ଛ’ ପଟ ରୋଟି

e-garbage
e-garbage: shedding crocodile tears??
April 12, 2022
Happy Samba dashami
Happy Samba Dashami
April 12, 2022
Dr VP Acharya

ଡଃ ବିୟତପ୍ରଜ୍ଞା ଆଚାର୍ଯ୍ୟ
ପ୍ରଫେସର, ବାୟୋକେମିଷ୍ଟ୍ରି

“ମଣି ……ଏ ମଣି – ତୋତେ ପରା କହିଥିଲି ଗଣି ଗଣି ୮ ପଟ ରୋଟି ବନେଇବୁ | ଏତେ ବନେଇଲେ ଆମର କିଏ ଖାଇବ?
ଏଇ ମୋ କାମଵାଲୀ ମଣି ସହ ନିତ୍ୟ ନୈମିତ୍ତିକ ଝଗଡା | ମୁଁ ୮ ପଟ ରୋଟି କହିଲେ ସେ କରିବ ୧୫ ପଟ | ଆମ ସ୍ୟସ୍ଥ୍ୟବାନ ଚେହେରା ଦେଖି ବୋଧହୁଏ ଅନୁମାନ କରି ଅଧିକା ରାନ୍ଧିବାକୁ ଇଚ୍ଛା |

ଏଥରକ ଜଗି ରହିଲି ଅଟା ଚକଟା ବେଳକୁ | ପଛ ଆଡୁ ଆସି ଧରିଲି | “ହଇଲୋ , ପୁଣି ଏତେ ଅଟା ଚକଟିଲୁ ?” ମତେ ଅନେଇ ମଣି ମୁଚୁକୁନ୍ଦ ହସଟିଏ ହସିଦେଲା | ମୋ ରାଗ ସେଥିରେ ଆହୁରି ବଢ଼ିଲା |

“ରଖ, ତାକୁ ରଖ | ଆଜି ଗଣି ଗଣି ୮ ପଟ ରୋଟି କରେ | ବାକି ଅଟା କାଲିକୁ କରିବୁ | ଗଣ, ଅଟା ଗୁଳା ମୋ ଆଗରେ– ଏହି କ୍ଷଣି ଗଣ |”

“ଏକ, ଦୁଇ, ତିନ, ଚାରି, ପାଞ୍ଚ, ଛ’ ………. ତା’ ପରେ ଅଟକି ଗଲା |
” ହଁ, ତା’ ପରେ ଗଣେ |” ମୁଁ ଅଡ଼ି ବସିଲି l
ବଡ ନିର୍ମାୟା ହୋଇ ବିକଳ ଚାହାଣୀରେ ମୋ ଆଡକୁ ଅନେଇଲା ମଣି |

” କ’ଣ ହେଲା ମ—- ଗଣୁନୁ |”
ଠୋ ଠୋ ହସି କହିଲା -“ମା”, ମୋତେ ଆଉ ଆସେନି ଆଗକୁ |”
ମୁଣ୍ଡରେ ହାତ ଦେଲି | ତା’ ହେଲେ କଥା ଯାଇ ଏଇଠି | ଖାତା ବହି ଦେଲି | କହିଲି , କାମ ସରିଲା ପରେ ପାଠ ପଢେ | ତୁ ଭୁବନେଶ୍ୱରରେ ପିଲାଦିନୁ ବଢି ତୋର ଏ ଅବସ୍ଥା !
ହେଲେ , ” ମୋତେ ଯେତେ ମାଠିବୁ ମାଠ, ମୁଇଁ ସେଇ ଦରପୋଡା କାଠ “|ପାଠ ତା ଦେଇ ହେଲାନି |କିଛି ଦିନ ପରେ ଅଲଗା ପାଇଟି ପାଇ ମୋ ଘର କାମ ଛାଡିଦେଲା |
ଏ ଭିତରେ ଆସିଲା କୋଭିଡ ମହାମାରୀ | ଏକ ମହାଜାଗତିକ ପରିବର୍ତ୍ତନର ସମୟ ଏ I କିଏ ବା ବାଦ ପଡିବ !
ସମସ୍ତେ ଭୟରେ ଘରୁ ବାହାରିବା ବନ୍ଦ କରିଦେଲେ, ଆଉ କେହି କାହାକୁ ପାଇଟି ପାଇଁ ଘରକୁ ଡାକିଲେ ନାହିଁ I ଅନନ୍ୟୋପାୟ ହୋଇ କିଏ କୋଉ କାମ କରି ପେଟ ପୋଷିଲା I ଚାକିରିଆଙ୍କ ତ ଦରମା କଟିଲା l ସମସ୍ତେ ଅନାଗତ ଭୟରେ ଖର୍ଚ୍ଚ କାଟ ମଧ୍ୟ କଲେ l
ଦେଖିଲି, ମଣି ପ୍ରଥମେ ଆଳୁ ପିଆଜ ଗଣ୍ଡାଏ ଧରି ବିକୁଛି | କିଛି ଦିନ ପରେ କଦଳୀ , ଲିଚୁ , କେବେ ପୁଣି ଫିନାଇଲ —ତା ‘ ପରେ ମାଛ ବିକିବାକୁ ବସିଲା | ମୁଁ ଗାଡି ଅଟକାଇ ଦରକାର ନଥିଲେ ବି କିଛି କିଛି କିଣେ , କେତେବେଳେ ସେମିତି କିଛି ସାହାଯ୍ୟ କରିଦିଏ |

