ଡଃ ବିୟତପ୍ରଜ୍ଞା ଆଚାର୍ଯ୍ୟ
ଆଜି ମିଶ୍ର ବୁଢ଼ୀଙ୍କ ଘରେ ଭାରୀ ଗହଳି । ରୋଷେଇ ଘରେ ବଡ ହାଣ୍ଡି ହଣ୍ଡା ବସିଛି । ତିନି ଜଣ ବୋହୂ ଲାଗି ପଡିଛନ୍ତି ରାନ୍ଧିବାରେ । ମୁଣ୍ଡ ଘରୁ କୋଳାହଳ ଭାସି ଆସୁଛି ପିଲାମାନଙ୍କର ।ରୋଷେଇଘରୁ କ୍ଷୀରୀ ବାସ୍ନା ବି ଭାସି ଆସୁଛି ।
ମିଶ୍ରାଣୀ( ସ୍ବର୍ଗତ ବୈଦ୍ୟନାଥ ମିଶ୍ରଙ୍କ ସହଧର୍ମିଣୀ) ବସିଛନ୍ତି ଖଟରେ କାନ୍ଥକୁ ଆଉଜି । ପିଠି ପଛ ଆଡେ ତକିଆ ଲଦା ହୋଇଛି । ଗୋଡ ଲମ୍ବେଇ ବସିଛନ୍ତି ଖଟ ଉପରେ । ଅଳ୍ପ ଅଳ୍ପ ଦୂରରେ ୫ ପୁଅ ଚୌକି ପକେଇ ବସିଛନ୍ତି । ପାଦ ପାଖରେ ବସିଛି ନିଧି ମା’, ଆଉ ଗୋଡ ଘଷି ଦେଉଛି । ଶିରାଳ ପାଦ ଓ ଗୋଡ଼ରେ ଅଳ୍ପ ଅଳ୍ପ ତେଲ ଘଷି ଦେଉଛି ।
ମିଶ୍ରାଣୀ ଖିଙ୍କାରି ଉଠିଲେ – “ତୋ ହାତରେ ବଳ ନାହିଁ କିଲୋ ? କଣ ଏମିତି ସାଉଁଳୁଛୁ? ମୋରି ଖା , ମୋତେ ହିଁ ଠକେ । ନିଧି ମା’ ର ହାତ ଅଟକି ଯାଏ । ଆଖି କୋଣରେ ଦୁଇ ଠୋପା ଲୁହ ଜକେଇ ଆସେ । ସୁଁ ସୁଁ ହୋଇ କାନିରେ ଆଖି ପୋଛିଦିଏ । ପୁଣି ଟିକିଏ ଜୋର ଦେଇ ଘଷି ପକାଏ ।
ସେପଟୁ ସାନ ବୋହୁ ସଞ୍ଜିତାଦୌଡ଼ି ଆସନ୍ତି । ମୁଣ୍ଡରେ ଓଢଣା ଦେଇ କୋଠରୀ ବାହାରେ ଥାଇ ମୁଁହ ମୋଡି କହନ୍ତି—“ଦେଖିଲେ ସବୁବେଳେ ଏମିତି । ଯିଏ କରିବ ସେହିଁ ଶୁଣିବ । ଏଥିପାଇଁ ଆପଣମାନଙ୍କୁ ଡାକିଲି ।”
କାନିରେ ଲୁହ ପୋଛୁ ପୋଛୁ ୫ ବୋହୂରେ ସାନ,ସଞ୍ଜିତା ଆଉ ଟିକିଏ ସ୍ୱର ଉଞ୍ଚା କରି କହିଲେ –”ମୁଁ ସବୁ କରା ଧରା କଲାପରେ ମଧ୍ୟ ବୋଉଙ୍କର ବ୍ୟବହାର ଏମିତି । ମୋ କଥାକୁ ପରତେ ନ ଥିଲା ପରା ! ନିଜ ଆଖିରେ ଦେଖନ୍ତୁ, କାନରେ ଶୁଣନ୍ତୁ । ମୋ କପାଳ ତ ଫଟା, ଏଇଠି ପଡି ରହିଲି –ଯିଏ ଯାହା ବାଟେ ସୁଖରେ ରହିଲେ ।”
ସାନ ପୁଅ ସୁବ୍ରତ ଉଠିଯାଇ ସ୍ତ୍ରୀଙ୍କୁ ଚୁପ କରେଇ ସ୍ୱର ଧିମେଇ କହନ୍ତି – ” ଭାଇନାମାନଙ୍କ ଆଗରେ ଏତେ ଜୋରରେ କଣ କଥା ହେଉଛ ? ସଞ୍ଜିତାସୁଁ ସୁଁ ହୋଇ ରୋଷେଇ ଘରକୁ ଫେରିଯାନ୍ତି – କପାଳରେ କର ମାରି କହନ୍ତି – ” ହାଏ କପାଳ ! ”
