melanin game
THE MELANIN GAME
October 4, 2025
ଅଥ ପାର୍କିଙ୍ଗ ଗାଥା

ଡା. ବିୟତପ୍ରଜ୍ଞା ଆଚାର୍ଯ୍ୟ
ପ୍ରଫେସର ବାୟୋକେମିଷ୍ଟ୍ରି
————————–
୨୦୨୧
——-
ଯେବେ କଲେଜ ହତା ଭିତରେ ଗୁଣୁଗୁଣୁ ଗୀତ ଗାଇ ଗାଇ ମୋ ସ୍କୁଟିଟି ରଖିଦେଇ କଲେଜ ଭିତରକୁ ପ୍ରବେଶିବାକୁ ଆଗେଇଲି, କାହିଁ କେଉଁଠୁ ଜୟ-ବିଜୟ ଦୌଡ଼ି ଆସିଲେ |
ସେମାନଙ୍କ ନାଁ ଜଣା ନାହିଁ ମ … ଏମିତି କହିଦେଲି I ମଝିରେ ମଝିରେ ସେମାନେ ବଦଳୁଥାନ୍ତି I ଯଦି ଦୈବାତ କୌଣସି ଗାର୍ଡ ସବୁ ଡାକ୍ତରଙ୍କୁ ଚିହ୍ନି, ହସିକରି ସଲାମ ପକାଏ, ତେବେ ସେ ଟିକିଏ ଶୀଘ୍ର ବଦଳି ଯାଏ I କହିବା ବାହୁଲ୍ୟ, ଡାକ୍ତରଙ୍କୁ ଚିହ୍ନିବା ମନା I ନମସ୍କାର କି ଅଭିବାଦନ ତ ଦୂର କଥା I ତେଣୁ ସେମାନଙ୍କୁ ମୁଁ ହିରଣାକ୍ଷ ଆଉ ହିରଣ୍ୟକଶ୍ୟପୁ କହିଲେ ମଧ୍ୟ ଚଳିବ |

ହଁ … ଦୁହେଁ ମୋ ପଛେ ପଛେ ଧାଇଁ ଆସିଲେ -କହିଲେ ଏଠି ଗାଡି ରଖନ୍ତୁ ନାହିଁ I ସାଢେ ୫ ବର୍ଷ ଆଉ ଏକ କଲେଜେରେ ପ୍ରଫେସର କାମ କରି ଫେରିଥିଲି ପୁଣି ପୁରୁଣା ଜାଗାକୁ | ବେକରେ ନାଁ ପଟାକୁ ଟିକେ ସିଧା କରି କହିଲି – ମୁଁ ପ୍ରଫେସର ବାୟୋକେମିଷ୍ଟ୍ରିର I ସେମାନେ ବ୍ୟସ୍ତ ହୋଇ କହିଲେ-“ହଁ ଯେ, ହେଲେ କେବଳ କାର୍ ହିଁ ରହିବ |”
ଦେଖିଲି ଅଲ୍ପ ବାଇକ ମଧ୍ୟ ଅଛି I ବାକି ସବୁ କିନ୍ତୁ ସର୍ପ-ବେଷ୍ଟିତ ଜଷ୍ଟିଧାରୀ ଷ୍ଟିକର ଲଗା କାର୍ ସବୁ |
ମୁଁ କହିଲି -“ହଉ ଆଜିକ ରଖି ଦେଉଛି | କାଲିଠୁ କାର୍ ଧରି ଆସିବି I”
କିନ୍ତୁ ନାଁ … ସେମାନେ ମୋ ସ୍କୁଟିକୁ ସେଠୁ କଢ଼େଇ ବାହାରେ ରଖେଇବା ଯାଏଁ କଣ୍ଟ କଲେ | ବେଶ ଆଜ୍ଞାବହ, କିନ୍ତୁ ବିବେକ, ବୁଦ୍ଧି -ରହିତ I ମନେ ପଡୁଥିଲା ସେ ମର୍କଟ କଥା, ଯିଏ ମାଛି ଆଡେଇବାକୁ ଯାଇ ଖଣ୍ଡାରେ ରାଜାଙ୍କ ନାକ କାଟି ଦେଇଥିଲା I
ମନେ ମନେ ଭାବିଲି -” ଇଲୋ ମା’! ମୁଁ ତ ଭାବୁଥିଲି ମନେ ମନେ ସାଇକେଲରେ ଯିବା ଆସିବା କରିବି ବୋଲି I ମୋ ସାଇକଲ କୁ ବୋଧେ ରାସ୍ତା ଆରକଡ ପଇଡ ଦୋକାନ ପାଖେ ରଖିବାକୁ କହିବେ ଏମାନେ I
“ହଉ ବେଟା … ତୋ କଥା ରହିବ | ପରିବେଶ ଚୁଲିକି ଯାଉ, ଟ୍ରାଫିକ ଜାମ ହେଉଥାଉ … କାଲିଠୁ କାର୍ ଧରି ଆସିବି ଆଉ |”
ସତକୁ ସତ କାର୍ ରଖିବାକୁ ସୁବିଧା ମିଳିଲା; ହେଲେ କିଛି ଦିନ ପରେ ପୁଣି ସେଇ ଭିଡ | ପ୍ରଫେସରଙ୍କ ସଂଗେ ବାଦ କରି ଆମ ସ୍ନାତକୋତ୍ତର ଛାତ୍ରଛାତ୍ରୀମାନେ ଡାକ୍ତରଖାନା ଛାଡି କଲେଜେ ପଟେ ପାର୍କିଙ୍ଗ କଲେ | ଦିନେ ଦିନେ କାରକୁ ଧୀର ମନ୍ଥର ଗତିରେ ପୁରା ହତା ଭିତରେ ବୁଲେଇ ବୁଲେଇ ପୁଣି ନେଇ ଖରା ତରାରେ ରାସ୍ତା କଡରେ ଧୂଳି ଖାଇବାକୁ ଛାଡି ଦେଇଆସୁ |
ଖରା ଦିନ ହେଇଥିଲେ କାର ଷ୍ଟାର୍ଟ କଲାବେଳକୁ ନା ଷ୍ଟିଅରିଂ ଉପରେ ହାତ ଥାପି ହେଉଥିବ ନା ସିଟ୍ ରେ ଆସ୍ଥାନ ଜମେଇ ହେଉଥିବ !

