କପିଳାସ ପର୍ବତର ପାହାଚ ପରେ ପାହାଚ ଏକାକୀ ଚଢ଼ି ଚାଲିଥାନ୍ତି ଦୀନବନ୍ଧୁ | ରାସ୍ତାର ଦୁଇ ପାଖରେ ଥିବା ସବୁଜିମା , ପ୍ରକୃତିର ଧନାଢ୍ୟ ସୁଷମା ଯେକୌଣସି ଲୋକର ମାନଙ୍କୁ ଜିଣିନେବାପାଇଁ ଯଥେଷ୍ଟ | ରାସ୍ତାର ସେ ଅଧାଖରା ଅଧାଛାଈର ପରଶ ସମସ୍ତଙ୍କୁ କୋଳେଇ ନେଇ ପ୍ରଶାନ୍ତିରେ ଭରି ଦେବାପାଇଁ ସତେ ଯେମିତି ବ୍ୟଗ୍ର ହୋଇ ଚାହିଁ ରହିଛି | ତଥାପି …..ତଥାପି କାହିଁକି ତାଙ୍କ ମନ ଏତେ ଅଶାନ୍ତ ? କଣ କାରଣ ଏ ଅଶାନ୍ତିର ? ସଫଳ ଅଧ୍ୟାପକ ସେ , ଛାତ୍ରମାନଙ୍କର ପ୍ରିୟ , ଶତ୍ରୁତା କାହା ସହ ନାହିଁ କହିଲେ ଚଳେ | ଘର ମଧ୍ୟରେ ସ୍ୱାମୀ ତଥା ଜନକର କର୍ତ୍ତବ୍ୟକୁ ସୁଚାରୁରୂପେ ପାଳନ କରି ଆସୁଛନ୍ତି | ତେବେ ଏସବୁ ଥିବା ଭିତରେ ନାହିଁ ନାହିଁର ଆର୍ତ୍ତନାଦ କାହିଁକି ? ଏଭଳି ଅଛିଣ୍ଡା ଚିନ୍ତାର ଖିଅ ଧରି ଆସି କେତେବେଳେ ଶିଖରରେ ପହଞ୍ଚି ଯାଇଛନ୍ତି , ତାଙ୍କର ଖିଆଲ ନାହିଁ | ଶେଷ କିଛି ପାହାଚ ଦ୍ବିଗୁଣିତ ଉତ୍ସାହରେ ଚଢ଼ି ଯେତେବେଳେ ସବା ଉପରେ ପହଞ୍ଚିଲେ ମନେ ମନେ ଆନନ୍ଦିତ ହୋଇ ଭାବିଲେ ବୋଧହୁଏ ଏଭରେଷ୍ଟ ଉପରକୁ ଚଢ଼ି ଶେରପା ତେଞ୍ଜିଙ୍ଗ ଏହିଭଳି ଆନନ୍ଦିତ ହୋଇଥିବେ | ପାହାଚରେ ଚଢ଼ି ଆସିବାର ଇଚ୍ଛା ଯେତେବେଳେ ସେ ବନ୍ଧୁମାନଙ୍କ ଆଗରେ ପ୍ରକାଶ କଲେ – ବନ୍ଧୁମାନେ ତାଙ୍କୁ ଉପଦେଶ ଦେଇଥିଲେ – ପାରିବନି ଦୀନବନ୍ଧୁ , ପାରିବନି | ଆଜିକାର ଭେଜାଲ ଜିନିଷ ଖାଇ ଖାଇ ମଣିଷ ଫମ୍ପା ହେଇ ଗଲାଣି | ଆଉ ମଧ୍ୟ ତୁମେ ଯଦି ନିଜ ଭିତରେ ଶତ ସିଂହର ପରାକ୍ରମ ଅନୁଭବ କରୁଛ , ତେବେ ମନେ ରଖ ତୁମ ଶରୀର ଓ ମନ ଭିତରେ ଅନ୍ତତଃ କୋଡିଏ – ପଚିଶ ବର୍ଷର ବ୍ୟବଧାନ ସୃଷ୍ଟି ହୋଇଗଲାଣି | ପଇସା କିଛି ଫିଙ୍ଗିଦିଅ | ଆଉ ଆରାମରେ ଜିପରେ ବସି ଉପରକୁ ଚାଲିଯାଅ |
ଏ ସବୁରେ କର୍ଣ୍ଣପାତ ନ କରି ଦୀନବନ୍ଧୁ ଏକାକୀ ପାହାଚ ଚଢ଼ି ଉଠିଥିଲେ କ୍ରମାଗତଭାବେ ଦେଢ଼ଘଣ୍ଟାକାଳ | ପାଣିର ସୁଅ ଆଗରେ ପଥର ରଖିଦେଲେ ପାଣି ଯେପରି ଉଛୁଳି ଥାଏ , ସେହିଭଳି ବନ୍ଧୁମାନଙ୍କର ବାରଣ ତାଙ୍କ ଇଚ୍ଛାଶକ୍ତିକୁ ଦ୍ଵିଗୁଣିତ କରିଦେଇଥିଲା | ଅଛିଣ୍ଡା ଚିନ୍ତାର ଖିଅ କୁ ସାଥି କରି ବେଶ ତ ଆସିଗଲେ!
