ଆଉ ଏକ ଆତ୍ମାହୁତି

କୋଡ଼ିଏ ବର୍ଷ ବ୍ୟବଧାନରେ ସମାଜରେ ନାରୀର ସ୍ଥିତି ଉପରେ ଏକ ସମୀକ୍ଷା
June 21, 2022
ଏକ ରକ୍ତାକ୍ତ ସୂର୍ଯ୍ୟାସ୍ତର ଦୃଶ୍ୟ
June 21, 2022

ଆଉ ଏକ ଆତ୍ମାହୁତି
ଡ: ବିୟତ ପ୍ରଜ୍ଞା ଆଚାର୍ଯ୍ୟ
ହସ୍ପିଟାଲ ବେଡ଼ରେ ପଡିଛି ମୀନୁ । ଆଖି ଖୋଲି ଚାହିଁଲା । ତାକୁ ଘେରି ଠିଆ ହୋଇଛନ୍ତି ତା ବାପା , ମା’ ଓ ସୁବୁ ଭାଇ । ସମସ୍ତଙ୍କର ଚେହେରାରେ କାରୁଣ୍ୟର ଛାପ । ଆଖି ଖୋଲିବାପରେ ପ୍ରଥମେ ଭାଇ ତାକୁ ପ୍ରଶ୍ନ କଲା , ” କେମିତି ଲାଗୁଚି ମୀନୁ ?” ଏତିକି ପଚାରିଦେଇ ତା’ କଣ୍ଠ ରୁନ୍ଧି ହୋଇଗଲା । ଆଖିରେ ଲୁହ ଜକେଇ ଆସିଲା । ନିଜକୁ ସମ୍ଭାଳି ନ ପାରି ଜୋରରେ କାନ୍ଦିଉଠି ପଚାରିଲା , ”କାହିଁକି କଲୁ ଏମିତି ମୀନୁ ? କାହିଁକି?”
ମୀନୁର ଚେତା ପଶିଲା । ସେ ପଚାରିଲା ” ଭାଇ ମୁଁ ବଞ୍ଚିବି କି ନାହିଁ ? ଭାଇ ମୁଁ ବଞ୍ଚିବାକୁ ଚାହେଁ । ସୁବୁଭାଇ ମୁଁ ବଞ୍ଚିବାକୁ ଚାହେଁ । ମୁଁ ମରିବାକୁ ଚାହୁଁନି ସୁବୁଭାଇ । ମତେ ବଞ୍ଚାଇ ଦିଅ । ତା ପରେ ବାପା ଓ ମା’ ଙ୍କ ଆଡକୁ ଦେଖି କହିଲା ” ମା’ , ବାପା ମୁଁ ବଞ୍ଚିବାକୁ ଚାହେଁ । ମୁଁ ଏମିତି ମରିବାକୁ ଚାହୁଁନି । ” ଦୁଇଜଣକ ମୁହଁ ଆହୁରି କରୁଣ ହୋଇଉଠିଲା । ଉଭୟଙ୍କ ମୁହଁରେ ଏକ ଦୋଷୀ ଦୋଷୀ ଭାବ ଲେସି ହୋଇରହିଥିଲା ।

