ଗ୍ରହଣରେ ଚିକେନ ବିରିୟାନୀ ଖିଆ ଓ ବିଜ୍ଞାନ

vp acharya
ଚାପୁଡ଼ା
November 8, 2022
ଭଙ୍ଗା ଚଷମା
January 4, 2023

ଡଃ ବିୟତପ୍ରଜ୍ଞା ଆଚାର୍ଯ୍ୟ
ପ୍ରଫେସର ବାୟୋକେମିଷ୍ଟ୍ରି
ସକାଳେ ଝିଅ ଭୁଲରେ ଅଳ୍ପ କିଛି ଫୁଲ ତୋଳି ଆଣିଥିଲା l କହିଲି, “ମାମା, ଏବେ ଆଉ ପୂଜା ହେବନି l ଆଜି ପରା ଚନ୍ଦ୍ର ଗ୍ରହଣ; ପୁଣି ସନ୍ଧ୍ୟାରେ ଯାଇ I ଗୋଟେ କାମ କରେ l ଜରୀ ଭିତରେ ପୂରେଇ ଅଳ୍ପ ପାଣି ଛିଂଚି ଦେ ଆଉ ତୁଳସୀ ପତ୍ର ଡାଙ୍ଗ ତା’ ସଂଗେ ରଖି ଦେ ଆଉ ଜରୀଟିକୁ ହାଲୁକାରେ ଗଣ୍ଠି ମାରି ଦେ l” ବର୍ତ୍ତମାନ ସନ୍ଧ୍ୟାରେ ଦେଖିଲା ବେଳକୁ ଫୁଲ ସବୁ ପୂରା ତାଜା I କିଛି ଜଣ ଫ୍ରିଜରେ ରଖି ମଧ୍ୟ ଏ ଭଳି ସୁଫଳ ପାଇବେନି I
ହଁ, ମୁଁ ବିଜ୍ଞାନ ପଢିଥିବା ମଣିଷଟିଏ, ଜ୍ଞାନକୁ ବ୍ୟବହାର କଲେ ତାକୁ ବିଜ୍ଞାନ କୁହାଯାଏ, ଅର୍ଥାତ Applied Science I
ଏବେ ଆପଣମାନେ କହିବେ, “କୋଉ ବଡ କଥା କି ? ତୁଳସୀର ମାହାତ୍ମ୍ୟ କେତେ ….ଏଇଟା ତ ଆମେ ସବୁବେଳେ କରି ଆସୁଛୁ I ଗ୍ରହଣ ବେଳେ ବି ଆମେ ଖାଦ୍ୟ ଉପରେ ତୁଳସୀ ପତ୍ର ଟିକେ ପକେଇ ଦେଉ l ରାତିରୁ ଫୁଲ ତୋଳିଥିଲେ ମୋ ମା’ କହେ ତୁଳସୀ ପତ୍ର ଦୁଇଟା ପକେଇ ଦେ l”
ମା’ କୁ କିଏ କହିଲା …ତା ମା’ କି ଶାଶୁ …ତାଙ୍କୁ ତାଙ୍କ ବାପା ମା’ ….ଆମର ବିଜ୍ଞାନ ଆମ ରୀତି ପରମ୍ପରାରେ ଗଡି ଚାଲି ଆସିଲା l ଆମେ ଆମର ବଡମାନଙ୍କୁ ଅତି ଅଧିକ ଭକ୍ତି ଓ ସମ୍ମାନ କରୁଥିବା ଯୋଗୁଁ ପ୍ରଶ୍ନ ପଚାରିବା ଭୁଲି ଗଲେ l ଆଉ ସେମାନେ ପ୍ରତି ରୀତି ନୀତି ପଛର ବିଜ୍ଞାନକୁ l
ଏବେ ଆସିବା ବିଜ୍ଞାନର କଥାକୁ I ମୋ ନିଜର ଗବେଷଣା କାର୍ଯ୍ୟ oxidative stress ଓ antioxidant କୁ ନେଇ l ତେଣୁ ମୋତେ ଅମ୍ଳଜାନ, ପ୍ରାଣାୟାମ, ଜୀବନ ଶୈଳୀ, ଖାଦ୍ୟ ପ୍ରସ୍ତୁତି ପ୍ରଣାଳୀ ଓ ଖାଦ୍ୟ ପେୟ ମଧ୍ୟ ବେଶ ଆକୃଷ୍ଟ କରେ I
