ଡଃ ବିୟତପ୍ରଜ୍ଞା ଆଚାର୍ଯ୍ୟ
ସମୟ, ଦୂରତା, ସମ୍ପର୍କର ଆବେଗ — ସବୁ ଆପେକ୍ଷିକ I ଘଟଣା ପ୍ରବାହକୁ ନେଇ, ସ୍ଥାନ କାଳ ପାତ୍ର କୁ ନେଇ ସମାନ ସମୟ କେତେବେଳେ ଆଖି ପିଛୁଳାକେ ପଳାଏ ତ କେତେବେଳେ ଅସରନ୍ତି ମନେ ହୁଏ । ସେଇ ସେତକ ଦୂରତା ଯାହାକୁ ଆମେ ଆମ ଛୋଟ ସହରରେ ଧଇଁ ସଇଁ ହୋଇ ଅତିକ୍ରମ କରୁଥିଲୁ, ସେତକ ଦୂରତା ଏବେ ମୋ କାର୍ଯ୍ୟକ୍ଷେତ୍ର ଗମନାଗମନ ପଥର ଏକ–ଦଶମାଂଶ I କେତେ ସବୁ ସମ୍ପର୍କ ଯାହାକୁ ନେଇ ଆମେ ଭାବୁଥିଲୁ ଯେ, ଏ ସମ୍ପର୍କ ସବୁ ଦୂରେଇ ଗଲେ , ଭାଙ୍ଗିଗଲେ ଆମେ କେମିତି ବଞ୍ଚିବା ! ପଛକୁ ଭାବି ଚାହିଁଲେ ହସ ଲାଗେ ଏ ଭାବପ୍ରବଣତାରେ I
ହଁ , ସେଇ ଦୂରତା କଥା କହୁଥିଲି I ମୋଟ ଛ‘ କିଲୋମିଟର ବ୍ୟାସର ଆମ ସହର, ବୁର୍ଲା I ଗୋଟିଏ ମନ୍ଦିର ଥାଏ ଚାରି କିଲୋମିଟର ଦୂରରେ I ତେଣୁ ଦୂର ଲାଗେ I ବର୍ଷକୁ ଥରେ ନତୁବା ଦୁଇ ଥର ସେଥିକୁ ଯାଇ ହୁଏ I ଦୁଇ ତିନି ବର୍ଷରେ ଥରେ ଜଗନ୍ନାଥ ମନ୍ଦିର ଅବା ଲିଙ୍ଗରାଜ ମନ୍ଦିର I ବଡ ମନ୍ଦିରମାନଙ୍କରେ ପ୍ରବଳ ଭିଡ, ପଣ୍ଡାମାନଙ୍କର ଦୌରାତ୍ମ୍ୟ , ପୁଲିସର କଟକଣା ଭିତରେ କେମିତି ଯେ ମୁଣ୍ଡିଆଟେ ମାରିଦେଇ ଚାଲିଆସୁ ଜାଣି ପାରୁନା I ସେଥିରେ ପୁଣି ନିଜ ବେକର ସୁନାହାର , ମନି ପର୍ସକୁ ଧନସଂଖାଳି କରି ଜାବୁଡି ଧରିବାକୁ ହୁଏ I ନାରୀ ହୋଇଥିବାରୁ ନିଜ ଶରୀର ରକ୍ଷା ଭାର ମଧ୍ୟ ତଦୁପରି ଲଦି ହୋଇଯାଏ I କହିବା ବାହୁଲ୍ୟ, ତୀର୍ଥସ୍ଥଳରେ ପାଦ ପକେଇ ଆସିଥିବାର ଆତ୍ମସନ୍ତୁଷ୍ଟି ଟିକକ ମାତ୍ର ଥାଏ I
ଯେତେବେଳେ ଘର ପାଖରେ ମନ୍ଦିରଟିଏ ତୋଳIହେଲା, ସେତେବେଳେ ଯାଇ ମନ୍ଦିରର ପ୍ରକୃତ ମହତ୍ତ୍ୱ ଅନୁଭବି ହେଲା । ପୂଜା ସାମଗ୍ରୀ ବଢ଼େଇ ଦେଇ ମନ୍ଦିରର ଥଣ୍ଡା ଚଟ୍ଟାଣରେ ଧ୍ୟାନ କରିବାକୁ ବସିଯାଏ I ଆହାଃ ! କେତେ ଶ୍ରଦ୍ଧାଳୁଙ୍କ ପଦରଜ ପଡିଛି ଏଠି !
