ଡଃ ବିୟତପ୍ରଜ୍ଞା ଆଚାର୍ଯ୍ୟ
******
ତିନି ଠାକୁରଙ୍କୁ ଆଡ଼ପ ମଣ୍ଡପରେ ଦର୍ଶନ କରିସାରି ପାର୍କିଙ୍ଗ ପାଖେ ଈଶ୍ଵରଙ୍କ ଏ ସୁନ୍ଦର ବିଭାବରେ ମୋହିତ ହୋଇ ଏକ ଛାୟାଚିତ୍ର ଉତ୍ତୋଳନ କଲି l କିନ୍ତୁ ଯେଉଁଠେ ଠିଆ ହୋଇ ଚିତ୍ର ଉତ୍ତୋଳନ କରୁଥିଲି, ସେଠି ଦଣ୍ଡେ କ୍ଷଣେ ଠିଆ ହେବା ସମ୍ଭବ ନ ଥିଲା ….ଯେଉଁଠାରେ ପୋଖରୀ, ସେଇଠି ମୁକ୍ତ ଭାବେ ଆମେ ପୋଖରୀ-ପାଣି ହେଇ ଯାଉ l ଆଉ ତା ବାହାରେ ଯାବତୀୟ ଆବର୍ଜନା ଆଉ ପ୍ଲାଷ୍ଟିକ ବୋତଲ, ଜରି ମଧ୍ୟ ଫିଙ୍ଗି ଦେଇ ଯାଉ l ଭାରତରେ ବିଭିନ୍ନ ଜାଗା ବୁଲିଲା ପରେ ମୁଁ ଭାବେ, ଆମ ରାଜ୍ୟରେ ସବୁ ପ୍ରାକୃତିକ ସମ୍ପଦ ତଥା ପୂର୍ବଜମାନଙ୍କର କୃତ ଅନେକ ଜିନିଷ ଆମ ହାତ ପାହାନ୍ତାରେ …ଅଥଚ ଆମେ ତାହାର ମୂଲ୍ୟ ବୁଝୁ ନାହୁଁ I ସେ ପୁଷ୍କରିଣୀ ଏତେ ପରିତ୍ୟକ୍ତ ହୋଇ କାହିଁକି ପଡିଛି, ବୁଝା ପଡ଼ିଲାନି । ଏତିକି ଜିନିଷ ଅନ୍ୟ ରାଜ୍ୟରେ ପାଇଲେ ସଂଗେ ସଂଗେ ତାକୁ ଏକ ପର୍ଯ୍ୟଟନ ସ୍ଥଳୀରେ ପରିଣତ କରି ଦେଉଛନ୍ତି …ଆଉ ଆମେ କରୁଛେ କ’ଣ ?
ନିଃଶ୍ୱାସ କୁ ରୋକି “ହାଃ” କରି କିଛି ଦୂରରେ ଛାଡି ଦେଲି ଆଉ ଭଗବାନଙ୍କୁ ଧନ୍ୟବାଦ ଦେଲି “ପ୍ରଭୁ ହେ ! ଭଲ ହେଇଛି ଆକାଶଟା ପୂରା ମାତ୍ରାରେ ମଣିଷ ଜାତି ହାତକୁ ଆସିନି …ନ ହେଲେ କି ଯେ ଅବସ୍ଥା ହେଇଥାନ୍ତା ! ଏ ସମୟ ଖଣ୍ଡର ଏ ସୁନ୍ଦର ଆକାଶର ଛାୟାଚିତ୍ରଟିଏ ସାଉଁଟି ନେଇଥାଏ …..”
ବି. ଦ୍ର. ଏ ଭଳି ଏକ ସୁନ୍ଦର ଛାୟାଚିତ୍ର ଉପରେ ଦୁଇ ପଦ ପ୍ରକୃତି ବର୍ଣ୍ଣନା ଲେଖିବାକୁ ବାହାରିଥିଲି …ହେଲେ କିଛି ବାସ୍ନାର ସ୍ମୃତି ମୋ କଲମର ଦିଗ ମୋଡ଼ି ଦେଲା I କ୍ଷମା କରିବେ …