————————-
ଡଃ ବିୟତପ୍ରଜ୍ଞା ଆଚାର୍ଯ୍ୟ
————————-
ଡାକ୍ତର …..ଏକ ଜାତି କହି ପାରନ୍ତି । ଦୂରରୁ ଚାଲି ଯାଉଥିଲେ ମଧ୍ୟ ଜଣେ କହି ଦେଇ ପାରିବେ – ହେଇ, “ଡକ୍ଟର ଜଣେ ହେଇଥିବେ ବୋଧେ ।“ ଡକ୍ଟରଟିଏକୁ ଚିହ୍ନିବା ସହଜ କାହିଁକି ହୁଏ ? ଜୀବନର ସବୁ ଘାତ ପ୍ରତିଘାତକୁ ଅତି ପାଖରୁ ଦେଖୁଥିବା ମଣିଷଟିଏ ।
ମୁହୁର୍ମୁହୁ ନିଜର ଅନ୍ତଃକରଣକୁ ଟାଣି ହେଇ ଯାଉଥାଏ । ସ୍ୱାଭାବିକଭାବେ ଏକ ଛାପ ପଡ଼ିଯାଏ କଷ୍ଟ ନେଇ ଧୈର୍ଯ୍ୟର ସହ ବଞ୍ଚିବାର …ଛାପ ଥାଏ ସ୍ଥୈର୍ଯ୍ୟର–ଯିଏ ମେସିନ କଣ୍ଟାର ଉପର-ତଳ କୁ ଜୀବନର ଉତ୍ତରଣ-ଅବରୋହଣ ସଂଗେ ମେଳ ଖୁଏଇ ଆଖି ତରାଟି ବସିଥାଏ ଆଶାର ସହିତ; ଜୀବନର ଶେଷ ନିଃଶ୍ୱାସ ଯାଏଁ ଆଶା ରଖୁଥିବା ଓ ସେଇ ଆଶାକୁ ରୋଗୀର ଜ୍ଞାତି କୁଟୁମ୍ବକୁ ସଞ୍ଚରି ଦେଉଥିବା ମଣିଷଟିଏ —ଅଥଚ ନିଜକୁ ଅକିଞ୍ଚନ ମନେ କରୁଥିବା ଛାର ଜୀବଟିଏ ।
ଏ ସବୁକୁ ମିଶେଇ ଏକ ସନ୍ନ୍ୟାସୀର ଛାପ ପଡ଼ିଯାଏ —ଭୋଗୀ ଓ ରୋଗୀ ମେଳରେ ଯୋଗୀଟିଏ ଯେମିତି ଆତଯାତ ହେଉଥାଏ । ଯେଉଁଠି ଯେଉଁଠି ସୁଖର ସମାରୋହ —ସେଠି ଡାକ୍ତର ଟିଏ Late in, early-out.
ଆଉ ଯେତେବେଳେ ଡାକ୍ତର ଟିଏ early in, late-out ହୁଏ ନା…….ଥାଉ, ଭଗବାନ କରନ୍ତୁ ଏ ଦିନ କାହାକୁ ଦେଖିବାକୁ ନ ମିଳୁ ।
ଅତି ନିକଟରେ କୋଭିଡ ମହାମାରୀର ବିଭୀଷିକା ଦେଖି ନେଇଛେ। କୋଭିଡ warrior କହି ତାଳି ମାରିଲେ, ଆକାଶର ଫୁଲ ବର୍ଷେଇଲେ ..ହେଲେ ସେତକ ବି କ୍ଷଣସ୍ଥାୟୀ । ପରିବାବାଲା ମଧ୍ୟ ନିଜକୁ କୋଭିଡ warrior କହିଲେ । ଡାକ୍ତର ମାନେ ହସିଲେ ଆଉ ପାଦେ ପଛେଇଗଲେ ।
କେବେ ଆଶା କରନ୍ତିନି ରୋଗୀଟିଏ ଭଲ ହୋଇ ଫେରି ଆସି ସେମାନଙ୍କୁ ଧନ୍ୟବାଦ ଟିଏ ଦେବ ବୋଲି ଅବା କେହି କରତାଳିରେ ପୋତି ଦେଉ ବୋଲି ।
ନୀରବରେ ନିରବଛିନ୍ନ ଭାବେ କର୍ମଯୋଗୀ ପରି କାମ କରିବାର ଫଳ କିନ୍ତୁ ସେମିତି ଚମତ୍କୃତ କଲା ଭଳି ନୁହେଁ l ତେବେ ମାନବସେବା ଭିତରେ ମାଧବ ସେବା କରିବାର ଯେ ଆନନ୍ଦ, ତା’ ହିଁ ସେମାନଙ୍କୁ ପରିଶ୍ରମ କରିବାକୁ ଖୋରାକ ଯୋଗାଇ ଥାଏ l
