ଡଃ ବିୟତପ୍ରଜ୍ଞା ଆଚାର୍ଯ୍ୟ
ପ୍ରଫେସର, ବାୟୋକେମିଷ୍ଟ୍ରି
ଆଚ୍ଛା କହିଲେ ଦେଖି– ଗୋଟିଏ ମୋଟା ଦଉଡି, ଗୋଟିଏ ସୁତୁଲି ଆଉ ଗୋଟିଏ ସୂତାରେ ଆପଣ ଗଣ୍ଠି ଗୋଟିଏ ଗୋଟିଏ ପକେଇଦେଲେ; ତେବେ ଖୋଲିଲାବେଳକୁ କେଉଁଟା ସୁବିଧାରେ ଖୋଲିବ ?
ଭାବୁଛନ୍ତି ନା ? ହଁ, ତେବେ ସମସ୍ତେ ଏକମତ ହେବେ ଯେ ସୂତାର ଗଣ୍ଠିଟା ଖୋଲିବା ବହୁତ କଷ୍ଟସାଧ୍ୟ କିମ୍ବା ଜମା ଖୋଲି ମଧ୍ୟ ନ ପାରେ । ବାସ ଏଇ ଯେ ମୋଟା ଦଉଡି , ତାହା ତମୋଗୁଣ; ସୁତୁଲିଟି ରଜୋଗୁଣ ଆଉ ସୂତାଟି ସାତ୍ତ୍ଵିକ ଗୁଣ ବୋଲି ଜାଣନ୍ତୁ । ଆଉ ଗଣ୍ଠି ହେଉଛି “ଅହଂ” । ଥରେ ଏ ସୂତାରେ ଅହଂ ଗଣ୍ଠି ପଡିଗଲେ ଖୋଲିବା ବଡ କଠିନ । ତେଣୁ ଆଧ୍ୟାତ୍ମିକ ସାଧକଙ୍କୁ ବାରମ୍ବାର କୁହା ଯାଇଛି, ଆଧ୍ୟାତ୍ମିକ ପଥରେ ଚାଲିବା ହେଉଛି କ୍ଷୁରଧାରରେ ଚାଲିବା ସମ ।
xxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxx
ପ୍ରାୟ ୧୮ ବର୍ଷ ତଳେ ଜଣେ ଉଚ୍ଚକୋଟୀର ଜ୍ୟୋତିଷଙ୍କ ଉପଦେଶାନୁଯାୟୀ ଆମେ ଏକ କଷ୍ଟକର ପୂଜା କରିଥିଲୁ ପରିବାରର ମଙ୍ଗଳ ପାଇଁ । ପ୍ରାୟ ୩ ମାସ ଆଗରୁ ଆମିଷ ଆହାର ତ୍ୟାଗ ପୂର୍ବକ ପ୍ରାୟ ୨୧ ଦିନର ପୂଜା କରିଥିଲୁ । ତାପରେ ପୂଜା ସମପନାର୍ଥେ ଏକ ଯଜ୍ଞ କଲାପରେ ପୁରୋହିତେ ପଚାରିଲେ- “ମା’, କ’ଣ ପାଇଁ ପୂଜା କରୁଛ ? ଇଛା ପ୍ରକଟ କର ସମସ୍ତ ଇଚ୍ଛା ପୂର୍ଣ୍ଣ ହେବ ।” ଅଚାନକ ଭାବେ ପାଟିରୁ ବାହାରିଲା- “ସମସ୍ତଙ୍କର ମଙ୍ଗଳ ହେଉ, ଶୁଖ ଶାନ୍ତି ମିଳୁ ।“
ପ୍ରକୃତରେ ପୂଜାଟି ମା’ ଲକ୍ଷ୍ମୀଙ୍କର ଥିଲା ଓ ଯେ କେହି ବି ଧନ ସମ୍ପତ୍ତି ହିଁ ମାଗନ୍ତି ।କିନ୍ତୁ ମୁଁ ଏଭଳି ଏକ vague ଚିରାଚରିତ ପ୍ରାର୍ଥନା କଲାପରି ଇଛା ଜାହିର କରିବା ପଛରେ ଏକ ବିଶେଷ କାରଣ ଥାଏ । ମୁଁ ନିଧାର୍ଯ୍ୟ କରି କିଛି ମାଗିଲେ ଠିକ ଓଲଟା ଫଳ ମିଳେ ।ମୋର ଭଗବାନଙ୍କ ସାଙ୍ଗରେ କିଛି ଅଲଗା ପ୍ରକାର ଭାବ ।ମୁଁ ଏମିତି କିଛି ନିଧାର୍ଯ୍ୟ କରି ମାଗିଲେ ସେ କହନ୍ତି- “ହେଃ ! ଚୁପ ବସ ।ମୁଁ ତୋ ପାଇଁ ଆହୁରି କିଛି ଭଲ ରଖିଛି ।“ ତେଣୁ ବୋଧହୁଏ ଯାହା ମାଗେ ଠିକ ତାର ଓଲଟା ଫଳ ମିଳେ ।
