ସ୍ୱାଭିମାନୀ ଓଡ଼ିଆଙ୍କୁ କିଛି ପ୍ରଶ୍ନ

Happy Mathematics Day
December 23, 2023
ଟ୍ରାଫିକ ଓ ଏକାଗ୍ରତା
January 9, 2024

ଡଃ ବିୟତପ୍ରଜ୍ଞା ଆଚାର୍ଯ୍ୟ
*********
କ୍ଷମା କରିବେ, ମୋ ଭାଷା ଟିକିଏ ତୀକ୍ଷ୍ମ ଲାଗିପାରେ l ଆମେ ଠେଲା ବାର୍ତ୍ତା (forwarded messages) ଦେବାରେ ଧୁରନ୍ଧର l କିନ୍ତୁ ଆମ ସମସ୍ୟା ଗୁଡିକ ଅନ୍ୟ ରାଜ୍ୟ ଅପେକ୍ଷା ଟିକିଏ ଅଲଗା ଧରଣର l ଜାତୀୟ ବା ଅନ୍ତର୍ଜାତୀୟ ସମସ୍ୟା ଓ ସମାଧାନ ଉପରେ ତ ଆମେ ସମ୍ୟକ ଜ୍ଞାନ ରଖୁ, କିନ୍ତୁ ନିଜ ରାଜ୍ୟର ସମସ୍ୟା, ସେଥିନେଇ ସମାଧାନ ବା ଉତ୍ଥାନ ପାଇଁ ବିଶେଷ ଯତ୍ନବାନ ନୋହୁଁ I

ଆମକୁ ଯଦି ପଚରା ଯାଏ, ୫0 ବର୍ଷରେ କିମ୍ବା ୧00 ବର୍ଷରେ ଓଡିଶାକୁ ଆପଣ କେଉଁଠେ ଦେଖୁଛନ୍ତି ଅବା ଦେଖିବାକୁ ଚାହୁଁଛନ୍ତି, ଆମ ପାଖେ କିଛି ଉତ୍ତର ହିଁ ନାହିଁ ⵏ ଭଦ୍ରଜନେ, ଏ ନିମ୍ନୋକ୍ତ ବିଂଦୁ ଗୁଡ଼ିକ ଉପରେ ବିଚାର କରି ନିଜ ନିଜର ମତାମତ ରଖିବେ l

୧. ଆମର ଦୁର୍ବଳ ରାଜନୈତିକ ନେତୃତ୍ତ୍ୱ – ରାଜ୍ୟ କେମିତି ଚାଲିଛି ଅବା ଆଉ କ’ଣ କରାଯାଇପାରେ, ସେ ବିଷୟରେ ଦୃଢୋକ୍ତି ଦେବା ଭଳି ରାଜନେତା କାହାନ୍ତି ?

୨. Entrepreneurship ର ଅଭାବ (ଦୁଃଖର କଥା, ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଏହାର ଅନୁବାଦ ଖୋଜିଲି, ହେଲେ ପାଇଲି ନାହିଁ), ଅର୍ଥାତ ଓଡ଼ିଆ ମାନେ ଉଦ୍ୟମୀ ହେବାକୁ ଚାହନ୍ତିନି ଏବଂ ଆମର ଓଡ଼ିଆ ଭାଷାର ଡିଜିଟାଲ ସ୍ଥିତି ବହୁତ ଖରାପ l

