଚ ଉପରକୁ ଚଢିବା ପାଇଁ ମନା କରି ଦେଇଥା’ନ୍ତି ।

କେବେ କୌଣସି ଚଳଚ୍ଚିତ୍ର ପ୍ରଦର୍ଶିତ ହେଲେ ପ୍ରଥମେ ଘଣ୍ଟାଟିଏ ବସିରହି ଛାତ୍ରୀ ମାନଙ୍କୁ ରକେଟ ମାଡ, ପ୍ରସ୍ତର ଖଣ୍ଡ ମାଡ ସହିବାକୁ ହୁଏ । ସମସ୍ତେ ଆତଙ୍କିତ ହୋଇ ରହିଥା’ନ୍ତି କେତେବେଳେ ସେମାନଙ୍କ ଉପରେ ପ୍ରସ୍ତର ଖଣ୍ଡ ବର୍ଷା ହେବ ବୋଲି । ଲାଇଟ୍ ସବୁ ଲିଭି ଚଳଚ୍ଚିତ୍ର ଆରମ୍ଭ ହେଲେ ଛାତ୍ରମାନେ ମଦ ପିଇ ମାତାଲ ହୋଇ ବିଭିନ୍ନ ଅଶ୍ଳୀଳ ମନ୍ତନ୍ୟ ଦେବା ଆରମ୍ଭ କରି ଦିଅନ୍ତି । ଛାତ୍ରୀ ମାନେ ଚାହିଁଲେ ବି ସେ ଅପ୍ରୀତିକର ପରିବେଶରୁ ମୁକୁଳି ପାରନ୍ତି ନାହିଁ, କାରଣ ରାତି ଅଧରେ ବାହାରର ସବୁ ଦୁଇ ଗୋଡିଆ ଜାନୁଆରମାନଙ୍କ ଦାନ୍ତ ଓ ନଖ ବାହାରି ଆସିଥାଏ ।

ଯଦି କେବେ ହରତାଳ ବା ବିକ୍ଷୋଭ ହୁଏ, ତେବେ ପ୍ରଥମେ ଛାତ୍ରନେତାମାନେ ପହଞ୍ଚି ଯାଆନ୍ତି ଲେଡିକ ହଷ୍ଟେଲ ସମ୍ମୁଖରେ ଛାତ୍ରୀମାନଙ୍କର ସହଯୋଗ ଭିକ୍ଷା କରିବା ପାଇଁ । ସହଯୋଗ ଭିକ୍ଷା କୌଣସି ସମସ୍ୟାର ସମାଧାନ କରିବା ପାଇଁ ନୁହେଁ । ବଂର ଛାତ୍ରୀ ମାନଙ୍କୁ ଗୋଟିଏ ଜାଗାରେ ବସାଇ ଦେଇସଂଖ୍ୟା ବଢାଇବା ପାଇଁ । ଯେହେତୁ ଛାତ୍ରମାନଙ୍କର ଅଖଣ୍ଡ ସ୍ୱାଧୀନତା, ତେଣୁ ସେମାନେ ଘଣ୍ଟାଏ ବସିଲା ପରେ ବୁଲିବାକୁ ଚାଲିଯାନ୍ତି । ଯଦି ଛାତ୍ରୀମାନେ ବସିବାକୁ ମନା କରିଦିଅନ୍ତି ତେବେ ଲେଡ଼ିଜ ହଷ୍ଟେଲ ଠାରୁ ଆରମ୍ଭ କରି କଲେଜ ପର୍ଯ୍ୟନ୍ତଚଲାପଥରେ ସେମାନଙ୍କୁନାନାଦି ପ୍ରକାରେ ଭର୍ତ୍ସନା କରାଯାଏ ।