ତେବେ ପୂଜା ସମାପନ ପରେ ମା’ କାମାକ୍ଷାଙ୍କ ଦର୍ଶନ କରି ଆସିବାକୁ କୁହାହୋଇଥିଲା । ମା ‘କାମାକ୍ଷୀ ନା କାମାକ୍ଷା ?’ ଜ୍ୟୋତିଷେ ଆହୁରି ଜୋର ଦେଇ କହିଲେ ଆସାମର ମା’ କାମାକ୍ଷା ।ଅଭୁତ ଭାବେ ସେ ପୂଜାର ଯୋଗ ଯେମିତି ଆମ ପାଖକୁ ଆପେ ଆସିଥିଲା , ମା’ କାମାକ୍ଷାଙ୍କ ଦର୍ଶନର ସୁଯୋଗ ମଧ୍ୟରେ ଆପେ ସୃଷ୍ଟି ହେଲା ।
ସେଥର ମଣିପୁର ଇମ୍ଫାଲରେ ଆମର ବାୟୋକେମିଷ୍ଟ୍ରି କନ୍ଫରେନ୍ସ ସ୍ଥିରୀକୃତ ହୋଇଥାଏ । ସିଧାସଳଖ ବିମାନସେବା ବ୍ୟବହାର କରିବା ଆମ କ୍ଷମତା ବାହାରେ ।ତେଣୁ ସ୍ଥିର କଲୁ ଗୁଆହାଟୀ ଯାଏଁ ଟ୍ରେନ ଓ ତା’ ପରେ ସେଠୁ ବସରେ ଇମ୍ଫାଲ ଯାତ୍ରା କରିବୁ ।
ମନ ଉତଫୁଲ୍ଲିତ ଥାଏ ଯେ ନିଶ୍ଚୟ ପୂଜା ସଫଳ ହୋଇଛି ଏବଂ ମା’ ଆପେ ଆମକୁ ବାଟ କଢ଼େଇ ନେଇ ଆସୁଛନ୍ତି ।
ଗୁଆହାଟୀ ଏବଂ ତଦୁପରି ପାହାଡ ଉପରେ ମା’ କାମାକ୍ଷା ଦେବୀଙ୍କ ପାଖରେ ପହଂଚିବାର ଯେଉଁ ସୁଖଦ ଯାତ୍ରା ଅନୁଭବ ସେସବୁ ବଖାଣି ବସିଲେ ତ ଦୁଇ ପୃଷ୍ଠା ଲାଗିବ । ଉପରେ ପହଂଚି ଆମେ ଲାଇନରେ ଠିଆ ହୋଇଗଲୁ। ମେଘ କେମିତି ମୁହଁରେ ଲେସି ହୋଇଯାଏ ସେଇଠି ପ୍ରଥମେ ଅନୁଭବ କଲୁ ।ଲାଇନରେ ଠିଆ ହୋଇଥିବା ବେଳେ କିଛି ପୁରୋହିତଙ୍କୁ ଲକ୍ଷ୍ୟ କରୁଥାଏ । ସେମାନେ ଅହମିଆ ଉଚ୍ଚାରଣ ଶୈଳୀରେ ମନ୍ତ୍ରପାଠ କରୁଥାନ୍ତି । ସଂସ୍କୃତ ଉଚ୍ଚାରଣ ସବୁ ଭୁଲ ଶୁଭୁଥାଏ ।
ଗତ କିଛି ଦିନର ସକାମ ପୂଜାରେ ମୋ ମନକୁ ସାତ୍ତ୍ଵିକ ଅହଂ ଟିକିଏ ଚହଟି ଆସିଥାଏ । “ହେଃ ! ଏଗୁଡା ମନ୍ତ୍ର କ’ଣ ଏମିତି ବୋଲୁଛନ୍ତି ମ ? ମୋ ପୂଜା ଫଳ କଣ ଶେଷକୁ ଏମିତି ଚୂଲୀକି ଯିବ? ମୁଁ ଯାଇକି ଭିତରେ ଭଲକରି ବୋଲିବି । ପାରନ୍ତି ଯଦି ସମସ୍ତଙ୍କୁ ବସି ଟିକିଏ ଶିଖେଇ ଦିଅନ୍ତି ମଧ୍ୟ ।“ କିନ୍ତୁ ସେଠିକା ବ୍ୟବସ୍ଥା ଅନୁଯାୟୀ ସମସ୍ତେ ଲାଇନରେ ଠିଆହୋଇ ରହିବେ ଓ ମନ୍ଦିର କର୍ତ୍ତୃପକ୍ଷ ତରଫରୁ ପୁରୋହିତ ଯୁଟେଇ ଦିଆହେବ ।
