ଯା ଦେବୀ ସର୍ବଭୂତେଷୁ

ଜନ୍ମ -ମୃତ୍ୟୁ ଚକ୍ର
June 22, 2022
ମରୁଦ୍ୟାନର ସନ୍ଧାନେ
June 22, 2022

ଡଃ ବିୟତପ୍ରଜ୍ଞା ଆଚାର୍ଯ୍ୟ
****************

ଝର୍କା ଆରପାଖର ଉଦାସ ଗୋଧୂଳିର ନିଜକୁ ହଜେଇ ଦେଇ ଆଦ୍ୟରୁ ପ୍ରାନ୍ତ ଅନେକ କିଛି ଭାବି ଯାଉଥାଏ ସନ୍ଧ୍ୟା | କି ଅପୂର୍ବ ରଙ୍ଗୀନ ସମ୍ଭାର ଧାରଣ କରିଛି ଏ ଗୋଧୂଳି ଆକାଶ —ଅଥଚ ଏତେ ଉଦାସ କାହିଁକି ? କେଜାଣି ଆକାଶଟା ଖୁସି ଥିବ ଆଉ ମୋର ହିଁ ଉଦାସୀନତା ପ୍ରତିଫଳିତ ହୋଇଯାଇଥିବ ସେଠି! କେଜାଣି ?
ଜୀବନର ମିଶାଣ ଫେଡ଼ାଣକୁ ତଉଲି ସେ ପାଉଥାଏ ଏକ ସଫଳ ଜୀବନ | ପିଲାଟି ଦିନରୁ ସୁକନ୍ୟା, କୃତିଛାତ୍ରୀ , ସୁଗୃହିଣୀ, କର୍ମକ୍ଷେତ୍ରରେ ପ୍ରବୀଣା, ଫୁଲପରି ପୁଅଟିଏ, ଝିଅଟିଏ | ଦୁହେଁ ଭଲ ପାଠ ପଢୁଛନ୍ତି | ସ୍ୱାମୀ ସିଦ୍ଧାନ୍ତ ବଡ କମ୍ପାନୀରେ ମ୍ୟାନେଜର | ପରିବାରରେ କୌଣସି ପ୍ରକାର ଅଶାନ୍ତି ନଥାଏ | ସବୁକିଛି ଠିକ ଭାବେ ଚାଲିବାପାଇଁ ଭୋର ଚାରିଟାରୁ ଉଠି ଚକାଆଖିଆକୁ ମୁଣ୍ଡିଆଟିଏ ମାରିଦେଇ ରାତି ୧୦ ଟା ପର୍ଯ୍ୟନ୍ତ ନିରବଛିନ୍ନ ଭାବେ କର୍ମରତ ଥାଏ | କାହିଁ ସେ ତ କେଉଁଠି ଭୁଲ ହେବାର ଦେଖୁନି , ତେବେ ସିଦ୍ଧାନ୍ତ କାହିଁକି ଆଜି ବିପଥଗାମୀ ? ଯେବେଠୁ ତା ସାଙ୍ଗ ଅଜିତା ତା ସ୍ୱାମୀ ସିଦ୍ଧାନ୍ତକୁ ତାଙ୍କ ଅଫିସର ଏକ କର୍ମଚାରୀ ରଶ୍ମିତା ସହ ବାରମ୍ବାର ଦେଖିଛି ବୋଲି କହିଛି ସେବେଠୁ ସଂଧ୍ୟାର ମନ ଆକାଶ ସତେ ଯେମିତି ଅନ୍ଧକାରରେ ଭରି ଯାଇଛି | ଜୀବନର ଡୋର ଚୋରାବାଲିପରି ତା ହାତରୁ ଖସି ଗଲାପରି ଲାଗୁଛି |
ଆନମନା ହୋଇ ସଂଧ୍ୟା ଆସି ଆଇନା ଆଗରେ ଠିଆ ହେଲା | ଆଉ ଦୁଇ ମାସ ପରେ ଚାଳିଶ ବର୍ଷ ପୁରିବ | ଶୁଭ୍ରକେଶ କେଇଟା ଘନକଳା କେଶରାଶିରେ ବିଜୁଳୀସମ ପ୍ରତିଭାତ | ସିଦ୍ଧାନ୍ତ ତାଠୁ ୫ ବର୍ଷ ବଡ | ଅଥଚ ନିଜର ଅଧା ବୟସର ଝିଅଟା ସାଙ୍ଗେ ….ଛିଃ ! ମନଟା ଘୃଣାରେ ଶିହରି ଉଠିଲା |
କୁହାଯାଏ ସମସ୍ୟା ଉପୁଜିଲେ ନିଜ ଭିତରକୁ ଝାଙ୍କି ଦେଖ , ଆପେ ସମସ୍ୟାର ଉତ୍ସ ଦେଖାଯିବ | ସଂଧ୍ୟା ମଧ୍ୟ ସମସ୍ୟାର ଉତ୍ସକୁ ନିଜ ଭିତରେ ଖୋଜି ବସିଲା | ହଁ , ସେ କର୍ମମୟ ଜୀବନରେ ନିଜକୁ ହଜେଇଦେଇ ନିଜ ଶରୀର ପ୍ରତି ଅବଶ୍ୟ ହେଳା କରିଛି | କିନ୍ତୁ ଚାଳିଶ ବର୍ଷ ବୟସରେ ମଧ୍ୟ ନାରୀ ନିଜକୁ ଭୋଗ୍ୟ ସାମଗ୍ରୀ କରି ସ୍ୱାମୀ ପାଖରେ ନିଜକୁ ଢାଳି ଦେବ , ତାର କିଛି ମାନେ ନାହିଁ | ନା, ଏଠି ଭୁଲ ସିଦ୍ଧାନ୍ତଙ୍କର |
ଜୀବନରେ ସେ କେବେବି ହାରିନି | ଆଜି ବି ଏ ସମସ୍ୟାର ସେ ଏକା ମୁକାବିଲା କରିବ | ପିଲାଦିନେ ସାଙ୍ଗମାନେ ଥରେ ତାକୁ ଥଟ୍ଟା କରିଥିଲେ ତା ପାଟି ଲାଗେ ବୋଲି | ତା ପର ମାସରେ ସ୍କୁଲର ବକୃତା ପ୍ରତିଯୋଗିତାରେ ସେ ପ୍ରଥମ ପୁରସ୍କାର ପାଇଥିଲା | ତା ପରେ ଅବଶ୍ୟ ସେ ଦିଗରେ ବିଶେଷ ରୁଚି ନେଇନି | ଦଶମ ଶ୍ରେଣୀ ପରେ ସାହିତ୍ୟ ପ୍ରତି ଆକର୍ଷଣ ଯୋଗୁଁ କଳାରେ ସେ ନାଁ ଲେଖେଇବାକୁ ଚାହିଁଥିଲା | ହେଲେ ବାପା କହିଲେ ସେ ବିଜ୍ଞାନକୁ ଡରି କଳାରେ ନାଁ ଲେଖେଇବାକୁ ଚାହୁଁଛି | ୨ ବର୍ଷ ପରେ ସଂଧ୍ୟା +୨ ବିଜ୍ଞାନ ପରୀକ୍ଷାରେ ପ୍ରଥମ ୧୦ ଜଣ କୃତୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନିଜକୁ ସ୍ଥାପିତ କରେଇବା ସହ ମେଡିକାଲ ଏଣ୍ଟ୍ରାନ୍ସରେ ପ୍ରଥମ ହୋଇ ଆଡ଼ମିଶନ ନେଇଥିଲା | ତା ପରେ ଜୀବନରେ ସେ କେବେ ପଛକୁ ଫେରି ଚାହିଁନି |