୩. ଓଡ଼ିଆ ଭାଷାର ଡିଜିଟାଲ ସ୍ଥିତି – କାହିଁ ଆମର ଶବ୍ଦକୋଷ, କାହିଁ ଆମର ଡିଜିଟାଲ ଅଭିଧାନ, କାହିଁ ଆମର ମାତୃଭାଷା ପ୍ରୀତି, ମା’ ପ୍ରତି ମମତା I ସମସ୍ତେ କହୁଛନ୍ତି, ହଁ…… ଆଉ କେହି କରିଦେଉ I ଓଡ଼ିଆ ଭାଷାର ସମୃଦ୍ଧି ପାଇଁ ସରକାର କେତେ ବଜେଟ ଆକଳନ ଦେଇଛନ୍ତି ? ଓଡ଼ିଆ ଶିଖିବାରୁ ଛାତ୍ର ଛାତ୍ରୀ ବିମୁଖ କାହିଁକି ? ତୃଣମୂଳ କାରଣ ଖୋଜୁଛେ କି ? ଓଡ଼ିଆ ବହି ସବୁ ଏ ଭିତରେ ଡିଜିଟାଲ ହୋଇଯିବ କଥା I କିଏ କରିବ ? ସରକାରଙ୍କ ପାଖେ ଆମେ ଆବେଦନ କରିବା ଉଚିତ ନୁହେଁ କି ?

४. ଆମେ ଏକ କୃଷିପ୍ରଧାନ ରାଜ୍ୟ l କୃଷକ ମାନଙ୍କ ସ୍ୱାର୍ଥରକ୍ଷା ପାଇଁ ଆଜି ଯାଏଁ କ’ଣ ବ୍ୟବସ୍ଥା ହୋଇଛି ? ନୂତନ କୃଷି ପ୍ରଣାଳୀ ବ୍ୟବହୃତ ହେଉଛି କି ? ଲୋକ ସହର ଛାଡି କୃଷି କମ୍ପାନୀ ଗଢି ଗ୍ରାମାଞ୍ଚଳକୁ ସମୃଦ୍ଧ କରନ୍ତୁ l ପ୍ରତ୍ୟକ୍ଷ ଓ ପରୋକ୍ଷରେ ଏହା ସହରାଞ୍ଚଳର ପ୍ରଦୂଷଣ ଆଦି ରୋକିବା ଓ ସମସ୍ତଙ୍କ ପାଇଁ ଉନ୍ନତ କର୍ମ ସଂସ୍ଥାନ ଯୋଗେଇବ l

୫. ଏବେ କଥା ଆସିବ, ଗାଁ ରେ ଆଉ କାମ କିଏ କରୁଛି? ମାଗଣା ଖାଦ୍ୟ ଆଉ ସ୍ୱାସ୍ଥ୍ୟ ସୁବିଧା ପାଇ ସମସ୍ତେ ନିକିମା ହେଲେଣି ଆଉ ମଦ ପିଇଲେଣି l କଥା ହେଉଛି, ଖାଦ୍ୟ ପୂରା ବି ଦିଆ ହେଉନି, ପ୍ରାୟତଃ ଘରର ମହିଳାଟି ଉପରେ ଜୋର ଜୁଲୁମ କରି ତା’ ଦ୍ୱାରା କାମ ଦାମ କରେଇ ବାକି ସଦସ୍ୟ ପେଟ ପୁରଉଛନ୍ତି I ମଦ ବନ୍ଦ କରିବା କଥା ଆସିଲା ମାତ୍ରେ ଅନେକେ ବଡ ବଡ ବିଶେଷଜ୍ଞଙ୍କ ପରି କହୁଛନ୍ତି, ଅର୍ଥନୀତି ଭୁଶୁଡି ପଡିବ I ଆମେ କୃତ୍ରିମ ଅର୍ଥନୀତିର ଦ୍ୱାହି ଦେଇ ଉତ୍ତମ ସ୍ୱାସ୍ଥ୍ୟକୁ ବେଶ ବଳି ପକେଇ ଡେଉଁଛେ ତ ?