ତୁଳସୀ ବୃକ୍ଷକୁ ଆମେ ଦେବୀଙ୍କ ସ୍ଥାନରେ ବସେଇବାର କାରଣ କ’ଣ ହୋଇପାରେ ? ଏ ବୃକ୍ଷର ଉପକାରିତା ବଖାଣି ବସିଲେ କେତେ ପୃଷ୍ଠା ହୋଇଯିବ l ତେବେ ଏଠି ଗୋଟିଏ କଥା କହିବି, ଯେ ଏହି ବୃକ୍ଷ ଦିନ ରାତି ଚବିଶ ଘଣ୍ଟା ଅମ୍ଳଜାନ ଦିଏ I ତେଣୁ କୁହାଯାଏ ଏ ଭଳି ଜାଗାରେ ବୃକ୍ଷଟି ରହିବା ଚାହି, ଯେମିତି ପବନ ସେଥିରେ ବାଜି ଘର ଭିତରକୁ ପ୍ରବେଶ କରୁଥିବ I
ଯେହେତୁ ତୁଳସୀ ଡାଙ୍ଗ ଓ ପତ୍ର ଅମ୍ଳଜାନ ଦେଇ ଚାଲିଲେ, ସେ ହେତୁ ମୋ ଫୁଲ ସତେଜ ରହିଲା, ଅର୍ଥାତ ରାତିରୁ ତୋଳା ଫୁଲ ବି ବାସି ହେଲାନି I ତେବେ କେତେ ଫୁଲରେ କେତେ ତୁଳସୀ ? ଏ କାରଣ ବିଷୟରେ ଅବଗତ ଥିଲେ ସିନା ଆମେ କହିବା ? ଯଦି ତୁଳସୀ ଗଛ ପାଖରେ ନାହିଁ, ତେବେ ମା’ କହିବେ, ” ଦେ, ଶୁଖିଲା ପତ୍ର ଟିକେ ପକେଇ ଦେ l” ହେଲେ ତୁଳସୀ ପତ୍ର ବ୍ୟବହାରର ଯଥାର୍ଥତା ରହିଲା କି ? ସକାଳୁ ଫୁଲ ମଉଳି ଗଲେ ବି ସେ ଠାକୁରଙ୍କୁ ଆତ୍ମସନ୍ତୁଷ୍ଟିରେ ଚଢା ହେବ, କାରଣ ତୁଳସୀ ଯୋଗୁଁ ଫୁଲ ବାସୀ ହୋଇ ନାହିଁ l
ସେଇ ଭଳି ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣ ବେଳେ କ୍ଷତିକାରକ ବିକିରଣ ଯୋଗୁଁ ଖାଦ୍ୟ ରାନ୍ଧିବାକୁ ମନା କରାଯାଏ l ବୈଜ୍ଞାନିକ କାରଣ ହେଉଛି, ଜଳ, ଦୁଗ୍ଧ ଓ ଅନ୍ନର ଧାରଣୀ ଶକ୍ତି ସବୁଠାରୁ ଅଧିକ l ଗ୍ରହ ଉପଗ୍ରହ ଗୁଡିକର ପ୍ରଭାବ ଆମ ଶରୀର ଉପରେ ଖୁବ ଅଧିକ, ଯାହାକୁ ଆମ ଆଧୁନିକ ବିଜ୍ଞାନ ବିଶେଷ ତର୍ଜମା କରି ନାହିଁ I ସହଜପାଚ୍ୟ ଖାଦ୍ୟ ଖାଇବାକୁ କୁହାଯାଏ, ନତୁବା ଓପାସ ରହିବାକୁ କୁହାଯାଏ I ତୁଳସୀ ପତ୍ର ଏହି ବିକିରଣକୁ ପ୍ରତିହତ କରିପାରେ ଓ ଖାଦ୍ୟକୁ ଅକ୍ଷୁଣ୍ଣ ରଖିପାରେ l ଜୀବାଣୁ ମଧ୍ୟ ଖାଦ୍ୟକୁ ନଷ୍ଟ କରି ପାରନ୍ତିନି l ତେଣୁ ଯଦି ଅନ୍ନ ରନ୍ଧା ହୋଇଛି, ତା ଉପରେ ଭଲ କରି ତୁଳସୀ ପତ୍ର ଛାଇଁ ଦେବାକୁ ହେବ, ଅନ୍ଧ ଭାବେ ଗୋଟେ ଦୁଇଟା ପତ୍ର ନାଁ କୁ ପକେଇଲେ ଚଳିବ ନାହିଁ I
