ଜଗନ୍ନାଥେ ଫେରିଲେ

ସମାଧାନ ଯଦି ଆପଣେଇବାକୁ ଚାହିଁବେ
July 13, 2024
Delusion of immortality
July 20, 2024

କିଛି ଅନୁଭୂତି ସଦା ଅବିସ୍ମରଣୀୟ … ଯଦି ତାହା ଶ୍ରୀ ଜଗନ୍ନାଥଙ୍କ ସଂକ୍ରାନ୍ତୀୟ ହୋଇଥାଏ, ତେବେ କେମିତି ଭୁଲି ହେବ କହିଲେ ??
————————————————————————–

ଶ୍ରୀ ଗୁରୁ ଚରଣେ ସମର୍ପିତ
———————

ବିଫଳତାର ଶକ୍ତ ଚାପୁଡ଼ା ପ୍ରଥମେ ମୋତେ ବାଜିଲା ଯେବେ ପ୍ରଥମଥର ମେଡିକାଲ ଏଣ୍ଟ୍ରାନ୍ସରେ ଅଳ୍ପ କିଛି ନମ୍ବର ପାଇଁ ସଫଳତା ତାଲିକାରେ ନାଁ ଟିକିଏ ତଳକୁ ଥିଲା | ବ୍ରାହ୍ମଣ କୁଳରେ ଜନ୍ମ , ପଇସା ଦେଇ ମେଡିକାଲ କଲେଜରେ ପଢିବା ପାଇଁ ନା ତ ଥିଲା ସୁଯୋଗ ନା ଥିଲା ସମ୍ବଳ | ସମ୍ବଳ ଥିଲେ ମଧ୍ୟ ସେଭଳି ଭାବେ ନିଜ ସ୍ୱପ୍ନକୁ ସାକାର କରିଥିଲେ ସାରାଜୀବନ ହୀନମନ୍ୟତାରେ କାଳାତିପାତ କରିଥାନ୍ତି ବୋଧହୁଏ |

ପିଲାଦିନୁ ଆମ ସହର ବୁର୍ଲାର ଗୋଟିଏ ପାଖେ ଇଞ୍ଜିନିୟରିଂ କଲେଜ , ଅନ୍ୟ ପାଖେ ମେଡିକାଲ କଲେଜ ଦେଖି ଦେଖି ଯେଣୁ ଆମେ ବଡ ହେଇଥିଲୁ ତେଣୁ ଡାକ୍ତର ଅବା ଇଞ୍ଜିନିଅର ହେବାର ସ୍ବପ୍ନ ହିଁ ଆମ ଆଖି ଆଗରେ ଲେସି ହୋଇ ରହିଥିଲା | ସେଥିରୁ ଖସିଲେ ଜ୍ୟୋତିବିହାର ୟୁନିଭର୍ସିଟି ଅଛି ଆଉ ତାପରେ ଅନେକ କିଛି ସମ୍ଭାବନା | ହେଲେ ଯୁକ୍ତ ୨ ପରୀକ୍ଷା ପରେ ବୁର୍ଲା ବାସିନ୍ଦାଙ୍କ ପିଲାମାନେ ଏକ ରକମ ପ୍ରଥମ ଦୁଇ ଲାଇନରୁ ଗୋଟିଏ ଧରିବା ସୁନିଶ୍ଚିତ ଥାଏ |

କଥାରେ ଅଛି, “As a man thinketh , so he becomes”, ତେଣୁ ପ୍ରାୟତଃ ଆମ କଲୋନୀ ପିଲାମାନେ ସଫଳ ହେଉଥିଲେ I କିଛି ଲୋକଙ୍କର ସନ୍ଦେହ ହୁଏ , କିଛି ଦୁର୍ନୀତି ହେଉନି ତ ? ହେଲେ ମଧ୍ୟବିତ୍ତୀୟ ପରିବାରରେ ପାଠ ପଢି ଚାକିରି ଖଣ୍ଡିଏ ନ କଲେ ଆଉ କିଛି ବଞ୍ଚିବାର ଉପାୟ ନାହିଁ ବୋଲି ଯେଉଁ ଭୟ ଆଉ ଯୁଝିବାକୁ ସାହସ ଜୁଟାଯାଏ, ସେତିକି ଆମକୁ ସଫଳ କରାଇନିଏ |

