ଅଥ ପାର୍କିଙ୍ଗ ଗାଥା
ଅଥ ପାର୍କିଙ୍ଗ ଗାଥା
August 5, 2026
ଚକ୍ର

ଡା. ବିୟତପ୍ରଜ୍ଞା ଆଚାର୍ଯ୍ୟ
ପ୍ରଫେସର ବାୟୋକେମିଷ୍ଟ୍ରି
———————–

ଘରର ତିନି ପିଢ଼ି ଡ୍ରଇଂ ରୁମରେ ବସିଥାନ୍ତି । ପ୍ରବଳ ପ୍ରଭଞ୍ଜନ ପରର ଅସହନୀୟ ନୀରବତା ସେତେ ଯେମିତି ସେଠି ଖେଳେଇ ହୋଇ ରହିଛି । କାହା ମୁହଁରେ ଭାଷା ନାହିଁ । ପିନ୍ ଟିଏ ପଡିଲେ ମଧ୍ୟ ଶବ୍ଦ ଶୁଭିବ ଯେପରି ।

ସୁରମଣି ଦେବୀ, ସୁଜାତା ଓ ରାଗିଣୀ -ଆଈ, ମା ‘ ଓ ଝିଅ । ତିନି ପିଢ଼ି । ବୟସ ୭୫, ୫୦, ୨୨ । ସୁରମଣିଙ୍କ ୫ ସନ୍ତାନ ମଧ୍ୟରେ କନିଷ୍ଠା ସନ୍ତାନ ଓ ଏକମାତ୍ର ଝିଅ ସୁଜାତା ।

ସୁରମଣିଙ୍କର ସବୁଠୁ ପ୍ରିୟ ସନ୍ତାନ ସୁଜାତା… ଡା. ସୁଜାତା । ଏଇ ଏବେ ଏବେ ଖବର ଆସିଛି -ଦୁନିଆର ସର୍ବୋଚ୍ଚ ୨% ବୈଜ୍ଞାନିକ ମାନଙ୍କ ମଧ୍ୟରେ ସ୍ଥାନ ପାଉଛି ସେ । କେମିଷ୍ଟ୍ରି ( ରସାୟନ ବିଭାଗ) ରେ ସ୍ନାତକୋତ୍ତର ଓ ପି. ଏଚ. ଡି କରି ବିଭିନ୍ନ ଦେଶର ଶିଖରରେ ଥିବା ଶିଷାୟତନମାନଙ୍କରେ କାର୍ଯ୍ୟରତ ରହି ଏବେ ନିକଟ ଅତୀତରେ ନିଜର ବାୟୋଟେକ୍ନୋଲେଜି କମ୍ପାନୀ ଖୋଲିଛି । ତା’ ମଧ୍ୟ ଅଳ୍ପ ଦିନରେ ବେଶ ନାଁ କମେଇ ସାରିଲାଣି । Annual turnover ବେଶ୍ ଭଲ ଦେଖାଇଲାଣି ।

ମୋଟା ମୋଟି ଭାବେ ସୁଜାତାଙ୍କର ସଫଳତା ପଛରେ ଯଦି କାହା ହାତ ଥାଏ ତେବେ ସେ ହେଉଛି ସୁରମଣି ଦେବୀଙ୍କର । ନିଜେ ତୃତୀୟ ଶ୍ରେଣୀ ପଢିଥିଲେ ମଧ୍ୟ ନିଜ ଶିକ୍ଷାର ଇଚ୍ଛାକୁ ଉଜ୍ଜୀବିତ କରି ରଖିଥିଲେ । ଖଣ୍ଡେ ପେପର କଟିଙ୍ଗ ପାଇଲେ ବି ତାକୁ ପଢି ବସନ୍ତି । ଚୂଲୀ ଅଙ୍ଗାର ଆଣି କାନ୍ଥରେ ଲେଖି ଲେଖି ଅକ୍ଷର ଶିଖନ୍ତି I ଅଳ୍ପ ଅଳ୍ପ ଓଡିଆ ପଢି ପାରୁଥିବା ସୁରମଣି ଦେବୀ ନିଜର ଅଧ୍ୟବସାୟ ବଳରେ ଓଡିଆ ଓ ଇଂରାଜୀ ପରେ ତ୍ରିଭାଷୀ ବହି ଧରି ହିନ୍ଦୀ , ବଙ୍ଗଳା ମଧ୍ୟ ଶିଖି ପାରିଥିଲେ । କେତେବେଳେ ପଢୁଥିଲେ କେଜାଣି ? ବରଂ ପଚାରନ୍ତୁ , କେତେବେଳେ ନ ପଢୁଥିଲେ । ଗୋଟିଏ ପରେ ଗୋଟିଏ ୫ଟି ସନ୍ତାନ ଜନ୍ମ କଲାପରେ ମଧ୍ୟ ନିଜର ଦୃଢ଼ ମନୋବଳ ଯୋଗୁଁ ଟିକିଏ ସମୟ ପାଇବା ମାତ୍ରେ ହାତରେ ବହି ଖଣ୍ଡେ ଧରି ପକାଉଥିଲେ ।

ଶୃଙ୍ଗାର, ସଜବାଜ ଉପରେ ସର୍ବନିମ୍ନ ଧ୍ୟାନ ଦେଉଥିଲେ । ତାଙ୍କର ମା’ ଥିଲେ ଏକ କଳାକାର; ବିଭିନ୍ନ ସ୍ଥାନରେ ନୃତ୍ୟ ପ୍ରଦର୍ଶନ କରି ପେଟ ପୋଷୁଥିଲେ । ଅବସ୍ଥା ଚକ୍ରରେ ପଡି ଜମିଦାର ଘରେ ତାଙ୍କର ବିବାହ ହେଲା; ସେ ବି ବାଲ୍ୟ ବିବାହ ଓ ଦ୍ୱିତୀୟ ସ୍ତ୍ରୀ ହିସାବରେ । ତାଙ୍କ ହାତରୁ ପାଠ୍ୟପୁସ୍ତକ ଏକରକମ ଛଡେଇ ନେଇ ଖୁବ୍ ଶୀଘ୍ର ଯେମିତି ରାତାରାତି ତାଙ୍କୁ ବିବାହ ବନ୍ଧନରେ ରେ ଛନ୍ଦି ଦିଆ ଯାଇଥିଲା । ତାଙ୍କ ମା’ ଙ୍କର ଇଚ୍ଛା ଥିଲା, ସୁରମଣି ତାଙ୍କର କଳଙ୍କିତ ଜୀବନରୁ ଦୂରେଇ ରହନ୍ତୁ ।

