ଆଗରୁ ବି ଲେଖିଛି, ମୁଁ ଲେଖିକା ନୁହେଁ l ଦରକାର ପଡିଲେ କଲମ ଧରି କିଛି ଲେଖି ଦିଏ l ଏମିତି ଏକ ଜରୁରୀକାଳୀନ ପରିସ୍ଥିତିରେ ନିଜସ୍ୱ ରଚିତ ଏକ କ୍ଷୁଦ୍ରଗଳ୍ପକୁ ଏକାଙ୍କିକା ରେ ପରିଣତ କରିଥିଲି I ଆଜିର କୋଭିଡ ମହାମାରୀ ପରିସ୍ଥିତିରେ ଏ ଲେଖା ଅନେକଟା ମେଳ ଖାଇଗଲା …ତେଣୁ ଏଠି ଦେବାକୁ ସ୍ଥିର କଲି I
ଶତାବ୍ଦୀର ଶେଷ ସଂଧ୍ୟା
(ଏକାଙ୍କିକା)
ଡ: ବିୟତ ପ୍ରଜ୍ଞା ଆଚାର୍ଯ୍ୟ
ଚରିତ୍ରରେ…
ଡ: ତିସ୍ତା ( ଓଡ଼ିଆ ବିଭାଗର ଅଧ୍ୟାପିକା )
ଜିନ
ପୁପୁଲ ଓ ତିତିଲ – ତିସ୍ତାଙ୍କର ପୁଅ ଓ ଝିଅ
ମାଇମ୍ ଆକ୍ଟ- ୭ – ୮ ଜଣ ପିଲା
ଦାମିନୀ
ଦାମିନୀର ମା’ (ଊହ୍ୟ ରହି ସ୍ୱର ଶୁଣେଇ ପାରନ୍ତି )
ଶ୍ରୀମତୀ ଚତୁରୀ
ଚତୁରୀ ଙ୍କ ସ୍ୱାମୀ – ହାଡୁ
ଗୋଲୁ -ଚତୁରୀ ଙ୍କ ସାନ ପୁଅ (୭ – ୮ ବର୍ଷ)
ଶାଶୁ – ଶ୍ରୀମତୀ ଦାସ
ବୋହୂ
ମାଳତୀ ଚକରାଣୀ
ବାବା ଅଭୁତାନନ୍ଦ
୨ ଚେଲି , ୧ ଚେଲା
ଦମ୍ପତ୍ତି
ନେତା
ମୂରଲୀ ଅଟୋବାଲା
୨ୟ ଅଟୋବାଲା
ମା’
ପୋଖତୀ ଝିଅ
ବୈଠକ ଘର ଦୃଶ୍ୟ
ଡ: ତିସ୍ତା କଫି ମଗରେ ଚୁମ୍ବକ ଦେଉ ଥାନ୍ତି | ହାତରେ ଖବର କାଗଜ | ଦୌଡ଼ି ଦୌଡ଼ି ପୁପୁଲ ଓ ତିତିଲ ଙ୍କର ପ୍ରବେଶ |
ପୁପୁଲ , ତିତିଲ – ବୋଉ ବୋଉ ..ବୋଉ ବୋଉ …
ତିସ୍ତା ( ହସି ହସି ) : ..ଆରେ ..ଶାନ୍ତି ଶାନ୍ତି … କୁହ କଣ ହେଲା ?
ପୁପୁଲ: ବୋଉ Y2K ପରା ଆସୁଛି | ଆମେ କିପରି celebrate କରିବା ଯେ ?
ତିସ୍ତା: ଆରେ, ଏ Y2K ବିଷୟରେ ତୁମକୁ କିଏ କହିଲା? କଣ ବୁଝୁଛ କହିଲ?
ତିତିଲ: ଆମକୁ କଣ କିଛି ଜଣା ନାହିଁ କି ମା ? ଏଇଟା ପରା ୧୯୯୯ ସରି year ୨୦୦୦ ହେଉଛି | ମାନେ ଗୋଟେ ନୂଆ ଶତାବ୍ଦୀର ପ୍ରବେଶ | K ମାନେ ୧୦୦୦, 2K ମାନେ 2000 | year ୨୦୦୦ ହୋଇଗଲା Y2K lets welcome with a bang !.
ତିସ୍ତା: ଏତେ କଥା ତ ମୋତେ ଜଣା ନଥିଲା | ସବୁ ବର୍ଷ ପରି ଇଏ ଆଉ ଗୋଟେ ବର୍ଷର ଶେଷ , ଆଉ ପୁଣି ଗୋଟେ ନୂଆ ବର୍ଷର ଆରମ୍ଭ |
ପୁପୁଲ , ତିତିଲ- “ ନା ନା ତୁମେ ଆମକୁ ଠକି ଦେଉଛ | ଆଉ ୧୦୦ ବର୍ଷ ପର୍ଯ୍ୟନ୍ତ କଣ ଆଉ ଏମିତି ଦିନ ଆସିବ ? ଆମ ଟିଚର କହୁଥିଲେ ଆମେ ସବୁ ଭାଗ୍ୟବାନ | ଗୋଟେ ଶତାବ୍ଦୀର ଆଗମନକୁ ଆମେ ସ୍ୱାଗତ ଜଣାଇପାରୁଛେ |
ପୁପୁଲ: ବୋଉ ଚାଲନା ଆଜି କିଛି ଗୋଟେ special କରିବା | ବାପା ବି ଶୀଘ୍ର ଆସିଯିବେ ଆଜି ଅଫିସରୁ |
ତିସ୍ତା: ହଁ ରେ , ମିଠା, କ୍ଷୀରୀ ସବୁ ତ କରିକି ରଖି ଦେଇଛି | ତୁମେମାନେ ଗଲ ଟିକେ ପଢାପଢି କର | ଟିକେ ପରେ ତ ପୁଣି ଟିଭି ପାଖେ ବସିପଡିବ | ମୁଁ ଟିକେ ସନ୍ଧ୍ୟା ହେବା ଆଗରୁ ବାହାରୁ ବୁଲି ଆସେ |
ପୁପୁଲ: Y2K ଆସୁଛି ପରା | ଏବେ ସବୁ change ହୋଇଯିବ ବୋଲି ବାହାରେ କଥା ହେଉଥିଲେ | Y2K ପରେ ମୋତେ ଆଉ କଣ ପଢିବାକୁ ପଡିବ କି ?
ତିସ୍ତା ଓ ତିତିଲ ହସନ୍ତି |
ତିସ୍ତା: ସେମିତି କିଛି ରାତାରାତି ପରିବର୍ତ୍ତନ ହୁଏନି , ବୁଝିଲ ? ଯାଃ …ଏବେ ପଢ | ମୁଁ ଆସିଲେ ପୁରୀ ଛାଣିବି |
ତିସ୍ତାଙ୍କର ପ୍ରସ୍ଥାନ …
ପୁପୁଲ ତିତିଲ ଦୀର୍ଘ ନିଶ୍ୱାସ ଛାଡିଲେ ଓ ଅଣ୍ଟାରେ ହାତ ଦେଇ ତାଙ୍କ ଯିବା ବାଟକୁ ଅନେଇ ରହନ୍ତି |
ଦ୍ଵିତୀୟ ଦୃଶ୍ୟ
………….
ଜଙ୍ଗଲୀ ରାସ୍ତାରେ ତିସ୍ତା ଚାଲୁ ଚାଲୁ ଚାଲୁ ଝୁଣ୍ଟି ହୋଇ ପଡ଼ନ୍ତି |
ତିସ୍ତା: ଓଃ କଣ ପଡିଛି ମ ଏଠି !
ଝୁଣ୍ଟି ପଡି ତଳୁ କିଛି ଗୋଟାନ୍ତି |
ତିସ୍ତା : କେତେ ସୁନ୍ଦର ଦୀପଟେ ମ ! ମୋ antique collection ପାଇଁ ଆଉ ଗୋଟେ ଜିନିଷ ମିଳିଗଲା | ଆଃ! ଟିକିଏ ପୋଛିଦିଏ |
ପଣତ କାନିରେ ଧରି ଭଲକି ପୋଛି ଦିଅନ୍ତି | ସୁ…. ସୁ…. ହୋଇ ଧୂଆଁ ଖେଳେଇ ଯାଏ |
ଜିନ ଆବିର୍ଭୁତ …..
ଜିନ: (echoed voice) ହୁକୁମ ମେରେ ଆକା , ତିସ୍ତା ପାଟି ଆଁ… କରି ଅନେଇ ଥାନ୍ତି |
ଆଉ ଥରେ ଜିନ କହେ ,
ହୁକୁମ ମେରେ ଆକା
ତିସ୍ତା : ଆଁ… ଆଁ ..ତୁମେ …ତୁମେ କିଏ ?
“ମୁଁ କେଉଁଠି ?”
“ତୁମେ କେଉଁଠୁ ଆସିଲ ?”
“କ’ଣ ଦରକାର ତୁମର ? “
ଜିନ: ହାଃ ହାଃ ….”ମୋର କିଛି ଦରକାର ନାହିଁ |
ଆପଣଙ୍କର କ’ଣ ଦରକାର କୁହନ୍ତୁ | ଆପଣ ଧରିଛନ୍ତି କୁହୁକ ଦୀପ |
ମୁଁ ଥିଲି ତା’ ଭିତରେ ବନ୍ଦୀ |ଏବେ ବାହାରକୁ ଆସିଛି ଆପଣ ଦୀପକୁ ଘଷି ଦେବାରୁ | ପୁରଣ କରିବି ଆପଣଙ୍କର ୩ ଟି ଇଛା | ଆଜି ଶତାବ୍ଦୀର ଶେଷ ସଂଧ୍ୟାରେ ଆପଣଙ୍କର ଏଇ ଶେଷ ୩ ଟି ଇଚ୍ଛା ପୂରଣ କରିବାର ବେଶ ସୁଯୋଗ ଆସିଛି |
ତିସ୍ତା: “ମୁଁ ସ୍ବପ୍ନ ଦେଖୁଛି ନା କ’ଣ ( ନିଜକୁ ଚିମୁଟି ପକାନ୍ତି ) ..ଆଃ ନାଁ ତ ସତ |
ତାହେଲେ କୁହୁକ ଦୀପ କିଛି କାଳ୍ପନିକ ତଥ୍ୟ ନୁହଁ | ସତରେ ତୁମେ ମୋର ଇଚ୍ଛା ପୂରଣ କରିବ!