ଏ ବିଫଳତାର ଖବର ପାଇ ମୋ ମୁଣ୍ଡ ଯେମିତି ବୁଲେଇ , ପୃଥିବୀଟା ଘିରି ଘିରି ବୁଲିବାକୁ ଲାଗିଲା | ପ୍ରଥମ ଶ୍ରେଣୀରୁ ପ୍ରଥମ ହେବାର ଅଭ୍ୟାସ ପଡିଯାଇଥିଲା | ମଝିରେ ତିନି ବର୍ଷ ସ୍କୁଲ ନ ଯାଇ ମୋ ତାଲିମଟା ଅଲଗା ପ୍ରକାର ହୋଇଥିଲା | ଓଡ଼ିଆ ସ୍କୁଲରେ ସେତେବେଳେ ଚତୁର୍ଥ ଶ୍ରେଣୀରୁ ଇଂରାଜୀ ଶିକ୍ଷା ଦିଆ ହେଉଥିଲା | ଆଉ ମୁଁ ସେତେବେଳକୁ ଇଂରାଜୀ ହିନ୍ଦୀ ଉପନ୍ୟାସ ସବୁ ପଢି ପାଣି କରି ଦେଉଥିଲି | ଓଡ଼ିଆ ବହି ଯୋଗାଇ ନ ପାରିଲେ ବଙ୍ଗଳା ବହି ମଧ୍ୟ ଚରି ଯାଉଥିଲି ଉଈ ପରି |
ସହଜେ ଅନୁମେୟ ଶ୍ରେଣୀର ପ୍ରଥମ ହେବାଟା ମୋ ପାଇଁ ସେତେ କଷ୍ଟସାଧ୍ୟ ନ ଥିଲା । ମୋ ବୋଉଙ୍କର ଗୋଟିଏ କଡା ଡ଼ାକରାରେ କେବେ କେମିତି ମନ ଏପଟ ସେପଟ ହେଲେ ମଧ୍ୟ ପୁଣି ରାସ୍ତା ଉପରକୁ ଆସିଯାଏ ।

ଏଇ ରଥଯାତ୍ରା ସମୟ ସେତେବେଳେ । ଏଣ୍ଟ୍ରାନସ ପରୀକ୍ଷାଫଳର ବିଫଳତାର କ୍ଷତ ଶୁଖୁ ନ ଥାଏ । ଆଗକୁ କଣ କରିବି ବୁଝା ପଡ଼ୁ ନ ଥାଏ । ଆମର ପସନ୍ଦ ନାପସନ୍ଦ ବୋଲି କିଛି ଗୋଟିଏ ନ ଥାଏ ସେତେବେଳେ । ମେଡିକାଲ କି ଇଞ୍ଜିନିଅରିଂ କିଛି ବି ଗୋଟେ ମିଳିଲେ ଚଳିବ । ତେବେ ଦୁଇ ଆଡେ ରчוଙ୍କ ତ କମ ଆସିଛି …କରେ କ’ଣ ?
ସେତେବେଳେ ଦୂରଦର୍ଶନରେ ନୂଆ ନୂଆ କରି ଘୋଷଯାତ୍ରା ସିଧାପ୍ରସାରଣ ଆରମ୍ଭ ହୋଇଥାଏ । ଆଖିରୁ ଧାର ଧାର ଲୁହ ବୋହି ଯଉଥାଏ । ଅଭିମାନର, କ୍ରୋଧର ଅଶ୍ରୁ । କେତେ ପରିଶ୍ରମ କରିଥିଲି । ଅଜିଯାଏଁ ନନା କଲର ଟିଭି ବି କିଣି ନାହାନ୍ତି । କଳା ଧଳା ଟିଭି; ପୁଣି ମଝିରେ ମଝିରେ ଝିଲମିଲ ହୋଇ କର୍କଶ ଶବ୍ଦ ବି କଲାଣି । ଗୋଟିଏ ଚପେଟାଘାତରେ ସ୍କ୍ରିନ ଉପରେ ତିନି ରଥ ଉପରେ ବିଜେ ତିନି ଠାକୁର ପୁଣି ଦିଶିଲେ । କୁଆଡେ ମୁଁହ ଦେଖେଇବା ଲାୟକ ରଖିଲନି ଠାକୁର ,,,,, ଆଉ ଥରେ ଲୁହ ଗଡି ଆସିଲା ।

