ଶଙ୍ଖ-ଗାଥା

ସାହିତ୍ୟ-ଇତିହାସ
October 6, 2023
YA DEVI SARVABHUTESHU
YA DEVI SARVABHUTESHU
October 17, 2023

ଡଃ ବିୟତପ୍ରଜ୍ଞା ଆଚାର୍ଯ୍ୟ
ପ୍ରଫେସର ବାୟୋକେମିଷ୍ଟ୍ରି, କୀମସ

——————————————

ଏ ଶଙ୍ଖ କୁ ନେଇ ଗୋଟେ ମଜା କଥା | ସେତେବେଳେ ମୁଁ ପୁଦୁଚେରୀ ରେ କାମ କରୁଥାଏ | ସକାଳୁ ପୂଜା ସାରି ତରବରରେ କଲେଜ ବାହାରିବା ପୂର୍ବରୁ ଶଙ୍ଖ ମନ ଖୋଲି ବଜାଏ | ତା’ ପଛରେ ବି କାରଣଟେ ଥାଏ | ଆମ ଶାଶୁ ଘରେ ବହୁ ଦିନ ତଳେ ଗାଈ ବଳଦ ସବୁ ଫାଟୁଆ ରୋଗରେ ଆକ୍ରାନ୍ତ ହୋଇ ମରି ଯାଉଥିବାରୁ ଆମ ଇଷ୍ଟଦେବୀ ଘାଗୁଡିଶୁଣୀଙ୍କୁ ଘଣ୍ଟି ଜଚା ହୋଇଥିଲା | ଆଉ ତା’ ପରଠୁ ଘଣ୍ଟି ପୂଜାରେ ମନା; ପାଉଁଜିରେ ଝୁମୁକା ମନା | ଏ ସବୁ କେବେ ଆରମ୍ଭ ହେଇଥିଲା, କ’ଣ ତତ୍ତ୍ୱ ଏହା ପଛରେ, କେହି କହି ପାରିବେନି କିନ୍ତୁ ସବୁ ମନା | ଠାକୁରଙ୍କ ବିଷୟରେ କେହି ପ୍ରଶ୍ନ ଉଠେଇ ପାରିବେନି I ଆଉ ଠାକୁରାଣୀ ହେଲେ ତ କଥା ସରିଲା I ମୋ ଶାଶୁ ଶ୍ୱଶୁର ମନା କରିଛନ୍ତି, ତାଙ୍କୁ ତାଙ୍କ ଶାଶୁ ଶ୍ୱଶୁର …ବାସ ଏଠି ଶାସ୍ତ୍ର, ତର୍କ , ତର୍ଜମାର ସ୍ଥାନ ନ ଥାଏ I ଠାକୁରେ ତ ଆମ ବାପା ମା’ ସମାନ; କେଉଁ ବାପା ମା’ ନିଜ ସନ୍ତାନର ତଣ୍ଟି ମୋଡ଼ି ଖାଇବାକୁ ବସିଛି ଭଲା !

କହିବା ବାହୁଲ୍ୟ, ପୂଜା କଲା ବେଳକୁ ଘଣ୍ଟି ନ ବଜେଇଲେ ଅଧୁରା ଲାଗୁଥିଲା | ତେଣୁ ମନ ଭରି ଶଙ୍ଖ ବଜେଇଲି | କୋଉ ଗୋଟେ ତ ମଙ୍ଗଳ ବାଦ୍ୟ ବଜେଇ ଘରେ ସକାରାତ୍ମକ ଉର୍ଜା ଜଗେଇବି ! ଆଉ ସତ କହିବାକୁ ଗଲେ ଶଙ୍ଖ ବଜେଇ ମୋତେ ଭାରୀ ଆନନ୍ଦିତ ଲାଗେ | ଏକାଗ୍ର ହୋଇଯାଏ ଚେତନା, କୂଟସ୍ଥରେ ରହି ହୋଇଯାଏ କିଛି ସମୟ | କେହି ତ ଆଖପାଖରେ ଆଉ ବଜାନ୍ତିନି, ନିଜ ସହ ପ୍ରତିଯୋଗିତା କରି କେତେ ସମୟ ଅଧିକ ବଜେଇଲି ଭାବି ଖୁସି ହୋଇଯାଏ I ମୋର ଧାରଣା ଥାଏ ଘଣ୍ଟି ଠୁ ଏଇଟା ଭଲ | ଯେହେତୁ ଅଖା ପାଖ ଲୋକ ବି ଟିକେ ଶଙ୍ଖଧ୍ୱନି ଶୁଣି ନେଉଛନ୍ତି |