୬. ଏବେ କଥା ଆସିବ, ପିଲା ମାନେ କଣ ଖଟିବେ? ନା ଆଜ୍ଞା, ପାଠ ପଢନ୍ତୁ, କିନ୍ତୁ ତା’ ସଙ୍ଗେ ବ୍ୟବସାୟିକ ପ୍ରଶିକ୍ଷଣ (vocational training) ଦିଆ ଯାଉଛି କି ? ଉଚିତ ଶିକ୍ଷକ ଚୟନ କରା ଯାଉଛି କି ? NEP କୁ ସମସ୍ତେ ଅପେକ୍ଷା କରିଛେ, ତେବେ ଆମ ତରଫରୁ ରୂପରେଖ ଠିକ ରଖିଛେ ତ? ବ୍ୟାୟାମ ଓ ଖେଳକୁଦକୁ ଏକ ନୂତନ ଦିଶା ଦେବା ଦରକାର ନାହିଁ କି ? ଶିକ୍ଷଙ୍କୁ ଉପଯୁକ୍ତ ସମ୍ମାନ ଦିଆ ଯାଉ, ଅଯଥା ଅନ୍ୟାନ୍ୟ କାର୍ଯ୍ୟରେ ଖଟା ନ ଯାଉ l ସେମାନେ ମଧ୍ୟ ଆଗାମୀ ପୀଢ଼ିକୁ ଉପଯୁକ୍ତ ଭାବେ ଗଢିବାର ଦାୟିତ୍ତ୍ୱ ମୁଣ୍ଡାନ୍ତୁ, ନଚେତ ସମସ୍ତେ ଇଂରାଜୀ ସ୍କୁଲ ଅଭିମୁଖୀ ହେବେ l

୭. ସ୍ୱାସ୍ଥ୍ୟ ନାଁ ରେ ଆଜି ରୋଗକୁ ଆମେ ପ୍ରୋତ୍ସାହନ ଦେଇ ଚାଲିଛୁ l ଜାଣି ଆଶ୍ଚର୍ଯ୍ୟ ହେବେ, ସହରୀ ଲୋକଙ୍କୁ ହେଉଥିବା ରୋଗ ସବୁ– ଡାଇବେଟିସ, ଉଚ୍ଚ ରକ୍ତଚାପ , ମେଦବୃଦ୍ଧି ଆଦି ରୋଗ ଗାଁରେ ଏବେ ଘରେ ଘରେ l ହସ୍ପିଟାଲ ନାଁରେ ଆମେ ରୋଗାଳୟ ଖୋଳୁଛୁ ନା ଆରୋଗ୍ୟIଳୟ ? ପ୍ରକୃତ ସ୍ୱାସ୍ଥ୍ୟରକ୍ଷା ପାଇଁ ଆମେ କେତେ ଯତ୍ନବାନ ? ମାଗଣା କାର୍ଡ ନୁହେଁ ଯେ, ଲୋକେ ମୁଣ୍ଡରେ ରୋଗର ବୀଜ ବପନ କରି ଦେଉଛନ୍ତି I ବାପ କହୁଛି, ମୋ ଠି ଅଳ୍ପ ଇନ୍ସୁରାନ୍ସ ସାରିଥାନ୍ତୁ, କାଳେ ମୋ ପୁଅର ଦରକାର ହେବ …ହା ହନ୍ତ !

Γ. ଆମ ପିଲେ ଆମ ସଂସ୍କୃତି ଓ ପର୍ବପର୍ବାଣିଠୁ ଦୂରେଇ ଯାଉଛନ୍ତି କାହିଁକି? ଆମେ କିଛି ନବାଚାର (innovation) ଆଣୁଛେ କି ଆମ ଉତ୍ସବ ସବୁରେ ? ଆମେ ଓଡ଼ିଆ କ୍ୟାଲେଣ୍ଡର ବି ଠିକରେ ଦେଖି ପାରୁନେ l ଘରୋଇ ସଂସ୍ଥା ସବୁ ଅନେକ ପର୍ବ ପର୍ବାଣିର ଛୁଟି କାଟି ଦେଉଛନ୍ତି I ଏଥିନେଇ ସ୍ୱର ଉତ୍ତୋଳନ କରିବା ଉଚିତ ନୁହେଁ କି ? ରବିବାସରର ଛୁଟି କାଟି କାର୍ତ୍ତିକ ସୋମବାର ଓ ମାର୍ଗଶୀର ଗୁରୁବାରରେ ଛୁଟି ଦେବା ପାଇଁ ଆମେ ଅନୁରୋଧ କରନ୍ତେନି ! ଆମ ଓଡ଼ିଆ ନବବର୍ଷକୁ ସପ୍ତାହ ବ୍ୟାପି ଛୁଟି ଦେଇ ଭଲରେ ପାଳନ କଲେ କେତେ ଭଲ ହୁଅନ୍ତା !