ରୁହ ରୁହ , ତୁମ କଥା ମୁଁ କାହିଁକି ମାନିବି ସତ ବୋଲି ? ଆମେ ପଢିଥିବା ଜିନ ତା ଆକାଶଛୁଆଁ ଉଚ୍ଚ, ବିରାଟ, ଭୀଷଣକାୟ ଚେହେରା , ଲଣ୍ଡା ମୁଣ୍ଡରେ ଗୋଟେ ଚୁଟି , ଏମିତି କେତେ କଣ ? ତୁମେ ତା ସାଧାରଣ ମଣିଷ ପରି ଦେଖାଯାଉଛ |
ଜିନ : ହାଃ …ହାଃ | ଆଜ୍ଞା ଆଜି ଜମାନାରେ ମୁଁ ମୋ ଅସଲି ରୂପ ଧରି ଆପଣଙ୍କ ଆଗେ ଉଭା ହୋଇଥିଲେ ଆପଣ ଚେତା ନ ବୁଡି ରହିଥାନ୍ତେ ତ ?
ଏବେ କୁହନ୍ତୁ ଆପଣଙ୍କର ୩ ଟି ଇଚ୍ଛା ( ଭିଡିମୋଡି ହୁଏ )
ଏ ବିଚରା ଜିନ ୩୦୦୦ ବର୍ଷ ପରେ ଆଜି ବାହାରିଲା |
ତିସ୍ତା : ୩୦୦୦ ବର୍ଷ ! ତେବେ ଆଜି ଶତାବ୍ଦୀର ଶେଷ ସନ୍ଧ୍ୟା ବୋଲି କିଏ କହିଲା ତୁମକୁ ?
ଜିନ : ହାଃ… ହାଃ ମୁଁ ଜିନ ପରା ! ଆଉ କିଛି ଅଧିକ କହିବା ଦରକାର ?
ତିସ୍ତା : ଓଃ ହଁ ହଁ…. ତେବେ ୩ ଟି ଇଚ୍ଛା କାହିଁକି ? …ତୁମେ ତ ମୋର ସବୁ ଇଚ୍ଛା ପୂରଣ କରିବା କଥା |
ଜିନ : ( ହସେ ) ମୁଁ ଆପଣଙ୍କର ଗୋଲାମ | ଜଣେ ମହାମୁନୀଙ୍କ ଅଭିଶାପ ଲାଗି ମୁଁ ଏ ଦୀପ ଭିତରେ ବନ୍ଦୀ ଥିଲି | ଆପଣଙ୍କର ଇଚ୍ଛା ତିନୋଟି ପୂରଣ କରିବା ମାତ୍ରେ କାଲି ସୂର୍ଯ୍ୟୋଦୟ ହେବାମାତ୍ରେ ମୋର ଗୋଲାମୀର ଅନ୍ତ ହେବ |
ତେବେ ତିନୋଟି ଇଚ୍ଛା ଭାବିଚିନ୍ତି କହିଲେ, ତା ଭିତରେ ଆପଣଙ୍କର ଅନେକ ଇଚ୍ଛା ପୂରଣ ହୋଇପାରେ |
ତିସ୍ତା : ତେବେ ମୁଁ ଟିକେ ଭଲ କରି ଭାବେ | ଚାଲ ଆମ ଘର ଆଡେ | ଟିକେ ବସି ମୁଁ ଚିନ୍ତା କରିନେବି – ଆଉ ତୁମକୁ ବି ଭୋକ ଲାଗୁଥିବ( ଟିକିଏ ରହି ) … ତୁମେ ଖାଅ ତ ?
ଜିନ: ହାଃ ହାଃ ହାଃ … ଏତେ ଦିନେକେ ମତେ ଦରଦୀ ଆକା ମିଳିଛନ୍ତି | ନିଶ୍ଚୟ ଖାଇବି | ଚାଲନ୍ତୁ |
ତୃତୀୟ ଦୃଶ୍ୟ
ଜିନ ଓ ତିସ୍ତାଙ୍କର ବୈଠକ ଘରକୁ ପ୍ରବେଶ । ପୁପୁଲ, ତିତିଲ ଅତର୍ଚ୍ଛା ଟିଭି ରିମୋଟରେ ଟିଭି ଟା ବନ୍ଦ କରିଦେଇ ମୁହଁ ପୋତି ବସି ପଢା ଆରମ୍ଭ କରିଦିଅନ୍ତି ।
ତିସ୍ତା ମୁଚୁକି ହସନ୍ତି ।
ତିସ୍ତା : ” ହଁ, ହଁ , ଜାଣିଛି, କେମିତି ସବୁ ପାଠ ପଢ଼ୁଛ । ଏବେ ଯାଅ ବାହାରେ ଖେଳ । ଭଲ Y2K ହେଲାରେ ବାବା ।
ପୁପୁଲ, ତିତିଲ ଜିନକୁ ଗୋଡ଼ରୁ ମୁଣ୍ଡଯାଏ ଅନେଇ ଅନେଇ ବାହାରକୁ ପଳାନ୍ତି ଆଉ ନିଜ ଭିତରେ ଠରାଠରି ହୁଅନ୍ତି ।
ଜିନ ହସିହସି ସୋଫାରେ ବସନ୍ତି ।
ତିସ୍ତା ଜଳଖିଆ ହସ୍ତେ ବୈଠକଘରେ ପ୍ରବେଶ ହୁଅନ୍ତି।
ଜିନ: ଭଲକରି ଭାବିଚିନ୍ତି କହିବେ । (ଟିକେ ଗର୍ବରେ ) ଇଚ୍ଛାଗୁଡିକ ଥରେ ପାଟିରୁ ବାହାରିଗଲେ ମୁଁ ସେଗୁଡିକ ପୂରଣ କରିବାକୁ ବାଧ୍ୟ ।
ତିସ୍ତା: ହଁ, ହଁ ନିଶ୍ଚୟ ।
ଜିନ ଖାଇବାରେ ମନୋନିବେଶ କରେ । ତିସ୍ତା ମଞ୍ଚର ସମ୍ମୁଖକୁ ଆସି ଜିନ ସହ ବାର୍ତ୍ତାଳାପ କରନ୍ତି ଚାରଣା କରି କରି ।
ତିସ୍ତା : କଣ ମାଗିବି — କଣ ମାଗିବି —
” ଗୋଟିଏ ପେଟି ଅଙ୍ଗୁର ମାଗିବି ? ଅଙ୍ଗୁର କେଜି ଏବେ ୧୦୦ ଟଙ୍କା ।
(କପାଳରେ କରାଘାତ କରନ୍ତି ) ହେଃ ! ଛୋଟବୁଦ୍ଧିଗୁଡା ଗଲାନି ।
ହଁ — ଯାଉଛି ଘରଭର୍ତ୍ତି ବହି ମାଗିବି ।
ନା ମ… ଆଖି ପାୱାର ଆସି -୫ ରେ ପହଞ୍ଚିଲାଣି , ଆଉ |
ଆଚ୍ଛା…. ଏ ସବୁ ମୂଳରେ ତ ରହିଛି ପଇସା | ଅପର୍ଯ୍ୟାପ୍ତ ଧନ ମାଗିବି | କେତେ ମାଗିବି , ୫ ଲକ୍ଷ | ହେଃ! ଏତେ କମ | ନା ୫ କୋଟି ମାଗିବି |
ବାବାରେ ! ଯଦି ଭିଜିଲାନ୍ସ ଚଢ଼ାଉ କଲା ? ମନ୍ତ୍ରୀମାନେ ପଛକେ ଦେଶକୁ ଖୋଳ କରି ଦିଅନ୍ତୁ , ୫୦୦ କୋଟି ଖାଇଯାନ୍ତୁ ସେମାନଙ୍କର କିଛି ହବନି | ଆଉ ଆମ ପାଖେ ପଇସା ଦେଖିଲେ ସିଧା ନେଇ ଜେଲ ରେ ଭରିଦେବେ | ସେତେବେଳେ କିଏ ଶୁଣିବା ଏ କୁହୁକ ଦୀପ କଥା |
ଜିନ ଦୂରରୁ ଜଳଖିଆ ଖାଇ ଖାଇ ମୁଚୁକି ହସୁଥାନ୍ତି | .. ଏଥର ତିସ୍ତା ମନକୁ ସ୍ଥିର କରିନେଇ ଜିନ ଆଡକୁ ଆଗାନ୍ତି |
ତିସ୍ତା: ହଁ ……ଭାବିନେଲି | ଶୁଣ ମୋର ୩ ଟି ଇଚ୍ଛା |
ଏକ – ସାରା ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ହେଉ |
ଦୁଇ – ମୋ ଦେଶ ଭାରତ, ବିଶ୍ୱରେ ସବୁଠୁ ଅଗ୍ରଣୀ ରାଷ୍ଟ୍ର ହେଉ, ଧନଧାନ୍ୟ ରେ ପୂର୍ଣ୍ଣ ହେଉ |
ତିନ – ମୋ ରାଜ୍ୟ ଓଡିଶା, ଆମ ଦେଶ ଭିତରେ ସବୁଠୁ ପ୍ରଗତିଶୀଳ ହେଉ |
ଜିନ ମୁଣ୍ଡ ତଳକୁ ପୋତିଦେଲେ |
ତିସ୍ତା: କ’ଣ ହେଲା ଚୁପ ରହିଲ ଯେ ! ୩ ଟି ଇଚ୍ଛା ତ ଭାବିଚିନ୍ତି କହିଲି |
” ସର୍ବେ ଭବନ୍ତୁ ସୁଖିନଃ , ସର୍ବେ ଭବନ୍ତୁ ନିରାମୟାଃ … ସର୍ବେ ଭଦ୍ରାଣି ପଶ୍ୟନ୍ତୁ , ମା କଶ୍ଚିଦ୍ ଦୁଃଖଭାଗଭଵେତ | ”
ବିଶ୍ୱଶାନ୍ତି ପ୍ରତିଷ୍ଠା ହେଲେ ଧରା ମୋର ହସି ଉଠିବ | ଯୁଦ୍ଧ, ସୀମାରେଖା, କ୍ଷୁଧା, ଦୁଃଖ ଆଦି ଶବ୍ଦ ଅଭିଧାନରେ ହିଁ ରହିଯିବ | ତା ଦ୍ୱାରା ମୁଁ ଆପେ ସୁଖୀ ହୋଇଯିବିନି କି ?
ମୋ ଭାରତଭୂମି – ଦେବଭୂମି, ପୁଣି ତାର ଗୌରବ ଫେରି ପାଇବ, ତାଠୁ ବଳି ମୋ ପାଇଁ ଖୁସି କଣ ହେବ?