ଜୀବନର ବାଧାବିଘ୍ନ ସତେ ଯେମିତି ତା ପାଇଁ ସ୍ରୋତ ମୁହଁରେ ପଥରଟିଏ ରଖିଲାପରି | ସ୍ରୋତ ଯେପରି ପଥରକୁ ଦ୍ବିଗୁଣିତ ପ୍ରବାହରେ ଡେଇଁ ନାଚି ନାଚି ଚାଲିଯାଏ ସେହିପରି ସଂଧ୍ୟା ମଧ୍ୟ ଜୀବନର ଚ୍ୟାଲେଞ୍ଜ କୁ ୧୦ ଗୁଣ ଅଧିକ ବଳ ଖଟାଇ ଜିତିବାକୁ ଭଲପାଏ |
ଆଜି ନିଜର ପାରିବାରିକ ସମସ୍ୟାର ମଧ୍ୟ ସେ ମୁକାବିଲା କରିବ | କ୍ଷମା କଣ ସେ ଜାଣିନି | ସିଦ୍ଧାନ୍ତକୁ ତା କର୍ମଫଳ ଭୋଗିବାକୁ ହିଁ ପଡିବ | ତେବେ ଘଟଣାର ସତ୍ୟାସତ୍ୟ ପ୍ରଥମେ ଜାଣିବାକୁ ହେବ | ନିଜ ମୁହଁରେ ଆତ୍ମବିଶ୍ୱାସର ଧାରେ ହସ ଖେଳାଇ ….. ଦୀର୍ଘଶ୍ୱାସ ନେଇ ଘଡ଼ିଏ ଚାହିଁ ରହିଲା ନିଜ ପ୍ରତିଫଳନକୁ | ଅନ୍ଧାରକୁ ଆଲୋକରେ ଦୂର କରି ଚକାଆଖିଆ ପାଖରେ ସଞ୍ଜବତୀ ଦେବାକୁ ମୁହେଁଇଲା |
ପର ସପ୍ତାହସାରା ବିଭିନ୍ନ ଆଡୁ ସିଦ୍ଧାନ୍ତଙ୍କର ଗତିବିଧି ବିଷୟରେ ଖୋଜ ଲଗେଇ ସଂଧ୍ୟା ଜାଣିଲା ଯେ ରଶ୍ମିତା ତାଙ୍କ ଅଫିସ ର ଷ୍ଟେନୋ | ୫ ମାସ ହେବ ତାଙ୍କ ଅଫିସରେ ଜଏନ କରିଛି | ୩ -୪ ମାସ ହେବ ଦୁହିଁଙ୍କ ମଧ୍ୟରେ ସମ୍ପର୍କ ନିବିଡ ହୋଇ ଉଠିଛି | ସମ୍ପର୍କ ଆଖିରେ ଆଖି ରଖି କଥା ହେବାରୁ ଆରମ୍ଭ ହୋଇ ଶାରୀରିକ ସମ୍ପର୍କରେ ପହଞ୍ଚିଲାଣି |
ତେବେ ଅଜିତା କିଛି ଭୁଲ କହୁ ନ ଥିଲା | ଏବେ ସଂଧ୍ୟାର ମନେ ପଡିଲା ଯେ – ସିଦ୍ଧାନ୍ତଙ୍କର କ୍ଲାଏଣ୍ଟ ମିଟିଙ୍ଗ ସବୁ ଏତେ ଡେରି ରାତି ପର୍ଯ୍ୟନ୍ତ କାହିଁକି ଲମ୍ବି ଯାଉଥିଲା| ଏବେ ସଂଧ୍ୟା ପେଣ୍ଟେଡ ମେଡିସିନର ଯୋଜନା କଲା |
ରବିବାର ଦିନ ସିଦ୍ଧାନ୍ତର ଏକ କ୍ଳାଇଣ୍ଟ ମିଟିଙ୍ଗ ଅଛି, ଲଞ୍ଚ ବାହାରେ କରି ଆସିବେ ବୋଲି କହି ୯ ଟା ରୁ ଘରୁ ବାହାରିଗଲେ | ସଂଧ୍ୟା ତାଙ୍କ ପଛେ ପଛେ ନିଜ ସାଙ୍ଗର କାର ବାହାର କରି କିଛି ଦୂରରେ ଥାଇ ଅନୁସରଣ କରି ଚାଲିଲା | ସିଦ୍ଧାନ୍ତଙ୍କର କାର ଯାଇ ପହଁଚିଲା ଏକ ରେସ୍ତୋରାରେ | ସେ ଖୁବ ଖୁସି ଜଣା ପଡୁଥାନ୍ତି | କଲେଜ ଯୁବକ ପରି ରେସ୍ତୋରା ପାହାଚ ସବୁକୁ ଡେଇଁ ଡେଇଁ ଭିତରକୁ ଚାଲିଗଲେ | ନିଜ ପଛରେ କାଲଭିନ କ୍ଳେଇଁନ ଅତରର ବାସ୍ନା ଛାଡ଼ିଦେଇ | ସଂଧ୍ୟା କାର ଲକ କରି କଳା ଚଷମାକୁ ଆଖିରେ ଚଢେଇ ଦେଇ ରେସ୍ତୋରାରେ ପଶି ଏକ କୋଣରେ ଚେୟାରଟିଏ ଦଖଲ କଲା |
ସିଦ୍ଧାନ୍ତ କିଛି ଦୂରରେ ତା ଆଡକୁ ପିଠିକରି ବସିଥାନ୍ତି | ସଂଧ୍ୟା ଚଷମାକୁ ଆଖିରୁ ଓଲ୍ହାଇ ଦେଖିଲା ଯେ ଯେଉଁ ଝିଅଟି ସିଦ୍ଧାନ୍ତ ସାମନାରେ ବସିଛି ତା ଚେହେରା ସେ ଶୁଣିଥିବା ରଶ୍ମିତାର ରୂପ ବର୍ଣ୍ଣନା ସହିତ ମେଳ ଖାଉଛି | ଝିଅଟିର ସୁନ୍ଦର ଢଳଢଳ ଆଖି, ଗୋରା ଶରୀରକୁ ଗହଳ କେଶରାଶି | ନିଖୁଣ ସୁନ୍ଦରତା , ଖୁବ କମ ବୟସର ଜଣା ପଡୁଛି | ନିଜ ଝିଅ ସାୟାନ୍ତନା ଠୁ ୪-୫ ବର୍ଷ ବଡ ହୋଇଥିବ କି କଣ ? ସିଦ୍ଧାନ୍ତ କଣ ଥରେ ହେଲେ ମଧ୍ୟ ଭାବି ନାହାନ୍ତି ଏ ବିଷୟରେ ? ନିଜର ପାରିବାରିକ ଜୀବନକୁ ନଷ୍ଟ କରିବା ସହ ସେ ଝିଅଟିର ଜୀବନକୁ ମଧ୍ୟ ନଷ୍ଟ କରୁଛନ୍ତି | ସତରେ ପୁରୁଷ କେବଳ ପୁରୁଷ ! ତାର ଅନ୍ୟ କୌଣସି ରୂପର କଳନା କରିବା ବୃଥା | ନାରୀଟିଏ ନିଜକୁ ତ ମା’, ଭଉଣୀ, ଆଉ କେତେ ରୂପରେ ନିଜକୁ ସଜେଇପାରେ କିନ୍ତୁ ପୁରୁଷ କାହିଁକି ପାରେନି ?? ଯେ କୌଣସି ମୁହୂର୍ତ୍ତରେ ଜନ୍ତୁ ପାଲଟି ଯାଇ ପାରେ ନାରୀ ଶରୀରଟିଏ ପାଇଁ |
ପ୍ରାୟ ଘଣ୍ଟାଏ ନିଜ ଜୁସଗ୍ଳାସ ସହ ଖେଳିବାପରେ ସିଦ୍ଧାନ୍ତ ପ୍ରସାଧାନଗାରକୁ ଉଠି ଯା’ନ୍ତେ ସଂଧ୍ୟା ଉଠିଯାଇ ରଶ୍ମିତା ଆଗରେ ବସିପଡିଲା | ରଶ୍ମିତା ମଧୁର ଭାବନାରେ ହଜି ଯାଇଥାଏ | ସଂଧ୍ୟା ପଚାରିଲା – ରଶ୍ମିତା ନା ? ସେ ଚମକି ପଡି କହିଲା – ହଁ ..ହଁ …ହଁ | ହେଲେ ଆପଣ ?
