ଡା. ବିୟତପ୍ରଜ୍ଞା ଆଚାର୍ଯ୍ୟ,
ପ୍ରଫେସର ବାୟୋକେମିଷ୍ଟ୍ରି
*********
( ସମ୍ପୂର୍ଣ୍ଣ ଗଳ୍ପ )
ଘର ଭିତରେ ଅସାଧାରଣ ନୀରବତା | ଅଂକୁର ଓ ମାନସୀ ତାଙ୍କ ବୈଠକ ଘରର ସୋଫାରେ ଦୂରେଇ ବସିଥା’ନ୍ତି | ଉଭୟ ଉଭୟଙ୍କୁ ଅଣଦେଖା କରୁଥାନ୍ତି I ଆଉ ଦୁଇଟି ଚୌକିରେ ଆରାଧନା ଓ ପ୍ରବୀଣ ବସିଥାନ୍ତି I ସେମାନଙ୍କ ଆଖିରେ ଅନେକ ପ୍ରଶ୍ନ | ଚାରି ଜଣ ଯାକ ଚୁପ | ମାନସୀ ଚା’ ୪ କପ ଆଣି ଥୋଇ ଦେଇଥାଏ | ତାଙ୍କ ଦୁଇ ଛୁଆଙ୍କୁ ଖେଳିବାକୁ ପଡିଶା ଘରକୁ ପଠେଇ ଦେଇଥାଏ | ଆରାଧନା ଓ ପ୍ରବୀଣ ଏମାନଙ୍କ ରକ୍ତ ସମ୍ପର୍କୀୟ ନୁହନ୍ତି, ହେଲେ ସେମାନଙ୍କର ହୃଦୟର ସମ୍ପର୍କ | ପ୍ରତି ପୂଜା ପର୍ବରେ ଦୁଇ ପରିବାର ବେଶ ମିଳାମିଶା କରନ୍ତି | କେବେ କେମିତି ଉଭୟ ପରିବାର ମିଶି ଦୂର ଜାଗାକୁ ବୁଲି ପଳାନ୍ତି |
ସୁଦୂର ମୁମ୍ବାଇରେ ରହି ଦୁଇ ଓଡ଼ିଆ ପରିବାର କୌଣସି ଏକ ଓଡିଶା ଦିବସ ବନ୍ଧୁ ମିଳନ ଉତ୍ସବରେ ଦେଖା ସାକ୍ଷାତ ହୋଇଥିଲେ | ଏବେ ମନେହୁଏ , ଯେମିତି ଉଭୟ ପରିବାର କେଉଁ କାଳୁ ବୋଧହୁଏ ପରିଚିତ ଥିଲେ |
ସମସ୍ତେ ଚା’ କପ ଓଠରେ ଲଗାଇ ହାଲୁକା ଚୁସ୍କି ଦେଉଥା’ନ୍ତି | ଅଂକୁର ଓଠ ପାଖରେ କପକୁ ଧରି ପଥର ସାଜି ବସିଥାଏ | ଅଂକୁର ଓ ପ୍ରବୀଣ IT firm ରେ କାର୍ଯ୍ୟରତ | ମାନସୀ କୌଣସି ହୋଟେଲରେ ହସ୍ପିଟାଲିଟି ବିଭାଗର କାମ କରୁଥିଲା | ପିଲାମାନେ ଜନ୍ମ ହେଲାପରେ ପରିବାରରୁ ବିଶେଷ ସାହାଯ୍ୟ ନ ପାଇ ଚାକିରୀ ଛାଡି, ପରିବାରର ଦେଖାଶୁଣା କରେ | ଆରାଧନା ପାଖ ସ୍କୁଲରେ ଶିକ୍ଷକତା କରେ I ସେମାନଙ୍କର ଗୋଟିଏ ବୋଲି ଝିଅ ଓ ଏବେ ଦଶମ ଶ୍ରେଣୀ ପାସ କରି ଏକାଦଶରେ ପଢିଲାଣି |
ଆରାଧନା ଓ ପ୍ରବୀଣ ବୟସରେ ଅଂକୁର ଓ ମନାସୀଠୁ ଟିକିଏ ବଡ ହୋଇଥିଲେ ମଧ୍ୟ ସେମାନଙ୍କ ଭିତରେ ବନ୍ଧୁତା ବେଶ ଗାଢ଼ |
“କଥା ଅଛି, ଟିକିଏ ଆଲୋଚନା କରିବା”– କେବଳ ଏତିକି କହିଥିଲା ଅଂକୁର ପ୍ରବୀଣଙ୍କୁ | ଅନ୍ୟ କିଛି ପଚାରିବା ଆଗରୁ ଫୋନ କଟି ସାରିଥିଲା |
ବସିବା ଜାଗାରୁ ଉଠି ଆସିଥିଲେ ଆରାଧନା ଓ ପ୍ରବୀଣ | କେହି କିଛି କହୁ ନଥା’ନ୍ତି |
ଏକଦମ ବଜ୍ରପାତ କଲା ପରି ଅଂକୁର କହିଲା – ” I need a divorce “.
