ବ୍ୟାଣ୍ଡ, ବାଜା, ବାରାତ

ସମଗ୍ର ଜୀବନ ହେଉ ଲଷ୍ମୀପୂଜା
December 9, 2023
Happy Mathematics Day
December 23, 2023

******
ଡଃ ବିୟତପ୍ରଜ୍ଞା ଆଚାର୍ଯ୍ୟ
ପ୍ରଫେସର, ବାୟୋକେମିଷ୍ଟ୍ରି
+++++++++++++
ମୁଁ ଆଖି ମଳି ମଳି ଉଠିଲି -“ପଚାରିଲି, କୋଉଠି ?” ପିଲେ ଉତ୍ତର ଦେଲେ,”ଯେଉଁଠେ ଥିଲେ ସେଇଠି ।”
ପଚାରିଲି,”ମାନେ ?”
ପିଲେ କହିଲେ,”ତୁମେ ଭଲକି କଡେ ନିଦ ମାରି ଦେଇଛ ୟା ଭିତରେ । ଆମେ ଗତ ୨୫ ମିନିଟ ହେଲା ଏମିତି ରହିଛୁ । ଆଗରେ ଦେଖିଲେ ଯେତିକି, ପଛରେ ଦେଖିଲେ ସେତିକି ।”
“ଆଚ୍ଛା, ମୁଁ ଏତେ ଶୋଇ ପଡିଲି ! ଯା ହଉ, ସମୟର ଭଲ ସଦୁପଯୋଗ ହୋଇଗଲା ।”
ନଜର ପଡିଲା ରାସ୍ତା ଉପରେ I ଆଗରେ ୫0 ସରିକି ଗାଡି, ପ୍ରାୟତଃ କାର୍ଓ ତଦୁର୍ଦ୍ଧ୍ବ I ପଛ ଆଡକୁ ଆଉ ଆଖି ପାଉନି I ଯା ହଉ, ଆଜି ଆଉ ଜଣଙ୍କ ଗାଡ଼ିରେ ମୁଁ ଯାଉଛି, ନ ହେଲେ କ୍ଲଚ୍ ଗିଅର ବ୍ରେକ ଉପରେ ଗୋଡ ଥୋଇ ଥୋଇ ଇଞ୍ଚ ଇଞ୍ଚ ଆଗେଇଲା ବେଳକୁ ଗୋଡ ବିନ୍ଧି ଯାଆନ୍ତାଣି I
ଆର ପଟ ରାସ୍ତା ପୂରା ଫାଙ୍କା I ଇଚ୍ଛା ହେଉଥିଲା ଗାଡିକୁ ଏଇ ରୋଡ଼ ଡିଭାଇଡର ଉପରେ ମଡ଼େଇ ଘରକୁ ଫେରି ଯା’ନ୍ତୁ I ଆପଣ ଯାହା ମନରେ ବିଚାର କରୁଥିବେ, ସେ ଭଳି ବିଚାର ଦୁନିଆର ଆଉ ୭ ଜଣ ଲୋକେ ଭିନ୍ନ ଭିନ୍ନ ପ୍ରାନ୍ତରୁ କରୁଥିବାର ସମ୍ଭାବନା I ଗୋଟେ ମୋଟା ଚକିଆ ଗାଡି ଆମ ଆଖି ଆଗରେ ସତକୁ ସତ ଗାଡିକୁ ଆର ପଟକୁ ନେଇ ଭାଗ୍ I
ତଥାପି ଟ୍ରାଫିକ ସ୍ଥିର I ଏ ସମୟରେ ବର ପିଲାଟିଏ ରାସ୍ତା ସେପଟକୁ ଧପାଲୁଥାଏ I ଓପାସରେ ବହୁତ ବେଶୀ ସରବତ ଆଦି ପିଇ ବସିଥିଲା ବିଚରା ବୋଧେ ବହୁତ ସମୟରୁ I ଲଜ୍ଜା ତ୍ୟାଗ କରି ରାସ୍ତା ଧାରରେ ୫ ମିନିଟ ଧରି ନିଜକୁ ହାଲୁକା କଲା I ଓହଃହୋ ! ଯିଏ ଯିଏ ଦେଖୁଥିବେ ସମସ୍ତଙ୍କ ମନରେ ଏ ଭଳି ଆଶ୍ବସ୍ତିର ଭାବ ଟେ ଆସିଥିବା ପରା !