ମୋ ମାଟି ଓଡିଶା …ପୁଣି ତାର ହୃତ ଗୌରବ ଫେରି ପାଇବ, ମୋତେ ଆମ ସ୍ୱାଭିମାନ ଇତିହାସ ବହିରେ ଖୋଜିବାକୁ ପଡ଼ିବନି | ଓଡିଶା ବାହାରେ ରହୁଥିବା ଓଡ଼ିଆ ନିଜକୁ ଓଡ଼ିଆ ଭାବେ ପରିଚୟ ଦେବାକୁ ଓହରିବେନି |
ହୁଏତ ମୁଁ ସବୁଠାରୁ ଧନୀ ବା ସମୃଦ୍ଧ ହେବାକୁ ଚାହିଁନି, ହେଲେ ଏ ସାମଗ୍ରିକ ଉନ୍ନତିରେ ମୋର ସମୃଦ୍ଧି ଅବଶ୍ୟ ହେବ |
ଜିନ ତଥାପି ଚୁପ | ଲଜ୍ଜିତ ହୋଇ ମୁଣ୍ଡ ତଳକୁ ପୋତି ଠିଆ ହୋଇଥାଏ ……….
ତିସ୍ତା: ଆରେ ତୁମେ ଚୁପ ଯେ? ୩ ଟି ଇଚ୍ଛା ତ କରିଛି ମାତ୍ର |
ଜିନ: (ଦୁଃଖରେ) ମୋ ଜୀବନକାଳରେ ଏଭଳି ପରାଜୟର ମୁହୂର୍ତ୍ତ ଆସି ନଥିଲା | ମୁଁ ଆପଣଙ୍କର କୌଣସି ଗୋଟିଏ ବି ଇଚ୍ଛା ପୂରଣ କରିବାକୁ ଅସମର୍ଥ | ଆପଣ ଅନ୍ୟ କିଛି ମାଗନ୍ତୁ | ଘରଭର୍ତ୍ତି ଟଙ୍କା , ଦୁନିଆର ସବୁଠୁ ମହାଙ୍ଗା କାର , world tour କିଛି ବି ମାଗନ୍ତୁ —-ନ ହେଲେ ମୋର ଏ ଦୀପ ରୁ ମୁକ୍ତି ନାହିଁ |
ତିସ୍ତା: ଆଶ୍ଚର୍ଯ୍ୟ! ମୋର ଗୋଟିଏ ବି ଇଚ୍ଛା ପୂରଣ କରି ପାରିବନି? ମୁଁ କେତେ ଆଶା ବାନ୍ଧିଥିଲି |
ଜିନ: ଆପଣଙ୍କର ପ୍ରଥମ ଇଚ୍ଛା –ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ହେଉ, ହେଲେ ମୁଁ ମୋର ଦିବ୍ୟଦୃଷ୍ଟିରେ ଦେଖି ପାରୁଛି ଯେ ଆଗାମୀ ଶତାବ୍ଦୀରେ ତୃତୀୟ ବିଶ୍ବଯୁଦ୍ଧ ଅବଶ୍ୟ ହେବ | ଆଗାମୀ ଶତାବ୍ଦୀ ହେବ ପ୍ରବଞ୍ଚନାର ଶତାବ୍ଦୀ…
ଆଉ ମଧ୍ୟ ମୁଁ ଦେଖୁଛି, ଏ ଯୁଦ୍ଧ ଖଣ୍ଡା ତଲ୍ୱାର ର ଅଥବା ବୋମାର ନୁହେଁ …ଏହା ଏକ ସୂକ୍ଷ୍ମସ୍ତରୀୟ ଯୁଦ୍ଧ, ଯେଉଁଥିରେ ବଳ ନୁହେଁ ବୁଦ୍ଧି, ବରଂ କୁବୁଦ୍ଧି ର ପ୍ରୟୋଗ ହେବ |
କ୍ରମଶଃ ….
ଚତୁର୍ଥ ଦୃଶ୍ୟ..
ମୂକ ଅଭିନୟ (Mime act)
ଆମେରିକା ଟଙ୍କା ଦେଇ ଦେଶ ଦେଶ ଭିତରେ ଲଢ଼େଇ କରାଏ | ପରେ ଭସ୍ମାସୁର ସାଜି ସେଇ ଦେଶ ହିଁ ଆମେରିକାକୁ ନଷ୍ଟ କରେ | ….
ପଞ୍ଚମ ଦୃଶ୍ୟ:
ଜିନ: ଦେଖିଲେ ତ ଏ ହେଉଛି ବିଶ୍ୱର ଭବିଷ୍ୟତ | ଈର୍ଷ୍ୟା ବୁଣିବ ଅବିଶ୍ୱାସର ମଞ୍ଜି | ଦେଶ ଦେଶ ଭିତରେ ହେବ ଲଢ଼େଇ | ମୃତ୍ୟୁ ହେବ ଜୀବନଠୁଁ ଶସ୍ତା | ସବୁ ରାଷ୍ଟ୍ର ହେବେ ସ୍ୱାର୍ଥବାଦୀ |
ଆଜ୍ଞା ମୁଁ ଜିନ ..ଭଗବାନ ନୁହଁ |
ଆପଣଙ୍କର ଦ୍ୱିତୀୟ ଇଚ୍ଛା ଥିଲା ଭାରତକୁ ଏକ ପ୍ରଗତିଶୀଳ ଧନଧାନ୍ୟରେ ଭରା ଦେଶରେ ପରିଣତ କରିବା |
ଦେଖନ୍ତୁ ଆମ ପ୍ରଗତିର ନମୁନା … ସ୍ପଟଲାଇଟ ପଡେ ମଞ୍ଚର ଅପରାର୍ଦ୍ଧରେ |
ମା : ଦାମିନୀ , ଗାଧେଇଲୁ ? ଶୀଘ୍ର ଆ …ଖାଇବୁ |
ଦାମିନୀ ( ତର ତର ହୋଇ ପ୍ରବେଶ ) : ନାଁ ମା’ ଆଜି ଥାଉ | ମୋର ଡେରି ହୋଇ ଗଲାଣି ପରା | ଆୟୁଷ ଅପେକ୍ଷା କଲାଣି ବାହାରେ | କାଲି ରାତି ଗୋଟେ ବାଜିଗଲା ଯେ , ଆଜି ଉଠୁ ଉଠୁ ଏତେ ଡେରି ହୋଇଗଲା |
ମା: ଆରେ ଟିକେ ଜଲ୍ଦି ଶୋଉନୁ |
ଦାମିନୀ: ଆଜି ଅନାଟୋମି ଟେଷ୍ଟ ଅଛି ପରା ମା | Bye bye ……ଚାଲିଲି | ଏଇ sandwitch ଟା ନେଇ ଯାଉଛି | ବାଟରେ ଖାଇଦେବି |
ମା: ଓହୋଃ କି ମେଡିକାଲ ପାଠ ପଢିଲା ମୋ ଝିଅ | ବଙ୍ଗଳାରେ ପରା କୁହନ୍ତି – ‘ ଢୁକତେ କଷ୍ଟୋ ‘ , ‘ ଢୁକଲେ କଷ୍ଟୋ , ବେରୀତେ କଷ୍ଟୋ , ବେରିଲେ ଓ କଷ୍ଟୋ | ହେ ପ୍ରଭୁ , ହେ ଜଗନ୍ନାଥ , ମୋର ଝିଅର କଷ୍ଟ କୁ ଟିକିଏ ଦେଖ | ତୁମେ ହିଁ ଆମ କର୍ତ୍ତା , ହର୍ତ୍ତା , ଭାଗ୍ୟବିଧାତା |
ଷଷ୍ଠ ଦୃଶ୍ୟ
ଦାମିନୀ ଓ ଆୟୁଷ ଶୀଘ୍ର ଶୀଘ୍ର ଚାଲି ପାଠ ଆଲୋଚନା କରୁଥାନ୍ତି |
ଦାମିନୀ: femur head anatomy କହିଲୁ |
ଆୟୁଷ: ରହ ମୋର ଆଉ revision କରାନା | ନିଜେ ତ ସବୁ ପଢିକି ଆସିଛୁ, ସେଥିଲାଗି ଫୁଲେଇ ହେଉଛୁ |
ଦାମିନୀ: ନାଁ ରେ, really କିଛି ବି ମନେ ରହୁନି | ଆଜି ପୁରା fail ହୋଇଯିବି ଲାଗୁଛି | ଆଚ୍ଛା … କାଇଁ ଗୋଟେ ବି ବସ ଦେଖୁନି ତ | କଥା କଣ ଆଜି?
ଆୟୁଷ: ରହ ଆସିବ ଯେ …ହେଇ ସେଇଠି ଗୋଟେ ବସ ଆସୁଛି | ହଁ .. 153 ତ | wow! ପୁରା ଖାଲି ଥିଲା ପରି ଲାଗୁଛି |
ଦାମିନୀ: ଚାଲ ଶୀଘ୍ର | ….
ବସ ରହିବା ଶବ୍ଦ…… ଘଣ୍ଟି ବାଜେ | ପୁଣି ବସ ଚାଲିବା ଶବ୍ଦ | ସ୍ପଟଲାଇଟ ତଳେ କେବଳ ଦାମିନୀ |
ଦାମିନୀ: ଆରେ, ମୋ ସାଙ୍ଗ ରହିଗଲା | please ଟିକିଏ ବସ ରଖ | ଆଜି ଆମ test | ସବୁ ଚୁପ |
ଦାମିନୀ (ଭୟମିଶା ଚାହାଣିରେ ଆଖପାଖକୁ ଅନଉଥାଏ): ଏ ବସଟାରେ ଏତେ କମ ଲୋକ କାହିଁକି ?
ଦାମିନୀ: ଏ ବସଟା ମେଡିକାଲ କଲେଜ ଯିବ ତ?