କ୍ୱାର୍ଟର ଘରର ଉପର ମହଲାକୁ ଆସିଲି ଆଉ ଜ୍ୟାମିତି ବାକ୍ସକୁ ଖୋଲିଲି । ୫ମ ଶ୍ରେଣୀରେ କିଣା ହୋଇଥିଲା ପ୍ରଥମ କରି । କଳଙ୍କି ଲାଗିଲାରୁ ରବର ପେଣ୍ଟ ମାରି ତାକୁ ସଜାଡିଛି । ତା ଭିତରେ ଦୁଇଟା ଲକ୍କି ପେନ, ଲକ୍କି କଏନ …… କେବେ କେମିତି ସାଇକେଲରେ ପମ୍ପ ଦେବାପାଇଁ ଇମର୍ଜେନ୍ସି ପଇସା ଟଙ୍କେ ଅବା ୨ ଟଙ୍କା ମୋତେ ମିଳିଥାଏ । ଧୀରେ ଧୀରେ ଅବ୍ୟବହୃତ ହୋଇ ଲକ୍କି କଏନ ପାଲଟିଗଲା । ଆଉ ଥିଲା ଗୋଟିଏ ଛୋଟ ଜଗନ୍ନାଥଙ୍କ ଲକେଟଟିଏ , କେହି ଜଣେ ଏମିତି ଦେଇଥିଲା , କିମ୍ବା କୋଉଠୁ ପାଇଥିଲି ପରା । ଏତେ ସବୁ ଲକ୍କି ଜିନିଷ ଧରି , ତୁମ ମୁଁହ ଦେଖି ଦେଖି ଯାଇଥିଲି । ” ପ୍ରଭୁ! ଏଇୟା କଲ?
ବହୁତ ରାଗ ଆସିଲା । “ଯାଅ , ଏଥର ମୁଁ ମୋ କର୍ମ ଉପରେ ବିଶ୍ୱାସ କରିବି , ତୁମ ଉପରେ ଆଉ ଟିକିଏ ବି ଭରସା ନାହିଁ । ଯାଅ , ପଳେଇଯାଅ ।” ରାଗରେ ଲକେଟଟାକୁ ତାଜା ଉପରକୁ ଅନ୍ୟ ବହି ପଛ ଆଡକୁ ସଜୋରେ ଫିଙ୍ଗିଦେଲି । ସେ ଲକେଟ୍ ର ରୂପରେଖ ଟିକିଏ କହିବା ଦରକାର ।

ଆଠେଣି ଆକାରର ଲକେଟରେ ଚାରିପଟେ ଅଲୁମୁନିୟମ ଅଥବା ଷ୍ଟିଲର ରିମ ଭିତରେ ଜଗନ୍ନାଥଙ୍କ କାଳିଆ ମୁଁହଟି କେବଳ । ମୁଁହ ଉପରେ ଛୋଟିଆ ପ୍ଲାଷ୍ଟିକ କାଚ ଘୋଡ଼ଣିଟିଏ । ସେ ଲକେଟଟି ପ୍ରାୟ ୩ – ୪ ବର୍ଷ ଜ୍ୟାମିତି ବାକସ ଭିତରେ ରହି ଟିକିଏ ଟିକିଏ ଘଷିଆ ହୋଇ ଆସୁଥାଏ । ହେଲେ ଠାକୁରଙ୍କ ମୁହଁଟି ସୁନ୍ଦର ଭାବେ ଦିଶୁଥାଏ I ବେଳେବେଳେ ଲାଗେ ମୋତେ ଦେଖି ଫିକ କରି ହସି ଦେଉଛନ୍ତି I ମୁଁ ଅତି ଭକ୍ତି ତ ଜାଣେନି , ତେବେ କିଛି ଗୋଟେ ତ ଭାବ ଥିଲା ଆମ ଭିତରେ I