ମୀନୁ ଧୀରେ ଧୀରେ ଆଖି ବନ୍ଦ କଲା । ସାରା ଦେହ ଯନ୍ତ୍ରଣାରେ ପୂର୍ଣ୍ଣ । ଦେହ ତା’ର ଅହରହ ଭୀଷଣ ଭାବେ ପୋଡ଼ୁଥାଏ l ଯିଏ ଦିଆସିଲି କାଠି ରେ ଚେଁଗି ହୋଇଗଲେ ଘରସାରା ଉଠାଏ ପକାଏ, ଆଜି ସାରା ଦେହ ତାର ଯେମିତି ଯନ୍ତ୍ରଣାରେ ଫାଟି ପଡୁଥାଏ l ମନେ ହେଉଥିଲା, ମରି ଯାଇଥିଲେ ସରି ଯାଇଥାନ୍ତା କଥା…ଏତେ କଷ୍ଟ ପାଇ ନ ଥାନ୍ତା ….ଆଶ୍ଚର୍ଯ୍ୟ ! ଏବେ ବି ଏତେ ଯନ୍ତ୍ରଣାରେ, ଯନ୍ତ୍ରଣାଠୁ ଜୀବନ ହିଁ ଅଧିକ ପ୍ରିୟତର ମନେ ହେଉଛି!! ଲାଗୁଛି, କୌଣସି ଉପାୟରେ ଏ କଷ୍ଟରୁ ତ୍ରାହି ପାଇଗଲେ ଆଗକୁ ତା ପୂରା ଜୀବନ ପଡିଛି l ଆଜି ମୄତ୍ୟୁଲୋକକୁ ଏତେ ଅହେତୁକ ଭୟ କାହିଁକି ? ପଢିଛି ଅନେକ କାହାଣୀ, ଅନେକ ପ୍ରକାର ନର୍କର କଥା …କେଜାଣି ସେ ପାପ କରିଛି କି ପୁଣ୍ୟ କରିଛି ? ସ୍ୱର୍ଗ କୁ ଯିବାକୁ ଯଥେଷ୍ଟ ପୁଣ୍ୟ କମେଇଛି ତ? ନର୍କ କଷ୍ଟଟା ଏଇଠେ ଭୋଗୀ ଦଉଛି କି ଆଉ ?
ଓଃ ! ମୁଣ୍ଡଟା ପାଗଳ ହେଇ ଯାଉଛି ।
ପୋଡ଼ା ଚମଡା ରେ ବୋଧହୁଏ ଅନେକ କିଛି ଔଷଧ ବୋଳା ହୋଇଥାଏ l ଡାକ୍ତର ଓ ନର୍ସ ନିଜ ଭିତରେ ଚାପା କଣ୍ଠରେ ଆଲୋଚନା କରୁଥାନ୍ତି — 80% ବର୍ନ, ଚାନସେସ ଆର ଲେସ I ଆଣ୍ଟିବାୟୋଟିକସ ଆଉ ଆଲବୁମିନ ଚାଲୁଛି ତ? ଡ୍ରେସିଂ ଚାଲିବ ରେଗୁଲାରଲି …ଦେଖିବା ତା ଭାଗ୍ୟରେ କଣ ଅଛି ….
ଆଖି ବୁଲେଇ ସବୁଆଡେ ଦେଖିବାକୁ ଚେଷ୍ଟା କଲା l ମୁଣ୍ଡ ହଲେଇ ହେଉ ନ ଥାଏ l ଛାତରେ କଣା କଣା ଦିଶୁଥାଏ l ମୁହଁ ଟା ଥଣ୍ଡା ଥଣ୍ଡା ଲାଗୁଥାଏ l ଆଇ .ସି .ୟୁ ହେଇଥିବା ପରା! କେତେ ସିନେମାରେ ଦେଖିଛି l ତା ମୁହଁରେ ବି ଆଜି ଅକ୍ସିଜେନ ମାସ୍କ ଓ ଦେହ ରେ କେତେ କଣ ନଳି ଫୋଡା ହେଇଛି l ସିନେମାରେ ଦେଖି ଭାବୁଥିଲା କେମିତି ଦେଖାଯାଏ ଆଇ.ସି.ୟୁ ଭିତର , ଏମିତି ଅବସ୍ଥାରେ ଦେଖିବ ବୋଲି ଭାବି ନ ଥିଲା l
ତା’ର ମନେ ପଡିଯାଉଥାଏ ପୂର୍ବକଥା ସବୁ ଗୋଟି ଗୋଟି ହୋଇ ।

ପରିବାର ତାଙ୍କର ଚାରିଜଣଙ୍କୁ ନେଇ ଗଢ଼ା । ବାପା, ମା’, ସୁବ୍ରତ ଭାଇ ଏବଂ ସେ ନିଜେ । ବାପା ଇଂଞ୍ଜିନିୟର । ପଇସାର ଅଭାବ ନ ଥିଲା । ଚାକରବାକରଙ୍କର ଅଭାବ ନ ଥିଲା । ଭାଇ ଇଂଞ୍ଜିନିୟରିଙ୍ଗ କଲେଜ ଛାତ୍ର । କହିବାକୁ ଗଲେ ସମ୍ପୂର୍ଣ ସୁଖୀ ପରିବାର । କିନ୍ତୁ ଏ ସୁଖୀ ମଣିଷମାନଙ୍କ ମଧ୍ୟରେ ମୀନୁ ସୁଖୀ ନ ଥିଲା । ସେ ଯେଉଁପ୍ରକାର ସୁଖ ଖୋଜୁଥିଲା, ତା ‘ ତାକୁ ମିଳୁ ନ ଥିଲା । ସବୁବେଳେ ଅବହେଳିତର ମନ ନେଇ ଅନ୍ୟମନସ୍କ ରହୁଥିଲା ।

ସୁବ୍ରତ ଭାଇ ତାର ସବୁଠାରୁ ପ୍ରିୟ ମଣିଷ ଏ ଦୁନିଆରେ । ନିଜ ମନକଥା ସବୁ ଢାଳି ପକାଏ ତାଙ୍କ ପାଖରେ । କିନ୍ତୁ ଏଇ ସୁବୁଭାଇକୁ ନେଇ ହିଁ ତାର ଏଇ କଷ୍ଟ । ହେଲେ ମଧ୍ୟ ସେ କେବେବି ଚାହିଁକି ତାଙ୍କୁ ଘୃଣା କରିପାରିନି ।