୯ ବର୍ଷରେ ବିଭା ହୋଇ ଯେ ଆସିଥିଲେ ଧୀରେ ଧୀରେ ଆପଣାର ଘର ପରିବାର ଏପରିକି ମା’ ମୁହଁ ମଧ୍ୟ ପାସୋର ଗଲେ । ପ୍ରଥମେ ପ୍ରଥମେ ମା’ ଆସି ସଞ୍ଜ ଅନ୍ଧାରରେ ତାଙ୍କୁ ଭେଟି ଯାଉଥିଲେ । ସାଙ୍ଗରେ ସବୁବେଳେ କିଛି ବହି ନେଇ ଆସୁଥିଲେ । ସୁରମଣି ବେଶି ସଜବାଜ ହୋଇଥିଲେ ତାଙ୍କୁ ବହୁତ ପାଟି କରୁଥିଲେ । ସୁରମଣି ବୁଝିଲେ ଯେ ସଜବାଜ,ନୃତ୍ୟ, ସଙ୍ଗୀତ କୌଣସି କାରଣରୁ ତାଙ୍କ ପାଇଁ ନିଷିଦ୍ଧ । ହେଲେ ମନଭରି ପୁସ୍ତକ ପଢି ପାରିବେ ଆଉ ହଜି ଯାଇ ପାରିବେ ନିଜର ସପ୍ନର ଦୁନିଆରେ ।

ଧୀରେ ଧୀରେ ବଡ ହୋଇ ଜମିଦାରୀ ମଧ୍ୟ ସମ୍ଭାଳିବା ଶିଖିଗଲେ । ୫ମ ସନ୍ତାନ ସୁଜାତା ୩ ବର୍ଷର ହୋଇଥିବା ସମୟରେ ସ୍ୱାମୀଙ୍କୁ ହରେଇ ବସିଲେ । ନିଜ ନିଃସଙ୍ଗ ଜୀବନର ସାଥି କରିନେଲେ ବିଭିନ୍ନ ପୁସ୍ତକ ସବୁକୁ । ସମୟ ଗଡ଼ିବା ସହ ବିଭିନ୍ନ ଖବର କାଗଜରୁ ଦେଶ ବିଦେଶର ଖବର ଜାଣିଲେ । ରାଜନୀତି ବୁଝିଲେ, ଅର୍ଥନୀତି ବିଷୟରେ ଚର୍ଚ୍ଚା କଲେ । ତାଙ୍କ ତୀକ୍ଷ୍ମ ବୁଦ୍ଧିମତା ଯୋଗୁଁ ତାଙ୍କୁ ସମସ୍ତେ ଠାକୁର ମା’ ଡାକୁଥଲେ ଓ ନିଜର ସମସ୍ୟାର ସମାଧାନ ପାଇଁ ଆସୁଥିଲେ ।

ନିଜର ଦୂରଦୃଷ୍ଟି ଯୋଗୁଁ ୫ଟି ଯାକ ପିଲାଙ୍କୁ ଉତ୍ତମ ଶିକ୍ଷା ଦେଇ ସେମାନଙ୍କର ବିବାହ ସମ୍ପନ୍ନ କଲେ ।
ସମସ୍ତଙ୍କ ଭିତରେ ସୁଜାତା ଥିଲେ କୁଶାଗ୍ରଚିତ୍ତ ଓ ମେଧାବିନୀ I ସୁରମଣି ଦେବୀଙ୍କର ସତେ ଯେମିତି ଛାଇ ଥିଲେ ସେ । କେବଳ ପାଠପଢା ଓ କାମରେ ମନ । ଆଜି ସେଥିପାଇଁ ସେ ନିଜ କର୍ମକ୍ଷେତ୍ରରେ ଖୁବ କମ ବୟସରେ ସଫଳତାର ଶିଖର ସ୍ପର୍ଶ କରିଛନ୍ତି ।

ସୁଜାତା ମାତ୍ରାଧିକ ବ୍ୟସ୍ତ ରହୁଥିବାରୁ ସୁରମଣି ଦେବୀଙ୍କୁ ଅନୁରୋଧ କରି ଝିଅ ରାଗିଣୀର ଲାଳନପାଳନ କରିବାପାଇଁ ଗାଁରୁ ବାରମ୍ବାର ଡକେଇ ଆଣୁଥିଲେ । ହେଲେ ନା ସୁରମଣି ଦେବୀ ନା ସୁଜାତା, କେହି ବି ରାଗିଣୀକୁ ଆୟତ୍ତ କରି ପାରୁଥିଲେ ।
ଯେତେବେଳେ ସୁରମଣି ଓ ସୁଜାତା ନୃତ୍ୟ, ସଙ୍ଗୀତ, ଶୃଙ୍ଗାର ଘୃଣା କରୁଥିଲେ ଓ ପାଠପଢାକୁ ଅଗ୍ରାଧିକାର ଦେଉଥିଲେ, ରାଗିଣୀ ଠାରେ ଠିକ ଓଲଟା ଲକ୍ଷଣ ଦେଖା ଯାଉଥିଲା ।