ପାଞ୍ଚ ପୁଅ ସୁରେନ୍ଦ୍ର , ବୀରେନ୍ଦ୍ର , ଗଜେନ୍ଦ୍ର , ମହେନ୍ଦ୍ର , ସୁବ୍ରତ । ହଠାତ ଇନ୍ଦ୍ର ସିରିଜ ଛାଡ଼ି ସୁବ୍ରତ ନାଁ କାହିଁକି ବାଛିଲେ ବାପା ମା’, ସୁବ୍ରତ ନିଜେ ବି ବୁଝି ପାରନ୍ତିନି । ତେବେ କାହାକୁ ପଚାରନ୍ତିନି ।ଏମିତି ବି ତାଙ୍କ ସ୍ତ୍ରୀ ତାଙ୍କୁ ସବୁବେଳେ ଉଲୁଗୁଣା ଦିଏ ସେ ମିଶ୍ର – ମିଶ୍ରାଣିଙ୍କର ସାବତ ପୁଅ, କି କୋଉଠୁ ଗୋଟେଇ ଆଣିଛନ୍ତି । ସେଥିପାଇଁ ତ ତାଙ୍କ ସ୍ତ୍ରୀ ଉପରେ ଏତେ ସବୁ ଅତ୍ୟାଚାର ।
ବଡପୁଅ ସୁରେନ୍ଦ୍ର ନିଃସନ୍ତାନ , ତାଙ୍କ ସ୍ତ୍ରୀ ବି ଅନେକ ଦିନରୁ ଆରପାରିରେ। ତାଙ୍କୁ ଏବେ ନିଜ ରକ୍ଷଣ ଅସମ୍ଭାଳ , ମା’ଙ୍କ କଥା କଣ ବୁଝିବେ ? ବହୁତ ଦିନରୁ ଘୋଷା ଲଗେଇଛନ୍ତି, ନିଜେ କୌଣସି ଵୃଦ୍ଧାଶ୍ରମକୁ ଚାଲିଯିବେ ।
ଦ୍ୱିତୀୟ ପୁଅ ବୀରେନ୍ଦ୍ର , ବଡ ଵୈଜ୍ଞାନିକ , ପୁଅଟିଏ ଅଛି । ସ୍ତ୍ରୀ କ୍ୟାନ୍ସରରେ ବର୍ଷେ ତଳେ ଚାଲିଯାଇଛନ୍ତି । ଏବେଓଡିଶାକୁ ଫେରି ଆସି ନୂଆ ଟେକ୍ନୋଲୋଜିରେ ଚାଷବାସ ଆରମ୍ଭ କରିବେ ବୋଲି ସ୍ଥିର କରିଛନ୍ତି ।ସେ ଓ ପୁଅ ସିଦ୍ଧାର୍ଥ କେବେଠାରୁ ଲଗେଇଛନ୍ତି ମା’ ଙ୍କୁ ନିଜ ପାଖକୁ ନେଇଯିବାପାଇଁ । ହେଲେ ମିଶ୍ରାଣି ଅବୁଝା । ” ମାଇକିନିଆ ମଣିଷଟେ ନାହିଁ , ମୁଁ ତୋ ଘରକୁ ଯାଉଥିଲି ତ !
” ଆଲୋ ବୋଉ, ହୋମ ନର୍ସଟେ ରଖିଦେବା । ଚାଲେ ଆମ ସାଙ୍ଗରେ ।” ଆଉ ଥରେ ବୀରେନ୍ଦ୍ର ଦୋହରାଇଲେ ।
” ଇହିଁ …..କୋଉ ହାଡ଼ି , ପାଣ ହାତରୁ ମୋତେ ଖୋଇବୁ !”
“ହଉ, ନିଧି ମା’ କୁ ବି ନେଇଯିବା । ”
” ମଲା, ମୋର କଣ ଘରବାଡ଼ି ନାହିଁ କି? ତୋ ନନା ଏଇଠି ଗଲେ ମୁଁ ବି ଏଇ ଘରେ ହିଁ ପଡି ପଡି ଯିବି ।
ମା’ ଙ୍କୁ ବୁଝେଇବାର ଧୈର୍ଯ୍ୟ ତୁଟିଗଲା ବୀରେନ୍ଦ୍ରଙ୍କର ମଧ୍ୟ ।
ତୃତୀୟ ପୁତ୍ର ଗଜେନ୍ଦ୍ର । ସ୍ତ୍ରୀ ମଧ୍ୟ ଚାକିରି କରନ୍ତି । ଦୁଇଟି ପିଲା ବଡ ହେଲେଣି , ହେଲେ ବୋହୂକୁ ସବୁବେଳେ ଜଞ୍ଜାଳ । ଅନ୍ୟ ଭାଇମାନେ ଆଶାୟୀ ହୋଇ ଗଜେନ୍ଦ୍ରଙ୍କ ଆଡେ ଚାହିଁଲା ବେଳେ ଭିତର ତାଙ୍କ ସ୍ତ୍ରୀ ଶୋଭାଙ୍କର ଅପେକ୍ଷାକୃତ ଜୋରରେ ଚିତ୍କାର ଶୁଭିଲା – “ସଞ୍ଜୁ ଲୋ , ମୋ ମୁଣ୍ଡଟା ଚିପି ଧରିଲୁ, ମିଗ୍ରେନ ରେ ଆଜି ମୁଣ୍ଡ ଫାଟିଯିବ ବୋଧେ । ରହ ମୁଁ ବାନ୍ତି ଟିକେ କରିଦିଏ ଯେ , ଭଲ ଲାଗିବ — ଓଃ, ଓଃ, ଆଃ, ଆଃ …..
ଗଜେନ୍ଦ୍ର ମୁହଁ ଶୁଖେଇ କହିଲେ ” ଶୋଭା ତ କିଛି ଆଉ ପାରୁନି । ତୋ ପାଇଁ ବୋଉ ଗୋଟେ ମେଳାରୁ ଏଇ ଶାଲଟା ଆଣିଥିଲି – ଦେଖିଲୁ, ମନକୁ ପାଉଛି କି?”