ଆମ ସମୟ ଯେତେବେଳେ ଆସିଲା, ମା’ ଜଣେ ବାକ୍ ଶକ୍ତି-ରହିତ ପୂଜାରୀଙ୍କୁ ଜୁଟେଇ ଦେଲେ । ଅହମିୟା ଶୈଳୀରେ ତ ଅନ୍ତତଃ ଅଳ୍ପ ଅଳ୍ପ ମନ୍ତ୍ର ବୁଝା ପଡୁଥିଲା । ଏଇ ପୂଜାରୀ ତ ଖାଲି ଅଂ ଅଂ କରି ଠାରରେ କଥା ବୁଝାଉଛନ୍ତି ।
“ଚଡ୍ଡାସ୍” -ମା’ଙ୍କ ଚାପୁଡ଼ାଟିଏ ମୋ ଗାଲରେ ଯେମିତି ବାଜିଲା ପରି ଲାଗିଲା ।ଲାଗିଲା, ମା’ ଯେମିତି କହିଲେ ମୁଁ ମନ୍ତ୍ର ତନ୍ତ୍ର ଯନ୍ତ୍ରରେ ନ ଥାଏ; ଥାଏ ମୋ ଭକ୍ତଙ୍କର ଭାବପୂର୍ଣ୍ଣ ହୃଦୟରେ ।”
ମନେ ମନେ ଭାବିଲି- “ମା’ କ’ଣ କଲ ଇଏ ?ଏତେ ବଡ ପୂଜାର ଅନ୍ତ ଏମିତି” ଆଖିକୁ ଲୁହ ଟିକିଏ ଜକେଇ ଆସିଲା । ସେ ପୂଜାରୀଜଣଙ୍କର Tongue-tie/ankyloglossia ଆଜନ୍ମ ଖନା ଦୋଷ ଥାଇପାରେ କିମ୍ବା ଜିଭ କଟିଯାଇଥାଇପାରେ । ସେ କେବଳ ଅଂ ଅଂ ଶବ୍ଦ କରି ମନ୍ତ୍ର ପାଠ କରୁଥାନ୍ତି । କିନ୍ତୁ ଅନୁଧ୍ୟାନ କଲି, ସେ ହିଁ ସବୁଠାରୁ ନୈଷ୍ଠିକ ପୂଜାରୀ ସେଠି , ବେଶ ପ୍ରତିପତ୍ତି ମଧ୍ୟ ଅଛି ମନ୍ଦିର ଭିତରେ । ସବୁଥର ପରି ଏଥର ମଧ୍ୟ ବିଗ୍ରହ ପାଖରେ ପହଂଚି ମନ ମୋର ଶୂନ୍ୟ ହୋଇଯାଇଥାଏ । ସେତେବେଳେ ନା ମୋତେ କିଛି ମନ୍ତ୍ର ଜୁଟେ ନା କେବେ ମୋର କିଛି ଯାଚଞା ଥାଏ ।
ପୂଜା କର୍ମବିଧି ସାରି ମା’ଙ୍କ ପାଖରୁ ଏକ ଛୋଟ ପାଟ କପଡା ଆମ ପୂଜାରୀ ଆଣି ଆମ ହାତରେ ଦେଲେ । ଆପାତତଃ ପୂଜା ପ୍ରକୃତରେ ଆଶାରୁ ବହୁ ଅଧିକ ସଫଳ ହୋଇଥିଲା ।
ଈଶ୍ୱରଙ୍କ ଚାପୁଡ଼ା ଖାଇ ମୁଁ ଅହଂ ସିଂହାସନରୁ ଓ ମନ୍ଦିର ପାହଚରୁ ଧୀରେ ଧୀରେ ତଳକୁ ଓହ୍ଲାଉଥିଲି । ସୂତାରୁ ଗଣ୍ଠି ଖୋଲିବାର ପ୍ରୟାସ ଆରମ୍ଭ ହୋଇଯାଇଥିଲା ।
II ଶୁଭମସ୍ତୁ II