ଥରେ ମା’କୁ ପଚାରି ଦେଖ

The cycle of life pain
The cycle of life Pain
April 12, 2022
ମହାମେରୁ
ମହାମେରୁ
April 12, 2022
Dr VP Acharya

ଡଃ ଵିୟତପ୍ରଜ୍ଞା ଆଚାର୍ଯ୍ୟ
ପ୍ରଫେସର ବାୟୋକେମିଷ୍ଟ୍ରି

ଭୋର ବେଳାରେ ଅଳ୍ପ ଅଳ୍ପ କାକର ବର୍ଷୁଥାଏ | ଶରତ ଋତୁର କାଶତଣ୍ଡୀର ସମ୍ଭାରରେ ଆତ୍ମବିସ୍ମୃତ ହୋଇ ମୁହଁ ଅନ୍ଧାରରେ ସାଇକେଲ ପେଡାଲ ମାରି ଭିନ୍ନ ଭିନ୍ନ ମହକରେ ମଜ୍ଜି ଆଗେଇ ଚାଲିଥାଏ | ହଠାତ ଏକ ନାରୀର କାନ୍ଦଣା ସ୍ୱର କାନରେ ବାଜିଲା |

ଅଶରୀରୀ ନା କୌଣସି ନିର୍ଯାତିତା ? କୌଣସି ବୁଭୁକ୍ଷିତା ନୁହେଁ ତ ? ପାଦ ଆପେ ଆପେ ଟାଣି ହୋଇଗଲା ସେ କାନ୍ଦଣା ଦିଗରେ | ଲାଗୁଥାଏ ଯେମିତି କେହି ଗୁମୁରି ଗୁମୁରି କାନ୍ଦୁଛି | ଦୁର୍ଗା ମେଢ଼ ଭିତରୁ ସେ କାନ୍ଦ ଆସୁଥିଲା ପରି ଲାଗୁଥାଏ | ଏଥର କୋଭିଡ କଟକଣା ପାଇଁ ଚାରି ଦିଗରୁ ଘେରା | ମା’ ଙ୍କ ମୂର୍ତ୍ତି ୪ ଫୁଟ ରୁ ଅଧିକ ହେବ ନାହିଁ | ମେଢ଼ ପାଖେ ଭିଡ ହେବ ନାହିଁ , ଗୋଷ୍ଠୀ ଭୋଜିଭାତ ହେବ ନାହିଁ , ଇତ୍ୟାଦି |

ହଁ, ଠିକ ତ, ସେ ମେଢ଼ ର ଘେରା ଭିତରୁ ହିଁ ଶବ୍ଦ ଆସୁଛି | ଗତ ସଂଧ୍ୟାର ଆଳତୀ ସମୟର ଘିଅ , କର୍ପୂର, ଝୁଣାର ବାସ୍ନାରେ ମହକୁଛି | ଯେତିକି ସୁନ୍ଦର ବାସ୍ନା ତାର ବିପରୀତ ଅବସ୍ଥା ଖଣ୍ଡମଣ୍ଡଳରେ | କେଉଁଠି ଖଲି ତା କେଉଁଠି ଦନା , ସୁତୁଲୀ , ଛଡାଫୁଲ , ଯଜ୍ଞର ଅବଶେଷ, ପାହାଚରେ ଧୂଳି ଭର୍ତ୍ତି | ନାଲି କାର୍ପେଟଟା ବାଲି-ଧୂଳିରେ ମାଟିଆ ପୂରାପୂରି | ଟିକିଏ ଦୋ ଦୋ ପାଞ୍ଚ ହେଲି – ସେ ଘେରା ଭିତରକୁ ପଶିବି ନ ନାହିଁ ବୋଲି – ଅଗାଧୁଆ ଯେ !