ସୁବୁଭାଇ ଜଣେ ମେଧାବୀ ଛାତ୍ର । ସବୁଠାରେ ନାଁ କମେଇ ଆସିଛି । ପୁଣି ଇଂଞ୍ଜିନିୟରିଙ୍ଗ କଲେଜରେ ପଢୁଛି । ମା’ଙ୍କର ପ୍ରିୟ ସନ୍ତାନ । ପିଲାଟି ଦିନରୁ ସୁବୁଭାଇ ଓ ତା’ ମଧ୍ୟରେ ତୁଳନା କରାହୋଇଆସୁଛି । ଯେତେବେଳେ ସ୍କୁଲରେ ପରୀକ୍ଷାଫଳ ବାହାରେ ସୁବୁଭାଇ ତା ‘ କ୍ଲାସରେ ପ୍ରଥମ ହୋଇଥବ । କିନ୍ତୁ ସେ ? ,
ସେ କୌଣସି ପୋଜିସନ ରଖି ନଥିବ | ପରୀକ୍ଷାଫଳ ବାହାରିବା ଦିନ ନିଶ୍ଚୟ ମୀନୁ ଉପରେ ମାଡ଼ ଗାଳି ବସିବ | ସବୁଥିରେ ସୁବୁଭାଇର ନିଶ୍ଚୟ ବଡ ଭାଗ ଥିବ | ଏକ ଅବହେଳିତ ର ଜୀବନ ଜୀଇଁ ଜୀଇଁ ସେ ଥକି ପଡିଥିଲା | କିନ୍ତୁ ସୁବୁଭାଇ ସେତେବେଳେ ତାକୁ ଆସି ବୁଝାନ୍ତି | ତା ଭିତରେ ଆତ୍ମବିଶ୍ୱାସ ର ଛୋଟ ଗଛଟି ଝାଉଁଳି ପଡୁଥିଲା | କେବଳ ନିଜର ଉତ୍ସାହପୂର୍ଣ୍ଣ କଥାରେ ପୁଣି ତାକୁ ଜୀବନ୍ୟାସ ଦିଅନ୍ତି | ମୀନୁ ନୂଆ ଉତ୍ସାହ ନେଇ ପଢା ଆରମ୍ଭ କରେ | ଖୁବ ପରିଶ୍ରମ କରେ | କିନ୍ତୁ ବର୍ଷ ଶେଷରେ ସେଇ ମାଡଗାଳି |ଭାଗ୍ୟ ତାକୁ ପ୍ରତିବର୍ଷ ଆହୁରି ତଳକୁ ଟାଣିଆଣେ | ମୀନୁ ଭାଙ୍ଗି ପଡେ |

ମା’ ନିଜେ ଉଚ୍ଚ ଶିକ୍ଷିତା ନ ଥିଲେ, ହେଲେ ଥିଲେ ପ୍ରବଳ ଉଚ୍ଚାଭିଳାଷୀ l କମ ବୟସରେ ବିବାହ କରିଯାଇଥିବା ଯୋଗୁଁ ବେଶୀ ପାଠ ପଢି ପାରି ନ ଥିଲେ l ନିଜର ଡାକ୍ତରାଣୀ ହେବାର ସ୍ବପ୍ନଟା ସେ ମୀନୁ ଠାରେ ସାକାର ହେବାକୁ ଦେଖିବାକୁ ଚାହୁଁଥିଲେ l | ମୀନୁର ନିରାଶାଜନକ ପରୀକ୍ଷାଫଳ ତାଙ୍କୁ ହତାଶ କରି ଦେଉଥିଲା l ମାଡ଼ ଗାଳି ଦେଇ ହିଁ ସେ ମୀନୁଠାରୁ ପାଠ ଆଦାୟ କରିବା ଜାଣୁଥିଲେ l ମୀନୁ ଭାବି ପାରେନି ତା’ ଦୋଷ କେଉଁଠି ?