ମିଶ୍ରାଣୀ ପ୍ୟାକେଟଟାକୁ ପାଖରେ ଥୋଇଦେଲେ କହିଲେ – ” ଯା’ ଯା’ ଦେଖିବୁ କଣ ହେଲା ତା’ର ।” ପୁଅର ଅସହାୟତାକୁ ବୁଝି ପାରୁଥିଲେ ବୋଧେ।
ସଞ୍ଚିତା ଏପଟୁ ଥାଇ ମୁହଁ ମୋଡ଼ୁଥାଏ, ” ମେଳା ବୁଲିଲା ବେଳକୁ , function attend କଲା ବେଳେକୁ ତ ଏମିତି ମିଗ୍ରେନ ହେଉନି !”
” ଦେ ଲୋ ସଞ୍ଜୁ ପାଣି ମୁନ୍ଦେ ।” ଆଉ ଟିକିଏ ଜୋର ଚିତ୍କାର କଲେ ଶୋଭା । ସଞ୍ଜିତାଦୌଡ଼ି ଆସି ପାଣି ଗ୍ଲାସ ହାତରେ ଧରେଇଦେଲେ ।
ଚତୁର୍ଥ ପୁତ୍ର ମହେନ୍ଦ୍ର , ବାହା ହେଲେ ଅନେକେ ଡେରିରେ , ସେ ବି ପୁଣି ଅଜାତିରେ। ତାଙ୍କ ସ୍ତ୍ରୀଙ୍କୁ ଅନେକେ ଦିନପରେ ଏ ମିଶ୍ରଭବନର ରୋଷେଇ ଘରକୁ ଆସିବାକୁ ଅନୁମତି ମିଳିଲା । ତାଙ୍କ ସ୍ତ୍ରୀ ଲଗ୍ନଜିତା ସବୁ ବୋହୂଙ୍କଠାରୁ ଅଧିକ ରୂପସୀ ଓ ଗୁଣବତୀ , ହେଲେ ଏଠିକି ଆସି ଶାଶୁଙ୍କ ଅପମାନ ଥୋଡେ ଶୁଣି ଫରିଯା’ନ୍ତି । ସେ କେବଳ ପରିବା କଟାଯାଏ ଅନୁମତି ପାଇଛନ୍ତି ।
ସମସ୍ତଙ୍କ ମୁଁହରୁ ଏକ ଦୀର୍ଘ ନିଃଶ୍ୱାସ ବାହାରିଲା ।
ମା’ ର କଟୂ ବଚନ ସତରେ ଛାତି ଭେଦି ଏପଟରୁ ସେପଟକୁ ଚାଲିଯିବ I କିଏ ବା ସହିବ ? ନିଜ ପୁଅମାନେ ମା’ କୁ ସିନା ଜାଣିଛନ୍ତି, ପରଘର ଝିଅମାନେ ଭଲା କାହିଁକି ସହିବେ ?ପୁଅମାନେ ବୁଝାନ୍ତି , ବୋଉ ସେମିତି କହି ଦେଉଛି ସିନା , ତା ପେଟରେ କିଛି ନାହିଁ ….ହେଲେ କିଏ ଶୁଣିବ ନା ବୁଝିବା ଏ କଥା ?ନିଧି ମା’ ଟି ମଧ୍ୟ ଅଭ୍ୟାସ ବଶତଃ ପଚାଶ ବର୍ଷ ସେବା କରି ଆସୁଛି; ଆଉ ନିରାଶ୍ରୟୀ ତ , ସେଥିପାଇଁ ଏଠି ମୁହଁ ନ ଖୋଲି ପଡି ରହିଛି I ଆଜିକାଲିର ଚାକରାଣୀ ବା ନର୍ସ ଏ ଭଳି କଥା ହଜମ କରିବେ ତ?ସମସ୍ତେ କିଂକର୍ତ୍ତବ୍ୟବିମୂଢ ।
ଏତିକିବେଳେ ସିଦ୍ଧାର୍ଥ ଦୌଡି ଦୌଡି ଆସିଲା – ” ମା’ଟୁମର ମେଡ଼ ଚଳିବନି ? ହୋମ ନର୍ସଟେ ତ ଆସୁ ।”
ମିଶ୍ରାଣୀ ଖିଙ୍କାରି ଉଠିଲେ – “ଯାଃ ପଳା ! ତୋ ଗୋରା ରାଇଜକୁ । ତୁମର ସେଠି ସବୁ ଚଳିବ , ମୋ ମିଶ୍ରଭବନରେ କୌଣସି ଅନୀତି ଚଳିବନି । ସଞ୍ଜୁ କଣ କରୁଛି କି ? ଯୋଡ଼େ ବୋଲି ତ ପିଲା । ମୁଁ ଆଠୁଟା ଜନ୍ମ କରିଥିଲି – ମଝିରେ ଯୋଡ଼େ ପଳେଇଲେ ସେଥିପାଇଁ ତୋ ସାନ କକେଇ ନାଁ ସୁବ୍ରତ ଦିଆହେଲେ । ଯମ ଯା ହଉ ଛାଡିଦେଲା ତାକୁ । ମୋର କେଡେ ସୁନ୍ଦର ରଜାପରି ପୁଅ ଯୋଡ଼େ — ସୁଁ ସୁଁ ହୋଇ କାନିରେ ଆଖି ପୋଛିଲେ ।
ସୁବ୍ରତ ନିଜ ନାଁ ର ରହସ୍ୟ ଉନ୍ମୋଚନ ହେବାରୁ ଆତ୍ମତୃପ୍ତି ଲାଭ କଲେ I
“ଆଛା, ମା’ ତମେ ପିଉସା ଘରକୁ ଯାଉନ, ଟିକିଏ ବୁଲି ଆସିବ। ସେଠି ପିଉସୀ, ରାନୀନାନୀ, ତାଙ୍କ ନାତୁଣୀ….ସମସ୍ତେ ଅଛନ୍ତି । ତୁମକୁ ଭଲ ଲାଗନ୍ତା । change of place …you know”