ହାତ ଗୋଡ ଧୋଇ ଭୋଗ ରାଗ ଧରି ପ୍ରଭୁ ଚନ୍ଦ୍ରଶେଖରଙ୍କ ନିକଟରେ ପହଞ୍ଚିଗଲେ | ପୁରୋହିତ ପୂଜା କରି ଚାଲିଥାନ୍ତି | ଧୀରେ ଧୀରେ ମନ ତାଙ୍କର ଶୂନ୍ୟ ହୋଇଯାଉଥାଏ | ଶିର ଅବନମିତ | ଯେତେବେଳେ ସେ କିଛି ମାଗିବାକୁ ଚାହିଁଲେ , ମନ ଶୂନ୍ୟ ହୋଇଯାଉଥାଏ | ଏଇତ ଟିକକ ଆଗରୁ ପ୍ରମୋଶନ ଚିନ୍ତା , ଭୂବନେଶ୍ୱର ରେ ପ୍ଲଟ ଟିଏ ହାସଲ କରିବାର ଚିନ୍ତା , ଝିଅ କୁ ବାହା ଦେବାର ତଥା ପୁଅକୁ ଚାକୀରି ଟିଏ କରେଇ ଦେବାର ଚିନ୍ତା ମନକୁ କବଳିତ କରି ରଖିଥିଲା | କାହିଁ ସେସବୁ ଇଛା ? ଶହ ଶହ ଭକ୍ତ ନିତିଦିନ ନିଜର ଇଚ୍ଛାପୂର୍ତ୍ତି ସକାଶେ ଏଠିକି ଆସନ୍ତି | ତେବେ ଟିକକପୂର୍ବରୁ ଯାହାସବୁ ତାଙ୍କୁ ଏତେ ଜରୁରୀ ମନେ ହୋଇଥିଲା , ସେସବୁର ପୂର୍ତ୍ତି ପାଇଁ ପ୍ରାର୍ଥନା କରି ପାରୁ ନାହାନ୍ତି କାହିଁକି ? ଏ ତାଙ୍କ ମନରେ ଗର୍ବ ଅଥବା ଅସହାୟତା ? ମନର ନିଭୃତ କୋଣ ରେ ଗୋଟିଏ ଧ୍ୱନି ଝଙ୍କୃତ ହୋଇ ଚାଲିଛି – ପ୍ରଭୁ ତୁମର ଇଛା ପୂରଣ ହେଉ | ସବୁଠି ସମସ୍ତଙ୍କର ମଙ୍ଗଳ ହେଉ |ଆଉ ସଂଗ୍ରାମ କରି ପାରିଲେ ନାହିଁ ,ବାହାରକୁ ଚାଲି ଆସିଲେ | କିଛି ସମୟ ଥକାମାରି ପୁଣି ଉପରକୁ ଉଠିଲେ ସୀତା ଙ୍କ ଏନ୍ତୁଡ଼ିଶାଳ ଦେଖିବାପାଇଁ |
ଧୀରେ ଧୀରେ ଗୋଟିଏ ଗୋଟିଏ ପାହାଚ ଚଢ଼ୁଥାନ୍ତି | ପାଦ ଟିକିଏ ଅଳସ ହୋଇ ପଡୁଥାଏ | ବନ୍ଧୁଗଣଙ୍କର ଚେତାବନୀ ମଧ୍ୟ ମନେ ପଡୁଥାଏ | ପ୍ରାୟ ନିର୍ଜନ ହୋଇ ପଡିଥାଏ ରାସ୍ତାଟି | ଏହି ସମୟରେ କେହି ତାଙ୍କ ନାମ ଧରି ଡାକୁଥିବାର ଶୁଣି ପାରିଲେ | କେହି ପରିଚିତ ସାଥି ମିଳିଯିବା ଆଶାରେ ଉପରକୁ ତଳକୁ ଅନେଇଲେ | ନା , କେହି ତ ନାହିଁ | ସେ ଶବ୍ଦ ଆସୁଥିବା ଦିଗକୁ କାନ ଡେ଼ରିଲେ | ରାସ୍ତା କଡରୁ ଶବ୍ଦ ଆସୁଛି | ଆପେ ଆପେ ମୋହାଚ୍ଛନ୍ନ ଭାବେ ଗୋଡ ଦୁଇ ଟି ପଥୁରିଆ ରାସ୍ତାରେ ଆପେ ଆପେ ଟାଣି ହେଇ ଗଲା | କ୍ରମଶଃ ଶବ୍ଦ ଆହୁରି ତୀବ୍ର ହୋଇ ଉଠୁଥାଏ | ଆଗେଇ ଚାଲିଥାନ୍ତି ଦୀନବନ୍ଧୁ | ଶେଷରେ ଆସି ପହଞ୍ଚିଲେ ଏକ ଗୁମ୍ଫା ସମ୍ମୁଖରେ |