ଲୋକେ ସବୁଦିନ ସରକାରଙ୍କୁ ଭର୍ତ୍ସନା କରନ୍ତି –ଆଃ ! ସରକାର ଏତେ ଟିକସ ନଦିଦେଲେ, ଆଳୁ କିଲୋ ଏତିକି, ସୁନା ଦର ସେତିକି … କି “ଅଚ୍ଛେ ଦିନ୍” ଆସିଲା ହୋ !

ଆଉ ଏପଟେ ପ୍ରତିଦିନ ନୂଆ ନୂଆ କାର୍ ଅଧିକରୁ ଅଧିକ ଦାମର -ଆମ ପର୍କିଙ୍ଗ ଜାଗାରେ ଦେଖିବାକୁ ମିଳୁଥାଏ |କୁଆଡୁ ଆସେ ଏତେ ପଇସା ଲୋକଙ୍କ ପାଖେ! “ଅଚ୍ଛେ ଦିନ୍”… ମିଛ ନୁହେଁ ତେବେ |

ପ୍ରତିଦିନ ହତା ବାହାରେ ବ୍ୟାଙ୍କ କର୍ମଚାରୀ ,ସାଧାରଣ ଜନତା ଓ ରୋଗୀ ମାନଙ୍କ ଗାଡି ସହ ଆମର ରୀତିମତ ପ୍ରତିଯୋଗିତା .. ଆଉ ହତା ଭିତରେ ଏଥର ସ୍ନାତକ ଛାତ୍ରଛାତ୍ରୀଙ୍କ (MBBS) ସହ ବି | ଗାଡି ପାର୍କିଂ ପାଇଁ ଥାନ ଖୋଜିଲା ବେଳକୁ କିଏ କାହା ମୁଁହକୁ ଅନାନ୍ତିନି | କାର ଥୋଇ ସାରିଲା ପରେ ହିଁ ସମ୍ଭାଷଣ |

