ଜଣେ ହ୍ଵାଟ୍ସଆପ ଗ୍ରୁପରେ ପଚାରିଲେ, “ଆଚ୍ଛା, କିଛି ହାଲୁକା ଫୁଲୁକା ସିନେମାର ନା ଦେଲ, ଦେଖିବି I” ଏକା ସାଙ୍ଗେ ମୁଁ ଓ ଆଉ ଜଣେ, ଦକ୍ଷିଣ ଭାରତର ତିନୋଟି ସିନେମା ନାଁ କହିଲୁ I
ସେ ପଚାରିଲେ -“ହିନ୍ଦୀ ସିନେମା କିଛି ନାହିଁ କି ?” ମୁଁ ଉତ୍ତର ଦେଲି -“କଣ ଦେଖିବୁ ସେଠି ? କୋଉ ହିରୋଇନ କେତେ ନଗ୍ନ ହୋଇପାରେ, ତାର ପ୍ରତିଯୋଗିତା ଲାଗିଛି ସେଠି I ଦେଖିବୁ ମଦ ପିଆ, ଡ୍ରଗସ ଶୋଷଡା, ନଗ୍ନ ନୃତ୍ୟ ଆଉ ସମଲିଙ୍ଗୀ ସମ୍ପର୍କ …ଆଉ ଗଣ୍ଡେ ମା’ ଭଉଣୀ ଗାଳି l”
ଆବଶ୍ୟକ ଥାଉ ଅବା ନ ଥାଉ, ଭିଡି ଓଟାରି ଏତିକି ପୂରେଇ ଦିଆ ଯାଉଛି I
ଫଳାଫଳ ? ଆମ ଛୁଏ ଏ ସବୁକୁ ଅତି ସାଧାରଣ ବୋଲି ଭାବି ନେଲେଣି ଆଉ ସତସତିକା ନିଜ ଜୀବନରେ ଆଦରି ନେବାକୁ ମଧ୍ୟ ଉତ୍କଣ୍ଠିତ I ଅପର ପକ୍ଷରେ ଦକ୍ଷିଣ ଭାରତ ସିନେମାରେ ସେଇ ପୂର୍ବ ଧାରାନୁଯାୟୀ ପୋଷାକରେ ଶାଳୀନତା, ସଂଭୋଗର ଦୃଶ୍ୟକୁ ସେମିତି ଆଗ ଭଳି ଉହ୍ୟ ରଖି ଚତୁରତାର ସହ ଶାଳୀନତା ରକ୍ଷା କରି କାହାଣୀକୁ ଆଗେଇ ନେଉଛନ୍ତି I ଲିଭ-ଇନ, ସମଲିଙ୍ଗୀ ସମ୍ପର୍କକୁ ଯଥା ପର୍ଯ୍ୟନ୍ତ ଦୂରେଇ ରଖୁଛନ୍ତି ଅବା ଭାରତୀୟ ଚିନ୍ତାଧାରାରେ ତାହାର ଖଣ୍ଡନ କରୁଛନ୍ତି I
ସତରେ କଣ କଳାକାରୀ ଏ ସବୁ ବିହୁନେ ପଙ୍ଗୁ ? ନିହାତି ଦରକାର ଏ ସବୁ ? ଦିନେ ଯାହା ମନରେ ସ୍ବପ୍ନ ବୁଣୁଥିଲା, ଏବେ ପାଶବିକ ଚିନ୍ତାଧାରା ବୁଣି ଚାଲିଛି I
କାଳେ କାଳେ ବଲିଉଡ଼ ଆମ ଭାରତୀୟ ସମାଜ ଓ ସଂସ୍କୃତିକୁ ବିବିଧ ଭାବେ ପ୍ରଭାବିତ କରେ, କିଛି ଭଲ, କିଛି ମନ୍ଦ I ଏବେ ବୈଦ୍ୟୁତିକ ଗଣ ମାଧ୍ୟମର ସ୍ୱଚ୍ଛନ୍ଦତା ଯୋଗୁଁ ଏ ପ୍ରଭାବ ଆହୁରି ବଳଶାଳୀ ହୋଇ ଚାଲିଛି, ପେଣ୍ଡୁଲମ ଅପର ଦିଗକୁ ଦୋଳି ଚାଲିଛି I ଏଥର ସାଧାରଣ ଜନତା ଯଦି ଭାବୁଛନ୍ତି ଯେ, ଏ ଗଣ ମାଧ୍ୟମ ସବୁ ସୀମା ଲଙ୍ଘି ଚାଲିଛନ୍ତି, ତେବେ ଏକ ସେନସର ବୋର୍ଡ ଓ କିଛି ନୂତନ ରଣନୀତି, ନିୟମ ଅଣାନ୍ତୁ, ଯଦ୍ଦ୍ଵାରା ଆମର ଗୌରବଶାଳୀ ଭାରତୀୟ ସଂସ୍କୃତି, ପରମ୍ପରା ଆଦି ଅକ୍ଷୁଣ୍ଣ ରହିବ I
xxxxxxxxxxxxxxxxxxxxxxxxxxxxxxxxxxxxxxxxxxx
ଡଃ ବିୟତପ୍ରଜ୍ଞା ଆଚାର୍ଯ୍ୟ I ପ୍ରଫେସର ବାୟୋକେମିଷ୍ଟ୍ରି , କୀମସ
#odiablogger #amasahitya #drvpacharya