

ରତ୍ନଚିରା ପତ୍ରିକାର ଡିସେମ୍ବର ସଂଖ୍ୟାରେ ମୋ କ୍ଷୁଦ୍ର ଗଳ୍ପ “ବ୍ୟାଣ୍ଡ, ବାଜା, ବାରାତ” ସ୍ଥାନିତ କରିଥିବାରୁ ମୁଁ ସମ୍ପାଦକ ମଣ୍ଡଳୀଙ୍କ ପାଖରେ କୃତଜ୍ଞ I ଏଥିରେ ନିହିତ ଥିବା ସମାଜକୁ ସନ୍ଦେଶ ଆପଣଙ୍କ ହୃଦୟକୁ ଛୁଇଁବା ବୋଲି ଆଶା I ଆପଣଙ୍କ ନିଜସ୍ୱ ମତ ମଧ୍ୟ ରଖନ୍ତୁ I
*************
ଡା. ବିୟତପ୍ରଜ୍ଞା ଆଚାର୍ଯ୍ୟ
ପ୍ରଫେସର ବାୟୋକେମିଷ୍ଟ୍ରି
‐———————–
ସୁରଞ୍ଜନ ଉଚ୍ଚ ସ୍ୱରରେ ପାଟି କରି ସ୍ତ୍ରୀ ଗାୟତ୍ରୀଙ୍କ ଉଦେଶ୍ୟରେ କହିଲେ -” ହେଇଟି ଶୁଣୁଛ ! ଏ ଦିଗମ୍ବର ବାବୁ କ’ଣ ଆମକୁ ଏମିତି ଭକୁଆ ବନେଇଲେଣି ? ଆଣିଲ ତାଙ୍କ ବାହାଘର କାର୍ଡଟା I
ଗାୟତ୍ରୀ ତାଙ୍କ ଷ୍ଟଡି ଟେବୁଲରୁ ଉଠି ବାହାଘର କାର୍ଡଟା ଧରି ଆସିଲେ | ତାଙ୍କ ଲେଖାଲେଖିରେ ବ୍ୟାଘାତ ଘଟେଇଥିବାରୁ ଆପାତତଃ ଟିକିଏ ବିରକ୍ତ ମଧ୍ୟ ହେଲେ | ନିଅ କାର୍ଡ | “କ’ଣ ହେଲା ? ଏମିତି ଛାନିଆଁ ହୋଇ ପାଟି କାହିଁକି କରିଥିଲ? ”
ସୁରଞ୍ଜନ -” ଆରେ ଦେଖୁନ , ଏଠି ତ ଲେଖା ହୋଇଛି ‘ମ୍ୟାରେଜ ଏଣ୍ଡ ରିସେପ୍ସନ’ ୧୦ ତାରିଖରେ ଆଉ ଏପଟେ ଝିଅ ଜ୍ୱାଇଁ ଯାଇ ହନିମୁନ ମନେଇଲେଣି | ମୋତେ ଏପଟେ ପୁରୋହିତ ଯୋଗାଡ କରିବାକୁ କହିଛନ୍ତି | ଆଜି ୧ ତାରିଖ ପରା !”