ଚିହିଁକି ଉଠିଲେ ମିଶ୍ରାଣୀ – ” ହଇରେ କଣ କହିଲୁ ? ଝିଅଘରେ ଅନ୍ନ ଖାଇ ପାପୀ ହେବି ? ଶେଷକୁ ମୋତେ ଏ ଦିନ ଦେଖିବାକୁ ପଡିଲା ? ”
ସିଦ୍ଧାର୍ଥ ହସି ହସି କହିଲା । ” ଜେଜେମା , ତାଙ୍କ ଅନ୍ନ କ’ଣ, ତୁମ ଅନ୍ନ କ’ଣ ? ପିଉସାଙ୍କର ଯେତେବେଳେ ଚାକିରୀରେ ଘର ଠିକ ରୂପେ ଚଳୁ ନ ଥିଲା , ତୁମେ ଏଠୁ ତ ସବୁ ପଠଉଥିଲ; ସେ ତ ଆଜିଯାଏ ଖଣ୍ଡେ ବି ଶାଢ଼ୀ କେବେ କିଣି ନଥିବେ, ସବୁ ତ ତମେ ପଠେଇଦିଅ ।
ତାପରେ ଆଉ କଣ ଆଗ କଥା ଅଛି କି ? ଝିଅ ପୁଅ ପରା ସମାନ। ଯୌତୁକ ପ୍ରଥା ଉଠେଇବା ପାଇଁ ସରକାର ବାପାମା’ଙ୍କ ସମ୍ପତ୍ତିରେ ଝିଅ – ପୁଅଙ୍କର ସମାନ ଭାଗ ବୋଲି କହୁଛନ୍ତି । ଖାଲି କଣ ଅଧିକାର ଦେଖେଇଲେ ହେବ – ଝିଅମାନଙ୍କୁ ନିଜକର୍ତ୍ତବ୍ୟ ମଧ୍ୟ କରିବା କଥା ନା ?”
ମିଶ୍ରାଣୀ ରାଗି ପାଚି ଲାଲ – ଯାହା ତାଙ୍କ ପୁଅମାନେ କହିବାର ସାହସ କେବେ କରି ନ ଥିଲେ , ଆଜି ଏ ୨୨ ବର୍ଷୀୟା ଟୋକା ସମସ୍ତଙ୍କ ସାମନାରେ କହି ପକେଇଲା !
ବୀରେନ୍ଦ୍ର ଅତର୍ଚ୍ଛା ଆଗକୁ ଡେଇଁପଡ଼ି ପରିସ୍ଥିତି ସମ୍ଭାଳିନେଲେ—”ଆରେ ସିଦ୍ଧାର୍ଥ, ତୋ ରୋବଟଟା କେତେଦୂର ଗଲା, ଟିକେ
ଜେଜେମାଙ୍କୁ ଦେଖେଇବୁ ଯା । ଏଠି ବଡମାନେ ଆଲୋଚନା କରୁଛନ୍ତି, ତୁ ଛୋଟପିଲାଟା |”
ବୀରେନ୍ଦ୍ର କଣ ଆଖପାଖରେ ସମସ୍ତେ ଜାଣନ୍ତି,ପ୍ରତି ମାସରେ ତେଲଲୁଣଠୁ ଲୁଗାପଟା ଏମିତି କେତେ କଣ ମହାପାତ୍ର ଘରକୁ ବୁହା ହେଉଥାଏ | ଝିଅକୁ ୧୫ ବର୍ଷ ଦିନୁ ଭଲ ପାତ୍ର ଦେଖି ତାଠୁ ୧୨ ବର୍ଷ ବୟସ ବଡ ଜ୍ୱାଇଁ ସହ ବାହା ଦେଇଥିଲେ | ଜ୍ୱାଇଁ କ୍ଷଣକୋପୀ , ମିଶ୍ର ଘର ଅଲିଅଳି ଝିଅ ସେଠାକୁ ଯାଇ ଦିନ ରାତି ଆଖିରୁ କୁହ ବୋହିଲା |
ମିଶ୍ରାଣୀ ସେଇ ଭୟରେ ଭାରଥୋରଦେଇ ସବୁବେଳେ ମନ ଧରିବାକୁ ଚେଷ୍ଟା କଲେ | ନାତି ନାତୁଣୀ ମାନେ ଥଟ୍ଟା କରି ପଛରେ କହନ୍ତି – “ସୁଇସ ବ୍ୟାଙ୍କକୁ ଚାଲିଲା ସବୁ ” |
ପଛରେ ପରିସ୍ଥିତି ଅନେକ ସୁଧୁରିଲା | ନାନୀର ପ୍ରତିପତ୍ତି ବଢିଲା | ଆଉ ବାପଘର ଓ ଭାଇମାନଙ୍କ ସମ୍ପତ୍ତି ଉପରେ ଲୋଭ ବି | ସତରେ ସେ ଦିନେ ବି ନିଜ କର୍ତ୍ତବ୍ୟ କଥା ଭାବେନି | କାମବେଳେ ଭାଉଜ ମାନଙ୍କ ଆଡକୁ ଆଙ୍ଗୁଠି ଦେଖାଇ ଦିଏ |
ହେଲେ ମା’ର ନାନୀ ପ୍ରତି ଅହେତୁକ ମୋହ ! ତା ବିଷୟରେ କେହି କେବେ ପଦେ କହି ପାରିବେନି |
ସିଦ୍ଧାର୍ଥ ସବୁ ଦେଖୁଥାଏ | ଯାଇ ପହଂଚିଲା ସଞ୍ଜୁ ଖୁଡି ପାଖରେ |କହିଲା , “ଦିଅ ଖୁଡି,ମୁଁ ବାସନ ମାଜିଦେବି , ତୁମ ଉପରେ ବହୁତ pressure ପଢି ଯାଉଛି ନା ?