ଘରେ ମଦୁଆ ବର | ମାଛ ବିକାରେ ସାହାଯ୍ୟ କଣ କରିବ ଓଲଟା ତା ଉପରେ ନାନା ପ୍ରକାର ଚାରିତ୍ରିକ ବ୍ୟଭିଚାରର ଦୋଷାରୋପ କରି ତାକୁ ମାଛ ଵିକେଇବା ବନ୍ଦ କରେଇଦେଲା |

ମଣି ପୁଣି ଆସିଲା ମୋ ଘରକୁ କାମ କରିବା ପାଇଁ | ଏତିକି ଯାଏଁ କାହାଣୀ ଶୁଣି ଆପଣ ମାନଙ୍କର ହୃଦୟ ନିଶ୍ଚୟ ଉଦ୍ ବେଳିତ ହୋଇ ଯାଉଥିବ | ଆହାଃ ! ବିଚାରୀ, ଘର କେମିତି ଚଳାଉଥିବ? ଘରେ ମଦୁଆ ନିକମ୍ମା ସ୍ୱାମୀ , ରାହାବଳୀ ଶାଶୁ — ଝିଅ ପୁଅ ଦୁଇଟା ଯେ ଆଉ ସ୍କୁଲ ଯିବା ମଧ୍ୟ ସମ୍ଭବ ହେଉନାହିଁ |

ଏବେ ଏକ ସମୀକ୍ଷା କରାଯାଉ ଏ ଭଳି ଏକ ପରିବାରର ଆମ ରାଜଧାନୀରେ | ମଣି ଭଳି ଅନେକ ଅଛନ୍ତି ଯେଉଁ ମାନଙ୍କର ମୁଖ୍ୟତଃ ଦୁଇଟି ସମସ୍ୟା |
୧) ମଦ ଗଞ୍ଜେଇ ଆଦି ନିଶା
୨) ପଇସା ହାତରେ ପଡିଲେ ତାକୁ ଖର୍ଚ୍ଚ କରି ନ ଜାଣିବା (Money management/ଅର୍ଥ ପ୍ରବନ୍ଧନ)