ଗୁଣ୍ଡା (୧): ନିଶ୍ଚୟ ଯିବ sweety ….. କଣ ଯିବଟି? (ପରସ୍ପରକୁ ଚାହିଁ ଆଖି ମାରନ୍ତି)
ଗୁଣ୍ଡା (୨ ) : ହେଲେ ଆମ ସଙ୍ଗେ ଆଗ ଟିକିଏ ‘ ଦିଲ୍ଲୀଦର୍ଶନ ‘ କରିନିଅ |
ଦାମିନୀ : ବସ ରଖ ( ରାଗିକରି ) | ମୁଁ ଏଇଠେ ଓଲ୍ହେଇବି | ମୋର already ଡେରି ହେଲାଣି | ମୋର test ଅଛି |
ଗୁଣ୍ଡା (୩ ) : ଭାଇ ଆଜି କାହା ମୁହଁ ଚାହିଁ ଉଠିଥିଲ କି ? ଉମ …ମସ୍ତ ମାଲଟେ ମ …
ଦାମିନୀ : (ରାଗିକରି ) : ବସ ରଖ | ରଖ କହୁଛି |
ଗୁଣ୍ଡା (୧): ହଁ ରଖି ଦେବାନି କି ? ଆମ ସଙ୍ଗେ କିଛି ବାଟ ବୁଲିଲେ କି ଅସୁବିଧା sweety |
ଦାମିନୀ ( କାକୁତି ମିନତୀ ହୁଏ ), ( ଭୟମିଶା ସ୍ୱର ) : ବସ ରଖିଦିଅନ୍ତୁ please ….
୩ ଗୁଣ୍ଡା ମିଶି ଜୋର ଅଟ୍ଟହାସ କରନ୍ତି | ଦାମିନୀ ଚାରିପାଖେ ବୁଲନ୍ତି | ଦାମିନୀର ଭୟମିଶା ଚାହାଣି |
୩ ଗୁଣ୍ଡା stage ପଛ କରି ଦାମିନୀ କୁ ଘେରି ନିଅନ୍ତି | ବିଭିନ୍ନ ପ୍ରକାର କଥା ଓ ଦାମିନୀର ଚି଼କ୍କାର | (ଦାମିନୀର ଛିଡା କପଡା ଉଡ଼େ ଖଣ୍ଡ ଖଣ୍ଡ ହୋଇ) |
ଦାମିନୀ : ମା …. ମରିଗଲି ମା ( କାନ୍ଦି କାନ୍ଦି ସ୍ୱର କ୍ଷୀଣ ହୋଇଯାଏ )
ଗୁଣ୍ଡା (୧ ) : ଆବେ ମରିଗଲା କି ଶାଳୀ |
ଗୁଣ୍ଡା (୨): ବାହାରକୁ ଫିଙ୍ଗିଦିଅ ବେ | ଶଳା ଲଫଡା ହେଇଗଲା | ଆବେ ଏମିତି ପଶୁ ହେଇଯିବାକୁ କିଏ କହିଲା ?
ଗୁଣ୍ଡା ( ୩ ) : ଛାଡେ ବେ , ସେ time ରେ ମୁଣ୍ଡରେ କଣ କିଛି ପଶେ ? ଆଗ ୟାକୁ ବାହାରକୁ ଉଠେଇ ଫିଙ୍ଗ | ୪ ଦିନ ପର୍ଯ୍ୟନ୍ତ ଘରୁ ବାହାରିବା ବନ୍ଦ | ବସକୁ garage ପଠେଇଦେବା |
ଅନ୍ୟମାନେ ହଁ ହଁ ସେଇଆ ଠିକ | ଦାମିନୀ ପଡି ରହିଥାଏ …..କ୍ଷୀଣ ସ୍ୱରରେ ପାଣି …ପାଣି …. ମା ( ଟିକିଏ ସକ ସକ ହୋଇ କାନ୍ଦୁଥାଏ ) | ସ୍ୱାମୀ ସ୍ତ୍ରୀ ରାସ୍ତା ଦେଇ ଯାଉଥାନ୍ତି |
ସ୍ୱାମୀ : ଓଃ ଭଗବାନ , କି ଯେ ଅବସ୍ଥା ଝିଅଟାର | ମୋବାଇଲ କାଢି number dial କରେ |
ସ୍ତ୍ରୀ : ( ମୋବାଇଲ ଛଡେଇ ଦିଏ ) କଣ କରୁଛ ?
ସ୍ୱାମୀ : ପୋଲିସ ଓ ଆମ୍ବୁଲାସ କୁ ଖବର ଦିଏ | ସ୍ତ୍ରୀ : ପାଗଳ ନା କଣ ? କିଏ ସେ ପୋଲିସ ଧନ୍ଦାରେ ପଶିବ ? ପାପୀମାନେ ତ କାହିଁ କୁଆଡେ ଗଲେ | ଆମକୁ କିନ୍ତୁ ପାପ କଲାପରି ଥାନାରେ ବସେଇ ରଖି ଆସାମୀ ପରି ହଜାରେ ଜେରା କରିବେ | ଆଉ ଏ ଝିଅ ବି କେମିତିକା ହୋଇଥିବା କିଏ ଜଣେ …ଯାହା ଡ୍ରେସପଟା ହେଲାଣି ଆଜିକାଲି ଝିଅମାନଙ୍କର ….
ସ୍ୱାମୀ: ନା, ସେଭଳି ତ ଲାଗୁନି ଝିଅ ଟା …
ସ୍ତ୍ରୀ : ସେ କେମିତି ଭଳି ବା ହେଉ | ଆମେ ଏଠି ଆଉ ଦଣ୍ଡେ ରହିବାନି |
ଆହୁରି ୨ – ୩ ଜଣ ଏପଟ ସେପଟ ହୋଇ ସେ ଜାଗା ଦେଇ ଯାନ୍ତି | ଦାମିନୀ ଆଡେ ନଜର ପକେଇ ନାକରେ ରୁମାଲ ଦେଇ ଚାଲିଯାନ୍ତି |
ଏକ ଫକୀରର ପ୍ରବେଶ | ଅଲମସ୍ତ ହୋଇ ଗାଉଥାଏ | ମୌଲା ମେରେ ମୌଲା … ଦାମିନୀକୁ ଦେଖେ |
ଫକୀର : ୟା ଆଲ୍ଲାହ , କେଉଁ ପାଷଣ୍ଡର କାମ ଇଏ | ନିଜର ଆଲଖାଲା କାଢି ଘୋଡେଇ ଦିଏ |
ଫକୀର : ଆରେ କିଏ ପାଣି ଟିକିଏ ଦିଅ | କେହି ଟିକେ ambulance କୁ ଡାକ | ଏମିତି ପଥର ହୁଅନି | ତୁମର ବି ମା ଭଉଣୀ ଅଛନ୍ତି ରେ ( କାନ୍ଦି କାନ୍ଦି ଫକୀର ଏକଡ ସେକଡ ଧାଉଁଥାଏ )
ସପ୍ତମ ଦୃଶ୍ୟ
ଦାମିନୀର ଫୋଟୋରେ ଫୁଲମାଳ । କିଛି ଲୋକ candle light march କରୁଥାନ୍ତି । ମା’ ର ବୁକୁଫଟା କାନ୍ଦ ଫୋଟୋ ପାଖରେ।
ଜିନ ଓ ତିସ୍ତାଙ୍କର ପ୍ରବେଶ ।
ଜିନ: ଏ ହେଉଛି ଆଜିର ଭାରତ । କେତେ ଦାମିନୀଙ୍କର କୋହ ଏମିତି ଅନ୍ଧାରରେ ସକ ସକ ହୋଇ ମିଳେଇ ଯାଉଛି । କିଛି ଦାମିନୀଙ୍କର କାହାଣୀ ବାହାରକୁ ଆସୁଛି…. candle ମାର୍ଚ୍ଚ, ରାଲି , ଧାରଣାରେ ଆରମ୍ଭ ହେଉଛି ଏ ସବୁର ବିରୋଧ—- ଧୀରେ ଧୀରେ ଖବରକାଗଜରେ ପ୍ରଥମ ପୃଷ୍ଠାରୁ ଶେଷ ପୃଷ୍ଠାକୁ ଯାଇଁ କେଉଁ ଏକ କୋଣରେ ନିଶ୍ଚିହ୍ନ ହୋଇଯାଉଛି । ହଁ ଅବଶ୍ୟ ଅନେକ ପ୍ରଶ୍ନମଞ୍ଚ, T.V. news channel, mediaକୁ ବେଶ କିଛିଦିନପାଇଁ ଖୋରାକ ମିଳିଯାଉଛି ।
ଜିନ: ଦେଖନ୍ତୁ ଆଊ ଏକ ରୂପ ଆଜିର ଭାରତର। ଦୁର୍ନୀତିର ଜାଲ ବୁଣି ହୋଇ ଚାଲିଛି । କେହି ଏଥିରୁ ମୁକ୍ତ ନୁହନ୍ତି । ଏଇ ଚତୁରୀ ମାଡାମ ହେଉଛନ୍ତି ମହିଳା ସରପଂଚ ଆଉ ଏଇ ତାଙ୍କ ମଦ୍ୟପ ସ୍ୱାମୀ ହାଡୁ ବାବୁ ।
ଅଷ୍ଟମ ଦୃଶ୍ୟ
ଶ୍ରୀମତି ଚତୁରୀ – ନିପଟ ମଫସଲି ଚେହେରା ସେଥିରେ ମାତ୍ରାଧିକ ପାଊଡର ଓ ଲିପିସ୍ଟିକର ପ୍ରଲେପ ।
ଶ୍ରୀମତି ଚତୁରୀ: ହେଇଟି ଶୁଣୁଛ — ମୁଁ ଯାଉଛି ଆମ ମହିଳା ସମିତି meeting ରେ । ଆଜି ନିଶା ନିବାରଣ ରାଲି କରିବୁ, ଆଉ ମଦ ଦୋକାନ ଭାଙ୍ଗିବୁ । ଗୋଲୁ ଶୋଇଛି—- ଟିକେ ଦେଖୁଥିବ — ହେଲା ?
ଶ୍ରୀମାନ ହାଡୁ: ଏଁ! କାଲି ପର୍ଯ୍ୟନ୍ତ ରୋଷେଇବାସ ସାରି ମୋତେ ପେଏଗ ବନେଇ ଦେଉଥିଲା । ଆଉ ଆଜି ନାରୀନେତ୍ରୀ କ’ଣ ହେଲା ଯେ, ମୋତେ ମୋଟେ ଖାତିର କରୁନି ! ପୁଣି ଛୁଆ ଜଗିବାକୁ ବି କହିଲାଣି ! ହଉ — ଯାଏ ଗୋଟେ ପେଗ ମାରିଦେଲେ ମୁଣ୍ଡ ଥଣ୍ଡା ହୋଇଯିବ ।
ଅନେକ ଖୋଜାଖୋଜି କରନ୍ତି —- ସୋଫା ସିଟ ତଳ, ରୋଷେଇଘର ଥାକ ପଛପଟ, ଜୋତା ଭିତରେ ଆଦି । କିଛି ଖାଲି ବୋତଲ ହିଁ ହସ୍ତଗତ ହୁଏ ।
ଗୋଟେ ବୋତଲ ରାଗରେ ଛେଚି ଦିଅନ୍ତି ।
ହାଡୁ : ଶଃ! ଗୋଟେ ବି ନାହିଁ ! କଣ କରିବି ଯେ ? ଏ ମାଇକିନାଟା ବଡ ଉତ୍ପାତ ହେଲାଣି । ଗୋଲୁ କାନ୍ଦି କାନ୍ଦି ଆସି ପହଞ୍ଚେ ।
ଗୋଲୁ: ବାପା ——- ( କାନ୍ଦି କାନ୍ଦି ) କ୍ଷୀର ପିଇବି ।
ହାଡୁ : “ଯାଉଛୁ ନା ଏଠୁ – – – ଭାକ । ମା କଣ ନା ନାରୀନେତ୍ରୀ ହୋଇ ମଦବିରୋଧୀ ରାଲି କରୁଛି !