ସମସ୍ତେ ସ୍ତବ୍ଧ | ଅଖଣ୍ଡ ନୀରବତା ଖେଳିଗଲା କମରାରେ | ତେବେ ଏଇ କଥା କହିବାକୁ ଡାକିଥିଲେ ଏମାନେ ? କାହିଁ ଉଭୟଙ୍କ ମଧ୍ୟରେ କିଛି ସେମିତି ଚାଲୁ ତ ନଥିଲା ! ହଠାତ ଏମିତି କାହିଁକି ?
ଆରାଧନା ମୌନ ଭାଙ୍ଗିଲେ – ” ଛିଃ! ସେ ଅଲକ୍ଷଣା କଥା ମୁହଁରେ ଧରନ୍ତିନି | କାହାର କଣ ଝଗଡା ହୁଅନି ନିଜ ଭିତରେ ! ଏମିତି କଣ କହୁଛ ?”
ଏଥର ମାନସୀର ଧୈର୍ଯ୍ୟ କୁଳ ଲଙ୍ଘିଲା ଓ ଲୁହ ସବୁ ଆଗ ବଡ ବଡ ଟୋପା ହୋଇ ଓ ପରେ ବନ୍ୟା ପରି ବହି ଚାଲିଲା |
ମାନସୀ କହି ଚାଲିଲା – ” ମୁଁ ବି ଏ ଲୋକ ସାଙ୍ଗେ ଆଉ ରହି ପାରିବିନି | ପ୍ରାୟ ୫ ମାସ ହେଲା କଣ ହୋଇଛି କେଜାଣି ଖାଲି ମୋ ଉପରେ ରାଗି ମାଗି କଚାଡି ହେଉଛନ୍ତି | କାରଣ କିଛି ବି ନାହିଁ | ମୁଁ ତ ସବୁବେଳେ ଘର କମଦାମରେ ରହି ପିଲାଙ୍କ ଦେଖାଶୁଣା କରି ଚାଲିଛି | କେଉଁଠି ତ କିଛି ଭୁଲ ଭଟକା ନାହିଁ – ନା, ଆଉ ସହି ହେଉନି | ମୁଁ ବି ଶୀଘ୍ର divorce ନେବି | ରଖ ତୁମେ ତୁମ ଦୁଇ ଛୁଆ ଙ୍କୁ | ମୁଁ ପୁଣି ନିଜ କ୍ୟାରିୟର ଓ ଜୀବନ ଗଢିବି | ତୁମ ସାଙ୍ଗେ ରହି ମୋ ଜୀବନ ବରବାଦ ହୋଇ ଗଲାଣି |”
ଅଂକୁର ଚିହିଁକି ଆସିଲା – ” ଦେଖୁଛ ଭାଉଜ , କେତେ ସହଜରେ ଇଏ ମୋତେ divorce ଦେବାକୁ ରାଜି ହୋଇଗଲା | ନୂଆ ଜୀବନ ଗଢିବାକୁ ବି ତିଆର |”
ପ୍ରବୀଣ ମଝିରେ ପଶିଆସି କହିଲେ – ” ଦୁଇ ଜଣ ଯାକ ଚୁପ ହୋଇ ବସ ଆଗ | ତୁମେ ମାନେ ଯଦି ଏମିତି ଝଗଡା ଲାଗିବାର ଥିଲା , ଆମକୁ କାହିଁକି ଡାକିଲ ? ସତ କହିଲ ଅଂକୁର , ତୁମେ ସତରେ ଚିଡି ଚିଡି ହେଉଛ କି? ମାନସୀ ତୁମ ଯତ୍ନ ନେଉ ନାହାନ୍ତି କି ? ତୁମର ଖାଇବା ପିଇବା କିମ୍ବା ଛୁଆ ମାନଙ୍କର କିଛି ଅସୁବିଧା କଲେ କି ?”