ସରକାରଙ୍କ ଦୟାରୁ ଆମ କରଦାତାଙ୍କ ପଇସାକୁ ପଡ଼ିକାର୍ଡ଼ ଜରିଆରେ ବେଶ ଭଲଭାବେ ଏଭଳି ଶ୍ରେଣୀ ଲୋକଙ୍କ ମଧ୍ୟରେ ବିତରଣ କରାଯାଉଛି | ଏପରିକି ସେମାନଙ୍କୁ ମାଗଣା ଆବାସ ମଧ୍ୟ ଯୋଗେଇ ଦିଆଯାଉଛି | ଟଙ୍କିକିଆ ଚାଉଳ , ୫ ଟଙ୍କିଆ ଭାତ ଡାଲମା | ବାସ……. ଆଉ କଣ ଦରକାର |
ଘରର ପୁରୁଷ ଲୋକ ମଦ ପିଇ ମାତାଲ ହୋଇ ଘରେ ଶୋଇଲେ | ଛୁଆମାନେ ମଧ୍ୟ ବାପାଠୁ ଶିକ୍ଷା ଗ୍ରହଣ କରି ୧୦ – ୧୧ ବର୍ଷରୁ ସିଗାରେଟ, ଗୁଟୁଖା ସେବନ ଆରମ୍ଭ କରି ଦେଉଛନ୍ତି | ଅନ୍ୟ ପ୍ରକାର ମାରାତ୍ମକ ନିଶାଦ୍ରବ୍ୟ ମଧ୍ୟ ସେମାନଙ୍କୁ ଅଚିରେ କବଳିତ କରି ଦେଉଛି |

ଘରର ସ୍ତ୍ରୀ ଲୋକଟି ଏଥର ପଦାକୁ ଗୋଡ କାଢ଼େ | ପନ୍ଥା – ମୂଲ ମଜୁରୀ , ନତୁବା ପରଘରେ କାମ, ରୋଷେଇ ଇତ୍ୟାଦି | ଆପଣଙ୍କ ଅନୁମାନ କଣ ? କେତେ ଟଙ୍କା ରୋଜଗାର କରୁଥିବେ ପର ଘରେ କାମ କରି ଅବା ହୋଟେଲ ରେ ବାସନ ମାଜି ?

କିଛି ସ୍ତ୍ରୀ ଲୋକ ଏଇ ଭଳି କାମ କରି ପ୍ରାୟ ୨୦,୦୦୦ /- ଯାଏଁ ମାସକୁ ଆମଦାନୀ କରନ୍ତି | ଲୁଗାପଟା – ନୂଆ ପୁରୁଣା ଉଭୟ ମିଳିଯାଏ , ଖାଇବାର ମଧ୍ୟ ଚିନ୍ତା ରହେନି | ଡାଲି, ତେଲ ମସଲା ଆଦିରେ ଯାହା ଖର୍ଚ୍ଚ | ତେବେ ତଥାପି ସେମାନେ ଅଭାବରେ |

ଏଥର ଆସିବା ଦ୍ୱିତୀୟ ସମସ୍ୟାକୁ –

“ମା”, ମୋତେ ୫୦୦୦ /- ଟଙ୍କା ଦେଇଥାଅ |”
“କିଲୋ ଏତେ ଟଙ୍କା କଣ କରିବୁ |”

ଯା ‘ ହଉ , ମୋ ମଣିଟି ସତ୍ୟବାଦିନୀ | ଅନ୍ୟାନ୍ୟ ଲୋକଙ୍କ ପରି ମିଛ କହେନି | ସତ ନ କହି ପାରିଲେ ବରଂ ଚୁପ ରହିଯାଏ |

“ମା’ ମୋବାଇଲ ଫୋନ କିସ୍ତି ଶୁଝିବି ।”
“କିସ୍ତି ୫୦୦o/- ।କିଲୋ ତୋ ଫୋନ ଦାମ କେତେ ତା ‘ହେଲେ ।”
“ମା’ paytm କରି ମାଛ ବିକିବ ବୋଲି ମୋ ବର ୨୦,000/- ଦେଇକି ଫୋନ ଆଣିଥିଲା। ଏ ମାସ ସବୁଯାକ ଏକା ସାଙ୍ଗେ ସାରିଦେବି ଭାବୁଛି ।”
ହାଏ ଦଇବ! ମୁଁ ମୁଣ୍ଡରେ କର ତାଡ଼ିଲି ।
xxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxx

