ପ୍ରାଜ୍ଞ ସାବିତ୍ରୀ

Kalki-2898AD review
July 31, 2024
ଓଁ ନମୋ ଭଗବତେ ବାସୁଦେବାୟ II
July 31, 2024

କଥା ରଖିଲି …ଭାଗ ଭାଗ କରି ବି ଦେଲି, ରାତି ଶେଷ ହେବା ପୂର୍ବରୁ ଏକ ଥରେ ମଧ୍ୟ ଦେଉଛି I ଆପଣମାନଙ୍କ ମତାମତ ଅପେକ୍ଷାରେ …
———————————————–
ପ୍ରାଜ୍ଞ ସାବିତ୍ରୀ
(ବିଜ୍ଞାନଭିତ୍ତିକ କ୍ଷୁଦ୍ର ଗଳ୍ପ)
—————————-
ଡଃ ବିୟତପ୍ରଜ୍ଞା ଆଚାର୍ଯ୍ୟ
ପ୍ରଫେସର ବାୟୋକେମିଷ୍ଟ୍ରି
*********
ତିନି ଦିନ ହେଲା ଶାଶୁ ଶ୍ୱଶୁର ଦିନରାତି ୨୪ଘଣ୍ଟା ଟିଭି କୁ ଅନେଇ ବସି ରହିଛନ୍ତି | ସେମାନଙ୍କୁ ଦୋଷ ବି ଦେଇହେବନି | ପୂଞ୍ଚ ଅଞ୍ଚଳରେ ଗୁଳିଗୁଳା ମାଡ ଚାଲିଛି | ସୋମେଶଙ୍କର ପୋଷ୍ଟିଙ୍ଗ ସେଇଠି |୧୦ଦିନ ତଳେ ସେ ସୁକନ୍ୟା ପାଖକୁ ଫୋନ ଲଗେଇ ତରବରିଆ ଭାବେ ତାକୁ ଓ ପରେ ବାପା ମା’ଙ୍କୁ ଜଣେଇ ଦେଇଥିଲେ ଯେ ସେ ନୂଆ ମିଶନରେ ଯାଉଛନ୍ତି | ଯୁଦ୍ଧ ପରିସ୍ଥିତି | ଆଉ ବେଶୀ କିଛି କହି ହେବନି | ମୋବାଇଲ ଫୋନ ଏବେ ଠାରୁ ବନ୍ଦ ରହିବ |ସୁକନ୍ୟା ଜାଣେ, ସେ ଜଣେ ଯବାନର ସ୍ତ୍ରୀ | ମୃତ୍ୟୁର ପଗଡି ପିନ୍ଧି ସେମାନେ ସବୁବେଳେ ବୁଲୁଥାନ୍ତି | ସବୁବେଳେ ଖଣ୍ଡାଟିଏ ଯେମିତି ମୁଣ୍ଡ ଉପରେ ଝୁଲୁଛି |
ସେ ନର୍ସିଙ୍ଗ ଟ୍ରେଂନିଂ ଶେଷ କଲାବେଳକୁ ତା’ ପାଇଁ ଅନ୍ୟ କେତେକ ପ୍ରସ୍ତାବ ଆସିଥିଲା ହେଲେ ସେ କଲେଜ ବେଳେ ପ୍ରଥମ ଦେଖାରେ ହିଁ ସୋମେଶକୁ ଭଲ ପାଇ ଯାଇଥିଲା | ଗ୍ରାଜୁଏଶନ ପରେ ସୋମେଶ ଆର୍ମିରେ ଯୋଗ ଦେଇଥିଲେ ଓ ସୁକନ୍ୟା ନର୍ସିଙ୍ଗ କଲେଜରେ | ସୋମେଶ ସହ ନା ବେଶୀ କିଛି ଭାବର ଆଦାନ ପ୍ରଦାନ ଥିଲା ,ନା କୌଣସି ଚୁକ୍ତି ଅବା ପ୍ରେମର ପରିପ୍ରକାଶ |ବାସ ,ସେଇ ଯାହା ପାଠ ପଢା ବେଳର ଦେଖା ଚାହାଁ, ମିଳାମିଶା |
ନର୍ସିଙ୍ଗ କଲାବେଳେ ବି ଅନେକ ପୁରୁଷ ବନ୍ଧୁଙ୍କୁ ଭେଟିଛି, ତେବେ କାହିଁକି କେଜାଣି କେହି ବି ଆଗକୁ ଆସିଲେ ପ୍ରଥମେ ସେ ତାକୁ ସୋମେଶର ବ୍ୟକ୍ତିତ୍ୱ ସହ ତୁଳନା କରିବସେ |
ପଢା ସାରି ଟ୍ରେଂନିଂ ଚାଲିଲା ବେଳକୁ ସୁକନ୍ୟାର ସାଙ୍ଗର ବାପା ମା’ ଙ୍କ ମାଧ୍ୟମରେ ତା’ ପାଇଁ ସୋମେଶର ପ୍ରସ୍ତାବ ଆସିଲା | ତା’ ମାନସ ପଟଳରେ ଯେଉଁ ଚିତ୍ର ରହିଥିଲା ,ଫୋଟୋରେ ସେ ତାଠୁ ବହୁ ଗୁଣରେ ସୁନ୍ଦର ଓ ସୌମ୍ୟ ଲାଗୁଥିଲା |ଖୁସିରେ ହଁ ଭରିଥିଲା |
ହେଲେ ଅସୁବିଧା ଥିଲା ତା’ ବାପା ମା’ଙ୍କ ଠି |ସେମାନେ ଆର୍ମି ଯବାନ କ’ଣ, ଯେ କୌଣସି ସୁରକ୍ଷା କର୍ମୀଙ୍କୁ ଅତିଶୟ ଭଲ ପା’ନ୍ତି |ତେବେ ଆଜି ନିଜର ଏକମାତ୍ର ଝିଅକୁ କେମିତି ଟେକିଦେବେ ଜଣେ ଯବାନ ହାତରେ? ଯଦି ହଠାତ ଯୁଦ୍ଧ ଲାଗିଯାଏ ?କେମିତି ଦେଖିବେ ଝିଅର ବୈଧବ୍ୟ ଅବସ୍ଥା ?ଜୀବନର ସାୟାହ୍ନରେ କେମିତି ସହିବେ ସେମାନେ ଏ ଦୁଃଖ !