ଅଂକୁର ମୁଣ୍ଡ ପୋତି କହିଲେ – ” ନାଁ ସେ ସବୁ ଠିକ ଚାଲିଛି |”
ପ୍ରବୀଣ – ‘ ତା’ ହେଲେ କ’ଣ ?
‘ ଆପଣ ଜାଣି ନାହାନ୍ତି ୟାକୁ | ମୁଁ ଅଫିସ ଗଲା ପରେ କଣ ସବୁ ଚାଲିଛି | ମୁଁ ତ ମନ ମୁନ ଚଇତନ ଲଗେଇ ବଳଦ ପରି ଖଟି ଚାଲିଛି , ଏପଟେ ଘରେ ଆମର କି ଯେ ନାଟ ଚାଲିଛି , ଆପଣ କିଛି ଜାଣି ନାହାନ୍ତି |’
ମାନସୀ ଆଶ୍ଚର୍ଯ୍ୟ ହୋଇ ଲୁହ ପୋଛି ଠିଆ ହୋଇ ପଡିଲା – ‘କଣ ହେଲା , କଣ ନାଟ ଚାଲିଛି ଶୁଣେ | ଏଣେ ଖଟି ଖଟି ପ୍ରାଣ ବାହାରି ଗଲାଣି , ମୋ କିଟି ପାର୍ଟି ମାସକୁ ଥରେ ହେବ ଯେ, ସେଇଟା ବି ସମ୍ଭାଳି ପାରିବନି?”
ଅଂକୁର କହିଲା – “କିଟି ପାର୍ଟି ମୋର ପସନ୍ଦ ନୁହେଁ , ହେଲେ ବି ମୁଁ କିଛି କହେନି | ମୋତେ ପିଲା ମାନେ ସବୁ କହିଛନ୍ତି |”
‘ କଣ କହିଛନ୍ତି ପିଲାମାନେ – ଶୁଣେ ଟିକିଏ | ଆଉ ୫ – ୭ ବର୍ଷିଆ ଛୁଆଙ୍କୁ ମୋ ପଛରେ ଗୁପ୍ତଚର ଭଳି ଲଗେଇଛ | ଛିଃ !’
ମାନସୀ , ଦୁଲ କରି ସୋଫା ଉପରେ ବସି ପଡିଲା |
ଅଂକୁର କହିଲା – ” ନା, ମୁଁ ନିଜେ ବି ଶୁଣିଛି | ତୁମେ ରବିବାର ଦ୍ଵିପ୍ରହରରେ କେମିତି ଲୁଚିକି ବାଲକୋନୀରେ ତୁନି ତୁନି ଫୋନରେ କଥା ହେଉଥିଲେ | ତୁମେ ଭାବୁଥିଲ ମୁଁ ଶୋଇଛି, ହେଲେ ମୁଁ ଶୋଇ ନ ଥିଲି | ତୁମେ କେମିତି ମିଠା ସ୍ୱରରେ କଥା ହୋଇ ଫୋନ କାଟିଲ |”
” ଆଚ୍ଛା!, ମୋ ସେରଳକ ହୋମସ ଓ ଆଉଟସକ ଆଉ କଣ ସବୁ କହିଛନ୍ତି ମୋ ବିଷୟରେ | ଶୁଣେ ଟିକିଏ |” ଏଥର ମାନସୀ ବଡ କ୍ରୁଦ୍ଧ ସ୍ୱରରେ କହିଲା |
