ଏକ ରକ୍ତାକ୍ତ ସୂର୍ଯ୍ୟାସ୍ତର ଦୃଶ୍ୟ

ଆଉ ଏକ ଆତ୍ମାହୁତି
June 21, 2022
ବିକ୍ରୀ
June 22, 2022

ଡଃ ବିୟତପ୍ରଜ୍ଞା ଆଚାର୍ଯ୍ୟ

ମୁଁ ଦେଖୁଛି – ସେଇ ଯେ ଦୂର ଦିଗବଳୟରେ ପାହାଡଟାଏ ମୁଣ୍ଡ ଟେକି ଛିଡା ହୋଇଛି | ସୂର୍ଯ୍ୟଙ୍କର ଶେଷାବସ୍ଥା | ମୁହଁ ଟା ଉଜ୍ଜଳ ଦେଖା ଯାଉଛି ତପ୍ତ ସୁବର୍ଣ୍ଣପରି | ହେଇ… ସେଠି ସୂର୍ଯ୍ୟଙ୍କ ଶରୀର ପାହାଡ ଧାରକୁ ଛୁଇଁ ଯାଉଛି | ଆରେ , ଏ କଣ! ପାହାଡର କଠୋର ପାର୍ଶ୍ୱରେ ଆଘାତ ପାଇ ସୂର୍ଯ୍ୟ ଯେ ରକ୍ତାକ୍ତ ହୋଇ ଉଠିଲେଣି | ଇସ…. ସୂର୍ଯ୍ୟଙ୍କ ଦେହରୁ ମେଞ୍ଚା ମେଞ୍ଚା ରକ୍ତ ଝରି ପଡୁଛି | ମିଳେଇ ଯାଉଛନ୍ତି ସୂର୍ଯ୍ୟଦେବ ଅନ୍ଧକାରରେ | ଧୀରେ ଧୀରେ ତରଳି ଯାଇ ପାହାଡ ପଛରେ ଖସି ପଡୁଛନ୍ତି | ଆକାଶଟା ସୂର୍ଯ୍ୟଙ୍କ ରକ୍ତଛିଟାରେ ଲାଲ ହୋଇ ଉଠିଲାଣି | ନା….. ଆଉ କିଛି ଦେଖାଯାଉନି | ଚାରିଆଡେ ଅନ୍ଧାର ଘୋଟି ଗଲାଣି |
XXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXX

କତରାଲୁଗା ମାଇକିନିଆଟାଶେଯରେ ପଡି ଖୁଁ ଖୁଁ ହୋଇ କାଶୁଛି | ତା ‘ ନା ଟା କଣ କି ? ହଁ, “ପୁନି ମା’”| ତା ଝିଅର ପରିଚୟ ଅନୁସାରେ ତା ‘ ନିଜ ପରିଚୟ | ସେ ଏବେ କେବଳ ମା’ | ଏ ପରିଚୟଟା ଏବେ ବୋଧେ ହଜିଗଲଣି | ଚାରି ଦିନ ହେଲା ପୁନି ଗାଈ ଚରେଇ ଯାଇଛି ତ ଯାଇଛି | ଆଉ କିଛି ମନେ ପଡୁନି | ହଁ ମନେ ପଡିଲା | ଝିଅର ରକ୍ତାକ୍ତ ଶରୀରଟାକୁ ଆଣି କେହି ରଖି ଦେଇଯାଇଥିଲା | କେଉଁ ଦୁଇ ଗୋଡିଆ ଜନ୍ତୁର ଶିକାର ହୋଇଯାଇଥିଲା | ନା…… ଆଉ କିଛି ତା’ ପରେ ମନେ ନାହିଁ | ତାକୁ ଶୋଷ ଲାଗୁଛି | ଦେହରେ ଆଉ ବଳ ନାହିଁ | ଚାରିଆଡ଼କୁ ଆଖି ପକାଇଲା| କେହି କେଉଁଠି ନାହିଁ | ଆଉ କିଛି ଦେଖା ଯାଉନି | ଧୀରେ ଧୀରେ ଆଖି ମୁଦିଲା| କେମିତି ଏକ ଚିରପ୍ରଶାନ୍ତିର ଭାବ ମୁହଁରେ ଖେଳିଗଲା | କେଉଁ ଏକ ସମାଜର ନିଭୃତ କୋଣରେ ଗୋଟିଏ ଜୀବନ ଦୀପ ନିର୍ବାପିତ ହେଲା | ନା ………ଏ ବିଷୟରେ କେହି ଜାଣିଲେ ନାହିଁ | କେବଳ ଜାଣିଲି ମୁଁ | ଏକ ଅଲୋଡ଼ା ଅଖୋଜା ଜୀବନରେ ସୂର୍ଯ୍ୟାସ୍ତ ହୋଇଗଲା |

କିଛି ଅବ୍ୟକ୍ତ, ଅବଦମିତ ବ୍ୟଥା …”ହା ଅନ୍ନ”ର ଆର୍ତ୍ତନାଦକୁ ସମ୍ଭାଳୁ ସମ୍ଭାଳୁ ଏମିତି କେତେ କଳିକା ଅନ୍ଧାରି କୋଣରେ ନିଶ୍ଚିହ୍ନ ହୁଅନ୍ତି ….

Leave a Reply

Your email address will not be published. Required fields are marked *