ଅନ୍ଧାରୁଆ ଗୁମ୍ଫା ଭିତରକୁ ପଶିବେ କି ନାହିଁ ଏହି ଦ୍ଵନ୍ଦ୍ଵ ଭିତରେ ଥିବା ବେଳେ ଗୁମ୍ଫା ଭିତରୁ ଶବ୍ଦ ଆସିଲା , “ଚାଲି ଆସ ଦୀନବନ୍ଧୁ” | ଏଥର ଅଧିକ କୌତୂହଳୀ ହୋଇ ସେ ଭିତରକୁ ପଶିଲେ | ଭିତରେ ଏକ ଦୀପର ଆଲୋକରେ ଗୁମ୍ଫା ଭିତରଟି କିଛି ମାତ୍ରାରେ ଆଲୋକିତ ହୋଇଥାଏ | ଏକ ପଥର ଖଣ୍ଡ ଉପରେ ଧ୍ୟାନରେ ବସିଥାନ୍ତି ଜଣେ ସନ୍ନ୍ୟାସୀ | ଭାରି ଓଜନ ମନେ ହେଉଥାଏ ପରିବେଶ, ପୁଣି ସାଥିରେ ଲେସି ହୋଇ ରହିଥାଏ ଶାନ୍ତ ଶୀତଳତା | ଦୀନବନ୍ଧୁ ଭକ୍ତିଭରେ ମୁଣ୍ଡ ନୂଆଇଁଲେ | ଏଥର ସନ୍ୟାସୀ ଧୀରେ ଧୀରେ ଆଖି ଖୋଲିଲେ | ତଳୁ ଦୀନବନ୍ଧୁଙ୍କୁ ଉଠାଇ କହିଲେ ଅନେକ ଦିନ ଅପେକ୍ଷା କରିଥିଲି ତୁମକୁ | ଦୀନବନ୍ଧୁ ବଲ ବଲ କରି ଅନେଇଥାନ୍ତି | ମୁଣ୍ଡ ଭିତରେ ସବୁ କିଛି ଓଲଟ ପାଲଟ ହୋଇ ଯାଉଥାଏ |
କି ଅଲୌକିକ ଶକ୍ତି ! ଏ ସାଧୁବାବା ମୋ ନାଁ ବା କେମିତି ଜାଣିଲେ ? ମନର ଭାବକୁ ପଢିବା ପରି ସନ୍ନ୍ୟାସୀ ଆରମ୍ଭ କଲେ , ବତ୍ସ ଗତ ଶହେ ବର୍ଷ ଧରି ମୁଁ ଏଠାରେ ତୁମକୁ ଅପେକ୍ଷା କରିଛି | ତୁମେ ଯୋଗ ଭ୍ରଷ୍ଟ ହୋଇ ପୁନର୍ବାର ଜନ୍ମଗ୍ରହଣ କଲ | ତୁମର ଏ ଜନ୍ମର ପ୍ରତ୍ୟେକ ଗତିବିଧି ଉପରେ ମୁଁ ନଜର ରଖିଛି | କିନ୍ତୁ ଯେପର୍ଯ୍ୟନ୍ତ ତୁମେ ଦୁନିଆର ମରୀଚିକାକୁ ବୁଝି ନ ପାରିଛ ସେତେପର୍ଯ୍ୟନ୍ତ ତୁମେ ମୋ ପାଖକୁ ଆସି ପାରିବ ନାହିଁ |
ଦୀନବନ୍ଧୁ କହିଲେ ମହାଭାଗ , ମୁଁ ଯେ କିଛି ହେଲେ ବୁଝି ପାରୁନି | ମୁଁ ତ ଜଣେ ସାଧାରଣ ସଂସାରୀ | ମୋ ପେଟ ପାଟଣା ପୋଷିବାରେ ତ ଦିନ ଯାଉଛି | ମୁଁ ….
