ଗୀତା ଆବୃତ୍ତିର ଇତିକଥା

Delusion of immortality
July 20, 2024
ଆମେ ଆମ ଉତ୍ତରପିଢିର ଭାଗ ମଧ୍ୟ ଖାଇ ଚାଲିଛୁ
July 31, 2024

ଓଁ ନମୋ ଭଗବତେ ବାସୁଦେବାୟ II
***********
ଦୀର୍ଘ ଅଢେଇ ବର୍ଷର ଯାତ୍ରା ଗତ କାଲି ଶେଷ ହେଲା I କିଏ କହିଥିଲା ଆରମ୍ଭ କରିବାକୁ, କାହିଁକି ….ଜାଣିଲେ ହୁଏତ ବୁଝିବେ ଲୀଳାମୟଙ୍କ ଇଚ୍ଛା ବିଷୟରେ I ମୋ ନନା (ବାପା) ଙ୍କ ରଚିତ “ଶ୍ରୀମଦ ଭଗବଦ ଗୀତା ପଦ୍ୟାନୁବାଦ” ଯେତେବେଳେ ପ୍ରେସରୁ ଆସିଲା ଆମେ ଦୁହେଁ ସେ ଭିତରେ ବନାନ ଅଶୁଦ୍ଧି ଖୋଜୁଥିଲୁ l ଏବେ ବି ଡିଜିଟାଇଜେସନ ରେ ଓଡ଼ିଆ ଭାଷା ଦୁର୍ବଳ l ହାତ ଲେଖାକୁ ଡିଟିପି କରେଇ ଆଉ ଗୋଟେ କମ୍ପ୍ୟୁଟରକୁ ଚଢ଼େଇଲା ବେଳକୁ କିଛି ବନାନ ଏପଟ ସେପଟ ହୋଇଯାଏ ।
ନନା ଓ ମୁଁ ଉଭୟ ମାଷ୍ଟ୍ର …ଦୁହିଁଙ୍କ ଆଖି ଭୁଲ ଖୋଜିବାରେ ଅଭ୍ୟସ୍ତ I ଯଦିଓ ପିଲାଦିନୁ ଅନେକ ବାର ପ୍ରଭୁଙ୍କ କୃପାରୁ ଏ ମହାନ ଗ୍ରନ୍ଥ ଅଧ୍ୟୟନ କରିବାକୁ ଓ ଅନ୍ଵୟ ଶୁଣିବାକୁ ମିଳିଛି, ସେଥିରେ ପ୍ରବେଶ ସେମିତି କିଛି ବିଶେଷ ନ ଥିଲା I ଅଳ୍ପ କିଛି ଶ୍ଳୋକ ବୋଲି ପ୍ରାର୍ଥନାରେ ବୋଲିବା ଜାଣିଥିଲୁ, ତେବେ ଅର୍ଥକୁ ବେଶୀ କିଛି ଧ୍ୟାନ ଦେଇ ନ ଥିଲୁ I ନନା ଏ ଭିତରେ ତୃତୀୟ ସଂସ୍କରଣ କରି ସାରିଲେଣି, ଅଥଚ ମୁଁ ଯାନ୍ତ୍ରିକ ଭାବେ ପଢ଼ିଥିଲି ସିନା, ଭିତରକୁ ପ୍ରବେଶ କରି ନ ଥିଲି । ତେଣୁ ଭାବିଲି, ଏଥର ଧୀରେ ସୁସ୍ଥେ ପଢ଼ିବି ଆଉ ଆମ ପୂଜ୍ୟ ଗୁରୁଦେବଙ୍କର ରଚିତ ପୁସ୍ତକକୁ ମଧ୍ୟ ସାଥେ ସାଥେ ପଢି ବୁଝିବି I
ଏ ଭିତରେ ଆମ ଘରେ ମୋର ପୂଜ୍ୟ ପ୍ରାଧ୍ୟାପକ ପ୍ର: ସଦାନନ୍ଦ ରଥ ଆଜ୍ଞା “ଗୀତା ଭବନର” ନିଅଁ ରଖିଥିଲେ I ଭାବିଥିଲି ପାଖ ପଡିଶା ପିଲାଙ୍କୁ ମୋ ପିଲାଙ୍କ ସହ ବସେଇ, ଗୀତା ପାଠ ଶିଖେଇବି ଆଉ ତା ସହ ଅଳ୍ପ ଅଳ୍ପ ଶାସ୍ତ୍ର ବିଷୟକ ତଥ୍ୟ, କିଛି ଦେଶାତ୍ମବୋଧକ ଗୀତ ଶିଖେଇବି I ଏଥିପାଇଁ ଶ୍ରୀମତୀ ସଙ୍ଗୀତା ସାହୁଙ୍କ ଆଗ୍ରହ ମୋତେ ବିଶେଷ ପ୍ରେରିତ କରିଥିଲା I ହେଲେ କୋଭିଡ ମହାମାରୀର କଟକଣା ଓ ପରେ ପରେ ଅନ୍ୟାନ୍ୟ ଅସୁବିଧା ଯୋଗୁଁ ତାହା ଆଉ ଆଗକୁ ବଢି ପାରିଲା ନାହିଁ I