ଅଂକୁର କହିଲା – ” ତୁମେ ସବୁଦିନ ଛୁଆଙ୍କୁ ଶୁଆଇ ଦେଇ ଫୋନ ନେଇ ଆର ରୁମକୁ ଚାଲିଯାଅ | ଆଉ ବାରମ୍ବାର ତୁମ ଫୋନ ଆସୁଥାଏ | ମିଠା ମିଠା କଥା ହୁଅ କେତେବେଳେ ତ କେତେବେଳେ ଗାଳି ଦିଆନିଆ |”
ଏଥର ଅଙ୍କୁରର ଆଖିରୁ ଲୁହ ଦୁଇଧାର ଗଡ଼ିଗଲା | ସେ ମୁଣ୍ଡ ତଳକୁ ପୋତି କହି ଚାଲିଥାଏ – ” ମୁଁ ତୁମକୁ ମୋର ପୁରା ଜୀବନ ବୋଲି ଭାବି ଦେଇଥିଲି | ମୋ ପ୍ରେମର ମୂଲ୍ୟ କିଛି ବି ରଖିଲନି |”
” ଯାହା ଦରକାର ତୁମର ନେଇକି ଶୀଘ୍ର ଚାଲିଯାଅ ଏଠୁ | ନ ହେଲେ ମତେ କେଉଁ ଦିନ ନିଜ ପ୍ରେମିକ ସହ ମିଶି ମାରି ଦେଇଥିବ | ମୋ ପିଲାଙ୍କୁ ମୋ ପାଖରେ ଛାଡିକି ଯିବ | ମୁଁ ହିଁ ସମ୍ଭାଳିବି |”
ଆରାଧନା କଡା ସ୍ୱରରେ ମାନସୀକୁ ଚାହିଁ ପଚାରୁଥାନ୍ତି – ” କଣ ଶୁଣୁଛି ଏ ସବୁ ମାନସୀ ? ଏ କଣ ସତ ?”
ମାନସୀ ଆଖିରୁ ଲୁହ ବୋହିବା ବନ୍ଦ ହୋଇ ଅଗ୍ନି ସ୍ଫୁଲିଙ୍ଗ ଝରୁଥାଏ |
“ଆଚ୍ଛା! ମୋ ଫୋନ ପାସୱାର୍ଡ ତ ତୁମକୁ ଜଣା , ଦେଖି କହିଲ – ଏ ଭିତରୁ ମୋ ପ୍ରେମିକଟା କିଏ ?”
ଅଂକୁର ମୁଣ୍ଡ ଉଠେଇ କହିଲା – “ହଁ , ତୁମେ କ’ଣ ସେତେ ମୂର୍ଖ ହୋଇଛ କି ? ସବୁ ବେଳେ calls log ସଫା | ଖାଲି ବାପା, ମା’ , ଭଉଣୀ, କି ମୋ ମା ସହ call details ହିଁ ଅଛି |”
ମାନସୀ ଏବେ ମୁଚୁକେଇ ହସିଲା | ସମସ୍ତେ ଆଶ୍ଚର୍ଯ୍ୟ | କ’ଣ ଗେମ ଖେଳୁଛି ସେ ? ଯିଏ ଏବେ ଏତେ ଜୋରରେ କାନ୍ଦୁଥିଲା ଆଉ ରାଗି ଯାଉଥିଲା ସେ ପୁଣି ରହସ୍ୟମୟ ହସ କାହିଁକି ହସୁଛି?
ମାନସୀ ପଚାରିଲା – “ଆଉ କ’ଣ ଦେଖିଲ calls log ରେ ?”