ପିଲାଦିନୁ ଆଲମାରୀ ଭର୍ତ୍ତି ଲୁଗାପଟା; ବଡ ହେଲା ପରେ ପ୍ରତି ୬ ମାସରେ ଜିଦ୍ଦି କରି କିଛି ନୂଆ ଟ୍ରେଂଡିଙ୍ଗ ଲୁଗାପଟା କିଣିବା ଥୟ। ମୁଣ୍ଡକୁ ହାତ ପାଇବା ପରେ ପ୍ରସାଧନ ସାମଗ୍ରୀର ସମ୍ଭାର ତା’ ଡ୍ର ରେ । ମେଟ୍ରିକ ଯାଏଁ ଟିଉସନ ଆଦି ଲଗେଇ ୮୫ % ମାର୍କ ନେଇ ଆସିଲା । ହେଲେ +୨ ରେ ଆଉ ବିଜ୍ଞାନ ନାଁ ଧରିଲାନି । +୨ କଳାରେ ନାଁ ଲେଖାଇଲା, ହେଲେ ସେଥିରେ ମଧ୍ଯ ପ୍ରବଳ ଅନାଗ୍ରହ ।

ସୁଜାତା ନିଜ ସହକର୍ମୀଙ୍କଠୁ ଜାଣିଲେ ଯେ ରାଗିଣୀ କୁଆଡେ ଖୁବ୍ ଭଲ ଗୀତ ବୋଲୁଛି ଓ ତା’ର ନୃତ୍ୟର ରିଲ୍ ସବୁ ଭାଇରାଲ୍ ହୋଇ ତା’ର ଏବେ ମିଲିଅନ୍ ଫଲୋଅରସ୍ |

ସେ ଦିନ ଘରକୁ ଫେରି ସୁଜାତା ଓ ରାଗିଣୀ ମଧ୍ୟରେ ବହେ ବଚସା ହେଲା । ସ୍ୱାମୀ ମଝିରେ ପଶି ସମାଧାନ କରିବାକୁ ଚାହିଁଲାରୁ ସୁଜାତା ତାଙ୍କ ଉପରେ କ୍ରୋଧରେ ମଧ୍ଯ ବର୍ଷି ଗଲେ ।

ଆଜି ସୁରମଣିଙ୍କୁ ଗାଁରୁ ଡକେଇ ଆଣିଛନ୍ତି ସୁଜାତା । କ୍ରୋଧରେ ସତେ ଯେମିତି ଫାଟି ପଡୁଛନ୍ତି I ହଠାତ୍ ସୋଫାରେ ଲଥ୍ କରି ବସିପଡି କହିଲେ “ମା’! ଆଜି ସୀମା ଟପି ଯାଇଛି I କେଉଁ ଖରାପ ବେଳାରେ ଏ ଛୁଆ ଜନ୍ମ ହେଲା କେଜାଣି ! ଆଜି ମୋ ସ୍ବପ୍ନର ସୌଧ ତାସ୍ ଘର ପରି ଭୁଶୁଡି ପଡୁଛି I

ସୁରମଣି –“ଶାନ୍ତି, ଶାନ୍ତି । କ’ଣ ଏମିତି କରିଛି ସେ ?”
ସୁଜାତା – “କ’ଣ ଆଉ କରିବା ବାକି ଅଛି ।“ କ୍ରୋଧରେ ଫଁ ଫଁ ହୋଇ କହୁଥାଏ –“ମୁଁ, ତୁମ ଝିଅ, ବିଶ୍ଵର ସର୍ବଶ୍ରେଷ୍ଠ ବୈଜ୍ଞାନିକ ଭିତରେ ଗଣା ଆଜି I ଅଥଚ ମୋ ଝିଅ ରୀଲବାଲୀ , ନାଚବାଲୀ …….ଓଃ । ମୋ ମୁଣ୍ତ ଭିତରଟା କ’ଣ ହୋଇ ଯାଉଛି ।“
ରାଗିଣୀ କ୍ରୋଧରେ ଫାଟି ପଡି କହିଲେ “ମମ୍ ! ମୁଁ social media influencer… ଜାଣିଛ ମୋ ସଙ୍ଗେ କିଏ ସବୁ collab କରିବାକୁ ଚାହିଁ ବସିଛନ୍ତି !”
ସୁଜାତା :- “ଓଃ ସଟ ଅପ | ଏବେ ବୋଉ ୟା ନୂଆ କାରନାମା ଶୁଣ । ନିଜଠୁ ୧୫ ବର୍ଷ ବଡ ଜଣେ industrialist ଙ୍କ ପ୍ରେମରେ ରାଜକୁମାରୀ ପଡିଛନ୍ତି –କ’ଣ ନା ବାହା ହେବେ ଯଦି, କେବଳ ତାଙ୍କୁ । ”
ରାଗିଣୀ – ମମ୍ ! ମୋର କ’ଣ ବୟସ ହେଇନି ମୋ ଜୀବନର decision ନିଜେ ନବାକୁ! Sameer is very sensible and he loves me like anything.
ସୁଜାତା ସୁରମଣି ଦେବୀଙ୍କ ଆଡକୁ ବୁଲିପଡି କହିଲେ – “ଦେଖ ବୋଉ । ତୁମ ନାତୁଣୀ କେତେ ବଡ ହୋଇ ଗଲାଣି । ୨୨ ବର୍ଷରେ ନିଜ କ୍ୟାରିଅର୍ ନ ଗଢି ବାହା ହେବାକୁ ମନ ବଳେଇଲାଣି । ମୁଁ ତାକୁ world’s greatest economist କରିବାର ସ୍ୱପ୍ନ ଦେଖିଛି ….. ଆଉ ଇଏ ……. ବାହା ହେବାର ।”