ଅଧାରୁ କଥା କାଟି ସନ୍ନ୍ୟାସୀ କହିଲେ , ଜାଣେ ତୁମର ଅନେକ ଚିନ୍ତା | ଅଫିସରେ ପ୍ରମୋସନ , ଝିଅ ବାହାଘର , ପୁଅର ଚାକରୀ , ଘର ତୋଳା , ଆଦି ଅନେକ ଚିନ୍ତା |
” ହଁ ମହାରାଜ ହଁ | ଆପଣ କେମିତି ଜାଣିଲେ ଏ ସବୁ ? ଏ ସବୁ ମୁ ଅତିଶୀଘ୍ର କରିବାକୁ ଚାହେଁ |”
ସନ୍ୟାସୀ – “କିନ୍ତୁ ତୁମ ହାତରେ ଯେ ସମୟ ଖୁବ କମ –ଏଇ ଧର ମାତ୍ର ମାସଟିଏ ” |
ଦୀନବନ୍ଧୁ ଜଡ ପାଲଟି ଗଲେ | ମୁହଁ ଶେତା ପଡିଗଲା | କିନ୍ତୁ ମହାରାଜ ମୋ ସଂସାର ଯେ ଭାସିଯିବ | ମୋ ବିନା ମୋ ସ୍ତ୍ରୀ ପିଲା କେମିତି ଚଳିବେ ? କର୍ମକ୍ଷେତ୍ର ରେ ମଧ୍ୟ ମୋ କର୍ତ୍ତବ୍ୟ ଅପୂର୍ଣ୍ଣ ରହିଛି | କଣ ହେବ ମହାରାଜ ? ଆପଣ ଯଦି ଏତେ କଥା ଜାଣି ପାରୁଛନ୍ତି , ମତେ ଆଉ କିଛି ଦିନ ବଞ୍ଚି ରହିବାର ଉପାୟ ବତେଇ ଦିଅନ୍ତୁ |
ସନ୍ନ୍ୟାସୀ – ଏଇତ ଭୁଲ ଭାବୁଛ ଦୀନବନ୍ଧୁ | କେବଳ ତୁମେ ନୁହଁ ପ୍ରତ୍ୟେକ ବ୍ୟକ୍ତି ଧରା ପୃଷ୍ଠରେ ଏହା ହିଁ ଭାବନ୍ତି | ଏହା ହିଁ ପ୍ରଭୁ ଙ୍କର ମାୟା | ସମସ୍ତେ ଭାବନ୍ତି , ମୁଁ ଏ କଥା କରୁଛି କିନ୍ତୁ କେହି ଧାରଣା କରି ପାରନ୍ତି ନାହିଁ ଯେ ସେମାନେ କେବଳ ଏକ ଯନ୍ତ୍ର ଇଶ୍ୱର ଙ୍କ ହାତରେ | ସମୟ ନିକଟରେ କେତେ ଅସହାୟ ଏ ମଣିଷ ! ସେ ଜାଣେନା ଆଗାମୀ କ୍ଷଣ ରେ କଣ ଘଟିବ | ସେ କ୍ଷଣ ଟି ଅତିବାହିତ ହୋଇଗଲା ପରେ ସେ ବଡ଼ିମା ଦେଖାଇ କହେ , ମୁଁ ଅମୁକ କଲି , ସମୁକ କଲି | ମୁଁ ବର୍ତ୍ତମାନ ତୁମକୁ ଏକ ଦିବ୍ୟଶକ୍ତି ପ୍ରଦାନ କରୁଛି ଯଦ୍ଦ୍ଵାରା ତୁମେ ଦେଖି ପାରିବ ମାସେ ପରେ ତୁମ ମୃତ୍ୟୁ ପରେ କଣ ସବୁ ଘଟିବାକୁ ଯାଉଛି | ଆସ ଏଠାରେ ବସ |
ଦୀନବନ୍ଧୁ ଯନ୍ତ୍ରବତ ନିକଟସ୍ଥ ପଥର ଉପରେ ବସି ପଡିଲେ | ସନ୍ନ୍ୟାସୀ ନିଜର ଦଣ୍ଡଟିକୁ ଧୀରେ ତାଙ୍କ ଭ୍ରୁ-ମଧ୍ୟରେ ଛୁଆଁଇ ଦେଲେ କ୍ଷଣିକ ମଧ୍ୟରେ ଦୀନବନ୍ଧୁ ଏକ ଅଜବ ଦୁନିଆରେ ପ୍ରବେଶ କଲାପରି ମନେକଲେ | ଅନେକ ଦୃଶ୍ୟ ଆଖି ଆଗରେ ଭାସିଉଠି ମିଳାଇ ଯାଉଥାଏ | ଶେଷରେ ଦୃଶ୍ୟ ସ୍ଥିର ହେଲା ଆସି ତାଙ୍କ ଶୋଇବା ଘରେ | ସେ ନିଜକୁ ଶୋଇବା ଅବସ୍ଥାରେ ପାଇଲେ |