ମୁଁ କଣ ତା ଚାକର ? ଘର ଜଗିବି , ପିଲା ସମ୍ଭାଳବି ? ଆଉ ସେ ବାହାରେ ବୁଲିବ ? ଯାଃ କ୍ଷୀର ଫୀର ମୁଁ ଜାଣିନି । ଯାଃ ପଳା ମୋ ଆଖି ଆଗରୁ , ନ ହେଲେ ଏ ଚେୟାରରେ (ଚେୟାର ଉଞ୍ଚାନ୍ତି ) ତୋ ମୁଣ୍ଡ ଫଟେଇଦେବି ।“
ଗୋଲୁ (ଡେରିକି ) : “ମାମା” —- କହି ଦୌଡ଼ି ପଳାଏ ।
ଶ୍ରୀମତୀ ଚତୁରୀଙ୍କ ପ୍ରବେଶ ।
ଚତୁରୀ : ଆରେ ଆରେ ଦୁଇଘଣ୍ଟା ପାଇଁକି ଗଲି ଯେ ଏ କି ଅବସ୍ଥା ଘରର ? ଛୁଅଟାକୁ କାହିଁକି କନ୍ଦେଇଲା ବା ?
ହାଡୁ : ଭଲ ତୁ ନାରୀନେତ୍ରୀ ହେଲୁ ତ ? ମୁଁ କଣ ପିଇବି ? ତୋ ରକ୍ତ ?
ଚତୁରୀ : ଶ ଶ ଶ ଶ — । ହେଇଟି ଚୁପ ରୁହ । ସେ ବ୍ୟବସ୍ଥା ମୁଁ କରିଛି ବା — ଏଇ ଯେଉଁ ମଦ ଦୋକାନ ଆମେ ଭାଂଗିଲୁ — ସେଥିରୁ ପରା ୫ ଟା ବୋତଲ ମୁଁ ଲୁଚେଇକି ନେଇଆସିଚି । ହେଇଟି — କାହା ଆଗରେ କିଛି କହିବନିଟି ?
ମୋ ଇଜ୍ଜତ ମହତ ସବୁ ପାଣିରେ ପଡିବ । ଏ stock ସରିଗଲେ ଗୋଟିଏ ଗୋଟିଏ ଆଣି ଦେଉଥିବି ମ । ଆଊ ତମକୁ ଦୋକାନକୁ ଯିବାକୁ ଦରକାର ନାହିଁ ।
ହାଡୁ : ଆଲୋ ଚତୁରୀର କେତେ ଚାତୁରୀ ମ —
ଖୁସି ହୋଇ ହାତ ଧରାଧରି ହୋଇ ମଞ୍ଚରୁ ବାହାରିଯାନ୍ତି ।
ନବମ ଦୃଶ୍ୟ
ଜିନ ଓ ତିସ୍ତା ପ୍ରବେଶ କରନ୍ତି ମଞ୍ଚରେ ।
ଜିନ : ( ଅଳ୍ପ ହସି ) ଦେଖିଲେ ତ, ଏ ହେଉଛି ଭାରତର ଜାତୀୟ ଚରିତ୍ର । ଦୁର୍ନୀତି ଅକ୍ଟୋପସ ପରି ଜଡେଇ ଧରିଛି ମନମାନସକୁ ।
ସାଧାରଣଲୋକେ ରାଜନୀତିକୁ ଦାୟୀ କରୁଛନ୍ତି ଏଥିପାଇଁ।
ହେଲେ ନେତାଙ୍କୁ ବାଛିଚି କିଏ ? ଆପଣ ମାନେ ପଚାରନ୍ତୁ ତ ଆପଣଙ୍କର ତଥା-କଥିତ ଶିକ୍ଷିତ ମାନଙ୍କୁ କେତେଜଣ ଭୋଟ ଦେବାକୁ ଯା’ନ୍ତି ? ଲୋକେ ଭାବନ୍ତି ଯେ ସରକାର ନାମକ କୌଣସି ଯାଦୁବାଡ଼ି ବୁଲେଇଦେଲେ ସେମାନଙ୍କର ସମସ୍ତ ସମସ୍ୟାର ସମାଧାନ ହୋଇଯିବ । ଥରେ ଭଲା ଏକଜୁଟ ହୋଇ ନିଜ ନିର୍ବାଚିତ ନେତାଙ୍କୁ କୌଣସି ପ୍ରଶ୍ନ ପଚାରନ୍ତେ !
ତିସ୍ତା : ହଁ , ତୁମେ କହିଲାପରି ଆମେ ଜନସାଧରଣ ଅନେକ ପାଟି କରୁଛୁ ଦୁର୍ନୀତି ହେଉଛି ବୋଲି ମାତ୍ର ନିଜର ସ୍ୱାର୍ଥ ମାମଲାରେ କେତେ ଜଣ ବା ସେ ଦୁର୍ନୀତିରେ ନିଜକୁ ମୁକ୍ତ ରଖି ପାରିଛ ? ଏଇତ ଆମ ପଡିଶାଘର ଦାସବାବୁ ଏତେ ଭାଷଣ ଦିଅନ୍ତି ଦୁର୍ନୀତି ବିରୋଧରେ । ହେଲେ ନିଜ ପୁଅର ଚାକିରୀ ଖଣ୍ଡକ ପାଇଁ ଉପର ମହଲରେ ସୁପାରିଶ, ଆଊ କିଛି ଭିତିରିଆ ଦେଇ ହିଁ କରେଇନେଲେ । ତାପରେ ଅବଶ୍ୟ ଆଉ ବିଶେଷ ଭାଷଣ ଶୁଣିନୁ ।
ଜିନ : ଇଶୋପନିଵେଷଦାର ପ୍ରଥମ ଶ୍ଳୋକରେ ହିଁ କୁହାହେଲା –
—” ମା ଗୃଧଃ କସ୍ଵସିଦ ଧନଂ
ଅର୍ଥାତ , ଅନ୍ୟର ଧନରେ ଆଶା ନ ରଖିବାକୁ । ଏଇ ଭାରତଭୂଇଁ ଯାହା ଆଧ୍ୟାତ୍ମିକତାର ପ୍ରଚାର ପ୍ରସାର କରିଆସିଛି ଆବହମାନ କାଳରୁ , ଆଜି କ କଳୁଷିତ ! କହିହେବ କି ଏହା ଦେବଭୂମି ବୋଲି ?
ଗୋଟେ ପାଖେ ଖାଇବାକୁ ନ ପାଇ ଲୋକେ ଅନାହାରରେ ମରୁଥିବାବେଳେ ଆଊ କିଛି ପ୍ରାଚୁର୍ଯ୍ୟ ମଧ୍ୟରେ ରହି ଖାଇ ଖାଇ ରୋଗ କିଣି ମରୁଛନ୍ତି । ଏହା କି ପ୍ରମାଣ ନୁଁହେ ଧନୀ – ଗରିବ ତଫାତ ବଢି ବଢି ଚାଲୁଥିବାର ?
ତିସ୍ତା: ହଁ,…… ମଧ୍ୟବିତ୍ତୀୟ ଲୋକମାନେ ଦୁର୍ନୀତି ଦେଖି ଅନ୍ୟାୟ ଦେଖି ମଧ୍ୟ ଚୁପ ରହି ଭାବୁଛନ୍ତି ବାସ , ଆମର କର୍ତ୍ତବ୍ୟ ସରିଲା । ଆପେ ବଞ୍ଚିଲେ ବାପାର ନାଁ …କିଏ କାହା କଥାରେ ମୁଣ୍ଡ ପୁରେଇ କୋଉ ସ୍ୱର୍ଗ ହାସଲ କରିନେବା ଯେ ?
( ଟିକିଏ ରହି )
ଆଛା ! ମୋ ଓଡିଶା କ’ଣ ଅଗ୍ରଣୀ ରାଜ୍ୟ ହେବାକୁ ଯୋଗ୍ୟ ନୁହେଁ ? କେତେ ଶାନ୍ତିପ୍ରିୟ ରାଜ୍ୟ ଆମର ଗଳି କନ୍ଦିରେ କେତେ ମନ୍ଦିର , ମସଜିଦ । ୧୦ ବର୍ଷରେ ଥରେ ଏଠି ବୋମା ଗୋଟେ ଫୁଟେନି । ଏବେବି ଓଡ଼ିଆ ସଂସ୍କୃତି ଘରେ ଘରେ ଉଜ୍ଜୀବିତ ଅଛି । କେତେ ପ୍ରାକୃତିକ ସମ୍ପଦରେ ଭରା ଏ ରାଜ୍ୟ…. ଏ ଇଚ୍ଛାଟି ପୂରଣ ହେବାର ଅସୁବିଧା କଣ ?
