ବିଶ୍ୱ ମାତୃଭାଷା ଦିବସ ଉପଲକ୍ଷେ

ଜନ ବଡ ନ କର୍ମ ବଡ ??
January 22, 2023
ଚଉକି
March 9, 2023

ଡଃ ବିୟତପ୍ରଜ୍ଞା ଆଚାର୍ଯ୍ୟ
—————————–
ଏ ଛୋଟିଆ ଭିଡ଼ିଓଟି ମୋ ଭଉଣୀ ଲିଜା ମିଶ୍ର ଯେତେବେଳେ ଦେଲା, ମୁଁ ତା’ ଅନୁମତିରେ ଏହାର କିୟଦଂଶ ନ ଦେଇ ରହି ପାରିଲିନି l ଏ ଭଳି ବିକଳ ଅବସ୍ଥା କେବଳ ଆମର ଓଡ଼ିଆ ଭାଷାଭାଷୀଙ୍କର ସମସ୍ୟା ନୁହେଁ, ବରଂ ଭାରତବର୍ଷର ପ୍ରତ୍ୟେକ ପ୍ରାନ୍ତର ମାତୃଭାଷା ଆଜି ଏଇ ଭଳି ଖେଚେଡ଼ି ହୋଇ ଚାଲିଛି I ଏ ଖେଚେଡ଼ି ଭାଷାର ଯୁଗରେ ନିଜ ନିଜ ଭାଷାର ମୌଳିକତା ବଜାୟ ରଖିବା କେତେ ଯେ କଷ୍ଟ, ତା’ ଆମେ ସମସ୍ତେ ଅଙ୍ଗେ ନିଭେଇଛେ l ଅଜାଣତରେ, କଥା ହେଲା ବେଳକୁ ଇଂରାଜୀ କିମ୍ବା ହିନ୍ଦୀ ଶବ୍ଦ ସବୁ ଧସେଇ ପଶେ I ଏହା ସ୍ୱାଭାବିକ I ପିଲା ଦିନେ ଯେବେ ଆମେ ଖଡ଼ଗପୁର ରେ କିଛି ସମୟ ଅତିବାହିତ କରି ବୁର୍ଲା ଫେରିଲୁ, ସେତେବେଳେ ସମ୍ବଲପୁରୀ କହିଲେ, ବଙ୍ଗଳା ଛୁଟିଲା ଏବଂ ଆଉ କିଛି ଦିନ ପରେ ତାର ଓଲଟା ଅବସ୍ଥା I
ଏପରି ହେବାର କାରଣ, ଓଡିଶାରୁ ଦୂରରେ ରହିବା ବୋଲି କହି ପାରିବେ I ତେବେ ଓଡ଼ିଆ ଲୋକ ଏମିତି ଖେଚେଡ଼ି ଭାଷାରେ ଅବା କାହିଁକି କଥା ହେଉଛନ୍ତି ? ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଯଦି ପଢେଇବା, ମା’ ଟିକୁ ରୀତିମତ ସଂଘର୍ଷ କରି ଇଂରାଜୀ ଭାଷା ଶିଖାଇବାକୁ ହୁଏ l ମହାବିଦ୍ୟାଳୟ ତଥା ବୈଷୟିକ ମହାବିଦ୍ୟାଳୟରେ ଇଂରାଜୀ ମାଧ୍ୟମରେ ପାଠ ପଢା ହେବ, ଇଣ୍ଟରଭ୍ୟୁ ଦେବେ ଇଂରାଜୀରେ, ତେବେ ସେ ଭାଷାଟି ନ ଶିଖି ଓ ବ୍ୟବହାର ନ କରି ରହିହେବ କି ? ହିନ୍ଦୀ ଯଦିଓ ଜାତୀୟ ଭାଷାର ମାନ୍ୟତା ପାଇଁ ନାହିଁ, ସିନେ ଜଗତର ପ୍ରଭାବରେ ଆଜି ପ୍ରତ୍ୟେକ ପ୍ରାନ୍ତରେ ହିନ୍ଦୀ ବୁଝୁଛନ୍ତି l
