ଶୁଦ୍ଧଘର

ଅଟ୍ଟାଳିକା-ମାଳ
May 27, 2024

ଡଃ ବିୟତପ୍ରଜ୍ଞା ଆଚାର୍ଯ୍ୟ
ପ୍ରଫେସର, ବାୟୋକେମିଷ୍ଟ୍ରି
————————-

ଜୀୟା ଆସିଲାଦିନୁ ଜେଜେବାପାଙ୍କ ପାଖ ଛାଡୁ ନ ଥାଏ | ତାଙ୍କରି ପାଖରେ ଖିଆ, ପିଆ, ଶୁଆ, ଗପଶୁଣା | ତା’ ବୟସ ସେତେ ବେଶୀ ହୋଇ ନ ଥାଏ ଯେ, ସେ ବୁଝିବ, ଘରେ କିଛି ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି ବୋଲି |
ଯାହା ଶୁଣାଶୁଣିରେ ବୁଝିଛି, ଏଇ ‘ଶୁଦ୍ଧଘର’ ଜେଜେଙ୍କ ମା’ଙ୍କ ପାଇଁ ଯିଏ ୯୨ ବର୍ଷରେ ମରିଗଲେ | ସେଥିପାଇଁ ଜେଜେଙ୍କ ସମେତ ଆହୁରି ବହୁତ ଲୋକ ଏକାଠି ହୋଇଛନ୍ତି | ବାଃ ! କି ମଜା |
ମାମା ତାକୁ ବାଡ଼ିପଟକୁ ନେଇ କୌଣସିମତେ ଗାଧୁଆ ପାଧୁଆ କରେଇ ଦେଲାପରେ କଣ ଟିକିଏ ଖାଇଦେଇ ସେ ଜେଜେଙ୍କ ପାଖରେ ପହଞ୍ଚିଯାଏ | ମାମାଟା ମୁଣ୍ଡରେ ଓଢଣା ଦେଲା ବେଳକୁ ବଡ ଅଜବ ଦେଖା ଯାଉଥାଏ | ଜୀୟା ତା’ ଅସହାୟବୋଧତାକୁ ଦେଖି ଫିକ କିନା ହସି ଦେଉଥାଏ | ନା ମାମା ତାକୁ ବଡ଼ପାଟିରେ ଡାକିପାରୁଛି ନା ହୋମୱାର୍କ ପାଇଁ ହୁକୁମ କରିପାରୁଛି |
ହେଲେ ଆଜି ଦଶ ତୁଠକୁ ଆସି ବାରିକାଣୀ ଓ ତାଙ୍କ ଘର ସ୍ତ୍ରୀ ଲୋକଙ୍କ ଭିତରେ ଝଗଡା ଦେଖି ସେ ହତଚକିତ ହୋଇ ଯାଇଛି |
ପାଖ ତୁଠରେ ଘର ଯାକର ପୁରୁଷ ଲୋକ ଲଣ୍ଡା ହୋଇ ନିଶ, ଦାଢ଼ି କାଟି ସବୁ ଏକାପରି ଦିଶୁଥା’ନ୍ତି | ତା’ ଜେଜେଙ୍କୁ ଅନେକ ସମୟ ପରେ ଠାବ କରି ପାରିଲା |
ପରେ ସୁଯୋଗ ଦେଖି ଜେଜେଙ୍କୁ ପାଇ ମନରେ ଉଠୁଥିବା ଗୁଡ଼ାଏ ପ୍ରଶ୍ନକୁ ଏକାସଙ୍ଗେ ଅଜାଡି ଦେଲା | ଜେଜେ ରିଟାୟାର୍ଡ ଗଣିତ ପ୍ରଫେସର | ସେ ସମସ୍ତଙ୍କୁ କହନ୍ତି “ପ୍ରଶ୍ନ କରେ ଆଉ ନିଜେ ଅଧୟନ ବି କର |” ଜୀୟା ଭାବେ ଜେଜେ ମାମାଠୁ କେତେ ଅଲଗା | ଯାହା ପ୍ରଶ୍ନ ପଚାରିଲେ ତା’ ଉତ୍ତର ନ ଦେଇ ଖାଲି ପରୀକ୍ଷାରେ ଏଇଟା ପଡିବ , ସେଇଟା ପଡିବ ବୋଲି କହି ବହିପାଠ ଘୋଷେଇ ଦିଏ |ଆଉ ଜେଜେ ଏମିତି ଯେ, ନିଜେ ଉପରେ ପଡି ପଚାରନ୍ତି “ଜୀୟା , କାଇଁ ଏଇଟା ତ ପଚାରିଲୁନି ମା” |