ଦିନେ ମୋ ପଡୋଶୀ ଟିକେ ଲାଜେଇ ଲାଜେଇ ପଚାରିଲା , “ଆପଣ କଣ ଶଙ୍ଖ ସବୁଦିନ ବଜାନ୍ତି ? ମୁଁ କହିଲି , ପ୍ରକୃତରେ ଟିକେ ଖାସ ପୂଜା ଦିନମାନଙ୍କରେ ଆମେ ବଜାଉ ଯେ , ହେଲେ ଘଣ୍ଟି ଯେହେତୁ ମନା ଆମ ଘରେ, ମୁଁ ଏହାକୁ ପ୍ରତିବଦଳରେ ବଜାଉଛି |” ଆଉ ଭିତରେ ଭିତରେ ଟିକେ ଗର୍ବିତ ମଧ୍ୟ ହେଲି | 😃 କହିଛି ତ ଆଗରୁ, ସାତ୍ତ୍ଵିକ ଅହଂ ସବୁଠୁ ଅଧିକ ମାରାତ୍ମକ ….ଠାକୁରେ ବି ଭଲ କର୍ମଫଳଟିଏ ମୋ ପାଇଁ ସଜିଲ କରି ଦେଲେ I

ତା’ ପରେ ସେ ଟିକେ ଇତଃସ୍ତତଃ ହୋଇ କହିଲେ , “ମାଡାମ ସତ କହିବାକୁ ଗଲେ ଏହା କେବଳ ଆମ ମଲାଘରେ ବଜା ହୁଏ , ଯେତେବେଳେ ଘରୁ ଶବାଧାର ବୁହା ହୋଇଯାଏ |” ବଡ ଅଦ୍ଭୁତ ଆମର ଦେଶ ଏ – ଏତେ ବିବିଧତା ! ଆଖପାଖ ଲୋକଙ୍କୁ ସମ୍ମାନ ଜଣାଇ ଶଙ୍ଖ ବଜେଇବା ବନ୍ଦ କରିଦେଲି |
ପରେ ଜଣେ ଵିଜ୍ଞ ଲୋକଙ୍କ ଠାରୁ ଜାଣିଲି ଯେ ଘଣ୍ଟି ନ ବଜେଇ ପ୍ରସାଦ ଲଗେଇଲେ ତାହା ବରଂ ଅଶୁଭ | ମୁଁ କହିଲି, “ଯାଃ- ମୋ ମନ ଯୋଉଥିରେ ଖୁସି ହେବ ସେଇୟା କରିବି | ଠାକୁର ତ ନିଜେ କହିଲେ – ଶୁଭାଶୁଭ ପରିତ୍ୟାଗୀ , ଭକ୍ତିମାନ୍ୟଃ ସ ମେ ପ୍ରିୟଃ | ଏଥର ଘଣ୍ଟି ସଜୋରେ ବଜେଇଲି | ଶଙ୍ଖ ଆବଶ୍ୟକ ସ୍ଥଳେ ଅଳ୍ପ ବଜେଇଲି | ଓଡିଶା ଫେରିଲା ପରେ ଉଭୟ ବ୍ୟବହାର କଲି ସମାନ ଭାବରେ I

ପରେ ପଚରା ଉଚୁରା କଲାରୁ ଦୁଇଟି ମତବାଦ ବାହାରିଲା |
ତାମିଲ ଲୋକମାନେ ମୃତ୍ୟୁକୁ ଉତ୍ସବ ପରି ପାଳନ କରନ୍ତି | ଯଦି ବୁଢା ବୁଢ଼ୀ ମୃତ୍ୟୁବରଣ କରନ୍ତି, ତେବେ ତ ନାଚି ଗାଇ ସେମାନଙ୍କୁ ସିଂହାସନରେ ବସେଇ , କେତେବେଳେ ରଜନୀକାନ୍ତ ବେଶ କରି ଶୋଭାଯାତ୍ରାରେ ନେଇ ଦାହ କରନ୍ତି | ତେଣୁ ସେଇ ସମୟରେ ସମସ୍ତେ ମଙ୍ଗଳ ବାଦ୍ୟ ବଜାନ୍ତି ଏବଂ ଶଙ୍ଖ ସେଥିରୁ ଗୋଟିଏ | ତେବେ ଲୋକେ ତାହାକୁ ମୃତ୍ୟୁ ସହ ଯୋଡି ଦେଇ ଅଶୁଭ ବୋଲି ଧରି ନେଇଛନ୍ତି |