କିଛି ସମୟରେ ତାଙ୍କ ପତ୍ନୀ ଶାନ୍ତି ଆସି ତାଙ୍କୁ ଉଠେଇବାକୁ ଚେଷ୍ଟାକରି ଭୋ ଭୋ ହୋଇ କାନ୍ଦିବା ଆରମ୍ଭ କରିଦେଲେ | କିଛି ସମୟ ପରେ ଅନେକ ଲୋକ ତାଙ୍କ ଚାରିପଟେ ଠିଆ ହୋଇ କାନ୍ଦିବା ଆରମ୍ଭ କରିଦେଲେ | ଦୀନବନ୍ଧୁ ଜାଣି ପାରିଲେ ସେ ଦେହ ତ୍ୟାଗ କରିଛନ୍ତି | ଏଥର ସେ ଦୃଶ୍ୟ ଉଭାନ ହୋଇ ଅନ୍ୟ ଏକ ଦୃଶ୍ୟ ଭାସି ଉଠିଲା ଯହିଁରେ ସେ ଦେଖିଲେ ପତ୍ନୀ କୁ ବିଧବା ବେଶରେ ଆନତ ମୁଖ , ବିପର୍ଯ୍ୟସ୍ତ କେଶ ଦୀନବନ୍ଧୁ ଏ ଅବସ୍ଥା ଦେଖି ଦୁଃଖ ପ୍ରକାଶ କରିବାକୁ ଇଛା କଲା ବେଳକୁ ଆଉ ଏକ ଦୃଶ୍ୟ ଭାସି ଉଠିଲା ଓ ଖୁବ କୋଳାହଳ ଶୁଭିଲା – ଧର୍ମପତ୍ନୀ ଉତ୍ତେଜିତ କଣ୍ଠରେ ଦୀନବନ୍ଧୁ ଙ୍କ ଭାଇମାନଙ୍କ ସହ ଘରର ମାଲିକାନାକୁ ନେଇ ପାଟିତୁଣ୍ଡ କରୁଥାନ୍ତି | ଧନ୍ୟ ସେ ଭାଇମାନେ ଧନ୍ୟ ସେ ସ୍ତ୍ରୀ ! ଟିକକ ପୂର୍ବରୁ ଯେ ପତ୍ନୀ ଦୁଃଖରେ ମ୍ରିୟମାଣ ହୋଇ ପଡୁଥିଲେ ସେ ପୁଣି ଏଭଳି ଉତ୍ତେଜିତ ହୋଇ ଜଡ ଘରଟିଏ ପାଇଁ ଝଗଡା କରୁଛନ୍ତି | ସ୍ୱାମୀ ନାମକ ଜୀବଟି ତେବେ ବିଭିନ୍ନ ଆବଶ୍ୟକତା ପୂରଣ କରିବାର ଯନ୍ତ୍ରଟିଏ ମାତ୍ର !
ଏ ଭିତରେ ଅନ୍ୟ ଏକ ଦୃଶ୍ୟ ଭାସିଉଠିଲା |
ଏଥର ପୁଅ ବୀରେନ୍ଦ୍ରକୁ ଦେଖିଲେ ସାଥି ମେଳରେ | ମନ ତାର ବେଶ ପ୍ରଫୁଲ୍ଲିତ ଥିଲାପରି ମନେ ହେଉଥାଏ | ସେ ସାଙ୍ଗମାନଙ୍କୁ କହୁଥାଏ , ଯା ହେଉ ଏଥର ରିହାବିଲିଟେସନ ସ୍କିମରେ ମୋର ଚାକିରିଟା ପକ୍କା | ମୋ ଆଦର୍ଶବାଦୀ ବାପା ମୋତେ ଅଯୋଗ୍ୟ କହି ନିଜେ ନିଜର ବ୍ୟବସ୍ଥା କରିବାକୁ କହୁଥିଲେ | ଚାକିରୀ ପାଇଁ ଲାଞ୍ଚ ନେବାଟା କୁଆଡେ ତାଙ୍କ ଆଦର୍ଶର ଖୁନ କରିବା ସଙ୍ଗେ ସମାନ | ଆରେ ବାବୁ , ତୁମେ କଣ ଏକ ଲାଞ୍ଚ ଦେଉଛ ? ଯା ହେଉ ରିଟାୟାର୍ଡ କରିବା ପୂର୍ବରୁ ଢ଼ୋ ହୋଇଛନ୍ତି | ମୋ ରାସ୍ତାଟା ସଫା ହୋଇଗଲା ଏବେ | କେହି ଜଣେ ସାଥି କହୁଥିଲା , ତା ହେଲେ ଆମ ବିଅର ପାର୍ଟିଟା ପକ୍କା | ଅନ୍ୟମାନେ ମିଳିତ ହର୍ଷଧ୍ୱନି କରିଥିଲେ | ନିଜ ପୁଅ ମୁହଁରୁ ଏଭଳି କଥା ଶୁଣି ହତବାକ ହୋଇ କିଛି ଭାବିବା ପୂର୍ବରୁ ଦୃଶ୍ୟ ପରିବର୍ତ୍ତନ ହୋଇ ସ୍ଥିର ହୋଇଗଲା ଆସି ଝିଅ ପାଖରେ |
