ଯାଉ, ବୋହି ଯାଉ ….ଅମାନିଆ ଦୁଇ ଧାର ଲୁହ ସେମିତି ବୋହୁ ଥାଉ …
ସୁଜାତା ମ୍ୟାଡ଼ାମ ଙ୍କ ସ୍ମୃତି ସେତିକି ଲୁହର ହକଦାର l ଆମେ ଏକାଠି ବିତେଇଥିବା କିଛି ସୁମଧୁର ମୁହୂର୍ତ୍ତ, ଅନେକ ସ୍ମୃତି ଆପେ ଲୁହ ହୋଇ ବୋହି ଆସିଲା l ବିଦାୟର ବେଳା କେବେଠାରୁ ଜଣେଇ ଦେଇଥିଲା ଜୀବନ —ତେବେ ଆଜି ଅନ୍ତିମ ବିଦାୟର ବେଳା ଆସିଛି l
ସୁଜାତା ମ୍ୟାଡ଼ାମ ନିଜ ପରିବାରବର୍ଗଙ୍କୁ ଓ ଆମ ଭଳି କିଛି ହତଭାଗା ସାଥୀମାନଙ୍କୁ ଶୋକ ସାଗରରେ ଭସେଇ ଏ ଜୀବନର ଲୀଳା ଖେଳ ସାରି ମହାଯାତ୍ରା ରେ ସାମିଲ ହୋଇଛନ୍ତି ଗତ ପବିତ୍ର ଅଁଳା ନବମୀ ଦିନ l
KIMS ରେ ପ୍ରଥମେ ସାକ୍ଷାତ ହୁଏ ଓ ପରେ ଅନେକ ପାରିବାରିକ ଚିହ୍ନl ପରିଚିତ ମଧ୍ୟ ବାହାରନ୍ତି l ପ୍ରଥମ ଦେଖାରୁ ହିଁ ଯେଉଁ କେତେ ଜଣ ପୂରା ନିଜର ମନେ ହୁଅନ୍ତି, ସେ ସେଇଭଳି ଏକ ବ୍ୟକ୍ତିତ୍ତ୍ୱ ଥିଲେ l
ମୁଁ ତାଙ୍କଠୁ ବୟସରେ ସାନ ହୋଇଥିଲେ ମଧ୍ୟ ମ୍ୟାଡ଼ାମ ମୋତେ “ଆପଣ” ବୋଲି ସମ୍ବୋଧନ କରୁଥିଲେ l ସେଇଠି ତାଙ୍କ ସଂଭ୍ରମ ଓ ନମ୍ରତାର ପରିଚୟ ମିଳେ l ନିଜେ ଜଣେ ଡାକ୍ତର ହୋଇ, ପରେ ବାୟୋକେମିଷ୍ଟ୍ରି ରେ ସ୍ନାତକୋତ୍ତର ପାଠ୍ୟ ସମ୍ପୂର୍ଣ୍ଣ କଲା ପରେ ମଧ୍ୟ ନିଜ ପରିବାର ପାଇଁ ନିଜକୁ ସମ୍ପୂର୍ଣ୍ଣ ସମର୍ପଣର ସହ ସେବା କରିଥିଲେ ଓ କିଛି ବିଳମ୍ବରେ ଚାକିରୀରେ ଯୋଗଦାନ କରିଥିଲେ l ହେଲେ କେବେ ସେଥିପାଇଁ ସେ ଅବଶୋଷ କରିବାର ଦେଖିନୁ କିମ୍ବା ନିଜର ଅହଂର ହନନ ହେବା ଭଳି ବ୍ୟବହାର ଦେଖିନୁ lଅତି ସୁଚାରୁରୂପେ ସେ ନିଜର ଦାୟିତ୍ତ୍ୱ ତୁଲାଉଥିଲେ ଓ ହସ ଖୁସିରେ ସମସ୍ତଙ୍କ ସଂଗେ ମିଳିମିଶି ଚଳୁଥିଲେ l
ଆମେ ପ୍ରାୟତଃ ଆଧ୍ୟାତ୍ମିକ ଚର୍ଚ୍ଚାରେ ବୁଡି ରହୁଥିଲୁ l ଆମ ଗୁରୁଦେବଙ୍କୁ ସେ ନିଜର ଜଣେ ଗୁରୁ ରୂପେ ଗ୍ରହଣ କରି ନେଇଥିଲେ ଓ ସେଥିପାଇଁ ସେ ମୋତେ ବହୁତ ଧନ୍ୟବାଦ ଜଣାନ୍ତି l ଥରେ କୌଣସି ଏକ ସତସଂଗକୁ ମ୍ୟାଡାମ୍ଙ୍କୁ ନେଇ ଯାଇ ଥାଏ ଓ ଦୈବଯୋଗକୁ ସେ ଦିନ ଶ୍ରୀ ଗୁରୁଦେବ ମୌନବ୍ରତ ଭାଙ୍ଗି ଆଶୀର୍ବଚନ ଦେଇଥିଲେ l ଓଃ ! କି ଖୁସି ସେ ଦିନ ! ଛୋଟ ପିଲା ପରି ସତେ ଯେମିତି ନାଚି ଯିବେ l