ଏଥର ଆଖେଇଲୁ ଡାକ୍ତରଖାନା ହତା ଭିତରେ ଥିବା ନୂଆ ପାର୍କିଙ୍ଗ ପଡିଆ l ଆଃ ! ଟିକିଏ ଶାନ୍ତି ଯେଉଁ ଦିନ ମୋର ଡାକ୍ତରଖାନା ପଟେ ଆମ ବାୟୋକେମିଷ୍ଟ୍ରି ଲ୍ୟାବରେ ଡ଼ିଉଟି ପଡିଥିବ | ହେଲେ ସେ ଶାନ୍ତି ମଧ୍ୟ କ୍ଷଣିକ l ରୋଗୀ ବଢିଲେ l ଭୋଗ ବଢୁଛି ଯେତେବେଳେ, ରୋଗ ନ ବଢିବ କିଆଁ ! ପାହୁଲେ ବାଟ ଚାଲିବାକୁ ଆଉ କାହାର ଇଚ୍ଛା ନାହିଁ l ବଡ ବଡ ଚାରି ଚକିଆ ଧାରୀ ମାନେ ମଧ୍ୟ କେଉଁଠୁ କେଜାଣି ସ୍ୱାସ୍ଥ୍ୟ କାର୍ଡ ଧରିକି ଆସି ହାସ୍ପାତାଳରେ ମାଗଣା ଚିକିତ୍ସା କରେଇବାକୁ ତିଆର I ଦିନେ ଦିନେ ଶୀଘ୍ର ଲ୍ୟାବରେ ପହଂଚି କାମ ଆରମ୍ଭ କରିବାକୁ ଚିନ୍ତାରେ ପହଁଚିଲା ବେଳକୁ ଗାଡି ଥୋଇବା ପାଇଁ ପୂରା ବେଢା ବୁଲିଯାଇ ଶେଷରେ ଅଧା କିଲୋମିଟର ଦୂରରେ କେଉଁଠି ଗାଡ଼ିକି ଗେଞ୍ଜି କରି ଥୋଇ ଆସିବାକୁ ପଡେ I
କିଛି ଦିନ ପରେ ଖବର ପାଇଲୁ ନୂଆ କୋଠା ତଳେ ଭୂତଳ ପାର୍କିଂ | ଓହୋଃ ! ଛାଇ ସହ ଟିକିଏ ଶାନ୍ତିରେ ପାର୍କିଂ ମିଳିବ ପରା ! ହେଲେ ସେଠି ବି ନିରାଶ ! ଏ ମା ! ଇଏ ତ “ମୌତ କା କୁଆଁ” ! ଯେଉଁ ବାଟେ ଗୋଲ ଗୋଲ ତିନି ଚକ୍କର କାଟି ତଳକୁ ଯିବ , ସେଇବାଟେ ଗାଡି ପୁଣି ଉପରକୁ ଉଠିବ | ପରେ ପୁଣି ତା ପାଇଁ ବି ପାଉଣା ଆଦାୟ ହେଲା | ଯାହାର ପାରଙ୍ଗମ ଡ୍ରାଇଭର ଥିବ, ସେଇମାନେ ହୁଏତ ରଖୁଥିବେ ପରା ! ମୋତେ ତ ସିକ୍କିମ, ଲଦାଖର ପାହାଡି ରାସ୍ତା ସବୁ ମନେ ପଡିଗଲା |

ଏଥର କତ୍ତୃପକ୍ଷଙ୍କ ମୁଣ୍ଡକୁ ଚଢିଲା ‘ସବୁଜ ହତା’ -ସମସ୍ତଙ୍କ ଗାଡି ଏଥର ବାହାରେ ରହିବ |
ହତା କାନ୍ଥକୁ ଲାଗି ଯେତକ ଜାଗା , ସେଥିରେ କାର୍ ରଖାଗଲା ଏଥର | ସେଠୁ ବଳିଲେ ରାସ୍ତା ସେପଟେ ଖରାରେ ___Beggars can’t be choosers’
ଯେଉଁଦିନ କ୍ଲାସ ପାଇଁ ସମୟ ହୋଇ ଯାଉଥିବ, ଆଉ ପାର୍କିଂ ଜାଗାଟେ ଦିଶିଯିବ ସେତେବେଳେ ଭାଳି ହେଉଥିବି – ଗାଡି ଆଗ ରଖିବି ନା ଲାପଟପ ଆଦି ରଖି ଆସି ତା’ପରେ ଥୋଇବି | ପ୍ରଥମଟି ନିରାପଦ | ପଛକେ ଶାଢ଼ୀ ସମ୍ଭାଳି ଗୋଟିଏ କାନ୍ଧରେ ଲାପଟପ ଆର କାନ୍ଧରେ କାଖ-ଛୁଆ ଓଜନର ଭ୍ୟାନିଟି ବୋଝ ସମ୍ଭାଳି ଚାଲିଯିବି କଷ୍ଟେ ମଷ୍ଟେ ! ଏତିକି ଦ୍ଵିଧାର ଫାଇଦା ନେଇ, ହେଇଟି ଲୋ ମା’ ! ଅଟୋ ବାଲା ଆସି ରଖିବାକୁ ବସିଲାଣି ସେ ଥାନରେ | କର୍ଣ୍ଣଫଟା ହର୍ଣ୍ଣ ଦେଇ କଟମଟ ଚାହାଣି ଦେଇ ଶେଷରେ ସେ ଦିନ ଯୁଦ୍ଧରେ ଜିଣିଲି l