ଜଣେ ଦୂର ସମ୍ପର୍କୀୟ ମଉସା ଆସି ବୁଝେଇଲେ ଯେ, ଆରେ !ସବୁବେଳେ କଣ ଯୁଦ୍ଧ ଲାଗେ? ଦେଖ ମତେ ବର୍ଡ଼ର ଜଗି ଜଗି ମୋର ତ ରିଟାଏରମେଣ୍ଟ ହେଇଗଲା | ଏମିତି ଏମିତି ଅନେକ କଥା ବୁଝେଇଲେ , ସର୍ଟ ଟର୍ମ ସର୍ଭିସ କମିସନରେ ଜ୍ୱାଇଁ ଆମର ଫେରି ଆସିଲେ କେତେ କଣ ସୁବିଧା ସୁଯୋଗ ପାଇ, କିଛି ଧନ୍ଦା ପାଇଟି ନ ହେଲେ ଚାକିରୀ ଖଣ୍ଡିଏ କରି ବହୁତ ଭଲରେ ଚଳିବେ |
କୁନ୍ଥୁ କୁନ୍ଥୁ ହୋଇ ବାପା ମା’ ତା’ର ଶେଷରେ ରାଜି ହୋଇଥିଲେ | ସୋମେଶର ବାପା ମା’ ଆଦର ଯତ୍ନରେ ପାଛୋଟି ନେଲେ ନୂଆ ବୋହୂକୁ | ବାହାଘର ଠିକ ହେଉ ନ ହେଉଣୁ ସରକାରୀ ଚାକିରୀ ମିଳିଯିବାରୁ ଉଭୟ ପରିବାର ସହମତିରେ ସୁକନ୍ୟା ଚାକିରୀରେ ଯୋଗ ଦେଲା ଓ ସୌଭାଗ୍ୟବଶତଃ ପାଖ ସହରରେ ପୋଷ୍ଟିଙ୍ଗ ହେବାରୁ ଶାଶୁ ଶ୍ୱଶୁରଙ୍କ ପାଖରେ ରହି, ସେମାନଙ୍କ ଦେଖା ରେଖା କରିବା ସହ କର୍ମକ୍ଷେତ୍ରରେ ଦାୟିତ୍ୱ ସମ୍ଭାଳି ନେଲା |
ଚଉଠି ରାତିରେ ସୋମେଶ ନିଜର ଗୂଢତମ ସତ୍ୟ ସୁକନ୍ୟାକୁ ଜଣେଇଥିଲା, କେମିତି ସେ କଲେଜ ବେଳୁ ସୁକନ୍ୟାକୁ ହୃଦୟ ଦେଇ ବସିଥିଲା | ସୁକନ୍ୟା ହସି ହସି ରାତିରେ ମୁଣ୍ଡ ରଖି କହିଲା -” ଓଃ ! ତା’ ହେଲେ ବାବୁ ମୋତେ ପୁରା କିମିଆ କରି ରଖିଥିଲେ | ସେଥିପାଇଁ ଅନ୍ୟ କୋଣସି ପୁରୁଷଙ୍କୁ ମୁଁ ମୋ ମନରେ ସ୍ଥାନ ବି ଦେଇ ପାରିଲିନି |”
ସୋମେଶ କହିଲା- “ତୁମେ କେବଳ ମୋରି ପାଇଁ ଗଢା ହୋଇଛ | I love you so so much. ମୋ ସ୍ୱପ୍ନ ଆଜି ସତ ହେଇଛି | ”
ଛୁଟି ଶେଷ ହେଲାପରେ ସୋମେଶ ପୁଞ୍ଚରେ ପୋଷ୍ଟିଙ୍ଗ ପାଇ ସେଇଠିକୁ ଯାଇଥିଲେ I ସୁକନ୍ୟାର ଛାତିରେ କୋହ ଉଠୁଥାଏ | ସବୁ ଅପୂର୍ଣ୍ଣ ଅପୂର୍ଣ୍ଣ ଲାଗୁଥାଏ | ଦୁଷ୍ମନ୍ତଙ୍କୁ ଭାବି ଶକୁନ୍ତଳା ଆନମନା ହୋଇ ବସିଲା ପରି ଖୁବ ଅନ୍ୟମନସ୍କ ହୋଇ ପଡୁଥାଏ | ଲାଗୁଥାଏ , ଏତେ ଦିନ ପରେ ଯେମିତି ହାତ ପାହାନ୍ତାକୁ ବସନ୍ତ ଆସି ଦୂରକୁ ଚାଲିଯାଇ ତପ୍ତ ମରୁବାଲିରେ ଛାଡି ଦେଇ ଚାଲି ଯାଇଛି |
ହଠାତ ଦୂରଦର୍ଶନରେ ଖବର ଦେଖେଇ ଚାଲିଲା – ” ପୁଞ୍ଚରେ ଗୁଳିଗୁଳା ବିନିମୟରେ ୪ ଯବାନ ଗୁରୁତର ଭାବେ ଆହତ , ଜଣେ ନିହତ |” ସବୁ ଚ୍ୟାନେଲରେ ଚାଲିଥାଏ ବ୍ରେକିଂ ନ୍ୟୁଜ୍ | ଥମୁ ନ ଥାନ୍ତି କୌଣସି ଚ୍ୟାନେଲ | କେହି ସରକାରଙ୍କ ଅପାରଗତା ବିଷୟରେ ଦର୍ଶାଉଥାନ୍ତି , କେହି ରାଜନୈତିକ ଚର୍ଚ୍ଚାକୁ ଜବରଦସ୍ତି ସେଥିରେ ଯୋଡୁଥାନ୍ତି, ଆଉ ନିଜ ନିଜ ଚ୍ୟାନେଲର TRP ବଢ଼ାଉଥା’ନ୍ତି |
ପୁଞ୍ଚରେ ସେମାନଙ୍କର ପୋଷ୍ଟିଂ ହୋଇ ଦେଢ଼ ମାସ ହୋଇଥାଏ I ସୁକନ୍ୟା କିଛି ହେଲେ ଆଗକୁ ଭାବିପାରୁ ନଥାଏ I ୪ ଆହତ, ଜଣେ ନିହତ -‘ହେ ପ୍ରଭୁ I ମୋ ସୋମେଶଙ୍କର କିଛି ହୋଇ ନ ଥାଉ I ଏ ପାଞ୍ଚ ଜଣଙ୍କ ଭିତରେ ତାଙ୍କ ନାଁ ନ ଥାଉ ପ୍ରଭୁ I” ପର ମୁହୁର୍ତ୍ତରେ ଭାବିଲା -“ଛିଃ! ମୁଁ କି ପାପିନୀ ! କେତେ ହୀନମନସ୍କା ମୁଁ ! କେତେ ସ୍ୱାର୍ଥପର ! ମୁଁ ମୋ ସୋମେଶ ଭଲରେ ଥା’ନ୍ତୁ ବୋଲି ଭାବୁଛି , ଅଥଚ ଯେଉଁ ୫ ଜଣ ଆହତ ବା ନିହତ, ସେମାନେ ମଧ୍ୟ କାହାର ପୁଅ କି ସ୍ୱାମୀ ହେଇଥିବେ I ହେ ପ୍ରଭୁ! ହେ ଜଗନ୍ନାଥ ! ମେତେ କ୍ଷମା କରିଦିଅ I ଖାଲି ଏତିକି ପ୍ରାର୍ଥନା, ଯୁଦ୍ଧ ବନ୍ଦ କରିଦିଅ I ସମସ୍ତେ ଭଲରେ ରୁହନ୍ତୁ I”