” ମୋତେ ଚିହ୍ନିବା ଦରକାର ନାହିଁ – କହିଲା ସଂଧ୍ୟା | ଆଚ୍ଛା, ତୁମେ ସିଦ୍ଧାନ୍ତକୁ ଖୁବ ବେଶୀ ଭଲ ପାଅ ନା ?
ପ୍ରଥମେ କିଛି ଟା ଅପ୍ରସ୍ତୁତ ହୋଇ ଝିଅଟି ସଲ୍ଲଜ ଭାବେ ମୁଣ୍ଡ ହଲାଇ ହଁ ମାରିଲା |
କାଲି ସନ୍ଧ୍ୟା ୫ ଟା ରେ ଆମେ ଏଠି ପୁଣି ଦେଖାହବା | ଏକେଲା ଆସିବ | ଆଉ ଆମର ଏ ସାକ୍ଷାତ ବିଷୟରେ କାହାକୁ କିଛି କହିବନି | ତୁମର ମଙ୍ଗଳ ଅଛି ଏଥିରେ | ତୁମ ସହ ଜରୁରୀ କଥା ଅଛି |
ରଶ୍ମିତା କିଛି କହିବା ପୂର୍ବରୁ ସଂଧ୍ୟା କଳା ଚଷମା ଆଖି ଉପରକୁ ଖସେଇ ଆଣି ତଡ଼ିତ ବେଗରେ ରେସ୍ତୋରାଁ ବାହାରକୁ ଆସି କାର ଷ୍ଟାର୍ଟ କଲା | ବାଟରେ ନିଜର STD clinic ରେ ଥିବା କିଛି କାମ ଶେଷ କରି ସଂଧ୍ୟା ମୁହେଁଇଲା ସେଇଠିକି, ଯେଉଁଠିକି ସେ ଆଗରୁ କେବେ ଯାଇ ନଥିଲା | କାର ଯାଇ ଅଟକିଲା ସାଲୋନୀ ବିଉଟି ପାର୍ଲରରେ | ବିଉଟି ପାର୍ଲରରେ | ବିଉଟିସିଆନ ହାତରେ ନିଜକୁ ସମର୍ପି ଦେଇ ୩-୪ ଘଣ୍ଟା ନିଜକୁ ରିଲାକ୍ସ କରି ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କଲା | ଆଇନାରେ ସଂଧ୍ୟା ନିଜର ପରିବର୍ତ୍ତିତ ରୂପରେ ସନ୍ତୁଷ୍ଟ ହୋଇ ନିଜ ପାଇଁ କିଛି ଶାଢ଼ୀ , ଗହଣା ଓ ପିଲା ମାନଙ୍କ ପାଇଁ ବିଭିନ୍ନ ଜିନିଷ କିଣି ଘରକୁ ଫେରିଲା | ସିଦ୍ଧାନ୍ତ ସେ ପର୍ଯ୍ୟନ୍ତ ଫେରି ନ ଥାନ୍ତି | ପ୍ରଥମଥର ପାଇଁ ସଂଧ୍ୟା ନିଜ ଭିତରେ ଈର୍ଷ୍ୟାର ସଞ୍ଚାର ହେବାପରି ବୋଧକଲା | ତେବେ ଶୀଘ୍ର ସେ ଚିନ୍ତାରୁ ନିଜକୁ ମୁକ୍ତକରି ଘରକୁ ସଜାଡିବାରେ ଲାଗିଗଲା | ସିଦ୍ଧାନ୍ତ ଫେରିଲା ବେଳକୁ ସାମାନ୍ୟ କ୍ଲାନ୍ତ ଦେଖାଯାଉଥାନ୍ତି | ସଂଧ୍ୟାର ପରିବର୍ତ୍ତିତ ରୂପ ଦେଖି ଟିକିଏ ଆଶ୍ଚର୍ଯ୍ୟ ହେଲେ, ମାତ୍ର କିଛି କହିଲେ ନାହିଁ |
ତା ପରଦିନ ସଂଧ୍ୟା ୫ ଟା ପୂର୍ବରୁ ସଂଧ୍ୟା ଗାଡ଼ିଧରି ନିଜ କ୍ଲିନିକରୁ ବାହାରି ଆସିଲା | ରଶ୍ମିତା ଉତ୍କଣ୍ଠିତ ହୋଇ ସଂଧ୍ୟାକୁ ଅପେକ୍ଷା କରିଥାଏ |
ସଂଧ୍ୟା ରଶ୍ମିତା ଆଗରେ ବସି ତା ଆଖିରେ ଆଖି ରଖି ପ୍ରଶ୍ନ କଲା – କେତେଦିନ ହେବ ଜାଣିଛ ସିଦ୍ଧାନ୍ତଙ୍କୁ ? ରଶ୍ମିତା ଏ ପ୍ରଶ୍ନର ଉତ୍ତର ଦେବାକୁ ନ ଚାହୁଁଥିଲେ ମଧ୍ୟ ସଂଧ୍ୟା ଆଖିର ବରଫ ପରି ଶୀତଳତାରେ ନିସ୍ତେଜ ହୋଇ ଉତ୍ତର ଦେଲା – ” ୫ ମାସ ହେବ | ” ପୁଣି ପ୍ରଶ୍ନ କଲା ସଂଧ୍ୟା – ଜାଣିଛ , ସେ ବିବାହିତ ଆଉ ୨ ଟି ସନ୍ତାନର ଜନକ ବୋଲି ?