ଏଥର କାନ୍ଦଟା ବଢି କୋହରେ ପରିଣତ ହେଲା ସେ ନାରୀର | ଚିତ୍କାର କରି ଡାକିଲା ମୋତେ – “ମା ” | ନା ….ମୋ ମନର ଭ୍ରମ ଇଏ | ପଛକୁ ପାଦ ପକାଇ ଫେରି ଆସିଲା ବେଳକୁ ଆଉ ଥରେ ଜୋରରେ ଶୁଭିଲା – ” ମା ” |

” ନା ” ସତରେ କେହି ଅସୁବିଧାରେ ପଡିଛି | ଗୋଟିଏ ଛୋଟ ଲାଇଟ ଭିତରେ ଜଳୁଛି | ଲିଚୁ ଲାଇଟ ବୋଧହୁଏ ଲିଭା ହୋଇ ଯାଇଥିବ ରାତିରେ |
ଆଖି ମେଲା କରି ଧୀରେ ଧୀରେ ଚାରିଆଡେ ନଜର ପହଁରେଇଲି | କାହିଁ କିଏ ଦିଶୁନି ତ ! କାନ୍ଦ ଶବ୍ଦ କୁ ଯେତେବେଳେ କାନେଇଲି ମୋ ଦୃଷ୍ଟିଟା ଉପରକୁ ଉଠି ମା’ଙ୍କ ମୁହଁ ରେ ପଡିଲା |

ଆହା ଏ କି ଅବସ୍ଥା ! ମା ‘ ଙ୍କ ସୁନ୍ଦର ମୁହଁ ଟା କେମିତି ରାମ୍ପୁଡା ଆଞ୍ଚୁଡା ହୋଇ ଯାଇଛି | ଗୋଟିଏ ପଟ ଆଖିରେ ସତେ ଯେମିତି କିଏ ମୁଥଟିଏ ମାରି ଦେଇଛି ଯେ କଳା ଯାମଳା ପଡି ଯାଇଛି | ଆଖିରୁ ଦୁଇଧାର କୁହ ଝରି ଆସୁଛି | ନା ତ – ଇଏ ଲୁହ ନୁହଁ ଲହୁ |

ଆଁ କରି ଅନେଇ ରହିଥାଏ | ଅନ୍ଧାରରେ ଆଖିଟା ସହଜ ହୋଇ ମୂର୍ତ୍ତିଟା ସ୍ପଷ୍ଟ ଦିଶୁଥାଏ ଏବେ | ହେଲେ ଲାଗୁଥାଏ ଯେପରି ମୂର୍ତ୍ତି ନୁହଁ ଏକ ସ୍ତ୍ରୀ ଲୋକର ମୁହଁ | ଥରକୁ ଥର ମୂର୍ତ୍ତି ଓ ମୁହଁ ପରିବର୍ତ୍ତିତ ହେଉଥା’ନ୍ତି |

ବହୁତ କଷ୍ଟରେ ମୋ ତଣ୍ଟିରୁ ଶବ୍ଦ ସ୍ଫୁରିଲା – “ମା’ ଇଏ କଣ ? ଆପଣ ହିଁ ତେବେ ଡାକୁଥିଲେ ?”

ଏଥର ମୂର୍ତ୍ତିର ରୂପଟା କରୁଣ ଦିଶିଲା | ଓଠ ହଲେଇ ମା’ କୌଣସି କଥା କହୁ ନଥିଲେ ମଧ୍ୟ ମୋ କାନରେ ଶବ୍ଦ ସବୁ ବାଜି ଯାଉଥାଏ |
ମା’ କହୁଥାନ୍ତି – “ହଁ, ମୁଁ ହିଁ କାନ୍ଦୁଥିଲି |”

ମୁଁ ପଚାରିଲି – “ମା’ ଆପଣଙ୍କର ପଦ୍ମ ପରି ଏତେ ସୁନ୍ଦର ଆଖି….. କେଉଁ ଚଣ୍ଡାଳ ଏମିତି କଲା ? ଏବେ କୁହନ୍ତୁ, ମୁଁ ତାର ଖବର ନେବି |” ମୋ ଭିତରୁ ଏକ କ୍ରୋଧାଗ୍ନି ନିର୍ଗତ ହେଲାପରି ଲାଗୁଥାଏ |