ସେ ଯାହା ହେଉ ଗୁଗୁଲ ମ୍ୟାପ ସାଉଁଳି ସାଉଁଳି ଗାଡିକୁ ବଞ୍ଚେଇ ବଞ୍ଚେଇ ଶେଷକୁ ଆମ ଗନ୍ତବ୍ୟ ସ୍ଥଳରେ ପହଞ୍ଚିଲୁ ୨ ଘଣ୍ଟାରେ, ଯାହା ૪O ମିନିଟ ଲାଗିଥାନ୍ତା I
ସବୁ ଗାଡି ମିଶି କେତେ ବାୟୁ ପ୍ରଦୂଷଣ କଲୁ କେଜାଣି ସେ ଦିନ !!
Xxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxx
୧୪୨ କୋଟିର ଦେଶ I ଯୁବଶକ୍ତି ପ୍ରବଳ I ବାହାଘର ତ ଅଧିକ ହିଁ ହେବ I ପ୍ରଭୁଙ୍କ କୃପାରୁ ଆମେ ଧୀରେ ଧୀରେ ସମୃଦ୍ଧ ମଧ୍ୟ ହେଉଛୁ I ସରକାରଙ୍କ ଦୁରଦୃଷ୍ଟି ଯୋଗୁଁ ଅନେକେ ଗୋଟିଏ କିମ୍ବା ଯୋଡିଏ ଛୁଆ କରିଛନ୍ତି I ଗୋଟିଏ ଗୋଟିଏ ଛୁଆର ବାହାଘରରେ କୋଟିଏ ଯାଏଁ ଟଙ୍କା ଖର୍ଚ୍ଚ କରି ଦେଉଛନ୍ତି ବାପା ମା’ (ଉଚ୍ଚ ମଧ୍ୟବିତ୍ତ) I ଆଜିକାଲି ଆମ ଓଡ଼ିଶାରେ ମଧ୍ୟ ୪ ଟି ଲେଖେ ଉତ୍ସବ ହେଉଛି I ମୁଗ ଜାଇ ରଗଡା, ଦିଅଁ ମଙ୍ଗୁଳା ବେଳକୁ ଲୋକ ଖୋଜାଖୋଜି I ହେଲେ, ହଲ୍ଦୀ (ଆମ ଓଡ଼ିଆରେ ହଳଦୀ) ମେହେନ୍ଦି, ସଙ୍ଗୀତ …ଆଉ ତା ପରେ ଯାଇଁ ମୁଖ୍ୟ ବାହାଘର ଭୋଜି I
ଏ ସମସ୍ତ ଟ୍ରାଫିକ ଜାମ୍ ର କାରଣ ମଧ୍ୟ ଆମେ ମାନେ I ଯଦି ଗୋଟିଏ ଯୋଡି ବାହା ହେଲେ ଆଉ ୪ ଥର ଆମେ ଏମିତି ଭୋଜି ଖାଇବାକୁ ବୁଲିଲେ, ରାସ୍ତା ଅବସ୍ଥା ଆଉ କଣ ହେବ ?
ହୁଏତ ପରିବର୍ତ୍ତନ ହିଁ ଏକମାତ୍ର ସତ୍ୟ I କିନ୍ତୁ ଦେଖା ଶିଖା ଭାବେ ଆମେ ଯେଉଁ ନୂଆ ରୀତି ନୀତିକୁ ଜାବୁଡ଼ିବାକୁ ଚାହୁଁଛୁ, ସେଥିରେ ଆମେ ଆମ ପରମ୍ପରାକୁ ଭୁଲି ଯାଉନେ ତ ? ବାପା ମା’ ନିଜ କଷ୍ଟ ଅର୍ଜିତ ଧନ ଲୋକଦେଖାଣିଆ ପାଇଁ ଏମିତି ଧ୍ୱସ୍ତ କାହିଁକି କରୁଛନ୍ତି ? ଭୋଜିଭାତ କରି ବନ୍ଧୁ ବାନ୍ଧବଙ୍କୁ ଯେଉଁ ଖାଦ୍ୟ ଖୋଇବାକୁ ଆମେ ଏତେ ଆଗ୍ରହରେ ଡ଼ାକୁଛୁ, ସେମାନେ ଖାଇବା ଅବସ୍ଥାରେ ରହୁଛନ୍ତି ତ? ଦେଖିବାକୁ ଗଲେ ସବୁ ଭୋଜିରେ ଆଜି “ରାଜା ବାବୁ ଘର ଖାନା”, କିନ୍ତୁ ସେଥିରେ ବି ଲୋକେ ଆସି ବାହୁନି ଦେଇ ଯାଉଛନ୍ତି -ମଟନଟା ଭଲ ହେଇଥିଲା ଯେ….ଆଉ ଟିକିଏ ସିଝିଥାନ୍ତା; ଆଇସ କ୍ରିମରେ ଖାଲି ଭାନିଲା ଥିଲା କିଲୋ …ସୁପ ତ ଟିକେ ଆଣିଲି ଚାଖିକି ଫିଙ୍ଗି ଦେଲି …ଭାତ ରୁଟି କିଏ ଖାଇବ ମ ….ଇତ୍ୟାଦି I
