ଡା. ବିୟତପ୍ରଜ୍ଞା ଆଚାର୍ଯ୍ୟ
ପ୍ରଫେସର ବାୟୋକେମିଷ୍ଟ୍ରି
********
ସାବିତ୍ରୀ ପୌରାଣିକ ଚରିତ୍ରଟି ମୁଁ ଯେତେ ଯେତେ ବଡ ହେଲି ସେତେ ଆକୃଷ୍ଟ କଲା ମୋତେ I ପିଲାଦିନେ ଜଣା ଥିଲା, ବୋଉ, ମାଉସୀଙ୍କ ସଂଗେ ବସି ଦିନ ଦୁଇଟା ବେଳକୁ ସେମାନଙ୍କ ପୂଜା ଭୋଗରେ ଭାଗ ବସେଇବା I ଆଃ! ଖରା ଦିନର ଯେତେ ସବୁ ଫଳ, ତା ସାଙ୍ଗକୁ ଖଜୁରୀ କୋଳି (ବେଳେବେଳେ କଞ୍ଚା ଆଣିକି ବି ପୂଜା କରାଯାଏ), କୁସୁମ କୋଳି, ତାଳସଜ ଆଦି ସଜା ହୋଇଥିବ ଆଉ ଆମେ ପିଲାମାନେ, ଯେଉଁମାନେ ଆଗରୁ ଭଲକି ବକ୍ତେ ଖାଇ ସାରିଥାଉ, ତା’ ଉପରେ ଝପଟି ପଡୁ I
ଆଉ ଟିକିଏ ବଡ ହେଲା ପରେ ସାବିତ୍ରୀଙ୍କ ବ୍ରତ କଥା ପଢି ଶୁଣେଇଲା ବେଳକୁ ସେ ବିଷୟରେ ଜାଣିଲି I
ବିଜ୍ଞାନକୁ ପଢିଲା ପରେ ଲାଗିଲା -ହେଃ ! ତୁଚ୍ଛା କଥା ଗୁଡା I Heat fever ହେଲା ସତ୍ୟବାନଙ୍କୁ ଆଉ ସାବିତ୍ରୀ ନିଶ୍ଚୟ କିଛିଟା ଉପଶମ କରିଛନ୍ତି ଆଉ ପୁଣି ସତ୍ୟବାନ ଜୀବନ ପାଇଛନ୍ତି I ଏମିତି ଆମ ସ୍ୱାସ୍ଥ୍ୟ ବିଜ୍ଞାନରେ ଅନେକ ଉଦାହରଣ ରହିଛି I
ସ୍ତ୍ରୀ ଲୋକଙ୍କର ସ୍ୱାମୀ ମାନଙ୍କୁ stress ଦେଇ ଖରା ଦିନଟାରେ ଝାଳ ନାଳ ହୋଇ ଉପବାସ କରି ମୁଣ୍ଡ ବୁଲେଇଲା, ଦେହ ଝୋଲା ମାରିଗଲା, ବାକୁଲା ଉଠେଇଲା ବୋଲି ଦେଖେଇ ହେବାର ପ୍ରକୃତି I ଆଉ ବାପଘରକୁ ଶାଶୁଘର ଲୋକେ ଏଇ ମଉକାରେ ଟୀକା ଟିପ୍ପଣୀ କରିବାକୁ ଯେମିତି ଜଗି ବସିଥାନ୍ତି I ଆଉ ଏବେ ଏବେ ଟିଭି ସିରିଏଲ ଦେଖି ସ୍ତ୍ରୀ ମାନେ ସ୍ୱାମୀ ମାନଙ୍କୁ ମଧ୍ୟ ବ୍ରତ କରାଉଛନ୍ତି …gender equality ପରା ! ଆଉ ତା ସହ ଦାମୀ ଶାଢ଼ୀ ଓ ଗହଣା ଉପହାର ମଧ୍ୟ ଦାବି କରି ନେଉଛନ୍ତି I ହାଏ ସାବିତ୍ରୀ !