ଅଂକୁର କହିଲା – ” ନା, ଆଉ କିଛି ନାହିଁ |”
ମାନସୀ ହସିକି ଫୋନଟା ବଢ଼େଇ ଦେଲା – ନା , ନା ଭଲକି ଦେଖିକି କୁହ ନା ….|”
ଅଂକୁର କହିଲା – ” ନା , ଆଉ କିଛି ନାହିଁ | ଇୟାଡୁ ସିୟାଡୁ କଲ୍ ସବୁ |”
ମାନସୀ ଚିହିଁକି କି କହିଲା – “ଇୟାଡୁ ସିୟାଡୁ ନୁହେଁ , ସେଗୁଡା ସ୍ପାମ call | ତୁମେ ସେଥିରୁ ବଂଚିବା ପାଇଁ ମଲ, ବ୍ୟାଙ୍କ , ଗହଣା , ଶାଢ଼ୀ ଦୋକାନ , Swiggy , Zomato ସବୁଠି ମୋ ନମ୍ବରଟି ଧରେଇ ଦେଇଛ | ଆଉ ଦିନ ରାତି , ବେଶୀ କରି ଦ୍ଵିପ୍ରହରେ ମୋ ଶୋଇବା ସମୟରେ ଏ କଲ୍ ସବୁ ଆସି ମୋ ପ୍ରାଣ ଖାଇଲେଣି |”
କହି ଚାଲିଥାଏ -” ଆଗ ସବୁ caller ଙ୍କୁ ଶୋଧାଶୋଧି କରି ନିଜ ପାଟି ଓ ତା’ ପରେ ମୁଣ୍ଡ ଖରାପ କରୁଥିଲି | Block କଲି, Truecaller app ବି install କଲି | ହେଲେ ଗୋଟେ ନମ୍ବର ବ୍ଲକ କଲେ ରକ୍ତବୀର୍ଯ୍ୟ ପରି ଆଉ ଚାରିଟା ନମ୍ବରରୁ କଲ ଆସିଲା | ”
ଥରେ ଗୋଟିଏ ଗହଣା ଦୋକାନକୁ ଦୁଇ ପ୍ରହରରେ ଯାଇଥିଲି I ବେଶୀ ଗରାଖ ନ ଥାନ୍ତି I ସେଲସ ଗାର୍ଲ ବି ବେଶୀ ନ ଥାନ୍ତି I ଭାବିଲି, ଆଚ୍ଛା, ଏମାନେ ବି ଆମ ଓଡ଼ିଆ ଲୋକଙ୍କ ଭଳି ଦ୍ଵିପ୍ରହରେ ଆରାମ କରିବା ଶିଖିଲେଣି I ଦ୍ଵିତୀୟ ମହଲାକୁ ଉଠିଲି I ସେଠି ଦେଖିଲି, ଦୁଇ ତିନୋଟି ସୁନ୍ଦରୀ ତନୁ ପାତେଳୀ ଝିଅ ହାତରେ ଦୁଇ-ତିନି ଫର୍ଦ୍ଦ କାଗଜ ଧରି ବସିଛନ୍ତି ଆଉ ଗୋଟେ ପରେ ଗୋଟେ କଲ୍ କରି ଚାଲିଛନ୍ତି I ଯୋଉ ଗୁଡାକୁ ଆମେ ସ୍ପାମ କଲ୍ କହୁଛେ I କଷ୍ଟମରଙ୍କ ଗାଳି ଓ ଶୋଧା ଶୁଣି ଶୁଣି ଝିଅ ଗୁଡ଼ିଙ୍କର ମୁହଁ ଶୁଖି ଯାଇଥାଏ I ମୋତେ ତାଙ୍କ ବିକଳ ଅବସ୍ଥା ଦେଖି ବଡ ଦୁଃଖ ଲାଗିଲା I ଠିକ୍ ରେ ଦୁଇ ମୁଠା ଖାଇଥିବେ କି ନାହିଁ ଜଣା ନାହିଁ, ହେଲେ ଗରାଖଙ୍କ ଗାଳି ଶୁଣି ଶୁଣି ପେଟ, ମନ ସବୁ ଭର୍ତ୍ତି ହେଇ ଗଲାଣି I ପେଟ ଚାଖଣ୍ଡକ ପାଇଁ ସବୁ ନାଟ ସିନା !
ଏ ଭିତରେ ଜଣେ ସହୃଦୟ ଗରାଖଙ୍କଠୁଁ ମିଠା ଦୁଇ ପଦ ଶୁଣି ମୁହଁରେ ଟିକିଏ ହସ ଉକୁଟି ଆସିଲା I ସେଇ ଦିନଠାରୁ ମୁଁ ନିଷ୍ପତ୍ତି ନେଲି ଆଉ ଏ ଭଳି କଲ ଆସିଲେ ରାଗିବି ନାହିଁ ବରଂ ଟିକିଏ ତାଙ୍କ ସହ ଥଟ୍ଟା ମଜ୍ଜା ବି କରି ଦେବି I କେଜାଣି କାହାର ମନ ଟିକିଏ ହାଲୁକା ହୋଇଯିବ ପରା !”
