ଡଃ ବିୟତପ୍ରଜ୍ଞା ଆଚାର୍ଯ୍ୟ
ଆମ ଗୁରୁ ତଥା ପ୍ରଫେସର ଡଃ ସଦାନନ୍ଦ ରଥ ସାର ଥରେ ଆମକୁ ଗୋଟିଏ ଦେଶାତ୍ମବୋଧକ ସଂଗୀତ ଶିଖେଇଥିଲେ I ସେଇ ଗୀତ ଟି ଆଉ ଗୋଟିଏ ଉତ୍ସବରେ ଗାଇ ପାରିବି କି ନାହିଁ ପଚାରିବାରୁ ସେ ହସି ହସି ମୁଣ୍ଡରେ କର ତାଡ଼ିଲେ I କହିଲେ, “ମାଟି ମା’ର ବନ୍ଦନାଟେ ବୋଲିବ ଯେ, ସେଥିକି ଅନୁମତି ମାଗୁଛ ! ଏ ଗୀତ କେତେ କୁଆଡେ ଗାଇ ପାରୁଛ, ଗାଆ ନା I” ସାର କଳାକାର ନୁହନ୍ତି, ଦେଶଭକ୍ତ …ତେଣୁ ସେ ଚାହୁଁଥିଲେ ଦେଶଭକ୍ତିର ଭାବନା ଚତୁର୍ଦ୍ଦିଗେ ବ୍ୟାପି ଯାଉ I ମୁଁ ତଥାପି ଟିକିଏ ଅବିଶ୍ୱାସ କଲା ଭଳି ଅନେଇ ରହିଲାରୁ ସାର ହସିଲେ —“ଆରେ, କହିଲ ଦେଖି, ବେଦ କିଏ ଲେଖିଥିଲେ ?” ମୁଁ ଟିକେ ଲଜ୍ଜିତ ହେଲି, ଉତ୍ତର ଜଣା ତ ନ ଥିଲା! ସାର ପୁଣି ହସିକି କହିଲେ – “ଆରେ ! ବେଦ ଲେଖିକି ଯେତେବେଳେ ଲୋକେ ଅଧିକାର ସାବ୍ୟସ୍ତ କରି ନାହାନ୍ତି, ଆମେ ଏ ଛୋଟ ଗୀତଟିଏକୁ ନିଜର ବୋଲି କଣ କହିବା ?”
ମନରେ ଭାବିଲି, ସତେ ତ! ଦୁନିଆ ର ସର୍ବଶ୍ରେଷ୍ଠ କୀର୍ତ୍ତି ସବୁର କର୍ତ୍ତାଙ୍କୁ ଅବା କେତେ ଭଲ ଭାବରେ ଚିହ୍ନିଛେଁ? କୋଣାର୍କ ଯିଏ ଗଢେଇଲା ସେ ଦେଖିବାକୁ କେମିତି ଥିଲେ ? ଯେ ମୁଣ୍ଡି ମାରିଥିଲା, ସେ ପିଲାଟି ସତରେ ଧର୍ମପଦ ଥିଲା ନା ଆଉ କେହି? ଆଉ କେତେ ଗାଥା ସେଇ ୧୨୦୦ ବଢ଼େଇଙ୍କ ଆଖପାଖରେ ଘୂରି ବୁଲୁଥିଲା ? କ’ଣ ବଞ୍ଚି ରହିଲା ସତରେ ? ସେମାନଙ୍କ କଳା, ସ୍ଥାପତ୍ୟ, କର୍ମ ନା ଜନ? ସେ କାଳର ଆବଶ୍ୟକତାନୁଯାୟୀ ସୂର୍ଯ୍ୟ ମନ୍ଦିର ନିଶ୍ଚୟ ତା ପ୍ରୟୋଜନକୁ ସମର୍ଥଭାବେ ପୂରଣ କରିଥିବ | ଧର୍ମପଦର ତ୍ୟାଗକୁ ହୁଏତ ଲୋକେ ମନେ ରଖିଲେ | ଆଉ ଆଜି ଯେତିକି ବଞ୍ଚି ରହିଛି ତା’ ଆମ ଗୌରବମୟ ଅତୀତର ଚରମ ସମୃଦ୍ଧିର ଗାଥା ଗାଇ ଆମକୁ ଶୁଣାଉଛି | ମନ୍ଦିର ଗାତ୍ରର ମୂର୍ତ୍ତି ଓ କଳାରାଜିରେ କେତେ ଜ୍ଞାନ ଓ ବିଜ୍ଞାନ ଖୁନ୍ଦି ଦେଇ ପଳାଇଛନ୍ତି | ସେ ଶିଳାଲେଖକୁ ଆଜି କେତେଜଣ ସତେ ପଢି ବୁଝି ପାରିବା? ଜନ ରହିଲା ନା ତା’ କର୍ମ !