ମା’ ଡାକିଲେ , ” ମୀନୁ ଏବେ କେମିତି ଲଗୁଛି ?”. ମୀନୁ ଆଖି ଖୋଲି ଚାହିଁଲା | ଆଖି ଖୋଲି ଦେଖିଲା ଏକ ମମତାମୟୀ ମୂର୍ତ୍ତି | ପୁଣି ଆଖି ମୁଦିଲା | ଆଖି କୋଣ ଦେଇ ଦୁଇ ଧାର ଲୁହ ଗଡି ଆସିଲା | ଭାବିଲା ଜୀବନର ଷୋହଳଟି ବର୍ଷ ମଧ୍ୟରେ ଥରେ ଯଦି ଏମିତି ମମତ୍ୱପୁର୍ଣ୍ଣ ଡାକଟିଏ ଶୁଣିଥାନ୍ତା ତେବେ ତାକୁ ଆଜି ଏ ଅବସ୍ଥା ଭୋଗିବାକୁ ହୋଇ ନ ଥା’ନ୍ତା |

ବାପା ଟିଉସନ ଆଦି ଖଞ୍ଜି ଦେଇ, ବହି ପତ୍ର କିଣି ଦେଲେ ତାଙ୍କ ଦାୟିତ୍ତ୍ୱ ଶେଷ ହେଲା ବୋଲି ବୁଝନ୍ତି | ରାତିରେ ଘରକୁ ଫେରନ୍ତି ୧୦ଟା ପରେ | ସେତେବେଳକୁ ମୀନୁ ଘୁମନ୍ତ ଆଖି ନେଇ ପଢା ଟେବୁଲ ପାଖରେ ବସିଥାଏ | ସକାଳୁ ସ୍କୁଲ ଯିବା ପୂର୍ବରୁ ମଧ୍ୟ ବାପାଙ୍କୁ କ୍ଵଚିତ ଦେଖିଥାଏ | କିନ୍ତୁ ବାପାଙ୍କର ମଧ୍ୟ ତା ପାଇଁ ଖୁବ ଉଚ୍ଚାଶା | ମୀନୁ ଡାକ୍ତର ହେବ | କିନ୍ତୁ କେବେ ପଚାରି ମଧ୍ୟ ଦିଅନ୍ତି ନାହିଁ ଯେ , ” ମୀନୁ ତୁ କ’ଣ ପଢ଼ୁଛୁ ?”

ମୀନୁ ଥିଲା କିନ୍ତୁ ଖୁବ ସୁନ୍ଦର | ମୀନନୟନା ସେ, କାଚ ବାଟି ପରି ଢଳ ଢଳ ଆଖି | ନାଚ ଗୀତ, ଚିତ୍ର ଅଙ୍କା ଆଦିରେ ମୀନୁ ଧୁରନ୍ଧର l ହେଲେ ମାଙ୍କୁ ଏ ସବୁ ଆଖିକୁ ସୁହାଏ ନାହିଁ I “ଦାଣ୍ଡ ସୁନ୍ଦର ବଉଳି ଗାଈ” ହେଲେ ଚଳିବନି l ଜୀବନରେ କିଛି ବନି ଯା l ଏ ଚିତ୍ର ଅଙ୍କା , ନାଚ ଗୀତ କୌଣସି କାମକୁ ଆସିବନି l ସୁଧୁରି ଯା l ଡାକ୍ତର ହେଇ ଯା lକଥା ଗଡି ଆସି ପହଞ୍ଚେ ପୁଣି ସେ ସୁବୁଭାଇ ଓ ମୀନୁ ତୁଳନାରେ |

ଏ କାହାଣୀରେ ପ୍ରବେଶ ହୁଏ ସୁନୀଲର | ସୁନୀଲ ପଢେ ମୀନୁର ଉପର କ୍ଲାସରେ | ଦିନେ ଆସି ସେ ମୀନୁକୁ କହେ ,
“ମୀନୁ ଅନେକ ଦିନରୁ ମୁଁ ତୁମକୁ କହିବି କହିବି ବୋଲି କହିପାରୁ ନଥିଲି | ମୁଁ ତୁମକୁ ଭଲପାଏ , ମୋ ପ୍ରାଣରୁ ବଳି |” ସେତିକି ବେଳକୁ ମୀନୁ ଗୋଟିପଣେ ଝାଳରେ ଭିଜି ଗଲାଣି | କିଛି ନ କହି କୌଣସିମତେ ସେଠାରୁ ପଳାଇ ଆସିଲା | ସୁନୀଲ କିନ୍ତୁ ପିଛା ଛାଡି ନଥିଲା |

କୌଣସିମତେ ଏ କଥା ମା’ଙ୍କ କାନକୁ ଆସିଲା | ସେହି ଦିନ ଠାରୁ ମୀନୁ ଯେପରି ମା’ଙ୍କର ଚକ୍ଷୁଶୂଳ ହୋଇଉଠିଲା | ଆସୁଣୁ ଯାଉଣୁ ମୀନୁ ଉପରେ ଗାଳି ହେଲା | ପ୍ରତି ଛୋଟ ଛୋଟ କଥା ରେ ମୀନୁ ଗାଳି ଖାଇଲା | ଘରୁ ତାର ବାହାରିବା ଏକ ପ୍ରକାର ବନ୍ଦ ହୋଇଗଲା | ଏସବୁକୁ ମୀନୁ କୌଣସିମତେ ସହିଯାଉଥାଏ | ସେ ମନକୁ ବୁଝାଏ ମାଆ ଯେତେବେଳେ ମୋ ଭଲ ପାଇଁ ହିଁ କହିବେ |

