ରାଜା ଛତା

HAPPY DAUGHTER'S DAY
HAPPY DAUGHTER’S DAY
April 15, 2022
ମୋ ଟ୍ରାଫିକ- ଆବୁରୁଜାବୁରୁ ଗପ ୨
ମୋ ଟ୍ରାଫିକ- ଆବୁରୁଜାବୁରୁ ଗପ ୨
April 15, 2022
Dr VP Acharya

ରାଜା କମ୍ପାନୀ ଛତା ନା ବଡ ଛତାଟେ ହେଇଛି ବୋଲି ଏମିତି ନାଁ ଟେ ପାଇଲା ? ଏ ଭିତରୁ କେଉଁଟା ବି ନୁହେଁ l
ଛୋଟ ଘଟଣା ଟେ ଘଟିଲା ଯେଉଁଥି ପାଇଁ ଏମିତି ନାଁ ଟେ ଦେଲି l
କଥାଟା ଏମିତି ….ଟ୍ରାଫିକ ଛକରେ ଗୋଟିଏ ବୁଲା ବିକାଳିଠୁ ଦୟା ପରବଶ ହୋଇ ଏ ବୃହତକାୟ ଛତାକୁ କିଣିଲି l ବର୍ଷା ଦିନ ଶେଷ ହୋଇ ଆସୁଥାଏ l ତେବେ ଝିପି ଝିପି ବର୍ଷା ଚାଲିଥାଏ l ମୋ ସଂଗେ ତ ମୋ ଦୁଇ ଲାଙ୍ଗୁଡ଼ ସବୁବେଳେ ବନ୍ଧା, ମାନେ ମୋ ଦୁଇ ଛୁଆ l ଭାବିଲି ହଁ, କେତେବେଳେ କାମରେ ଆସି ଯିବନି କି ?
ହେଲେ ଯେଉଁ ଦିନଠୁଁ ଛତା କିଣା ହେଲା, ତା ପର ଦିନଠୁଁ ବର୍ଷା ପୁରା ବନ୍ଦ l
ଛୁଆ କଣ, ମୁଁ ବି ଛତାଟିକୁ ଥରେ ଅନ୍ତତଃ ବ୍ୟବହାର କରିବାକୁ ଅନେଇ ରହିଲି l
ଛତାଟି ମଧ୍ୟ କାର ଡ଼ିକିରେ ପଡି ପଡି ଘୁମାଉଥିବ ପରା !
ବର୍ଷା ହେଲା ….କାର ଥୋଇଲା ବେଳକୁ ଆକାଶ ପୁରା ସଫା …”ଯାଃ ! ଆର ବର୍ଷ ଯାଏ ଜଗିବାକୁ ପଡିବ ବୋଧେ l”
ଇନ୍ଦ୍ର ଦେବତା ମୋ ସହ ଛକା-ପଞ୍ଝା ଖେଳିଲା ପରି ଲାଗିଲା l ତାଙ୍କୁ ବି ତା ହେଲେ ମାଲୁମ …ମୁଁ ଗୋଟେ ବଡ ଛତା କିଣିଛି ଆଉ ତାକୁ ବ୍ୟବହାର କରିବାକୁ ଜଗି ବସିଛି l
କୁହ ଯାଏ ନା – “ଜନମ ମରଣ ବରଷା, କହି ନ ପାରଇ ପୁରୁଷା l”
ଦିନେ ଆମ ଘରୁ (ବାପଘର) ଫେରୁଥାଏ l ବୋଉ କହିଲେ ଆଶ୍ରମ ପାଖେ ଛାଡି ଦେବାକୁ l କାରରେ ବସିବା ପରେ ଝିପିଝିପି ବର୍ଷା ଆଉ ତା ପରେ ନାହିଁ ନ ଥିବା ଅଦିନ ମେଘ ବର୍ଷା କାଚି ଦେଇଗଲା l ହେଲେ ମୁଁ ତା କାଚ ବନ୍ଦ କରି କାର ଚଲଉଛି …ମୋତେ ଛତା କି ଦରକାର l ଭାବିଲି ଆଜି ବି ମଉକାଟା ହାତରୁ ଗଲା !
ଯେତେବେଳେ ଦିବ୍ୟ ଜୀବନ ସଂଘ ପାଖେ ବୋଉଙ୍କୁ ଓହ୍ଲେଇ ଦେଲି, ଆଉ ଜଣେ ଗୁରୁ ଭାଇ ବ୍ୟସ୍ତ ହୋଇ ଦ୍ୱାର ମୁହଁରେ ଅନେଇଥାନ୍ତି l ବ୍ୟସ୍ତ ହୋଇ କହିଲେ, ଆଉ ଅଳ୍ପ ସମୟରେ ରାଜା ଆସି ପହଞ୍ଚିବେ, “ଏତେ ବର୍ଷାରେ କେଜାଣି କେମିତି ଭିତରକୁ ପାଛୋଟିବୁ !” ବୋଉ ଆଗଭର ହୋଇ କହିଲେ- “ମୋ ଛତା ନିଅନ୍ତୁ”l ଭାଇ କହିଲେ,”ଏ ଗୋଟେ ଛୋଟ ଛତାରେ କେମିତି ଆଣିବୁ ତାଙ୍କୁ !”
ବୋଉ ସଂଗେ ସଂଗେ ପଛକୁ ଫେରି ମୋତେ ପଚାରିଲେ ଆଉ ବଳକା ଛତା ଅଛି କି ନାହିଁ l
“ଓହୋଃ !” ତେବେ ଏଇ ଥିଲା ରହସ୍ୟ ! ରାଜାଙ୍କୁ ପାଛୋଟିବା ପାଇଁ ଏ ଛତା ଆଜିଯାଏ ବ୍ୟବହାର ହୋଇ ନ ଥିଲା !
ଆଗ୍ରହ ଭରେ ଡିକିରୁ ଏ ବଡ ଛତାଟିକୁ କାଢି ବଢ଼େଇ ଦେଲି l ଘରକୁ ଫେରିଲା ବେଳକୁ ପଟିଆ ଛକରୁ ହିଁ ବର୍ଷା ବିହୀନତା ଦିଶିଲା l କୌଣସି କାରଣବଶତଃ ମୋତେ ଫେରି ଆସିବାକୁ ହୋଇଥିଲା ଓ ଆମ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କୁ ଅତି ପାଖରୁ ଦର୍ଶନ କରିବାର ସୌଭାଗ୍ୟ ହରେଇଥିଲି l ତେବେ ମନ ଖୁସିଥିଲା, ମୋ ଛତାର ବଇନି ଟା ଏ ଭଳି ଭାବେ ହୋଇ ଥିବାରୁ …..
ଡଃ ବିୟତପ୍ରଜ୍ଞା ଆଚାର୍ଯ୍ୟ

Leave a Reply

Your email address will not be published. Required fields are marked *