ରାଗିଣୀକୁ କଟମଟ କରି ଚାହିଁ ପଚାରିଲେ- “କ’ଣ କରିବୁ ? ବାହା ହେବୁ, ଛୁଆ କରିବୁ ଆଉ ଚୂଲୀ ଗୁଣ୍ଡରେ ଜୀବନ ସାରିଦେବୁ!”
ରାଗିଣୀ ଚିହିଁକି ଆସି କିଛି ପ୍ରତ୍ୟୁତ୍ତର ଦେବା ଆଗରୁ ସୁରମଣି ଉଭୟଙ୍କୁ ଶାନ୍ତ କରି ବସେଇଲେ ।
କହିଲେ – “ଏମିତି ଉଚ୍ଚସ୍ଵରରେ ଫିଙ୍ଗା ପୋପଡା କଥା ହୋଇ ଆମେ କ’ଣ ସମାଧାନ କରି ପାରିବା କହିଲ ? ବସ ଆଗେ । ଆମେ ସମସ୍ତେ ପ୍ରଥମେ ଗୋଟିଏ ମିନିଟ ମୌନ ରଖିବା ।“ ଗୋଟିଏ ମିନିଟ ମୌନ ପରେ ଯେତେବେଳେ ତିନି ଜଣ ଆଖି ଖୋଲିଲେ , ସମସ୍ତେ ନୂଆ କରି କଥା ଆରମ୍ଭ କରିବାକୁ ପ୍ରସ୍ତୁତ ଥିଲେ।

ସୁରମଣି : – ” ମା’ ରାଗିଣୀ! ମୋ ଧନ, ତୁ ବହୁତ ସୁନା ଝିଅଟେ । ଆମେ ଆରମ୍ଭରୁ ଆରମ୍ଭ କରିବା । ତୁ ୩ୟ ଶ୍ରେଣୀ ଯାଏଁ ଏତେ ଭଲ ପଢୁଥିଲୁ , ତା’ ପରେ କ’ଣ ହେଲା ଯେ ତୋର study performance କମି ଚାଲିଲା ? ତୁ ତୋ ମା’ କଥା ବି ଶୁଣିବାକୁ ଚାହୁଁନୁ ! ସତ କହ ।“

ରାଗିଣୀ ତା’ଘଣ୍ଟାର ବ୍ୟାଣ୍ଡ ବାରମ୍ବାର ଖୋଲି ବନ୍ଦ କରୁଥାଏ । ସୁଜାତା ରାଗି କିଛ କହିବାକୁ ଉଦ୍ୟତ ହୁଅନ୍ତେ ସୁରମଣି ତାଙ୍କୁ ଆଖିର ଇସାରାରେ ଅଟକାଇଦେଲେ I

“କହ ମା’। ତୋ ଅନ୍ତରର କଥାକୁ ଆଜି ଖୋଲି କହି ଦେ I ସେ ଜଉମୁଦ ଦିଆ ବାକ୍ସ ଆଜି ଖୋଲି ଦେ |”
ପଛ ଆଡୁ ସୁଜାତାଙ୍କ ସ୍ୱାମୀ ସ୍ଵାଧୀନ ଆସି ବୈଠକରେ ଯୋଗ ଦେଇଥାନ୍ତି ଏ ଭିତରେ |

ସୁରମଣି ଆଉଥରେ ପଚାରିଲେ -“ମା” ତୁ ଜୀବନରେ କଣ କରିବାକୁ ଚାହୁଁଛୁ ? ତୋ ବୟସ ଗଡି ଯାଉଚି ଯେ |”

ରାଗିଣୀ ମୁହଁ ଖୋଲିଲା – “ଆଈ ! ମୁଁ ତୁମ ଭଳି ହେବାକୁ ଚାହୁଁଛି |”

ସୁଜାତା – “ମାନେ ! Housewife! ଜାଣିଛୁ, ଯଦି ଆଈ ୯ ବର୍ଷରେ ବାହା ନ ହୋଇଥାନ୍ତେ, ତେବେ ସେ ଆଜି ଡାକ୍ତର କି କଲେକ୍ଟରଟେ ହୋଇଥାନ୍ତେ |”

ରାଗିଣୀ – “ମାନେ ଆଈ ତୁମ ଆଖିରେ ଜଣେ ଅସଫଳ ନାରୀ ? ମୋ ନଜରରେ ସେ କିନ୍ତୁ ତୁମ ଏତିକି କିମ୍ବା ତୁମଠୁ ବେଶୀ ସଫଳ । She is a successful mother. ସେ ଜଣେ ସଫଳ ମା’ , ଜଣେ leader , ଜଣେ generation builder | ନିଜ ମନ ମୁତାବକ ଜ୍ଞାନ ଆହରଣ କରି, ତୁମ ପାଞ୍ଚ ଭାଇ ଭଉଣୀଙ୍କୁ କେମିତି ସକ୍ଷମ କରି ଗଢ଼ିଛନ୍ତି ଦେଖ ତ ! ଆଉ ତୁମେ ଗୋଟିଏ ଛୁଆ ଜନ୍ମ କରି ମଧ୍ୟ ତାକୁ ବୁଝି ପାରୁନ |”

ସୁଜାତା ରାଗି ଉଠି କିଛି କହି ଆସିଲା ବେଳକୁ ସୁରମଣି ଅଟକାଇଲେ | ହସି ହସି କହିଲେ – “ମା’ ରାଗିଣୀ ! କାହିଁ ରାଣୀ, କାଇଁ ଚନ୍ଦ୍ରକାଣୀ ! ତୋ ମା’ ଆଗରେ ମୋର ଅବା କଣ achievement ?”

ରାଗିଣୀ – “ନା ଆଈ | ତୁମେ ନିଜ ବିଷୟରେ ଖୁବ କମ ଜାଣିଛ | ତୁମେ ତୁମ ପିଲା ମାନଙ୍କ ପାଇଁ ସବୁବେଳେ ପାଖରେ ଥିଲ | ମୋ ପାଖରେ କିଏ ଥିଲା ?
ସବୁ ସାଙ୍ଗମାନଙ୍କ ବାପା ମା’ PTM ଆସି କେତେ ପୁଙ୍ଖାନୁପୁଙ୍ଖ ଭାବେ ନିଜ ଛୁଆଙ୍କ ବିଷୟରେ ଆଲୋଚନା କରୁଥିଲେ |”

ସୁଜାତା-“ମୁଁ ତୋର କେଉଁ PTM miss କରିଛି କହ ତ ! ମୁଁ ନ ଯାଇ ପାରିଲେ ତୋ ବାବାଙ୍କୁ ପଠେଇଛି | ଅଧା ଦିନ Leave ମଧ୍ୟ ପକେଇଛି |”

