ଡଃ ବିୟତପ୍ରଜ୍ଞା ଆଚାର୍ଯ୍ୟ
ପ୍ରଫେସର ବାୟୋକେମିଷ୍ଟ୍ରି
ଏବେ ଟ୍ରେଣ୍ଡରେ ଅଛି “ଭାଙ୍ଗ ବ୍ୟାନ”l ଅନେକ ବ୍ୟଙ୍ଗାତ୍ମକ, ଅନେକ ନକାରାତ୍ମକ, ଅନେକ ଦୁଃଖୀ ପୋଷ୍ଟ ଦେଖି ସାରିଲିଣି I ତେବେ ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ l ସବୁ ଜ୍ଞାନର କ୍ଷୟ ଅଛି l ଆମ ହିନ୍ଦୁ ପରମ୍ପରାର ଅନେକ ପ୍ରଥାକୁ ଲୋକେ ଆଜି ପ୍ରଶ୍ନବାଚୀ ଉଠେଇଲେ, ଆମ ପାଖେ କିଛି ଜ୍ଞାନ ନାହିଁ ସେ ସବୁକୁ ସମର୍ଥନ କରିବା ପାଇଁ I
ତେବେ ମୁଁ ଜଣେ ଡାକ୍ତର ଆଉ ଜୈବରସାୟନ ବିଜ୍ଞାନୀ (Biochemist) ତଥା ଆମ ହିନ୍ଦୁ ସଭ୍ୟତାର ଏକ ଦୃଢ ସମର୍ଥକ ଭାବେ କିଛି ମତାମତ ଏଠି ରଖିବାକୁ ଚାହିଁବି I
ପିଲାଦିନେ ବୋଉଙ୍କୁ ପଚାରେ ଶିବ ତ ନିଜେ ଠାକୁର, ସେ ପୁଣି କାହାକୁ ଧ୍ୟାନ କରୁଛନ୍ତି ? ଉତ୍ତର ମିଳେ, “ବ୍ରହ୍ମଙ୍କୁ ”
ପଚାରେ, “କଣ ବ୍ରହ୍ମା, ବିଷ୍ଣୁ, ମହେଶ୍ୱର …ସେଇ ?”
ନନା କହନ୍ତି, “ନା, ବ୍ରହ୍ମ, ବ୍ରହ୍ମାଙ୍କ ଉପରେ” I ଆଉ କିଛି ଆଧ୍ୟାତ୍ମିକ ତତ୍ତ୍ୱ ବିଷୟରେ କହନ୍ତି, ହେଲେ ୫ ବର୍ଷୀୟା ମୁଣ୍ଡରେ ପଶେନି I
ସେଥିପାଇଁ ଶାସ୍ତ୍ରକୁ ଅଧିକ ଗଭୀର ଭାବେ ଅଧ୍ୟୟନ କରିବା ଜରୁରୀ ମନେ ହେଲା, ଯେଉଁଥି ପାଇଁ ବର୍ତ୍ତମାନ ମୁଁ ଶ୍ରୀମଦ ଭଗବଦ ଗୀତାକୁ ସମୟ ନେଇ ଧୀରେ ଧୀରେ ପଢୁଛି, ମୋର ଅନେକ ପ୍ରଶ୍ନର ଉତ୍ତର ମଧ୍ୟ ପାଉଛି I ଆହୁରି ଅନେକ ଶାସ୍ତ୍ର ପଢିବା ବାକି ରହିଛି I xxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxx
ଆଜିର ବୈଜ୍ଞାନିକମାନେ ଲ୍ୟାବ-କୋଟ ପରିହିତ, ସର୍ବଦା ଅଧ୍ୟୟନରତ, ଆଲୋଚନା ଓ ପରୀକ୍ଷଣରେ ମଗ୍ନ …..ପାରିବାରିକ ସମ୍ବନ୍ଧ ସବୁ ଅସ୍ତବ୍ୟସ୍ତ I କିନ୍ତୁ ଆମର ଭାରତୀୟ ବୈଜ୍ଞାନିକମାନେ ଜଟାଜୁଟ ମଣ୍ଡିତ, ଲୋକାଳୟରୁ ଦୂରରେ ଏହି ପ୍ରକାରେ ଜ୍ଞାନ ଆହରଣ, ଜୀବନଶୈଳୀ ପରୀକ୍ଷଣ ଆଦିରେ ନିମଜ୍ଜି ରହୁଥିଲେ I ଏକ ଶୃଙ୍ଖଳିତ ଜୀବନ , କଠିନ ବ୍ରହ୍ମଚର୍ଯ୍ୟ ଓ ଧ୍ୟାନ ଧାରଣା ସେମାନଙ୍କର ମୁଖ୍ୟ ସାଧନ ଥିଲା I ତେବେ ଯହୁଁ ଯହୁଁ ମୁଁ ଆମର ସ୍ୱାସ୍ଥ୍ୟ ବିଜ୍ଞାନ ଓ ଆଧ୍ୟାତ୍ମିକ ସାଧନା ବିଷୟରେ ଅବଗତ ହେଲି, ଜଣା ପଡିଲା ଯେ, ମନକୁ ଧ୍ୟାନଦ୍ୱାରା ଏକାଗ୍ର କଲେ, କିଛି ମହାଜାଗତିକ ଭାବନା ଆସି ସ୍ୱତଃ ଧରା ଦିଅନ୍ତି I ଆଜି ପରି ସେତେବେଳେ patent, publications ର ଚାପ ନ ଥିଲା, ନ ଥିଲା କୌଣସି ପ୍ରକାରେ ତରବର … ଉଦ୍ଦେଶ୍ୟ ଥିଲା କେବଳ ମାନବ ସମାଜର କଲ୍ୟାଣ I
ଆମର ସମସ୍ତ ଇତିହାସ ଓ ପୁରାଣ (ପୁରୁଣା ଇତିହାସ, mythology ନୁହେଁ )ରୁ ଯେତେ ତଥ୍ୟ ମିଳେ, ଆମ ବିଜ୍ଞାନ ଯେଉଁ ଶିଖରରେ ପହଞ୍ଚିଥିଲା, ତାହା ବର୍ତ୍ତମାନ ଅକଳ୍ପନୀୟ I ଅନେକେ ସେ ସବୁକୁ ମିଥ୍ୟା ଓ କାଳ୍ପନିକ ବୋଲି କହି ହସି ମଧ୍ୟ ଉଡେଇ ଦେଉଛନ୍ତି I
xxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxx
ତେବେ ଏ ସମସ୍ତ ବୈଜ୍ଞାନିକମାନଙ୍କ ମଧ୍ୟରେ ମୋତେ ପ୍ରଭୁ ଶିବ ହିଁ ଗୁରୁ ସ୍ଥାନୀୟ ମନେ ହୁଅନ୍ତି I ଆମକୁ ଯେମିତି ପଚରା ଯାଏ ଆମର କର୍ମ ବିଶେଷତା (work field /expertise) ବିଷୟରେ ଅଥବା ଆମର ପସନ୍ଦର ଗବେଷଣା କ୍ଷେତ୍ର (research area) ବିଷୟରେ, ଯଦି ସେମିତି ପ୍ରଭୁ ଶିବଙ୍କୁ ଅନୁଧ୍ୟାନ କରିବା, ତେବେ ତାଙ୍କର ଗବେଷଣା କ୍ଷେତ୍ର ହେବ –ପ୍ରଜନନ ବିଜ୍ଞାନ (Fertility Science), ଅଙ୍ଗ ପ୍ରତିରୋପଣ (organ transplantation), ନାଟ୍ୟ ଶାସ୍ତ୍ର ଓ ବିଷ ବିଜ୍ଞାନ (Toxicology) I