ଜୀୟା – “ଜେଜେ, ଆଜି ଏପଟେ ଆମ ତୁଠରେ କ’ଣ ହେଲା ଜାଣ , ବାରିକାଣୀ ସାଙ୍ଗେ ପୁରା ଯୁଦ୍ଧ | ଗାଁରୁ ତୁମର ସେଇ ଜଣେ ଯେଉଁ ଭାଉଜ ଆସିଛନ୍ତି ଯିଏ ଖାଲି ମଝିରେ ବସିକି ସମସ୍ତଙ୍କୁ କାମ କରାନ୍ତି, ସେ କହୁଥାନ୍ତି ଆମେ ଗାଧେଇକି ଆସିଲେ ଆମ ନଖ କାଟିକି ଅଳତା ଲଗେଇବୁ |ବାରିକାଣୀ ବି ବହୁତ ରାଗୀ | ସେ କହିଲା ତୁମ ଆଡେ କ’ଣ ହେଉଥିବ | ଏଠି ଆମର ଆଗ ନଖ ,ଚୁଟି କାଟିଲେ ହିଁ ତୁଠରେ ପଶନ୍ତି |
ଏପଟେ ଘରେ କିଏ କହୁଛି ଏ ଜିନିଷ ଛୁଁ ନା ,ସେ ଜିନିଷ ଖା ନା | ଚିକେନ ବି ମନା କରିଛନ୍ତି ଖାଇବାକୁ |

ଆମକୁ କେହି ଛୁଁ ନାହାନ୍ତି ,ଆମେ ବି କାହାକୁ ଛୁଁ ନୁ …. ସମସ୍ତଙ୍କ ଦାଣ୍ଡ ପିଣ୍ଡାରେ ଠିଆ ହୋଇ ପଳେଇ ଆସୁଛୁ |
ଜେଜେ ଆଗ ବହେ ହସିଲେ -”ମା’ ମୋର keen observer .ବଢିଆ ଦେଖୁଚୁ ଆଉ ଶିଖୁଛୁ ତ !”

(୨)
ଜୀୟା ଜେଜେଙ୍କ ସାଙ୍ଗରେ ଗାଁ ମୁଣ୍ଡ ପାନ ଦୋକାନ ବୁଲିବାକୁ ଯାଉଥାଏ | ରଘୁଆର ପୁଅ ବୋଲି ସମ୍ବୋଧନ କରି ଜେଜେ ନିଜ ପାଇଁ ୨ ଖଣ୍ଡ ମିଠାପାନ ଭଙ୍ଗେଇଲେ ଆଉ ଜୀୟା ପାଇଁ ୨ଟା ଚକୋଲେଟ ଦେଲେ | ରଘୁଆ ପୁଅ ଟିକେ ସଙ୍କୋଚ କରି ପଚାରିଲା – ” ଆଉ କେତେଦିନ ରହିଲା ଆଜ୍ଞା ? ଟିକିଏ ପାଖେଇକି ଠିଆ ହୁଅନ୍ତୁ ତ ! ଗାଁ ଲୋକ ମାରା ବୋଲି ଜାଣିଲେ ମୋତେ ରଖିବେନି |”
ଜେଜେ ଟିକେ ବି ଅପମାନିତ ନ ହୋଇ ଅଲଗା ହୋଇ ଠିଆ ହେଲେ ହସି ହସି | ରଘୁଆ ପୁଅ ପଇସା ରଖିଦେବାକୁ କହିଲା ଓ ପାନ ୨ଖଣ୍ଡ ମଧ୍ୟ ୧୦ ସେଣ୍ଟିମିଟର ଉପରୁ ଛାଡିଦେଲା | ଜୀୟାକୁ ବଡ ଅଡୁଆ ଲାଗୁଥାଏ |
ଜୀୟା ପଚାରିଲା — ” ଜେଜେ ତମକୁ ଖରାପ ଲାଗିଲାନି ଏମିତି ଅଛୁଆଁ ପରି ତମକୁ ଜିନିଷ ବଢ଼ାଇଲା ସେ ପାନ ଦୋକାନୀ ?