ଶାଶୁ ଶ୍ୱଶୁର ସୁକନ୍ୟା ମୁହଁକୁ ସିଧା ଚାହିଁ ପାରୁ ନ ଥାନ୍ତି I ତା’ ମୁଣ୍ଡରେ ଦାଉ ଦାଉ ହୋଇ ଜଳୁଥାଏ ସିନ୍ଦୂର | ବାହାଘରକୁ ୩ ମାସ ମଧ୍ୟ ପୂରିନି, ମାତ୍ର ୧୫ ଦିନର ଦାମ୍ପତ୍ୟ ସୁଖ ଭୋଗିଛି | ତା’ ଆଗରେ କାନ୍ଦି ମଧ୍ୟ ପାରୁ ନ ଥା’ନ୍ତି | ଶ୍ୱଶୁର, ନୀଳାମ୍ବର ବାବୁ ସୈନିକମାନଙ୍କ ବୀର ଗାଥା ସବୁ କହୁଥା’ନ୍ତି | କିନ୍ତୁ ୩ ଜଣ ଯାକ ଉତ୍କର୍ଣ୍ଣ ଥା’ନ୍ତି ଟିଭି ନ୍ୟୁଜ୍ ଚ୍ୟାନେଲ ପ୍ରତି | ଦ୍ୱିତୀୟ ଦିନ ବେଳକୁ ବ୍ରେକିଙ୍ଗ ନ୍ୟୁଜ୍ ବଦଳି ଗଲାଣି ….ଖୋଲା ନାଳରେ ଷଣ୍ଢ ପଡିଯିବାର ଖବର ଚାଲୁଥାଏ | ସମସ୍ତଙ୍କ ଆଖି ଥାଏ ମୋବାଇଲ ଉପରେ | ଶାଶୁ spam call ବି ଦୌଡ଼ିଯାଇ ଉଠେଇ ଶୁଣୁଥାନ୍ତି|
ତା’ ପରଦିନ ଥାଏ ସାବିତ୍ରୀ ବ୍ରତ | ତା’ ବାପା ମା’ ଆଗୁଆ ସାବିତ୍ରୀ ବ୍ରତ କରିବା ପାଇଁ ଟଙ୍କା, ଶାଢ଼ୀ ଆଦି ପଠେଇଥା’ନ୍ତି | ଶାଶୁ ସବୁ ସାଜ ସରଞ୍ଜାମ ଦେଖି ବହୁତ ଖୁସି ମଧ୍ୟ ହୋଇଥିଲେ | ସୁକନ୍ୟା ତା ବାପା ମା’ଙ୍କୁ ସୋମେଶର ପୁଞ୍ଚରେ ପୋଷ୍ଟିଙ୍ଗ ବିଷୟରେ ମଧ୍ୟ କିଛି ଜଣେଇ ନ ଥିଲା | ସେ ସେମାନଙ୍କୁ ଆଉ ଚିନ୍ତାରେ ପକେଇବାକୁ ଚାହୁଁ ନ ଥିଲା | ସେ ସାବିତ୍ରୀ ପରି ନିଜ ସତ୍ୟବାନଙ୍କୁ ତାଙ୍କ ଜୀବନରେ ଅନିଶ୍ଚିତତାକୁ ଜାଣି ମଧ୍ୟ ଗ୍ରହଣ କରିଛି | ବର୍ତ୍ତମାନ ସେ ହିଁ ନିଜ ଭବିଷ୍ୟତର ଏକମାତ୍ର ଉତ୍ତରଦାୟୀ |
ରାତିସାରା ନା ଶାଶୁ ଶ୍ୱଶୁରଙ୍କ ଆଖିରେ ନିଦ ଥାଏ , ନା ସୁକନ୍ୟା ଆଖିରେ | ପାହାନ୍ତା ପହରରୁ ସାବିତ୍ରୀ ବ୍ରତ ନାଁ ରେ ଘରକାମ ସବୁ ଆରମ୍ଭ କରିଦେଇଥା’ନ୍ତି | ସମସ୍ତେ ନିଜ ନିଜ କାମରେ ଲାଗି ପଡିଥା’ନ୍ତି | ଅଜବ ନୀରବତା | ଶୀଘ୍ର ଶୀଘ୍ର ଶାଶୁ ବୋହୂ କାମ ତୁଲେଇ ସାବିତ୍ରୀ ଦେବୀଙ୍କୁ ଆବାହନ କରି ପୂଜା ଆରମ୍ଭ କରିଦେଲେ | ଶାଶୁ ପ୍ରଭାତି ଦେବୀ, ଶ୍ୱଶୁରଙ୍କୁ ମୁଣ୍ଡିଆଟିଏ ମାରି ପ୍ରସାଦ ସେବନ କଲେ | ବୋହୂକୁ କ’ଣ କହିବେ ବୁଝି ପାରୁ ନ ଥାନ୍ତି। ସୋମେଶର ଫୋଟୋ ଫ୍ରେମ୍ ଆଣି ପାଖରେ ଥୋଇଦେଲେ । ଆଗକୁ ଆଉ କିଛି କହି ପାରିଲେନି । ସୁକନ୍ୟା ପଛକୁ ମୁହଁ ବୁଲେଇ ଆଖିରୁ ଲୁହ ପୋଛିଲା । ଉଭୟେ ଅଜଣା ଆତଙ୍କରେ ଥରି ଯାଉଥା’ନ୍ତି । ପ୍ରସାଦ ପାଇ ଉଠିଲା ବେଳକୁ ସୁକନ୍ୟାର ମୋବାଇଲ ଫୋନ୍ ବାଜି ଉଠିଲା। ସୁକନ୍ୟା ସଙ୍ଗେ ସଙ୍ଗେ ଲୁଗା ପାଲଟି ସ୍କୁଟି ଧରି କାମକୁ ବାହାରି ପଡ଼ିଲା ।
ଶାଶୁ ଦେଖିଲେ , ସୁକନ୍ୟା ହାତରୁ ଚୁଡ଼ି ଆଦି ସବୁ କାଢି ସାଲୱର୍ କମିଜ୍ ରେ ତା’ ସ୍କୁଟି ଧରି ବାହାରିଲାଣି । ତରବରରେ କହିଲା – ” Emergency OT ମା’, କେତେ ସମୟ ଲାଗିବ, କହି ପାରିବିନି । ” ଶାଶୁଙ୍କ ପାଟିରୁ ବାହାରି ଆସୁଥିଲା – “ ଆଜି ପରା ଦିନରେ ଚୁଡ଼ି ଖୋଲିଦେଲୁ ।” ହେଲେ ନିଜକୁ ଅଟକାଇ ଦେଲେ ।
ସଂଧ୍ୟା ୭ଟା ବେଳକୁ ଥକି ହାରି ସୁକନ୍ୟା ଘରକୁ ଫେରିଲା I ଶାଶୁ ସରବତ ଗ୍ଳାସିଏ ହାତରେ ଧରେଇ ଦେଲେ I ପଚାରିଲେ —“ସବୁ ଠିକ୍ ତ ମା’ ?