ଯେତେବେଳେ ନିଜେ ଗୀତା ପାଠ ପିକରିବାକୁ ନିଷ୍ପତ୍ତି ନେଲି, ସେତେବେଳେ ଭାବିଲି , ସେଇ ଛୁଆ ମାନଙ୍କ ପାଖକୁ ଦୁଇ ଦୁଇଟି ଶ୍ଳୋକ ରେକର୍ଡିଙ୍ଗ କରି କାହିଁକି ନ ପଠେଇବି? ଟେକ୍ନୋଲୋଜି ଏ ଭିତରେ ଆହୁରି ବାଟ ଦେଖାଇଲା, ମୁଁ ଅଡିଓ ବଦଳରେ ଭିଡ଼ିଓ ପଠେଇବାକୁ ସ୍ଥିର କଲି । ଆଉ ତା’ ପରେ YouTube, reels ଇତ୍ୟାଦି …କେହି କେହି ପଚାରନ୍ତି, କ’ଣ ପାଇଁ କରୁଛ, YouTube ରୁ କିଛି ରୋଜ଼ଗାର ହଉଛି କି, ବେଶି views ହଉନି ତ ….ହାଃ ହାଃ ! ମୋ ଉଦ୍ଦେଶ୍ୟ ତ ନ ଥିଲା ଏ ସବୁ …କିଛି ଦିନ ଅଧିକ ହୁଏତ ଏ କାମ ଇଣ୍ଟେର୍ନେଟ ରେ ରହିବ I ଯେମିତି ଗୀତା ଗ୍ରନ୍ଥ ମୋତେ ବାଛିଛି, ଯେବେ କାହାର ଉଚିତ ସମୟ ଆସିବ, ସେମାନଙ୍କୁ ମଧ୍ୟ ଏ ଭିଡ଼ିଓ ସବୁ ଆସି ଧରା ଦେବ l ସେଥିକୁ ମୁଁ ଏତେ ଭାବିବି କିଆଁ !
ଏ ଅଢେଇ ବର୍ଷ ରେ 306 ଭିଡିଓ ଯେ କଲି, ଏହା ମୋ ପାଇଁ ଏକ ଗ୍ରନ୍ଥାନୁପ୍ରବେଶ ମାତ୍ର I କେବଳ ଗୀତା ଆବୃତ୍ତି ମୋର ଲକ୍ଷ୍ୟ ଥିଲା, ହେଲେ ଟିକିଏ ପ୍ରାକ-କଥନ ନ ରଖିଲେ ବୁଝା ନ ପଡ଼ିବାର ସମ୍ଭାବନା ଥିଲା ବୋଲି ଅଳ୍ପ କିଛି କହେ ସେ ବିଷୟରେ I ଏ ଯାତ୍ରାରେ ମୋତେ ଅନେକେ ଅନେକ ପ୍ରକାରେ ସାହାଯ୍ୟ ସହଯୋଗ କରିଛନ୍ତି, କେହି କେହି କିଛି ଭୁଲ ସୁଧାରିଛନ୍ତି, କେହି ଯୋଡି ହୋଇଛନ୍ତି, କିଛି ଲୋକ ଯୋଡି ହୋଇ ପରେ ନିଜ ପସନ୍ଦର ମାର୍ଗ ପାଇ ଅନ୍ୟ ରୂପରେ ମଧ୍ୟ ଗୀତାଧ୍ୟୟନ କରିଛନ୍ତି । ଗତ ବର୍ଷ ଯେବେ ପୁରୀରେ ଏକ ସଡକ ଦୁର୍ଘଟଣାର ସମ୍ମୁଖୀନ ହେଲି, ସେତେବେଳେ ମନେ ହେଲା, ଈଶ୍ୱର ବୋଧେ ଏକ ମୃଦୁ ଧକ୍କା ଦେଲେ ଏ କାର୍ଯ୍ୟକୁ ଶୀଘ୍ର ଶେଷ କରିବାକୁ । ଉତ୍ସାହ ଦ୍ବିଗୁଣିତ ହେଲା ।
ଏ କାର୍ଯ୍ୟରେ ବିଶେଷ ଧନ୍ୟବାଦ ଦେବି ମୋ ସହ ଏ ଅଧ୍ୟୟନରେ ଯୋଡି ହୋଇଥିବା ସମସ୍ତଙ୍କୁ, ମୋ ଭାଇ ଭଉଣୀମାନଙ୍କୁ , କିଛି ଜଣ ମୋତେ ଫୋଟୋ ଓ ଭିଡ଼ିଓ ମଧ୍ୟ ଏଥିପାଇଁ ଯୋଗେଇ ଦେଇଛନ୍ତି ବେଳେବେଳେ, କିଛି ଆକସ୍ମିକ ବିନ୍ଦୁରେ ମୋ ସହ ଯୋଡି ହୋଇଥିବା ବ୍ୟକ୍ତି ବିଶେଷ, ଯାହାଙ୍କଠୁ ଭିଡ଼ିଓ ଏଡିଟିଂ ର କିଛି ଧାରଣା ଆସିଲା । ଅନ୍ତରରୁ ପ୍ରଣାମ ଈଶ୍ୱରଙ୍କୁ, ମୋ ପୂଜ୍ୟ ଗୁରୁଦେବମାନଙ୍କୁ ଓ ପିତା ଶ୍ରୀ ଲଳିତ ମୋହନ ଆଚାର୍ଯ୍ୟଙ୍କୁ I ଏ ତ ଆରମ୍ଭ ମାତ୍ର l ଆଗକୁ ଈଶ୍ବରଙ୍କ ଇଚ୍ଛା ପୂର୍ଣ୍ଣ ହେଉ ।
llଶୁଭମସ୍ତୁll
ଡଃ ବିୟତପ୍ରଜ୍ଞା ଆଚାର୍ଯ୍ୟ I
#GitaChanting #chantsbyacharyasisters #SrimadBhagavadGita #drvpacharya

Leave a Reply

Your email address will not be published. Required fields are marked *