ନା ନା, ଦିନେ ଦିନେ ବେଶ ମଜାରେ ବି ଛାଇ ତଳେ ଗାଡି ରଖିବା ସୁବିଧା ମିଳିଛି , ଯେଉଁଦିନ ବେଶୀ ଆଗୁଆ ଆସି ଗାଡି ରଖିଥିବି | ହେଲେ ଗାଡି ବାହାର କରିବା ସେଦିନ କାଠିକର ପାଠ ହୋଇଯାଏ | କାରଣ ଆମ ପ୍ରିୟ ଛାତ୍ରଛାତ୍ରୀ ,ବ୍ୟାଙ୍କକୁ ଆସିଥିବା କର୍ମଚାରୀ ,ଅନ୍ୟାନ ଶିକ୍ଷାୟତନର କର୍ମଚାରୀ ନିଜ ନିଜ ଦୁଇଚକିଆ ଯାନଗୁଡିକୁ ଦୁଇ ପାଖରେ ଅତି ଯତ୍ନରେ ଖଞ୍ଜି ଦେଇ ଯାଇଥିବେ |
ନିଜ ଅଣ୍ଟାକୁ ବଞ୍ଚାଇ, କେତେବେଳେ କାହାଠୁ ସାହାଯ୍ୟ ନେଇ ବହୁତ କଷ୍ଟରେ ସେ ସବୁ ହଟାଇ କାର୍ ଟି ବାହାର କଲା ବେଳକୁ ପୁରା ଗଳଦ୍ଘର୍ମ l ପ୍ରତିଦିନ ନୂଆ ନୂଆ ପ୍ରକାରର ଡ୍ରାଇଭିଙ୍ଗ ଟେଷ୍ଟ !

ପ୍ରଭୁଙ୍କ ଦୟାରୁ ଆଜି ଯାଏ ମାତ୍ର ଦୁଇ ଥର ମୋ କାର୍ ଟି ଦୁର୍ଘଟଣା ଗ୍ରସ୍ତ ହୋଇଛି | ସେ ବି ଅନ୍ୟମାନଙ୍କ ଦୋଷରୁ | ବାକି ଯାହା ସବୁ ରାଞ୍ଚୁଡା ଆମ୍ପୁଡା ଦାଗ, ସେ ସବୁ ଏଇ ଦୁଇ ଚକିଆ ଯାନ ଗୁଡିକର ଗେଲରୁ |