” ମୀନୁ , ମୀନୁ ଏ କଣ ହେଲା ?” କାହା ପାଟିରେ ମୀନୁ ପୁଣି ଆଖି ଖୋଲି ଚାହିଁଲା | ସାମନାରେ ସୁନୀଲ କାତର ଦୃଷ୍ଟି ନେଇ ଛିଡା ହୋଇଥାଏ , ତାକୁ ଦେଖି ମୀନୁକୁ ଜୋରରେ କାନ୍ଦ ମାଡିଲା | ଆଖି ଦୁଇଟା ବୁଜିଦେଇ ଭାବିଲା , ସତରେ ସୁନୀଲ ତୁମେ ମତେ କେତେ ଭଲ ପାଉଛ | କିନ୍ତୁ ତୁମରିଯୋଗୁଁ ଆଜି ମୋର ଏ ଦୁର୍ଦ୍ଦଶା | ନା , ତୁମକୁ ଦୋଷ ମୁଁ ଦେଇ ପାରିବିନି | ମୋର ମନ ହିଁ ଦୁର୍ବଳ ହୋଇପଡ଼ିଥିଲା | ମୁଁ ଚାହିଁଥିଲେ ନିଜକୁ ରକ୍ଷା କରି ପାରିଥାନ୍ତି |

କିଛି ସୁଖ କିଛି ଦୁଃଖ ମଧ୍ୟରେ ସମୟଚକ୍ର ଗଡି ଚାଲିଥିଲା | ମେଟ୍ରିକ ପରୀକ୍ଷା ଫଳ ବାହାରିଲା | ଏଥର କିନ୍ତୁ ଆଶାତୀତ ଭାବରେ ଖରାପ ଫଳ ହୋଇଥିଲା | କେବଳ ଗୋଟିଏ ନମ୍ବର ପାଇଁ ସେ ଗଣିତରେ ଫେଲ ହୋଇଯାଇଥିଲା ଏବଂ ଯଦିଓ ମୋଟରେ ସେ ଷାଠିଏ ପ୍ରତିଶତ ନମ୍ବର ରଖିଥିଲା ପରୀକ୍ଷାରେ ପୁରା ଫେଲ ହୋଇ ଯାଇଥିଲା | ଏଥର ମା ‘ ଙ୍କର ସତେ ଯେପରି ଲାଭା ଉଦଗୀରଣ ହେଲା | କହିଚାଲିଲେ , ” ତୋ ପରି ଝିଅର ମା ବୋଲି ପରିଚୟ ଦେବାକୁ ମଧ୍ୟ ମତେ ଖରାପ ଲାଗୁଛି | ” ଦେଖ ସୁବୁକୁ କେମିତି ଇଞ୍ଜିନିୟରିଂ କଲେଜରେ ପଢୁଛି | ତୋ ଦ୍ୱାରା ଆଉ କେବେ ପାଠଶାଠ ହବନି | ତୋ ମନ ପାଠରେ ଥିଲେ ସିନା | ମନ ତ ଥିବ ଯାଇ କେଉଁ ସୁନୀଲ ପାଖରେ | ପୋଡ଼ାମୁହିଁ ତୁ ଟିକେ ବିଷ ଖାଇ ମାରିଯାଉନୁ | ତୋତେ ଟିକିଏ କିରାସିନ ମିଳୁନି | ତୋ ଦେହରେ ଠିକ ରକ୍ତ ଥିଲେ ସିନା କଥା କାଟନ୍ତା | ତୋ ଯୋଗୁଁ କ୍ଲବରେ ମୋର ବଦନାମୀ ହେଇଛି | ସୁବୁ ଯୋଗୁଁ ମୋ ମୁଣ୍ଡ ଯେତିକି ଟେକି ହୋଇ ରହିଥିଲା ତୋ ଯୋଗୁଁ ମାଟି ହୋଇଗଲା | ତୁ ମରିଯାନ୍ତୁ କି ହେଲେ ମୁଁ ତ୍ରାହି ପାଇଯାନ୍ତି | ଗାଳିଦେଇ ଥକି ଯିବା ପରେ ମା’ ନିଜ ବେଡ଼ରୁମ କୁ ଚାଲିଯାଇଥିଲେ |