ଜେଜେ ହସିଲେ — “ନା ବିଲକୁଲ ନୁହେଁ । ଆସେ, ଆଜି କହୁଛି ଆମ ଏ ସବୁ ଶୁଦ୍ଧଘର ରୀତିନୀତି ପଛରେ ରହିଥିବା ବିଜ୍ଞାନସମ୍ମତ କାରଣ ସବୁ । ଶୁଦ୍ଧିକର୍ମଟି ଆମର ଷୋଳ ସଂସ୍କାର ମଧ୍ୟରୁ ଗୋଟିଏ ଓ ଶେଷ ସଂସ୍କାର । ମୃତ୍ୟୁ ଏକ ସତ୍ୟ ଓ ଅବଶ୍ୟମ୍ଭାବୀ । ଏଥିରେ ଅତି ଶୋକ ନ କରି ପୁନଶ୍ଚ ନିଜ କାମରେ ଲାଗିଯିବ ଉଚିତ । ଆମ ବୈଦିକ ପଦ୍ଧତି ଅନୁସାରେ ଦାହ ସଂସ୍କାର ସରିଲା ପରେ ଶୁଦ୍ଧିକରଣ କରି ଯଜ୍ଞ , ଆହୁତି ଆଦି କରାଯାଏ । ତେବେ କେବେ ଓ କେମିତି ଏତେ ରୀତିନୀତି ପଶିଗଲା ?”
ଜୀୟା : “ହଁ ପରା ଜେଜେ , ଥରେ ମୋ ସାଙ୍ଗର ଜେଜେମା ମରିଯାଇଥିଲେ ବୋଲି ମୁଁ ଦେଖିବାକୁ ଯାଇଥିଲି । ମାମା ପରେ ଆସି ଘରେ ପ୍ରବଳ ଶୋଧିଲା । ମତେ ଅଛୁଆଁ କରି ଠିଆ କରାଇ ରଖି ଲୁଗାପଟI ନିଜେ ବାଥରୁମ୍ ରେ ରଖି ଭଲ କରି ଗାଧୋଇ ଆସିବାକୁ କହିଲା । ମୋତେ ବହୁତ ରାଗ ମାଡିଲା ସେ ଦିନ; ପଚାରିଲେ ଖାଲି ବୁଝେଇଲା — ‘ମଡ଼ାମାରା’ ହୋଇ ଆସିଛୁ ।”।
ଜେଜେ : “ମାମା ତୋର ଠିକ୍ କାମ କରିଛି। ଆମ ଶରୀରରୁ ପ୍ରାଣ ବାହାରିଲା ମାତ୍ରେ ଆମ ଶରୀରରେ ଜୀବାଣୁ ଚରିଯା’ନ୍ତି । ଏହା ଛଡା କିଏ କୋଉ କାରଣରୁ ମରିଥାନ୍ତି ଆମେ ତ ଜାଣି ନ ଥାଏ , ତେଣୁ ଆମେ ଯେତେ ଦୂରେଇ ରହିବା, ସେତେ ଭଲ । କେବଳ ଘର ଲୋକେ ହିଁ ସେଇ ଶରୀରକୁ ଯାହା ଚର୍ଯ୍ୟା କରନ୍ତି |
କିଏ କେତେଦୂରରୁ ଆସନ୍ତି ଦେଖିବା ପାଇଁ , ତେଣୁ bacteria ନ ବଢିବା ପାଇଁ ଶରୀରରେ ହଳଦୀ ବୋଳି ଦିଆଯାଏ । ଚନ୍ଦନ ଘୋରିକି ମଧ୍ୟ ଲଗାଯାଏ । ଚନ୍ଦନ ଶୀତଳିକରଣ କରି bacteriaକୁ ବଢିବାକୁ ଦିଏ ନାହିଁ ଓ ସୁଗନ୍ଧି ମଧ୍ୟ ଦିଏ । ହଳଦୀ ହେଉଛି antioxidant ଓ antibacterial । ତେଣୁ ଶବ ପଛେ ନାହିଁ କି ଦୁର୍ଗନ୍ଧ ହୁଏ ନାହିଁ I”
ଜୀୟା – “ଜେଜେ , ମୁଣ୍ଡ ଉପରକୁ ତୁଳସୀଗଛଟେ କାହିଁକି ରଖା ହୋଇଥିଲା ?”