ଭାବି ଦେଖନ୍ତୁ, ଆମେ ଦୁଇ ଇଞ୍ଚ ମାଉଁଶିଆ ଅଙ୍ଗ, ଯାହାକୁ ଜିଭ କହନ୍ତି, ତାକୁ ୨ ମିନିଟ ଖୁସି କରିବାକୁ ହିଁ ଖାଦ୍ୟ ଖାଉଛୁ I ଗୋଲାପ ଜାମୁଟା ଆରମ୍ଭ କଲା ବେଳେ ଯେମିତି ସ୍ୱାଦିଷ୍ଟ ଲାଗୁଥିଲା, ଦୁଇଟା ଖାଇଲା ବେଳକୁ ତା ସ୍ୱାଦ କେତେ କମି ଯାଉଛି ! କାରଣ ଆପଣଙ୍କ ମସ୍ତିଷ୍କର କ୍ଷୁଧା କେନ୍ଦ୍ର ଧୀରେ ଧୀରେ ସନ୍ତୁଷ୍ଟ ହୋଇ ଯାଉଛି ଆଉ ତାହା ଅଫ ହୋଇ ଯାଉଛି I
ଏ “Big fat wedding” (ଵୃହତ୍କାୟ ମହାଡ଼ମ୍ବର ବିବାହ) ର ମାନେ କଣ ହୁଏ ? ସମ୍ଭବତଃ ପିତା ମାତା ମାନେ ପିଲାଙ୍କ ପାଠ ପଢା ଖର୍ଚ୍ଚ ପାଇଁ ଯେତିକି ଚିନ୍ତିତ, ସେତିକି ସେମାନଙ୍କ ବିବାହ କର୍ମାଦି ଖର୍ଚ୍ଚ ପାଇଁ ମଧ୍ୟ l
ଯଦି ବହୁତ ବେଶୀ ଜମା କରି ଦେଇଛନ୍ତି, ଏ ଭଳି କ୍ଷଣସ୍ଥାୟୀ ଭୋଜିଭାତ ସାଜସଜ୍ଜା ରେ ଖର୍ଚ୍ଚ ନ କରି ବରଂ ଗହଣା ଓ ସ୍ଥାୟୀ ଚିଜ ଦେଇ ଦିଅନ୍ତୁ I କେତେକାଂଶ ଦରିଦ୍ର ନାରାୟଣ ସେବାରେ ମଧ୍ୟ ଲଗାନ୍ତୁ I ଅନେକ ତ୍ୟାଗ କରି ଏ ପଇସା ଯଦି ବଂଚେଇ ଥିଲେ…ବର୍ତ୍ତମାନ ଟିକିଏ ନିଜେ ବି ଭୋଗ ବି କରନ୍ତୁ ନା …ଆଉ କିଛି ବଞ୍ଚେଇ ରଖନ୍ତୁ ନିଜ ବୃଦ୍ଧାବସ୍ଥା ପାଇଁ I
ଏ ଭଳି ମଧ୍ୟ ଦେଖା ଯାଉଛି, ଏମିତି କୋଟି କୋଟି ଟଙ୍କା ଖର୍ଚ୍ଚ କରି ପିଲାମାନେ ତୃତୀୟ ଦିନ ବିବାହ ବିଚ୍ଛେଦ ପାଇଁ ଅଡ଼ି ବସୁଛନ୍ତି I
ଆମେ ସବୁ କଥାରେ ପଶ୍ଚିମକୁ ଅନୁକରଣ କରୁଛେ I ହେଲେ କେବେ ସେମାନଙ୍କ ବିବାହ ବ୍ୟବସ୍ଥା ବିଷୟରେ ବୁଝିଛନ୍ତି କି ? ସେଠି ପିଲାମାନେ ନିଜ ପାଠ ପଢା ଦାୟିତ୍ତ୍ୱ ନିଜେ ନିଅନ୍ତି I ଯଥେଷ୍ଟ ପଇସା ଜମା କରି ସରିଲା ପରେ ହିଁ ନିଜେ ସାଥୀ ଖୋଜି ବାହା ହୁଅନ୍ତି ନିଜ ପଇସାରେ I
ମନେ ମନେ ଭାବେ -ଆହାଃ ! କୋଭିଡ ସମୟରେ ୨ОО ଲୋକଙ୍କୁ ନେଇକି ବିବାହ ଅନୁଷ୍ଠାନ କରା ଯାଉଥିଲା, ସେ ନିୟମ ସବୁଦିନ ଲାଗୁ ହୋଇ ଯାଅନ୍ତାନି ? କଣ ଅସୁବିଧା ନିଜ ପରିବାରବର୍ଗଙ୍କୁ ନେଇ ଏ ଉତ୍ସବ ପାଳନ କଲେ?