ମୀନୁ ଅନେକ ସମୟ ପର୍ଯ୍ୟନ୍ତ ସୋଫାରେ ଗୁମହୋଇ ବସିରହିଲା | ଭାବିଲା, ମୁଁ ଅନାଥ ନୁହେଁ ତ ? ସୁବୁ ଭାଇ ତ କହୁଥିଲା ମୋତେ ଡଷ୍ଟବିନ ରୁ ଗୋଟେଇ ଆଣିଛନ୍ତି | ନିଜେ ସେ ଏତେ ଗୋରୀ , ଅଥଚ ବାପା, ମା ଭାଇ ସମସ୍ତେ ତା ସାବନ ବର୍ଣ୍ଣର I
ଏମାନେ କେହି ତା’ର ନିଜର ନୁହନ୍ତି | ସେଇଥିପାଇଁ ମା’ ଙ୍କର ମାଡ ଗାଳିର ଲକ୍ଷ୍ୟ କେବଳ ସେ ନିଜେ | ସବୁ ପ୍ରଶଂସା ସୁବୁ ଭାଇର | ମୀନୁର କୌଣସି ଭଲକାମ ପ୍ରତି ସତେ ଯେମିତି କାହାର ଦୃଷ୍ଟି ନଥାଏ | ତାର ଦୋଷ ନ ଥାଇ ମଧ୍ୟ ସୁନୀଲ ପାଇଁ ସେ ଗାଳି ଶୁଣିଲା | ସୁନୀଲ ଉପରେ ରାଗ ଆସିଲା | ରାଗ ଆସିଲା ଭଗବାନଙ୍କ ଉପରେ | ଏମିତି ଏକ ଅବହେଳିତ ଜନ୍ମ ଦେଇ କି ଲାଭ ପାଇଲେ ଭଗବାନ | ଦୁଃଖ ସବୁ ମନ ଭିତରେ ପୁଞ୍ଜିଭୂତ ହେଉଥାଏ | ଆଖିରେ ଟୋପାଏ ଲୁହ ନଥାଏ | ଏଥର ସୁବୁ ଭାଇ ମଧ୍ୟ ତାକୁ ବୁଝାଇବା ପାଇଁ ଆସିଲେନି |

ଏହି ସମୟରେ ପାୱାରକଟ ହେଲା | ଚାକରାଣୀ ଆଣି ଲଣ୍ଠନ ଥୋଇଦେଇ ଗଲା | ଲଣ୍ଠନ ଶିଖାପରି ଅଶାନ୍ତ ମନ ତାର ଦିକ ଦିକ ହୋଇ ଜଳୁଥିଲା | ମନେ ପଡିଲା ମା’ଙ୍କ ଗାଳି | ମୀନୁ ମନକୁ ସ୍ଥିର କରିନେଲା | ତାର ନିଜର ହୋଇ ଏ ଦୁନିଆରେ କେହି ନାହାନ୍ତି | କେହି ବା ନିଜର ଥିଲେ ସମୟ କ୍ରମେ ବଦଳି ଯିବ | କର୍ଣ୍ଣ ଗହ୍ୱରରେ ତାର ବାରମ୍ବାର ପ୍ରତିଧ୍ବନିତ ହେଉଥାଏ ” ମୁଁ ମରିଯିବା ଉଚିତ ” , ” ମୁଁ ମରିଯିବା ଉଚିତ ” |

ଷ୍ଟୋର ଘରୁ କିରୋସିନି ଡବା ନେଇ ମୀନୁ ଚାଲିଗଲା ବାଥରୁମକୁ | ଭିତରୁ କବାଟ ବନ୍ଦ କରିଦେଲା | କିଛି କିରାସିନ ସାମନାପଟେ ଢାଳିଦେଲା | ତା ପରେ ଦିଆସିଲି ମାରିଲା | ସଂଗେ ସଂଗେ ନିଆଁ ଜଳିବା ଆରମ୍ଭ କଲା | ପ୍ରଥମେ କିଛି ସମୟ ମୀନୁ ଜାଣି ପାରିଲାନି କଣ ଘଟୁଛି ତା ସାଙ୍ଗରେ | ମନରେ କେବଳ ଗୋଟିଏ ଚିନ୍ତା ଥାଏ ତାର ମରିଯିବା ଉଚିତ | କିନ୍ତୁ ଯେତେବେଳେ ଦେହ ଜଳିବା ଆରମ୍ଭ କଲା ସେତେବେଳେ ଆଉ ସହି ନ ପରି ପ୍ରାଣପଣେ “ସୁବୁ ଭାଇ ” , ” ସୁବୁଭାଇ ” ବୋଲି ଚିତ୍କାର କରିଥିଲା | ସାମନାରେ ପାଣି କଳ ଥାଏ | କିନ୍ତୁ ଆଗକୁ ବଢିବା ମାତ୍ରେ ନିଆଁ ଧାସ ଆସି ମୁହଁରେ ବାଜୁଥାଏ | ଯନ୍ତ୍ରଣା ଅସହ୍ୟ ହୋଇ ପଡୁଥାଏ | କିଛି ସମୟ ପରେ ବାହାରେ ସୁବୁଭାଇର ଚିତ୍କାର ଶୁଣାଗଲା | କିନ୍ତୁ ମୀନୁ ବାଥରୁମ ଦରଜା ଖୋଲିବାକୁ ମଧ୍ୟ ଅକ୍ଷମ ଥାଏ | ସେତିକି ବେଳକୁ ମୀନୁକୁ ଚାରିଦିଗ ଅନ୍ଧାର ଦେଖାଗଲା ଏବଂ ସଜୋରରେ ଚଟାଣ ଉପରେ ପଡିଯାଇଥିଲା | ତା ପରେ ଆଖି ଖୋଲି ନିଜକୁ ଆବିଷ୍କାର କଲା ହସ୍ପିଟାଲ ରେ |