ରାଗିଣୀ – “ଯାଉଥିଲ | କିନ୍ତୁ ତୁମେ ମୋ ପାଇଁ କେତେ ଥର fight କରିଛ ? ମାମ୍ ମୋ ଦୋଷ ଦେଖାନ୍ତି ଆଉ ତୁମେ ମୋତେ ଦୋଷୀ ମାନି ଘରକୁ ଫେରିଆସ; ବାଟଯାକ ମୋତେ ବୁଝାଉଥାଅ | କେବେ ମୋ କଥାକୁ ଶୁଣି ବି ଥିଲ ?”
ସୁଜାତା ଭାବୁଥାନ୍ତି ସତେ ତ, ସେ ରାଗିଣୀକୁ କେବେ ତା କଥା ନ ପଚାରି ଖାଲି ନିଜ ଆଡୁ ଶୁଣେଇ ମା’ ର କର୍ତ୍ତବ୍ୟ କରି ଦିଅନ୍ତି |

ରାଗିଣୀ – “ମମ୍ | ମୋର ଯେଉଁ ଦିନ ପ୍ରଥମ ଋତୁସ୍ରାବ ହେଲା , କିଏ ଥିଲା ମୋ ପାଖରେ କହିଲ ? ତୁମେ ଆମେରିକାରେ ଫେଲୋସିପ କରୁଥିଲ | ବାବା କୌଣସି ଟୁରରେ ଥିଲେ | ଆମ ଘରେ ସେତେବେଳେ କନକ ଆଣ୍ଟି ଯେ କାମ କରୁଥିଲେ, ସେ ଆଈଙ୍କୁ ରାତାରାତି ଖବର ଦେଇ ଡାକିଥିଲେ | କେତେ ଡର ଲାଗୁଥିଲା ମତେ ମମ୍…. କେହି ନ ଥିଲେ ମୋ ପାଖରେ |” ରାଗିଣୀ ଆଖିରୁ ଧାର ଧାର ଲୁହ ବୋହି ଚାଲିଥାଏ | ସୁରମଣି ଉଠି ଆସି ତାକୁ କୋଳେଇ ଧରିଲେ | ସୁଜାତା ଓ ସ୍ୱାଧୀନ ନିର୍ବାକ ଥିଲେ |

ରାଗିଣୀ ଟିକିଏ ସାଷ୍ଟାମ ହୋଇ କହିଲା “ହୁଏତ ତୁମେ ନିଜ କ୍ୟାରିଅର ପାଇଁ ସେ ସବୁ କରିବା ଠିକ ଥିଲା, ହେଲେ ମୁଁ ସେତେବେଳେ କିଛି ବୁଝି ପାରୁ ନ ଥିଲି | ମୋ ସୁଖ ଦୁଃଖ ବାଣ୍ଟିବା ପାଇଁ ମୋର ନିଜର ଭାଇ କି ଭଉଣୀଟିଏ ବି ନ ଥିଲା | ସାଙ୍ଗମାନଙ୍କ ସଂଗେ ମିଶିଲେ ବି ତୁମକୁ ଭଲ ଲାଗୁ ନ ଥିଲା |”

ସବୁବେଳେ ଖାଲି “ପାଠ ପଢ, ପାଠ ପଢ” | ତା ଛଡା ଯେମିତି ଜୀବନରେ ଆଉ କିଛି ନ ଥିଲା | ମୁଁ ଗୀତ ଶିଖିବାକୁ କହିଲେ… ନା…..ନାଚ ଶିଖିବାକୁ କହିଲେ… ନା… କିନ୍ତୁ ମୋ ସାଙ୍ଗମାନଙ୍କ ଓ ସମୀରଙ୍କ ପ୍ରୋତ୍ସାହନ ଯୋଗୁଁ ଆଜି ମୁଁ ଦେଶର Top YouTuber ମଧ୍ୟରୁ ଜଣେ | ହେଲେ ତୁମେ ତୁମ ମାପକାଠିରେ ମୋତେ ସବୁବେଳେ ମାପିଛ | ମୋ ସଫଳତା ତୁମ ପାଇଁ କିଛି ମୂଲ୍ୟ ରଖେନି |”

ସୁଜାତା ଚିହିଁକି ଉଠି କହିଲେ – “ପୁଣି ସମୀର ନାଁ ଧରିଲୁ? ତୋ ଠୁ ୧୫ବର୍ଷ ବଡ; ବୁଝିଲୁ? ବାପ-ଝିଅ ନ ହେଲେ ବି ଅନ୍ତତଃ …. ”

ମଝିରୁ କଥା କାଟି ରାଗିଣୀ କହିଲା – ମମ୍ Forget About Yourself. ଆଈ ଓ ଅଜାଙ୍କର ବୟସ ବ୍ୟବଧାନ କେତେ ଥିଲା କହିଲ ? ୧୩ବର୍ଷ ତ ? ସେ କ’ଣ ପରିବାର ଗଢ଼ିପାରିଲେନି ?