“କାଲୋ ଜଗତ ଭକ୍ଷକମ” କାଳର କରାଳ ଗତିରେ ସମୟକ୍ରମେ ସବୁ ଅବଲୁପ୍ତ ହେବ | ହେଲେ ବର୍ତ୍ତମାନର କାର୍ଯ୍ୟକାଳପ ଦେଖିଲେ ମନେହୁଏ ବ୍ୟକ୍ତିବିଶେଷମାନେ ସତେ ଯେମିତି ଅମରତ୍ୱ ବରପ୍ରାପ୍ତ ହୋଇଛନ୍ତି |ଦଳୀୟ ରାଜନୀତିରେ ଓ ନିଜ ସ୍ୱାର୍ଥ ସାଧାନାର୍ଥେ ଆମ ନେତାମାନେ ଦେଶହିତ ଓ ଜନହିତକୁ ବଳି ପକେଇ ପ୍ରସ୍ତର ସ୍ଥାପନଠାରୁ ଆରମ୍ଭକରି ଫିତାକଟା ହେବାଯାଏ ସବୁଠି ‘ମୁଁ’ ‘ମୁଁ’ ର ଚିତ୍କାର |
କେତେଦିନ … କେତେଦିନ ଯାଏଁ ନିଜର ପ୍ରତିପତ୍ତି , ନିଜର ନାମକୁ ସମାଜର ସ୍ମୃତି ପଟଳରେ ଉଜ୍ଜୀବିତ କରି ରଖି ପାରିବ ? ଖବର କାଗଜ? … ପାଣିରେ ମିଳେଇଯିବ , ନ ହେଲେ ମାଟିଆ ହୋଇଯିବ … ପ୍ରସ୍ତର ଖଣ୍ଡ ? ନାଁ ରହିଥିବ କିନ୍ତୁ ୧୦୦ ବର୍ଷ ବେଳକୁ ସେ ଭାଷା ଆଉ ଲିପି ବଦଳି ନ ଯାଇଥିବ, କିଏ କହିବ? ମଣିଷର ଆପ୍ରାଣ ଚେଷ୍ଟା କିପରି ନିଜ କୃତିରାଜିକୁ ପେନଡ୍ରାଇଭ , ହାର୍ଡଡ୍ରାଇଭ, କ୍ଲାଉଡ଼ ଓ ଭିନ୍ନ ଭିନ୍ନ ମଧ୍ୟମରେ ସାଉଁଟି ରଖିବ… ହେଲେ କେତେ ଦିନ ?
ଏଇ ନାଁ ଟିକକ ପାଇଁ ଭିତରେ ଭିତରେ କେତେ ଯେ ଦୁରାଚାର , ପରସ୍ପରର ସମ୍ମାନ ହନନ, ଲୁଚାଚୋରାରେ ନିଜ ନାଁ ଟିକୁ ଆଗକୁ କରି ଦେଇ କେତେ ଲୋକ ମନେମନେ ଆନନ୍ଦିତ | କେହି ଖବରକାଗଜରେ ପ୍ରଥମ ପୃଷ୍ଠା ଗୋଟାଯାକରେ ନିଜର ବିଜ୍ଞାପନ ଦେଇ ଖୁସି ତ କେହି ନିଜ ନିଜ ସ୍ୱଚାଳିତ ମିଡ଼ିଆର ଫାଇଦା ଉଠେଇ ନିଜର ପ୍ରଚାର କରି ଖୁସି | ଏପରିକି ଆମ ବିଜ୍ଞାନ ଜଗତରେ ବିଭିନ୍ନ ଅବିଷ୍କାର ଉପରେ ମଧ୍ୟ ହକ ଯତେଇ ନୋବେଲ ପୁରସ୍କାର ହାତେଇବା ଓ ସଭା ସମିତିରେ ସମ୍ମାନିତ ହେବାଭଳି ବୈଜ୍ଞାନିକ କମ ସଂଖ୍ୟାରେ ନାହାନ୍ତି | ଗରିବ ଲେଖକଙ୍କ ହାତରେ ସାହିତ୍ୟ ରଚେଇ ନିଜେ ନାଁ ନେଉଥିବା ସାହିତ୍ୟିକଙ୍କ ନଜିର ମଧ୍ୟ କମ ନାହିଁ |
ଏ ସମସ୍ତ କ୍ଷେତ୍ରରେ ସତ୍ୟ ପ୍ରାୟତଃ ପଦାକୁ ଆସିବ କିମ୍ବା କିଛି ସତ୍ୟ କାଳର କରାଳ ଗତିରେ ଲୁପ୍ତ ହୋଇଯାଇପରେ |