ପୁଣି ଥରେ ଆଖି ଖୋଲି ଚାହିଁଲା | ତାକୁ ଘେରି ଛିଡା ହୋଇଥାନ୍ତି ବାପା , ମା , ସୁବୁଭାଇ ଓ ସୁନୀଲ | କାହାରି ମୁହଁରେ କଥା ନ ଥାଏ | ସମସ୍ତଙ୍କ ଦୃଷ୍ଟିରେ ଭରି ରହିଥାଏ କରୁଣା | ତାକୁ ପୁଣି ଥରେ ବଂଚି ଉଠିବାକୁ ଇଛା ହେଲା | ସେ କିନ୍ତୁ ଜାଣି ପାରୁଥିଲା ତା’ ଆଉ କଦାପି ସମ୍ଭବ ନୁହେଁ | ହୁଏତ ସ୍ଥିର ମସ୍ତିଷ୍କରେ ଚିନ୍ତା କରିଥିଲେ ଆତ୍ମହତ୍ୟା ପରି ଏକ ଜଘନ୍ୟ ଉଦ୍ୟମ କରି ନ ଥାନ୍ତା |

“ମୋତେ ଡଷ୍ଟବିନରୁ ଆଣିଥିଲ ବୋଲି କେହି ଭଲ ପାଉନ ନା ? ହେଲେ ମୁଁ ଷୋହଳ ବର୍ଷ କାଳ ତୁମ ସମସ୍ତଙ୍କୁ ହିଁ ନିଜର ସବୁ କିଛି ଭାବି ଆସିଛି; କେତେ ସୁଖ , ଦୁଃଖ ଏକ ସାଙ୍ଗରେ ବାଣ୍ଟିନେଇଛନ୍ତି |”

ସୁବୁ ଭାଇ ମଝିରୁ ଅଟକେଇ ଦେଇ କହିଲା ,”ଦୂର ପାଗେଳୀ ! ମୁଁ ମଜାରେ ସେମିତି କହୁଥିଲି ନା !”
ମା’ ଆଉ ନିଜର କୋହ ଚାପି ରଖି ପାରିଲେନି I ନିଜ ମାହାତ୍ତ୍ୱାକାଂକ୍ଷା ପାଇଁ ନିଜ ଆଖିର ପିତୁଳା କୁ ମୃତ୍ୟୁ ମୁହଁକୁ ଠେଲି ଦେଲେ ! ଆହା ! ବିଚାରୀ ! ନିଜକୁ କେତେ ଅବହେଳିତ ମନେ କରୁଥିଲା ! ମନେ ପଡି ଯାଉଥିଲା ତା ପ୍ରଥମ ସ୍ପର୍ଶ , ଠୁକୁ ଠୁକୁ ଚାଲି , କେତେ ନବଜିଆ ଠାଣି ! କଣ ହୋଇଗଲା ତାଙ୍କୁ ! ଝିଅର ଇଚ୍ଛІଗୁଡିକୁ ଅଣଦେଖା କେମିତି କରିଦେଲେ ! ତାକୁ ସତରେ କେବେ ତା ଦିନେ ପଚାରି ବୁଝିଲେନି ତା ମନ କଥା , ତା’ ଇଚ୍ଛା, ଅନିଚ୍ଛା !
ବାପା ମୂକ ସାଜି ଯାଇଥାନ୍ତି ..ଭାବୁଥାନ୍ତି ଆହା ! ମୋ ଝିଅ ମୁଣ୍ଡରେ ଥରେ ହାତ ବୁଲେଇ ଆଣିଥାନ୍ତି ଭଲା ! ମେସିନ ସାଜି ପଇସା କମେଇଲି …ଝିଅର ସ୍ନେହ ସୋହାଗ କିନ୍ତୁ କମେଇ ପାରିଲିନି ! ଆଜି ମୁଣ୍ଡରେ ହାତ ବୁଲେଇବା ଛାଡ , ହାତେ ଦୂରରୁ ମୁହଁରେ ମାସ୍କ ପିନ୍ଧି ତାକୁ ଟିକିଏ ଦେଖି ହଉଛି I ହୁଏତ ଆଉ କିଛି ଘଡି ପରେ ଆଉ ଝିଅ ଡାକ କହିବାରୁ ବଂଚିତ ହେଇଯିବେ l

