ସ୍ପାମ
September 3, 2025
melanin game
THE MELANIN GAME
October 4, 2025

ଡା. ବିୟତପ୍ରଜ୍ଞା ଆଚାର୍ଯ୍ୟ
ପ୍ରଫେସର ବାୟୋକେମିଷ୍ଟ୍ରି
———————–

“ମେମ୍! ଆଜିକୁ ଦୁଇ ମାସ ଦଶ ଦିନ ପୁରିଲା I” ମୋ ରାନ୍ଧୁଣୀ ସ୍ୱପ୍ନା କହିଲେ I
ମୁଁ ପଚାରିଲି -“କଣ ?”
ଉତ୍ତର ଆସିଲା “ଗ୍ୟାସ ସିଲିଣ୍ଡର I”
ମୁଁ କହିଲି -“ବେଶ ତ I ବେଶି ଭାଗ ଶ୍ରେୟ ତୁମର I”
ସେ ବ୍ୟସ୍ତ ହୋଇ କହିଲେ -“ମେମ୍! ମୋର କେମିତି ମାସେ ମାତ୍ର ଯାଉଛି ? ଆମର ତ ଆପଣଙ୍କଠୁଁ କମ ରନ୍ଧା …ଆମେ ତିନି, ଆପଣମାନେ ତ ଚାରି …”
ମୁଁ କହିଲି -” ଯାହା ଏଠି କରୁଛ ସେଠି ବି କରୁନ !”
ସ୍ୱପ୍ନା କହିଲେ-“କରୁଛି ତ ସବୁ I”
“ଗ୍ୟାସ ଲିକ ନାଇଁ ତ?”
“ନାଇଁ… ସବୁ ଠିକ ଅଛି l”
ପଚାରିଲି -“ରାନ୍ଧିଲା ବେଳେ କଡେଇ ଘୋଡାଉଛ ? ପ୍ରେସର କୁକର ବ୍ୟବହାର କରୁଛ ?”
କହିଲେ -“ହଁ ”
କହିଲି -“ତୁମମାନଙ୍କର ଭଜାଭଜି ତ ଆମ ଭଳି ହଉ ନ ଥିବ I”
ତରବରିଆ କି ଉତ୍ତର ଦେଲେ -“ନାଇଁ ମେମ୍ ! ମୁଁ ବି ଏଥର ପରିବର୍ତ୍ତନ ଆଣିଲିଣି l ସବୁ ପରିବା ଟିକିଏ ହାଲୁକା ପ୍ରେସର କୁକରରେ ସିଝେଇ ତାକୁ ଭାଜୁଛି I”
ଆଉ ଟିକିଏ ଭାବିକି ଉତ୍ତର ଦେଲେ -“ଆମର ଉଷୁନା, ଆପଣଙ୍କର ଅରୁଆ I”
କହିଲି -” ଓଃ ! ସେଇୟା କହୁନ ! ଡେ଼କଚିରେ ଭାତ କରୁଥିବ, ସେଥିପାଇଁ ସମୟ ଲାଗୁଛି I”
ସ୍ୱପ୍ନା କହିଲେ-“ ନାଇଁ ମେମ୍ ! ସେ ବି ପ୍ରେସର କୁକରରେ କରୁଛି l ସିମ୍ ରେ ବସେଇକି ଅଧା ଘଣ୍ଟା ରଖୁଛି I”
କହିଲି -“ଆରେ ହେ ! ତା ନାଁ ପ୍ରେସର କୁକର କାହିଁକି ହେଲା? ଆଗ ପ୍ରେସର ବଢିଲେ ସେଇଥିରେ ଆମ ରନ୍ଧା ଚଟାପଟ ହୋଇଯାଏ l ପ୍ରଥମେ ପୁରା ଜାଳ ଦେଇ ଯେତେବେଳେ ସିଟି ଆସିବା ଆରମ୍ଭ ହୋଇଯିବ, ସଂଗେ ସଂଗେ ସିମ୍ କରିଦେବ l ସିଟି ବାଜିବାକୁ ଦେବ ନାହିଁ I ସେଇଥିରେ ଆଉ 10 