ଜିନି : ହାଃ ହାଃ_ _ ” ଆତ୍ମବତ ମନ୍ୟତେ ଜଗତ “।
ଆପଣ ନିଜଭଳି ବାକୀ ଦୁନିଆକୁ ଭାବୁଛନ୍ତି କାହିଁକି ? ଦେଖନ୍ତୁ ଏ ନମୂନା —-
ଦଶମ ଦୃଶ୍ୟ
ସ୍ପଟଲାଇଟ ପଡେ ମଞ୍ଚର ଅପରାର୍ଦ୍ଧରେ —–
ତୁଳସୀ ଚଉରାମୂଳେ ଶାଶୁ ପୁରାଣ ବହି ଧରି ବସି ଗୁଣୁଗୁଣୁ ହୋଇ ପୂଜା କରୁଥାନ୍ତି ।
ଶାଶୁ : କୁନୁ —- ଆରେ କୁନୁ । ତୋ ବୋଉକୁ କହିଲୁ ଶୀଘ୍ର ମଠା ପାଲଟି ଆସି ଏଠି ପୁଜାଟା
ବଢେଇବେ ।
ବୋହୁ : ମା’ — କେତେଥର କହିଛି କୁନୁକୁ ଏ ନନା , ବୋଉ ଡାକ ଶିଖାନ୍ତୁନି । ସେ international school ରେ ପଢୁଛି ପରା । ଏଗୁଡା ଆଗ କାଳରେ ଚାଲୁଥିଲା । ଏବେ ସମସ୍ତେ Mummy Daddy ଡାକୁଛନ୍ତି ।
ଶାଶୁ :ଆଲୋ ମା ‘ ମୁଁ ଯେତେଦୂର ଜାଣେ ” mummy is a preserved decayed body ” । ଆଊ ବଞ୍ଚି ଥାଉ ଥାଉ ମୋ ପୁଅଟାକୁ deady ବୋଲି କାହିଁକି କହିବାକୁ କହୁଛୁ କହିଲୁ ।
ବୋହୁ : ଓହୋ! ମା ‘ —- ଏ ତର୍ଜମା ତ କେହି ହେଲେ କରୁନାହାନ୍ତି । ସମସ୍ତେ ଯାହା କହିବେ ନା—– ଆମେ ସ୍ରୋତରୁ ଅଲଗା ଗଲେ ଲୋକେ ଆଗକୁ ପାଗଳ କହିବେ ନ ହେଲେ କହିବେ out-dated ।
ଶାଶୁ : ” ଅଟେ ଅଚେତନ ଯୁଗଯୁଗର
ସ୍ରୋତର ଅନୁକୂଳେ ବହନ୍ତି ,
ସାଥେ ସାଥେ ଚାଲିବା ସରଳ ଏ
ପ୍ରତିକୂଳେ ବୋହିବା ହିଁ କଠିନ
ସାଧନାର ମାର୍ଗ ଅବଶ୍ୟ କଠିନ ।
ବୋହୁ ( ମୁଁହ ମୋଡି ): ଏ ବୁଢ଼ୀ ସାଙ୍ଗେ କିଏ ଯୁକ୍ତି କରିବରେ ବାବା ।
(କଅଁଳେଇ ) ବୋଉ ମୁଁ କଣ କହୁଥିଲି କି ଆଜି ବନ୍ଦନା ଘରେ kitty party ଟା ଥିଲା ତ–
ଶାଶୁ — ଗାଢେଇ ଦେଖନ୍ତି ।
ବୋହୁ : ନାଇଁ ମ — କିଛି ଖାଇବିନି । ଆଜି ଉପାସ ରଖିଛି । ଖାଲି ସରବତ କି ice-cream ଟିକିଏ ଖାଇବି । ଆସିଲେ ପୁଜାଟା କଲେ ଚଳିବନି ? ଗଲାଥର ବି ଯାଇ ପାରି ନ ଥିଲି ।
ଶାଶୁ : ହଉ , ତୁ ଯା । ମୁଁ ପୁଜାଟା କରିଦେବି । ଚାହୁଁଥିଲି ତୁ ଟିକିଏ ଶିଖିଥାନ୍ତୁ ।
ବୋହୁ : ( ତରତର ହୋଇ ଯାଉ ଯାଉ ) ହଉ ବୋଉ ମୁଁ ଆସେ ।
ଶାଶୁ : ( ଗଲାବାଟକୁ ଚାହିଁ ) ହଁ ମା , ଗଲା ପୂଜାରେ ବି ଯେଉଁ kitty party ପଡିଥିଲା ସେଥିରେ ଚିକେନ ପ୍ୟାଟିସ ଛାଡ଼ି ନ ଥିଲୁ ବୋଲି ମୋ ପାଖକୁ ଖବର ଆସିଥିଲା । ହାତ ଉପରକୁ ଟେକି – — – ହେ ପ୍ରଭୁ !
ଆଲୋ ମାଳତୀ ——
ମାଳତୀ ( ଚାକରାଣୀ ) : ମା ‘ ଡାକିଲ କି ?
ଶାଶୁ : ଆଲୋ …ସଜବାଜ ହୋଇ କୁଆଡେ ବାହରିଲୁ କି ?
ମାଳତୀ : ମା ‘ ଶୁଣିଲଣି ଜଣେ ଚମତ୍କାରୀ ବାବା ଆସିଛନ୍ତି | ଏଇ ଆର ସାହିକୁ | ସେଠି ଦେଉଳ ଦୁଆର ଲୋକ ପରା | କୁଆଡେ ସମସ୍ତଙ୍କ ଦୁଃଖ ଦୂର କରୁଛନ୍ତି | ମୁଁ ଟିକେ ଯାଏ ମୋ ଦୁଃଖ କହିବାକୁ |
ଶାଶୁ : ବାବା ପାଖକୁ ନ ଯାଇ ତୁମେ ସ୍ୱାମୀ ସ୍ତ୍ରୀ ଦୁହେଁ ଡାକ୍ତରଙ୍କ ପାଖକୁ କାହିଁକି ଯାଉନ ? ମୁଁ ଜାଣେ , ତୋର ଦୁଃଖ; ତୋର ଛୁଆ ଟେ ନାହିଁ ବୋଲି | ତୁମ ଦୁହିଁଙ୍କର ଡାକ୍ତରୀ ପରୀକ୍ଷା ହେଲେ ସମସ୍ୟାଟା ସମାଧାନ ହୁଅନ୍ତା ସିନା |
ମାଳତୀ ( ତଳକୁ ମୁହଁ ପୋତି ) : ମା’ ଭଗବାନ ଚାହିଁଲେ ସବୁ ହବ |
ଶାଶୁ : ଭଗବାନ କିଏ ? ଆମେ ପରା ଭଗବାନ | ଧରିନେ ଭଗବାନ ମୋ ପାଟିରେ ତତେ ବାଟ କଢ଼ାଉଛନ୍ତି |
ମାଳତୀ : ହେଲେ ବି ମା’ ମନ କହୁଛି ଥରେ ବାବାଙ୍କୁ ଦେଖି ଆସିବା ପାଇଁ | କେଜାଣି କିଛି ଚମତ୍କାର ହୋଇଯିବ ପରା ! ଆସୁଛି ମା , ମାଳତୀ ବାହାରି ଯାଏ |
ଶାଶୁ : ଚମତ୍କାର , ଚମତ୍କାର! କମ ପରିଶ୍ରମରେ ଅଧିକ ପାଇବାର ଆଶା … ଏଇୟା ତ ଚାଲିଛି ସବୁଠି | ଏଇତ ଏବେ ସମସ୍ତଙ୍କର ମନୋଦଶା | କାମଧେନୁ ଗାଈଟିଏ ବି ଏମାନଙ୍କୁ କମ ଲାଗିବ (ହସି ) ପ୍ରଭୁ ! କିଛି ଚମତ୍କାର ହିଁ କର ମାଳତୀ ପାଇଁ |
ଏକାଦଶ ଦୃଶ୍ୟ
ବାବା ଅଭୁତାନନ୍ଦ ଆସନ ଉପରେ ଶୟମାନ । ଦୁଇଜଣ ଚେଲୀ ଭିତରୁ ଜଣେ ପାଦ ମଞ୍ଚାଳୁଥାନ୍ତି , ଆଉ ଜଣେ ମୁଣ୍ଡ ଉପରେ ପଙ୍ଖା ଧରି ବିଂଛୁଥାନ୍ତି । ଆଉ ଜଣେ ଚେଲା ପଛରେ ଠିଆ ହୋଇଥାନ୍ତି । ମାଳତୀର ପ୍ରବେଶ । ଏକ ଦମ୍ପତି ପାଦତଳେ ବସିଥାନ୍ତି ।
ଅଭୁତାନନ୍ଦ: ଭ୍ରଉଁ — ଓଁ କ୍ଲିମ ଚୂଓଁ ଜୁମ ଫଟ
(ଶୂନ୍ୟରୁ ଗୋଟିଏ ତାବିଜ କାଢି ଦମ୍ପତିଙ୍କୁ ଦିଅନ୍ତି)
ଯାଓ ବଚ୍ଚା —- ଏ ତାବିଜ ମୋର ୨୫ ବର୍ଷ ସାଧନାର ଫଳ । ତୁମର ମନସ୍କାମନା ପୂର୍ଣ୍ଣ ହେବ । ଦମ୍ପତି ମୁଣ୍ଡିଆ ମାରି ବାହାରିଯାନ୍ତି ।
ମାଳତୀ : “ଏ ମା ଲୋ —।“ ତା ଆଖି ଖୋସି ହୋଇଯାଏ ।
ଚେଲା ( ମାଳତୀ ପାଖକୁ ଲାଗି ଆସି ): ବାବା ଅଭୁତାନନ୍ଦ ୨୫ ବର୍ଷ ବାରାଣାସୀରେ ଶ୍ମଶାନଘାଟରେ ସାଧନା କରି ଏ ସିଦ୍ଧିସବୁ ହାସଲ କରିଛନ୍ତି ।
ଅଭୁତାନନ୍ଦ: ମାଳତୀ ବଚ୍ଚା । ତୁମର କଣ କଷ୍ଟ ?
ମାଳତୀ: ( ଲମ୍ବ ତମ୍ବ ହୋଇ ତଳେ ପଡ଼ିଯାଏ ) : ବାବା ! ଆପଣ ମହାନ ।
(ଠାରରେ ଚେଲା ଚେଲିମାନଙ୍କୁ ବାହାରି ଯିବାକୁ କହନ୍ତି )
“ହୁଁ —- ତୋ କଷ୍ଟ ହେଲା ତୋ ସ୍ୱାମୀ ତତେ ଛୁଆଟେ ଦେଇପାରିନି ।“
ମାଳତୀ : “ଆପଣ ତ ବାବା ଅନ୍ତର୍ଯ୍ୟାମୀ — ମୁଁ ଆଉ କଣ କହିବି ଯେ ? ସେଇ ଗୋଟିଏ ମୋର ଦୁଃଖ ତ – – –
ଆପଣ ହିଁ କିଛି ଚମତ୍କାର କରି ଦିଅନ୍ତୁ |”
ବାବା : “କରିବା …ଅବଶ୍ୟ କରିବା | ସୃଷ୍ଟି ଆରମ୍ଭରୁ ଏହା ଚାଲି ଆସିଛି |”
ମାଳତୀ : ( ଉଠି ଠିଆ ହୁଏ )” କଣ ବାବା ? ଚମତ୍କାର ?”
