ଡଃ ବିୟତପ୍ରଜ୍ଞା ଆଚାର୍ଯ୍ୟ
୧) ଉଦ୍ଦଣ୍ଡୀ ସାବିତ୍ରୀ
“ଓଃ! ଯାଏ ଉଠିକି ଦେଖେ , ପୂଜାପାଣି ପାଇଁ ଯୋଗାଡ କରେ |” ଶ୍ରୀମତୀ ରାଧାରାଣୀ ନିଜ ଅଣ୍ଟାକୁ ସଳଖ କରି ଭୋରରୁ ଉଠି ବସିଲେ |
ସ୍ୱାମୀ କୃଷ୍ଣକାନ୍ତ କହିଲେ , “ଓହୋଃ ! ଆଜି ଟିକେ ଶୋଇଲେ ହୁଅନ୍ତାନି ! ବୋହୂ ତ ଚାକିରୀକୁ ଯିବ, ଏ ସାବିତ୍ରୀ ଫାବିତ୍ରୀ ସେ କୋଉ କରି ପାରିବ କି ? କାହିଁକି ଅଶାନ୍ତି କରିବା କାହିଲ ? କାଲି ଟ୍ରେନ ରେ ଆସି ଅଣ୍ଟା ସଳଖ ନ ହେଉଣୁ ଆଜି ଉପାସ କରିବାକୁ ବାହାରିଲଣି | ସେଠି ତ ସେଇୟା କରୁଥିଲ , ଏଠି ବି ଆରମ୍ଭ କରିଦେଲ ?”
କୃଷ୍ଣକାନ୍ତବାବୁଙ୍କ ପାଖରେ ବଡ ପୁଅ ଓ ବୋହୂ ରୁହନ୍ତି | ପ୍ରତି କଥାରେ ରାଧାରାଣୀ ଓ ବୋହୂ କଥା କଟାକଟି | ନିଜେ ହିଁ ଘରଦ୍ୱାର ବୁଝି ସୁଶୀଳା ବୋହୂ ବାଛି ଆଣିଥିଲେ | ହେଲେ ପ୍ରତ୍ୟେକ କଥାରେ , ବିଶେଷ କରି ପୂଜା ପଦ୍ଧତି କୁ ନେଇ କଥା କଟାକଟି | ଜଣେ କହିବ ଆମ ଆଡେ ଏମିତି ହୁଏନି ତ ଆଉ ଜଣେ କହୁଥିବ, ଆମ ଘରେ ଏଇଟା ନାହିଁ | କୃଷ୍ଣକାନ୍ତବାବୁ ଓ ବଡ ପୁଅ ତ ମୂକ ହୋଇଯାନ୍ତି | ଏମିତି ଝଗଡା ଆରମ୍ଭ ହେଲେ ପୁଅ ଅତର୍ଚ୍ଛା ଅଫିସକୁ ଧାଏଁ , ସେ ନିଜେ କୁଆଡେ ଯିବାକୁ ବାଟ ନ ପାଇ କାନରେ ହେଡ଼ ଫୋନ ଗେଞ୍ଜି ନୀରବ ରହିବାକୁ ଚେଷ୍ଟା କରନ୍ତି | ପ୍ରାୟ ପ୍ରତିଦିନ ଏ ସବୁ ଦେଖି ଦେଖି ବିରକ୍ତ ସେ |
ତା’ ଉପରକୁ ମୁଣ୍ଡରେ ଚଡ଼କ ପଡିଲା ଯେବେ ସାନ ପୁଅ ନିଜ ପସନ୍ଦରେ ନିଜ ସହକର୍ମିଣୀ, ଆମେରିକାରେ ବଢି ଭାରତରେ ଚାକିରୀ କରୁଥିବା ଅନନ୍ୟାଙ୍କୁ ବାହାହେବ ବୋଲି ଘୋଷଣା କଲା | ଦୁହେଁ ମିଶି destination wedding କରିବେ କହି କେରଳରେ ବାହାହେଲେ | ଉଭୟ ପକ୍ଷରେ ବାପାମା’ ବେଶଭୂଷା ହୋଇ କେବଳ ରୀତିନୀତି ପାଳିଲେ , ହାତଗୋଡ କେଉଁଠାରେ ଲାଗିଲାନି | ଆରମ୍ଭରୁ ଶେଷ ଯାଏଁ ପୁଅ ବୋହୂ ନିଜେ ସବୁ ଯୋଜନା କରିଥିଲେ |