ସୁକନ୍ୟା—“ହଁ ମା’ I ଗୋଟେ ବହୁତ କିଟିମିଟିଆ ଲେବର କେସ୍ ରେ ଫସିଗଲୁ ସମସ୍ତେ I ଯା’ ହେଉ ଡେଲିଭରିଟା ଭଲରେ ସରିଲା I ଆଜି ବହୁତ ଜଣ ସାବିତ୍ରୀ ବ୍ରତ ପାଇଁ ଛୁଟୀରେ I”
ଶାଶୁ –“ତୁ କାହିଁକି ଗଲୁ? ତୁ ବି ମନା କରି ଦେଇଥାନ୍ତୁ ନା I ଅନ୍ୟ ସମସ୍ତେ ଚୁଡି-ଶାଢ଼ୀ ପିନ୍ଧି ରହିଲେ Iଆଉ ତୁ—–”
ସୁକନ୍ୟା ଶୁଖିଲା ହସଟିଏ ହସିଲା I “ମା’ OT ଭିତରକୁ ଗଲେ ଆମକୁ ଚୁଡି ଖୋଲିବାକୁ ହିଁ ପଡିବ , ନ ହେଲେ Infection ର ସମ୍ଭାବନା ଥାଏ l ସମସ୍ତେ ମନା କରିସାରିଥିଲେ I ଯଦି ‘ସେ’ କର୍ତ୍ତବ୍ୟ ଡାକରାର ନିଜ ସଦ୍ୟ ବିବାହିତା ସ୍ତ୍ରୀ କୁ ଛାଡି ବର୍ଡ଼ର ରେ ଲଢ଼ୁଛନ୍ତି, ମୁଁ ଜୀବନଟିଏ ବଞ୍ଚେଇବାକୁ କେମିତି ଯିବିନି କହିଲେ ? ଆପଣ ବ୍ୟସ୍ତ ହୁଅନ୍ତୁନି I ମୁଁ ମୋ ଚୁଡି, ସିନ୍ଦୁର ସବୁ ମୋ ନିଃଶ୍ୱାସ ପ୍ରଶ୍ୱାସରେ ଗୁନ୍ଥି ଦେଇଛି I” ଆଉ ନିଜକୁ ରୋକି ପାରିଲାନି ସୁକନ୍ୟା I
ଆଖିରୁ ଧାର ଧାର ଲୁହ ଗଡି ପଡିଲା “ସେ ନିଶ୍ଚୟ ଫେରି ଆସିବେ ମା’, ନ ହେଲେ ମୁଁ ବି ଯମରାଜଙ୍କ ସହ ଲଢ଼ିବି —- ଉଭୟ ଶାଶୁ ଓ ବୋହୂ ପରସ୍ପରକୁ ଭିଡି ଧରି ଭୋ ଭୋ ହୋଇ କାନ୍ଦି ଉଠିଲେ I ଉଭୟ ଜାଣି ସାରିଲେ ଯେ , ଆଉ ଅଭିନୟ କରି ଲାଭ ନାହିଁ… ବୋହିଯାଉ ଅଜ୍ଞାତ ଭୟ ସବୁ ଲୁହ ହୋଇ I
ଆର ଘରୁ ଶ୍ୱଶୁର ମୋବାଇଲ୍ ଧରି ଧାଇଁ ଆସିଲେ—“ଶୁଣୁଛ—ହେଇଟି ଶୁଣୁଛ— ସୋମୁକୁ ସେମାନେ ଶ୍ରୀନଗର ବେସ୍ କ୍ୟାମ୍ପ ହସପିଟାଲକୁ ନେଇ ଆସିଛନ୍ତି | ସେ injured କିନ୍ତୁ danger ନାହିଁ | କ’ଣ ଗୋଟେ ଅପରେସନ ହେଇଛି, ମୁଁ ସେତେ ବୁଝି ପାରିଲିନି l”
ପ୍ରଭାତି ଦେବୀ ସଂଗେ ସଂଗେ କହିଲେ -“ଏବେ ସଂଗେ ସଂଗେ ତିନିଟା ଫ୍ଲାଇଟ ଟିକେଟ କର I ଆମେ ଶ୍ରୀନଗର ଯିବା I ମୋ ସୋମୁକୁ ନ ଦେଖିଲେ ମୋ ମନ ମାନିବନି I”
ସୁକନ୍ୟା ଲୁହ ପୋଛୁ ପୋଛୁ କହିଲା -“ନା ମା’ …ଆପଣମାନେ ଯା’ନ୍ତୁ I ମୋତେ ଏତେ ଦିନ ଛୁଟି ମିଳିବନି I ଆପଣମାନଙ୍କୁ ଦେଖିଲେ ସେ ବହୁତ ଖୁସି ହୋଇଯିବେ I ମୁଁ ଏଇଠି ଅପେକ୍ଷା କରିବି ତାଙ୍କ ପାଇଁ I”
ପ୍ରଭାତିଙ୍କର ମନେ ହେଲା ସତେ ଯେମିତି ସୁକନ୍ୟା କିଛି ଲୁଚାଉଛି I ଏମିତି କି କାମ ହୋଇପାରେ ? ସ୍ୱାମୀ ମରଣ ମୁହଁରୁ ଫେରି ଆସିଛି, ଅଥଚ ସ୍ତ୍ରୀ ହୋଇ ତାକୁ ଯିବାକୁ ଇଛା ହେଉ ନାହିଁ ? ଏତେ କର୍ମ ପାଗଳ ?
ସୁକନ୍ୟା କହିଲା -“ମା’ ମୋ ୟୁନିଟରେ ଏବେ ମୋତେ ଛାଡିଲେ ପ୍ରାୟ କେହି ନାହାନ୍ତି I ଡଃ ମହାପାତ୍ର ଏକା ସମ୍ଭାଳି ପାରିବେ ନାହିଁ I ମୁଁ ତାଙ୍କର ମୁଖ୍ୟ ସହାୟିକା I ମୁଁ ଯଦି ବା ଜିଦ୍ଦି କରି ଯିବି, ରୋଗୀମାନେ ବଡ ହଇରାଣ ହୋଇଯିବେ I ସାର ଅପରେସନ ସାରି ଦେଲାପରେ ପ୍ରାୟ ମୋରି ହାତରେ ସବୁ ଛାଡି ଦିଅନ୍ତି I”
ପ୍ରଥମକରି ପ୍ରଭାତି ଦେବୀଙ୍କୁ ସୁକନ୍ୟାର ଚରିତ୍ର ଉପରେ ସନ୍ଦେହ ଆସିଲା I ସେ କେବେ ଘରୁ ଗୋଡ କାଢି ନାହାନ୍ତି ଚାକିରୀ କରିବାକୁ , କିନ୍ତୁ ଏତିକି ସମଝ ତ ଅଛି ଯେ,୨-୩ ଦିନ ଛୁଟିରେ କିଛି ପ୍ରଳୟ ଆସି ଯିବନି I ଏମିତିରେ ବି ଡାକ୍ତର ନର୍ସ କାହାଣୀ ଅନେକ ଶୁଣିଛନ୍ତି I କେଜାଣି ସେମିତି କିଛି ପ୍ଲାନ କରି ଏ ଘରକୁ ଆସି ନ ଥିଲା ତ ?
xxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxx
ତା’ ପରଦିନ ଭୋର ଫ୍ଲାଇଟ ରେ ହିଁ ପ୍ରଭାତି ଦେବୀ ଓ ନୀଳାମ୍ବର ବାବୁ ଶ୍ରୀନଗର ଅଭିମୁଖେ ବାହାରି ଗଲେ l ସେଠି ପହଞ୍ଚି ସୁକନ୍ୟାକୁ ଫୋନ ଲଗେଇଲା ବେଳକୁ ସେ ଓ.ଟି. ରେ ପଶୁଥାଏ I ଦୁଇ ପଦ କଥା ହୋଇ ରଖି ଦେଲା I ତା ପରଠୁ ବେସ କ୍ୟାମ୍ପରେ ଆଉ ଫୋନ ଲାଗିଲା ନାହିଁ I ମା’ ପୁଅ ଯେତେବେଳେ ପରସ୍ପରକୁ ଦେଖିଲେ, ଉଭୟ କୋଳାକୋଳି ହୋଇ ଏମିତି କାନ୍ଦିଲେ ଯେ, ନୀଳାମ୍ବର ବାବୁଙ୍କ ଆଖିକୁ ମଧ୍ୟ ଲୁହ ଆସିଗଲା I ହଠାତ ସେମାନଙ୍କର ନଜର ସୋମେଶର କଟା ହୋଇ ଥିବା ବାଁ ଗୋଡ ଆଡେ ଗଲା I କାନ୍ଦି କାନ୍ଦି ପ୍ରଭାତି ଦେବୀ କହୁଥାନ୍ତି …”ମୋ ପୁଅ ମୋ ପାଖକୁ ଫେରି ଆସିଛି, ସେତିକି ଯଥେଷ୍ଟ I”
ଏତିକି ବେଳେ ଜଣେ ଯବାନ ଆସି ସାଲ୍ୟୁଟ ମାରି କର୍ଣ୍ଣେଲ ଦାଶ ଡାକୁଛନ୍ତି ବୋଲି ଜଣାଇଲା I କର୍ଣ୍ଣେଲ ପ୍ରଶାନ୍ତ ଦାଶ ଓଡ଼ିଆ ଲୋକ I ଉଭୟଙ୍କୁ ଚା ଆଦି ଦେଇ ସାଷ୍ଟାମ କଲା ପରେ ଗଳା ଖିଙ୍କାରି ଆରମ୍ଭ କଲେ -“ସୋମେଶ ଶତ୍ରୁ ମାନଙ୍କ ଏକ ମୁଖ୍ୟ ଅଞ୍ଚଳକୁ ଆକ୍ରମଣ କରି ସେମାନଙ୍କ ଗୋଳା ବାରୁଦ ତ ନଷ୍ଟ କଲା, ଦୁଇ ଜଣ ଉଗ୍ରପନ୍ଥୀଙ୍କୁ ବି ମାରି ଦେଲା I ହେଲେ ତା’ ଉପରେ ଆକ୍ରମଣ ହେବା ପରେ ସେ ବୁଦା ଭିତରେ ଦୁଇ ଦିନ ଯାଏଁ ପଡି ରହିଥିଲା I କେଜାଣି ସେ କେମିତି ବଞ୍ଚିଲା ! ବଞ୍ଚି ଗଲା ସିନା, ଏଠିକି ଅଣା ହେଲା ବେଳକୁ ତା ବାଁ ଗୋଡଟା ସଢ଼ି ଯାଇଥିଲା I ତା ଜୀବନ ବଂଚେଇବା ପାଇଁ ଆମେ amputation କରିଦେଲୁ I ଏହା ସହ ବାଁ ପଟ ଅଣ୍ଡକୋଷ ବି କାଢ଼ିବାକୁ ପଡ଼ିଲା I ଗୋଟିଏ ଅଣ୍ଡକୋଷ ପିତୃତ୍ୱ ରକ୍ଷା କରିବାକୁ ଯଥେଷ୍ଟ, ହେଲେ ଆଉ କିଛି ଦିନ ପରେ ହିଁ ଜଣା ପଡିବ ସେ କଥା I ଏବେ ସେ “phantom limb” ସିଣ୍ଡ୍ରୋମ ରେ ପୀଡିତ I ତେଣୁ ସୁବିଧା ଦେଖି ଆମେ ଏ ସବୁ ବିଷୟରେ କଥା ହେବା I”
“Phantom limb?” ଏକ ସଂଗେ ଦୁହେଁ ପଚାରି ପକେଇଲେ I
କର୍ଣ୍ଣେଲ ଦାଶ କହିଲେ -“ଯେହେତୁ ଗୋଡଟି ସେ ଏବେ ଏବେ ହରେଇଛି, ତା ମସ୍ତିଷ୍କ ଭାବି ପାରୁନି ଯେ ସେ ସ୍ଥାନରେ ଆଉ ସେ ଗୋଡ ନାହିଁ I ଆଉ ସେଇଠୁ ଏକ pain ମଧ୍ୟ ହେଉଛି ଏବେ I ସମସ୍ତେ ନିଜ ହିସାବରେ ଏ ଦରଦ କୁ ସମ୍ଭାଳନ୍ତି I ସମୟ ସୁବିଧା ଦେଖି ଆମେ ଆର ବିଷୟରେ କଥା ହେବା ତା’ ସହ I”
ଟିକକ ଆଗରୁ ଯେ ପୁଅ କୁ ଫେରି ପାଇବାର ଖୁସି ଥିଲା, ଏବେ ଏ ଖବର ଶୁଣି ମୁଣ୍ଡ ଘୁରେଇ ଦେଲା I ସଦ୍ୟ ବିବାହିତା ସୁକନ୍ୟାକୁ କ’ଣ ବୋଲି କହିବେ ?