ଗାୟତ୍ରୀ କାର୍ଡ ଏପଟ ସେପଟ ଓଲଟାଇ ଦେଖି କହିଲେ – ” ହଁ , ସେଇଆ ତ ଲେଖା ହୋଇଛି | ହେଲେ ତୁମେ କେଉଁଠୁ ଜାଣିଲ ସେମାନେ ବାହା ହୋଇ ହନିମୁନକୁ ଗଲେଣି ବୋଲି ? ”
ସୁରଞ୍ଜନ ମୋବାଇଲରୁ ଇନଷ୍ଟାଗ୍ରାମ ଖୋଲି ଦେଖେଇଲେ _ “ ଏଇ ଦେଖ , କେମିତି ହାତ ଧରାଧରି ହୋଇ ମନ୍ଦିରରେ ବୁଲୁଛନ୍ତି | ଏଇଟି ସମୁଦ୍ର ବେଳାଭୂମିରେ ଫଟୋ , ଭିଡିଓରେ ସମୁଦ୍ର କୂଳେ ଦଉଡ଼ୁଛନ୍ତି | ଆଃ …. ତୁମେ ନିଜେ ଦେଖ , ମୋ ଝିଅ ପରି,….. ମୁଁ କଣ ଦେଖିବି ଏ ଗୁଡା |”
ଗାୟତ୍ରୀ ଭିଡିଓ ଆଉ ଟିକିଏ ଆଗକୁ ଗଡେଇଲେ | ସତରେ ତ …. ସ୍ୱାମୀ ସ୍ତ୍ରୀ ପରି ସମୁଦ୍ରରେ ବୁଡି ବୁଡି ଗାଧେଇଲେଣି | ପତଳା ଧଳା ଡ୍ରେସ ପିନ୍ଧିଛନ୍ତି , ଓଦା ହୋଇ ଭିତରୁ ସବୁ ଫୁଟି ଦିଶୁଛି | ସିନ ପରିବର୍ତ୍ତନ | ଉଭୟ ଫୁଙ୍ଗୁଳା ଗୋଡ ନିଆଁ ଆଡକୁ ଦେଖେଇ ପାଖରେ ବିଅର ବୋତଲ ଧରି ବସିଛନ୍ତି | କଟେଜର ଏକ ଖମ୍ବ ପାଖରେ ଘୁରି ଘୁରି ନାକରେ ନାକ ଘଷୁଛନ୍ତି | ମୁଣ୍ଡ ରେ ମୁଣ୍ଡ ବି ଯୋଡ଼ିଲେ ଓ ପରେ ଝିଅଟି ଜ୍ୱାଇଁ କାନ୍ଧରେ ମଥା ରଖିଛି | ଲଭ ଷ୍ଟୋରୀ ବିଗିନ୍ସ …. ଏମିତି ଏକ ଲେଖା ସହ ଦୂର ଦିଗବଳୟରେ ସୂର୍ଯ୍ୟୋଦୟ ସହ ଭିଡିଓ ବନ୍ଦ ହେଲା | ଗାୟତ୍ରୀ ମୋବାଇଲରୁ ମୁଣ୍ଡ ଉଠେଇ ଠୋ ଠୋ ହୋଇ ହସିଲେ | “ହଇହୋ ! ଏଇ କଥାକୁ , ନାଁ ପେଲିଦେଲା କଲିକତା କୁ ! ଏଇଟା କ’ଣ ବାହାଘର ପର ଫଟୋ ? ତୁମେ କେଉଁ ଯୁଗରେ ବଞ୍ଚୁଛ ? ଏଇଟା କୁ ଆଜି କାଲି pre-wedding , photo shoot କହୁଛନ୍ତି ପରା ! ”
ସୁରଞ୍ଜନ ଆର୍ଶ୍ଚଯ୍ୟ ହୋଇ ପଚାରିଲେ – “ମାନେ ? ବାହାଘର ହୋଇନି ଆଉ ଏମିତି ବେହିଆ ଭାବେ ଯୋଡି ହୋଇ ବୁଲୁଛନ୍ତି ? ଏମାନଙ୍କ ତ ମୋ ଜାଣିବାରେ arranged marriage ବୋଧେ ? ନିର୍ବନ୍ଧ ତ ହୋଇକି ମାସେ ହୋଇନି | ଏମାନେ କଣ ପରସ୍ପରକୁ ଏତେ ଭଲଭାବେ ଚିହ୍ନିଗଲେ ଯେ ମିଳିମିଶି ଏତେ ବୁଲିଲେଣି ? ଆଚ୍ଛା ! ସେ ସମୁଦ୍ରରେ ଭିଜିକି ଯେଉଁ ଗାଧଉଛନ୍ତି ଆଉ ଯେଉଁ ଭଳି pose ଦେଇଛନ୍ତି , କିଏ ତ ତୃତୀୟ ଲୋକ ଉଠାଉଥିବ ଏମାନଙ୍କ ଫଟୋ !