ତେବେ ଯେଉଁ ଉତ୍ତମ କର୍ମଟିମାନ ଘଟି ଯାଇଥିବ, ତାହା ହିଁ ଦୀର୍ଘଜୀବୀ ହେବ ଏବଂ ଆଗକୁ ମାନବଜାତିର ଉନ୍ନତିକଳ୍ପେ ଶିଡ଼ି ଭଳି କାମ କରିବ I ହେଉ ସେ ହକି ବିଶ୍ୱକପ ଓଡ଼ିଶାରେ ସଂଗଠିତ ହୋଇ ରାଜ୍ୟ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ଅବା ଇନ୍ସୁଲିନର ଆବିଷ୍କାର , ଯାହାକି ଆଜି ଯାଏଁ ଅଗଣିତ ଡାଇବେଟିସ ରୋଗୀଙ୍କର ଜୀବନ ସୁଗମ କରିଛି |
ଜନକୁ ଲୋକେ ହୁଏତ ମନେ ରଖିବେ ୧୦୦ – ୨୦୦ ବର୍ଷ ଯାଏ, ଅବା ଆଉ କିଛି ଅଧିକ ଦିନ ଯାଏ, ଯଦି ଶ୍ରୀକୃଷ୍ଣଙ୍କ ଭଳି କିଛି ବ୍ୟକ୍ତିତ୍ୱ ହୋଇଥିବେ | ସେଥିରେ ମଧ୍ୟ ସନ୍ଦେହ ଅଛି | ମାତ୍ର ୫୦୦୦ ବର୍ଷ ତଳେ ଜନ୍ମିଥିବା ଶ୍ରୀକୃଷ୍ଣ ସତରେ ଭଗବାନ କି ନାହିଁ , ଅନେକେ ସନ୍ଦେହ ପୋଷଣ କରନ୍ତି | କେହି ତାଙ୍କୁ ୬ ଫୁଟିଆ ସୁନ୍ଦର ସୁଠାମ ଯୁବକ ରୂପେ ଆଙ୍କିଲା ବେଳକୁ କେହି ତଥ୍ୟ ଦିଅନ୍ତି ସେ ମାତ୍ର ୫ ଫୁଟର କାଳିଆ ଲୋକଟିଏ ଥିଲେ | କେହି ବସ୍ତ୍ରଚୋର, ଲମ୍ପଟ ମଧ୍ୟ ଗାଳି ଦେବାକୁ ପଛାନ୍ତିନି | କିନ୍ତୁ କର୍ମ ଯାହା ଅକ୍ଷୁର୍ଣ୍ଣ ରହିଛି ଆଜି ଯାଏ, ତା’ ହେଉଛି ତାଙ୍କ ମୁଖ ନିଃସୃତ ଶ୍ରୀମଦ ଭାଗବତ ଗୀତା | ଯଦି ଆମେ କାଳଖଣ୍ଡ ଓ ତା’ କର୍ମଛନ୍ଦର ଏକ ବିହଙ୍ଗାବଲୋକନ କରିବା , ତେବେ ଗୋଟିଏ କଥାରେ ସମସ୍ତେ ଏକମତ ହେବା ଯେ ଜନ ଓ କର୍ମ ଭିତରୁ କର୍ମ ହିଁ ବଡ |
ତେଣୁ ନେତୃସ୍ଥାନୀୟ ବ୍ୟକ୍ତି , ବୈଜ୍ଞାନିକ , ସାହିତ୍ୟିକ , କଳାକାର, ଶିକ୍ଷକ ଅବା ଯେକୌଣସି କର୍ମରେ ଲିପ୍ତ ଥିବା ବ୍ୟକ୍ତିବିଶେଷ କ୍ଷଣିକ ଯଶେଷଣା (ଯଶ ପ୍ରାପ୍ତିର ଇଚ୍ଛା) ରେ କବଳିତ ନ ହୋଇ ବରଂ ଉତ୍କୃଷ୍ଟ କର୍ମ କରି ଚାଲନ୍ତୁ | ଲକ୍ଷ ସମସ୍ତଙ୍କର ଏକ ହେଉ – ବିଶ୍ୱ କଲ୍ୟାଣ ଓ ସମାଜର ଉତଥାନ | ” ସର୍ବେ ଭବନ୍ତୁ ସୁଖିନଃ ” ର ଝଙ୍କାରରେ ଜୀବନ ଅନୁରଣିତ ହେଉ | ଆତ୍ମସ୍ୱାର୍ଥକୁ ପଛକରି ସାମୂହିକ ବୃହତ୍ତର ସ୍ୱାର୍ଥକୁ ଆଲିଙ୍ଗନ କରନ୍ତୁ |
== ଶୁଭମସ୍ତୁ ==