ଆଗାମୀ ୧୫ ଦିନ କାଗଜପତ୍ର କାମ ଓ ସୋମେଶର ସେବା ଶୁଶ୍ରୁଷାରେ କଟିଗଲା I
ଫୋନରେ ଅଳ୍ପ କିଛି ଔପଚାରିକ କଥାବାର୍ତ୍ତା ହିଁ କରି ପାରୁଥିଲେ I କହିବା ବାହୁଲ୍ୟ, ପ୍ରଭାତି ଓ ନୀଳାମ୍ବରବାବୁ ଆଗାମୀ ଝଡ ପାଇଁ ନିଜକୁ ପ୍ରସ୍ତୁତ କରୁଥିଲେ I
ହସ୍ପିଟାଲରୁ ଡିସଚାର୍ଜ ହୋଇ ଯେତେବେଳେ ଦିଲ୍ଲୀ ଏୟାରପୋର୍ଟରେ ପହଞ୍ଚିଲେ , ପ୍ରଥମ କରି ଭିଡ଼ିଓ କଲରେ ସମସ୍ତେ କଥା ହେଲେ I ସୋମେଶର ମୁହଁର କ୍ଷତ ଆଦି ସେତେବେଳକୁ ଶୁଖି ଆସିଥାଏ I ସୁକନ୍ୟାର ଆନନ୍ଦାଶ୍ରୁ ଝରି ଯାଉଥାଏ I କହୁଥାଏ, ” ଆମେ ସମସ୍ତେ ତୁମକୁ ଅପେକ୍ଷା କରିଛୁ I ଆପଣମାନେ ଶୀଘ୍ର ଆସନ୍ତୁ I”
ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚି ପ୍ରଥମେ ସୁକନ୍ୟାର ପିତା ସୁଦାମ ବାବୁ ଓ ମା’ ସୁନୀତି ଦେବୀଙ୍କୁ ଭେଟିଲେ I ସୋମେଶର ଆଖି ପହଁରି ଆସୁଥାଏ ଭିଡ ଭିତରେ …”ସୁକନ୍ୟା କାହିଁକି ଆସିନି ?” ଭାବିଲା ହେଲେ ପଚାରିଲାନି I ସୁଦାମ ବାବୁ ବୁଝି ପାରିଲା ପରି କହିଲେ -“ସେ ଘରେ ଅପେକ୍ଷା କରିଛି I”
କାର ହର୍ନ ଶୁଣି ସୁକନ୍ୟା ଆସି ଦୁଆର ଖୋଲି ସୋମେଶକୁ ବନ୍ଦାପନା କରି, ସମସ୍ତଙ୍କୁ ମୁଣ୍ଡିଆ ମାରି ଭିତରକୁ ପାଛୋଟି ନେଲା I ସୁନ୍ଦର କାଞ୍ଜିବରମ ପାଟଟିଏ ପିନ୍ଧି ବଡ ସିନ୍ଦୂର ଟୋପା ପିନ୍ଧି, ନିଜକୁ ଗହଣାରେ ସଜେଇଥାଏ I ପୂରା ଘରକୁ ସଜେଇଥାଏ ଦୀପାବଳି ପରି I ସମସ୍ତେ ଆଶ୍ଚର୍ଯ୍ୟ ଆଉ ଖୁସି ହୋଇଗଲେ I
କିନ୍ତୁ ଏବେ ପ୍ରଭାତୀ ଓ ନୀଳାମ୍ବରଙ୍କ ମନକୁ ଦୋଷୀଭାବ ଆବୋରି ବସିଲା I ସୁକନ୍ୟା ହୁଏତ ନିଜ ସ୍ୱାମୀକୁ ଯମରାଜଙ୍କ ପାଖରୁ ଛଡେଇ ଆଣିଲା, ହେଲେ ଶତପୁତ୍ରର ବର ମାଗିବାକୁ ବୋଧେ ଭୁଲିଗଲା I ସୋମେଶର ପିତୃତ୍ୱ ଏକ ପ୍ରଶ୍ନବାଚୀ ବୋଲି କେମିତି ଜଣେଇବେ ଉଭୟଙ୍କୁ ? କିନ୍ତୁ ଆଜି ହିଁ ମଉକା ଅଛି, ସୁକନ୍ୟାର ବାପା ମା’ ମଧ୍ୟ ଜାଣନ୍ତୁ ଏ ବିଷୟରେ I ତେଣିକି ସେମାନେ ଯାହା ନିଷ୍ପତ୍ତି ନେବେ I ତାଙ୍କ ଝିଅର ଜୀବନ ଏକ ପଙ୍ଗୁ ସହ ଛନ୍ଦି ରଖିବେ କି ନାହିଁ ତେଣିକି ସେମାନେ ବିଚାରିବେ I ଆଉ ମନ ମସ୍ତିଷ୍କରେ ଏ ବୋଝ ନେଇ ବୁଲି ହେବନି I
ନୀଳାମ୍ବର ବାବୁ ଖୁବ ସାହସ ଯୁଟେଇ କହିବା ଆରମ୍ଭ କଲେ, “ମୋର ସମସ୍ତଙ୍କୁ କିଛି କହିବାର ଅଛି I”
ସୁକନ୍ୟା ମଝିରେ କଥା କାଟି କହିଲା, “ବାପା ମୋର ବି ସମସ୍ତଙ୍କୁ କିଛି କହିବାର ଅଛି I” ଘର ଭିତରକୁ ଯାଇ ସୋମେଶ ହାତରେ ଗୋଟେ ଉପହାର ବାକ୍ସ ଆଣି ଧରେଇ ଦେଲା I କହିଲା -“ଆଗ ବାପାଙ୍କ କଥା ଶୁଣିବା I”
ସମସ୍ତେ ସୁକନ୍ୟାର ସମ୍ଭ୍ରମକୁ ଓ ରକ୍ଷଣଶୀଳତାକୁ ମନେ ମନେ ବେଶ ପ୍ରଶଂସା କରୁଥା’ନ୍ତି I
ନୀଳାମ୍ବର ବାବୁ ସମସ୍ତଙ୍କୁ ପଛ କରି ଆରମ୍ଭ କଲେ କର୍ଣ୍ଣେଲ ଦାଶଙ୍କ କଥା I କହିଲେ-” ଏବେ ନିଷ୍ପତ୍ତି ଆପଣ ମାନଙ୍କ ଉପରେ I ସୁକନ୍ୟା ଓ ଆପଣମାନେ ସ୍ୱାଧୀନ କିଛି ବି ନିଷ୍ପତ୍ତି ନେବାକୁ I ସୁକନ୍ୟା ଆଗରେ ପୁରା ଜୀବନ ପଡିଛି ….” କଣ୍ଠ ତାଙ୍କର ବାଷ୍ପରୁଦ୍ଧ ହୋଇଗଲା I”
ସମସ୍ତେ ନିଃଶ୍ଚୁପ I
ସୁକନ୍ୟା ନୀରବତା ଭଙ୍ଗ କରି କହିଲା -“ହଉ ବାପା, ଏବେ ମୋ କଥା ବି ଶୁଣନ୍ତୁ I” ସୋମେଶକୁ ଠାରରେ ଉପହାର ବାକ୍ସଟି ଖୋଲିବାକୁ କହିଲା ଆଉ ମୁଚୁକେଇ ହସିଲା I ସୁନ୍ଦର ବାକ୍ସ ଉପରେ କିଛି ଗ୍ୟାସ ବେଲୁନ ଲଗା ହୋଇଥାଏ, କିଛି ଗୋଲାପ ଫୁଲ ବି ରଖା ଯାଇଥାଏ । ସୋମେଶ ଧୀରେ ଖୋଲିଲା …ଭିତରୁ କିଛି କାଗଜ଼ ପ୍ରଜାପତି ଉଡି ବାହାରେ ପଡିଲା I ଭିତରେ ଯାହା ଦେଖିଲା ନିଜ ଆଖିକୁ ବିଶ୍ୱାସ ବି କରି ପାରିଲାନି I