ଆଜି ବି ସେଇ ସୁନ୍ଦର ହସ ହିଁ ବାରମ୍ବାର ଆଖି ଆଗରେ ନାଚୁଛି …ସୁନ୍ଦର ଧଳା ଦନ୍ତପନ୍ତି ଆଉ ଚୌଡା ଏକ ହସ ମୁହଁରେ ସବୁବେଳେ ଝଟକୁ ଥାଏ l ଆଶ୍ଚର୍ଯ୍ୟର କଥା କ୍ୟାନ୍ସର ପରି ଦୁରାରୋଗ୍ୟରେ ପୀଡିତ ହୋଇ ମଧ୍ୟ ଶେଷ ଯାଏ ସେଇ ଭଳି ସୁନ୍ଦର ହସ ତାଙ୍କ ମୁହଁରେ ଲାଖି ରହୁଥିଲା l
ଆମ ସଂଗେ ଯେମିତି ଜୀବନକୁ ସେ ଆଉ ଥରେ ବଂଚିବା ଶିଖୁଥିଲେ କର୍ମକ୍ଷେତ୍ରରେ l ହେଲେ ପାରିବାରିକ ଅସୁବିଧା ଯୋଗୁଁ ଆଉ ଥରେ ବାଙ୍ଗାଲୋର ଫେରି ଯିବାକୁ ହେଲା l ତାଙ୍କ ତ୍ୟାଗପୂତ ଓ ସମର୍ପଣର ଜୀବନ ଆମ ପାଇଁ ଆଦର୍ଶ ଥିଲା l ତେବେ ସେ ଆମ ମାନଙ୍କୁ ଶିକ୍ଷା ଦେଉଥିଲେ, ଟିକିଏ କଷ୍ଟ ପଡିଲେ ବି ଚାକିରିଟା କୌଣସିମତେ କରୁଥିବା, ଛାଡିବନି l
ସବୁବେଳେ ନିଜ ସ୍ୱାମୀ ଓ ଶାଶୁଙ୍କ ପ୍ରଶଂସା କରନ୍ତି ସର୍ବ ସମ୍ମୁଖରେ ଓ ନିଜ ସ୍ୱାମୀଙ୍କୁ ଦେବତା ଭଳି ପୁଜନ୍ତି ମଧ୍ୟ l କେବେ କାହା ବିରୁଦ୍ଧରେ କହିବା ଶୁଣିନୁ l ବାସ, ଯିଏ ଯେମିତି, ତାକୁ ସେମିତି ଗ୍ରହଣ କରନ୍ତି l
ବେଳେବେଳେ ନିଜ ଗୀତ ରେକର୍ଡ କରି ମୋ ପାଖକୁ ପଠାନ୍ତି, ସଂଗୀତ ସାଧନା କରୁଥିବା ସମୟରେ l ଶେଷ ଦେଖା ସମୟରେ ଏକ ସୁନ୍ଦର ଭଜନ ମଧ୍ୟ ଗାଇ ଶୁଣେଇଥିଲେ l
ସମସ୍ତେ ଯିବା …କେହି ଆଗ, କେହି ପଛ….ତେବେ ଗଲା ପରେ ଏ ଭଳି ବ୍ୟକ୍ତିତ୍ତ୍ଵଟିଏ ମନର କେଉଁ ଏକ କୋଣରେ ଏକ ସ୍ୱର୍ଣ୍ଣ ଛାପ ଟିଏ ଛାଡ଼ିଦେଇ ଯାଆନ୍ତି l
ଏତେ ଈଶ୍ୱରବିଶ୍ୱାସୀ ଅଥଚ କାହିଁକି ଏତେ କଷ୍ଟ ପାଇଲେ …ବୋଧହୁଏ ଏହା ତାଙ୍କର ପ୍ରାରବ୍ଧ ଭୋଗ କରି ଯିବାର ଜନ୍ମ ଥିଲା…ଆଗାମୀ ଜନ୍ମ ହୁଏତ ତାଙ୍କୁ ମୁକ୍ତି ପଥରେ କଢେଇ ନେବ l ଏ ମହାଯାତ୍ରା ତାଙ୍କର ଆହୁରି ଶୁଭଙ୍କରୀ ହେଉ ଓ ତାଙ୍କ ଆତ୍ମା ଶୀଘ୍ର ପରମାତ୍ମାଙ୍କ ସହ ମିଳିତ ହେଉ l ଓଁ ଶାନ୍ତି ll