ତେବେ ଆଧ୍ୟାତ୍ମିକ ଜଗତର ବିଜ୍ଞାନ ବିଷୟରେ କିଛି କିଛି ଜାଣିଲା ପରେ ଏ ପୌରାଣିକ ଚରିତ୍ର ମୋତେ ଚମତ୍କୃତ କଲା I ଯଜ୍ଞ ସମ୍ଭୂତା ସେ, ଅର୍ଥାତ ପିତାମାତାଙ୍କ ଅନେକ ସାଧନା ପରେ ଧରା- ପୃଷ୍ଠକୁ ଅବତାରଣ କରିଛନ୍ତି I ସେ ଭଳି ଓଜସ୍ୱିନୀ ଆତ୍ମାକୁ ଧାରଣ କରିବାର କ୍ଷମତା ପିତାମାତାଙ୍କର ମଧ୍ୟ ରହିଥିବା ଚାହି I ଆମେ ତ ବଂଚିବା କେମିତି, ମରିବା କେମିତି ଜାଣୁ ନାହେଁ ଅଥଚ ସେ ବର୍ଷେ ଆଗରୁ ସେଥିକି ପ୍ରସ୍ତୁତି ଆରମ୍ଭ କରି ସାରିଥିଲେ, ଯଦ୍ଦ୍ଵାରା ସେ କେବଳ ଯମଦୂତ ନୁହେଁ ବରଂ ଯମରାଜଙ୍କୁ ମଧ୍ୟ ସ୍ୱଚକ୍ଷୁରେ ଦେଖି ପାରିଲେ ଏବଂ ତାଙ୍କ ପଛେ ପଛେ ଯାଇ ପାରିଲେ I ଏହା ପ୍ରତୀକାତ୍ମକ ନୁହେଁ, ବରଂ ବୁଝିବାକୁ ପଡିବ ଯେ, ତାଙ୍କ ଚେତନାର ଉତ୍ତରଣ ଏପରି ହୋଇଥିଲା ଯେ, ସେ ଅନ୍ୟ ଜଗତକୁ ଯିବାର ବାଟ ପାଇ ସାରିଥିଲେ I
“ସତୀ” ଶବ୍ଦର ଆମେ ଯେଉଁ ଅର୍ଥ ବୁଝୁଛେ, ସେଥି ସହିତ ସାବିତ୍ରୀ ଚରିତ୍ରଙ୍କର ବିଶେଷ ସମ୍ବନ୍ଧ ନାହିଁ I ବରଂ ସେ ଜୀବନର ଚରମ ସତ୍ୟକୁ ଉପଲବ୍ଧି କରିବାକୁ ନିରନ୍ତର ଚେଷ୍ଟିତ ଥିଲେ I ନିମ୍ନ ଚକ୍ରର ଆବାହନ ଅବା ଆକର୍ଷଣ ତାଙ୍କୁ ଯେ ବିଚଳିତ କରି ପାରିଥାନ୍ତା, ଅବିଶ୍ଵାସର ବିଷୟ ଏ I ତାଙ୍କ ଚେତନା ଏହାଠାରୁ କାହିଁ କେତେ ଉନ୍ନତ ହୋଇ ସାରିଥିଲା I ନିଜର ପ୍ରତ୍ୟୁତ୍ପନ୍ନମତିତାରେ ଯମରାଜଙ୍କୁ ସତେ ଯେମିତି ନିରସ୍ତ୍ର କରି ଦେଇଥିଲେ I
ଦେଖାଇଥିଲେ, ଏ ଜୀବନ ଭୋଗର ନୁହେଁ, ତ୍ୟାଗର l ଯଦି କିଛି ଆଶା ରଖୁଛ, ତେବେ ସେଥିରେ ବୃହତ୍ତର ସ୍ୱାର୍ଥ ନିହିତ ଥାଉ l
ଆଗୋ ଆଜିର ସାବିତ୍ରୀ ! ସାଧନା ତୁମର ଆରମ୍ଭ କି ହେଲାଣି ! ସଂକୀର୍ଣ୍ଣ ମାନସିକତା ନେଇ କି ରୂପେ ତୁମେ ଗଢ଼ିବ ଏକ ରାଷ୍ଟ୍ର, ନିଜ ଭୋଗରୁ ଉର୍ଦ୍ଧ୍ୱକୁ ଉଠିଲଣି ତ, ତ୍ୟାଗ କଣ ଅନୁଭବିଛ ! ସାବିତ୍ରୀ ବ୍ରତ କଥା ଏ ଯାବତ କେତେ ଥର ପଢି ସାରିବଣି, କେବେ ମନନ କରିଛ, ସେଥିରେ ତୁମ ପାଇଁ କି ନିର୍ଦ୍ଦେଶ ରହିଛି ? ରାଷ୍ଟ୍ର ନିର୍ମାଣରେ ତୁମର ଭୂମିକା କଣ ବୁଝିଛ ଟି ? ସାମାନ୍ୟତମ ଭୁଲ ଭଟକାରେ ସ୍ୱାମୀଙ୍କ ଉପରେ ବର୍ଷି ଯାଉଛ ଅଥଚ ବ୍ରତ ଦିନ ମୁଣ୍ଡରେ ଓଢଣା ଦେଇ, ସେଲ୍ଫି ଉଠେଇ ପ୍ରବଞ୍ଚକ ସାଜିଛ ! ଆସ, ଏ ସନ ଉପବାସର ମେନୁ (ଚିଠା) ବିଷୟରେ କମ ଚିନ୍ତା କରି, ନୂଆ ଲୁଗା କଣ ପିନ୍ଧିବି ସେଥିକୁ ନଜର ନ କରି, ପ୍ରକୃତ ଅର୍ଥ ବୁଝିବା l ବ୍ରତ କଥା ପଢି, ତା ଉପରେ ଧ୍ୟାନ ଟିକିଏ କରିବା l କ’ଣ ନିର୍ଦ୍ଦେଶ ବିଶ୍ଵନିୟନ୍ତାଙ୍କର ଏ କାହାଣୀ/ଘଟଣାକ୍ରମ ମାଧ୍ୟମରେ ? ନିମ୍ନ ଚକ୍ରରୁ କଣ ଉର୍ଦ୍ଧ୍ୱକୁ ଆଉ ଉଠିବା ନାହିଁ ?
ଶୁଭମସ୍ତୁ ll
#savitribrata2025 #spirituality #EnlightenmentPath #odia #amasahitya #drvpacharya