ମହାମେରୁ
ମହାମେରୁ
April 12, 2022
କାର୍ତ୍ତିକ ସୋମବାର ର ଶୁଭେଚ୍ଛା
ମହାବିଷୁବ ସଂକ୍ରାନ୍ତି
April 13, 2022
ବିଦାୟର ବେଳା

ଡ଼ଃ ବିୟତପ୍ରଜ୍ଞା ଆଚାର୍ଯ୍ୟ
ପ୍ରଫେସର, ବାୟୋକେମିଷ୍ଟ୍ରି
ଏମିତି ଅଚାନକ ବିଦାୟର ବେଳା ଆସିଯିବ –
ଭାବି ତ ନ ଥିଲି !
ବିରି ଚାଉଳ ବତୁରା ହୋଇଛି,
ବଟା ହେବ I
ଠାକୁର ବାସନ ଅଠା ଅଠା,
କାଲି ମଜା ହେବ I
ଅନେକ ଦିନରୁ ଫୁଲ ଦୁଇଟା ଦେଉଥିଲି,
କାଲି ମାଳ ଗୁନ୍ଥା ହେବ I
ଅନେକ ଦିନରୁ ଲା’ ଓପାଲା
ବାସନ ସବୁ ଅଛୁଆଁ,
କାଲି ସେଥିରେ ଖାଦ୍ୟ ପରଷା ହେବ I
ବୋଉ ଦେଇଛନ୍ତି ଶାଢ଼ୀ କେବେଠୁଁ ,
ଫଲ, ବ୍ଲାଉଜ ସିଲେଇଲେ କାଲି ପିନ୍ଧା ହେବ I

ଛୁଆଙ୍କୁ ପଢ଼େଇବି,
ଖାତାରେ ଗଣିତ ସମୀକରଣ
ଅଧା କଷା ହୋଇଛି l
ଫୋନ କଲ କେତେ ବାକି,
କାହା ପାଖେ ବସି ଦୁଃଖ ଶୁଣିବାର ଅଛି l

ଚାରି ଧାମରୁ ଗୋଟିଏ ବାକୀ
ପାତକୀ ଅବା ବୋଲାଇବିକି ??
କାହା ହାତ ଥାପି ମନେଇବା ଅଛି ବାକୀ
କେଜାଣି ରହିଯିବ କେତେ ଭୁଲ ବୁଝାମଣା …..

ବାଲକୋନୀର ଆରାମ ଚୌକିଟା
ଅକାରଣେ ଦୋଳୁଛି,
ସେଠି ବସି ଆକାଶରେ ହଜିବା ବାକୀ ଅଛି l
ଡାଏରୀରେ ଅଧା ଲେଖା
କବିତା, ଗପ ସବୁ
ସାରିବା ବାକୀ ଅଛି l
ଅଧା-ଅଙ୍କା ମଣ୍ଡଳ ଚିତ୍ରରେ
ରଙ୍ଗ ଭରିବା ବାକୀ ଅଛି l
xxxxxxxxxxxxxxxxxxxxxxxxxxxxxxxxxxxxxxxxxxxxx
ବାସ ଏମିତି ଅଚାନକ ତ ଆସେ
ବିଦାୟର ବେଳା,
ହିସାବ କିତାବ କରିବାକୁ
ବାକୀ ଥାଏ କି କିଛି ?

ନିତ୍ୟ ମୃତ୍ୟୁ ଭୋଗୁ
ନିଃଶ୍ଵାସର ଅବରୋହଣେ
ମୃତ୍ୟୁ ତ ଚିର-ସାଥୀ ଆମ
ତ୍ରସ୍ତ କାହିଁ ପାଇଁ
ଭୟର ଦହନେ ?