ଭାଷା ଅନେକଙ୍କ ପାଇଁ ବାର୍ତ୍ତାଳାପର ଜରିଆ l କିନ୍ତୁ ଆମମାନଙ୍କ ପରି କିଛି ଲୋକଙ୍କ ପାଇଁ ଏହା ଓଡ଼ିଆ ଜାତିର ଅସ୍ମିତା, ସଂସ୍କୃତିର ପରିଚାୟକ …ଆମ ଗୌରବ ଗାଥା ଗାଏ ଆଉ ଭବିଷ୍ୟତରେ ଆମ ଓଡ଼ିଆ ଜାତିର ସମ୍ମାନ ଓ ଗୌରବର ନିର୍ଣ୍ଣାୟକ ମଧ୍ୟ l
ଆମ ଭାଷା ଯଦିଓ ଖୁବ ସମୃଦ୍ଧ, ସଂସ୍କୃତ-ନିଷ୍ଠ, ଏହା ମଧ୍ୟ ଖେଚେଡ଼ି ପଣିଆରେ ଶିକାର, ଓଡ଼ିଆଙ୍କ ହୀନମନ୍ୟତା ମଧ୍ୟ ଏହାକୁ ଜନାଦୃତ କରେଇ ପାରୁନାହିଁ କିମ୍ବା ଯୁଗ ସହ ତାଲା ଦେଇ ଚାଲି ପାରୁନାହିଁ l ଏବେ ଯାଏଁ ଗୁଗୁଲରେ ଓଡ଼ିଆ ଭାଷା ଆସି ପାରି ନାହିଁ l ମୋତେ କୌଣସି ଇଂରାଜୀ ଶବ୍ଦର ଅର୍ଥ ସିଧା ସଳଖ ଓଡ଼ିଆରେ ମିଳେ ନାହିଁ, ସେତେବେଳେ ମୁଁ ତାହାକୁ ହିନ୍ଦୀ ଭାଷାରେ ଖୋଜି ନିଏ l ଆମେ ହୁଏତ ଟିକିଏ ପଛେଇ ଯାଇଛେ, ତେବେ କିଛି ପଦକ୍ଷେପ ଶୀଘ୍ରାତିଶୀଘ୍ର ନେବାକୁ ହେବ l
ଆମେ ଯଦି ଆମ ଭାଷାକୁ ଡିଜିଟାଲ ମାଧ୍ୟମରେ ଦୃଶ୍ୟମାନ ନ କରିବା, ତେବେ ଏହା ଏକ ପଛୁଆ ଭାଷା ଓ ସମ୍ଭବତଃ ଆଉ କିଛି ବର୍ଷ ପରେ କଥିତ ଭାଷାରେ ସୀମିତ ରହି ଯାଇପାରେ l
୧- ଓଡ଼ିଆରେ ପ୍ରତିଦିନ କିଛି କିଛି ଟାଇପ କରିବା, ସେ ହେଉ ମୋବାଇଲରେ ଅବା କମ୍ପୁଟରରେ l ଆମ ଭାଷାକୁ ଆର୍ଟିଫିସିଆଲ ଇଣ୍ଟେଲଲିଜେନ୍ସ (କୃତ୍ରିମ ବୁଦ୍ଧିମତ୍ତା) ପ୍ରତି ମୁହୂର୍ତ୍ତରେ ଶିଖୁଛି l ମୋର ଯେଉଁ କ୍ଲୀଷ୍ଟ ନାଁ —ପ୍ରଥମେ କମ୍ପୁଟରରେ ଟାଇପ କରିବା ଅସାଧ୍ୟ ଥିଲା, ବର୍ତ୍ତମାନ ଏହା ସୁଗମ ହୋଇଛି l
୨- ଆମର ଏକ ଡିଜିଟାଲ ଶବ୍ଦକୋଷ, ଯାହାର ଏକ ମାନକ ନିର୍ଦ୍ଧାରଣ କର ଯାଇଥିବ, ତାହା ଇଣ୍ଟେର୍ନେଟରେ ଉପଲବ୍ଧ ହେଉଥିବ l ସୁଖର କଥା କିଛି ଜ୍ଞାନୀ -ଗୁଣୀ ବ୍ୟକ୍ତି ଏଥିରେ ରତ ରହିଛନ୍ତି l ଏହା ବିଷୟରେ ଅଳ୍ପ କିଛି ଦିନ ତଳେ ଏକ ବୈଠକରେ ସମ୍ୟକ ସୂଚନା ପାଇଲୁ I