ଜେଜେ : ଆରେ ବାଃ ! ସେତକ ବି ଦେଖିଛୁ ? ତୁଳସୀର କୀଟାଣୁନାଶକ ତତ୍ତ୍ଵ ଅଛି ଓ ଏହା bacterial decayକୁ ଅର୍ଥାତ ଶବ ସଢ଼ିବାକୁ ମଧ୍ୟ ଡେରି କରାଏ । ହେଲେ କିଛି ଲୋକ କିଛି ନ ବୁଝି ଶୁଖିଲା ତୁଳସୀ ଗଛ ମଧ୍ୟ ରଖି ଦିଅନ୍ତି । ଏଥର ଆସନ୍ତି ଜଣେ ପ୍ରେତକାର୍ଯ୍ୟ କରୁଥିବା ପୁରୋହିତ । କିଛି ଅନ୍ନ ଓ ଜଳ ମୁଖରେ ଦିଆଯାଏ । ହାତରେ କିଛି ପଇସା ବି ଥୁଆ ହୁଏ । ନୂତନ ବସ୍ତ୍ର ଆଦି ପିନ୍ଧାଯାଏ ।ଲୋକ ମାନଙ୍କର ବିଶ୍ୱାସ ଯେ , ଆତ୍ମାର ଆଗକୁ ରହିଥିବା ଯାତ୍ରା ପାଇଁ ଏ ସବୁ କରାଯାଏ । “
ଜୀୟା : “ଜେଜେ ଏ ପୁରୋହିତ କ’ଣ ପାଇଁ ଆସୁଛନ୍ତି?”
ଜେଜେ : “ଦେଖ୍ ମା ‘ । କହୁଛି ତ ଭିନ୍ନ ଭିନ୍ନ କାରଣ ରୁ ମୃତ୍ୟୁ ହୁଏ । ଆଗରୁ ତ ଲୋକେ ବେଶୀ କିଛି ଜାଣୁ ନଥିଲେ । ତେବେ ରୋଗ ଜୀବାଣୁ ଜଣଙ୍କଠୁ ଆଉ ଜଣକୁ ଡିଏଁ ବୋଲି ଜାଣିଥିଲେ । ଆଜିର ଡାକ୍ତରମାନଙ୍କ ପରି ଆମର ଶାସ୍ତ୍ରଜ୍ଞ, ସାଧୁସନ୍ଥମାନେ ଏ ସବୁର ଅନୁଧ୍ୟାନ କରି ସେମାନଙ୍କୁ ଚେତାଇ ଦେଉଥିଲେ କ’ଣ ହେବ, କ’ଣ ନାହିଁ ।
ଯେଉଁମାନଙ୍କର ବୁଝିବା ଶକ୍ତି ନଥାଏ , ସେମାନେ କେବଳ ଶାସ୍ତ୍ରରେ ଲେଖାଥିବା କଥା ଓ ଆଗରୁ ପାଳନ କରା ଯାଉଥିବା ରୀତିନୀତିକୁ ଅନ୍ଧ ଭାବେ ପାଳନ କରନ୍ତି I”
“ଆଚ୍ଛା, ଏବେ ହାଲରେ ଯେଉଁ pandemic ହୋଇଥିଲା ମନେ ଅଛି ତ?”
ଜୀୟା : “ହଁ ଜେଜେ, ଖୁବ ଭଲ ଭାବରେ I କେତେ ଡର ମାଡୁଥିଲା I ବାବାଙ୍କୁ ଯେବେ କୋଭିଡ ହୋଇଥିଲା, ସେ ପୁରା ଅଲଗା କମରାରେ ରହୁଥିଲେ I ନିଜ ଖାଇବା ବାସନ ମଧ୍ୟ ନିଜେ ମାଜି ରଖୁଥିଲେ I ମୋତେ ବହୁତ କାନ୍ଦ ମାଡୁଥିଲା I”
ଜେଜେ : “ବାସ ! ଏବେ ଆଗକୁ ବାକି କଥା ବୁଝିବାକୁ କଷ୍ଟ ହେବ ନାହିଁ I ପ୍ରାୟ 100 ବର୍ଷ ପରେ ପାଣ୍ଡେମିକ ହେଲା ବୋଲି ସିନା ଏତେ କଥା ଦେଖିଲ, ହେଲେ ଆଗରୁ ମଝି ମଝିରେ ଏପିଡେ଼ମିକ (epidemic) ହେଉଥିଲା I ହଇଜା, ହାଡଫୁଟି, ମିଳିମିଳା ଆଦି ମହାମାରୀରେ ଗାଁ ଗାଁ ମଧ୍ୟ ପୋଛି ହୋଇ ଯାଉଥିଲା I”