ଯାହା ଦେଖିଲେ ସେଥିରେ ଆପେ ମନକୁ ରାଗ ଚହଟି ଆସିଲା | ଯା ସହିତ ମିଶିବାକୁ ବାରମ୍ବାର ମନା କରିଥିଲେ ଝିଅକୁ , ସେ ଟୋକା ବାହାନାରେ ପାଖକୁ ଲାଗି ଆସୁଛି | କହି ଚାଲିଥାଏ ଯା ହେଉଛି ସବୁ ଭଗବାନଙ୍କ ଇଚ୍ଛାରେ | ଭଗବାନ ଯାହା କରନ୍ତି ପ୍ରାଣୀର ମଙ୍ଗଳ ପାଇଁ , ତୁମ ମନରେ କଷ୍ଟ ହେବ ନିଶ୍ଚୟ କିନ୍ତୁ ତୁମ ବାପା ଚାଲିଯିବାଟା ଆମ ପାଇଁ ମଙ୍ଗଳମୟ ନୁହେଁ କି ? ଆମ ବାହାଘର ଲାଗି ମୁଖ୍ୟ ବାଧକ ଥିଲେ ବାପା | ମମ୍ମିଙ୍କୁ ମୁଁ ଆରାମରେ ବୁଝେଇ ଦେଇ ପାରିବି | ଆମ ରାସ୍ତାଟା ଅନ୍ତତଃ ସଫା ହେଇଗଲା ଏଥର |
ଟୋକାର ନିଜ ପେଟ ପୋଷିବାକୁ ସାମର୍ଥ୍ୟ ନାହିଁ , ସେ ପୁଣି ମୋ ଝିଅକୁ ବାହାହେବାକୁ ବାହାରିଛି ! ଆଉ ଝିଅ ? ସେ ତ ବେଶ ମୁଣ୍ଡପୋତି ବସିରହି ସବୁ ଶୁଣୁଛି !କେ ଜାଣେ ବାପାର ମରଣରେ ମ୍ରିୟମାଣ ହେବାର ଅଭିନୟ କରି ଲଫଙ୍ଗା ପ୍ରେମିକର ସାନ୍ନିଧ୍ୟକୁ ଉପଭୋଗ କରୁଛି !
ଏଥର ଦୃଶ୍ୟ ଭାସି ଉଠିଲା ନିଜ କଲେଜର | ନିଜର କର୍ମକ୍ଷେତ୍ର | ନିଜର ପ୍ରିୟ ସ୍ଥାନ | ସବୁଦିନ କ୍ଲାସ୍ ନେବା ପାଇଁ ଆସି ମଧ୍ୟ ମନ ନ ଭରିଲେ , ଛୁଟି ଦିନରେ ଅନ୍ୟ କାମର ଆଳ ଦେଖାଇ ଟିକିଏ ଚାଲି ଆସନ୍ତି | ଏଇ ଯେ , ତାଙ୍କର ଅଧ୍ୟାପକ ବନ୍ଧୁମାନେ | ଆଉ ଏଇଟା କୁଳମଣି ରାଉତରାୟ ଯେ ତାଙ୍କୁ ବଡ ଭାଇର ସମ୍ମାନ ଦିଏ | ଭାଇନା ଭାଇନା କହି ପଛରେ ଚାଲିଥାଏ | ନିଶ୍ଚୟ ମନ ଖୁବ ଖରାପ କରୁଥିବେ | ବେଳେବେଳେ ଘର ଲୋକ ବଇରୀ ସାଜିଲେ ବାହାର ଲୋକ ହିଁ ବେଶୀ ନିଜର ହୁଅନ୍ତି , ଦେଖି ସେ କଣ କହୁଛି |
କୁଳମଣି କହୁଥାନ୍ତି – ଭଲଲୋକଟାଏ ଥିଲେ ଦୀନବନ୍ଧୁ ଭାଇନା| ଈଶ୍ୱରଙ୍କ ଇଚ୍ଛାକୁ କିଏ ଆଉ ଟାଳିବ ? ତେବେ ଠିକ ସମୟରେ ଯାଇଛନ୍ତି | ଏଥର ମୋ ପ୍ରମୋଶନଟା ସୁନିଶ୍ଚିତ |” – କହି ଠୋ ଠୋ ହସିବାକୁ ଲାଗିଲେ ସମସ୍ତେ | ଓଃ!ଏଠି ବି ସେହି ସ୍ୱାର୍ଥର ଗନ୍ଧ !