କେହି କେହି କହିବେ, ଏଥିରେ ଆମ ଅର୍ଥନୀତି ବୃଦ୍ଧିରେ ବାଧା ଆସିବ I
ଯଦି ଏତେ ବଡ କୋଭିଡ ମହାମାରୀରେ ଅନେକ ଅନ୍ୟ ପନ୍ଥା ଖୋଲିଗଲା, ଏପରିକି ଅନେକ କ୍ଷେତ୍ର ଅତି ଅଧିକ ପ୍ରଗତି କରିଗଲେ, ତେବେ ଏ ଉତ୍ସବ ପାଳନକୁ ପରିବାର ମଧ୍ୟରେ ଆବଦ୍ଧ କରି ସୁଶୃଙ୍ଖଳିତ ଭାବେ ଏକ ପବିତ୍ର ଅନୁଷ୍ଠାନ ରୂପେ ପାଳନ କଲେ କ୍ଷତି କଣ?
ମୋର ସନ୍ଦେହ କୌଣସି ବର-ବଧୂ କେବେ ବିବାହ କର୍ମ ରେ ବ୍ୟବହୃତ ହେଉଥିବା ମନ୍ତ୍ର ଆଦିର ଅର୍ଥ ବୁଝିବାକୁ ଚେଷ୍ଟା ବି କରନ୍ତି କି ନାହିଁ I ସନାତନ ଧର୍ମ ହିଁ ଏକମାତ୍ର ଧର୍ମ, ଯାହା ସମୟ ସମୟରେ ସାମ୍ପ୍ରତିକ ପରିସ୍ଥିତିକୁ ଲକ୍ଷ କରି ଅନେକ ପରିବର୍ତ୍ତନ ଆଣିଛି I ଆଶା, ଆମ ବୁଦ୍ଧିଜୀବୀମାନେ ଏ ବ୍ୟାଣ୍ଡ, ବାଜା , ବାରାତର ଆଡମ୍ବରକୁ କମେଇ ନୂତନ ଦମ୍ପତ୍ତିଙ୍କୁ ବରଂ ଏକ ସୁଦୃଢ ଯୁଗ୍ମ ଜୀବନ ଆରମ୍ଭ କରିବାର ମାର୍ଗ ଦର୍ଶନ କରନ୍ତୁ ଓ ବିବାହର ମହତ୍ତ୍ୱ ବିଷୟରେ ବୁଝାନ୍ତୁ I ଦାମ୍ପତ୍ୟ ଜୀବନର ସଫଳତା କୁ ପ୍ରମାଣିତ ହେବାକୁ ଦିଅନ୍ତୁ I ବରଂ ୧ମ , ୫ମ , ୧oମ ଇତ୍ୟାଦି ବିବାହ ବାର୍ଷିକୀ ଧୂମଧାମରେ ପାଳନ କରନ୍ତୁ I ସାମ୍ପ୍ରତିକ ପରିସ୍ଥିତିରେ ବିବାହ ଶୋଭାଯାତ୍ରା, ବାଣ ଫୁଟା, ଡି. ଜେ. ଆଦି ମଧ୍ୟ ବନ୍ଦ କରାଯାଉ I
ଭାଗ୍ୟ ଭଲ ସେ ଦିନ କୌଣସି ଆମ୍ବୁଲାନ୍ସ ନ ଥିଲା ଆମ ପଛରେ Iକଣ ହୋଇଥାନ୍ତା ଅବସ୍ଥା ମୁମୂର୍ଷୁ ରୋଗୀର? କହି ଜରୁରୀ କାମରେ ଯାଉଥିଲେ କଣ କରିଥାନ୍ତା ? ବାୟୁ ଓ ଶବ୍ଦ ପ୍ରଦୂଷଣ କଥା କହିବା କିଆଁ ? ଆଉ ଥରେ ଏକ ନୂତନ ପରିବର୍ତ୍ତନକୁ ସ୍ୱାଗତ କରିବାର ବେଳ ଆସିନାହିଁ କି ??
==ଶୁଭମସ୍ତୁ ==
#wedding #socialwastage #reformation #drvpacharya

Leave a Reply

Your email address will not be published. Required fields are marked *