ବାହାଘର ପରେ ଯିଏ ଯାହା ଘରକୁ ଫେରିଗଲେ | ରାଧାରାଣୀ ଏକ ରକମ ହତବାକ ହୋଇ ରହିଗଲେ | ବାହାଘର ମାସେ ପରେ ଏଇ ଥର ମାସେ ପରେ ସେମାନେ ପୁଅ ଘରକୁ ବୁଲି ଆସିଛନ୍ତି | ଇଣ୍ଟରନେଟ ରେ ବୋହୂର ଜିନ୍ସ ପିନ୍ଧା , ବାଳ ମୁକୁଳା କରି ବାଇକ ଚଲା, ଫ୍ରକ ପିନ୍ଧା ଫଟୋସବୁ ଦେଖି ସେ ବୋହୂପଣିଆର କୌଣସି ଆଶା ଆଉ ମନରେ ରଖି ନ ଥାନ୍ତି |
ତେବେ ଆଜି ସାବିତ୍ରୀ ଓଷାରେ କିଛି ତ କରିବେ | ବୋହୂ ତ ଯାହା ଅପୂର୍ବ ପୂଜା କରିବ | ସେ ନିତ୍ୟକର୍ମ ସାରି ରୁମ ବାହାରକୁ ଆସି ଦେଖିଲା ବେଳକୁ ବୋହୂ ଅନନ୍ୟା ବାହାରୁ ଦୌଡ଼ି ଦୌଡ଼ି କରି ଘରକୁ ପଶୁଥାଏ | ଚିପା ଟ୍ରାକ ପ୍ୟାଣ୍ଟ ଓ ଉପରେ ଗେଂଜି ପିନ୍ଧିଥାଏ | ଝାଳରେ ଜୁଡୁବୁଡୁ | ଶାଶୁଙ୍କୁ ଦେଖି କହିଲା, “ମା’ ଆପଣଙ୍କ ପାଇଁ ସରବତ ରଖି ଦେଇଛି , ଆଜି ସାବିତ୍ରୀ ଓଷା ନା|”
ରାଧାରାଣୀ ଦୋ ଦୋ ପାଞ୍ଚ ହୋଇ ସରବତ ପିଇଲେ | ଆଗରୁ କିଛି ନ ଖାଇ ପି’ ଓପାସ ରହିଯାଉଥିଲେ | ଆଉ ଆଜିକାଲି ହେଉନି | ଗ୍ୟାସ୍ଟ୍ରାଇଟିସ୍ ,ଆର୍ଥ୍ରାଇଟିସ ଯୋଗୁଁ ଏବେ ଅଳ୍ପ ଖାଇ ପିଇ ଓପାସ କରୁଛନ୍ତି |
କିଛି ସମୟ ପରେ ବୋହୂ ଧୁଆଧୁଇ ହେବାକୁ ନିଜ ରୁମରେ ପଶି କିଛି ସମୟ ପରେ ସୁନ୍ଦର ଏକ କାଞ୍ଜିବରମ ଶାଢ଼ୀ ପିନ୍ଧି ମୁଣ୍ଡରେ ବଡ ସିନ୍ଦୂର ଟିପା ନାଇ , ହାତେ ହାତେ ଚୁଡ଼ି ପିନ୍ଧି ବାହାରି ଆସିଲା | ଶାଶୁଙ୍କୁ ମୁଣ୍ଡିଆ ମାରି ଗୋଟିଏ ପାଟ ଶାଢ଼ୀ ଆଣି ଧରେଇ ଦେଲା |
ରାଧାରାଣୀ ବୋହୂ ହାତରେ ପଇସା ଧରେଇ ଦେବେବୋଲି ଭାବିଥିଲେ | କେଜାଣି ବୋହୂର ପସନ୍ଦ ହେବ କି ନାହିଁ …. ବୋହୂ କିନ୍ତୁ ଓଲଟି ତାଙ୍କୁ ତାଙ୍କ ପସନ୍ଦଠୁ ବଳି ପାଟ ଶାଢ଼ୀଟିଏ ଧରେଇ ଦେଲାଣି | କେମିତି ଜାଣିଲା ତାଙ୍କ ପସନ୍ଦ |