ରଶ୍ମିତା ମୁଣ୍ଡ ତଳକୁ କରି ଉତ୍ତର ଦେଲା – ” ହଁ ଜାଣେ | ତାଙ୍କ ସ୍ତ୍ରୀ ଡିପ୍ରେସନ ରୋଗୀ |”
ସନ୍ଧ୍ୟା ଆଖିରେ ପଡିଲା ରଶ୍ମିତା ହାତରେ ଥିବା ଏକ ହୀରା ବ୍ରେସଲେଟ ଉପରେ ଯାହା ତାର କିଛି ଦିନ ହେବ କେଉଁଠି ହଜି ଯାଇଥିଲା | ତେବେ ସିଦ୍ଧାନ୍ତ ଏ ଚୋରୀ କରିଥିଲେ ଆଉ ସଂଧ୍ୟା ଅଯଥାରେ ନିଜ ଚକରାଣୀ ଉପରେ ସନ୍ଦେହ କରିଥିଲା | ସଂଧ୍ୟା ପ୍ରଶ୍ନ କଲା – ” ତଥାପି ସିଦ୍ଧାନ୍ତକୁ ଭଲ ପାଉଛ ? ସେ ତୁମକୁ ବାହାହେବାର ପ୍ରତିଶ୍ରୁତି ଦେଇଛନ୍ତି ?
ଝିଅଟି ଉତ୍ତର ଦେଲା କେଉଁ ବହିର କେଉଁ ଫିଲ୍ମର ଡାଏଲଗ ଦୋହରାଇଲା ପରି – ” ପ୍ରେମ ଶାଶ୍ୱତ , ପ୍ରେମ ଦେଖେନି ଜାତି , ବର୍ଣ୍ଣ , ବୟସ , ପରିଣତି | ତା’ଛଡା ବିବାହରେ ଯେ ବିବାହରେ ପ୍ରେମର ସାର୍ଥକତା ରହିଛି ତା’ ନୁହେଁ |”
ମନେ ମନେ ହସିଲା ସନ୍ଧ୍ୟା – ଝିଅଟି ହୁଏତ ନିଜର ସିଦ୍ଧାନ୍ତଙ୍କ ପ୍ରତି ପିତୃସୁଲଭ ପ୍ରେମକୁ ଭୁଲ ବୁଝି ବସିଛି | କିଛି ମାତ୍ରାରେ ଅନୁଶୋଚନା ମଧ୍ୟ ରହିଛି | ପୁସ୍ତକୀୟ ଭାବଧାରା ଓ ଶସ୍ତା ଫିଲ୍ମ ଡାଏଲଗ ରେ ସେସବୁକୁ ଭୁଲେଇବାକୁ ଚେଷ୍ଟା କରୁଛି, ହେଲେ ସେ ଜାଣିପାରୁନି ନିଜେ ନିଜକୁ ଠକି ହେଉଛି ବୋଲି | ହୁଏତ ସିଦ୍ଧାନ୍ତଙ୍କର ବାକଚତୁରୀ ଓ ଦାମିକା ଉପହାର ମଧ୍ୟ ତାକୁ ମୋହ ଗ୍ରସ୍ତ କରି ରଖିଛି | ଝିଅଟି ପ୍ରତି କ୍ରୋଧ ପରିବର୍ତ୍ତେ ସଂଧ୍ୟା ମନରେ ମମତ୍ୱବୋଧ ଜାତ ହୋଇଗଲା |
ତା’ ଭାବନାର ସ୍ରୋତକୁ ଭାଙ୍ଗି ରଶ୍ମିତା କଠୋର କଣ୍ଠରେ ପ୍ରଶ୍ନ କଲା – “ହେଲେ ଆପଣ କିଏ ଏ ସବୁ ପଚାରିବାକୁ ? ସନ୍ଧ୍ୟା ଶାନ୍ତ ଭାବେ ଚେୟାରରେ ଆଉଜି ବସି ଉତ୍ତର ଦେଲା – ” ମୁଁ ସିଦ୍ଧାନ୍ତର ପତ୍ନୀ ସଂଧ୍ୟା |”
ତା’ ପରେ ରଶ୍ମିତା ସହ ଘଣ୍ଟେକାଳ ଗପି ସଂଧ୍ୟା ବିଜୟିନୀର ହସ ହସି ଘରକୁ ଫେରିଲା |
ତା’ ପରଦିନଠାରୁ ସିଦ୍ଧାନ୍ତ ଅନ୍ୟମନସ୍କ ରହିଲା ପରି ଜଣାପଡୁଥା’ନ୍ତି | ପଚାରିଲେ କିଛି କୁହନ୍ତିନି | ଅନ୍ୟମନସ୍କତା ବଢି ଚିଡଚିଡା ପ୍ରକୃତିରେ ପରିଣତ ହେଲା| ପିଲାମାନେ ଭରସି ପାଖ ପଶି ପାରିଲେନି | ସଂଧ୍ୟା ସବୁ ଜାଣି ନିଶ୍ଚଳ ଥାଏ | ସିଦ୍ଧାନ୍ତ ଅଫିସ କାମରେ ମଧ୍ୟ ମନ ଦେଲା ପରି ମନେ ହେଉ ନଥା’ନ୍ତି | ପ୍ରାୟ ମାସେ ପରେ ହଠାତ ପ୍ରବଳ ଜ୍ୱରରେ ଆକ୍ରାନ୍ତ ହେଲେ ସେ | ସଂଧ୍ୟା ମୁହଁରେ ବ୍ୟଗ୍ରତା ପରିକଳ୍ପିତ ହେବା ପରିବର୍ତ୍ତେ ଏକ କ୍ଷୀଣ ରହସ୍ୟମୟ ହସ ଖେଳିଯାଇ କାହିଁ ଲୁଚିଗଲା | ମନେ ମନେ କହିଲା ସେ ହୁଏ ତ ଏବେ ସିଦ୍ଧାନ୍ତ ବୁଝି ପାରିବେ ସ୍ତ୍ରୀ ଓ ପରନାରୀ ମଧ୍ୟରେ ପାର୍ଥକ୍ୟ |
ସଂଧ୍ୟା ନିଜେ ଚିକିତ୍ସା କରୁଥାଏ | ଶିଶୁଟି ପରି ଦିନରାତି ଯତ୍ନ ନେଉଥାଏ ସିଦ୍ଧାନ୍ତଙ୍କର | ଚତୁର୍ଥ ଦିନ ମଧ୍ୟ ଜ୍ୱର ବିଶେଷ ନ କମିବାରୁ ନିଜେ ସିରିଞ୍ଜରେ ରକ୍ତ ନେଇ ନିଜ ଲାବୋରଟୋରୀ କୁ ପରୀକ୍ଷା ପାଇଁ ନେଲା | ଅପରାହ୍ନରେ ଫେରିଲା ବେଳକୁ ମୁହଁଟା କେମିତି ଭାରି ଭାରି ଜଣା ପଡୁଥିଲା | ତା ପରଦିନ ପୁନଶ୍ଚ ରକ୍ତ ପରୀକ୍ଷା କରିବା ପାଇଁ ନେଲା | ସିଦ୍ଧାନ୍ତଙ୍କର ଜ୍ୱର କମିଯାଇଥାଏ ହେଲେ ଝାଡା ଆରମ୍ଭ ହୋଇ ଯାଇଥାଏ | ଶୀଘ୍ର କ୍ଲିନିକରୁ ଫେରି ସଂଧ୍ୟା ସିଦ୍ଧାନ୍ତଙ୍କର ପାଦ ପାଖରେ ବସିଲା | ଉତ୍କଣ୍ଠିତ ସିଦ୍ଧାନ୍ତ ପଚାରିଲେ କଣ ହୋଇଛି ? ମ୍ୟାଲେରିଆ ନ ଟାଇଫଏଡ ? ସଂଧ୍ୟା ଚୁପ ରହିଥିବାର ଦେଖି ଚଢି ପଚାରିଲେ ଆଉ ଥରେ , କହୁନ କଣ ହୋଇଛି ?