୩- ବିଜ୍ଞାନର ପ୍ରଚାର ପ୍ରସାର ଓଡ଼ିଆରେ ଅଧିକରୁ ଅଧିକତର ହେଉ l ତଦ୍ଦ୍ୱାରା ଲୋକେ ନିଜ ପିଲା ମାନଙ୍କୁ ଓଡ଼ିଆ ମାଧ୍ୟମ ବିଦ୍ୟାଳୟ ମାନଙ୍କୁ ପଠାଇବାକୁ ପ୍ରେରିତ ହେବେ I ଏ ସଂକ୍ରାନ୍ତୀୟ ଏକ ବୈଠକ ନିକଟ ଅତୀତରେ ହୋଇ ଯାଇଛି ଏବଂ ଆଶା କିଛି ଭଲ କାମ “ବିଜ୍ଞାନ ପ୍ରସାର ” ଜରିଆରେ ହେବ I
୪- ପ୍ରତିଦିନ ନିଜେ ଗୋଟିଏ ଲେଖା ସୁପ୍ରଭାତ କିମ୍ବା ଶୁଭରାତ୍ରୀ ସନ୍ଦେଶ ଡିଜିଟାଲ ମାଧ୍ୟମରେ ବନେଇ ଆଗକୁ ପଠାନ୍ତୁ I
୫- ଚେଷ୍ଟା କରନ୍ତୁ ଖେଚେଡ଼ି ଭାଷା ନ ବ୍ୟବହାର କରିବାକୁ l ବିଶେଷକରି ସିନେ ଜଗତରେ ଏ ଭଳି ଖେଚେଡ଼ି ଭାଷାର ଅନୁପ୍ରବେଶକୁ କଡାକଡି ଭାବେ ରୋକନ୍ତୁ I ତାମିଲନାଡୁରେ ତାମିଲ ଶବ୍ଦରେ ସିନେମାର ଶିରୋନାମା ଦେଲେ ସରକାରୀ ଶୁଳ୍କରେ କିଛି ରିହାତି ଦିଆଯାଏ I ଆମର ମଧ୍ୟ ସେଇ ଭଳି କିଛି କରା ଯାଇପାରେ l
୬- ବନାନ ଅଶୁଦ୍ଧିକୁ ପାରୁ ପର୍ଯ୍ୟନ୍ତେ କମ କରିବା, ନଚେତ ଆମ ଶବ୍ଦକୋଷ ତ୍ରୁଟିପୂର୍ଣ୍ଣ ହୋଇ ରହିଯିବ l
ଶିଶୁମାନେ ନିଜ ମାତୃଭାଷାରେ ଶିଖିଲେ ଛ’ ଗୁଣ ଅଧିକ ଶିଖନ୍ତି I ତେବେ ଆମେ ପ୍ରଥମେ ଆମ ଭାଷାକୁ ନେଇ ଗର୍ବିତ ହେବା ଶିଖିବା ମଧ୍ୟ ଦରକାର I ଅନେକ ପ୍ରବାସୀ ଓଡ଼ିଆ ଦେଶ ବାହାରେ ରହି ମଧ୍ୟ ଆମ ଭାଷା ପାଇଁ ଅନେକ କିଛି କରୁଛନ୍ତି, ଆମେ କ’ଣ ଏଇଠି ରହି କିଛି କରି ପାରିବା ନାହିଁ ! ବାସ ଟିକିଏ ଭଲ ପାଇବା ହିଁ ଚାହି I
=ଶୁଭମସ୍ତୁ=
#odia #WorldMotherLanguageDay#drvpacharya

Leave a Reply

Your email address will not be published. Required fields are marked *