ଭାବୁଥିବେ ମ୍ୟାଡ଼ାମ ମୂର୍ଖ ନ ହେଲେ ବି କଂଜୁସ – ଡ୍ରାଇଭର ରଖୁ ନାହାନ୍ତି କାହିଁକି ଯେ ! ରଖା ହେଲା , ହେଲେ ମୋ କାର୍ ଜୀବନ ଧନର ଏମିତି ଅବସ୍ଥା କଲେ ଯେ , ଆଉ ସମ୍ଭାଳି ନପାରି ପୂର୍ବବତ ନିଜେ ଚାଳନାର ଦାୟିତ୍ୱ ନେଲି | ଜାଣିବାକୁ ଚାହିଁବେ କଣ ହେଲା ? ଦୁଇ ଜଣ ପେଟ୍ରୋଲ ଚୋରି କଲେ , ଆଉ ଜଣେ ମଝିରେ ମୋ ଗାଡି ନେଇ ମନ ଫୁର୍ତ୍ତି କରି ବୁଲାବୁଲି କରି ପେଟ୍ରୋଲ ପୋଡିଲେ |
ମଝିରେ ମଝିରେ ବିନା ମେଘେ ବଜ୍ରପାତ ପରି ହଠାତ ଚିରାଚରିତ ଗାଡି ରଖା ଜାଗାରେ ଦୌଡ଼ି ବନ୍ଧା ହୋଇ ସାରିଥିବ | ନହେଲେ “ନୋ ପାର୍କିଙ୍ଗ” ସାଇନ ବୋର୍ଡ ଥୁଆ ହୋଇଯାଇଥିବ |
ବିଲେଇ ତା’ ଛୁଆକୁ ସାତ ଜାଗା କରେ ଆଉ ମୁଁ ୧୪ ଜାଗା କଲା ପରେ ଅଧ କିଲୋମିଟର ଦୂରରେ କେଉଁଠି ମୋ ଗଳାମାଳିକୁ ଖରା ତାତି ଆଉ ଧୂଳି ମଳି ଖାଇବାକୁ ଛାଡି ଆସେ | କେବଳ ସେତିକି ନୁହେଁ , ରାସ୍ତା କଡରେ ଗାଡି ଥୋଇଲେ କାଳେ ଟ୍ରାଫିକ ପୋଲିସ ଆସି ଉଠେଇ ନେଇ ପଳାଉଛି ବୋଲି ଡରାଣ ମଧ୍ୟ ମିଳେ |

୨୦୨୫
———
ଏଥର ପ୍ରତିଯୋଗିତା ତୀବ୍ରତର ହୁଅନ୍ତେ ନୂଆ ଦୁଇ ଚକିଆ ଖଣ୍ଡେ କିଣାହେଲା | ଭାବିଲି ଏଥର ଦୁଃଖ ଗଲା | ହେଲେ ସେତକ ମଧ୍ୟ କିଛି ସୁଖଦ ନଥିଲା | ଦୁଇ ଚକିଆ ଗାଡି ଖଣ୍ଡକ ମଧ୍ୟ ଏଠି ସେଠି ଥାନ ଦେଖି କାହିଁ କେତେ ଦୂରେ ଥୋଇ ଆସିବାକୁ ପଡିଲା |
ଦିନେ ଅତି ଉତକ୍ରାନ୍ତ ଲାଗିଲା ଯେବେ ରାସ୍ତା କଡର ସେ ଜାଗାରେ ଦହିବରା ଆଳୁଦମ ମଉସା ଆସି କବ୍ଜା କଲେ |
“କିହୋ ! ତୁମେ ତ ରାସ୍ତା ସେକଡେ ଠିଆ ହେଉଥିଲ, ଆଜି ଏ ପଟେ କିଆଁ ? ଠିଆ ଯଦି ହେଲ, କାର ରଖିବା ଜାଗା ଟିକକ ଛାଡି ଠିଆ ହଉନ ?”
ମଉସା ଶୁଣି ନ ଶୁଣିଲା ପରି ମୁହଁ ବୁଲେଇ ପାନ ଚାକୁଳେଇ ଚାକୁଳେଇ ସେଇଠି ହିଁ ଠିଆ ହୋଇ ରହିଲେ | ମୁଁ ଟିକିଏ ବାଗେଇ ମୋ କାରକୁ ଆଗରେ ଥୋଇଲା ବେଳକୁ ପଛରୁ କାହାର ଆବାଜ ଆସିଲା – “ମେମ, ୟହାଁ ମତ ରଖିଏ , ୟହାଁ ମେରା ଫାଲୁଦା-କୁଲଫି କା ଠେଲା ଲଗତା ହୈ |”
ଲୋକଟି କିନ୍ତୁ ଦହିବରା ଆଳୁଦମ ମଉସାଙ୍କ ଠୁଁ ଭିନ୍ନ ଥିଲା | ତା ନେହୁରା ଦେଖି ପୁନଶ୍ଚ ଗାଡିକୁ ଆଗପଛ କରି ବାଗେଇ ଥୋଇଲି , ହେଲେ ସେ କେତେ ପ୍ରସନ୍ନ ହେଲା ଜାଣି ପାରିଲି ନାହିଁ |

ଭାବିଲି ଏତେ ନାହିଁ , ସେତେ ନାହିଁ , ଏଥର ଭଡା ଗାଡ଼ିରେ ଆସିବି |
ଓଲା……ଉବର ……ଓଡିଶା ଯାତ୍ରୀ ….ସବୁ ଆପ୍ପ ଦେଖି ନେଲି |
ହା ହନ୍ତ! ଅଫିସ ଟାଇମର ଟ୍ରାଫିକ ଜାମକୁ ଟପିଲେ ତ ମୋ ପାଖେ ଟାକ୍ସି ପହଂଚିବ!