“ମମ୍! ମୋତେ ମୋ ହିସାବରେ ବଂଚିବାକୁ ଦିଅ | ତୁମକୁ ବିଜ୍ଞାନ କ୍ଷେତ୍ରରେ କାମ କରି ସଫଳତା ଅର୍ଜନ କରିବାର ଅଛି | ମୁଁ କିନ୍ତୁ ମୋ ସୋସିଆଲ ମିଡ଼ିଆ content ଦ୍ୱାରା ଲୋକଙ୍କୁ ଜୀବନକୁ ରାହା ଦେଖାଉଛି ମନଭରି ବଂଚିବାର | ତୁମକୁ ଦୁନିଆରେ ଯେତିକି ଲୋକ ଚିହ୍ନି ନ ଥିବେ ମୋତେ ତାଠୁ ଯଥେଷ୍ଟ ଅଧିକ ଲୋକ ଚିହ୍ନିଛନ୍ତି |”

ସ୍ୱାଧୀନ ଏଥର ମୁହଁ ଖୋଲିଲେ -“Let her be herself Sujata |”
ସୁଜାତା ମୁଣ୍ଡ ଧରି ବସିଥାନ୍ତି | ତାଙ୍କ ମୁଣ୍ଡକୁ ଜୁଟୁ ନ ଥାଏ କେମିତି ଝିଅକୁ ବୁଝେଇବେ | ତାଙ୍କ ମତରେ ଝିଅ ସମ୍ପୂର୍ଣ୍ଣ ଅବାଟକୁ ଚାଲି ଯାଇଛି | ଭାବି ପାରୁ ନ ଥାନ୍ତି କେମିତି ବାଟକୁ ଫେରେଇ ଆଣିବେ |

ରାଗିଣୀ କହିଲା – ” ମୋତେ ଏକ ସୁନ୍ଦର ଘର କରିବାର ଅଛି | ମୋ ସ୍ୱାମୀଙ୍କ ସହ ଆରାମରେ ବସି ସକାଳର ଚା ପିଇବି | ଘରର ପ୍ରତେକ କୋଣ ଅନୁକୋଣକୁ ସଜେଇବି | ଛୁଆ ହେଲେ ଦିନ ରାତି ସେମାନଙ୍କ ପଛେ ପଛେ ଲାଗି ରହିବି | ତାଙ୍କୁ ପାଠ ପଢ଼େଇବି , ହାତରେ ଖୋଇଦେବି ଜୋତା ମୋଜା ପିନ୍ଧେଇ ଦେବି, special dish ତିଆରି କରିବି | ପରିବାର ସହ ମିଶି ମନ୍ଦିର ଯିବି | ରବିବାର ଦିନ ଆରାମରେ ପରିବାର ସହ ସମୟ ବିତେଇବି |”

ସୁଜାତା – ” Oh my god ! Such basic dreams”
ରାଗିଣୀ କହି ଚାଲିଥାଏ – “ମୁଁ ସମସ୍ତଙ୍କ ପାଇଁ ସବୁବେଳେ ଥିବି | ଯିଏ ଯେତେବେଳେ ଦୁଃଖରେ ଥିବ ମୋ କାନ୍ଧ ତାଙ୍କ ପାଇଁ ପ୍ରସ୍ତୁତ ଥିବ|”
ସୁଜାତା – “ଆଉ ତୁ ଯେତେବେଳେ ଏକା ରହିଯିବୁ , ତୋ ପାଇଁ ଆଉ କେହି ନ ଥିବେ | ତୋ ଆଈଙ୍କର ପୁରା generation ଏହାଠୁ ବି ଖରାପ ଅବସ୍ଥା ଭୋଗିଛନ୍ତି home maker ରୂପେ , ଯେଉଁଥିପାଇଁ ଆମ generation କୁ ସଶକ୍ତ କରି ଗଢିଲେ | ସେଥିପାଇଁ ଆଜି ସମାଜରେ ସ୍ତ୍ରୀ ପୁରୁଷ କାନ୍ଧରେ କାନ୍ଧ ମିଶେଇ ଚାଲି ପାରିବାକୁ ସକ୍ଷମ | ଏମିତିକି ବହୁତ କ୍ଷେତ୍ରରେ ପୁରୁଷ ମାନଙ୍କଠୁ ସେମାନେ ଆଗୁଆ | ତୋ ନିଜ ଅବସ୍ଥା କଣ ହେବ ଭାବିଛୁ ଦିନେ – ତୁ unpaid worker ହୋଇ ରହିଯିବୁ | ”

ସୁରମଣି ଦେବୀ ଏଥର ଉଠିଲେ | ଶାନ୍ତଭାବେ କହିଲେ – “ସୁଜାତା ଓ ରାଗିଣୀ ! ତୁମେ ଉଭୟ ହିଁ ଠିକ ନିଜ ନିଜ ଯାଗାରେ | ଉଭୟ ଉଭୟଙ୍କୁ ଯେତେ ବୁଝେଇଲେ ବି କେହି କାହା କଥା ଭୁଲ ବୋଲି ପ୍ରମାଣିତ କରି ପାରିବ ନାହିଁ |
କହିଲେ – “ସୁଜାତା , ମା’, ତୋତେ ଏଠି ବୁଝିବାକୁ ପଡିବ – ସବୁକିଛି “ଚକ୍ରବତ ପରିବର୍ତ୍ତନ୍ତେ” | ଆଜି ଚାରି ପିଢ଼ିରେ ଆମ ଚକ୍ର ସମ୍ପୂର୍ଣ୍ଣ ହେବାକୁ ଯାଉଛି |”

ସ୍ୱାଧୀନ ଆଶ୍ଚର୍ଯ୍ୟ ହୋଇ ପଚାରିଲେ – “ଚକ୍ର….. କେମିତି ?”
ସୁରମଣି ଦେବୀ ଅଳ୍ପ ହସି କହିଲେ – “ମୁଁ ବିଦ୍ୟାର୍ଜନ କରିବାର ସୌଭାଗ୍ୟ ପାଇ ନ ଥିଲି ଓ ଶୀଘ୍ର ବିବାହ ବନ୍ଧନରେ ଛନ୍ଦି ହୋଇ ଯାଇଥିଲି | ମୋର ବିଦ୍ୟାର୍ଜନ କରିବାର ଦୁନିର୍ବାର ଇଚ୍ଛା, ସୁଜାତା ଠାରେ ପ୍ରକଟିତ ହେଲା |ମୋ ମା’ ମୋତେ କଳା ଜଗତରୁ ଦୂରେଇ ରଖି ବହି ଆଡକୁ ମନକୁ ମୋଡି ଦେଲା I ମୁଁ ସୁଜାତାଠାରେ ସେ ଇଚ୍ଛାର ପୂର୍ଣ୍ଣ ପରିପ୍ରକାଶ ଦେଖିଲି I ସୁଜାତା ମନ ଭରି ପଢିଲା, ଗବେଷଣା କଲା ଓ ଏବେ ସଫଳତାର ଶିଖରରେ | କିନ୍ତୁ ସେଥି ଯୋଗୁଁ ରାଗିଣୀ କହିଲା ପରି ପରିବାରର ଛୋଟ ଛୋଟ ସୁଖକୁ ବଳିଦାନ ଦେବାକୁ ପଡିଲା | ନିଶ୍ଚୟ ଏ କଥାରେ ଦ୍ଵିମତ ହୋଇ ପାରିବନି ତୁମେମାନେ |