ସନ୍ଧ୍ୟା ବହୁତ କଷ୍ଟରେ ମୁହଁ ଖୋଲିଲା – ମ୍ୟାଲେରିଆ କି ଟାଇଫଇଡ ହୋଇଥିଲେ ଏତେ ଚିନ୍ତା ହେଉଥାନ୍ତା କାହିଁକି ? ଅଚ୍ଛା, ତୁମେ ଏ ଭିତରେ ଟିଟନସ ଟକସୟେଡ କିମ୍ବା ଆଉ କିଛି ଇଞ୍ଜେକସନ ନେଇଥିଲ କି? ଏବେ ସିଦ୍ଧାନ୍ତ ନିଶ୍ଚିତ ହୋଇ ପଚାରିଲେ ନା’ ତ, ମୋର ସେମିତି କିଛି ମନେ ନାହିଁ | କଣ ହୋଇଛି କହୁନ ହେପାଟାଇଟିସ – ବି ନୁହଁ ତ ?
ନା ହେପାଟାଇଟିସ-ବି ମଧ୍ୟ ନୁହେଁ | ଏମିତି ରୋଗ ହୋଇଛି ତୁମକୁ ଯାହାର ଚିକିତ୍ସା ଏ ପର୍ଯ୍ୟନ୍ତ ବାହାରିନି | ଆଖି ଛଳ ଛଳ କରି ରୁଦ୍ଧ କଣ୍ଠରେ କହିଲା – ତୁମକୁ ଏଡ଼ସ ହୋଇଛି |
ସିଦ୍ଧାନ୍ତ ଚାରିପଟେ ପୃଥିବୀଟା ଘୁରିବା ପରି ମନେହେଲା | ସେ ବିଶ୍ୱାସ କରି ପାରିଲାନି | ସଂଧ୍ୟା କହି ଚାଲିଥାଏ – ” କୌତୁହଳବଶତଃ ମୁଁ ତୁମ ରକ୍ତକୁ ଆମ S.T.D clinic ରେ ପରୀକ୍ଷା କରି ଯାହା ପାଇଲି ତା ବିଶ୍ୱାସ ହେଲାନି | ମୋ ରକ୍ତ ମଧ୍ୟ ପରୀକ୍ଷା କଲି କିନ୍ତୁ ନେଗେଟିଭ ଥିଲା | ସତ କୁହ ସିଦ୍ଧାନ୍ତ ତୁମର ଆଉ କାହା ସହ ……..
ଅଧାରୁ କଥା ଛିଡ଼େଇ ନେଇ ସିଦ୍ଧାନ୍ତ କହିଲେ , ତୁମର କଣ ମୋ ଉପରେ ବିଶ୍ୱାସ ନାହିଁ ? ତୁମକୁ କଣ ମୁଁ କେବେ ଧୋକା ଦେଇ ପାରେ ? ବୋଧହୁଏ ଥରେ ରକ୍ତଦାନ ଶିବିରରେ ରକ୍ତ ଦେଇ ଏ ଫଳ |
ସଂଧ୍ୟା ଆଖି କୋଣର ଅଭିମାନ ଧାର ଧାର ଲୁହ ହୋଇ ବୋହିଗଲା | ମନରେ ଭାବିଲା – ” ସିଦ୍ଧାନ୍ତ ଏବେ ବି ତୁମେ ସତ କହିବନି ?” ବିଶ୍ୱାସ ଶବ୍ଦଟା ତୁମ ମୁହଁରେ କେତେ ଅଜବ ଶୁଭୁଛି | ତୁମର କେବେ ବି ରକ୍ତଦାନ ଶିବିର ହେଇନି ଆଉ ମୋ ଜାଣିବାରେ ତୁମେ କେବେ ବି ରକ୍ତ ଦେଇନାହଁ | ଦେଇଥିଲେ ମଧ୍ୟ ରକ୍ତଦାନ ଶିବିରରେରେ ସମ୍ପୂର୍ଣ୍ଣ ସୁରକ୍ଷାର ଦାୟିତ୍ତ୍ୱ ନିଆଯାଏ | ”
ସେ ଅଭିମାନକୁ ଚାପି କହିଲା- “ଆଇ ଆମ ସରି ସିଦ୍ଧାନ୍ତ , ମୋର ଏମିତି କହିବା ଉଚିତ ନଥିଲା | ସତରେ ବୋଧହୁଏ କୌଣସି ଛୁଞ୍ଚିରେ ଏ ରୋଗ ତୁମ ଦେହକୁ ଚାଲି ଆସିଛି |”
ଏମିତି ପ୍ରଶ୍ନ କରିବାର ବି କାରଣ ଥିଲା | ମୋ STD କ୍ଲିନିକକୁ ଖୁବ ସୁନ୍ଦର ଝିଅଟିଏ ଆସିଥିଲା | ବୟସ ଅବା କେତେ ହେବ? ଏଇ ୨୪- ୨୫ ସରଳ ନିଷ୍ପାପ ଚେହେରା ଝିଅଟିଏ– ଅଥଚ ଏଡସ ରୋଗରେ ଆକ୍ରାନ୍ତ | ସେ ପୁଣି ଏକାଧିକ ପୁରୁଷଙ୍କ ସହ ସମ୍ପର୍କ ରଖିଛି | ନାଁ କଣ ନା ରଶ୍ମିତା —ଅଥଚ କେତେ ଲୋକଙ୍କ ଜୀବନରେ ଅନ୍ଧାର ଖେଳେଇ ଦେଲା |
କଣ କହିଲ, “ରଶ୍ମିତା ?” ଚମକି ପଡିଲେ ସିଦ୍ଧାନ୍ତ | ତା’ ରୂପ ବର୍ଣ୍ଣନା ଓ ଠିକଣା କହିଗଲେ |
ସଂଧ୍ୟା ପଚାରିଲା, “ତୁମେ କଣ ଜାଣ ତାକୁ ? ତେବେ ତୁମ ଆଗରେ ତା ନାଁ କହିବା ମୋର ଠିକ ହୋଇନି | ରୋଗୀର ତଥ୍ୟ ଗୋପନ ରଖିବା ଆମର ନୈତିକ ଦାୟିତ୍ୱ | ଦୟାକରି କାହା ଆଗରେ କହିବନି ଏ କଥା |”
ସିଦ୍ଧାନ୍ତ କହିଲେ – “ହଁ, ତାକୁ ଜାଣେ | ମୋର ଅଫିସର ଜଣେ କର୍ମଚାରୀଙ୍କର ସେ ଦୂର ସମ୍ପର୍କୀୟ | ମୋର ବା କଣ ଦରକାର ତା ବିଷୟରେ କାହା ଆଗରେ କହିବାପାଇଁ ? ହେଲେ ତୁମେ ମୋ ବିଷୟରେ sure ତ ? ଆଉ ଥରେ ଟେଷ୍ଟ………… ”
“କଣ ହେବ ମୋର ଏବେ? ମୋତେ ଭଗବାନ କେଉଁ କର୍ମପାଇଁ ଏ ଦଣ୍ଡ ଦେଲେ ?”
