ପ୍ରଭୁ ! ମୋ ସାଥେ ଅଛ
ସନ୍ଦେହ ନାହିଁ ଏଥି
ହେଲେହେଁ ଅବୁଝା ମନ ଏ
ଲଢି ବସେ , ଭାବି ବସେ
ଦେଖା ନାହିଁ କାହିଁ
ବିଶ୍ବାସିବି କେମିତି ??
ଯେସନେ ଶିଶୁ ଉଂକି ମାରେ ମାଁ ମୁହଁକୁ
ଆସେ ଖେଳରୁ ଧାଇଁ
ଯେସନେ ପ୍ରେମିକା ମୁହଁ ଫୁଲାଏ
ସରାଗ ପରଖିବା ପାଇଁ
ତେସନେ ଅବୁଝା ଏ ମନ
ମନ୍ଦିରେ ମନ୍ଦିରେ ଉଂକି ମାରେ
ତମକୁ ଥରେ ଦେଖିବା ପାଇଁ ।
ହତଭାଗିନୀ ମୁଁ କାହିଁ ଜାଣେ ଅବା
ପ୍ରଭୁ ମୋ ନିଃଶ୍ବାସେ ଥାଇ
ସେ ହିଁ ପ୍ରାଣ, ଅପାନ, ବ୍ୟାନ
ତାଂକରି ପାଇଁ ହି ରକ୍ତ ବହମାନ
ସେ ମୋ ଆଂଗୁଳିର ଚଳନ
ଚକ୍ଷୁର ଦର୍ଶନ , କର୍ଣର ଶ୍ରବଣ ।
ନ ଚିହ୍ନିଲି ପ୍ରଭୁ ତୁମକୁ
ଏତେ ରୂପେ ଦର୍ଶନ ଦେଲ
ମାୟାର ପଟି ବାନ୍ଧି
ଏମନ୍ତ ରୂପେ ବିପଥେ ନେଲ;
ଯେସନେ ସଂସାର ପଂକୁ
ପଂକଜ ଉଂକି ମାରଇ
ତେସନେ ଯେଖ୍ୟଣି ଉର୍ଧ୍ବକୁ
ପାରିଲି ଚାହିଁ
ମାୟାରଜକୁ ତେଜି
ଅମୃତ ବରଷଇ
ଗୁରୁଗମ୍ଭୀର ନାଦେ
ହୃଦ ମୋ କମ୍ପଇ ।
‘ଗୁରୁ’ ବୋଲନ୍ତି ‘ତତ୍ତ୍ବମସି’
‘ହଂସ’ କହେ ‘ସୋଽହଂ’
ମନ୍ଦିର , ମସଜିଦ୍, ତୀର୍ଥ
ଆଉ କାହିଁ ପାଇଁ
ତୀର୍ଥ ମୁଁ , ମନ୍ଦିର ମୁଁ
ହଁ ମୁଁ ହିଁ ବ୍ରହ୍ମ — ‘ଅହଂ ବ୍ରହ୍ମାସ୍ମି‘
ବିୟତ୍ ପ୍ରଜ୍ଞା ଆଚାର୍ଯ୍ୟ