ପୁଣି ଥରେ ଆଖି ଜକେଇ ଆସିଲା …ପଚାରିଲା -” ସତରେ ସୁକନ୍ୟା ??” ସୁକନ୍ୟା ଲାଜେଇଯାଇ ମୁଣ୍ଡ ଟୁଙ୍ଗାରି ଦେଲା I
ସୁଦାମ ବାବୁ କହିଲେ -“ଆରେ ! ଆମକୁ ବି କିଛି କୁହ I”
ସୁକନ୍ୟା ଲାଜେଇ ମୁଣ୍ଡ ତଳକୁ ପୋତି କହିଲା-“ବାପା, ଏବେ ଦୁଇ ମାସ ପୁରିଲା I” ସୋମେଶ ଡବା ଭିତରୁ ପ୍ରେଗନାନ୍ସି ଟେଷ୍ଟ କିଟ ର କ୍ୟାଟ୍ରିଜ ଟିଏ କାଢି ଦେଖେଇଲା I
ସମସ୍ତେ ସଂଗେ ସଂଗେ ଆଶ୍ୱସ୍ତ ଓ ଖୁସି ହୋଇ ଉଠିଲେ ଓ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ହାତ ଯୋଡ଼ିଲେ I
ହେଲେ ସମସ୍ତଙ୍କୁ ଚମକେଇ ପ୍ରଭାତି ଦେବୀ ପାଟି କରି ଉଠିଲେ -“ଆଉ କାହାକୁ ବୋକା ବନେଇବୁ, ଏଠି ସେ ସବୁ ଚାଲିବନି I ତୁ କାହା ପାପ ଆମ ବଂଶରେ ଲଦି ଦେବାକୁ ଚାହୁଁଛୁ ? ମୋର ଭଲ ଭାବେ ମନେ ଅଛି, ସୋମେଶ ଯିବା ପରେ ତୁ ଛୁଆଁ ହୋଇଥିଲୁ I ତିନି ମାସ ହେଲା ମୋ ପୁଅ ଘରେ ହିଁ ନ ଥିଲା I”
ସୋମେଶ ପାଟି କଲା ଜୋରରେ -“ମା’ ! କାହାକୁ କ’ଣ କହୁଛ …ସବୁବେଳେ ଏମିତି ? ଅବଶ୍ୟ ତୁମ ସନ୍ଦେହ କରିବା ସ୍ୱାଭାବିକ I ତେବେ ସୁକନ୍ୟାର କଥା ମାନି ନ ଥିଲେ ଆଜି ମୁଁ ସର୍ବହରା ହୋଇ ଯାଇଥାନ୍ତି I”
ସୁଦାମ ବାବୁ କହିଲେ -” ଓଃ ! ମୋ ମୁଣ୍ଡ କ’ଣ ହେଇ ଯାଉଛି I ଖୋଲିକି କୁହ ବାବା I”
ସୋମେଶ ଆରମ୍ଭ କଲା -” ବାହାଘର ପରେ ପରେ ହିଁ ମୋତେ ଜଣା ପଡି ଯାଇଥିଲା ଯେ, ମୋର ପୂଞ୍ଚ ପୋଷ୍ଟିଙ୍ଗ ହୋଇ ଯାଇଛି ଆଉ ଯୁଦ୍ଧ ବି ଲାଗି ଯାଇପାରେ I ମୁଁ ଆପଣ ସମସ୍ତଙ୍କ ପାଇଁ ଓ ସୁକନ୍ୟା ପାଇଁ ବହୁତ ବ୍ୟସ୍ତ ହୋଇ ଉଠିଥିଲି I ସୁକନ୍ୟା ମୋତେ ବହୁତ ସାହସ ଦେଇଥିଲା I ମୋ ପାଖେ ସମୟ କମ ଥିଲା, ଭବିଷ୍ୟତ ମୋ ପାଇଁ କ’ଣ ରଖିଛି ମୁଁ କିଛି ଜାଣି ନ ଥିଲି I ତେବେ ମୁଁ ଆପଣ ମାନଙ୍କ ଭିତରେ ମୋ ସନ୍ତାନ ମାଧ୍ୟମରେ ବଂଚି ରହିବାକୁ ଚାହୁଁଥିଲି I ଏତେବେଳେ ମୋତେ ସୁକନ୍ୟା କହିଥିଲା sperm bank କଥା I ପ୍ରଥମେ ତ ମୁଁ ମୋ କାନକୁ ବିଶ୍ୱାସ କରି ପାରିଲିନି I ପରେ ଡଃ ମହାପାତ୍ର ସବୁ ବୁଝେଇଲା ପରେ ମୁଁ ତାଙ୍କ ସେଣ୍ଟର ରେ ମୋ sperm ଗଚ୍ଛିତ କରି ରଖିଲି I କଥା ଥିଲା, ଯଦି ମୁଁ ଯୁଦ୍ଧକୁ ଯାଏ, ତେବେ ସୁକନ୍ୟା ଆର୍ଟିଫିସିଆଲ insemination କରେଇ ନେବ… ମାନେ ମୋ ଶୁକ୍ରାଣୁ ସୁକନ୍ୟା ଜରାୟୁ (uterus) ଭିତରେ ସ୍ଥାପିତ କରାଯିବ I ଯଦି ଫେରିବି ତ ଅସୁବିଧା ନାହିଁ, ଯଦି ନ ଫେରିଲି ତେବେ ଆମ ସନ୍ତାନ ମାଧ୍ୟମରେ ତୁମ ପାଖେ ବଂଚି ରହିବି I”
ସୁଦାମ ବାବୁ ମଝିରୁ କଥା କାଟି କହିଲେ -“କେତେ ଦିନ ଏମିତି ରହି ପାରିବ ? ବେଶି ପୁରୁଣା ହେଲେ ଆଉ କ’ଣ ସେ କାମ ଦେବ ?”
ସୁକନ୍ୟା କହିଲା -“ବାପା , ତାକୁ ଏମିତି ସେମିତି ନୁହେଁ, ବରଂ liquid nitrogen (ତରଳ ଯବକ୍ଷାରଜାନ) ଦେଇ -196 ଡିଗ୍ରୀ ତାପମାନରେ ରଖାଯାଏ I ଏହାକୁ cryopreservation କୁହାଯାଏ I ଯେବେ ସୋମେଶ ଅଳ୍ପ ଦିନ ତଳେ ଆମକୁ ଫୋନ କରି ଯୁଦ୍ଧକୁ ବାହାରି ଗଲେ, ମୋତେ କହି ଗଲେ ଆଗେଇବା ପାଇଁ I ଦୈବଯୋଗକୁ ମୋର ଆଉ ୫ ଦିନ ପରେ ovulation ଥିଲା I”
ସୁକନ୍ୟାର ମା’ ସୁନୀତି ଦେବୀ ପଚାରିଲେ -“ସେ ପୁଣି କ’ଣ ମା’?