ଠିକ ଏଇ ସମୟରେ ଗହଣା ଦୋକାନର ଏକ ସ୍ପାମ କଲ ବାଜି ଉଠିଲା |
ମାନସୀ ହସି ହସି ଫୋନ ଉଠେଇଲା ଓ speaker on କରିଦେଲା |
ସେପଟୁ କୌଣସି ତରୁଣୀର ମିଠା ସ୍ୱର ଭାସି ଉଠିଲା – ମ୍ୟାଡ଼ାମ ମୈ “ଟାଇରା ଜ୍ୱେଲେରୀ ସେ ବାତ କର ରହି ଥି | କ୍ୟା ମେରି ବାତ ମାନସୀ ଦାଶ ମ୍ୟାଡ଼ାମ ସେ ହୋ ରହି ହୈ ?”
ମାନସୀ – ‘ୟେସ ଡାର୍ଲିଂଗ |’
ତରୁଣୀ – “ଥାଙ୍କ ୟୁ ମ୍ୟାଡ଼ାମ ଫର ୟୋର ସ୍ୱିଟ୍ ରେସ୍ପନ୍ସ| ହମାରୀ ଷ୍ଟୋର କି ତରଫ ସେ ଅପକୀ ବର୍ଥ ଡେ ପେ ସ୍ପେସିଆଲ ଅଫର ହୈ |” ତରୁଣୀ ଟି ଭିନ୍ନ ଭିନ୍ନ ସ୍କିମ କଥା କହି ଚାଲିଥାଏ |
ମାନସୀ ମଝିରୁ କଥା କାଟି ଭୁରୁ ନଚେଇ କହିଲା- “ହାଏ! କିତନା ବଢିଆ ଅଫର ହୈ | ଦେଢ଼ ଲାଖ ମେ ଏକ ଆଚ୍ଛା ଡାଇମଣ୍ଡ ନେକ୍ଲେଶ ତୋ ଆ ଯାଏଗା ନା?”
ତରୁଣୀ – ” ହାଁ, ମ୍ୟାଡ଼ାମ , ବଢିଆ ସେ ବଢିଆ ନେକ୍ଲେଶ ଆୟା ହୈ |”
ମାନସୀ ଟିକିଏ ସ୍ୱରକୁ ଭାରି କରି ମଜାଳିଆ ଢଙ୍ଗରେ କହିଲା – ” ଉସକେ ଲିଏ ରାତ ଥୋଡୀ ରଙ୍ଗୀନ ବନାନୀ ପଡେଗି , ଓ ଭି ପତି କୋ ଦୁକାନ ତକ ଲେ ଜାନେ କେ ଲିଏ| ଖରୀଦନେ କି ଗ୍ୟାରେଣ୍ଟି ଫିର ଭି ନହିଁ ଦେ ସକତୀ I”
ତରୁଣୀ ସେପଟୁ ଠୋ ଠୋ କରି ହସି ଉଠିଲା I
ମାନସୀ କହୁଥାଏ -“ଚଲୋ ଛୋଡୋ ଉସ ବାତ କୋ I ଲଞ୍ଚ କିୟା କି ନହିଁ ?
ତରୁଣୀଟି ମନ ଦୁଃଖ କରି କହିଲା -“କହାଁ ମାଡାମ ! ଆଜ ବାଈ ନାହିଁ ଆଇ I ସବକୋ ଖାନା ଖିଲାତେ ଖିଲାତେ….. ଏଇ ଭଳି ଅନୌପଚାରିକ କଥା ହୋଇ ପାଞ୍ଚ ମିନିଟ ପରେ କହିଲା -“ମ୍ୟାମ ! ଆପକେ ସାଥ ବାତ କରକେ ମନ ବଡା ହଲକା ହୋ ଗୟା I ନହିଁ ତୋ ପିଛଲେ ଦଶ କଲ ପେ ବସ ଡାଣ୍ଟ ଫଟକାର ହିଁ ସୁନନେ କୋ ମିଲା I ମେରା ନାମ ସେଲୀ ହୈ, ଆପ ଜବ ଆଏଙ୍ଗେ ତୋ ମୁଝସେ ମିଲିଏଗା, ସଚ ମେ ସ୍ପେଶାଲ ଡ଼ିସକାଉଣ୍ଟ କରା ଦୁଙ୍ଗୀ I”
ଫୋନ କଲ ବନ୍ଦ କରୁ କରୁ ପୁଣି ଥରେ ରିଂ ହେଲା I ଏଥର ବ୍ୟାଙ୍କରୁ I ମାନସୀ ଆଉ ଥରେ ସ୍ପିକର ଅନ କରି ପୂରା ମତୁଆଲା କଣ୍ଠରେ କଥା ହେଲା -“ହାଲ୍ଲୋ…..I”
ଆର ପଟୁ ଏକ ଯୁବକଙ୍କ ସ୍ୱର ଭାସି ଆସିଲା -“କ୍ୟା ମୈ ମାନସୀଜୀ ସେ ବାତ କର ରହା ହୁଁ ?”