ଏତେ ବର୍ଷ ବିଦେଶରେ ରହି ମଧ୍ୟ ସିଦ୍ଧାର୍ଥ ଓଡ଼ିଆ କହି ଶିଖିଛି , ହେଲେ ମଝି ମଝିରେ ବିଦେଶୀ ଭାଷାର ଛାପ ସୁସ୍ପଷ୍ଟ ଶୁଭେ I
“ଧେତ ପାଗଳା | ଆଜି ଯାଏଁ ମୁ ରନିକୁ ଖଣ୍ଡେ ବାସନ ମଜେଇନି,ତମେ କ’ଣମାଜିବ?” -ସଞ୍ଜୁ କହିଲା |
“କାହିଁକି ଖୁଡି?ଏଇଟା ତ ଆମ କାମ ନା , କଲେ confidence ବଢେ” – ସିଦ୍ଧାର୍ଥ କହିଲା | “ହଉ ହଉ ଏଇଠି ବସ , ତୁମକୁ କିଛି କହିବାର ଥିଲା |ମୁଁ ତୁମକୁ ଗୋଟେ ରୋବଟ ଦଉଛି | ତା ହାତରେ ସବୁ ଖାମ ଖରାଅ | ”
“ଏଁ …ରୋବଟ! ସେ କଣ ସବୁ କାମ କରିଦବ ?”
“ହଁ – ମୁଁ ଡିଜାଇନ କରିଛି ସେମିତି |”
“ଝାଡ଼ୁପୋଛା ବି?”, ସଞ୍ଜୁ ଚକିତ!
“ହଁହଁ, ସବୁ… ଜେଜେମା’ଙ୍କ ଖାନା ପହଞ୍ଚେଇବ, ତାଙ୍କ ଖାମ ବି କରିବ, ଘଷିମୋଡ଼ି ବି ଦେବ |” –କହିଲା ସିଦ୍ଧାର୍ଥ
“ଇଲୋ ମା’ ଲୋ, ମୋ ଭାଗ୍ୟ ଖୋଲିଗଲା ତାହେଲେ….” ସଞ୍ଜୁଆତ୍ମହରା ହୋଇ କହିଲେ I
“ଖୁଡି, ମୁଁ ତା’ନାଁ ଦେଇଛି “ସୁପରବୋହୂ”|
XXXXXXXXX XXXXXXXXXXXXXXXX XXXXXXXXXXXXXXXXXXX XXXXXXXXXXXXXXXXXXX
ଆଜି ପୁଣି ମିଶ୍ରାଣୀଙ୍କ ଘରେ ସମସ୍ତେ ଏକାଠି | ମିଶ୍ରାଣୀ ମୁହଁ ଶୁଖେଇ ବସିଛନ୍ତି |
ସିଦ୍ଧାର୍ଥ ପଚାରିଲା –“କଣ ହେଲା ? ସବୁ ଠିକ ତ ? ସୁପରବୋହୂ ଠିକ କାମ କରୁଛି ତ ? “
ସଞ୍ଜିତା ମୁରୁକି ହସି ଦେଇ କବାଟ କଣରୁ କହିଲେ , “ହଁ ହଁ ସିଧୁ , ତୁମ ସୁପରବୋହୂ ତ expert ସବୁ କାମରେ । ”
ପ୍ରଥମଥର ସିଦ୍ଧାର୍ଥ ଦେଖିଲା ତା ଖୁଡ଼ୀ ସୁନ୍ଦରଭାବେ ସୂତାଲୁଗାକୁ ପିନ ଦେଇ ପିନ୍ଧିଛନ୍ତି । ମୁଣ୍ଡରେ ସିନ୍ଦୁର ଆଉ ଲେଶିହୋଇ ନାହିଁ । ମୁଁହରେ ହସ ବେଶ ମାନୁଛି । ଖୁଡିଙ୍କୁ ଏତେ ଖୁସି କେବେ ଦେଖିନଥିଲା ଆଗରୁ ।
ମିଶ୍ରାଣୀ କହିଲେ, ” ହଁ , ବା , ତୋ ସୁପରବୋହୂ ସବୁ କରୁଛି । ”
“ହେଲେ, ଅସୁବିଧା କଣ?” ସିଦ୍ଧାର୍ଥ ଆଶ୍ଚର୍ଯ୍ୟ ।
“ମଲା, କେତେ ଅସୁବିଧା ନା – ଯାହା କହିଲେ ଝଟ ଝାଟ ସବୁ କରିକି ଥୋଇ ଦେଉଛି ପୋଡ଼ାମୁହିଁ । ମୁଁ ମୋ ପାଟିକଣ୍ଡୁ କାହା ଉପରେ ମାରିବି ଯେ? ସବୁଥିରେ ଥ୍ୟାଙ୍କୟୁ , ନ ହେଲେ ସରି କହି ଦେଉଛି ।“
ସିଦ୍ଧାର୍ଥ ହସି ହସି ଲୋଟିଗଲା ।
” ଜେଜେମା, ତୁମେ ଆଉ ହେବନି । ହଉ ହଉ, ମୁଁ ତୁମର ଆଉ ଖୁଡିଙ୍କ କଥାବାର୍ତ୍ତାଶୁଣି ସୁପରବୋହୂ ଶିଖେଇ ଦେବି, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବଳରେ ସେ ତୁମ କଥାକୁ କାଟିବ । ଜାଣିଲି, ଏମିତି ଝଗଡା ହେଲେ ଘରେ ତୁମକୁ ଗହଳ ଚହଳ ଲାଗୁଛି ନା?”