“ଗାଁରେ ସମସ୍ତେ ବାହାରକୁ ଯାଇ ଶୌଚ ହେଉଥିଲେ ଓ ପରେ ବନ୍ଧ, ପୋଖରୀରେ ଗାଧୋଇ ଫେରୁଥିଲେ | ନଦୀ ଥିଲେ ସିନା ପାଣି ବୋହିଯିବ ହେଲେ ପୋଖରୀ ଓ ବନ୍ଧ ପାଣି ତ ସ୍ଥିର | ତେଣୁ infection ଯେମିତି ଆଉ କାହାକୁ ନ ବ୍ୟାପେ, ସେଥିପାଇଁ ଯେଉଁ ପରିବାରରେ କାହାର ମୃତ୍ୟୁ ଘଟେ, ସେମାନଙ୍କୁ ସାଧାରଣ ତୁଠ ବାରଣ କରାଯାଏ |କାହାକୁ ଜଣା ନ ଥାଏ ସେ ପରିବାରର ଆଉ କାହାକୁ ସେ ରୋଗର ସଂକ୍ରମଣ ହୋଇଛି କି ନାହିଁ | ତେଣୁ ସେତକ ଦିନ ତୁଠ ମନା ଓ ସେମାଙ୍କ ଘରକୁ କେହି ଯିବା ଆସିବା ମନା |”
ଜୀୟା: “ଆଉ ନିଶ ଦାଢ଼ି କାଇଁ କଟନ୍ତିନି | କ’ଣ ସମସ୍ତେ ଏତେ ଦୁଃଖୀ ! ମୁଁ ତ ଦେଖୁଚି କେହି କେହି ମଜା ଗପ ବି କରୁଛନ୍ତି |”
ଜେଜେ: “ହେ ହେ ! ଠିକ ଲକ୍ଷ କରିଛୁ ମା’, ଆମେ ବି କେତେ ମାୟା ରେ ପଡିଥାଉ |”
“ଭାବୁ ମୋ ଯୋଗୁଁ ପରିବାର ଚ଼ାଲିଛି। ମୁଁ ନ ରହିଲେ ଦୁନିଆ ଓଲଟପାଲଟ ହେଇଯିବ। କିନ୍ତୁ ଆମେ ମରିଗଲା ମାତ୍ରେ କେବଳ ‘ବଡି’ ହେଇଯାଉ। ହେ, ମଡାକୁ ଉଠାଅ, ଶୀଘ୍ର ଶ୍ମଶାନକୁ ନିଅ ନ ହେଲେ ବାସି ହୋଇଯିବ। ପ୍ରଥମ ଦିନର ଶୋକ ପରେ ଧୀରେ ଧୀରେ ଆମ ମନ ବି ଦୁଃଖକୁ ବିସ୍ମୃତ ହୁଏ l ପୁରା ନିଜର ଲୋକଙ୍କୁ ଛାଡିଦେଲେ ଅନ୍ୟମାନେ କ’ଣ ଖାଇବେ କେଉଁଠି ଶୋଇବେ କ୍ରିୟାକର୍ମ କେବେଠୁଁ ଧରାହେବ …..ଏ ସବୁରେ ମାତିଯା’ନ୍ତି।“
“ତେବେ ଗାଁ ମାନଙ୍କରେ ବାରିକ ବାରିକିଆଣୀମାନେ ଘର ଘର ବୁଲି ଲୋକଙ୍କର ନିଶ, ଚୂଳ କାଟୁଥିଲେ, ଦାଢ଼ି ଖିଅର ମଧ୍ୟ କରି ଦେଉଥିଲେ । ବାରିକ ଯୋଗୁଁ ରୋଗ ସଂକ୍ରମଣ ନ ବ୍ୟାପୁ ବୋଲି ସେମାନଙ୍କୁ ମୃତକଙ୍କ ଘର ଓ କୁଟୁମ୍ବ ଘର ଗୁଡିକୁ ଯିବାକୁ ମନ କରାଯାଏ I”
ଜୀୟା: “ଠିକ୍ ୧୦ ଦିନରେ କ’ଣ ସବୁ ଠିକ୍ ହୋଇଯାଏ ଯେ ଲୋକେ ଯାଇ ତୁଠରେ ଗାଧୁଆ ପାଧୁଆ କରନ୍ତି।“
ଜେଜେ: ”ଏଇଟା ବଢିଆ ପ୍ରଶ୍ନ |କହିଁକି ୧୦ଦିନ କାହିଁକି ୧୫ କି ୨୦ ଦିନ ନୁହେଁ ? ଏବେ କୋଭିଡ୍ ଯେବେ ଆରମ୍ଭ ହୋଇଥିଲା, କେତେ ଦିନ ପାଇଁ କ୍ୱାରେନ୍‌ଟାଇନ୍ ଥିଲା ?
