ଆଜ୍ଞା କେଶବକୁ ଜାଣିଛନ୍ତି ? ନା‘ ମ— କୃଷ୍ଣ ମୁରାରୀ , ରସିକ ବିହାରୀ, ନଟବର କେଶବଙ୍କ କଥା କହୁନି | ଏ କେଶବ ହେଉଛି ଆମ ମେଡିକାଲ କଲେଜ କ୍ୟାଣ୍ଟିନ ମାଲିକ | ଅନାଥ କେଶବ ଜ୍ଞାନଲବ୍ଧ ହେବାଠାରୁ କୌଣସି ହୋଟେଲରେ ବାସନ ମାଜି ନିଜ ଜୀବନ ଆରମ୍ଭ କରିଥିଲା |ଅନେକ ଝଡଝଞ୍ଜା ସହି ଧୀରେ ଧୀରେ ହୋଟେଲରେ ରାନ୍ଧିଲା ଓ ତା ପରେ କ୍ୟାଣ୍ଟିନ କଣ୍ଟ୍ରାକ୍ଟ ପାଇଲା |ବର୍ଷକରୁ ଦୁଇବର୍ଷ… ପରେ ତୃତୀୟ ବର୍ଷ ପାଇଁ ମଧ୍ୟ ସେ କଣ୍ଟ୍ରାକ୍ଟ ପାଇ ଚାଲିଛି, ଛାତ୍ର ଛାତ୍ରୀଙ୍କ ଅନୁରୋଧ କ୍ରମେ |ଧୀରେ ଧୀରେ ଆମ ମେଡିକାଲ କ୍ୟାଣ୍ଟିନ “କେଶବ କ୍ୟାଣ୍ଟିନ ନାଁ‘ରେ ପରିଚିତ ହୋଇ ଉଠିଲା | କେଶବ ଖାଲି ରାନ୍ଧୁ ନ ଥିଲା ତା ସ୍ନେହ୍ନବୋଳା ହାତରେ ସତେ ଅବା ଅମୃତ କିଛି ଢାଳି ଦେଉଥିଲା | ଅନେକ ରେଗୁଲାର ଛାତ୍ରଛାତ୍ରୀଙ୍କ ପାଇଁ ତ ସେ ସନ୍ତୁଳା, ବଡ଼ିଚୁରା, ପସନ୍ଦର ଡାଲି ତରକାରୀ ମଧ୍ୟ ସସ୍ନେହେ ଆଣି ପରଶି ଦେଉଥିଲା | ହେଲେ ଏସବୁ ଉପରେ ଥିଲା ତା‘ ହାତରନ୍ଧା ସ୍ପେଶାଲ “”ମାଉଁସ ଝୋଳ” | ମୁଁ ଡେ–ସ୍କଲାର ହୋଇଥିବାରୁ ୧୨ ଟା ବେଳେ ଖାଇବା ପାଇଁ ଘରକୁ ବାହାରେ | ଭୋକିଲା ପେଟରେ ଏ “ମାଉଁସ ଝୋଳ” ର ବାସ୍ନା ନାକରେ ବାଜିଲେ ସାଇକଲ ପେଡାଲ ସ୍ୱତଃ ସେଠି ଧୀର ମନ୍ଥର ହୋଇଯାଏ | ସେହି ଝୋଳର ବାସ୍ନା ଧୀରେ ବାହି ନେଇଯାଏ ଆମ ପିଲା ବେଳର ଅଜାଘର ଚାଳ–ଛପର ଘରକୁ ଯେଉଁଠି ସବୁ ମାମୁଁ, ମାଇଁ,ମଉସା, ମାଉସୀ ଖରାଛୁଟିରେ ନିଜ ପରିବାର ସମେତ ଏକାଠି ହୁଅନ୍ତି କିଛି ଦିନ ପାଇଁ | ତା‘ ପରେ ମାମୁଁ ମଉସା ବାପା ମାନେ ଖେଳେଇ ହୋଇଯା‘ନ୍ତି ସ୍ଵ ସ୍ଵ କାର୍ଯକ୍ଷେତ୍ରକୁ | ପଛରେ ଛାଡିଯା‘ନ୍ତି ମାଇଁ , ମାଉସୀ , ମା‘ ମାନଙ୍କୁ ଏବଂ ସେଇଠି ରହୁଥିବା ଦୁଇ ମାମୁଁଙ୍କ ପରିବାରକୁ |