ଏଥର ପ୍ରଫେସର ହେବାର ଅହଂ, ଧନ ଥାଉ ନ ଥାଉ ଧନୀ ବୋଲି ଦେଖେଇ ଦେବାର ବଡ଼ିମାକୁ ଗଣ୍ଠିଲି ମାରି ଥୋଇ ଜଣେ ଅଟୋ ବାଲାଙ୍କୁ ଲାଗୁଆ କଲି | ଏବେ ମୁଁ ‘ Auto – Regulated ‘ – ମାନେ ମୁଁ ଅଟୋ ବାଲାର ସମୟକୁ ନେଇ ଚାଳିତ | ଟାକ୍ସିଠୁଁ ଯଥେଷ୍ଟ ଭଲ | ଭିଡ କାଟି ଗଳି କନ୍ଦି ଭିତରେ ପୁରେଇ ଆଣି ମୋତେ ସମୟରେ ଅନ୍ତତଃ ପହଞ୍ଚେଇ ଦଉଛି | ପଏଣ୍ଟ to ପଏଣ୍ଟ drop ଆଉ ପିକ ଅପ | ମୋତେ ଠିକ ଅଫିସରୁ ବାହାରିଲା ବେଳକୁ ଯେଉଁ ଟିକିଏ ଅଧିକ କାମ ମଡ଼ାଏ , ସେ ଅଭ୍ୟାସଟି ମଧ୍ୟ ଭାଙ୍ଗିଲା |
ଜୀବନ ଆରମ୍ଭ ହୋଇଥିଲା ବାଇ ସାଇକେଲରୁ | ଉନ୍ନୀତ ହେଲା ଦୁଇ ଚକିଆ ଯାନକୁ , ବଡ ସହରରେ ପାଠ ପଢିଲା ବେଳକୁ ଅଟୋ ଟ୍ୟାକ୍ସି | ପରେ କାର୍ | ଖଡ଼ା- ବଡ଼ି -ଥୋଡ, ଥୋଡ – ବଡ଼ି -ଖଡ଼ା | ଏବେ କାର ଛାଡି ଅଟୋ , କେବେ କେବେ ଦୁଇ ଚକିଆ ବାଇକ | ଈଶ୍ୱର ଅଣ୍ଟାକୁ ସଳଖେଇ ରଖିଲେ ପୁଣି ସାଇକେଲକୁ ଓହ୍ଲେଇବି | ଏ ମଝିରେ ଭାବୁଛି ବ୍ୟାଟେରୀ ଚାଳିତ ଠିଆ ସାଇକେଲ ଟିଏ ଆଣିଲେ କେମିତି ହୁଅନ୍ତା ! କେଜାଣି ମୋ ସାଇକେଲ ଚଲା ସମାଜ ଉପରେ କିଛି ପ୍ରଭାବ ପକାନ୍ତା ପରା!
ଆମେ ଧୂଳି ଓ ଖରାତାତିକୁ ଡରି ସିନା ଏ ଯାନବାହାନ ଧରୁଛେ | ହେଲେ ଯଦି ଆମ ରାସ୍ତା ସବୁ ସାଇକେଲ ରେ ଭରି ଯାଆନ୍ତା ତେବେ ଏ ଧୂଳି ଉଡ଼ନ୍ତା ହିଁ ନାହିଁ | ଯାନବାହାନ ଧୂଆଁ ଓ AC ଚାଳିତ ଯାନ ଯୋଗୁଁ ପରିବେଶରେ ତାତି ବହୁତ ବଢି ଯାଇଛି , ତା’ ମଧ୍ୟ କମି ଯାଆନ୍ତା |