ତୀବ୍ର ଇଛା ହେଲା ମୀନୁର ବଞ୍ଚିବାକୁ | କହିଲା , ” ସୁବୁଭାଇ ମୁଁ ବଞ୍ଚିବାକୁ ଚାହେଁ | ମୁଁ ବଞ୍ଚିବି | ମୁଁ ଆହୁରି ମନ ଦେଇ ପାଠ ପଢ଼ିବି ମା’ | ତୁମର ବଦନାମୀ ହେବାକୁ ଦେବିନି | ବାପା ମତେ ବଂଚାଇଦିଅ | ମୋ ପାଇଁ ଔଷଧ କିଣିଆଣ | ମୁଁ ବଞ୍ଚିବାକୁ ଚାହେଁ | ଧୀରେ ଧୀରେ ଏକ ଜାଲୁଜାଲୁଆ ପରଦା ଆଖି ଆଗରେ ଘୋଡ଼ାଇ ହୋଇଗଲା, ଆଖି ପତା ଭାରି ହୋଇ ଆସିଲା | ଆଉ କେହି ଦେଖା ଗଲେନି | ମୀନୁର ଶେଷ ଦୁଇପଦ ଥିଲା , ” ମୁଁ ବଞ୍ଚିବି | ”
ଏହା ଆତ୍ମହତ୍ୟା ନ ଥିଲା ,ଏକ ଆତ୍ମାହୁତି ଥିଲା ସମାଜର ଚିରାଚରିତ ପନ୍ଥାକୁ ତାତ୍ସଲ୍ୟ କରି, ମା’ ବାପମାନଙ୍କର ଅସମ୍ପୂର୍ଣ୍ଣ ସ୍ୱପ୍ନକୁ ସାକାର କରିବା ବୋଝରେ ପେଶି ହୋଇ, ନିଜ ପକ୍ଷର ହନନର ଯନ୍ତ୍ରଣାକୁ ଲାଘବ କରିବା ପାଇଁ |
**********************************

ଅଳ୍ପ ଦିନ ତଳେ କୃତୀ ଛାତ୍ର-ଛାତ୍ରୀଙ୍କର ସାଫଲ୍ୟ ମଣ୍ଡନ କରିଥିଲା ଖବର କାଗଜ, ଟି. ଭି., ସୋସିଆଲ ମିଡ଼ିଆ ଆଦି I ହେଲେ କେତେ ପରିବାରର କୁଳପ୍ରଦୀପ ଲିଭିଗଲେ ନିଜର ପରୀକ୍ଷା-ଜନିତ ବିଫଳତାକୁ ନେଇ I ପରିବାର ଓ ସମାଜ କିଛି ବିଧିବଦ୍ଧ ନିୟମ କରି ସେଇଥିରେ ଯେବେ ଚାଲିବାକୁ ବାଧ୍ୟ କରେ ଆଉ ଯୋଗ୍ୟତାର ମାନଦଣ୍ଡ ଧାର୍ଯ୍ୟ କରେ, କେତେ ସ୍ବପ୍ନ ଏମିତି ଅକାଳରେ ଜଳି ପାଉଁଶ ହୋଇଯାଏ ଅଥବା କିଛି ମେସିନ ତିଆରି କରିଦିଏ ସଫଳତା ନାଁରେ I
ସମାଜ ଧୀରେ ଧୀରେ ବଦଳୁଛି …ଆଶା ଚିରାଚରିତ ପଥରେ ଚାଲିବାକୁ ମା’ ବାପା ମାନେ ନିଜ ଛୁଆଙ୍କୁ ବାଧ୍ୟ ନ କରି ବରଂ ସେମାନେ ଯାହା କରୁଛନ୍ତି ସୁଚାରୁରୂପେ ସେ କର୍ମଟି କରିବା ପାଇଁ ପ୍ରେରଣା ଦେବା ଉଚିତ I

Leave a Reply

Your email address will not be published. Required fields are marked *