ଜୀୟା: “ପ୍ରଥମେ ତ ୧୭ ଦିନ ଥିଲା ମୋ friend ର ବାପା ସେମିତି ରହିଥିଲେ |ମୋ ବାପାଙ୍କ ବେଳକୁ କମିକରି ୧୪ଦିନ ଓ ପରେ ୭ଦିନ ବି ହୋଇ ଯାଇଥିଲା |”
ଜେଜେ: “ବାସ! ଆମର ପ୍ରାୟତଃ viral infection ର incubation period 6-10 ଦିନ | ମାନେ ୧୦ ଦିନ ଭିତରେ ଯାହା ସଂକ୍ରମଣ ହେବ |ଧୀରେ ଧୀରେ ଜୀବାଣୁ ଜଣକ ଦେହରେ ରହି ରହି ଆଉ ଅନ୍ୟ କାହାକୁ ବ୍ୟାପିବନି |ରୋଗୀ /ମୃତକ ସହ ଯେଉଁମାନେ ସଂସ୍ପର୍ଶରେ ଆସିଥିଲେ,ସେମାନେ ବି ରହିଲେ isolation ରେ | କୋଭିଡ ବହୁତ ଭୟଙ୍କର ଭାବେ ମାଡି ଯାଉଥିଲା ଓ ତା ବିଷୟରେ ବେଶୀ ତଥ୍ୟ ନ ଥିବାରୁ ପ୍ରଥମେ quarantine period କୁ ଏତେ ଅଧିକ ରଖା ଯାଇଥିଲା ଓ ପରେ ସ୍ପଷ୍ଟୀକରଣ ମିଳିବାରୁ କମେଇ ଦିଆଗଲା l
ଜୀୟା :”ହେଲେ ଜେଜେ ଏତେ ବେକାର ଖାଇବା! ଜମା ଭଲ ଲାଗୁନି |”
ଜେଜେ :”ସୁଷମ ଓ ସହଜପାଚ୍ୟ ଖାଦ୍ୟ ଆମକୁ ରୋଗ ସମୟରେ ଶରୀରକୁ ରକ୍ଷା କରେ ତେବେ ଏ ସବୁ ଭିତରେ ଗୁଡ଼ାଏ ଅନ୍ଧ ବିଶ୍ୱାସ ଓ କୁସଂସ୍କାର ମଧ୍ୟ ପଶିଆସେ |”
” ଏଥର ଦଶ ତୁଠ କଥା । ପ୍ରେତକର୍ମ କରିବା ପାଇଁ ପୁରୋହିତ ଅଲଗା ଓ ତୁଠ ମଧ୍ୟ ଅଲଗା । ଏହା ମଧ୍ୟ ସେହି quarantine କାରଣରୁ । ଏହାଦ୍ୱାରା ଗାଁର ଅନ୍ୟମାନଙ୍କୁ ଜୀବାଣୁ, ଭୁତାଣୁ ସଂକ୍ରମଣ ହେବ ନାହିଁ ।“
ଜୀୟା : ” ଏବେ କୁହ ଜେଜେ , ବାରିକାଣୀ ଠିକ୍ ନା ତୁମ ଭାଉଜ ଠିକ୍ ?”।
ଜେଜେ : ” ବାରିକାଣୀ । ଯେହେତୁ ଏତିକି ଦିନ ଠିକ୍ ରେ ଗାଧୁଆ ପାଧୁଆ ଆଦି ହୋଇ ନ ଥାଏ, ନଖ , ଚୁଟି ଆଦି କଟା ହୋଇ ନ ଥାଏ ; ପ୍ରଥମେ ଏହାକୁ କାଟି ପାଣିରେ ପଶି ଭଲରେ ଗାଧୋଇ ପୁରୁଣା ବସ୍ତ୍ରକୁ ତ୍ୟାଗ କରି ନୂଆ ବସ୍ତ୍ର ଧାରଣ କରିବା କଥା । ଲକ୍ଷ୍ୟ କରିଥିବୁ , ଆମେ ସମସ୍ତେ ପିନ୍ଧିଥିବା ପୁରୁଣା ଲୁଗା ସେଇଠି ହିଁ ଛାଡିଦେଲେ ଓ ନୂଆ ଲୁଗା ପିନ୍ଧି ଘରକୁ ଫେରିଲେ । ଏ ପଟେ ଘରର ଏତକ ଦିନର ପୁରୁଣା ପିନ୍ଧା ଲୁଗା ସବୁ ଧୋବଣୀ ତୁଠରେ ସଫା କରି ଖରାରେ ଶୁଖେଇ ଆଣିଦେବ । ସୂର୍ଯ୍ୟକିରଣ ସବୁଠୁ ବଡ଼ disinfectant । ଭାରତୀୟମାନଙ୍କର ଏ ଶୌଚର ସ୍ଵଭାବ, ପ୍ରଥା , ବାରମ୍ବାର ହାତଧୁଆ ଓ ସୂର୍ଯ୍ୟକିରଣ….ସେମାନଙ୍କର ନିରୋଗ ରହିବାର ମୁଖ୍ୟ କାରଣ ।ଅବଶ୍ୟ ଏ ସବୁ ପ୍ରଥାର ମୁଖ୍ୟ ଉଦେଶ୍ୟ ପାଶୋରି ଯାଇ ଲୋକେ ଗୁଡ଼ାଏ କୁସଂସ୍କାରରେ ଫସି ରହି ଯାଉଛନ୍ତି ।