ମୃତ୍ୟୁ ଏକ ସତ୍ୟ
ଜୀବନ ଅମୃତ,
“ଅମୃତସ୍ୟ ପୁତ୍ର” ତୁମ୍ଭେ
କର “ବର୍ତ୍ତମାନ”କୁ ସାର୍ଥକ l

ନିତ୍ୟ ରତ ରୁହ,
କର ଆତ୍ମାର ଉତଥାନ,
ରଖି ବିଭୁପାଦେ
ଅନ୍ତର୍ମନ ତୁମ
କରିଚାଲ କର୍ମ
କରି ସମର୍ପଣ l

ବିଦାୟ ବେଳାରେ
ନ ରହୁ ଶୋଚନା
ନ ରହୁ ଯାତନା,
ମୁକ୍ତ, ଅମର ଆତ୍ମା ଏ ତୁମ
ପ୍ରାପ୍ତ ହୁଅ ତୁମ
ଶ୍ରେଷ୍ଠ ପ୍ରିୟତମ I

 

ଯେବେ ଯେବେ ମୁଁ ମୃତ୍ୟୁ ବିଷୟରେ ଲେଖେ, କିଛି ଲୋକେ ଭାବନ୍ତି ମୁଁ ବୋଧେ ନିହାତି ଭୀରୁ, ନତୁବା ନକାରାତ୍ମକ ମଣିଷଟିଏ…ଆଉ କିଛି ଭାବନ୍ତି କାହିଁକି ଇଏ ଆମକୁ ଡରଉଛି ?? ମୁଁ କେବଳ ଏତିକି କହିବାକୁ ଚାହେଁ ଯେ, ଶିଶୁଟିଏ ସଂସାରର ଆଲୋକ ଦେଖିବା ପରଠୁ ହିଁ ତା ମୃତ୍ୟୁ ଧାର୍ଯ୍ୟ ହୋଇ ଯାଇଥାଏ l ଉଦରସ୍ଥ ଶିଶୁ ଜନ୍ମ ନେବା କି ନାହିଁ, ତା ତ ଡାକ୍ତରମାନେ ବି କହି ପାରିବେନି, ହଁ …କିନ୍ତୁ ଜନ୍ମ ହେଲା ମାତ୍ରେ ସେ ଶିଶୁର ମୃତ୍ୟୁ କେବେ ବି ହୋଇପାରେ ବୋଲି ଜଣେ ଦୃଢୋକ୍ତି ଦେଇ ପାରେ ….ହେଉ ସେ ପରା ମୁହୂର୍ତ୍ତରେ ଅଥବା ଶହେ ବର୍ଷ ପରେ l

ତେବେ ଜୀବନ କଣ ମିଥ୍ୟା ? କେବଳ ମାୟା? ନା…ବରଂ ଏ ମର୍ତ୍ତ୍ୟ-ଲୋକ ହିଁ ଏକ ମାତ୍ର ସ୍ଥାନ ଯେଉଁଠାରେ ଜଣେ ସାଧନାରତ ରହି ନିରତ ଭାବେ ନିଜର ଆତ୍ମାର ଉତଥାନ କରି ପାରିବ I ନିଜକୁ ଈଶ୍ୱରଙ୍କ ଏକ ଉପକରଣ ଭାବି କର୍ମ କରି ଚାଲିବା l ଲକ୍ଷ୍ୟ ସର୍ବୋତ୍ତମ କର୍ମ, କର୍ତୃତ୍ତ୍ୱଭାବ ନ ରଖି ମନରେ ….ତେବେ ହିଁ ବିଦାୟର ବେଳାରେ ମନରେ ଅନୁଶୋଚନା ରହିବ ନାହିଁ…ପ୍ରତ୍ୟେକ ମୁହୂର୍ତ୍ତ ହେଉ ପୂର୍ଣ୍ଣତାର ମୁହୂର୍ତ୍ତ


Warning: Trying to access array offset on null in /home/u480314390/domains/drvpacharya.com/public_html/wp-content/themes/themes/betheme/includes/content-single.php on line 259
vpacharya

Leave a Reply

Your email address will not be published. Required fields are marked *