ଆସିବା ବିଷ ବିଜ୍ଞାନ ଉପରକୁ – ଗଳାରେ ବିଷଧର ସର୍ପ ଓ ଗଂଜେଇ ଭୋଗ I ହଳାହଳ ବିଷ ମଧ୍ୟ ପାନ କରିଥିଲେ ଓ ଜୀବିତ ରହିଥିଲେ I ଯେତେ ସବୁ ଫୁଲ ଫଳରେ ବିଷ ଥାଏ, ଯେପରିକି ଅରଖ, ଦୁଦୁରା, କନିଅର ତାହାକୁ ଶିବଙ୍କୁ ଚଢ଼ାଯାଏ I
ହୁଏତ କାଳକ୍ରମେ ଅପଭ୍ରଂଶିତ ହୋଇ ଆମ ମନରେ ଶିବଙ୍କର ଏକ ଅଲଗା ରୂପରେଖ ଗଢି ହୋଇ ଯାଇଛି ଓ ଆମେ ତାଙ୍କୁ ଏହି ସବୁ ବିଷ ଜାତୀୟ ଦ୍ରବ୍ୟ ପ୍ରସାଦରେ ଚଢାଉ I କିନ୍ତୁ ଏ ସମସ୍ତ ବିଷ ଦ୍ରବ୍ୟ ଖୁବ ଅଳ୍ପ ମାତ୍ରାରେ ଅନେକ ରୋଗରେ ବ୍ୟବହୃତ ହୋଇଥାଏ I
କେବଳ ଭାଙ୍ଗକୁ ବିଜ୍ଞାନ ଭିତ୍ତିକ ସାଇଟ ରେ ଖୋଜିଲେ, ଅନ୍ତତଃ 30,000 article ଚାଲି ଆସିବ I ସର୍ପ ବିଷକୁ ଖୋଜିଲେ 50,000 ଉପରକୁ article ଆସିଯିବ I କିନ୍ତୁ ଏ ସମସ୍ତ ବିଷ ଦ୍ରବ୍ୟ ଖୁବ ଅଳ୍ପ ମାତ୍ରାରେ ବ୍ୟବହାର କଲେ ମାଦକ ଦ୍ରବ୍ୟ ରୂପେ ବ୍ୟବହାର କରା ଯାଇ ପାରିବ I ବୋଧହୁଏ, ସାଧାରଣ ଲୋକେ ଏ ସବୁର ପ୍ରକୃତ ମାହାତ୍ମ୍ୟ ଭୁଲି ଏ ହାଲୁକା ଦିଗ ପ୍ରତି ଆକୃଷ୍ଟ ତଥା ଏହାର କାରବାର କରି ଧାନ ଉପାର୍ଜନ କରିବାର ମାଧ୍ୟମ ରୂପେ ଚିହ୍ନି ଯାଇଛନ୍ତି I
ତେବେ ଆମେ ଭାରତୀୟ କରୁଛେ କଣ ?
ଶିବଲିଙ୍ଗରେ ମାର୍ଜନା କରିବା, ପ୍ରସାଦ ଲଗେଇବା ନା ଶିବତତ୍ତ୍ୱକୁ ବୁଝି ଆମ ବିଜ୍ଞାନକୁ ସମୃଦ୍ଧ କରିବା ? କାହିଁ ଗଲା ଆମ ସୃଜନୀ ? କେବଳ କଣ କୋଭିଡ ପରି ମହାମାରୀ କିମ୍ବା କୌଣସି ବଂଚିବା-ମରିବା ସ୍ଥିତି ଆସିଲେ ହିଁ ଆମେ ଆମ ଜ୍ଞାନକୁ ତେଜିବା ? ପ୍ରସାଦ ସେବନ କରେଇ ନିଶାସକ୍ତ ଭକ୍ତଙ୍କ ମୁହଁରେ ନିଜର ସଂକୀର୍ତ୍ତନ କରେଇବା ପ୍ରଭୁ ଶିବଙ୍କର ଲକ୍ଷ ନ ଥିବ ନିଶ୍ଚୟ I
ପ୍ରକୃତ ଜ୍ଞାନକୁ ଆବାହନ କରନ୍ତୁ I ଏଥର ମଦ ଓ ଡ୍ରଗ୍ସ କାରବାର ବି କେମିତି କମୁ, ଆମର ପ୍ରଚଣ୍ଡ ଯୁବଶକ୍ତିର ଉତ୍ଥାନ ହେଉ I ସମର୍ଥନ କରନ୍ତୁ ଏ ପଦକ୍ଷେପର l
ଶିବୋଽହମ୍ ଶିବୋଽହମ୍II