ସ୍ୱାମୀ – ସ୍ତ୍ରୀ ଆଉ ଭକ୍ତ – ଭଗବାନଙ୍କର ରାଗରୁଷା ତ ଓଳିକିଆ । ଟିକିଏ କାନ୍ଦିଲା ପରେ ଗୋଟେ ଦୋଷୀଭାବ ଘାରିଲା । ତାପରେ ମନରେ ଆସିଲା , ନା ,,,, ଏଥର ଏ ସବୁ ଅନ୍ଧବିଶ୍ୱାସରୁ ଦୂରକୁ ହଟେଇ କଠିନ ପରିଶ୍ରମ କରିବାକୁ ପଡିବ ।

ଆଉ ବର୍ଷଟିଏ କଠିନ ପରିଶ୍ରମ କରି , ରମାଦେବୀ ମହିଳା କଲେଜରେ Physics Hhons ରେ ନାଁ ଲେଖେଇ ନନାଙ୍କ ଅନୁରୋଧକ୍ରମେ ସମସ୍ତଙ୍କୁ ବାରଣ ସତ୍ତ୍ଵେ ଉଭୟ ମେଡିକାଲ ଓ ଇଞ୍ଜିନିଅରିଂ ପ୍ରେବେଶିକା ପରୀକ୍ଷା ଦେଲି ଓ ଅତି ଉତ୍ତମ ସ୍ଥାନ ଅଳଙ୍କୃତ କଲି ଉଭୟ ତାଲିକାରେ।
ସେତେବେଳେ ଆଜିକାଲି ଯୁଗ ପରି ଷଷ୍ଠ ଶ୍ରେଣୀରୁ FIITJEE & NEET preparation ନ ଥିଲା । ମୋ ଜୀବନରେ ଲକ୍ଷ ମଧ୍ୟ ନିର୍ଦ୍ଧାରଣ କଲି ପ୍ରଥମ ବିଫଳତା ପରେ ହିଁ ଆଉ ଡାକ୍ତର ହେବାର ସଂକଳ୍ପ ନେଲି ।

ଅଧିକରୁ ଅଧିକ ଯୋଗଯୁକ୍ତ ହୋଇ ଉଠିଲି …ଯୋଗ କର୍ମସୁ କୋୖଶଲମ କାନରେ ଝଙ୍କୃତ ହେଲା I ଭାବୁଥିବେ , ରାଗିକି ଠାକୁର ପୂଜା ଛାଡ଼ିଦେଲି କି ? ନା ….. ବରଂ କର୍ମରେ ବିଶ୍ୱାସ ଓ ସମର୍ପଣ ହାତାହାତି ଚାଲିଥିଲା । ଧୀରେ ଧୀରେ ବୁଝିଲି ‘ସର୍ବାରମ୍ଭ ପରିତ୍ୟାଗୀ’ ର ଅସଲ ଅର୍ଥ ।
ତେବେ ମନ ଭିତରେ ଗୋଟିଏ ଦୋଷୀଭାବ ଲାଗି ରହିଥିଲା । ମୁଁ କାଳିଆକୁ ଏତେ ଜୋରରେ ଫିଙ୍ଗିଦେଲି କେତେ ବାଧିଥିବ ସତେ ! କୋଉ ଛାଡି ପାରିଲି ? ଶ୍ରୀମନ୍ଦିର ଦର୍ଶନ କଲାବେଳକୁ କ୍ଷମା ମଧ୍ୟ ମାଗିଦେଲି ।
ଲାଗିଲା ଜଗନ୍ନାଥ ମୋତେ ଆହୁରି ବଡ ବଡ ଆଖିରେ ଅନେଇଛନ୍ତି । ଟିକିଏ ଲାଜ , ଟିକିଏ ଦୋଷୀଭାବ ନେଇ ଆଉ ଆଖି ନ ମିଶେଇ ମନ୍ଦିର ବାହାରକୁ ଚାଲି ଆସିଲି | ଲାଗିଲା ଠାକୁରେ କହୁଛନ୍ତି – “ଆଛା ବେଟା , ମୋତେ ଛାଡି କୁଆଡେ ଯିବୁ ?”
କିଛି ଦିନ ପରେ କ୍ୱାର୍ଟର ବଦଳେଇଲୁ | ଯେତେବେଳୁ ତାଜା ଉପରୁ ବହିସବୁ କାଢୁଥିଲୁ , କିଛି ଶବ୍ଦ କରି ସେ ପୁରୁଣା ଲକେଟଟା ଠଣ କରି ପଡିଲା | ପଇସା ପଡିଲା ଭାବି ଗୋଟେଇ ଆଣି ଦେଖିଲା ବେଳକୁ ମୋର ପୁରୁଣା ଜଗନ୍ନାଥ ଲକେଟ |