ଗାୟତ୍ରୀ ଫେଁ କରି ହସି ପକେଇଲେ | ” କିଏ ଜଣେ ! ପୁରା ଟିମ ଥିବେ | ଏ ଫଟୋ quality ଦେଖୁଛଟି ? କେଉଁ ସିନେମା ସୁଟିଂ କୁ ମାତ ଦେଵ | ଆଉ ଏ ସବୁ ଖର୍ଚ୍ଚ ବାର୍ଚ୍ଚ ଲକ୍ଷେ ଟଙ୍କାରୁ ଆରମ୍ଭ କରି କେତେ ଯାଏଁ ବି ଯାଇ ପାରିବ |”
ସୁରଞ୍ଜନ କହିଲେ-“ ହେଲେ ବୁଝି ପାରିଲିନି ଏ ‘ପ୍ରାକ୍-ବୈବାହିକ ଚିତ୍ରୋତ୍ତଳନ’ର (pre-wedding , photo shoot) ଆବଶ୍ୟକତା କଣ? କ’ଣ ଜଣେଇବାକୁ ଚାହୁଁଛନ୍ତି ଏ ପିଲେ ? ବାହାଘର ଏକ ଅନୁଷ୍ଠାନ ଓ ଦୁଇ ପରିବାର ମଧ୍ୟରେ ମିଳନ I କେତେ ଯେ ତ୍ୟାଗ କଲେ ସଂସାରଟିଏ ଗଢି ହୁଏ I ବାହାଘର ହେଉ ଆଗେ ….ବର୍ଷେ ପରେ ଯଦି ଏତିକି ପ୍ରେମ ରହେ, ତେବେ ମଧ୍ୟ ମୁଁ ଧନ୍ୟ ହେବି I ଯେଉଁ ଯୁଗଳ ପରସ୍ପରକୁ ଆଗରୁ ଜାଣିଛନ୍ତି, ସେମାନେ ତ ଏମିତି ବି ଅନେକ ବୁଲିଥିବେ ସାଙ୍ଗ ହୋଇ, ବାହାଘର ବନ୍ଧନରେ ଛନ୍ଦି ହେବା ପୂର୍ବରୁ ହୁଏତ କିଛିଟା ସ୍ମୃତି ସାଉଁଟିବାକୁ ଏମିତି କିଛି ଫଟୋ ଉଠେଇ ପାରନ୍ତି I ହେଲେ ଏମାନେ ଦୁହେଁ ତ ଏବେ ଏବେ ପରସ୍ପରକୁ ଭେଟିଛନ୍ତି I”
ସବୁବେଳେ ଆମକୁ ଆଶଙ୍କା ଲାଗି ରହିଥାଏ ଯଦି କେତେବେଳେ କେଉଁ ଝଗଡା ଯୋଗୁଁ ବାହାଘର ଭାଙ୍ଗି ଗଲା? ଉଭୟ ପକ୍ଷ କେତେ ହାସ୍ୟାସ୍ପଦ ନ ହେବେ ସତେ ? ଏ ସବୁ କୁ-ପ୍ରଥା ଆମ ସମାଜରେ କେବେଠୁଁ ଆରମ୍ଭ ହୋଇଗଲା ?”
“ଏ ଫଟୋ ଦେଖିଲେ କଣ ଲାଗୁଛି ଯେ, ବିବାହର ଔପଚାରିକତା ଦରକାର ଆଉ?”
ଗାୟତ୍ରୀ ହଠାତ କିଛି ଉତ୍ତର ଦେଇ ପାରିଲେନି | ଟିକିଏ ଭାବି ଉତ୍ତର ଦେଲେ – ” ହୁଏତ ଏହା ପଶ୍ଚିମରୁ ଆସିଛି | ସେମାନେ ବର୍ଷ ବର୍ଷ ଧରି live-in relationship ରେ ରହିଲା ପରେ ଯେହେତୁ ବାହା ହୁଅନ୍ତି, ସେମାନେ ନିଜ ପ୍ରପୋଜାଲ ସ୍ପଟ କିମ୍ବା ମିଟିଂ ସ୍ପଟରେ ଯାଇ ନିଜର ସ୍ମୃତିକୁ ଫଟୋରେ ବାନ୍ଧି ରଖନ୍ତି I”
ସୁରଞ୍ଜନ: ‘ନା ଗାୟତ୍ରୀ ! ଏହା କେବଳ ପଶ୍ଚିମ ଉପରେ ଦୋଷ ଲଦି ଦେଇ ହାତ ଝାଡିଦେବା କଥା I ଏ ଦିଗମ୍ବର ବାବୁଙ୍କ ଝିଅ ଯାହା କରୁଛି , ତାର ଆବଶ୍ୟକତା କଣ ? ବନ୍ଦ ଦରଜା ପଛର କିମ୍ବା ନିଜ ଭିତରର ଅନ୍ତରଙ୍ଗ ମୁହୂର୍ତ୍ତକୁ ଏ ଭଳି ସାଧାରଣରେ ପ୍ରଦର୍ଶନ କରିବା କ’ଣ ଦରକାର ?”