‘ତଥାସ୍ତୁ’ — ପୁଣି ତାଳିମାରି ହସି ହସି ଗଡ଼ିଗଲା ସିଦ୍ଧାର୍ଥ ।
XXXXXXX XXXXXXXXXXXXXXXXXXX XXXXXXXXXXXXXXXXXXXXXXX
ଆଜି ଶେଷ ଶଯ୍ୟାରେମିଶ୍ରାଣୀ। ପୁଅଝିଅ ନାତି ନାତୁଣୀ ସମସ୍ତେ ଘେରି ଛିଡା ହେଇଛନ୍ତି । ସିଦ୍ଧାର୍ଥ ଆଉ ବୀରେନ୍ଦ୍ର ଏୟାରପୋର୍ଟରୁ ଆସିଲେ ଏକରକମ ଅଣନିଃଶ୍ୱାସୀ ହୋଇ ।ସିଦ୍ଧାର୍ଥ ଜାପାନ ଯାଇଥିଲା ରୋବଟିକସ ସମ୍ମିଳନୀରେ ଯୋଗ ଦେବାକୁ ।
ସିଦ୍ଧାର୍ଥ ବ୍ୟସ୍ତ ହୋଇ ସୁବ୍ରତ ଓ ସଞ୍ଚିତାକୁ ପଚାରିଲା, “କକେଇ, ଖୁଡୀ । ଏ ସବୁ ଅଚାନକ କେମିତି ହେଲା?
ସଞ୍ଜିତା ଆରଘରକୁ ନେଇଯାଇ ହାତଠାରି ଦେଖେଇଲା ସୁପରବୋହୂକୁ । ସୁପରବୋହୂ ନିର୍ଜୀବ ହୋଇ ବସି ରହିଥାଏ ଗୋଟିଏ କୋଣରେ ।
” କଣ ହେଲା, ଖରାପ ହୋଇଗଲା କି?” ସିଦ୍ଧାର୍ଥ ପଚାରିଲା ।
” ନା, ନା ବିଲକୁଲ ଠିକଅଛି ।” ସଞ୍ଚିତା କହିଲେ ।
“ତେବେ?” ସିଦ୍ଧାର୍ଥ ଆଶ୍ଚର୍ଯ୍ୟ ହୋଇ ପଚାରିଲା ।
” ହସିବି ନା କାନ୍ଦିବି ଜାଣି ପାରୁନି ସିଧୁ । ” ସଞ୍ଚିତା କହିଲେ ।
“ତୁମେ ଯେବେଠୁଁ ଗାଳି ଦେବା ପ୍ରୋଗ୍ରାମିଙ୍ଗ କରିଦେଇଗଲ, ସେବେଠୁଁ ଘଟଣାସବୁ ଅଲଗା ମୋଡ଼ ନେଲା । ମୁଁ ତ ପ୍ରାୟ ଚୁପ ରହି ବୋଉଙ୍କ ଗାଳି ସବୁ ହଜମ କରିଯାଏ । ସେ ତୁମ ଜେଜେମାଙ୍କ ଗାଳିସବୁ ଧରିନେଲା । ଖାଲି ସେତିକି ନୁହେଁ କେମିତି କେଜାଣି ଜାଣିଲା, ତୁମ ଜେଜେବାପାଙ୍କ ଅମଳର ଇତିହାସ ଓ ଆମ କଥାବାର୍ତ୍ତାକୁ ନେଇ ସେ ତା ନିଜ database ସୁଦୃଢ କରିନେଲା ।
” ହୁଁ, ତା’ପରେ? ଜୋରସୋରରେ ଝଗଡା ଚାଲିଲା ତେବେ ?ଜେଜେମା’ ତ ବେଶ ଖୁସି ହୋଇଯାଇଥିବେ ।” ସିଦ୍ଧାର୍ଥ ପଚାରିଲା ।
“ହଁ, ବହୁତ ଖୁସି ଦିଶିଲେ ପ୍ରଥମେ କିଛି ଦିନ । ଯଦିଓ ଘରେ ବହୁତ ଅଶାନ୍ତି ହେଉଥିଲା, ଜେଜେମାଙ୍କ ଖୁସିପାଇଁ ସେ ସବୁ ସହି ଯାଉଥିଲୁ । ”
“ଆଚ୍ଛା! ତା’ ପରେ ?”