ସବୁ ପରିବାରରେ ଏକାଧିକ ସନ୍ତାନ | କେହି କେହି ଅର୍ଦ୍ଧଡଜନ ବା ତଦୁର୍ଦ୍ଧ୍ୱ ସଂଖ୍ୟକ ସନ୍ତାନଙ୍କର ଗର୍ବିତ ଜନକ–ଜନନୀ | ଏକାଠି ହେଲେ ଅତି କମରେ ୧୦–୧୫ ଟି ପିଲା | ସେତକ ଦିନ କଟକଣାବିହୀନ ହୋଇ ଓ ଆମ ଭିତରୁ କିଛି ବଡ ପିଲାଙ୍କର ନେତୃତ୍ୱରେ ସାଇବୁଲାଠୁ ଆରମ୍ଭ କରି ଗଛଚଢ଼ା , ନଦୀବୁଡ଼ା ଆଦି ଅନେକ କାର୍ଯ୍ୟକଳାପରେ କେମିତି ସେ ଛୁଟିଗୁଡା ବିତିଯାଏ ଜଣାପଡ଼େନି | ସୂର୍ଯ୍ୟଙ୍କର ପ୍ରଥମକିରଣ ପଡିବା ମାତ୍ରେ ଆରମ୍ଭ ହୋଇଯାଏ ବାହାଘରିଆ ଘରପରି ହଇଚଇ, କେତେପ୍ରକାର ହୁରି | ଜଣେ ଜଣଙ୍କୁ ଟପେଇ ଡକାହକା କରୁଥା‘ନ୍ତି |
“ଆରେ ଉଠରେ ସକାଳ ହେଲାଣି” , “ଦାନ୍ତକାଠି ସରିଯାଇଛି, ସେମିତି ଟିକିଏ ନାଲି ପାଉଡର ଆଙ୍ଗୁଠିରେ ନେଇ ଘଷି ଦେ” “ମୋ ବାପା ଟା ପରା“, “ମୋ ମା‘ ଟା ପରା“, “ଆରେ ପଣିକିଆ ଗଣ୍ଡାକ ଅନ୍ତତଃ ମାଗି ଦେଉଥାଅ“, “ଆଲୋ ଚା ଟା କଣ ଆଉ ୧୨ ଟା ବେଳକୁ ମିଳିବ” ଏମିତି ଏମିତି କେତେ ପ୍ରକାର ହଇଚଇ, ଦାନ୍ତଘଷା, ଜଳଖିଆ, ଗାଧୁଆ ପାଧୁଆ ସାରି ଦିନ ସାଢେ ଏଗାରରୁ ୧୨ ଟା ଭିତରେ ପୁଣି ଧାଡ଼ି କରି ଛୁଆମାନଙ୍କୁ ପିଣ୍ଡାର ଏମୁଣ୍ଡରୁ ସେ ମୁଣ୍ଡଯାଏଁ ବସେଇ ଦିଆଯାଏ | ଗୋବରଲିପା ପିଣ୍ଡା ଆଉ ପାଖରେ ରୋଷେଇଘରର କାଠଚୁଲି ଧୂଁଆ ତା ସାଙ୍ଗରେ ଗରମ ଭାତର ବାମ୍ଫ ଓ ତାତିଲା ଡାଲିର ମହକ – ଏସବୁ ମିଶି ଭୋକ ବହୁଗୁଣିତ ହୋଇଯାଏ | ଭାତ ଡାଲି ସାଙ୍ଗକୁ ପ୍ରାୟ ବଡ଼ିଚୁରାଟେ ଆଳୁ ଭାରତା କିମ୍ବା ଘାଣ୍ଟ ତରକାରୀ ଠାଏ | ଖରାଦିନ ହେତୁ ଆମ୍ବର ସମ୍ଭାର | ହେଲେ ବହୁ କୁଟୁମ୍ବି ପରିବାରରେ ଭାଗରେ ପଡେ ଚିରୁଡେ ଲେଖାଏଁ | କାହାର ଅସନ୍ତୋଷ ନ ଥାଏ କିନ୍ତୁ ଟାକୁଆଟିକୁ ନେବାକୁ ସମସ୍ତଙ୍କର କନ୍ଦଳ | ସେ କନ୍ଦଳ ପୁଣି ମେଣ୍ଟିବ ଆପୋଷ ସମାଧାନରେ ଦିନବାର ହିସାବରେ ବଣ୍ଟାବଣ୍ଟି ହୋଇ|
ସପ୍ତାହରେ ଯେଉଁ ଦିନଟିରେ “ମାଉଁସ ଝୋଳ” ହୁଏ ସେଦିନ ଖାଇବାରେ ହଇରାଣ କରୁଥିବା ପିଲାକୁ ମଧ୍ୟ ୧୧ଟା ବେଳକୁ ଭୋକ | ସେଦିନ ଆମର ସାନ ମାମୁଁ ଖାସ ପଶନ୍ତି ରୋଷେଇ ଘରେ ଏ ବିଶେଷ ବ୍ୟଞ୍ଜନ ରନ୍ଧନ ପାଇଁ |ଆଉ ସାହାଯ୍ୟ କରିବାକୁ ଥାଉ ଆମେ ବାନରସେନା|ଯେତେବେଳେ ପ୍ରେସର କୁକର ସିଟି ବାଜିଯାଏ କିଛି ପିଲାଙ୍କର ସେ ସୁଗନ୍ଧକୁ ଆକଣ୍ଠ ଆଘ୍ରାଣ କରି ନେବାର ପ୍ରଚେଷ୍ଟା ଚାଲିଥିବ ରୋଷେଇଘର ବାହାରୁ | କହନ୍ତି “ଆଘ୍ରାଣେ ଅର୍ଦ୍ଧ ଭୋଜନ” ପରା | ରନ୍ଧା ସାରିବା ପରେ ବଣ୍ଟନର ଦାୟିତ୍ୱ ମଧ୍ୟ ସେହି ମାମୁଁଙ୍କର ଏବଂ ଅପେକ୍ଷାକୃତ ନ୍ୟାୟବନ୍ତ ମୋ ବୋଉଙ୍କର | ୧୫–୨୦ ଟି ଗିନା ତାଟିଆରେ ମାଂସ ତରକାରୀକୁ ସମାନ ଭାବରେ ବାଣ୍ଟିଲା ବେଳକୁ ମୁଖର ଲାଳଗ୍ରନ୍ଥି ସବୁ ଅପେକ୍ଷାକୃତ ଅଧିକ କାମ କରିବା ଆରମ୍ଭ କରି ଦିଅନ୍ତି | ସେଦିନ ଭାତ ବି ଟିକିଏ ଅଧିକ ହିଁ ରନ୍ଧା ହୋଇଥିବ | ତଡ଼ିତ ବେଗରେ କେମିତି ସେ ଛୁଟି ଦୁଇମାସ ବିତିଯାଏ ଜଣାପଡେନି |
ଛୁଟି ର ଶେଷ ହୁଏ ପ୍ରାୟତଃ ସାବିତ୍ରୀ ରଜ ପାଳନ ସହିତ ଏବଂ ଶେଷରେ ନିଜର ଆଟାଚି, ବ୍ୟାଗମାନ ବପୁସ୍ମାନ ତଥା କେତେବେଳେ କେମିତି ଦ୍ବିଗୁଣିତ ହୋଇ ଯେତେବେଳେ ସ୍ଵ ସ୍ଵ କର୍ମକ୍ଷେତ୍ରକୁ ଫେରିବାକୁ ବାହାରୁ ସମସ୍ତଙ୍କ ଆଖିରେ ଲୁହ ଡବଡବ | ତେବେ ଆମ ପିଲାମାନଙ୍କର ବିଦାୟ ବେଳାର ବିଦାକିରେ ବେଶୀ ମନ | ଭିତରେ ଭିତରେ ହିସାବ ଚାଲିଥିବ କିଏ କେତେ ବିଦାକି ଦେଲା ଓ କିଏ କେତେ ପାଇଲା |
ଧୀରେ ଧୀରେ ପାଠ ପଢା ଚାପରେ ନିଷ୍ପେସିତ ହୋଇ ଯିବା ଆସିବା କମିଲା | ସେଠିକି ଯିବାର ସରାଗ ବି ଧୀରେ ଧୀରେ କମି ଆସିଲା ଆଈଙ୍କ ଆରପରି ଗମନ ପରେ ଆଉ କିଛି ମାମୁଁ ମାଇଁଙ୍କ ତକରାଳ ଦେଖି |
ସମୟ ପ୍ରବାହରେ ଯେ ଯାହାର ମାପଦଣ୍ଡରେ ଆଜି ଆମେ ସମୃଦ୍ଧ | ଆଉ ସେ ଗୋବରଲିପା ପିଣ୍ଡ ନାହିଁ | ସମସ୍ତଙ୍କର ମାର୍ବଲ ମୋଜାଇକ ଘର |ଡାଇନିଂ ଟେବୁଲରେ ବସି ଖିଆ…. ଧଳା ଫରଫର ଭାତ ସାଙ୍ଗକୁ ଚିକେନ ଝୋଳ , ଚିଙ୍ଗୁଡ଼ି ଭଜା କେଜାଣେ କେତେ ବ୍ୟଞ୍ଜନ , ସେଥିରୁ ବଳିଲେ ବୁଲି ବୁଲି କେତେ ରେଷ୍ଟୁରାନ୍ଟରେ ଖିଆ | କେତେବେଳେ ଚାଇନିଜ ତ କେତେବେଳେ କଣ୍ଟିନେଣ୍ଟାଲ | କିନ୍ତୁ ସେ “ମାଉଁସ ଝୋଳ” ନାହିଁ କି ସେ “ମାଉଁସ ଝୋଳ ର ବାସ୍ନା” ନାହିଁ | କେତେବେଳେ ଖାଇବାକୁ ବେଳ ନାହିଁ ତ କେତେବେଳେ ନାନାଦି ଆଦିବ୍ୟାଧିଯୋଗୁଁ ଡାକ୍ତରଙ୍କ କଟକଣା | ସତରେ କଣ ଆଉ ସେ ଦିନ ଫେରିବ ?