ଗାୟତ୍ରୀ – ” ହଁ ଠିକ ଯେ ! ଉଭୟ ପିଲା ତ ନିଶ୍ଚୟ ନିଜ ନିଜ ପରିବାରକୁ ଜଣେଇ ଏ କାରବାର କରିଥିବେ | ପରିବାର ଲୋକେ ତ ରାଜି ହୋଇଥିବେ ନା? ଆମର ଏଥିରେ ମୁଣ୍ଡ ଖେଳେଇବାର କଣ ଅଛି ?”
ସୁରଞ୍ଜନ – ” ହୁଏତ ହଁ , ହୁଏତ ନା | ଯୁବାବସ୍ଥାର ଉତ୍ସୃଙ୍ଖଳତାରେ ସେମାନେ ଅନେକ କିଛି କରିବାକୁ ଚାହିଁବେ , ତେବେ ଏଥିରେ ରୋକ ଲଗେଇବ କିଏ ? ଘରର ବଡ ମାନେ କଣ ମୂକ ହୋଇ ବାସ୍ ଦେଖୁଥିବେ ? ଆଚ୍ଛା , ଏ ଭିଡିଓ ତ ସୋସିଆଲ ମିଡ଼ିଆରେ ତୁମ ମୋ ଭଳି କିଛି ଲୋକ ଦେଖିଥିବେ ନା !”
ଗାୟତ୍ରୀ – “ହାଃ ହାଃ ! କି ଯେ କଥା ତୁମର | କେଉଁ ଦୁନିଆରେ ବଞ୍ଚୁଛ ? ଉଭୟ ପକ୍ଷର ଭୋଜିରେ ବଡ ବଡ ପରଦାରେ ଏ ସବୁ ଥରକୁଥର ଚଲା ହେବ ଆଉ ସବୁ ଅତିଥି ବୁଫେ ପ୍ଲେଟ ଧରି ଏହାକୁ ଉପଭୋଗ ମଧ୍ୟ କରିବେ |”
ସୁରଞ୍ଜନ – ” ଧନ୍ୟ ! ସେ କୁଳବଧୂ ନ ନଗରବଧୂ ! ବାରା ନାରୀର ମଧ୍ୟ ଏହାଠାରୁ ଅଧିକ ଇଜ୍ଜତ ଥିବ |”
ଗାୟତ୍ରୀ – ” ହଁ , ଯୁଗ ବଦଳୁଛି , ଆମକୁ ବି ଟିକିଏ ବଦଳିବାକୁ ପଡିବ ପରା | ” ଟିକିଏ ଦୁର୍ବଳ ସ୍ୱରରେ କହିଲେ | କାରଣ ଏତେ ବଡ ନିମ୍ନଗାମୀ ପରିବର୍ତ୍ତନ ପାଇଁ ସେ ମଧ୍ୟ ପ୍ରସ୍ତୁତ ନ ଥିଲେ |