ଏଥର ଦୃଷ୍ଟି ଅଟକିଲା ଯାଇ ଛାତ୍ର ମଣ୍ଡଳୀ ପାଖରେ | କିଛି ଭଲ ବା ଖରାପ ଆଶା କରିବାର ସାହସ କରିପାରୁ ନଥିଲେ ଆଉ | କିଛି ପିଲା କହୁଥାନ୍ତି – ଆବେ ଶୁଣିଲୁ ? ଦୀନବନ୍ଧୁ ସାର ସୂଁ.. …ଉପରକୁ ଟିକଟ କାଟିଲେ , ଭଲ ବୁଢାଟେ ଥିଲା |
ଜଣେ କହିଲା- ଆବେ କନଫରେନ୍ସ କି ମିଟିଂ ହେଲେ ହାଫ ଡେ ଟାଏ ନିଶ୍ଚିତ | ପ୍ରେସିଡେଣ୍ଟକୁ କହି ବୁଢା ପାଇଁ ପୂରା ଛୁଟି ଟାଏ କରେଇଦେବା | ତା ପରଦିନ ସେକେଣ୍ଡ ସଟର ଡେ –ତା ପରଦିନ ରବିବାର | ତିନିଦିନ ଘରୁ ଯାଇ ଟିକେ ବୁଲି ଆସିବା | ସମସ୍ତେ ମିଶି ଉଠି କହିଲେ – ହଁ ବେ ବଢିଆ ହେବ |
ସେମାନଙ୍କ ମିଳିତ ହର୍ଷଧ୍ୱନିରେ ଟିକକ ପୂର୍ବରୁ ଜାତ ହୋଇଥିବା କିଞ୍ଚିତ ସମବେଦନାର ସ୍ୱର କାହିଁ ଫୁ ମାରି ଉଡ଼ିଗଲା | ନା , ଆଉ ଏ ଦୃଶ୍ୟ ସହ୍ୟ କରି ହେଉନି | ଏତିକି ବେଳେ କାହାର ଗୁରୁଗମ୍ଭୀର ସ୍ୱର ଶୁଣାଗଲା | ଧୀରେ ଆଖିଖୋଲ ବାବୁ ଦୀନବନ୍ଧୁ |
ସମ୍ବିତ ଫେରିପାଇ ସନ୍ନ୍ୟାସୀଙ୍କୁ ଆଖି ଆଗରେ ଦେଖିଲେ | ସଙ୍ଗେ ସଙ୍ଗେ ପାଦତଳେ ଲୋଟିଯାଇ କହିଲେ , ରକ୍ଷା କରନ୍ତୁ ବାବା ,ଏ ମାୟାଜାଲରୁ ମତେ ଉଦ୍ଧାର କରନ୍ତୁ | କି ଯେ ମୋହରେ ଏ ଯାଏଁ ମୁଁ ବାନ୍ଧି ହୋଇଥିଲି | ଯେଉଁ ମାନଙ୍କୁ ମୁଁ ଆଜି ନିଜର ବୋଲି ଭାବୁଥିଲି ଜଣେ ଜଣେ କରି ସମସ୍ତେ ଏଭଳି ସ୍ୱାର୍ଥ ରଖି ମୋତେ ଭଲ ପାଉଥିବେ ବୋଲି ଜାଣି ନଥିଲି | ହୁଏତ ମୁଁ ମଧ୍ୟ ସେହିଭଳି କିଛି ସ୍ୱାର୍ଥ ରଖି ହିଁ ସେମାନଙ୍କୁ ନିଜର ବୋଲି ଭାବୁଥିବି | ଆଉ ସପ୍ତାହେ ମଧ୍ୟ ବଞ୍ଚିରହିବା ମୋ ପକ୍ଷେ ଅସମ୍ଭବ | ମତେ ବର୍ତ୍ତମାନ ମୃତ୍ୟୁଦାନ କରନ୍ତୁ |