ଏମିତି ଦିନେ ଧ୍ୟାନ କଲା ବେଳକୁ ନାକରେ ବାଜିଲା ଏକ ପରିଚିତ ଧୁପକାଠିର ବାସ୍ନା I ସେଇ ବାସ୍ନାରେ ଓଠ ଦୁଇ ମୋର ଏକ ସ୍ମିତହାସ୍ୟକୁ ବିସ୍ଫାରିତ ହୋଇଗଲା I
କଥାଟା ଏମିତି….ଆମ ଛୋଟିଆ ସହରରେ ବଡ କଷ୍ଟରେ କଳା ବିକାଶ କେନ୍ଦ୍ରଟିଏ ଗଢି ଉଠିଥାଏ I
ମୁଁ ଠିକ ସମୟରେ ସବୁ ରବିବାରରେ ଓଡିଶୀ ନୃତ୍ୟଶିକ୍ଷା ପାଇଁ ସାଇକଲ ମା ରି ହାଜର ହୋଇଯାଏ I କିନ୍ତୁ ଆମ ଆଗରୁ ପତି ସାର ହଲ୍କୁ ସଫା କରେଇ, ଦରି ପକେଇ ଜଗନ୍ନାଥଙ୍କ ପ୍ରତିମା ଆଗରେ 4ଟି ଧୂପକାଠି ଲଗେଇ ଦେଇଥିବେ …..ଠିକ ଏଇ ବାସ୍ନାର I ଅଦ୍ଭୁତ ସେ ସମୟାନୁବର୍ତ୍ତିତା , ତ୍ୟାଗ, ବିଶ୍ଵସନୀୟତା l
ତେବେ ଯେହେତୁ ଆମ ଗୁର୍ବୀ ସମ୍ବଲପୁରରୁ ଆସନ୍ତି ବେଳେବେଳେ ଆମକୁ ଅପେକ୍ଷା କରି କରି ଫେରି ଆସିବାକୁ ହୁଏ l ବଡ ପିଲାମାନେ ଛୋଟ ପିଲାଙ୍କୁ ନୃତ୍ୟIଭ୍ୟାସ କରାନ୍ତି ଓ ପରେ ନିଜର ମଧ୍ୟ ଅଭ୍ୟାସ କରି ଘରକୁ ଫେରନ୍ତି I ବେଳେବେଳେ ସେଇ ଜଗନ୍ନାଥ ପ୍ରତିମା ପାଖେ ମେଳି ହୋଇ ଗପସପ ବି ଆରମ୍ଭ କରିଦେଉ l
ଏଇ ଯେ ଗପସପ କଥା କହିଲି, ସେଥିରେ ମୁଁ ନୀରବ ଶ୍ରୋତା ମାତ୍ର I ନିଜ ଲଜ୍ଜାଶୀଳ ସ୍ୱଭାବ ଯୋଗୁଁ ବେଶୀ ସାଙ୍ଗ ସାଥୀ ନ ଥା‘ନ୍ତି I ସେଇ ଗୋଟିଏ ଯୋଡିଏ ସାଙ୍ଗଙ୍କୁ କିନ୍ତୁ ପ୍ରାଣ ଭାରି ଭଲ ପାଏ I ସେଇ ଯେ ସମ୍ପର୍କ କଥା କହୁଥିଲି …ସେତେବେଳେ ଭାବୁଥିଲି, ଏ ସମସ୍ତ ସାଙ୍ଗମାନେ ମୋର ହୋଇ ସବୁଦିନେ ପାଖରେ ଥାଆନ୍ତୁ I ଏମାନଙ୍କ ବ୍ୟତିରକେ ଜୀବନ କଣ ଯେ ?