ବିଭିନ୍ନ ସମୟରେ ପରୀକ୍ଷାରେ ଛାତ୍ରୀମାନେ ପ୍ରଥମ ସ୍ଥାନ ଅଧିକାର କରି ଆସିଛନ୍ତି । ତେବେ ଛାତ୍ରମାନଙ୍କର ମନେହୁଏ ସତେ ଯେମିତି ଏହା ଦୟା ପୂର୍ବକ ଭାବେ ସେମାନଙ୍କୁ ଧରାଇ ଦିଆ ଯାଉଛି । ଏସବୁ ହାସଲ କରିବା ପାଇଁ ଛାତ୍ରୀ ମାନଙ୍କର ମଧୁର ହସ ଟିଏ ଯଥେଷ୍ଟ । ସତ କଥା ଏଇଆ ଯେ ଛାତ୍ରୀମାନେ ଯେତେ ପାରନ୍ତି ଦୂରେଇ ରହନ୍ତି ଶିକ୍ଷକମାନଙ୍କ ନଜରରୁ । ସୌଭାଗ୍ୟ ବଶତଃ ଆମର ଅଧିକାଂଶ ଶିକ୍ଷକ ଦେବତୁଲ୍ୟ । ତେବେ ସୁଯୋଗ ପାଇଲେ କିଛି ଶିକ୍ଷକ ମର୍ଯ୍ୟାଦାରୁ ତଳକୁ ଖସି ଆସିବାର ଦୃଷ୍ଟାନ୍ତ ମଧ୍ୟ ରହିଛି । ଆଉ ଏହାର ବିରୋଧ କରିବାକୁ ଯାଇ ଛାତ୍ରୀମାନେ ବିଭିନ୍ନ ମହଲରେ ଭର୍ସିତ ହୁଅନ୍ତି ସିନା, ନ୍ୟାୟ ପାଆନ୍ତି ନାହିଁ ।

ଏ କାହାଣୀ କେବଳ ଆମ ମେଡିକାଲ କଲେଜର ଛାତ୍ରୀମାନଙ୍କର ନୁହେଁ, ବରଂ ସମଗ୍ର ନାରୀ ଜାତିର ତେବେ ମୁଁ ଏଠି କାହିଁ କି ଲେଖୁଛି ? ଏ ଲେଖା ନାରୀ ସମାଜ ପତ୍ରିକାରେ ଛପା ହେବା କଥା । କଥା କଣ କି, ଛାତ୍ରୀମାନେ ସଂଘର୍ଷ କରି ୨୦୦୦୦ ପିଲାଙ୍କ ଭିତରୁ ବଛା ହୋଇ ବିନା ସଂରକ୍ଷଣରେ ୩୦/୪୦% ସ୍ଥାନ ଅଧିକାର କରନ୍ତି । କୌଣସି ମତେ ସେମାନେ ନ୍ୟୂନ ନୁହଁନ୍ତି । ତେବେ ଉପଯୁକ୍ତ ସମ୍ମାନ ପାଉ ନାହାନ୍ତି କାହିଁକି ? କାହିଁକି ସେମାନେ ଅନ୍ୟ ସାଧାରଣ ନାରୀ ମାନଙ୍କ ପରି ହିଁ ବ୍ୟବହାର ପାଉଛନ୍ତି ? କାହିଁକି ସେମାନଙ୍କ ପଦପାତ ତୀବ୍ର ହୋଇଯାଏ ପି.ଜି. ହଷ୍ଟେଲସାମନାରେ ଅଶୋଭନୀୟ ମନ୍ତବ୍ୟ ଆଶଙ୍କାରେ ? କାହିଁକି ହସପିଟାଲରେ ରୋଗୀମାନେ ବେକରେ ଷ୍ଟେଥୋଟିଏ ଝୁଲା ହୋଇଥିବାର ଦେଖିଲେ ମଧ୍ୟ ଘଷି ହୋଇ ଚାଲି ଯିବାର ସାହସ କରନ୍ତି ?