ସିଦ୍ଧାନ୍ତ ନିଜ ମୁହଁକୁ ହାତ ପାପୁଲିରେ ଅନେକ ବେଳ ଯାଏଁ ଲୁଚେଇ ,ମୁଣ୍ଡ ପୋତି ବସି ରହିଲା |
ସଂଧ୍ୟା ମନେ ମନେ ଭାବିଲା – “ସିଦ୍ଧାନ୍ତ, ତୁମେ ଜାଣ, ଭଗବାନ ତୁମକୁ କେଉଁ କର୍ମର ଦଣ୍ଡ ଦେଇଛନ୍ତି |”
ସିଦ୍ଧାନ୍ତ ନିଜର କୁକର୍ମ ପାଇଁ ନିଜକୁ ଭର୍ତ୍ସନା କରୁଥାନ୍ତି | ସଂଧ୍ୟାର ମମତାମୟୀ କୋମଳ ଚେହେରାକୁ ଚାହିଁ ନିଜକୁ ଧିକ୍କାର କରିଚାଲିଥାନ୍ତି | ପ୍ରବଞ୍ଚନାର ମୂର୍ତ୍ତି ରଶ୍ମିତା କଥା ଭାବି କ୍ରୋଧରେ ଜର୍ଜରିତ ହୋଇପଡୁଥାନ୍ତି | ହେଲେ ପର ମୁହୂର୍ତ୍ତରେ ଶାନ୍ତ ହୋଇ ଭାବୁଥାନ୍ତି ଏ ରୋଗ ତାଙ୍କ କାମନାପୂର୍ତ୍ତିର ପ୍ରତୀକ ମାତ୍ର | ପରକୀୟା ପ୍ରୀତିର ପରିଣାମ ଏତେ ଭୟାବହ ହୋଇପାରେ, ସେ କଳନା କରିପାରୁ ନ ଥାନ୍ତି | ଆଉ କାହାକୁ ବା ଦାୟୀ କରିବେ ?
ସଂଧ୍ୟାର ହାତ ଦୁଇଟି ଧରି ଶିଶୁପରି କାନ୍ଦି ଉଠିଲେ, ଡାକ୍ତର ଓ ପତ୍ନୀ ହିସାବରେ ମୋର ଏ ତଥ୍ୟକୁ ଗୋପନ ରଖିବାର ଦାୟିତ୍ୱ ମଧ୍ୟ ତୁମର ସନ୍ଧ୍ୟା,….. କଣ ହେବ ଏବେ ? ଆମ ସଂସାର ଭାସିଗଲା … ପିଲାମାନଙ୍କୁ ଯେମିତି ଶେଷ ପର୍ଯ୍ୟନ୍ତ କିଛି ଜଣା ନ ପଡେ |
ସଂଧ୍ୟା ଛଳ ଛଳ ଆଖିରେ ଧୀରେ ମୁଣ୍ଡ ଟୁଙ୍ଗାରି ସିଦ୍ଧାନ୍ତ ଆଖିରୁ ଲୁହ ପୋଛିଦେଲା | ସେମିତି କେତେ ସମୟ ସେମାନେ ବସି ରହିଲେ ଜଣା ନାହିଁ | ପିଲାମାନେ ସ୍କୁଲରୁ ଫେରିଆସିବା ପୂର୍ବରୁ ଦୁହେଁ ନିଜକୁ ସହଜ କରିବାକୁ ଚେଷ୍ଟା କଲେ | ସିଦ୍ଧାନ୍ତ ପୂର୍ବାପେକ୍ଷା ଆହୁରି ସ୍ନେହୀ ହୋଇ ଉଠିଲେ ପିଲାମାନଙ୍କ ପାଇଁ, ପିଲାମାନେ ମଧ୍ୟ ଖୁସି ହୋଇ ଯାଉଥାନ୍ତି,| ନିଜର ପୂର୍ବ ପରିଚିତ ପିତାଙ୍କୁ ଫେରି ପାଇ | ସଂଧ୍ୟା ନିଜ କାମରେ ବ୍ୟସ୍ତ ରହିବାକୁ ଚେଷ୍ଟା କରୁଥାଏ |
ଦିନକୁ ଦିନ ସିଦ୍ଧାନ୍ତଙ୍କର ଅବସ୍ଥା ଖରାପ ଆଡକୁ ଗତି କରୁଥାଏ | ଜ୍ୱର ଭଲ ହେଲେ ଝାଡା , ଦୁର୍ବଳତା , ମୁଣ୍ଡବୁଲା | ଅନେକ ଆଣ୍ଟିବାୟୋଟିକ୍ସ ଖାଇ ଭଲ ହେଲା ବେଳକୁ କାଶ | ସଂଧ୍ୟା ସମସ୍ତ ପ୍ରକାର ସେବା କରିବାକୁ ଚେଷ୍ଟା କରୁଥାଏ | ସିଦ୍ଧାନ୍ତ ଅଫିସରୁ ଛୁଟି ନେଇ ବସିଥାନ୍ତି | ଦିନଯାକ ଏଡ଼ସ ସମ୍ବନ୍ଧୀୟ ଯାବତୀୟ ବହି ପଢ଼ନ୍ତି ଓ ସନ୍ଧ୍ୟାର ଆସିବା ବାଟକୁ ଚାହିଁ ରହନ୍ତି | ତାଙ୍କ ସୁଶ୍ରୀ ଚେହେରା ଭାଙ୍ଗିବାକୁ ଲାଗିଲା , ଆଖି ଭିତରକୁ ପଶିଗଲା | ଧୀରେ ଧୀରେ ଅସ୍ତିକଙ୍କାଳ ମାଳ ପରି ଦେଖାଗଲେ |
ରୋଗ ସହ ସଂଧ୍ୟାର ବିଶ୍ୱାସରେ ବିଷ ଦେଇଥିବାର ଦୋଷୀଭାବ ମିଶି ଘୁଣ ପୋକ ପରି ସିଦ୍ଧାନ୍ତ ଘୁଣି ଖାଉଥାନ୍ତି । ସଂଧ୍ୟା କପାଳର ବଡ ସିନ୍ଦୁର ଟୋପା ଓ ସିନ୍ଦୁରଗାରକୁ ଦେଖିଦେଲେ ନିଜକୁ ବଡ ଦୁର୍ବଳ ମନେ କରନ୍ତି । ଭାବନ୍ତି ସତରେ ସେ କଣ ସଂଧ୍ୟାର ସେ ସିନ୍ଦୁରଟୋପର ଯୋଗ୍ୟ ? ପୁଣି ଭାବନ୍ତି ଯଦି ସଂଧ୍ୟା ମୋତେ କ୍ଷମା ନ ଦେଲେ ? ମୁଁ ତ ଜୀଇଁ ଥାଉ ଥାଉ ମରିଯିବି ।
ଏ ଭିତରେ ଗୋଟିଏ ମାସ ଅତିବାହିତ ହୋଇଗଲା । ଥରେ ଦ୍ୱିପ୍ରହରରେ ପେଟରେ ଅସହ୍ୟ ଯନ୍ତ୍ରଣା ସହି ନ ପରି ଆତ୍ମହତ୍ୟା କରିବାକୁ ସ୍ଥିର କରି ନିଦ ବଟିକା ଖାଇବାକୁ ଚେଷ୍ଟା କଲେ, ହେଲେ ଠିକ ସେତିକିବେଳକୁ ସଂଧ୍ୟା ଅଫିସରୁ ଫେରି ହାତରୁ ନିଦ ବଟିକା ସବୁ ଫିଙ୍ଗିଦେଲେ ।