ସଞ୍ଜିତା କହିଲେ ,”ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ଯେ ଏତେ କରାମତି, ଆମେ ଜାଣି ନଥିଲୁ l ଜେଜେମା’ଙ୍କ ଗାଳି ସବୁଗ୍ରହଣ କରି ତାଙ୍କ ଉପରକୁ ଦଶ ଗୁଣ ଜୋର ରେ ନିକ୍ଷେପ କଲା I ସେଥିରେ ପୁଣି ଫକୀର ମୋହନ ସେନାପତିଙ୍କ “ଲୋ ରେବ, ଲୋ ଚୁଲୀ ” ବି ମିଶେଇ ଦେଲା I କେତେବେଳେ ମେହେନ୍ତର ବସ୍ତି ପରି ବି ଗାଳି ଗୁଲଜ ବି କଲା I”
ସିଦ୍ଧାର୍ଥହସୁଥାଏ l “ତା ଭିତରେ ମୁଁ କେତେ ଲକ୍ଷ ବହି ପୁରେଇ ଦେଇଛି, ହିସାବ ରଖି ପାରିବନି l ତା ନିଜର ବି କ୍ଷମତା ଅଛି ନୂଆ କାହାଣୀ, ବହି ଆଦି ଇଣ୍ଟେରନେଟରୁ ଅପଡେଟ କରିବାର l”
“ଜେଜେମା ତା ହେଲେ ପୂରା ସାଇଜ I” ହସ ବନ୍ଦ ହେଉ ନ ଥାଏ ତା’ର I
ସଞ୍ଜିତା ଅଳ୍ପ ହସି କହିଲେ ,”ସେ ଠିକ ଯେ, କିନ୍ତୁ ସୁପରବୋହୂ ତାଙ୍କୁ ଗୋଡେଇ ଗୋଡ଼େଇ ଗାଳି କଲା I ଏକଦମ ଭସ୍ମାସୁର ପରି ଅବସ୍ଥା I ତାଙ୍କୁ ଖାଇବା, ପିଇବା, ବସିବା, ଉଠିବା, ଚାଲିବା ….ସବୁ କଥାରେ ବଡ ହୀନ ଗାଳି କଲା I”
“ଆମେ ବି ଭୁଲି ଯାଇଥିଲୁ ଯେ, ସୁପରବୋହୂ ଗୋଟେ ମେସିନ ବୋଲି I ଚାର୍ଜରେ ବସେଇବାକୁ ଭୁଲି ଯାଇଥିଲୁ ଅଳ୍ପ ଦିନ ତଳେ , ତା ଦୁର୍ବ୍ୟବହାର ଆହୁରି ବଢ଼ିଗଲା I କୁଆଡୁ କିଛି ଉପାୟ ନ ଦିଶିଲାରୁ ପୁଅ ଅତର୍ଚ୍ଛା ପଛଆଡ଼ୁ ତାର ଭିଡ଼ି ଡ଼ିସକନେକଟ କଲା I ଓହୋଃ ! କି ଶାନ୍ତି !”
“ହେଲେ ତୁମ ଜେଜେମା ଏ ଭିତରେ ବହୁତ ବଦଳି ଯାଇଛନ୍ତି I ବହୁତ ଦିନରୁ ଅନେକ କିଛି ଭାବୁଛନ୍ତି ଗୁମ ମାରି I ମଝିରେ ଓକିଲ ମଉସାଙ୍କୁ ବି ଡାକିଥିଲେ କଣ ପାଇଁ I ସବୁଠୁ ଆଶ୍ଚର୍ଯ୍ୟ ମୋ ଉପରେ ଆଗ ପରି ଆଉ ରାଗୁ ନାହାନ୍ତି I”
“ଆଜି ସମସ୍ତଙ୍କୁ ଏକାଠି ଡାକିଛନ୍ତି କିଛି କହିବା ପାଇଁ, ଚାଲ ଶୁଣିବା I”
ମିଶ୍ରାଣୀଆରମ୍ଭ କଲେ, “ପିଲାମାନେ, ତୁମ ବାପାଙ୍କୁ ଖୁବ କାମ ବୟସରେ ହରେଇ, ଜୀବନର ଘାତ ପ୍ରତିଘାତ ସହି ସହି କେତେବେଳେ କେଜାଣି ମୁଁ ଏତେ ବଦଳିଗଲି !ସୁନାନାକୀ ଝିଅରୁ ବହୁକୁଟୁମ୍ବି ପରିବାରର ବଡ ବୋହୂ ଆଉ ପରେ ଖାମିନ୍ଦାଣୀ I ମମତାମୟୀ ମା’ରୁ ପାଷାଣୀ ଶାଶୁ ହୋଇଗଲି I”
“ସଞ୍ଜୁ ପ୍ରତି ମୁଁ ବହୁତ ଅନ୍ୟାୟ କରିଛି I ସୁପରବୋହୂ ମୋତେ ଜଣେଇ ଦେଇଛି, ମୁଁ ତା’ ପ୍ରତି କିଭଳି ରୁକ୍ଷ ବ୍ୟବହାର କରୁଥିଲି lତୋ ପାଖରେ ମା’ ମୁଁ ଚିରଋଣୀ । ନେ ତୋ ଝିଅପାଇଁ ଗହଣାତକ । ଆଶା, କାହାର ଏଥିକି ଅସମ୍ମତି ହେବାର କାରଣ ନାହିଁ ।“