ମା’ କହିଲେ – ମୋ ପୂଜା ନାଁ ରେ ତୁମ କଲୋନୀର ପ୍ରଦୀପ ମଙ୍ଗରାଜ କେତେ ଯେ ଚାନ୍ଦା ଆଦାୟ କରିଛି | କୋଭିଡ କଟକଣା ପାଇଁ ଖର୍ଚ୍ଚବାର୍ଚ୍ଚ ତ କିଛି ନାହିଁ | ସେ ବଳକା ପଇସାରୁ ମଦ କିଣି ପ୍ରଚୁର ମଦ୍ୟପାନ କରି ସାଙ୍ଗସାଥି ଧରି ମୋରି ମଣ୍ଡପ ପଛରେ ଅନେକ ରାତି ଯାଏଁ ବସି ହଟ୍ଟଗୋଳ କରୁଥିଲା | ପରେ ରାତିରେ ଘରକୁ ଫେରି ନିଜ ସ୍ତ୍ରୀ ମିନତିକୁ କୌଣସି ଏକ ସାଧାରଣ କଥାରେ ଏମିତି ଜୋରରେ ଆଖିକୁ ଘୁସି ଟେ ମାରିଲା ଯେ , ସେ ପ୍ରାଣ ବିକଳରେ ଛଟପଟ ହୋଇ ‘ ମା’ ‘ ବୋଲି ଡାକି ମୁର୍ଚ୍ଛା ଗଲା | ତା’ କଷ୍ଟ ଲାଘବ କରିବାକୁ ମୁଁ ସେ ମାଡ ମୋ ମୃଣ୍ମୟ ଶରୀରକୁ ନେଇ ଆସିଲି |”

ହାଁ କରି ମୁଁ ଅନେଇଥାଏ | ମୋ କ୍ରୋଧ ମିଳେଇ ଯାଇ ଆଖିରୁ ଧାର ଧାର ଲୁହ ବୋହି ଯାଉଥାଏ |

ପୁଣି ପଚାରିଲି , “ଏ ରାଂପୁଡା ଦାଗ ?”
ପୁଣି ଓଠ ନ ହଲି ମା’ ଙ୍କ ମୁହଁ ରୁ ଶବ୍ଦ ବାହାରିଲା – “ଏଇ ଯେ ତୁମ ରୋଡ଼ ଡିଭାଇଡର ଅଛି , ସେଥିରେ ଗଛ ଲଗାଇବାକୁ ଯେଉଁ ତାର ଜାଲି ଲଗା ହୋଇଛି , ତା ଅନେକ ଦିନ ରୁ ରାସ୍ତାକୁ ଢ଼ଳେଇ ହୋଇ ରହିଛି | ଦିନ ବେଳା ତ ଦିଶୁଛି | ହେଲେ କାଲି ରାତିରେ ଗୋଟିଏ ଯୁବକ ବାଇକ ଧରି ବେଧଡକ ଆଗେଇ ଚାଲିଥିଲା | ସେ ଆଉ ଅଳ୍ପକେ ଲୁହାଜାଲିରୁ ବାହାରିଥିବା ଲୁହାଖଣ୍ଡ ରେ ଘଷି ହୋଇଯାଇଥା’ନ୍ତା | ତାକୁ ମୁଁ ଯାଇ ଆଗୋଳି ଧରିଲି | ତାର କପଡା ଅଳ୍ପ ଟିକେ ଫାଡ଼ି ମଧ୍ୟ ଗଲା , ହେଲେ ମୁଁ ବେଶୀ ଭାଗ କ୍ଷତକୁ ନିଜ ଉପରକୁ ନେଇଗଲି , ତେଣୁ ଏ ଆଞ୍ଚୁଡା ଦାଗ |

ମୁଁ ଆଖିରୁ ଲୁହ ପୋଛିଲି | ଅନେକ ସମୟରେ ଏମିତି ସାମାନ୍ୟ ଦୁର୍ଘଟଣାରେ ବ୍ୟଥିତ ହୋଇ ଭଗବାନଙ୍କୁ କେତେ ଗାଳି ଅବା ନ ଦେଇଛି | ହେଲେ ଆଜି ବୁଝିଲି କେତେ ବଡ ଦୁର୍ଘଟଣା ସବୁରୁ ଭଗବାନ ଆମକୁ ପ୍ରକୃତରେ ଘଣ୍ଟ ଘୋଡେଇ ରଖିଥା’ନ୍ତି |