ଜିୟା : ” ଜେଜେ , ସତ କହିବି , ସେ ତୁଠ ର ପାଣି ବହୁତ ଅସନା ଥିଲା । ମତେ ଆଉ ଥରେ ଘରେ ଆସି ଗାଧୋଇବାକୁ ହେଉଥିଲା । ଆଜିକାଲି ତା ମାନେ ଆମେ ଏ ସବୁ କାର୍ଯ୍ୟ ତୁଠକୁ ନ ଯାଇ ନିଜ ବାଥରୁମରେ ସାରିଲେ ତ ବେଶୀ ଭଲ ହୁଅନ୍ତା ! ”
ଜେଜେ :” ଠିକ୍ କହିଛୁ । ଯାହା ଆଗରୁ ହୋଇ ଆସୁଛି , ଏବେବି ସେଇଟା କରିବାର କିଛି ମାନେ ନାହିଁ । ଧରିନିଅ, ଜଣେ ଆମେରିକାରେ ଥାଇ ନିଜର କୁଟୁମ୍ବ ର କାହାର ମୃତ୍ୟୁ ଖବର ପାଇଲା ତେବେ ଚୁଟି , ଦାଢ଼ି ଖିଅର ନ ହୋଇ ରହିବା ବା ଚୁଟି ଆଦି ନ କୁଣ୍ଡେଇବାର କୌଣସି କାରଣ ନାହିଁ । ଯେତେବେଳେ ଆମ ଗାଧୁଆଘରେ କଳ ଓ shower ଆଦିରୁ ପାଣି ବାହାରୁଚି , ସେଠି ବନ୍ଧ ପୋଖରୀକୁ ଯାଇ ଅସନା ପାଣିରେ ବୁଡ଼ ପକାଇବାର କିଛି ମାନେ ନାହିଁ । ଆମେ ନିଜେ ଆଜିକାଲି nail cutterରେ ନଖ କାଟୁଛେ । ତେଣୁ ୧୦ ଦିନ ଯାଏଁ ଅପେକ୍ଷା କରିବା ବି କେତେ ପ୍ରଜୁଜ୍ୟ , ତାହା ପ୍ରଶ୍ନବାଚୀ l ଲୋକେ ଅନେକ ଜିନିଷକୁ ଏଠି ଭାବ ସହ ଯୋଡି ଦେଉଛନ୍ତି , ତେଣୁ ସାଧାରଣ ରୀତିନୀତିକୁ କଷ୍ଟ କରି ଆମେ ଶରୀରକୁ ଅଯଥା କଷ୍ଟ ଦେଉଛେ|
ଜୀୟା: “ଜେଜେ ତିକ୍ତ କ’ଣ ?”
ଜେଜେ: “ଆରେ ହଁ , କହିବାକୁ ଭୁଲି ଯାଇଥିଲି | ଦାହ ସଂସ୍କାର ପରେ ଘରକୁ ଫେରି ପରିବାର , କୁଟୁମ୍ବ ତିକ୍ତ ଖା’ନ୍ତି । କଲରା , ନିମ ଆଦି ପିତା ଜିନିଷରେ ରୋଗ ପ୍ରତିରୋଧକ ଶକ୍ତି ଭରପୂର । ତେଣୁ ଚେଷ୍ଟା କରାଯାଏ , ଯେମିତି ପରିବାରର ଅନ୍ୟ ସଦସ୍ୟମାନେ ଆଉ ସେ ରୋଗରେ ନ ପଡନ୍ତି । ତା ‘ ସହ ମାଲଭାଇ ମାନଙ୍କର ଗୋଡ଼କୁ ହଳଦୀ ପାଣିରେ ଧୁଆଯାଏ । ଏଠି ବି ହଳଦୀର କୀଟାଣୁନାଶକ ତତ୍ୱର ବ୍ୟବହାର କରାଯାଏ । “
ଜୀୟା : ” ହମମ୍ , ଏବେ ଗୁଡାଏ ଜିନିଷ ବୁଝିହେଲା । ଜେଜେ , ମୋତେ ବାକୀ ଯଜ୍ଞ , ପୂଜା ପଦ୍ଧତି ବିଷୟରେ ବି କହିବ ?