ଖୁସିଟେ ହୋଇଗଲି , ହେଲେ ସେଥିରେ ଯାହା ଦେଖିଲି ମୋ ମୁଣ୍ଡ ଘୂରେଇ ଦେଲା | ପଳ ପଳ ରକ୍ତ ଶୁଖିଗଲା ଯେମିତି | ମୁଁ ନଥକରି ବସି ପଡିଲି | ଓଲଟପାଲଟ କରି ଦେଖିଲି | ନା….. ଆଖି ମୋର ଠିକ ଦେଖୁଛି | ଲକେଟ ଯେମିତି କୁ ସେମିତି ଅକ୍ଷୁଣ୍ଣ ଅଛି | ହେଲେ ଜଗନ୍ନାଥଙ୍କର ସେ ଚିତ୍ରଟା ଆଉ ନାହିଁ | ବହୁତ ଥର ଓଲଟ ପାଲଟ କରି ଦେଖିଲି …ନା …ଆଗ ଆଡୁ କିମ୍ବା ପଛ ଆଡୁ ଖୋଲିବାର ଉପାୟ ନାହିଁ I ମସିଆ ହେଇଥିଲେ, ଅଳ୍ପ ବହୁତ ସେ ଚିତ୍ର ଦିଶୁ ତ ଥା’ନ୍ତା I ସେ ଦିନରୁ କେହି ତାଜାରୁ କିଛି କାଢି ମଧ୍ୟ ନାହାନ୍ତି I ଭିତରଟା ପୂରା ଧଳା I
ହା .. ହନ୍ତ , ମୁଁ ଚଣ୍ଡାଳୁଣୀ କ’ଣ କଲି ? କିଏ ତ ଲକ୍ଷ୍ମୀଛଡ଼ା ହବାକୁ ଡରେ , ମୁଁ ତ ସର୍ଵହରା ହୋଇଗଲି ପ୍ରଭୁ ! ତୁମେ ମୋତେ କେମିତି ଛାଡି ଚାଲିଗଲ ? ତୁମ ବିନା ମୁଁ କିଏ ପ୍ରଭୁ ? ଧ୍ୟାନରେ ବସିଲା ବେଳକୁ ଆଖିରୁ ଅନବରତ ଲୁହ ଝରିଆସିଲା |
ତେବେ ଧୀରେ ଧୀରେ ଏ ଦୁଃଖ ଓ ଆତଙ୍କ ମନର ଏକ କୋଣକୁ ଠେଲି ହୋଇଗଲା ରୋଗୀ ଓ ଭୋଗୀ ଗହଳରେ | ଗତ ବର୍ଷର ବିଫଳତା ଯେ ଆଗକୁ ପଥ ସୁଗମ କରାଇବା ସହ ମୋ ପାଇଁ ଏକ ସୁନ୍ଦର ମେଧାବାନ୍ ଛାତ୍ରୀ ବୃତ୍ତି ରଖିଥିଲା ଓ ବୁର୍ଲା ମେଡିକାଲ କଲେଜର ଉତ୍କୃଷ୍ଟ ତାଲିମ ଓ “ଗୀତାଭବନ”ର ବରଦାନ ମୋ ଭାଗ୍ୟରେ ଲେଖାଥିଲା, ତା’ ଧୀରେ ଧୀରେ ଅନୁଭବି ଚାଲିଲି | ସବୁ ଭାଗ୍ୟ ଭୋଗିବା ପରେ ବି ମନରେ ଡର ଥାଏ ଠାକୁର ମୋତେ ଛାଡିଯାଇଛନ୍ତି | କେଜାଣି କଣ ଅଛି ? କହିବା ବାହୁଲ୍ୟ ଶରୀର , ମନ କର୍ମଭୂମିରେ ଥାଏ ହେଲେ ସମଗ୍ର ଅନ୍ତଃକରଣ ସେହି କଳାଠାକୁର ପାଖେ |