ହେତୁବାଦୀମାନେ ପ୍ରଶ୍ନ ଉଠାଇଲେ ଠିକ, କିନ୍ତୁ ସେ ଦିନ ବିରିୟାନୀ ଖାଇ କିଛି କ୍ଷତି ହେଲାନି ବୋଲି ଯେଉଁ ଦୃଢୋକ୍ତି ଦେଲେ, ତାହା ସମ୍ପୂର୍ଣ୍ଣ ଅଜ୍ଞାନତା I ସେମାନେ ତାଙ୍କ କଥାରେ ଜିତିବେ, କାରଣ ଯେଉଁମାନେ ଗ୍ରହଣ ଏବଂ ପରାଗରେ କେବଳ ଓପାସ ରଖିଲେ, କାଳକ୍ରମେ ସେମାନେ ଖାଦ୍ୟ-ପେୟର ଅନେକ ନିୟମ ଉଲ୍ଲଙ୍ଘନ କରି ସାରିଛନ୍ତି I ଆୟୁର୍ବେଦରେ କେଉଁ ଖାଦ୍ୟ ସହ କେଉଁ ଖାଦ୍ୟ ମିଶା ହେବନି, କେଉଁ ଋତୁରେ କେଉଁ ଖାଦ୍ୟ ଖିଆ ଯିବନାହିଁ, ଦିନରେ କଣ ଖାଇବା, ରାତିରେ କଣ ସବୁ ଖାଇବା…ଏମିତି ଅନେକ ନିୟମ ଅଛି, ଯାହା ଆଜି ବିଲୁପ୍ତପ୍ରାୟ I
ତେଣୁ ଯହୁଁ ଯହୁଁ ହାସପାତାଲ ଖୋଲୁଛି, ତହୁଁ ତହୁଁ ରୋଗୀ ସଂଖ୍ୟା ବଢି ଚାଲିଛି I Metabolic disorder, life -style disorder, cancer ମଧ୍ୟ ବଢି ବଢି ଚାଲିଛି I ଧର୍ମ ଯୁଗେ ଯୁଗେ ଜୀବନ ଶୈଳୀ ଶିଖାଇଛି ଆମକୁ I ଈଶ୍ୱରଙ୍କୁ ଭଲ ପାଇବା ଶିଖେଇଛି, ଡରେଇବା ନୁହେଁ l ଯେତେବେଳେ ଆମେ ନିଜ ଶାସ୍ତ୍ରଠୁଁ ଦୂରେଇ ଗଲେ କିମ୍ବା ଆମ ପରିବର୍ତ୍ତିତ ଶିକ୍ଷା ପଦ୍ଧତି ଆମକୁ ଆମ ସଂସ୍କୃତି ଓ ପରମ୍ପରାଠୁ ଦୂରେଇ ନେଲା, ଆମେ ପ୍ରଶ୍ନ ପଚାରିବା ଭୁଲି ଗଲେ l ସବୁ କିଛି ପ୍ରତୀକାତ୍ମକ symbolic ହୋଇଗଲା I
ହେତୁଵାଦ ମନ୍ଦ ନୁହେଁ l କିନ୍ତୁ ପ୍ରଶ୍ନ ଠିକ ଲୋକଙ୍କୁ ପଚାରନ୍ତୁ I କିମ୍ବା ନିଜେ ଉତ୍ତର ଖୋଜନ୍ତୁ ଯଦି ଜ୍ଞାନୀ ହୋଇଥାନ୍ତି I
ପଚାରନ୍ତୁ – କାହିଁକି ବର ଓ ଅଶ୍ୱତ୍ଥ ବାହାଘର କରାଯାଏ ? କାହିଁକି ଗୋବରରେ ଦାଣ୍ଡ ଲିପାଯାଏ ? କାହିଁକି ଚାଉଳବଟାରେ ଝୋଟି ଦିଅ ଯାଏ ? କାହିଁକି ବ୍ରାହ୍ମ ମୁହୂର୍ତ୍ତରେ ଉଠିବାକୁ କୁହା ଯାଇଛି ? କାହିଁକି ସପ୍ତାହକୁ ଥରେ ଉପବାସ କରିବାକୁ କୁହା ଯାଇଛି ? ମନ୍ତ୍ରଦ୍ୱାରା କ’ଣ ସତରେ ରୋଗ ଭଲ ହୋଇଯାଏ ? ତ୍ରିସନ୍ଧ୍ୟା କାହିଁକି ? ସ୍ନାନ ଶୌଚର ଏତେ ନିୟମ କାହିଁକି ? ଦୀପାବଳୀରେ ଘର ସଫା କାହିଁକି ?
କିଛି ପରିବର୍ତ୍ତନ ସମୟକୁ ଧରି ମଧ୍ୟ କରିବାକୁ ହୁଏ l କିଛି ପରମ୍ପରାକୁ ଭୁଲି ନ ଯିବାକୁ ପ୍ରତୀକାତ୍ମକ ଭାବେ ମଧ୍ୟ ପାଳିବାକୁ ହୁଏ I ତେବେ ନିଜର ସବୁ ରୀତି ନୀତି ପଛରେ ଥିବା କାରଣଟିଏ ଖୋଜନ୍ତୁ I

IIଶୁଭମସ୍ତୁ II

Leave a Reply

Your email address will not be published. Required fields are marked *