ଜେଜେ : ‘ ଆଲୋ ମା ‘ ମୋର ମୋ ମୁଣ୍ଡକୁ ପୁରା vacuum କରିଦେବୁ । ଚାଲେ ଶାନ୍ତ୍ୟୋଦକ ଛିଞ୍ଚା ହେବ । ”
ଜୀୟା : ‘ ସେ ପୁଣି କ’ଣ ?’
ଜେଜେ : ” ଏବେ ଆମେ ସମସ୍ତେ ଶୁଦ୍ଧି ହେଲେ , ଘର ଧୁଆପୋଛା ସରିଲା ; ରୋଷେଇଘର ସଫା ହେଲା ଗନ୍ଥା , ଚାଦର ସବୁ ସଫା ସରିଲା । ପୂଜା କର୍ମକାଣ୍ଡ ଆଦି ସାରି ଅଭିମନ୍ତ୍ରିତ ପାଣି ନ ହେଲେ ଗଙ୍ଗାଜଳ ସବୁଆଡେ ଛିଞ୍ଚା ହେବ , ଏଠି ବି ସେଇ କଥା ଗଙ୍ଗା ପାଣିରେ କୌଣସି ଜୀବାଣୁ ବଢି ପାରନ୍ତି ନାହିଁ , ତେଣୁ ଏହାକୁ ପବିତ୍ରତମ ବୋଲି ମାନନ୍ତି ।
ଜୀୟା : ” ୧୨ ଦିନ କ’ଣ ହେବ ? ”
ଜେଜେ : ସେ ଦିନ ଗାଁ ଲୋକଙ୍କୁ ଡାକି ଉତ୍ସବ ପରି ଭୋଜିଭାତ ଖାଇବାକୁ ଦେବେ । ତୁମେମାନେ
ଯେମିତି WhatsApp Group ରେ ଲେଖି ଜଣାଇଥିଲ ଯେ , ଆମର quarantine ଓ isolation ସରିଗଲା ବୋଲି , ସେମିତି ଏ ଭୋଜି ମାଧ୍ୟମରେ ଗାଁ ଲୋକଙ୍କୁ ଜଣା ହୁଏ ଯେ , ଆମ ପରିବାର ଏବେ ସମସ୍ତ ମିଳାମିଶା ପାଇଁ ପ୍ରସ୍ତୁତ । ୧୩ ଦିନ ସେମିତି ପିଠାପଣା ମଧ୍ୟ କରାଯାଏ ।
ଚାଲ ଚାଲ ଭିତରୁ ଡାକ ପଡ଼ିଲାଣି ଖାଇବାକୁ ଯିବା l
—————————————–
କିଛି ତଥ୍ୟ ଆଖପାଖରେ ଦେଖି , କିଛି ମୋ ମାଉସୀ ଶ୍ରୀମତୀ ସୁନୀତି ଆଚାର୍ଯ୍ୟଙ୍କ ଠୁଁ ଶୁଣି ଓ ଏକ ଗବେଷଣା ଭିତ୍ତିକ article ରୁ ପଢି ଯାହା ବୁଝିଛି ଓ ନିଜର ଡାକ୍ତରୀ ଜୀବନର ଅଭିଜ୍ଞତା ଏବଂ ନିଜସ୍ୱ ଗବେଷଣାରୁ କିଛି ଉଦ୍ଧୃତି ଦେଇ ଏ ଲେଖାଟି I ଵିଜ୍ଞଜନେ ଯଦି କିଛି ଭୁଲ ଭଟକା ଦେଖନ୍ତି, ତେବେ ଦୟାକରି କହିବେ I ନିଜର କିଛି ରୋଚକ ତଥ୍ୟ ମଧ୍ୟ ଜଣେଇଲେ ମୁଁ କୃତଜ୍ଞ ରହିବି I

=ଶୁଭମସ୍ତୁ =

Leave a Reply

Your email address will not be published. Required fields are marked *