ସିଦ୍ଧାନ୍ତ କଇଁ କଇଁ ହୋଇ କାନ୍ଦିଉଠି କହିଲେ ସଂଧ୍ୟା ମୋତେ ମୃତ୍ୟୁ ଦିଅ । ତୁମେ ଡାକ୍ତର, ତୁମେ ଚାହିଁଲେ ପାରିବ । ମୁଁ ତୁମ ପାଦ ଧରୁଛି । ସଂଧ୍ୟା ସଙ୍ଗେ ସଙ୍ଗେ ଗୋଟିଏ ଇଞ୍ଜେକ୍ସନ ଦେଇ କହିଲେ । ପେଟ ବଥା ଏବେ ସଙ୍ଗେ ସଙ୍ଗେ ଭଲ ହୋଇଯିବ । ଆଉ ଏମିତି କାମ କରିବନି ।”
ସିଦ୍ଧାନ୍ତ ଟିକିଏ ସାଷ୍ଟାମ ହୋଇ କହିଲେ “ସଂଧ୍ୟା ମୋତେ କ୍ଷମା କରିଦିଅ ମୁଁ ତୁମ ସହ ଅନ୍ୟାୟ କରିଛି ।
ସଂଧ୍ୟା ଆଶ୍ଚର୍ଯ୍ୟ ହୋଇ ପଚାରିଲା ” କ୍ଷମା?”
ସିଦ୍ଧାନ୍ତ କହିଲେ ” ମୁଁ ତୁମର ଅପରାଧୀ । ମନେ ଅଛି ତୁମର ସେ ରୋଗୀ ରଶ୍ମିତା କଥା ….ତା’ ଯୋଗୁଁ ଆଜି ମୋର ଏ ଅବସ୍ଥା । ଆମୂଳଚୂଳ ବର୍ଣ୍ଣନା କରିଚାଲିଲେ ରଶ୍ମିତା ସହ ତାଙ୍କ ସମ୍ପର୍କ କଥା । ଶେଷରେ ପୁଣି କହିଲେ ମୁ ଜାଣେ ସଂଧ୍ୟା ମୁଁ ଅକ୍ଷମଣୀୟ ଅପରାଧ କରିଛି । ତଥାପି କଣ ଥରେ ମୋତେ କ୍ଷମା କରିବନି ?”
ସଂଧ୍ୟା ଛିଡାହୋଇପଡ଼ି କହିଲା ” ମୁଁ ଅବା କ୍ଷମା ଦେବା ଯୋଗ୍ୟ ହେଲି କେବେ ?” ସିଦ୍ଧାନ୍ତ ପୁଣି ଅନୁନୟ କରି କହିଲେ, “ଏମିତି
ନିର୍ଦ୍ଦୟ ହୁଅନି ସଂଧ୍ୟା । ନାରୀ ତ କରୁଣାର ଅବତାର । ମୋ ଜୀବନରେ ବା ଆଉ କେତେ ଦିନ ଅଛି । ମୋତେ କ୍ଷମା କରିଦିଅ ।“

ସଂଧ୍ୟା ବିଜୟିନୀର ହସ ଖେଳାଇ କହିଲା ” ନାରୀକୁ କରୁଣାର ମୂର୍ତ୍ତି କହି ତା ସହିଷ୍ଣୁତାକୁ ତା ଦୁର୍ବଳତା ଭାବି ତାଙ୍କୁ ଭୋଗ କରି ମନ ଭରିଗଲେ ଫିଙ୍ଗିଦେବାଟା ପୁରୁଷମାନଙ୍କ ପୁରୁଣା ଅଭ୍ୟାସ।“
“ତୁମର କର୍ମପାଇଁ ତୁମେ ତୁମ କର୍ମଫଳ ଭୋଗି ସାରିଲଣି । ତୁମ ଜାଣିବାପାଇଁ କହୁଛି, “ତୁମକୁ ଏଡସ ହୋଇନି।”
ଆକାଶରୁ ପଡ଼ିଲାପରି ମନେହେଲା ସିଦ୍ଧାନ୍ତଙ୍କର । ସଂଧ୍ୟା କହିଚାଲିଥଏ –“ରଶ୍ମିତା ବିଷୟରେ ମୁଁ ଯେତେବେଳେ ଜାଣିଲି ଅନ୍ୟମାନଙ୍କପରି ଅଶ୍ରୁମୋଚନକରି ଏତେ ଘନିଷ୍ଠ ଆମର ସମ୍ପର୍କକୁ ରିକ୍ତ ଛାଡପତ୍ର ରେ ଶେଷ କରିବାକୁ ଚାହିଁଲିନି | ରଶ୍ମିତାକୁ ରେସ୍ତୋରାଁର ଦେଖାକରି କହିଲି – ଏବେ ଚାହିଁଲେ ଏମିତି ଉପାୟରେ ତୋ ଜୀବନ ନେବି ଯେ ତୁ ତ ଜାଣିବା ଦୂରର କଥା ଡାକ୍ତରମାନେ ମଧ୍ୟ ଜାଣିବେନି ତୋ ମୃତ୍ୟୁର ରହସ୍ୟ | ତେବେ ଏହା ଆମର ବୃତ୍ତିର ବିରୋଧୀ | ତେବେ କୌଣସି ଭାରତୀୟ ସ୍ତ୍ରୀର ପରିବାରର ଶାନ୍ତି ଉପରେ ଆଖି ପକେଇଲେ ସେ ଡାକ୍ତର ବୋଲି ଭୁଲି କିଛି ବି କରିପାରେ | ସେତିକିରେ ତା ପ୍ରେମରୋଗ ଥଣ୍ଡା ହୋଇଗଲା …..ଓଃ …ହଁ …. ମୋତେ ମୋ ହୀରା ବ୍ରସେଲେଟ ମଧ୍ୟ ମିଳିଗଲା |”
ସିଦ୍ଧାନ୍ତ ମୁଣ୍ଡ ତଳକୁ ପୋତି ବସିଥା’ନ୍ତି | ଭାବୁଥାନ୍ତି , ଏ ପୃଥିବୀ ଦିନେ ସୀତା ମା’ ଙ୍କ ଅପମାନ ଜର୍ଜରିତ ଜୀବନକୁ ଯେମିତି ଆଗୁଳି ନେଇଥିଲା , ଆଜି ହେଲେ ସେମିତି ଫାଟି ଯାଆନ୍ତା …ମୁଁ ବି ମାଟିରେ ମିଶି ଯାନ୍ତି |
ଧୀରେ ମୁଣ୍ଡ ଟେକି ପଚାରିଲେ ତେବେ ମୋର ଏ ଯେଉଁ ଦେହ ଖରାପ ହେଉଛି, ତା’ର କାରଣ କଣ ?