ଘରସଂସାର କରି ଅନେକ ଘଟଣାକ୍ରମ ଘଟି ଚାଲିଥାଏ | ଏ ମଧ୍ୟରେ ଠାକୁରେ ଗୁରୁକୃପା ମଧ୍ୟ ଢ଼ାଳିଦେଲେ ମୋ ଉପରେ |

ଥରେ ଦୁଇ ପରିବାର ଭିତରେ ଏକ ଛୋଟିଆ ସାମାଜିକ ଭୋଜିରେ ଯୋଗ ଦେଇଥାଏ ଏକ ହୋଟେଲ୍ ରେ | ସେଥିରେ ଆଉ ଜଣେ ବୟସ୍କ ଡାକ୍ତର ବି ସାମିଲ ଥା’ନ୍ତି | ବିଦାୟ ବେଳେ ସେ ମୋତେ ଛୋଟିଆ ଡବାଟିଏ ଉପହାରରେ ଦେଲେ | କହିଲେ , “ଏ ମୋର ଅଭ୍ୟାସ “|

ଖୋଲି ଦେଖିଲି , ଅବିକଳ ସେ ଜଗନ୍ନାଥ ଲକେଟ | ଏଥିରେ ଖାଲି ଯାହା କାଚ ଘୋଡଣି ନଥିଲା | ମୋ ମନୋଦଶା ଅବର୍ଣ୍ଣନୀୟ ଥିଲା | ଏତେ ଦିନ ଧରି ଠାକୁରେ ମୋ ହୃଦୟ ଲକେଟରେ ବାନ୍ଧିହୋଇ ରହିଥିଲେ | ମୋତେ ଆତ୍ମପ୍ରତୟ ଦେବାପାଇଁ ବୋଧହୁଏ ଏ ଭଳି ଖେଳଟିଏ ରଚନା କଲେ | ସାକ୍ଷୀଗୋପାଳ କାହାଣୀ ମନେ ପଡିଯାଉଥାଏ | କାଳେ ପଛକୁ ବୁଲି ପଡି ଅଟକି ଯିବି ସେଥିପାଇଁ ମୋ ଆଗରେ ଆସି ଠିଆ ହୋଇଗଲେ | ଯେମିତି କହୁଛନ୍ତି , “ଚରୈବେତି ଚରୈବେତି , | ମୁଁ ସବୁବେଳେ ଅଛି ତୋ ସାଙ୍ଗରେ | ଏମିତି ଟିକିଏ ଲୁଚକାଳି ଖେଳୁଥିଲି ନା !”

ଡଃ ବିୟତପ୍ରଜ୍ଞା ଆଚାର୍ଯ୍ୟ
ପ୍ରଫେସର, ବାୟୋକେମିଷ୍ଟ୍ରି

#odiablogger #odia #amasahitya #JayJagannath #drvpacharya

Leave a Reply

Your email address will not be published. Required fields are marked *