ଭଦ୍ରଜନେ ଏଠି ପ୍ରଶ୍ନ କରିବେ – ଏତେ ସବୁ ନିର୍ଯ୍ୟାତନା ସହିଲା ପରେ ଯଦି ଛାତ୍ରୀମାନେ ଚୁପ୍ ରହୁଛନ୍ତି, ତେବେ ଏଥିରେ ଦୋଷ ସେହି ଛାତ୍ରୀ ମାନଙ୍କର । ସତରେ ଜଣ ଛାତ୍ରୀମାନେ ଚୁପ୍ ରହୁଛନ୍ତି ? ବୋଧହୁଏ ନା । ସେମାନେ ସମୟ ସମୟରେ ବିଦ୍ରୋହ କରିଛନ୍ତି ଏ ସବୁର । କିନ୍ତୁ ବଦଳରେ ଏତେ ଲାଞ୍ଛିତ ସ୍ରୋତର ପ୍ରତିକୂଳରେ ଥରେ ମାତ୍ର ବୋହି ତା’ର ଫଳ ଭୋଗି ସାରି ପୁଣି ପୂର୍ବ ସ୍ରୋତରେ ସାମିଲ ହୋଇଛନ୍ତି । ନିଜ ସ୍ୱାଭିମାନର ଗଳା ଚିପି ସେହି ସ୍ରୋତରେ ଭସାଇ ଦେଇଛନ୍ତି |

ତେବେ ସମାଧାନ କେଉଁଠି ? ନାରୀ ସମ୍ମାନ, ନାରୀ ସ୍ୱାଧୀନତାର ଏକମାତ୍ର ପନ୍ଥା ଅର୍ଥନୈତିକ ସ୍ଵାବଲମ୍ବନ ବୋଲି ଆଜି ପର୍ଯ୍ୟନ୍ତ କୁହା ହୋଇ ଆସୁଥିଲା ହେଲେ ଦୁନିଆର ସର୍ବଶ୍ରେଷ୍ଠ ଜିବିକା ଡାକ୍ତରୀରେ ରହି ସୁଦ୍ଧା ବିଶେଷ ପରିବର୍ତ୍ତନ ହୋଇନାହିଁ ତ! ଶକ୍ତିର ଭଣ୍ଡାର ମାଇଟୋକଣ୍ଡ୍ରିଆ କେବଳ ଆସେ ଡିମ୍ବାଣୁରୁ । ଅର୍ଥାତ ନାରୀଯେ ଶକ୍ତିର ରୂପ, ଏହା ଠାରୁ ବଳି ସିଧାସଳଖ ପ୍ରମାଣ ବୋଧହୁଏ ଆଉ ନାହିଁ । ତେବେ ଏ ଶକ୍ତିପୁଞ୍ଜ ସୁପ୍ତ କାହିଁକି ! କାହିଁକି ଆଜି ପର୍ଯ୍ୟନ୍ତ ନାରୀମାନେ ନିଜକୁ ଦୁର୍ବଳ ମନେ କରୁଛନ୍ତି ? କାହିଁକି ସଞ୍ଜ ନଇଁ ଆସିଲେ ଅଧିକାଂଶ ଛାତ୍ରୀ କୁକୁଡା ମାନେ ଭାଡ଼ିରେ ପଶିଲାପରି ପଶିଯାନ୍ତି ? କାହିଁକି ୧୦ ଜଣ ଛାତ୍ରୀଙ୍କ ସହ ଜଣେ ଛାତ୍ର ଚାଲୁଥିଲେ ମଧ୍ୟ ଛାତ୍ରୀମାନଙ୍କୁ ସୁରକ୍ଷିତ ମନେ କରାଯାଏ ?

ଛାତ୍ରୀ ମାନଙ୍କ ଭିତରେ ସୁପ୍ତଥିବା ଶକ୍ତି ଦିନେ ଜାଗିବ କି ? ସତରେ ଦିନେ ଏ ମହାବିଦ୍ୟାଳୟରେ ଛାତ୍ରୀମାନେ ଛାତ୍ରମାନଙ୍କ ସହ ସବୁମତେ ସମାନ ଭାବରେ ଚାଲିବେ କି ? ଯଦି ଆଗାମୀ ୧୦ ବର୍ଷ ଭିତରେ ଏପରି ହୋଇପାରେ ତେବେ ବୋଧହୁଏ ନିଜକୁ ସବୁଠାରୁ ସୁଖୀ ମଣିବି ।

Leave a Reply

Your email address will not be published. Required fields are marked *