“ମଣି, ନେ ରୁଟି, ତରକାରୀ”-ଖା’ ଆଗେ, ପଛରେ କାମ କରିବୁ।”
“ନାଇଁ ମା’, ମୁଁ ଇଡ଼ଲି ଖାଇଦେଇ ଆସିଛି ଆଜି ।” ମଣି ଜବାବ ଦେଲା।
“କିଲୋ, ମୁଁ ତ ସବୁ ପ୍ରକାର ଜଳଖିଆ ଦେଉଛି ତୁ ବାହାରେ କିଆଁ ଖାଉଛୁ ?”
“ମା’ ପିଲାମାନଙ୍କ ପାଇଁ ଆଣିଲି ତ, ମୁଁ ବି ଖାଇଦେଲି।”
“ଆଚ୍ଛା, ସବୁଦିନ କଣ ଜଳଖିଆ କର?” ମୋର ଉତ୍କଣ୍ଠା ବଢ଼ିଲା।
“ମା’ ମୁଁ ସେମାନଙ୍କୁ ୫୦ ଟଙ୍କା ଦେଇଦିଏ ସବୁଦିନ ।” ମଣି ଜବାବ ଦେଲା।
ମୋ ସାନ ଝିଅ ଗଣିତରେ ପକ୍କା l କୋଉଠେ ଥିଲା ମାଡି ଆସିଲା l “ଆଣ୍ଟି, ତା’ ମାନେ ତୁମେ ଜଳଖିଆରେ ଖାଲି 1500/- ସାରି ଦେଉଛ! ଗୋଟେ ଘର ଦରମା ଗଲା I”
ମଣି ହସି ହସି ଗଡି ଗଲା –“ମୁଁ ଏ ଗୁଡା ଏତେ ଜାଣେନି ଝିଅ l”
ଭାବିଲି, ” ସେଥିପାଇଁ ତ ନିଜ ଭୋଟ କୁ ମଦ ଟିକିଏ, ମାଉଁସ-ଭାତ ଭୋଜି ଆଉ 500/- ରେ ବିକି ଦେଉଛ”
ମୁଁ ମୋ ଛୁଆଙ୍କୁ ଚୂଡ଼ାଚକଟା ବାଢ଼ିଥୋଇଲି ଡାଇନିଂ ଟେବୁଲ ଉପରେ ।
ରନ୍ଧାଘରେ ଥାଇ ମୋ ରାନ୍ଧୁଣିଆ ସ୍ତ୍ରୀ ଲୋକଟି ଶୁଣିଲା । ସେ ମାମଲତକାର ହୋଇ କହିଲା , “ତୁ ମ୍ୟାଗି ଟିକେ ରାନ୍ଧିକି ଦେଇ ଦଉନୁ ।”
ମୁଁ ଏପଟୁ ଥାଇ ଉତ୍ତର ଦେଲି –“ଆଲୋ ମ୍ୟାଗି ଗୁଡା କଣ ଶସ୍ତା ।”
ସେ ଅପ୍ରତିଭ ହୋଇ କହିଲା “ବଡ ପ୍ୟାକେଟଟିଏ ନେଇ ଆସୁଛି ।”
“ବାଃ। ବିଶ୍ଵନିୟନ୍ତା ।ଚମତ୍କାର ସୃଷ୍ଟି ଆପଣଙ୍କର! ଆମେ ସ୍ଵସ୍ଥ୍ୟ ସଚେତନ ହୋଇ ଦେଶୀ ଜିନିଷରେ ରହିଗଲୁ ହେଲେ ଏମାନେ କେତେ ଆଧୁନିକ !”
xxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxx
କୋଭିଡ ଦ୍ୱିତୀୟ ଲହର ସରିଲା ।ବସ ଚାଲିଲା, ସ୍କୁଲ ଖୋଲିଲା।
“ଆଲୋ ମଣି, ତୋ ଝିଅ ପୁଅ ସ୍କୁଲ ଯାଉଛନ୍ତି ଟି ?”
“ହଁ ମା ‘, ହେଲେ ଅଟୋ ଭଡା ନ ଥିଲା ତ, ଆଜି ଯାଇନାହାନ୍ତି ।”
“ମାନେ ତୋ ଛୁଆ କଣ ଅଟୋରେ ସ୍କୁଲ ଯାଉଛନ୍ତି ? ସେମାନେ ‘ମୋ ବସରେ ଯାଉନାହାନ୍ତି ?ସେତେ ଦୂର ବି ତ ନୁହେଁ— ଚାଲି କରି ଗଲେ କ୍ଷତି କଣ ?” ସେ ନିରୁତ୍ତର ରହିଲା ।
ମୁଁ ମଧ୍ୟ ଭାବିଲି-“ହ ଅ ଅ ଅ — ବେଶୀ ପାଠ ପଢ଼ିଦେଲେ ଅସୁବିଧା ନା । ଆଉ କେଉଁ ମାଗଣା ଚାଉଳ ମିଳିବ ନ ମାଗଣା ଘର ଡିହ — ଛାଡ ।’
ତେବେ ଏ ହେଉଛି ସେମାନଙ୍କର ଦ୍ୱିତୀୟ ସମସ୍ୟା । ଅର୍ଥ ପ୍ରବନ୍ଧନ (money management) ର ଅଭାବ । ଆମଦାନୀ କମ
କିନ୍ତୁ ଖର୍ଚ୍ଚ କେମିତି କରାଯିବ ଓ ଅର୍ଥ କେମିତି ସଞ୍ଚୟ କରାଯିବ, ସେତକ ଜଣାନାହିଁ । ସେମାନେ ‘ଆଜି ‘ପାଇଁ ବଞ୍ଚନ୍ତି କାଲିର ଚିନ୍ତା ନ ଥାଏ ସେମାନଙ୍କୁ ।