ତୁ ଛୁଟି ନେଇ ଝିଅର ପାଠପଢା ଦେଖୁଥିଲୁ ପରୀକ୍ଷା ବେଳକୁ | ସତରେ କେବେ ଏକାଠି କେବଳ ବୁଲିବାକୁ ଯାଇଛ କହିଲ? ଯେବେ ଯେବେ ଯାଇଛ, କୌଣସି କନ୍ଫରେନ୍ସ ବାବଦକୁ କିମ୍ବା meeting କି award ନେବା ଆଳରେ |

ତୁମେମାନେ ଯିବା ପରେ ରାଗିଣୀ ମୋ ପାଖେ ରହିଯାଏ | ସ୍ୱାଧୀନଙ୍କ ପରି ଭଲ ସ୍ୱାମୀଟିଏ ପାଇଛୁ | ଯିଏ ତୋତେ ପଦେ ପଦେ ସାଥୀ ଦେଇଛନ୍ତି |”

“ଆଜି ରାଗିଣୀ ପଢାପଢିରୁ ବିମୁଖ ହେବାର କାରଣ ବୁଝି ପାରୁଥିବୁ | କିନ୍ତୁ ସେ ସଫଳ ହେବାର ରାସ୍ତା ଯେ ନ ବାଛିଚି, ତା’ ବି ନୁହେଁ |”

ମୋ ମା’ ମତେ କଳାରୁ ବିମୁଖ କରି ଦେଉଥିଲା ଭୟରେ, କାରଣ ସେତେବେଳେ କଳାକୁ ଲୋକେ ହୀନ ଦୃଷ୍ଟିରେ ଦେଖୁଥିଲେ | ହେଲେ ଆଜି କଳାକୁ ପେଶା କରି ଲୋକେ କେତେ ସମ୍ମାନିତ ହେଉଛନ୍ତି , ତା’ ତ ଆମେ ବି ଦେଖୁଛେ |
ଆଜି ଚକ ଗୋଟିଏ ସମ୍ପୂର୍ଣ୍ଣ ଆବର୍ତ୍ତନ ନେଇଛି – ସେଥିପାଇଁ କହିଲି “ଚକ୍ରବତ ପରିବର୍ତ୍ତନ୍ତେ”

ଆମେ ସାମାଜିକ ନିୟମ ସବୁ, ସମୟ ସହିତ ବଦଳାଉ | ମୋ ସମୟରେ ୧୩ବର୍ଷ ବ୍ୟବଧାନ ବେଶୀ କିଛି ଅଡୁଆ ଲାଗୁ ନ ଥିଲା ତୋ ସମୟରେ ୩-୫ ବର୍ଷ ବ୍ୟବଧାନ ଠିକ ଧରାଗଲା | ଆଜି ରାଗିଣୀ ୧୫ବର୍ଷ ବ୍ୟବଧାନକୁ ଠିକ ଭାବୁଛି କାରଣ ସମୀର ତାକୁ ଠିକ ଭାବେ ବୁଝି ପାରୁଛି |”

ବୈଜ୍ଞାନିକ ତଥ୍ୟ ଅନୁଯାୟୀ ପୁଅ ଓ ଝିଅର ବୟସ ଭିତରେ ତିନିରୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ବ୍ୟବଧାନ ରଖାଯାଏ କାରଣ ଝିଅଟି ଟିକିଏ ଆଗୁଆ ଶାରୀରିକ ଓ ମାନସିକ ସ୍ତରରେ ପରିପକ୍ଵତା ପାଏ I

ସୁଜାତା -” ବୋଉ ! ତା’ ହେଲେ କ’ଣ ତୁମେ ବି ….
ସୁରମଣି ଦେବୀ – “ସମୀର ବିଷୟରେ ମୋତେ ରାଗିଣୀ ଆରମ୍ଭରୁ କହିଛି ମା’ ! ପ୍ରଥମେ ତ ମୁଁ ତାକୁ ପିଲାଳିଆମୀ ଭାବି ଟାଳି ଦେଇଥିଲି I ଏବେ ତା’ କଥା ଶୁଣି ଭାବୁଛି ସମୀରକୁ ଆମେ ସମସ୍ତେ ଥରେ ଭେଟିଲେ କ୍ଷତି ନାହିଁ |”
“କିନ୍ତୁ ମା’ ରାଗିଣୀ! ତୁ ଜେନେରେସନ ବିଲଡର ହେବାରେ ମୋର ଆପତ୍ତି ନାହିଁ, କିନ୍ତୁ ତୋର ନିଜର ହାତ ଖର୍ଚ୍ଚ ବାହାରିଲା ପରି କିଛି ହେଲେ କାମ କରିବୁ | ନିଜର ଅସ୍ତିତ୍ୱକୁ ସମ୍ପୂର୍ଣ୍ଣ ରୂପେ ବିଲୀନ ହେବାକୁ ଦେବୁ ନାହିଁ | ରାଗିଣୀର ରାଗ କେବେ ବି ଯେମିତି ଲିଭିବ ନାହିଁ I”
“No way ଆଈ; ମୁଁ ଏବେ ମୋ ହାତଖର୍ଚ୍ଚ ଠାରୁ ଯଥେଷ୍ଟ ଅଧିକ ରୋଜଗାର କରୁଛି, ଆଉ ଦୁଇ ତିନିଟା କୋର୍ସ ମଧ୍ୟ କରିବାର ନିଷ୍ପତ୍ତି ନେଇଛି I ”
ରାଗିଣୀ ଚଟାପଟ ଲାଇଟ ଓ କ୍ୟାମେରା ଅନ କରି social media ରେ live post ଆରମ୍ଭ କରିଦେଲା I
“Hey guys”! ଏଇ ବର୍ତ୍ତମାନ ଆମ ଡ୍ରଇଂରୁମରେ ଏକ ଝଡ ବୋହିଯାଇ ସବୁ ଶାନ୍ତ ପଡିଯାଇଛି | ଓଃ ! ଶୀତଦିନେ କି ଝଡ ? No no no…. guys – ଇଏ ତିନି ପିଢ଼ିର ଝଡ଼, ପରମ୍ପରାର ଝଡ଼ | ହେଲେ ଆଈ ଯେଉଁଠି, ସବୁ ଜିନିଷ sorted ସେଇଠି | ସେ କହିଲେ ମୁଁ ଚକ୍ରକୁ complete କରିଛି … ମାନେ? ମାନେ ମୁଁ ବୁଝଉଛି |”
ସୁଜାତା ଉଠିପଡ଼ି କହିଲେ -“My God this girl is beyond my comprehension” ବୋଉ ତୁମେ ହିଁ ସମ୍ଭାଳ | ଏତେ details କିଏ ଦିଏ ନିଜ ଜୀବନ ବିଷୟରେ ଦୁନିଆକୁ ! ମୁଁ ଯାଏ ମୋ ଲ୍ୟାବ କୁ | ମୋତେ social media ରେ ପ୍ରସିଦ୍ଧି ପାଇବାର ନାହିଁ bye bye ..
“This is GenZ…ଏମାନେ କ୍ୟାମେରାକୁ ନ ଚାହିଁ ଫୋଟୋ ଉଠାନ୍ତି, ପାଖରେ ବସି ଟେକ୍ସଟିଙ୍ଗ କରନ୍ତି ସତେ ଯେମିତି ପାଟି ନାହିଁ, କଥା କଥାକେ ନିଜ GenZ ଭାଷାରେ ମୁହେଁ ମୁହେଁ ଅପମାନ ବି କରିଯାନ୍ତି ଯାହା ମୁଁ ତ ଅନ୍ତତଃ ବୁଝି ପାରେନି l କଥା କଥାକେ ମେଣ୍ଟାଲ ହେଲଥ ଇସ୍ୟୁ …ସେଥିରେ କ୍ଲାଇମେଟ ଚେଞ୍ଜ, ସାଇଡ ହସଲ …କାମ ଅଳ୍ପ କରୁ ନ କରୁଣୁ ସ୍ଲିପିଂ ଆବର୍ ଚିନ୍ତା l ୱାର୍କ -ଲାଇଫ ବାଲାନ୍ସ କଥା କଥାକେ …ଚକ୍ର ତ ବୁଲୁଛି, ତେବେ ସତରେ କ’ଣ ଏମାନେ ସମର୍ଥ ହେବେ ସମାଜକୁ ଆଗକୁ ନେବାକୁ! ମୋତେ ଏ ସବୁ process କରିବାକୁ ସମୟ ଲାଗିବ ମା’…ମୁଁ ତୁମଠୁ ଟିକିଏ ଅଧିକ ରୂଢିବାଦୀ ବୋଧେ …. ”
ସ୍ୱାଧୀନ ଓ ସୁରମଣି ହସୁଥାନ୍ତି | ରାଗିଣୀ vlogging କରୁ କରୁ କହୁଥାଏ -“love you Mom for understanding me.”
ସୁରମଣି ଦେବୀ କହିଲେ – “ଆଗକୁ ଚକ୍ର ଗତିଶୀଳ ହେଲେ କ’ଣ ଆସୁଛି ଦେଖ | ସବୁ ତାଙ୍କରି ଲୀଳା, ଆମେ ତ ନିମିତ୍ତ ମାତ୍ର l ମା’ ରାଗିଣୀ ! ଆଜି ତୋ ସାଙ୍ଗମାନଙ୍କୁ ଧରି ଭଜନ ଜାମ୍ମିଙ୍ଗ କରିବୁ ତ l”
= ଶୁଭମସ୍ତୁ=
#odiastory #amasahitya #drvpacharya #medbiochem_guru
ଆଜି ସିନା ଜେନ -ଜି , ଆଲଫା, ବିଟା ଆଦି ଆସିଲା …ତେବେ ପୂର୍ବ, ବର୍ତ୍ତମାନ ଓ ଉତ୍ତର ପିଢ଼ିର ସଂଘର୍ଷ ଯୁଗ ଯୁଗର I ହେଲେ ଟେକ୍ନୋଲୋଜି ଯୋଗୁଁ ଆଜି ପିଢ଼ି ସବୁ ଆଉ 20-25 ବର୍ଷ ନୁହେଁ ବରଂ 5-7 ବର୍ଷରେ ବଦଳିବାକୁ ଲାଗିଛି I ତିନି ପିଢ଼ି ଏବେ ପରସ୍ପରକୁ ବୁଝିବାରେ ବ୍ୟସ୍ତ I ବର୍ତ୍ତମାନ ପିଢ଼ି ହିସାବରେ ଆମର ଏଠି ଦାୟିତ୍ୱ ଟିକିଏ ବଢିଯାଏ I ଦାୟିତ୍ୱ ପରମ୍ପରା ଓ ସଂସ୍କୃତିର ରକ୍ଷା କରିବା ସଂଗେ ସଂଗେ ଉତ୍ତର ପିଢ଼ିକୁ ବୁଝି ସେମାନଙ୍କୁ ସତମାର୍ଗରେ ଚାଳିତ କରିବା I


Warning: Trying to access array offset on null in /home/u480314390/domains/drvpacharya.com/public_html/wp-content/themes/themes/betheme/includes/content-single.php on line 259
vpacharya

Leave a Reply

Your email address will not be published. Required fields are marked *