ଏ ତାରଜାଲି ବିଷୟରେ ମୁଁ ମଧ୍ୟ ଭାବିଛି ଅନେକ ବାର | ମୁଁ ଭାବେ ଟ୍ରାଫିକ ପୋଲିସ ଏହାକୁ ସିଧା କରନ୍ତାନି ? ଟ୍ରାଫିକ ପୋଲିସ କହେ ସେଇଟା ବନ ବିଭାଗ କାମ | ଆମେ ନେତାଙ୍କୁ ପୁଚ୍ଛୁ | ନେତାଏ କହନ୍ତି—“କାହିଁକି ? ଲୋକେ ଟିକିଏ ହାତ ନଗେଇଦେଲେ ଉଠି ଯାନ୍ତାନି କି ? ପିଲାଦିନେ ପଢି ନଥିଲେ – ତୁମ ପରି ଛୋଟ ପିଲାଟିଏ….. |”

ଯାଃ ସେମିତି ପଡିଥାଉ | ମୋର କୋଉ ସମୟ ଗୁଡା ବଳି ପଡୁଛି ଯେ , ହୁଁ !

ମା’ ଙ୍କ ଗୋଡ଼ଟା ଟିକେ ହଲିଲା ପରି ଲାଗିଲା |
” ଆରେ! ମା’ ଙ୍କ ଗୋଡ଼ଟା ଏମିତି ଫୁଲି ବଙ୍କେଇ ଯାଇଛି !”
ମା’ କହିଲେ – “ତୁମ କଲୋନୀ ଶେଷରେ ଯେଉଁ ବଡ ନଳାଟା ସେଥିର ସ୍ଲାବ ୨ ଟା କେହି ଚୋରେଇ ନେଇ ଖୋଲା ପଡିଛି | ସୁରଭୀର ର ସାନ ପୁଅଟା ସାଇକେଲ ଧରି ନୂଆ ନୂଆ ଚଳେଇ ଯାଉଥିଲା | ସେ ସେହି ନଳା ଭିତରେ ଅଜାଣତରେ ପଡିଗଲା |
ଚିତ୍କାର କଲା – ‘ ମା ‘ , କେମିତି ନ ଯାଇଥା’ନ୍ତି ? ଅତର୍ଚ୍ଛା ସେ ନର୍ଦ୍ଦମା ଭିତରେ ପଶି ଛୁଆକୁ ଉଦ୍ଧାର କଲି | କିଛି ଦୂର ଭାସି ମଧ୍ୟ ଯାଇଥିଲା | ଏତେ କୁନି ଛୁଆଟା ମୋର | କଣ ହାଡଭଙ୍ଗା କଷ୍ଟଟା ନେଇଥା’ନ୍ତା | ମୋ ଉପରକୁ ନେଇ ଆସିଲି ସେ କଷ୍ଟକୁ |

ହଠାତ ବୁଲି ପଡି ମା’ ପିଠି ଦେଖାଇଲେ – ବେତ ମାଡର ଦାଗ | ଦେହଯାକରେ କେତେ କେଉଁଠି କ୍ଷତ ଆଘାତର ଚିହ୍ନ | ମୁଁ ଆଶ୍ଚର୍ଯ୍ୟ ହୋଇ ଅନେଇ ରହିଥାଏ |

ମା’ କହି ଚାଲିଲେ – ” ମୁଁ ଏ ଦଶ ଦିନ ପାଇଁ ଆବାହନ କରାଯାଏ | ଏ ମୃଣ୍ମୟ ଶରୀର ଯୋଗେ ଯେତେ ପାରେ ସାହାଯ୍ୟ କରେ | ମୋ ଆଗରେ ଲୋକେ ପଶୁବଳି ଦେଉଥିଲେ | ମୁଁ କାଳେ ବଳି ନ ପାଇଲେ କ୍ଷୁବ୍ଧ ହୋଇଯିବି !”