କେତେକ ଵିଜ୍ଞଜନେ ଭାବିବେଣି , “ଭଲ ତ ।ଆଧ୍ୟାତ୍ମିକ ସାଧକ ମାନେ ତ ଏଇଆ କରନ୍ତି ।ଭକ୍ତଯୋଗୀମାନେ ସମ୍ପୂର୍ଣ୍ଣ ସମର୍ପଣ କରି ଯାହା ମିଳିଲା ସେଥିରେ ସନ୍ତୁଷ୍ଟ ରୁହନ୍ତି ।ଭଗବାନଙ୍କ ଉପରେ ସେମାନେ ସମ୍ପୂର୍ଣ୍ଣ ନିର୍ଭରଶୀଳ ।”
ଏଇଠେ ହିଁ ଆପଣମାନେ ଭୁଲ କଲେ ।ସେମାନେ ଭଗବାନ ନୁହେଁ ବରଂ କରଦାତାଙ୍କ କଷ୍ଟୋର୍ପାଜିତ ଧନ ଉପରେ ନିର୍ଭରଶୀଳ । ଯଦି ନିଜ ଇପସିତ ଦ୍ରବ୍ୟ ନ ମିଳିଲା , ତେବେ ତାହା ହଡପ କରିବାକୁ ବି ପଛାନ୍ତିନି।