“ପ୍ରଥମେ ଯେଉଁ ଜ୍ୱର ହୋଇଥିଲେ ତା ହେଲା ଭୂତାଣୁ ଜନିତ କିନ୍ତୁ ତା’ ପରେ ଯାହା ହେଲା ତା ସବୁ ତୁମ ମାନସ ଜନିତ ଓ କିଛି ଆଣ୍ଟିବାଓଟିକ୍ସ ଜନିତ | ଆଉ କିଛି କାମଦେଲା ତୁମ ଦୋଷୀଭାବ | “
“ଭାବୁଥିବ, ଆତ୍ମହତ୍ୟା କରିବାର ଉପକ୍ରମ କଲା ବେଳକୁ ମୁଁ କେମିତି ଆସି ସଂଗେ ସଂଗେ ହାଜ଼ର ହୋଇଗଲି ! ମୁଁ ତୁମ ପାଇଁ କେତେ ମୂଲ୍ୟବାନ, ମୁଁ ଜାଣେନି …କିନ୍ତୁ ତୁମେ ମୋ ପାଇଁ ଓ ଆମ ଛୁଆମାନଙ୍କ ପାଇଁ ଆମ ଜୀବନଠାରୁ ବି ଅଧିକ | ମୁଁ ସ୍ପାୟ କ୍ୟାମେରା ଲଗେଇ ରଖି ନିରନ୍ତର ତୁମ ଉପରେ ନଜର ରଖିଥିଲି |”
ସନ୍ଧ୍ୟା କହି ଚାଲିଥାଏ– “ସେ ଯୁଗ ବିତିଗଲା ଯେବେ ନାରୀକୁ ପୁରୁଷ ପାଦଧୂଳି ମନେ କରୁଥିଲା | ଶାରୀରିକ ଶକ୍ତି ସଂଗ୍ରହ କରିବାକୁ ହୁଏତ ଆମକୁ ସୁଯୋଗ ମିଳିନି କିନ୍ତୁ ମାନସିକ ଶକ୍ତି କିଛି କମ ନାହିଁ | ଯାଅ ସିଦ୍ଧାନ୍ତ ତୁମକୁ କ୍ଷମା ଦେଲି |”
He injures, but He binds up; He strikes, but His hands heal……
ସିଦ୍ଧାନ୍ତ ନିଜ ସାମନାରେ ସନ୍ଧ୍ୟା ପରିବର୍ତ୍ତେ ଦଶଭୁଜା ମା’ ଦୁର୍ଗାଙ୍କୁ ଦେଖୁଥାନ୍ତି | ସେ ରୂପ ସୌମ୍ୟ, ଶାନ୍ତ, ପୁଣି ଲୁକ୍କାୟିତ ଶକ୍ତିର ଉତ୍ସ ପରି ମନେ ହେଉଥାଏ|
ସ୍ୱତଃପ୍ରଵୃତଃ ସେ ଆଣ୍ଠେଇ ପଡି ସ୍ତୁତି କରିବାକୁ ଲାଗିଲେ …
ଯା ଦେବୀ ସର୍ବଭୂତେଷୁ ଶକ୍ତିରୂପେଣ ସଂସ୍ଥିତା
ନମସ୍ତସ୍ୟୈ ନମସ୍ତସ୍ୟୈ ନମସ୍ତସ୍ୟୈ ନମୋନମଃ ||
xxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxx
ସବୁ ସୃଜନୀର ଏକ ଭାଗ୍ୟ ଥାଏ ବୋଧେ….ଏ କ୍ଷୁଦ୍ର ଗଳ୍ପ କେବେ କୌଣସି ପତ୍ରିକାର ସୂଚୀପତ୍ର ମଣ୍ଡନ କରିନି , ନାନାଦି କାରଣ ଯୋଗୁଁ … ମେଡିକାଲ କଲେଜର ଲାଇବ୍ରେରୀରେ ବସି ପି .ଜି . ପରୀକ୍ଷାର ପ୍ରସ୍ତୁତିକାଳୀନ ସମୟରେ ଲେଖା ହୋଇ, ଜଣେ ଅଧେ ସୁ-ପାଠକଙ୍କ ସୁମତାମତରେ ସନ୍ତୁଷ୍ଟ ହୋଇ ଡାଏରୀ ରେ ଚେକିମାରି ସେମିତି ଶୋଇଗଲା |ଅନେକ ବର୍ଷ ପରେ ମୋ ମା’ଙ୍କର ଅନୁରୋଧରେ ଏ କ୍ଷୁଦ୍ର ଗଳ୍ପକୁ ଏକାଙ୍କିକା ରେ ପରିବର୍ତ୍ତିତ କରି ତାଙ୍କ ଲେଡ଼ିଜ କ୍ଲବ ସଭ୍ୟା ମାନଙ୍କୁ ନେଇ ଏକ ନାଟକ ମଧ୍ୟ ମଞ୍ଚସ୍ଥ ହେଲା |ଏ ଲେଖିକା ସେତେବେଳେ ନିର୍ଦ୍ଦେଶିକା ମଧ୍ୟ ସାଜିଲା ଓ ଏକ ଦୃଶ୍ୟରେ ନୃତ୍ୟ ମଧ୍ୟ ପରିବେଷଣ କଲା|
ସନ୍ତୁଷ୍ଟିର ବିଷୟ ଥିଲା ଯେ , ଅନେକ ଦର୍ଶକ ଶେଷ ଯାଏ ଏ କାହାଣୀ ର ସସ୍ପେନ୍ସ (ରହସ୍ୟ ଚାତୁରୀ ) ଉପଭୋଗ କରିଥିଲେ …. ଅନେକ ବର୍ଷ ପରେ ଡିଜିଟାଲ ମିଡ଼ିଆ ମାଧ୍ୟମରେ ଆପଣଙ୍କ ସମ୍ମୁଖରେ ଆଉ ଥରେ ଏ କାହାଣୀ ନେଇ ….

Leave a Reply

Your email address will not be published. Required fields are marked *