ମାନସୀ -“କହିଏ ….କ୍ୟା ଲେଙ୍ଗେ ଆପ? ଲୋନ, କ୍ରେଡିଟ କାର୍ଡ ୟା ଓଭରଡ୍ରାଫ୍ଟ ?”
ସେପଟୁ ଯୁବକ କିଛି ସମୟ ସ୍ତବ୍ଧ ହୋଇଗଲା I ଚାପା ଆୱାଜରେ ସହକର୍ମୀ ସହ କଥା ହେଲା -“ଅବେ ୟେ କ୍ୟା ହୈ …ହମେ କୋଇ ଲୋନ ଅଫର କର ରହା ହୈ I” ଚାପା କଣ୍ଠରେ ହସି ହସି ଆଉ ଥରେ ଆରମ୍ଭ କଲା -“ମ୍ୟାମ, ଆପକେ ଲିଏ ଏକ କ୍ରେଡିଟ କାର୍ଡ କା ଅଫର ଥା I”
ମାନସୀ ପୁଣି ଷ୍ଟାଇଲ ମାରି କହିଲା -“କ୍ରେଡିଟ ? ୱୋ ତୋ ଛୋଟେ ଛୋଟେ ଲୋଗ କରତେ ହୈଁ ନା I ମୈଁ ତୋ ତୁମହେ ଲୋନ ଦେ ରହି ହୁଁ I ଔର ୟେ କ୍ୟା କ୍ରେଡିଟ କ୍ରେଡିଟ ….ଚାରବାକ ନୀତି ମେ ଫସାଓଗେ କ୍ୟା …ଯାବତ ଜୀବେତ ସୁଖଂ ଭଵେତ, ଋଣମ୍ କୃତ୍ୱା ଘୃତଂ ପିବେତ !”
“ଲେ ଲିଜିଏ ମ୍ୟାମ ! କୋଇ ଚାରଜେସ ନହିଁ ହୈ I”
ମାନସୀ ଏଥର ମିଛିମିଛିକା ରାଗ ଦେଖେଇ କହିଲା -“ଚଲ, ଆଗଲେ ଜନମ ମେ ଲେ ଲୁଙ୍ଗି I ତୁ ପେହଲେ ମେରେ ସେ ଲୋନ ଲେ ଲେ l”
ଆର ପଟୁ ଦୁଇ ସହକର୍ମୀ ହସ ଆଉ ଚାପି ପାରୁ ନ ଥାନ୍ତି …କଲ କାଟି ଦେଲେ I
ମାନସୀର କଲ ସରିଲା ବେଳକୁ ଅନ୍ୟ ତିନି ଜଣ ତା ମୁହଁକୁ ହାଁ କରି ଅନେଇଥାନ୍ତି I
ମାନସୀ ଫିକ କରି ହସି ଦେଲା I ଏମାନେ ସବୁ ମୋ ପ୍ରେମିକ ଯାହାଙ୍କ ସାଙ୍ଗେ ମୁଁ ଏମିତି ରସାଳ ଗପସପ କରେ I କେତେବେଳେ ସେମାନେ ଖୁସି ହୁଅନ୍ତି ଆଉ କେତେବେଳେ ମୁଁ ମଜା ପାଏ I
ଆରାଧନା ଖୁସି ହୋଇ କହି ପକେଇଲା -“ୟାର କି ଟ୍ୟାଲେଣ୍ଟ ! ତୁମେ ତ RJ ହେବା କଥା ମାନେ ରେଡ଼ିଓ ଜକି …ଷ୍ଟାଣ୍ଡ ଅପ କମେଡିଆନ ହେବାର ଯୋଗ୍ୟତା ଅଛି I Don’t waste your talent yaar !”