ଭାରତ, ଏହି କାଳଖଣ୍ଡରେ ସବୁଠାରୁ ଭାଗ୍ୟବାନ ଦେଶ । କାରଣ ଏବେ ଭାରତରେ ଯୁବଶକ୍ତି ସବୁଠାରୁ ଅଧିକ ।ଏହି ପ୍ରଚଣ୍ଡ ଶକ୍ତିକୁ ଆମେ କିନ୍ତୁ କେମିତି ପରିଚାଳିତ କରୁଛେ? ଏହି ଯୁବଶକ୍ତି ଆଜି ଭ୍ରଷ୍ଟ, ନିଶାସକ୍ତ ଓ ନିଜ ଲକ୍ଷ୍ୟରୁ ବିଚ୍ୟୁତ ।
ତେବେ ସମାଧାନ କେଉଁଠି ?
୧) ନିଶାଦ୍ରବ୍ୟ ସେବନକୁ କଡ଼ାକଡ଼ିଭାବେ ବନ୍ଦ କରାଯାଉ । ଆଧାର କାର୍ଡ ଦେଖାଇଲେ ହିଁ କେହି ମଦ କିଣି ପାରିବେ l କହିବା ବାହୁଲ୍ୟ, ମଦ କିଣିବାକୁ ସମର୍ଥ ଥିବା ଲୋକଙ୍କୁ ମାଗଣା ଖାଦ୍ୟ ଯୋଗେଇବାର କୌଣସି କାରଣ ନାହିଁ l ହୁଏତ ଆଜିଠୁ ଚେଷ୍ଟିତ ହେଲେ ଆଗାମୀ ୨୦ ବର୍ଷ ବେଳକୁ ଆମ ସମାଜ ଅବସ୍ଥା କିଛି ସୁଧୁରିଥିବ ।
୨)ପିଲାଦିନୁ ସ୍ଵକୀୟ ଆଗ୍ରହକୁ ଦେଖି ସେଇ ଦିଗରେ ସେମନଙ୍କୁ ପରିଚାଳିତ କରିବାକୁ ହେବ। ଶିକ୍ଷା ନିକେତନଗୁଡିକରେ ନୀତିଶିକ୍ଷା କୁ ପ୍ରାଧାନ୍ୟ ଦିଆଯାଉ । ପାଟିଗଣିତରେ ସେମାନଙ୍କୁ ଦକ୍ଷ କରାଯାଉ। କମ୍ପ୍ୟୁଟରର ଘୋଷାବିଦ୍ୟା ଅପେକ୍ଷା ତାର ବ୍ୟବହାରିକ ଜ୍ଞାନ ଉପରେ ଗୁରୁତ୍ୱ ଦିଆଯାଉ ।
୩) ପିଲାଦିନୁ ଅନ୍ତତଃପକ୍ଷେ ଯେ କୌଣସି ଏକ ପ୍ରକାର କଳା ଏଵଂ ଏକ ଖେଳରେ ସେମାନେ ଦକ୍ଷତା ହାସଲ କରନ୍ତୁ।
୪)ବସ୍ତିରେ ବୁଲି ବୁଲି ଅର୍ଥ ସଞ୍ଚୟ କରିବା ଓ ଶକ୍ତି ସଂରକ୍ଷଣ କରିବା ଶିଖାଯାଉ ।
୫) “କାମ ନ କଲେ ପଡ଼ିକାର୍ଡ ବନ୍ଦ ” ଏ ବଜ୍ର ନିର୍ଘୋଷ ଶୁଣାଯାଉ । ସରକାର “job bank” (ଶ୍ରମବ୍ୟାଙ୍କ)ଖୋଲନ୍ତୁ।

ସେଇଠି ଯେ କେହି ପଞ୍ଜୀକୃତ କରେଇ ନିଜ ନିଜ ଦକ୍ଷତା ଅନୁସାରେ କର୍ମର ସନ୍ଧାନ ପାଇପାରିବେ । କାମ ଦିନିକିଆ ହେଉ ସପ୍ତାହକର ହେଉ ଅଥବା ଦୀର୍ଘମିଆଦୀ । ‘କାମ କରି ସ୍ୱାଭିମାନର ଭାତ ଖାଇବା ‘ଏ ନାରା ସବୁଆଡେ ଗୁଂଜରିତ ହେଉ।
ଏତଦ୍ୱାରା କିଛି ଛାତ୍ରଛାତ୍ରୀ ମଧ୍ୟ ପଢିବା ସହ କିଛି କିଛି କାମ କରି ଅର୍ଥ ରୋଜଗାର କରି ସ୍ୱାବଲମ୍ବୀ ହୋଇପାରିବେ। ଆଜି ମୁଁ ଏ କଥା ଲେଖୁଛି , ହୁଏତ ଅନେକଙ୍କ ମନ ମଧ୍ୟରେ ଏମିତି କେତେ ଚିନ୍ତାର ଖିଅ ଧରି ବୁଣୁଥିବେ। ତେବେ ଆଜି ଏ ମଞ୍ଜି ରୋପଣ କଲି। ଭାବୁଛି ଧୀରେ ଧୀରେ ଏହା ଏକ ବୃହତକାୟ ବୃକ୍ଷର ରୂପ ନେବ । ମୋ ଭାରତ ବର୍ଷ ଉପରୁ developing ର ଷ୍ଟାମ୍ପ ଉଠି developed ରାଷ୍ଟ୍ରର ପାଗ ଭିଡାହେବ ।

“ଜୟ ଭାରତୀ”

Leave a Reply

Your email address will not be published. Required fields are marked *