ଝିଅ ଆଡକୁ ଅନେଇ କହିଲେ ” ମା’ ରେ ତୋତେ ମୁଁ ସକ୍ଷମ କରି ଛାଡିଥିଲେ ଏତେ ଲୋକଙ୍କର ହାତ ଗୋଡ ଧରିବାକୁ ପଡି ନ ଥା’ନ୍ତା । ତେବେ ତତେ ମୁଁ ବେଶ ଦେଇଛି । ନେ ଏ କାଗଜରେ ଦସ୍ତଖତ କରିଦେ ଯେ, ଏ ସମ୍ପତ୍ତିରେ ମୋର କିଛି ଅଧିକାର ନାହିଁ ବୋଲି । ମୋ ଅନ୍ତେ ଏ ଭାଇମାନେ ତୋ ସାହାଭରସା, ତୋତେ ଭାର-ଥୋର ଏମାନେ ହିଁ ପଠେଇବେ । ”
ଝିଅର ମୁଁହ ଛୋଟ ହୋଇଗଲା; କାକୁସ୍ଥ ହୋଇ କାଗଜ ଖଣ୍ଡିକ ହାତରେ ଧରିଲା ।
ନାତି ନାତୁଣୀଙ୍କୁ ଅନେଇ କହିଲେ , ” ମୋ ଅନ୍ତେ ଏମାନଙ୍କୁ ମୋବାକୀ ଅଳଙ୍କାର, ଟଙ୍କା ସବୁ ବାଣ୍ଟିଦେବ। ସ୍ଥାବର ସମ୍ପତ୍ତି ସବୁ ନିଜ ଭିତରେ ବାଣ୍ଟିନେବ । ଏ ଘରଟା ମୁଁ ସୁବ୍ରତ ନାଁ ରେ କରି ଦେଇଛି । କିନ୍ତୁ ସର୍ତ୍ତ ଅଛି ସେ ନିଧି ମା’ର ଶେଷଯାଏ ରକ୍ଷଣାବେକ୍ଷଣ କରିବ। ”
ସମସ୍ତେ ଛଳଛଳ ଆଖିରେ ଅନେଇ ରହିଥାନ୍ତି ।
ମିଶ୍ରାଣୀ କହିଲେ,“ମୋତେ ସୁପରବୋହୂ ମନେ ପକେଇଦେଲା ଯେ ମୋର ବି ଗୋଟେ ନାଁ ଅଛି – ଲକ୍ଷ୍ମୀ; ତା ସାଙ୍ଗରେ ଆହୁରି ବହୁତ କିଛି ମନେ ପକେଇଦେଲା,ଫେରି ଆସିଲା ମୋ ଅସ୍ତିତ୍ତ୍ୱ, ମୋ ଅସ୍ମିତା ।”
“ମୋତେ ତୁମେମାନେ ସମ୍ମାନ ଦେଉ ଦେଉ ବଡ ମୁଁହ ବଢିଆ କରିଦେଲ ରେ! ମୁଁ ତ ୫ଟି ରତ୍ନ ପାଇଛି ।”
“ଇଗ୍ନଜିତା ଆ, ମୋ ପାଖରେ ଏଇଠି ବସ । ମୋର ଭିତରୁ ଗୋଟେ ଅହଂକାର ଥିଲା ଯେ ମୁଁ ହିଁ ସବୁଠୁ ଭଲ ବୋହୂ ବାଛିପାରିବି । ଏ ଭିତରେ ସୁପରବୋହୂ ମୋ ମନରୁ ଜାତିପ୍ରଥା ମଧ୍ୟ ଦୁରେଇ ଦେଇଛି । ବହୁତ ଭୁଲ କରିଛି ମୁଁ — ବହୁତ ଭୁଲ । ପାରିବୁ ଯଦି ମା’ କ୍ଷମା କରିଦେ ।“
“ମୋର ବଞ୍ଚିବାର ସ୍ପୃହା ନାହିଁ ଆଉ । ମୋ କାମ ଶେଷ ହୋଇଛି ।”
“ସିଦ୍ଧାର୍ଥ, ମୋ ଧନ —- ବହୁତ ଉନ୍ନତି କରେ ବାପା । ସମୟ ନାହିଁ, ଯାଉଛି । ତୋ ଝିଅ ହୋଇ ଫେରିବି ।”
“ରୁହ ଜେଜେମା, ସେମିତି କୁହନି । ଏବେ ଏବେ ତ ମା’ ମୋତେ ଛାଡ଼ି ଚାଲିଗଲା । ତୁମେ ବି –”
ମିଶ୍ରାଣୀ ଧିରେ ଆଖି ବୁଜିଲେ । ସେ ଚିରନିଦ୍ରାରେ ଶୋଇସାରିଥିଲେ ।
ଆରଘରେ ସୁପରବୋହୂ ମଧ୍ୟ ଚେୟାରରେ ଥକା ମାରି ବସିଥିଲା ପରି ଜଣ ପଡୁଥାଏ । ତା କାମ ବି ସରିଗଲା ବୋଧହୁଏ।
ଏହା ଏକ ସମ୍ପୂର୍ଣ୍ଣ କାଳ୍ପନିକ କାହାଣୀ I ଇଏ ଘର ଘରର କାହାଣୀ …ଟିକିଏ ଏପାଖ ସେପାଖ ସିନା, ହେଲେ ପ୍ରାୟ ଏମିତି I କୌଣସି ଜଣେ ବ୍ୟକ୍ତିବିଶେଷ ବା ପରିବାରର କାହାଣୀ ନୁହେଁ I ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କୁ ନେଇ ଏକ ରମ୍ୟ ରଚନା କହି ପାରନ୍ତି I ପାଠକମାନଙ୍କ ମତାମତ ଜାଣିବାକୁ ଅନେଇ ରହିଲି ….