ଦ୍ଵିତୀୟ ମତବାଦ- ରାମ-ରାବଣ ଯୁଦ୍ଧ ବେଳେ ଯେତେ ଥର ଗୋଟିଏ ଅସୁର ମରୁଥିଲେ , ଏପଟେ ବାନର ସେନାରେ ଥରେ ଶଙ୍ଖ ନାଦ ହେଉଥିଲା | ତାମିଲ ମାନେ ନିଜକୁ ଦ୍ରାବିଡ଼ ଏବଂ ରାବଣ ବଂଶଜ ବୋଲି ଭାବନ୍ତି | ତେଣୁ ସେମାନେ ଶଙ୍ଖକୁ ଅଶୁଭ ବୋଲି ମାନନ୍ତି |
ତେବେ ମୋତେ ପ୍ରଥମ ମତବାଦ ବେଶୀ ଠିକ ଲାଗୁଛି |

ଇଏ ହେଲା ମୋ ଶଙ୍ଖ ଗାଥା |
ଏବେ ଆସିବା ବୈଜ୍ଞାନିକ ତଥ୍ୟକୁ I ଶଙ୍ଖ ବାଦନ ଦ୍ୱାରା ଫୁସଫୁସର ଅନୁବୃତ୍ତି (lung compliance) ବହୁତ ବଢେ | ଶଙ୍ଖ ବଜେଇବା ଦ୍ୱାରା ଯେଉଁ କମ୍ପନ ସୃଷ୍ଟି ହୁଏ, ସେଥିରେ ବାତାବରଣ ଶୁଦ୍ଧ ହୋଇଯାଏ I ଘଣ୍ଟନାଦ ବାତାବରଣର ନିମ୍ନ ଭାଗକୁ ଯଦି ଶୁଦ୍ଧ କରେ, ଶଙ୍ଖନାଦ ଉର୍ଦ୍ଧ୍ଵଭାଗକୁ ; ତେଣୁ ଉଭୟର ଆବଶ୍ୟକତା ରହିଛି ପୂଜାବିଧି ସମୟରେ I ଶଙ୍ଖ ବାଦନ ଦ୍ୱାରା ଏକାଗ୍ରତା ମଧ୍ୟ ବଢେ Iନିୟମିତ ଶଙ୍ଖ ଫୁଙ୍କିବା ଦ୍ୱାରା ପିଲାଙ୍କର ଖନା ଦୋଷ ଠିକ ହୁଏ I ହୃଦୟ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହେ I ଶଙ୍ଖରେ ରାତିରେ ପାଣି ରଖି ତା ପରଦିନ ପିଇଲେ ତାହା ସ୍ୱାସ୍ଥ୍ୟ ପକ୍ଷେ ହିତକର, କାରଣ ସେଥିରେ ଥିବା କ୍ୟାଲସିଅମ, ଫସ୍ଫରସ ଓ ସଲଫର ତତ୍ତ୍ୱ ଶରୀରକୁ ସୁସ୍ଥ ରଖେ I ଭାରତୀୟ ପୂଜାବିଧିରେ ବ୍ୟବହାର ହେଉଥିବା ଦ୍ରବ୍ୟ ସବୁ ଅଥବା ବହୁତ ପୁରୁଣା କାଳରୁ ଚାଲି ଆସୁଥିବା ପ୍ରଥା ସବୁ ପଛରେ ଅନେକ ବିଜ୍ଞାନ ସମ୍ମତ କାରଣ ରହିଥିଲା ଓ ସମୟ ସହ ତାଳ ଦେଇ ତାହା ମଝି ମଝିରେ ବଦଳା ମଧ୍ୟ ଯାଉଥିଲା I ତେଣୁ ଏ ସବୁର ଉପକାରିତା ବୁଝନ୍ତୁ, ଅନ୍ଧ ଭାବେ ଗ୍ରହଣ କରନ୍ତୁ ନାହିଁ କିମ୍ବା ପୁରାତନ ପ୍ରଥା କହି ସମ୍ପୂର୍ଣ ଭାବେ ତ୍ୟାଗ କରନ୍ତୁ ନାହିଁ I
llଶୁଭମସ୍ତୁ ll

Leave a Reply

Your email address will not be published. Required fields are marked *