ସୁରଞ୍ଜନ – ” ପରିବର୍ତ୍ତନ ! ତୁମେ ମୋତେ ଭଲଭାବେ ଜାଣିଛ, ମୁଁ ଆମ ଘରେ ହିଁ କେତେ ଅନ୍ଧବିଶ୍ୱାସର ଅବସାନ ଘଟାଇଛି | କେତେ କୁପ୍ରଥାର ବିରୋଧ କରି ସମସ୍ତଙ୍କ ଚକ୍ଷୁଶୂଳ ହୋଇଛି | କିନ୍ତୁ ବୈଜ୍ଞାନିକ ତଥ୍ୟ ଆଧାରରେ ଏ ସବୁ ଖଣ୍ଡନ ମଧ୍ୟ କରିଛି |”
” ତୁମେ ଯେ ପାଶ୍ଚାତ୍ୟ ଶୈଳୀ ଅନୁକରଣକୁ ଦୋଷ ଦେଇ ଦେଲ, ଥରେ ସେମାନଙ୍କ କଥା ଭାବି ଦେଖୁନ | ସେମାନେ ନିଜ ପାଠପଢ଼ାର ଦାୟିତ୍ୱ ନିଜେ ବହନ କରନ୍ତି, ପୁଣି ପଇସା କମେଇଲା ପରେ ହଁ ବିବାହ ପାଇଁ ପାଦ ବଢ଼ାନ୍ତି | ତାଙ୍କର ଆମ ପରି ବାପା ମା’ ଶେଷ ନିଶ୍ୱାସ ଯାଇଁ ସାହାଯ୍ୟ ସହଯୋଗର ହାତ ବଢ଼ାନ୍ତି ନାହିଁ | ସେମାନଙ୍କର ବିବାହ ବ୍ୟବସ୍ଥା ବି ଭିନ୍ନ |”
ଗାୟତ୍ରୀ – ” ହଁ ତା ତ ସତ | ସେମାନଙ୍କ କଥା କଥାକେ ବିବାହ ବିଚ୍ଛେଦ | ପିଲା ୧୮ ବର୍ଷର ହୋଇଗଲେ ସେମାନେ ଯିଏ ଯାହା ବାଟେ | ପିଲାମାନେ କୁଆଡେ ଗଲେ , କାହା ସାଙ୍ଗେ ରହିଲେ , କେମିତି ବଞ୍ଚିଲେ , ସେଥିରେ କିଛି ବି ମୁଣ୍ଡ ଖେଳାନ୍ତିନି | ଛୁଆଙ୍କ ବାହାଘରରେ ବାପା ମା’ ବି କୁଣିଆ ଭଳି ପହଞ୍ଚି ଯାନ୍ତି |”
ସୁରଞ୍ଜନ – ” ଆଉ ଆମର ଏଠି ବାପା ମା ନିଜ ପେଟରୁ କାଟି ପିଲାଛୁଆଙ୍କ ପଢା ବାଦ୍ ବାହାଘର ପାଇଁ ବି ଅର୍ଥ ସଞ୍ଚନ୍ତି କରି ଚାଲିଥାନ୍ତି | କିନ୍ତୁ ମନ ନ ମିଶିଲେ ପୁଅ ଝିଅ ହଠାତ ଆଜିକାଲି ନିଜ ଛାଡପତ୍ର କଥା ଉଠାଉଛନ୍ତି | କେଉଁ ଆଡକୁ ଗତି ଆମ ସମାଜର !”