ବାବା : “ହେଃ ..ହେଃ ..ହଁ ଚମତ୍କାର ବାହାର ଲୋକଙ୍କୁ କହିବା ପାଇଁ | ଏହାକୁ ‘ନିୟୋଗ ବିଧି’ କୁହାଯାଏ | ଏଇ ଯେମିତି ପଣ୍ଡୁଙ୍କ ଅକ୍ଷମତା ଯୋଗୁଁ କୁନ୍ତୀ ଓ ମାଦ୍ରୀ ବିଭିନ୍ନ ଦେବତାଙ୍କଠାରୁ ପୁଅ ସବୁ ପାଇଲେ |”
ମାଳତୀ : “ଏଁ ….”
ବାବା : ( ପାଖକୁ ଲାଗି ଆସି ) ବାହାରେ ଏହାକୁ ସବୁ ଚମତ୍କାର ହିଁ କହିବେ | ତୁ ବାଞ୍ଝ ପଦରୁ ତ୍ରାହି ପାଇବୁ ଆଉ ତୋର ବର ନପୁଂସକ ପଦରୁ |ଆସେ ଆଉ ଡେରି କରନି |
ମାଳତୀ : ( ମଞ୍ଚକୁ ମୁହଁ କରି ) ଏଁ ….ଏ ସ୍ୱରଟା କେମିତି ଚିହ୍ନI ଚିହ୍ନI ମନେ ହଉଛି | ….
ମାଳତୀ , ବାବା ଭିତରେ ଧସ୍ତା ଧସ୍ତି |
ମାଳତୀ : ଛାଡ଼ ଛାଡ଼ ମୋତେ ..ଦରକାର ନାହିଁ ମୋର ଛୁଆ |
ବାବା : ( ବାବା ଆଉ ଜୋରରେ ମାଡି ଆସନ୍ତି ) ବାହାରେ କେହି ଜାଣିବେନି | କଣ ଅସୁବିଧା ଏଥିରେ ?
ମାଳତୀ କଷିକରି ଚାପୁଡ଼ାଟିଏ ଦିଏ | ହାତ ଦାଢ଼ି ଉପରେ ପଡ଼ିଯାଏ | ଦାଢ଼ି ଉଲୁରୀ ଆସେ |
ମାଳତୀ : ଏଁ .. ତୁ ଆମ ଗାଁ ଗୋବରା କିରେ ? ତୋର ଏତେ ସାହସ ମୋ ଦେହରେ ହାତ ଦେବୁ ? ସେଥିପାଇଁ ମୁଁ କହୁଛି କାହିଁକି ସ୍ୱରଟା ଜଣାଶୁଣା ଲାଗୁଛି | ନିୟୋଗ ବିଧି ନୁହଁ ରେ ପୋଡ଼ାମୁହାଁ ….ତୋର ବିୟୋଗ ବିଧି ମୁ କରିବି |
ପାଖରେ ଥିବା ବଡ ଦୀପରୁଖାଟି ଉଠେଇ ବାବା ମୁଣ୍ଡରେ ପାହାରେ ଦିଏ | ବାବା ଭୂପତିତ | ମାଳତୀ ଥରେ ଘୃଣାଭରେ ଦେଖିଦେଇ ପାଦ କଚାଡି ଦଉଡ଼ିକି ବାହାରିଯାଏ |
୧୨ଶ ଦୃଶ୍ୟ
ମଞ୍ଚ ଅନ୍ଧାର ହୋଇ ଆଉଥରେ ଆଲୋକିତ ହେଲା ବେଳକୁ ମାଳତୀ ଦୌଡ଼ି ଦୌଡ଼ି ମଞ୍ଚ ଉପରେ | ପଛକୁ ଦେଖି ଦୌଡ଼ି ଦୌଡ଼ି ଆସି ମୂରଲୀ ( ଅଟୋଵାଲା) ଦେହରେ ଧକ୍କା ଖାଏ |
ମୂରଲୀ : ଆଲୋ ଆଲୋ ! ଏମିତି ଧଇଁସଇଁ ହୋଇ କୁଆଡେ ଧାଉଁଛୁ ?
ମାଳତୀ : କୁହନି ମୂରଲୀ ଭାଇ ! ଆଜି ତ ଅନର୍ଥ ହୋଇଯାଇଥିଲା |
ମୂରଲୀ : କଣ ହେଲା କହୁନୁ ?
ମାଳତୀ : ପରେ କହିବି | ଆଗେ ଚାଲିଲ ଏଠୁ ପଳେଇବା |
ମୂରଲୀ : ହଉ ଚାଲେ | ଆଜି ଆମ ନେତା ଭାଷଣ ଦେଉଛନ୍ତି | ଆଜି ସେଠି ହାତଗୁଞ୍ଜା ୫୦ ଟଙ୍କା ସାଙ୍ଗକୁ ଭାତ , ଖାସି ମାଉଁସ ଝୋଳ ମିଳୁଛି | ତୁ ବି ଚାଲ |
ମାଳତୀ : ଯୁଆଡ଼େ ହେଲେ ଚାଲ |
୧୩ଶ ଦୃଶ୍ୟ
ମାଳତୀ , ମୂରଲୀ ଠୁଙ୍କା ହୋଇ ଗାଲରେ ହାତ ଦେଇ ବସିଥାନ୍ତି | ଆଉ କିଛି ଲୋକ ମଧ୍ୟ ବସିଥାନ୍ତି | ସମସ୍ତେ ଏପଟ ସେପଟ ଦେଖି ହସାହସି ଗପସପ ହେଉଥାନ୍ତି | ନେତା ( ମାଇକ ଧରି ) ଚଷମା ପିନ୍ଧି ପକେଟରୁ ଖଣ୍ଡେ କାଗଜ କାଢି ଚିହ୍ନି ଚିହ୍ନି ପଢ଼ନ୍ତି |
“ମୋର ଆଦରର ଭାଇ ଓ ଭଉଣୀମାନେ, ବିଷୁବ ସଂକ୍ରାନ୍ତିର ଅଭିନନ୍ଦନ” … ଜୋରରେ କରତାଳି …..
ମାଳତୀ : “ଆରେ ମୂରଲୀ ଭାଇ, ଆଜି ଆମ ନେତା ତ ଓଡ଼ିଆରେ କହିଲାଣି |”
ମୂରଲୀ ( ଖୁସି ହୋଇ ) : ଯା ହେଉ ଏଥର ଆମ ଦୁଃଖ ଘୁଂଚିବ |
ନେତା : I feel happy to celebrate this day with you. We have arranged here to…… ( ମାଇକ ଶବ୍ଦ କମିଯାଏ )|
ମାଳତୀ : ହେଇ ଲୋ …ଆମ ନେତା ନା ଚୋପା | ଯିଏ ଆମ ଭାଷା ରେ କଥା କହିଲାନି ଆଜି ଯାଏଁ ସେ କି ଦୁଃଖ ବୁଝିବ ଆମର | ଧିକ ଆମକୁ, ଧିକ ଆମ କପାଳକୁ | ଯାଏ ମୁଁ ଏଠୁ ମୂରଲୀ ଭାଇ |
ମୂରଲୀ : ଆଲୋ ରହ …ଆମ କଥା କିଏ କେବେ ବୁଝୁଥିଲା କି ? ଆମ ପରି ଲୋକ ତ ଥରେ ନେତା ହୋଇ ନାଲିବତୀ ଗାଡ଼ିରେ ବସିଲେ ଆଉ ମୁହଁକୁ ଅନାନ୍ତିନି | ଅନ୍ତତଃ ଭୋଟ ପାଖକୁ ଭାତ ମାଉଁସ ଖାଇ ୫- ୨୫ ପାଇଲେ ଗଲା |
ମାଳତୀ : ହଉ ତୁ ଖା | ମୁଁ ଆସିଲି | ମନଟା ଏମିତି ବି ଭଲ ଲାଗୁନି |
୧୪ଶ ଦୃଶ୍ୟ
ମାଳତୀ : “ଓହୋଃ , ଆଜି ଏତେ ଭିଡ କଣ ବା ?
ଅଟୋ ଵାଲା : ଏଇଟା ପରା ରାଲି ଚାଲିଛି | ମା’ ଓ ପୋଖତୀ ଝିଅର ପ୍ରବେଶ |
ପୋଖତୀ ଝିଅ: ”ମା’ ….ଲୋ …..ଆଉ ପାରୁନି |”
ମା’ : “ଏ ଅଟୋ ଭାଇ , ଟିକିଏ କେମିତି ଶୀଘ୍ର ପହଞ୍ଚେଇ ଦିଅନ୍ତନି |”
ଅଟୋ ଵାଲା : “ମୋ ହାତରେ କଣ କିଛି ଅଛି ? ଏ ରାଲି ତ ଆମ ଜୀବନ ଖାଇଲା | ଏପଟେ ପେଟ୍ରୋଲ ଡିଜେଲ ର ଦାମ ବଢି ବଢି ଚାଲିଛି | ଆଉ ଏପଟେ ରାଲି ରେ ଆମେ ଘଣ୍ଟା ଘଣ୍ଟା ଡିଜେଲ ପୋଡ଼ୁଛୁ | ପ୍ରଦୂଷଣ କଥା ତ ପୁଣି ଅଛି |
ମାଳତୀ : “ପେଟ୍ରୋଲ ଡିଜେଲ ର ଦର ବଢୁଛି , ଖାଇବା ଦରଦାମ ବଢୁଛି | ଆଉ ଆମ ଭଳି ଖଟିଖିଆଙ୍କ ପେଟରେ ବାଜୁଛି ଲାତ |”
ଅଟୋବାଲା : “ଏ ଅଲକ୍ଷଣୀଆ ରାଲିବାଲା ଙ୍କୁ ଏଇ ମାଷ୍ଟର କ୍ୟାଣ୍ଟିନ ଛକଟା ହିଁ ମିଳେ ରାଲି ଆରମ୍ଭ କରିବା ପାଇଁ !”
ମାଳତୀ : “ହଁ… କାହାର କେତେ ଦୁଃଖ | ସେମାନେ କଣ ମିଛଟାରେ ରାଲି କରୁଛନ୍ତି ?”