ଯେତିକି ନଭଶ୍ଚୁମ୍ବୀ ଅଟ୍ଟାଳିକା ସବୁ ଗଢି ଉଠୁଛି , ସେଥିରେ ଯେଉଁ ହଜାର ହଜାର ପରିବାର ରହିବେ ଅବା କର୍ମଚାରୀ କାମ କରିବେ ସେମାନଙ୍କର ଯାନବାହନର ବୋଝ ସମ୍ଭାଳିବାକୁ ଆମ ବର୍ତ୍ତମାନର ରାସ୍ତା ସମର୍ଥ କି ନାହିଁ ? ସେ ବିଷୟରେ ଟାଉନ ପ୍ଲାନିଂ ଅଫିସ୍ ରେ ଚର୍ଚ୍ଚା ହୁଏ କି ନାହିଁ ? ନା, କେବଳ ଜାତିର ପିତାଙ୍କ ମୁଣ୍ଡ ଛପା କାଗଜ ବିଷୟରେ ହିଁ ଚର୍ଚ୍ଚା ହୁଏ ?
କାର ପୁଲ୍ ଆପ୍ପ ଚାଲୁ ହେଲେ ମଧ୍ୟ କିଛିଟା ବୋଝ କମନ୍ତା ପରା ! ଜଣେ ଜଣେ ବ୍ୟକ୍ତି ଗୋଟିଏ ଗୋଟିଏ ବିରାଟ ଗାଡ଼ିରେ ଏକା ଯାଉଥିଲେ ଏ ଆପ୍ପ ମାଧ୍ୟମରେ ବାଟରୁ ୩ ଜଣ ଲୋକଙ୍କୁ ଉଠେଇ ନିଅନ୍ତେ, ଯଦି ସେମାନଙ୍କ ଗନ୍ତବ୍ୟ ମଧ୍ୟ ଏକା ଦିଗରେ ଥାଏ – ସେଥିରୁ ଇଚ୍ଛା ହେଲେ ଭଡ଼ା ନିଅନ୍ତେ ଅବା ନ ନିଅନ୍ତେ |
କିମ୍ବା ଆମ ବୈଜ୍ଞାନିକ ମାନେ ଯଦି ଏମିତି ଚାରିଚକିଆ ବାହାର କରନ୍ତେ ଯାହା ଆବଶ୍ୟକ ସ୍ଥଳେ ଦୁଇ ଚକିଆ ହୋଇ ପାରନ୍ତା ତେବେ ମଧ୍ୟ ଟ୍ରାଫିକ ଜାମ ଏବଂ ପାର୍କିଙ୍ଗ ଅସୁବିଧାର ସମାଧାନ ହୋଇ ପାରନ୍ତା |
ପ୍ରତି କର୍ମଚାରୀ ନିଜ କାର୍ଯ୍ୟାଳୟର ୩ କିମି ପରିଧିରେ ରହନ୍ତେ , ତେବେ ମଧ୍ୟ ଅନେକଟା ସମସ୍ୟାର ସମାଧାନ ହୋଇ ପାରନ୍ତା ପରା | ମାତ୍ର ୧୫ ବର୍ଷ ଭିତରେ ଏ ସହରର ଟ୍ରାଫିକ ଜାମ ଓ ପାର୍କିଙ୍ଗ ସମସ୍ୟା ଦେଖି ମନରେ ପ୍ରଶ୍ନ ଉଠେ , କେବଳ ବହୁତଳ ପାର୍କିଙ୍ଗ ବ୍ୟବସ୍ଥା ଏହାର ସମାଧାନ ନା ଏହାର ମୂଳ କାରଣ ଖୋଜି ଗଛ ମୂଳରେ ପାଣି ଦେଇ ସମସ୍ୟାର ସମୂଳେ ସମାଧାନ କରିବା ?
ଆପଣ ମାନଙ୍କର ମତାମତ ଅପେକ୍ଷାରେ ରହିଲି |

ବି.ଦ୍ର. ଏଠି ମୁଁ କେବଳ ମୁଁ ନୁହେଁ, ଏହା ଆମ ସମସ୍ତଙ୍କର କାହାଣୀ l ମାର୍କେଟ କଂପ୍ଲେକ୍ସ, ହାସପାତାଳ, ଅଫିସ, ହାଟ, ବସଷ୍ଟାଣ୍ଡ, ପିକନିକ ସ୍ପଟ …ସବୁଆଡର ଏ ସମଦଶା ଅନୁଧ୍ୟାନ କଲା ପରେ ଏ ଆଲେଖ୍ୟ I

= ଶୁଭମସ୍ତୁ =

Leave a Reply

Your email address will not be published. Required fields are marked *