ଗାୟତ୍ରୀ – ” ହଁ ବା | ସେ ଗୁପ୍ତା ବାବୁ ୩ କୋଟି ସାରି କେତେ ଭବ୍ୟ ଆକାରରେ ନିଜ ପୁଅର ବାହାଘର କରିଥିଲେ | ଚଉଠି ଦିନ ପୁଅ ଜାଣିଲା ଯେ , ଝିଅଟି drug addict; ଏବେ ତାଙ୍କର divorce case ଚାଲିଛି |”
ସୁରଞ୍ଜନ – “ଦେଖ, କଥା ହେଉ ହେଉ ମୋ ମୁଁହର କଥା ଛଡେଇନେଲ | ବିଦେଶରେ ମୁଁ ଏ ଭଳି କଥା ବି ଶୁଣିଛି ଯେ, ସେମାନେ ଛାଡପତ୍ର ପରେ ଆଲିମୋନୀ (ନିର୍ବାହ ନିଧି) ଦେବାକୁ ପଡିବ ବୋଲି ବାହା ନ ହୋଇ ସେମିତି ଗୋଟିଏ ଛାତ ତଳେ କେତେ କେତେ ବର୍ଷ କାଟି ଦିଅନ୍ତି, ଏପରିକି ଛୁଆ ପିଲା ମଧ୍ୟ କରି ଦିଅନ୍ତି …କିନ୍ତୁ ବାହାଘର ନାଁ ଧରନ୍ତି ନାହିଁ I”
ଆଜିକାଲି ତ ବାହାଘର ଠିକ ହେଲାମାତ୍ରେ ହିଁ ପୁଅଝିଅଙ୍କର chatting ଆରମ୍ଭ ହୋଇ ଯାଉଛି | ପରସ୍ପରର ପସନ୍ଦ , ନାପସନ୍ଦ ବିଷୟରେ ଅନେକ କିଛି ଜାଣୁଛନ୍ତି | ଏ pre-wedding shoot କରି ବିବାହ ପରବର୍ତ୍ତୀ ଘଟଣାବଳୀକୁ ଚିତ୍ରରେ ତୋଳି ଧରିବାରେ କି ମଜା ! କହୁଛ ପୁଣି ଏ ଭିଡିଓ ସବୁ ସେମାନେ ଭୋଜିରେ ବଡ଼ ସ୍କ୍ରିନରେ ଲଗେଇ ସମସ୍ତଙ୍କୁ ଦେଖେଇବେ ! କହିଲ ଦେଖି କେତେ ବୟୋଜ୍ୟେଷ୍ଠ ଶ୍ୱଶୁର ଶାଶୁ , ଦେଢଶୁର ତଥା କେତେ ବୟୋଜ୍ୟେଷ୍ଠ ଅତିଥି ସେଠି ଥିବେ | ଏଥିରେ ଝିଅ ବା ବଧୂର ଗାରିମା କ୍ଷୟ ହେଉନି ? ”
ଗାୟତ୍ରୀ ଦୁର୍ବଳ କଣ୍ଠରେ ମାନିଲେ – ” ହଁ ସେ ତ ସତ କଥା | ହେଲେ ଆମେ ଜଣେ ଦୁଇଜଣ କଣ ଅବା କରି ପକେଇବା ?”
ସୁରଞ୍ଜନ – ” ଏଇଠି ତ ଅସୁବିଧା ଗାୟତ୍ରୀ | ସମସ୍ତେ ଅଳ୍ପମିଆଦି କଥା ଭାବୁଛୁ | ତୁମେ ତ ଲେଖିକା | କଥାରେ ଅଛି ପରା ମସୀର ବଳ ଅସୀଠୁ ଟାଣ | ଲୋକଙ୍କ ପାଖରେ ପହଞ୍ଚାଅ ଏ କଥା ନା! ମୁଁ ଦିଗମ୍ବର ବାବୁଙ୍କୁ ଜଣାଉଛି ଏ ଭିଡ଼ିଓ କଥା | ଯଦି ସେ ଏ ଭଳି ଭିଡ଼ିଓ ବାହାଘରେ ଚଲେଇବାର ବ୍ୟବସ୍ଥା କରିଛନ୍ତି , ତେବେ ଅତିଥି ସୂଚୀରୁ ମୋ ନାଁ ଟି ସହର୍ଷେ କାଟି ଦେଇ ପାରନ୍ତି | କାଲି ଆମ ଝିଅ ଯେମିତି ଏ ସବୁ ଉଦାହରଣ ଦେଇ ଆମକୁ ବୁଝେଇବାକୁ ନ ଆସୁ ଯେ , ବାପା ମା’, ତୁମେ ସବୁ ବଡ ପୁରୁଣାକାଳିଆ |”
ଗାୟତ୍ରୀ ନିଜ ଟେବୁଲ ପାଖକୁ ଫେରି ଆସି ଦୀର୍ଘଶ୍ୱାସଟିଏ ଛାଡିଲେ ଆଉ ଶୀର୍ଷକ ଦେଲେ ନୂଆ ଲେଖାର – “ବ୍ୟାଣ୍ଡ , ବାଜା, ବାରାତ” I
= ଶୁଭମସ୍ତୁ =