ସୁକନ୍ୟା- ” ମା’, ଆମର ଋତୁସ୍ରାବର ଠିକ 14 ଦିନ ଆଗରୁ ଗୋଟିଏ ଅଣ୍ଡା ଫୁଟି ବାହାରେ, ଯଦିଓ ଏକ ସଂଗେ ଅନେକ ଗୁଡିଏ ଅଣ୍ଡା ପାଚିବା ଆରମ୍ଭ କରନ୍ତି I ଯଦି ଆମେ ଗର୍ଭଧାରଣ ନ କରେ ତେବେ ତାହା ଋତୁସ୍ରାବରେ ବାହାରି ଆସେ I ପ୍ରକୃତି ଆମକୁ ଗର୍ଭ ଧାରଣ ପାଇଁ କିଛି ଅଧିକ ପୋଷଣ ଦେଇଥାଏ, ଯାହା ଗର୍ଭଧାରଣ ନ ହେଲେ ଶରୀରରୁ ଋତୁସ୍ରାବ ଆକାରରେ ବାହାରି ଆସେ I ଏହା ଏକ ପ୍ରାକୃତିକ ବ୍ୟାପାର I”
“ମହାପାତ୍ର ସାର IVF ଓ artificial insemination ଆଦି ପ୍ରକ୍ରିୟା ସୁଚାରୁରୂପେ କରିଥାନ୍ତି I ଅନେକ ନିଃସନ୍ତାନ ଦମ୍ପତ୍ତି ତାଙ୍କ ଦ୍ୱାରା ଉପକୃତ ହୋଇଛନ୍ତି I ଏହା ବହୁତ ଲମ୍ବା ପ୍ରକ୍ରିୟା କିନ୍ତୁ ଯେହେତୁ ମୋ କଥା ଅଲଗା ଥିଲା ଓ ମୋ ଶରୀରରେ କୌଣସି ଅସୁବିଧା ନ ଥିଲା, ତେଣୁ ପ୍ରଥମ ଚେଷ୍ଟାରେ ହିଁ ସଫଳତା ମିଳିଗଲା I ତେବେ ସାବିତ୍ରୀ ବ୍ରତ ଦିନ ଯେବେ ଆମେ ସୋମେଶଙ୍କ ଫେରିବା ଖବର ପାଇଥିଲେ, ସେତେବେଳକୁ ମୋର ଦେଢ଼ ମାସ ବି ପୁରି ନ ଥିଲା I ଆଉ ସେ ଅବସ୍ଥାରେ ଯାତ୍ରା ମୋ ପାଇଁ ପୁରା ମନା ଥିଲା I ସାବଧାନତାର ସହ ଧୀରେ ଧୀରେ ସ୍କୁଟିରେ ଯେ ଯାଉଥିଲି, ସେଥିକୁ ମଧ୍ୟ ମୋତେ ସାର ମନା କରୁଥିଲେ I”
ପ୍ରଭାତି ଦେବୀ ପଚାରିଲେ -” ତେବେ ଆମକୁ କିଛି ଜଣେଇଲୁ ନାହିଁ କାହିଁକି ?”
ସୁକନ୍ୟା -” ମା’ କେମିତି ଜଣେଇଥାନ୍ତି କହିଲେ ? ଆପଣଙ୍କ ମନରେ ଆଶା ଜଗେଇ ମୁଁ ବିଫଳ ହୋଇଥିଲେ ତାହା ଆପଣ ମାନଙ୍କ ପାଇଁ କେତେ ଦୁଃଖଦାୟୀ ହୋଇଥାନ୍ତା I ସେଥିପାଇଁ ଅନ୍ତତଃ confirm ହେବା ଯାଏଁ ଅପେକ୍ଷା କରିଥିଲି I ଆପଣ ମାନେ ଯିବା ପରେ abortion ପରି ଅବସ୍ଥା ଉପୁଜିବାରୁ, ସେବେଠୁ ମୁଁ କିଛି ଇଞ୍ଜେକ୍ସନ ନେଇକି ଘରେ ହିଁ ଛୁଟିରେ ଅଛି l ସାର ମୋ କେସ ଖାସ ନିଜେ ହିଁ ଅନୁଧ୍ୟାନ କରୁଛନ୍ତି I ସୋମେଶଙ୍କ ଫେରିବା ସହ ମୁଁ ଉଚ୍ଚାଟିତ ହୋଇ ଭାବି ଦେଇଥିଲି, ମୋର ଆଉ କି ଚିନ୍ତା ଯେ …ଏଥର ତ ପ୍ରାକୃତିକ ଉପାୟରେ ବି ମୁଁ ମା’ ହୋଇ ପାରିବି I ଏବେ ଭାବୁଛି ଭଗବାନ ମୋତେ କେଡେ ବଡ ବିପଦରୁ ଉଦ୍ଧାର କରିଦେଲେ I”
ସମସ୍ତେ ପୁଣି ଥରେ ହାତ ଟେକି ଈଶ୍ୱରଙ୍କୁ ଧନ୍ୟବାଦ ଜଣେଇ ପ୍ରଣାମ କଲେ I
ପ୍ରଭାତି ଦେବୀ ସୁକନ୍ୟାକୁ କୁଣ୍ଢେଇ ଧରି କହିଲେ-” ମା’ ମୁଁ କ୍ଷଣେ ଦୁଇ କ୍ଷଣ ପାଇଁ ତୋ ସତୀତ୍ଵ ଉପରେ ସନ୍ଦେହ କରି ଏବେ ନିଜକୁ ଦୋଷୀ ମନେ କରୁଛି I ପାରିବୁ ଯଦି ମୋତେ କ୍ଷମା କରି ଦେ I ତୁ ସାବିତ୍ରୀ ପରି କେବଳ ଯମରାଜଙ୍କ କବଳରୁ ତୋ ସ୍ୱାମୀକୁ ଛଡେଇ ଆଣିନୁ, ବରଂ ତୁ “ପ୍ରାଜ୍ଞ ସାବିତ୍ରୀ “…ତୋ ବୁଦ୍ଧିମତାର ଓ ଦାୟିତ୍ତ୍ୱବୋଧର ପଟାନ୍ତର ନାହିଁ I”
ହାତ ଯୋଡି କହିଲେ -“ସମୁଦି, ସମୁଦୁଣୀ ! ମୋ ଭାଗ୍ୟ, ମୋତେ ସୁକନ୍ୟା ପରି ବୋହୂ ମିଳିଛି I”
ସୋମେଶ ତାଳି ମାରି ଚମକେଇ କହିଲା -“ବହୁତ କନ୍ଦାକଟା ହୋଇଗଲା І ଏଥର ଗୋଟେ ଫ୍ୟାମିଲି ପିକ୍ଚର ହେଇଯାଉ І Say cheeeese …ସୁକନ୍ୟା କହିଲା -“Say paneeeeeer”…ହାସ୍ୟ ରୋଳରେ ଘର କମ୍ପି ଉଠିଲା I

IIଶୁଭମସ୍ତୁ II
*****************

#odiastory #WorldIVFDay #vijaydiwas #drvpacharya #amasahitya

Leave a Reply

Your email address will not be published. Required fields are marked *