ଡାକ୍ତରମାନେ କିନ୍ତୁ ଜନତାଙ୍କର ଈର୍ଷ୍ୟାର କାରଣ l ରୋଗୀ ସମ୍ମୁଖରେ ଏକ ସକାରାତ୍ମକ ଛବି ତୋଳି ଧରିବା ପ୍ରଚେଷ୍ଟାରେ ଯେହେତୁ ଧଳାକୋଟ ପରିହିତ, ଚୂଳ ସବୁ ବ୍ୟବସ୍ଥିତ (ଘରେ ପଛେ ଅଶୁଦ୍ଧି ଥାଉ), ଇସ୍ତ୍ରୀର ଭାଙ୍ଗ ଦିନ ଶେଷଯାଏଁ ଅକ୍ଷୁଣ୍ଣ, ଜୋତାର ପଲିସ ଚକଚକ ….ଏ ସବୁ ଦେଖି କେହି କେବେ ପରତେ ଯିବ କି ଯେ, ଡକ୍ଟରଟି ମଧ୍ୟ ଘରେ ଶଯ୍ୟାଶାୟୀ ମାଆକୁ ଛାଡି ଆସିଥିବ ଅବା ଆର୍ଥିକ କଷ୍ଟ ସମ୍ଭାଳୁଥିବ !
ଆୟରେ ବି ଆମେ ଲେଟ -ଇନ…..ଆଉ କିଛି ଜଣ ଏ ବିଳମ୍ବକୁ ଆୟତ୍ତ କରିବାକୁ ଯାଇ early out ମଧ୍ୟ ହୋଇଯାନ୍ତି | ଆମକୁ ନିଜର ଦୁଃଖ ବାହାରେ ପ୍ରକାଶ କରିବାର ଅଧିକାର ନାହିଁ କିମ୍ବା ଝାଉଁଳା ଦେଖା ଯିବାର ଅଧିକାର ନାହିଁ | କେବେଳ ଆମେ ଆମ ସାଥୀଭାଇ ଭଉଣୀଙ୍କ ପାଖେ ହିଁ ନିଜକୁ ପ୍ରକାଶ କରିପାରୁ | ତେଣୁ ଜଣେ ଜଣକୁ ସଶକ୍ତ କରିବା | ଜୀବନଯାତ୍ରାରେ ଅନ୍ୟମାନଙ୍କ ତୁଳନାରେ ଆମେ late-in ହୋଇଛେ ସିନା , ଯତ୍ନ ନେବା ଯେମିତି ଆମେ early out ନ ହୋଇଯାଏ | ଡାକ୍ତରଟିଏ ଗଢ଼ିହେବା କେତେ କଷ୍ଟ, ତା କେବଳ ଡାକ୍ତରଟିଏ କିମ୍ବା ତା ବାପା ମା’ ହିଁ କହି ପାରିବେ |କେବଳ ସେତିକି ନୁହେଁ, ସମାଜ ମଧ୍ୟ ଡାକ୍ତରଙ୍କୁ ଗଢୁଥାଏ I କେହି କେବେ ମନ ଦୁଃଖ କରେନି ଯଦି ଡାକ୍ତର ବାବୁ ସବା ଶେଷରେ ଭୋଜି ଖାଇବାକୁ ଆସନ୍ତି କିମ୍ବା ଜମ୍ମାରୁ ଆସି ପାରନ୍ତିନି I ସମସ୍ତଙ୍କର ସଦିଚ୍ଛା ମଧ୍ୟ ଆମ ଜୀବନରେ ଗୋଳି ହୋଇ ଚାଲିଥାଏ l ଭାଇ ଭଉଣୀ ମାନେ କହନ୍ତି …ହେଃ …ଛାଡ଼ ମ, ତୁ ବାପା ମା ଙ୍କ କଥା ବୁଝେ …ଆମେ ଆର ପାଖଟା ସମ୍ଭାଳି ନେବୁ l
ଶେଷଯାଏଁ ବିଶ୍ୱକଲ୍ୟାଣ ପାଇଁ ଏ ଜୀବନ ଉତ୍ସର୍ଗ ହେଉ – ଏତିକି ପ୍ରାର୍ଥନା ଵିଶ୍ଵନିୟନ୍ତାଙ୍କ ପାଖେ |
=ଶୁଭମସ୍ତୁ=
#odiablogger #drvpacharya #doctorsday2023 #healthcare