ମିନିଟ ବେଳକୁ ଆମର ରନ୍ଧା ସରି ଯାଇଥିବ I ଅରୁଆ ଚାଉଳ ପାଇଁ ଯଦି ଆମେ ପାଞ୍ଚ ମିନିଟ ସିମରେ ବସଉଛେ, ଉଷୁନା ପାଇଁ 10 ମିନିଟ l ଆଗକୁ ସେମିତି କରି ଦେଖ l ଯଦି ବେଶି ପେଜ ରହିବ ତେବେ ଥଣ୍ଡା ପାଣି ଦେଇ ଟିକିଏ ଗାଳି ଦେବ I”
ଠିକ ଆଉ ଦଶ ମିନିଟ ପରେ ସ୍ୱପ୍ନା ଆସି ଜଣେଇଲେ -“ମେମ୍ ! ଗ୍ୟାସ ସରିଗଲା I”
କହିଲି -“ହଉ, ସିଲିଣ୍ଡରକୁ ପାଁପୋଛ ଉପରେ ରଖି, ଟାଣି ନିଅ, ବାଲକୋନୀରୁ ଆର ନୂଆ ସିଲିଣ୍ଡରଟା ନେଇ ଆସ I”
ଟିକିଏ ପରେ ସ୍ୱପ୍ନା ଆସି ଚଡକ ପକେଇଲା ପରି କହିଲେ -“ମେମ୍ ! ଏଇଟା ବି ଖାଲି I”
ଲାଗିଲା -ମା’ ଲକ୍ଷ୍ମୀ ବୋଧେ ନୂଆ ଚ୍ୟାଲେଞ୍ଜ ଦେଲେ …ଲାଗିଲା ସତେ ଯେମିତି କହୁଛନ୍ତି -“ବେଟା! ଏବେ ଲେବେଲ ନେକ୍ସଟ ଖେଳିକି ଦେଖା I”
ଯେଉଁ ମାଇକ୍ରୋୱେଭ ଓ଼ବେନ ଖାଲି ଖାଦ୍ୟ କି କ୍ଷୀର ଆଦି ଗରମ କରିବାକୁ ବ୍ୟବହୃତ ହେଉଥିଲା ଆଉ ଇଂଡକ୍ସନ ଷ୍ଟୋଭ ଅଳ୍ପ କିଛି କାମ ପାଇଁ ବ୍ୟବହୃତ ହେଉଥିଲା, ସେଥିରେ ପ୍ରାୟ ସାଢେ ଚାରି ଦିନ ଯାଏଁ ରନ୍ଧାରନ୍ଧି ଚାଲିଲା I ରୋଷେଇ କାର୍ଯ୍ୟ କିଛିଟା ସଂକୁଚିତ ମଧ୍ୟ କରିଦେଲୁ I ମା’ ଲକ୍ଷ୍ମୀ ସିନା ଚ୍ୟାଲେଞ୍ଜ ଦେଲେ, ହେଲେ ଏତିକି ଦିନ ରନ୍ଧା ସମୟରେ ବୈଦ୍ୟୁତିକ ସରବରାହ ଜାରି ମଧ୍ୟ ରଖିଲେ I ମନ କୃତକୃତ୍ୟ ହୋଇ ଉଠୁଥାଏ …ମନେ ପଡୁଥାଏ “ଫନି” ଓ “କୋଭିଡ” ବେଳ କଥା I ଏମିତି କେତେ ବାଧା ବିଘ୍ନ ଭିତରେ ଲଢ଼ି ଆମେ ମନୁଷ୍ୟ ଜାତି ଆଗକୁ ବଢ଼ିଛେ I ଏ ଗ୍ୟାସୀୟ ଚ୍ୟାଲେଞ୍ଜ ମଧ୍ୟ ଅନେକ କିଛି ଶିଖେଇ ଆଗକୁ ସବଳ ହେବାକୁ ପ୍ରସ୍ତୁତ କରେଇଲା ବୋଧେ I
II ଶୁଭମସ୍ତୁ II
#odiablogger #drvpacharya #sustainability #odia #amasahitya

Leave a Reply

Your email address will not be published. Required fields are marked *