ଅଂକୁର ଲଜ୍ଜାରେ ମୁଣ୍ଡ ତଳକୁ ପୋତି ବସିଥାଏ I ମାନସୀ କହିଲା -“ଏ ଫୁଦ୍ଦୁ ସ୍ୱାମୀ ଆଉ ତା ପିଲାଙ୍କୁ କିଏ ସମ୍ଭାଳିବ ? କିନ୍ତୁ ଏତେ ଦିନ ପରେ ଯା ହଉ ମୋ ଫୁଦ୍ଦୁ ଠୁ ଶୁଣିଲି ଯେ, ମୁଁ ତାଙ୍କର ସମଗ୍ର ସଂସାର I ପୁରା ସାର୍ଟିଫିକେଟ ….ତୁମେ ଦୁଇ ଜଣ ସାକ୍ଷୀ ରହିଲ, ହେଲା ?”
ଅଙ୍କୁର ପାଖକୁ ଯାଇ କହିଲା -“ମହାଶୟଙ୍କ ମୁହଁରୁ sorry ତ ବାହାରିବନି ! Introvert ! ମୋତେ ଥରେ ବି ସାମ୍ନା କରିବାକୁ ଇଚ୍ଛା ହେଲାନି ! ଧନ୍ୟବାଦ ଯେ , ତୁମେ ଓକିଲ ସହ ସିଧା ଆସିନ କି ବାହାରେ ଆଉ କାହାକୁ କହିନ |”
ଅଂକୁର କେବଳ କ୍ଷମା ଭିକ୍ଷା କଲା ଭଳି ନଜରରେ ଦେଖି ତଳକୁ ମୁହଁ କରି ବସିଲା |
ଆଉ ଥରେ ମାନସୀର ଫୋନ ବାଜି ଉଠିଲା | ଫୋନଟାକୁ ଅଂକୁରକୁ ଧରେଇ ଦେଇ କହିଲା – ” ନିଅ , ଆଉ ଗୋଟେ ପ୍ରେମିକ ମୋର – ବନ୍ଧନ ବ୍ୟାଙ୍କ ରୁ ,କେତେ ଗେଲ୍ହା କରି ଲୋନ ଯାଚିବ , ନହେଲେ OD …..ଖବରଦାର କଲ କାଟିବନି , କାଟିଦେଲେ ଆଉ ୬ ଥର କଲ କରିବ |”
ଠୋ ଠୋ ହୋଇ ସମସ୍ତେ ହସି ଚାଲିଲେ | ଅଂକୁର ମୁହଁ ପୋତି ହସୁଥାଏ ଓ ଏଥର ଦୋଷୀଭାବ ଓ ଆଶ୍ଵସ୍ତିର ଫେଣ୍ଟାଫେଣ୍ଟି ଭାବ ନେଇ |
ଛୁଆମାନେ ପଡ଼ିଶାଘରୁ ଡେଇଁ ଡେଇଁ ଚାଲି ଆସିଥିଲେ ଖେଳ ସାରି | “ବୋଉ ଭୋକ |”
ମାନସୀ ଆଖି ନଚେଇ କହିଲା – ” ଆଜି ବାପା ଆମକୁ ରେସ୍ତୋରାଁରେ ଖୋଇବେ | କ’ଣ ଠିକ ନା ?”
ସମସ୍ତେ ଆଉ ଥରେ ଜୋରରେ ହସି ଉଠିଲେ |
ପ୍ରବୀଣ କହିଲେ -“ଆରେ ଆରେ ଟେନସନରେ ଗାଡ଼ିରେ ରସଗୋଲା ହାଣ୍ଡିଟା ଛାଡି ଆସିଛି I ଆସ ଅଙ୍କୁର ନେଇ ଆସିବା …ମହାପ୍ରଭୁ ସେପଟେ ମା’ ଲକ୍ଷ୍ମୀଙ୍କ ମାନଭଞ୍ଜନ କରୁଛନ୍ତି ଆଜି “ରସଗୋଲା ଦିବସ”ରେ …ତୁମେ ମାନସୀଙ୍କର ମାନଭଞ୍ଜନ କର ରସଗୋଲା ଖୋଇ I ମଧୁରେଣ ସମାପୟେତ l”
#drvpacharya #odiastory #amasahitya