ଅନନ୍ୟା କହିଲା , “ମା’ ଟିକିଏ ଜଲ୍ଦି ପୂଜା କରିଦେବା , ମୁଁ ଅଫିସ ବସ ଧରିବି |”
ରାଧାରାଣୀ ଥତମତ ହୋଇ କହିଲେ , ” ହଉ ରହ ମୁଁ ଯୋଗାଡ଼ି ଦିଏ ପୂଜାକୁ |”
ଅନନ୍ୟା କହିଲା , “ହଁ ମା’ ,ଆପଣ ଟିକେ ଦେଖି ଦିଅନ୍ତୁ ଆଉ କ’ଣ ଦରକାର |
ରାଧାରାଣୀ ନୂଆ ଶାଢ଼ୀ ପିନ୍ଧି ଆସିଲା ବେଳକୁ ଅନନ୍ୟା ନିଜେ ଅଳତା ଲଗେଇ ସାରି ତାଙ୍କୁ ପାଦ ବଢେଇବାକୁ କହିଲା | ସେ ତ ଅଳତା ଗାର ହିଁ ଟାଣନ୍ତି, ବୋହୁ କିନ୍ତୁ ଡାଳପତ୍ର ଡିଜାଇନରେ ଲଗେଇଥାଏ |
“ନା ନା ଥାଉ, ମୋର ଏତେ ଡିଜାଇନ ରେ ଲଗାନି |”
“ଏତେ ଶୀଘ୍ର ମୋ ମନ ଜିଣିନବୁ କି? ଏ ଦୁଇ ଦିନିଆ ଦେଖାଣିଆ ବେପାର ଚଳିବନି ବା” – ମନେ ମନେ ଭାବିଲେ |
ଅନନ୍ୟା ମୃଦୁ ହସି କହିଲା , “ହଉ, ଆଣନ୍ତୁ, ଖାଲି କୁମ୍ଭ କରି ଦେବି |”
ରାଧାରାଣୀ ଠାକୁର ଘରେ ଆଖି ବୁଲେଇଲେ — ସବୁ ସଫା ସୁତୁର | ପ୍ରତ୍ୟେକ ଠାକୁର ଠାକୁରାଣୀ ସମାନ ଉଚ୍ଚତାର, ରୂପା ବିଗ୍ରହ | ପ୍ରତ୍ୟେକ ଥାକକୁ ଆଲୁମିନିୟମ ଫଏଲ ରେ ଗୁଡେ଼ଇ ରଖିଛି | ସବୁ ଠାକୁରଙ୍କ ମୁଣ୍ଡରେ ଗୋଲେଇ କରି ଚନ୍ଦନ , ତା ଉପରେ ସିନ୍ଦୂର ଲଗେଇ ଥାଏ | ପ୍ରତ୍ୟେକଙ୍କୁ ଗୋଟିଏ ଗୋଟିଏ ଫୁଲରେ ସଜେଇ ଥାଏ | ଡ୍ରୟାରରେ ପ୍ରତ୍ୟେକ ପୂଜା ସାମଗ୍ରୀ ସଜା ହୋଇ ରହିଥାଏ | ଧୂପ, ଦୀପ , ଝୁଣାଦୀପ, କର୍ପୂର ଦୀପ… ସବୁ ସଜଡା ସାରିଛି | ଗୋଟିଏ ରୂପା ଥାଳିରେ ବିଭିନ୍ନ ପ୍ରକାର ଫଳରୁ ଗୋଟିଏ ଗୋଟିଏ , ଏପରିକି ବନ୍ୟଜାତ କୋଳି ବି ସଜେଇ ଥାଏ |
ରାଧାରାଣୀ ନିଜେ ବି କେବେ ଏମିତି ସଜେଇ ନଥିଲେ |
ଥରକୁଥର ତାଙ୍କର ଗୋଟିଏ ଗୋଟିଏ ଜିନିଷ ମନେ ପଡେ , ବଡ଼ ବୋହୂକୁ ଦୌଡ଼ାନ୍ତି ଓ ଶେଷରେ ପୂଜା ଦିନରେ ପ୍ରବଳ ତକରାଳ ହେବା ଥୟ ଥାଏ |
ଏଥର ସମ୍ଭାଳି ନ ପାରି ପଚାରିଲେ , ” ଏତେ ସବୁ ଦରବ କୋଉଠୁ ଆଣିଲୁ ଏ ବାଙ୍ଗାଲୋରରେ ?”