ଯଦିଓ ମୁଁ ନୃତ୍ୟପ୍ରବୀଣା ଥିଲି ଓ ଶିଖିବା ମାମଲାରେ ପେଟ୍ରୋଲଧର୍ମୀ ଛାତ୍ରୀ ଥିଲି, ନୃତ୍ୟ କଲା ବେଳକୁ ମୁଁ ଅତି ମନସ୍କ ହୋଇ ରହୁଥିଲି ….ତେଣୁ ନୃତ୍ୟ ନିର୍ଭୁଲ କିନ୍ତୁ ମୁହଁ ଉପରେ ଗୋଟିଏ ହେଲେ ଭାବ ଉକୁଟେ ନାହିଁ I ଆଉ ଏ ଅଭାବବୋଧକୁ ମୁଁ କୌଣସି ପ୍ରକାରେ ସୁଧାରି ମଧ୍ୟ ପାରୁ ନ ଥିଲି I ମୋତେ ଅନୁଭବ ହୁଏ, ମୁଁ ସବୁ ପ୍ରକାର ମୁଖଭଙ୍ଗୀ ଠିକ ଠିକ ଫୁଟାଇ ପାରୁଛି ପରା !
ଏମିତି ଗପସପ ବେଳେ ଜଣେ ନାନୀ କିଛି ମଜା କଥା କହିଲେ I ଆମେ ସମସ୍ତେ ହସିଲୁ , ହେଲେ ମୋ ମୁହଁ ଉପରେ ସେ ହସ ଦିଶୁ ନ ଥିଲା I
ନାନୀ କହିଲେ -“ହଇରେ, ତୋତେ କଣ ହସ ମାଡୁନି କି ?”
ମୁଁ ଆଶ୍ଚର୍ଯ୍ୟ ହୋଇ କହିଲି -“ହସୁଛି ପରା !”
ନାନୀ କହିଲେ -” ବୁଝିଲୁ, ନା ତୋ ହସ, ନା ତୋ କାନ୍ଦ କିଛି ଜଣ। ପଡିବ I ଦେଖି ଜୋର ପାଟିରେ ହସିଲୁ I”
ମୁଁ ଧୀରେ ସ୍ମିତହାସ୍ୟଟିଏ ଖେଳେଇ ଦେଲି I
ନାନୀ କହିଲେ,”ମାତ୍ର ଏତିକି ? ଆଉ ଜୋର ହସେ ।“
ଏମିତି କରି କରି ମୁଁ ଠୋ ଠୋ ହୋଇ ହସିବାଯାଏଁ କଥା ଗଲା I ହାସ୍ୟରୋଳରେ ହଲ କମ୍ପିଲା I ସେ ଦିନ ମୁଁ ଖୁବ ହସିଲି I ସଜୋରେ ହସିଲି I ସତେ ଯେମିତି କେଉଁ ଜଉମୁଦ ଦିଆ କମରା ଭିତରକୁ ହାବୁକାଏ ଥଣ୍ଡା ପବନ ଧସେଇ ପଶି ଆସିଥିଲା I ସେଇ ହସରୁ ଚେନାଏ ଓଠଧାରେ ଘରକୁ ଫେରିବା ଯାଏଁ ଲାଗି ରହିଥିଲା I
ସେତେବେଳେ ଆମ ଶିକ୍ଷା ଦୀକ୍ଷା ଥିଲା ଏହିପରି —ମଣ୍ଟେସରୀ ସ୍କୁଲ ଶିକ୍ଷା ପରି I ବଡ ପିଲାଙ୍କଠୁଁ ଛୋଟ ପିଲାମାନେ ବିନା ଦ୍ବିଧାରେ, ଖୁବ କମ ପରିଶ୍ରମରେ ଅନେକ କିଛି ଶିଖି ଯାଉଥିଲେ I ପାଟି ଗଣିତ, ଗୀତ ,ସାହିତ୍ୟ , ଖେଳ , ଚିତ୍ରକଳା, ସଂସ୍କୃତି , କିଛିଟା ବଦମାସୀ , ଦୁନିୟାଦାରୀ …କେତେ କଣ ଜ୍ଞାନ ଏମିତି ବାଣ୍ଟି ହୋଇ ଯାଉଥିଲା I କେହି ପାଠପଢା ଚାପରେ ଆତ୍ମହତ୍ୟା କରୁ ନ ଥିଲେ I ବାପା ମା‘ ସାଇକୋଲୋଜିଷ୍ଟଙ୍କ ପରାମର୍ଶ ଲୋଡୁ ନ ଥିଲେ କଥା କଥାକେ I
ସେଇ ସ୍ମିତହାସ୍ୟରେଖାର ଝଲକ ନେଇ ଆଉ ଥରେ ଠାକୁରଙ୍କ ପାଖେ ଜୋଡହସ୍ତ ହୋଇ ଘରମୁହାଁ ହେଲି l