ଡଃ ବିୟତପ୍ରଜ୍ଞା ଆଚାର୍ଯ୍ୟ
ସ୍ୱପ୍ନ ଦେଖିବା ଭୁଲିଛି ମୁଁ ଆଜି
ସମ୍ବଳ କେବଳ ପୂର୍ବ ସ୍ମୃତିରାଜି
ମନପକ୍ଷୀର ଡେଣା-ବେନି ପଙ୍ଗୁ ଯେ ଆଜି
ଭାଗ୍ୟର ଖେଳରେ ନିଥର ନିଶ୍ଚଳ ସାଜି
ଉତଥାନର ଇଛାକୁ ଦୂରକୁ ଠେଲି
ପୁର୍ବଗୌରବକୁ ସେ ଯେ ଯାଏଟି ଭୁଲି I
ତଥାପି ଆଶାର କିରଣଟିଏ
ମନର ନିଭୃତ କୋଣରେ,
ପ୍ରଜ୍ଜ୍ଵଳିତ କରେ କେହି ଆସି
ମନପକ୍ଷୀକୁ ଧୀରେ ତୋଳି ଧରେ I
ସେ କିଏ ??
xxxxxxxxxxxx
ନା ମାତା , ନା ପିତା
ବନ୍ଧୁ ଅବା ଭ୍ରାତା;
ନିରନ୍ତର ସାଥେ ରହେ
ସୁପ୍ତ-ସାଥୀ ମୋର
ଉତ୍ତରଣେ ଅବରୋହଣେ
ଶୟନେ, ସ୍ୱପନେ
ଜୀବନର ପ୍ରତି କ୍ଷଣେ,
ପତନରେ ମୋ ଚିବୁକ ତୋଳି ଧରେ
ଉତଥାନରେ ମନକୁ ଆକଟ ବି କରେ
ଭୋଗୁଛି, ଭୋଗିବି ତା ପ୍ରେମର ଜୁଆର
ଅସୁମାରୀ, ଅମାପ, ନିବିଡ଼ , ନିରନ୍ତର;
କେହି କହେ ଈଶ୍ୱର, କେହି ନିରାକାର
ମୁଁ କହେ ସେ ଯେ, ସୁପ୍ତ-ସାଥୀ ମୋର
ଏକାନ୍ତ ନିଜସ୍ୱ ମୋର
ମୋ ଜୀବସ୍ଥିତିର ଆଧାର II
ମୁଁ ଅଛି ତ ଦୁନିଆଁ ଅଛି I ମୋତେ ନେଇ ଏ ସଂସାର, ମୁଁ ସଂସାରକୁ ନେଇ ନୁହେଁ I ଆଜି ସାମାନ୍ୟତମ ପରୀକ୍ଷା ଜନିତ ଅବା ପ୍ରେମ-ଜନିତ ବିଫଳତାକୁ ନେଇ ହେଉ, କଥା କଥାକେ ପିଲାମାନେ ଆତ୍ମହତ୍ୟା କରି ପକାଉଛନ୍ତି I ହେଲେ ଯଦି ନିଜଠାରେ ଅନ୍ତର୍ମୁଖୀ ହୋଇ ଅନୁଧ୍ୟାନ କରିବା, ଜଣା ପଡିବ, ହୁଏତ ଏହା ଶେଷ ନୁହେଁ I
ଈଶ୍ୱର-ସମର୍ପଣ ଆମକୁ କେବଳ ଦୃଢ କରି ନ ଥାଏ, ବରଂ ଏହା ଆମକୁ ଜୀବନର ଏକ ଅନ୍ୟ ଆଭିମୁଖ୍ୟ ମଧ୍ୟ ଦେଖାଇଥାଏ I