ଭାଙ୍ଗ ବ୍ୟାନ
May 29, 2023
ସୁପ୍ତ-ସାଥୀ
June 18, 2023

ଡଃ ବିୟତପ୍ରଜ୍ଞା ଆଚାର୍ଯ୍ୟ
ପ୍ରଫେସର, ବାୟୋକେମିଷ୍ଟ୍ରି
ଦରଜା ନୁହେଁ ଏ
ଅସୁମାରୀ ସ୍ୱପ୍ନର ଶେଷ ସୋପାନର
ସ୍ୱର୍ଣ୍ଣିମ ଆଗମନୀ—
ଜୀବନର ରୌଦ୍ର, ବର୍ଷା, କୁହୁଡ଼ିକୁ କାଟି
ଯେବେ କାକୁସ୍ଥ ହୋଇ
ତୁମ ପାଖେ ଦଣ୍ଡାୟମାନ
ପଛକୁ ନ ଫେରିବାର ସ୍ପୃହା
ବୁଲି ନ ଦେଖିବାର ଭୟ;
ଏକ ଅଭେଦ୍ୟ ଚକ୍ରବ୍ୟୁହରୁ
ଆକ୍ତା ମାକ୍ତା ହୋଇ ମୁକୁଳିବାର ପ୍ରୟାସ
ଦରଜା ତୁମେ ଦେଉଥାଅ
ଏକ ଉନ୍ନତ ମୁକ୍ତିପଥର ଆଭାସ II

ପ୍ରେମ-କବିତାରେ ନୋହୁଁ ବିନିଦ୍ର
ପୁଳା ପୁଳା ବହିଥାକ ଭିତରେ ବିଲୀନ,
ଷ୍ଟେଥୋ ଭିତରୁ ହୃତ୍କ୍ରିୟାର ଲବ୍ ଡବ୍ ରୁ
ନିଦାନ ସଂଧାନେ ତଲ୍ଲୀନ;
ଦାମ୍ପତ୍ୟ ସ୍ୱପ୍ନକୁ ମନରୁ ତେଜି
ବନ୍ଧ୍ୟା ଦୋଷ ଉପରେ ଚା’ କପ ରେ ଚର୍ଚ୍ଚା
ପ୍ରେମର ଅଙ୍କୁରକୁ ନିର୍ମମ ଭାବେ
ସ୍କାଲପେଲ ରେ ଛେଦି,
ଆଖି, ନାସା, କର୍ଣ୍ଣ, ଗଳାର
ପୂତିଗନ୍ଧମୟ ଦ୍ୱାରକୁ ଭେଦି –
ଆସି ଠିଆ ହେଉ ତୁମ ପାଖେ ଗୋ ,

ଉନ୍ମୁକ୍ତ ଆଲିଙ୍ଗନରେ ବେଢ଼ାଇ ନେଇ
ଆମ ଦିବା-ରାତ୍ର ଜଡାଇ ନିଅ
ପୂର୍ଣ୍ଣ ଆଶ୍ୱାସନାରେ କୋଳେଇ ନେଇ —
ଅଭୟ ଦିଅ
“ଏଇ ଦେଖ, ଏ ଅର୍ଗଳୀର ଶେଷରେ
ତୁମର ଶ୍ରେଷ୍ଠ ସୂର୍ଯ୍ୟୋଦୟ” II
ଏମିତି ଏକ ଦରଜା ସମସ୍ତଙ୍କ ଜୀବନରେ ଥାଏ I ଆମ ମେଡିକାଲ କଲେଜର ଅଧ୍ୟୟନ କାଳରେ ଶେଷ ବର୍ଷଟି ଅତୀବ କଷ୍ଟସାଧ୍ୟ ହୋଇଥାଏ । ସବୁବେଳେ ଲାଗେ, ନା …ଆଉ ବୋଧେ ହେବନି I କିନ୍ତୁ ଆମ ଆଗରେ ଥାଏ ଆମ ସିନିଅରଙ୍କ ଉଦାହରଣ ଓ ଏକ ଆତ୍ମ ପ୍ରତ୍ୟୟ ….ଏଇ ତ….ଭୋର ଆକାଶରେ ସୂର୍ଯ୍ୟ ଉଇଁ ଆସୁଛନ୍ତି …ବାସ ଆଉ କିଛି ବାଟ ….

Leave a Reply

Your email address will not be published. Required fields are marked *