ଅଟୋବାଲା : “ଠିକ ଯେ ଏ ମା’ ଝିଅ କି ପାପ କରିଛନ୍ତି ? ଆରେ ବାବୁ …ତୁମ ବିରୋଧ ତ ସରକାର ପାଖରେ | ଏ ରାଲି କରି ପୁଣି ନିଜ ଭାଇ ଭଉଣୀ ଙ୍କୁ କାହିଁକି ହଇରାଣ କରୁଛ କହିଲ ? ଲୋକେ ସ୍କୁଲ , କଲେଜ , ଅଫିସ ଯିବାକୁ କି ହଇରାଣ ହଉଛନ୍ତି |”
ମାଳତୀ କୁ ଦେଖି …”ଏ ନାନୀ, ତୁମେ ଟିକେ ଏ ମା’ ଝିଅଙ୍କୁ ପାଖ ନୀଳାଚଳ ହସ୍ପିଟାଲ୍ ରେ ଭିତର ଗଳି ଦେଇ ପହଞ୍ଚେଇ ଦେଇ ଆସନ୍ତନି | ଏମାନଙ୍କୁ ତ ଏଠି କିଛି ଜଣା ନାହିଁ | ମୁଁ ଘଣ୍ଟେ ଆଗରୁ ଅଟୋ ଏଠୁ କାଢି ପାରିଲା ପରି ଦିଶୁନି |”
ପୋଖତୀ ଝିଅ : “ମା’ …ଆଉ ସହି ହଉନି |”
ମାଳତୀ : “ହଉ ହଉ ଚାଲ , ଏଇଠୁ ଅଳ୍ପ ବାଟ ଚାଲିଗଲେ , ଭିତର ଗଳିରେ ପଶିଯିବା |”
ମା’ , ଝିଅ : “ହଁ ….ଚାଲ ଚାଲ |”
ଅଟୋବାଲା : “ଓଃ !ଏ ରାଲି !”( କପାଳରେ କରାପାତ କରେ )……
୧୫ଶ ଦୃଶ୍ୟ
ଜିନ : ଦେଖିଲେ ତା ଓଡ଼ିଶାର ଅବସ୍ଥା | ଗୋଟିଏ ଜାତିର ଜାତିପ୍ରୀତି ଆସେ ସେମାନଙ୍କ ମାତୃଭାଷା ପ୍ରତି ମମତାରୁ | କଣ ସ୍ଥିତି ଆଜି ଓଡ଼ିଆ ଭାଷାର! ଆପଣମାନଙ୍କର ଓଡ଼ିଆ ମାନଙ୍କର ଉଦାରତା ଅସୀମ | ଓଡ଼ିଆ ନ କହି ପରୁଥିବା ଲୋକେ ବି ଏଠି ବର୍ଷ ବର୍ଷ ଧରି କ୍ଷମତାରେ ରହି ପାରୁଛନ୍ତି | ଏହା ଆପଣମାନଙ୍କର inferiority complex ନୁହେଁ ତ ?
ସାତ୍ତ୍ୱିକତା ନାଁ ରେ ତାମସିକତାକୁ ଜାବୁଡି ଧରି ବସିଛନ୍ତି | ଭଗବାନଙ୍କୁ ATM machine କରି ସାରିଲେଣି ଲୋକେ | କାର୍ଡ ଗଳେଇ ପଇସା ଆଣିଲାପରି , ପୂଜା କରି ବିଭିନ୍ନ ଦ୍ରବ୍ୟ ଯାଚି ଦିନରାତି ଲୋକେ ବିଭିନ୍ନ ଜିନିଷ ମାଗି ଚାଲିଛନ୍ତି |
ତିସ୍ତା : ତା’ ବାଦେ ଓଡିଶାର ବିକୃତ ଚିତ୍ର ମଧ୍ୟ ଦୁନିଆ ସାମ୍ନାରେ ତୋଳି ଧରିବାରେ ଆମ ମିଡ଼ିଆ ଅଗ୍ରଣୀ | ଓଡିଶା ବାହାରେ ଓଡ଼ିଆ ନାଁ ଧରିଲେ ଲୋକେ ଅନାହାର ମୃତ୍ୟୁ , ଚାଷୀ ଆତ୍ମହତ୍ୟା , କଳାହାଣ୍ଡି , ଆମ୍ବ ଟାକୁଆ କଥା ଆଗ ପଚାରନ୍ତି |
ଜିନ : “ବିଲକୁଲ ଠିକ ,
ମୁଁ ତ କହେ —
“ଖାଲି ଖରାପ ହେଲେ ହିଁ ଖବର!
କଟକ ରେ ମଶା,
କୁକୁଡ଼ାଙ୍କ ଦୁର୍ଦ୍ଦଶା
ଟ୍ରକ୍ ଓଲଟିଲା,
କେହି ଆତ୍ମହତ୍ୟା କଲା,
କିଛି ଆହତ
କିଛି ନିହତ !
ଏଠି ଖାଲି ଖରାପ ହେଲେ ହିଁ ଖବର !!
ନେତାଙ୍କ ଦୁର୍ନୀତି
ସରକାର ପକ୍ଷପାତୀ,
କେଉଁଠି ଘୋଟାଲା
କେଉଁଠି ତାଲା
ନାହିଁ ନାହିଁ ଏଠି
ନାହିଁ ନାହିଁ ସେଠି
କ’ଣ ଖାଲି ଖରାପ ହେଲେ ହିଁ ଖବର !
ତିସ୍ତା:
କାହିଁ ସେ ଉଦିତ ସୂର୍ଯ୍ୟ
ଅନ୍ଧାରେ ଆଲୋକର ଛଟା,
କାହିଁ ସେ ଶିଶୁ ଓଠର ହସ
କାହିଁ ନୃତ୍ୟାଂଗନାର ଲାସ୍ୟ?
ଶିଲ୍ପୀର କାରୁକାର୍ଯ୍ୟ ଶେଷ ପୃଷ୍ଠାରେ
କୃତୀଛାତ୍ର କେଉଁ ପୃଷ୍ଠା କୋଣରେ !!
ହଁ, ଏଠି ଖାଲି ଖରାପ ହେଲେ ହିଁ ଖବର !
ତିସ୍ତା : ତୁମେ ହୁଏତ ଠିକ କହୁଛ । ମୁଁ ମୋ ପୁଅକୁ ଏବେହିଁ ବୁଝାଉଥିଲି ରାତାରାତି କିଛି ପରିବର୍ତ୍ତନ ହୁଏନି ଅଥଚ ମୁଁ ଏମିତି କଳ୍ପନା ନିଜେ କରି ବସିଲି କେଜାଣି ।
ଜିନ, ତୁମେ ମୁକ୍ତି ପାଇବ ନିଶ୍ଚୟ —- ମୁଁ ମୋ ଇଚ୍ଛା ବଦଳାଉଛି ।
ଜିନ: ହୁକୁମ ମେରେ ଆକା ।
ତିସ୍ତା : ଏକ — ଆମ ପାଖ ବସ୍ତିରେ ଅନେକ ସୁସ୍ୱାଦୁ ଖାଦ୍ୟ ବାଣ୍ଟିଦିଅ, ତା ସାଙ୍ଗେ ନୂଆ ଜମାପଟା ବି।
ଦୁଇ- ଆମ ଘରପାଇଁ ଏ ମାସର କିଛି ପତ୍ରପତ୍ରିକା, ଏକ ପେଟିଭର୍ତ୍ତି ଅଙ୍ଗୁର ଓ କିଛି ସୁସ୍ୱାଦୁ ମିଠା ।
ତିନି – ତୁମର ମୁକ୍ତି ଏ ଦୀପ ଭିତରୁ । ଅନ୍ୟ କୌଣସି ଅଘଟଣ ଘଟିବା ପୂର୍ବରୁ କେବଳ ଏ ଦୀପରୁ ନୁହେଁ ତୁମର ଏ ଅଭିଶପ୍ତ ଜୀବନରୁ ମଧ୍ୟ ମୁକ୍ତି ପାଅ ।
ଜିନ : ଆପଣଙ୍କୁ ଅଶେଷ ଧନ୍ୟବାଦ । ଅଶେଷ ଅଶେଷ ଧନ୍ୟବାଦ । ମୁଁ ସବୁବେଳେ ଆପଣଙ୍କ ସାଙ୍ଗରେ ରହିଥିବି ଯେହେତୁ ଆପଣ ତୃତୀୟ ଇଛାରେ ମୋ ମୁକ୍ତି କାମନା କରିଛନ୍ତି ଓ ପାରୁ ପର୍ଯ୍ୟନ୍ତେ ଆପଣଙ୍କୁ ସାହାଯ୍ୟ କରୁଥିବି ଆପଣଙ୍କ ଯାବତ ଜୀବନ …
ଧୂଆଁ ବାହାରି କମିଲାବେଳକୁ କେବଳ ତିସ୍ତା ଦୀପଟିକୁ ଧରି ଠିଆ ହୋଇଥାଏ ।
ପୁପୁଲି, ତିତଲି ର ପ୍ରବେଶ ।
ପୁପୁଲି: ବୋଉ ଏ ମିଠା କିଏ ଆଣିଲା ? ସେ uncle କି ?ଏମିତି tasty ମିଠା ମୁଁ କେବେ ଖାଇ ନ ଥିଲି । umaaaa yummy!
ତିତଲି: ଆଊ କେତେ magazine, ଆଊ ଜାଣିଛ ପେଟିଟେ —– ଅଙ୍ଗୁର। (ଆଖି ବଡ ବଡ କରି ଦୁହେଁ କହୁଥାନ୍ତି)
ତିସ୍ତା ( ହସି ହସି ): ହଉ ହଉ ଚାଲ ମୁଁ ପୁରୀ ଛାଣେ । ବେଶ ମନେରହିବ ଏ ଶତାବ୍ଦୀର ଶେଷ ସଂଧ୍ୟା ।
ପୁପୁଲି, ତିତଲି ଭିତରକୁ ପ୍ରବେଶ କରିଛି ।
ତିସ୍ତା :
” କେବେ ଲିଭିବ ସେ ନାହିଁ ନାହିଁର ସୂର
ପଙ୍ଗୁ ମାନସର ସେ ଆର୍ତ୍ତ ଚିତ୍କାର,
ମନ୍ଦିର ଦେବତାକୁ ପଥର ଜାଣି
ତନୁ – ମନୁ ଦେବତାଙ୍କୁ କେବେ ଜଗେଇବା ?
ଉଦିତ ସୂର୍ଯ୍ୟ ତୁମ ହୂଦ – ଦୁଆରେ
ଜାଗ, ଉଠ , ଖୋଲ ବନ୍ଦ ଝର୍କା ତୁମ
ନୂତନ ଯୁଗର ଶୁଭାରମ୍ଭ ଏ
ପ୍ରଳୟ ଆହୁରି ଅନେକ ଦୂରରେ ।।
ଜିନ କାନ୍ଥକୁ ଆଉଜି ମୁରୁକି ମୁରୁକି ହସୁଥାନ୍ତି ।
==== ସମାପ୍ତ ===