“ମୋତେ ବି ଥରେ ପଚାରି ଦେଖ – ମୋତେ କଣ ଲୋଡ଼ା? ଚାନ୍ଦାଭେଦା ଆଦାୟ କରି ମେଢ଼ ସଜେଇ , ପାଟ ପିନ୍ଧେଇ ସୋଲ ଗହଣାରେ ସଜେଇ ବସେଇଲ | ପରେ ଆହୁରି ଚାନ୍ଦା ଜବରଦସ୍ତ ଆଦାୟ କରି ଦାମୀ ପାଟ , ପଥର ବସା ଚାନ୍ଦି ମୁକୁଟ –ଏ ସନ ତ ସୁନା ମୁକୁଟ ପିନ୍ଧେଇଛନ୍ତି |
“ପଚାର ଥରେ ତୁମ ମା ‘ କୁ – କଣ ଦରକାର କରେ ସେ? ସନ୍ତାନମାନେ ଦୁଃଖ କଷ୍ଟରେ ସଢ଼ି , ଭଙ୍ଗା ରାସ୍ତାରେ ଚାଲି ଦୁର୍ଘଟଣାରେ ପଡୁଥିଲା ବେଳେ , କୌଣସି ଉନ୍ନୟନମୂଳକ କାର୍ଯ୍ୟରେ ସେ ଚାନ୍ଦା ବ୍ୟବହାର ନ କରି ଦାମୀ ଦାମୀ ମେଢ଼ କରିବାରେ , ପାଟ ଗହଣା ପିନ୍ଧେଇଲେ କଣ ମା’ ଖୁସି ହୁଏ?”
“ମୋର ମୃଣ୍ମୟ ରୂପକୁ ପୂଜା କରୁଛ ଅଥଚ ମୋରି ଜୀବନ୍ତ ରୂପ ଯାହା ତୁମ ସ୍ତ୍ରୀ କିମ୍ବା ଅନ୍ୟ କୌଣସି ନାରୀ ରୂପରେ ତୁମ ଚାରିପାଖେ ଚଳ ପ୍ରଚଳ, ତା’ ଉପରକୁ ହାତ ଉଠାଉଛ ? ଧର୍ଷଣ ପରି ଜଘନ୍ୟ ପଦକ୍ଷେପ ନେଉଛ ! ଧିକ ମୋ ମା’ ପଣିଆକୁ !”
“ ତନ୍ତ୍ରରେ ଯେଉଁ ପଞ୍ଚ “ମ” କାର ଲେଖା ଯାଇଛି, ମଦ୍ୟ ସେଥିରୁ ଗୋଟିଏ…ତେବେ ତାହା ଖେଚରୀ ମୁଦ୍ରା ଯୋଗୁଁ ଯେଉଁ ଅମୃତ ମସ୍ତିଷ୍କରୁ ଝରେ ତାକୁ ବୁଝାଏ ନା ମଦ୍ୟପାନ କରି ସ୍ତ୍ରୀକୁ ବାଡେଇବା, ପରିବାରକୁ ବୁଡ଼େଇବାକୁ ବୁଝାଏ ??”
” କୋଭିଡ କଟକଣା ନ ହୁଏ, ମୋ ମୂର୍ତ୍ତିର ଉଚ୍ଚତା ତ ବଢି ବଢି ଚାଲିଥିଲା, ଶେଷକୁ କୋଭିଡ ଭୂତାଣୁକୁ ଅସ୍ତ୍ର ରୂପେ ବ୍ୟବହାର କଲି |”
ମୋ ସନ୍ତାନମାନଙ୍କୁ ଅନୁଶାସନ ଶିଖେଇବାକୁ , ନିଜର ସ୍ୱାସ୍ଥ୍ୟର ସୁରକ୍ଷା କରିବା ଶିକ୍ଷା ଦେବାକୁ , ମନ୍ଦିର ମନ୍ଦିର ମୂର୍ତ୍ତିରେ ମତେ ନ ଖୋଜି ନିଜ ହୃଦୟ ଭିତରେ ଖୋଜିବାକୁ , ସେଇଠି ମୋତେ ଆସ୍ଥାନଟିଏ ଦେବାକୁ | ”

ପଚାରିଲି – “ମା’ କଣ କିଛି ସଫଳ ହେଲେ !”