“ସବୁ ଅନଲାଇନ ମିଳୁଛି ମା ‘| ମୁଁ ନଡ଼ିଆଟା ଭାଙ୍ଗି ଆଣେ ବାହାରେ, ଏଠି ଫଟେଇଲେ ଅସନା ହେଇଯିବ |”
ରାଧାରାଣୀ ସବୁ ପୂଜାବିଧି ସାରି ମୁଣ୍ଡରେ କର ତାଡ଼ିଲେ – “ହାଏ ବିଧାତା , ବ୍ରତ ବହିଟା କେମିତି ଭୁଲିଗଲି !”
ଅନନ୍ୟା କହିଲା , “ମା’ ମୋ ଟ୍ୟାବରେ ଅଛି ପରା | ଆପଣ ପଢିବେ ନା ମୁଁ ପଢ଼ିବି ?”
“ଏଁ ….ତୋତେ ଓଡ଼ିଆ ପଢି ଆସେ ?” ଆଶ୍ଚର୍ଯ୍ୟ ହେଲେ ରାଧାରାଣୀ | ” ହଁ , ଆମେ ପିଲାଦିନୁ ଓଡ଼ିଆ ପଢିବା ଶିଖିଛୁ ଓ ବୋଉ ଆମକୁ ଏ ସବୁ ପୂଜା ଶିଖେଇଛନ୍ତି |”
“ଆମେରିକାରେ ରହି ବୋଉ!” ମନେ ମନେ ଭାରି ଆଶ୍ଚର୍ଯ୍ୟ ହେଲେ |
ପୂଜା ସାରି ମୁଣ୍ଡିଆ ମାରି ଟିଫିନରେ ଫଳମୂଳ , ମୁଗ ବତୁରା , ନଡ଼ିଆ ଆଦି ପ୍ୟାକ କଲା ବେଳକୁ ରାଧାରାଣୀ ପଚାରିଲେ , ” ହଇ ଲୋ ମା’ ତୁ ଏତିକି ଖାଇ କଣ କାମ କରିବୁ ଦିନଯାକ ?
ଅନନ୍ୟା ହସି ହସି କହିଲା , ମା ‘ ମୋର ପ୍ରାୟ ପ୍ରତିଦିନ ଏଇ ଭଳି ଖାଦ୍ୟ | ବସି ବସି କାମ କରୁଛୁ , କେତେ ଆଉ ଖାଇବୁ ଯେ ? ମୋର ଅଧା ଦିନ ଯାଏଁ ଅରନ୍ଧା ଖାଦ୍ୟ ,ତା ପରେ ଲଞ୍ଚ | ଆଜି ଦିନ ତମାମ ଫ୍ରୁଟସ | ଆମର ସବୁ ପୂଜା ଓ ସେଥିରେ ଯେଉଁ ଖାଦ୍ୟ ପଦାର୍ଥ ପ୍ରସାଦ ଲଗାଯାଏ ସବୁଥିରେ ଅନେକ ବିଜ୍ଞାନସମ୍ମତ କାରଣ ରହିଛି | ଏହାକୁ ରିସର୍ଚ୍ଚ କରି ବୈଜ୍ଞାନିକ ମାନେ ଆଜି ଯାହା କହୁଛନ୍ତି ତା’ ଆମ ଭାରତୀୟ ସଭ୍ୟତାରେ କେଉଁ କାଳୁ ଆମ ସଂକୃତି ସହ ଯୋଡି ଦିଆ ଯାଇଛି |
ମୋର ଆଜି ବଡ ମିଟିଂଟିଏ ନଥିଲେ ଆଜି ରହି ଯାଇଥା’ନ୍ତି | ମୋ ସତ୍ୟବାନ ଆଜି ଆପଣଙ୍କ ସାଥି ଦେବେ | ମୁଁ ଆସୁଛି , ବାଏ ….| ଆରେ ଆରେ ଆମର ସେଲ୍ଫି ଗୋଟେ ନବ କଥା ନା …ଟ୍ରେନିଂ ୱିଥ୍ ଶାଶୁମା’ |
୮.୪୫ ରେ ବୋହୂ ଘରୁ ବାହାରି ଚାଲିଗଲା -ରାଧାରାଣୀ ଙ୍କ ମୁହଁରେ ସେତେବେଳୁ ହସଟିଏ ଲାଖି ରହିଥାଏ -” ମୋ ଉଦ୍ଦଣ୍ଡୀ ସାବିତ୍ରୀ”