୯. ଏବେ ନିକଟ ଅତୀତରେ ଆମ ନୂଆ ନିର୍ଦ୍ଦେଶକ, କଳାକାରମାନେ ଆମ ଓଡ଼ିଆ ସ୍ୱାଦର କିଛି ସିନେମା ଆମକୁ ଭେଟି ଦେଇଛନ୍ତି I କିନ୍ତୁ ସରକାର ଏଥିନେଇ କିଛିଟା ପ୍ରୋତ୍ସାହନ ଦେବା ଉଚିତ l ତାମିଲନାଡୁରେ ସିନେମା ନାଁ ଶୁଦ୍ଧ ତାମିଲ ରେ ରଖିଲେ ସରକାର ରେଜିଷ୍ଟ୍ରେସନ ରେ କିଛି ସବସିଡି ଦିଅନ୍ତି I ଆଜିକାଲି ଯେଉଁ ବେଗରେ ଓଡ଼ିଆ ସିନେମା ଗୀତାରେ ହିନ୍ଦୀ ଓ ଇଂରାଜୀ ଶବ୍ଦ ଧସେଇ ପଶୁଛି, ସେଥିରେ ଆମ ଭାଷାର ଗତି କୁଆଡେ, ତାହା ସହଜେ ଅନୁମେୟ l ଆମର ଅନେକ ମହାନ ଜନନାୟକ, ଲେଖକ, କଳାକାର ମାନଙ୍କ ଉପରେ କେବଳ ବୃତ୍ତଚିତ୍ର ନୁହେଁ ବରଂ ସିନେମା ବନିବା ମଧ୍ୟ ଦରକାର I

୧0. ଭାଷା ଭିତ୍ତି ଅବା ଅନ୍ୟ କୌଣସି ଭିତ୍ତିରେ ବିଛିନ୍ନତାବାଦ ବଢାଉଥିବା ସମସ୍ତ ଶକ୍ତିକୁ କିଭଳି ଭାବେ ସୌହାର୍ଦ୍ଦ୍ୟପୂର୍ଣ୍ଣ ଭାବେ ପରାଜିତ କରାଯିବ, ସେ ବିଷୟରେ ବହୁଳ ଭାବେ ଚର୍ଚ୍ଚା ହେବ ଉଚିତ ନୁହେଁ କି ??

ଆଶା, ଭଦ୍ରଜନେ ଏ ବିଷୟରେ ଟିକେ ମନନ ଚିନ୍ତନ କରିବେ I ସମସ୍ତେ ଯଦି ବୃହତ୍ତର ସ୍ୱାର୍ଥ ପାଇଁ ଟିକିଏ ଟିକିଏ ଉଦ୍ଯୋଗୀ ହେବା, ତେବେ ହୁଏତ ଅନେକ ସମସ୍ୟାର ସମାଧାନ ହେବ l ସମସ୍ତେ ଛୋଟ ଛୋଟ କିଛି ଦାୟିତ୍ତ୍ୱ ନେଇ ଚାଲିବା ଯଦି, ତେବେ ଆଗାମୀ 10 ବର୍ଷରେ ଆମେ ଅନେକ କିଛି କରି ଦେଖାଇ ପାରିବା l ମୁଖ୍ୟ କାମ ହେଉ ସମସ୍ୟାର ମୂଳକୁ ଚିହ୍ନି ସମୂଳେ ଉତ୍ପାଟନ କରିବା l
ନ ହେଲେ ପୁଣି ଲେଖା ଯିବ—ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି……
=ଶୁଭମସ୍ତୁ=

#Odia #Odisha #problemsolving #odiablogger #drvpacharya

Leave a Reply

Your email address will not be published. Required fields are marked *