ଡଃ ବିୟତପ୍ରଜ୍ଞା ଆଚାର୍ଯ୍ୟ
ଆଜ୍ଞା ଏ ଶିରୋନାମାଟା କେମିତି ଟିକିଏ ଅଡୁଆ ଲାଗିଲା କି ? ଭାବୁଥିବେ, “ସ୍ମୃତି ର ବାସ୍ନା” ହୋଇଥା‘ନ୍ତା ସିନା— କିଛିଟା କାବ୍ୟିକ ଲାଗିଥା‘ନ୍ତା, ଓଲଟା ହୋଇଗଲା , ନାଇଁ ଆଜ୍ଞା |ମୁଁ ବାସ୍ନା ର ସ୍ମୃତି ବିଷୟରେ ହିଁ ଗପିବାକୁ ଯାଉଛି | ମାନେ କୌଣସି ବାସ୍ନା କେମିତି ମତେ ସ୍ମୃତି ଜଗତକୁ ଟାଣିନିଏ, ସେଇ କଥା | ଏଇଯେ ଦୁଇ ଦିନ ତଳର କଥା, ବାହାଘର ଭୋଜିଟିଏକୁ ଯାଇଥାଏ |ଦ୍ୱାର ମୁଁହରେ କୁନି କୁନି ଝିଅ ଦୁଇଟା ହାତରେ ମୋର ଲାଲ ଗୋଲାପଟିଏ ଧରେଇଦେଲେ | ଖାଦ୍ୟପେୟ ବ୍ୟବସ୍ଥାରେ ସାମାନ୍ୟ ବିଳମ୍ବ ହେତୁ ବରବଧୂଙ୍କ ହାତରେ ଭେଟିଟିଏ ଧରେଇ ଦେଇ ପେଣ୍ଡାଲ ସମ୍ମୁଖରେ ପଡିଥିବା କୁରସୀ ମାନଙ୍କରୁ ଗୋଟିଏ ଅଧିକୃତ କରି ଅନ୍ୟମନସ୍କ ହୋଇ ଫୁଲଟିକୁ ଶୁଙ୍ଘିବାକୁ ଲାଗିଲି | ଓଠ କୁ ଧାରେ ହସ ଚହଟି ଆସିଲା | ଗୋଲାପ ଫୁଲ ର ବାସ୍ନା ମତେ ଟାଣି ନେଇ ଯାଇଥିଲା ଅତୀତର କୌଣସି ଏକ ଦ୍ବିପ୍ରହରକୁ ମୋର ଏକ ବାନ୍ଧବୀଙ୍କ ଘରକୁ |ସେ ବାନ୍ଧବୀଙ୍କ ଅତିଶୟ ଜିଦ ଯୋଗୁଁ ନିକଟସ୍ଥ କୌଣସି ଅଫିସରେ କାମ ସାରି ତାଙ୍କୁ ଦେଖା କରିନେବି ବୋଲି ଭାବିଥିଲି |
ଆବୁରୁ ଜାବୁରୁ ଅନେକ ଗପ ଭିତରେ ବେଶ କିଛି ଜଳଖିଆ ମଧ୍ୟ ଦୁହେଁ ଉଦରସ୍ଥ କରିନେଇଥିଲୁ | ଏଥର ବାନ୍ଧବୀ ଜଣଙ୍କ କିଛି ଥଣ୍ଡା ପାନୀୟ ର ବ୍ୟବସ୍ଥା କରିବାକୁ ଉଠିଗଲେ | ଖରାଦିନ ଦ୍ବିପ୍ରହର , ବେଶ ଗରମ ଲାଗୁଥାଏ , ତେଣୁ ଏଥିକୁ ମନା କରିବାର କୌଣସି କାରଣ ନ ଥାଏ | ତେବେ ବାନ୍ଧବୀ ଙ୍କ ହାତରେ ଦୁଇ ଗ୍ଲାସ ଗୋଲାପ ବାସ୍ନାର ଥଣ୍ଡାପେୟ ଦେଖି ମୋ ପେଟଟା କେମିତି ଘାଣ୍ଟି ଚକଟି ହୋଇଗଲା | ଏତେ ଆଗ୍ରହରେ ସେ ଥଣ୍ଡାପେୟ ଧରି ଆଗେଇ ଆସୁଥାନ୍ତି ଯେ , ସେଥିରେ କେମିତି କଣ କହି ଭଟ୍ଟା ପକେଇବି ଜାଣି ପାରୁ ନ ଥାଏ | କାରଣ ଆଗରୁ ଯେତେଥର ଏ ପେୟ ପିଇଛି , ଏ ବାସ୍ନାରେ ଭୀଷଣ ଅନାଗ୍ରହ ଯୋଗୁ ଅଜୀର୍ଣ୍ଣ ହେକୁଟି ନତୁବା ବାନ୍ତି ବାନ୍ତି ମଡ଼େଇବା ଆଦି ଅନେକ ଲକ୍ଷଣ ଦେଖେଇ ମୋ ଦିନଟା ଯାକ ନଷ୍ଟ ହୋଇ ଯାଇଛି|
ପ୍ରଥମରୁ ଜାଣିଥିଲେ ଅବା ମନା କରି ଦେଇଥାନ୍ତି | ବାନ୍ଧବୀଙ୍କ ହାତରେ ଥିବା ଗ୍ଲାସ ଯୋଡ଼ାକ କ୍ରମଶଃ ବଣୁଆ ମତ୍ତହସ୍ତୀ ଭଳି ଦେଖାଗଲେ | ଏହି ସମୟ ରେ ଝଣ ଝାଣ …..
ହଠାତ ଦେଖିଲି ବାନ୍ଧବୀ ଗ୍ଲାସ ସହ ଭୂପତିତା | କାର୍ପେଟ କୋଣ ରେ ଛନ୍ଦି ହୋଇ ବାନ୍ଧବୀ ପଡି ଯାଇଛନ୍ତି | ଗ୍ଲାସ ଦୁଇଟିରୁ ଗୋଟିଏ ଚୁରମାର ଅନ୍ୟଟି ଅକ୍ଷତ | କିନ୍ତୁ ମୋ ଆତଙ୍କର କାରଣ, ସର୍ବତ, ତାଙ୍କ କାର୍ପେଟକୁ ଗୋଲାପ ବାସ୍ନାରେ ବିଧୌତ କରି ଦେଇଛନ୍ତି |
ଆହାଃ ଚୁ ଚୁ କରି ,ଭଙ୍ଗା କାଚ ସଫା କରି ଦେଇ ଅତର୍ଚ୍ଛା ହୋଇ ବାହାରି ଆସିଲା ବେଳକୁ ବାନ୍ଧବୀ ଆଉ ଥରେ ସର୍ବତ ତିଆରି କରିବାକୁ ବାହାରିଲେ | ଝଟପଟ ଥଣ୍ଡା ପାଣି ଗ୍ଲାସଟିକୁ , ପାଟିକୁ ନେଇ ନିମିଷକରେ ଶେଷ କରି ,”ଥାଉ ଆଉ କେବେ ” କହି ରିକ୍ସା ଡାକି ବସି ପଡିଲି | ରିକ୍ସା ଵାଲା କୁ ଠିକଣା କହି ଦେଲା ପରେ ଠୋ ଠୋ ହୋଇ ମନ କୁ ମନ ହସି କହିଲି ,” ଯା ହେଉ ମଣିଷ ବଂଚିଗଲା |”