ମା’ଙ୍କ ଅନ୍ତରରୁ ଯେମିତି ଏକ ଦୀର୍ଘଶ୍ୱାସ ବାହାରିଲା | ” ଖୁବ କମ ! ମୃତ୍ୟୁ ଚେତନା ସହ ପରିଚିତ ହୋଇ କିଛିଟା ପରିବର୍ତ୍ତନ ଆସିଲା ବେଳକୁ ଜନ୍ମ ଜନ୍ମାନ୍ତରର ସଂସ୍କାର ପୁଣି ମାଡି ବସୁଛି ଲୋକଙ୍କ ଚେତନାକୁ |ପୁଣି ସେଇ ଅନୁଶାସନହୀନତା , ସ୍ୱାର୍ଥପରତାରେ କବଳିତ ହୋଇ ପଡୁଛନ୍ତି | ଏ ଅସ୍ତ୍ର ବି ସେତେ ସଫଳ ହେଲାନି ବୋଧହୁଏ | ”

ମୁଁ ବି ମା ‘ ଙ୍କ ଦୀର୍ଘଶ୍ୱାସରେ ନିଜ ଦୀର୍ଘନିଃଶ୍ୱାସ ମିଳେଇଲି |
“ଆସୁଛି ମା ‘ | ତେଣେ କେତେ କାମ | ପ୍ରଣାମ |”

ମୋ ସ୍ୱାମୀ ଟିକିଏ ବିରକ୍ତ ହୋଇ ବିଳବିଳଉଥା’ନ୍ତି | “ତୁମର ତ ୪ ଟା ୩୦ ରୁ ଉଠିବା ନିଧାର୍ଯ୍ୟ , ସେ ଆଲାର୍ମଟା ଦେଇ ମୋ ନିଦ କାହିଁ ଭାଙ୍ଗୁଛ ହୋ ?”

ଓଃ ! ତେବେ ସ୍ୱପ୍ନ ଥିଲା ?
xxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxx
କ୍ଲିନିକର ପରଦା ଆଡେଇ ପଶି ଆସିଲା ପ୍ରଦୀପ ମଙ୍ଗରାଜ |
“ମ୍ୟାଡ଼ାମ, ନମସ୍କାର! ମୋ ସ୍ତ୍ରୀ ଟା କାଲି ପଡିଯାଇ ଆଖିରେ ମାଡ ବାଜିଗଲା , ଟିକିଏ ଦେଖିଦେଲେ |”
ମୁଁ କଟମଟ କରି ଅନେଇ ରହିଲି l
ମିନତିକୁ କହିଲି, “ବସ ସେଇଠି, ଦେଖିବା କଣ ହୋଇଛି I”
ମୋ ଆଟେଣ୍ଡାଣ୍ଟ ରାମକୁ ପଚାରିଲି ,”ଦେଖିଲ , ବାହାରେ ଆଉ କେତେ ଜଣ ଅଛନ୍ତି ?”
ରାମ କହିଲା,”ମ୍ୟାଡ଼ାମ, ଆଉ ଦୁଇ ଜଣ l ଆମ କଲୋନୀ ମୁଣ୍ଡର ଜଣେ ମ୍ୟାଡ଼ାମ ଙ୍କ ଛୋଟ ପୁଅର ଗୋଡ ମୋଡ଼ି ହୋଇ ଯାଇଛି l
ଆଉ ଜଣେ ବାବୁ ଆସିଛନ୍ତି, ରୋଡ଼ ଡିଭାଇଡର ତାର ଜାଲିରେ ଘଷି ହୋଇ ବଡ ଖଣ୍ଡିଆଟେ ହେଇ ଯାଇଛି I ଷ୍ଟିଚ ଲାଗିଯିବ ବୋଧେ ….. ”
ଦୀର୍ଘଶ୍ୱାସ ଛାଡି ଚୌକି ରେ ଆଉଜି ବସିଲି l
ଦୂରରୁ ବିସର୍ଜନ ମେଢ଼ର ଡ଼ି . ଜେ ଶବ୍ଦ ଭାସି ଆସୁଥାଏ l

Leave a Reply

Your email address will not be published. Required fields are marked *