ଧୀରେ ହସି ପ୍ରସନ୍ନ-ଚିତ୍ତ ସନ୍ୟାସୀ କହିଲେ – ଏ ଜଗତ ଆମ ଚିନ୍ତାର ପ୍ରତିଫଳନ ମଧ୍ୟ | ଆମେ ଯାହା ଚାହୁଁ ସେଇୟା ହିଁ ପ୍ରତିଫଳିତ ହୋଇଥାଏ | ଏ ସମସ୍ତ ସମ୍ପୂର୍ଣ୍ଣ ମାୟା | ମାୟା ନଥିଲେ କି ଜଗତ ତିଷ୍ଠିବ ? ଏ ମାୟାସମୁଦ୍ର ଭିତରେ ବୁଡ଼ ମାରି ଏ ସଂସାର ମଧ୍ୟରେ ହିଁ ମୁକ୍ତାରୂପୀ ସତ୍ୟକୁ ଉଦ୍ଧାର କରିବାକୁ ହେବ |ମରୀଚିକା ମଧ୍ୟରେ ମରୁଦ୍ୟାନର ସନ୍ଧାନ କରିବାକୁ ହେବ |
ଯାହାସବୁ ଦେଖିଲ ତା’ ସଂସାରର ନୀତି | କେବଳ ଏଠି ସ୍ୱାର୍ଥ ଅଛି ତା ନୁହେଁ | ଅନେକ ସ୍ଥାନରେ ନିଃସ୍ଵାର୍ଥପର ପ୍ରେମ ମଧ୍ୟ ଦେଖିବା | ମା’ ର ସନ୍ତାନ ପ୍ରତି ପ୍ରେମ; ସେଥିରେ ଆବିଳତାର ବା ସ୍ଥାନ କାହିଁ ! ଶିକ୍ଷକ ଯେ ଏତେ ଯତ୍ନରେ ତା ଛାତ୍ରକୁ ଗଢୁଥାଏ କେଉଁ ସ୍ୱାର୍ଥରେ କହି ପାରିବ କି ? ଏଥିରେ ନିରାଶ ହେବାର କିଛି ନାହିଁ | ଏଥି ଭିତରେ ହିଁ ତୁମକୁ ଚିରନ୍ତନ ସତ୍ୟର ଅନୁସନ୍ଧାନ କରିବାକୁ ପଡିବ | ସେଥିପାଇଁ ସାଧନା ଲୋଡ଼ା |ଯାହା ସବୁ ଘଟୁଛି ସବୁ ବିଧିନିର୍ଦ୍ଦିଷ୍ଟ | ତୁମର ବା ମୋ ଚାହିଁବା ଅନୁସାରେ କୌଣସି ଘଟଣା ଘଟେନାହିଁ | ତୁମ ହାତରେ ମାତ୍ର ମାସେ ସମୟ ବାକି ଅଛି | ଚାହିଁଲେ ସେ ସମୟର ସଦୁପଯୋଗ କରିପାରିବ |
” ମୋତେ ଏହି ମୁହୂର୍ତ୍ତରେ ଦୀକ୍ଷିତ କରନ୍ତୁ ମହାଭାଗ | ମତେ ଅନେକ କିଛି କରିବାକୁ ହେବ | ମୁଁ ଆସିଲାବେଳେ ଜୀବନର ଲକ୍ଷ୍ୟସବୁ ଯାହା ଥିଲା , ସେ ସବୁ ସମ୍ପୂର୍ଣ୍ଣ ବଦଳି ଯାଇଛି | –ଦୀନବନ୍ଧୁ ସ୍ଥିର କଣ୍ଠରେ କହିଲେ |କେ ଜାଣେ – ମୁଁ ଆଗର ସେ ଦୀନବନ୍ଧୁ ହୋଇ ରହିବି କି ନାହିଁ ଯେ !
ବ୍ରହ୍ମଣାଧ୍ୟାୟ କର୍ମାଣି ସଂଗମ ତ୍ୟକ୍ତ୍ୱା କାରୋତି ୟଃ |
ଲିପ୍ୟତେ ନ ସ ପାପେନ ପଦ୍ମପତ୍ର ମିବାମ୍ଭସା ||
ଆସକ୍ତିହୀନ କର୍ମ କରେ | ସେ କର୍ମ ଅର୍ପଇ ବ୍ରହ୍ମରେ ||
ଜଳେ ଯେପରି ପଦ୍ମପତ୍ର | ପାପରେ ହୁଏ ନାହିଁ ଲିପ୍ତ ||
ଏବେ ଘରକୁ ଫେରିଯାଅ । ଯାହାସବୁ ଦେଖିଲ ସେଥିପାଇଁ ମନଦୁଃଖ କରିବାର କୋଣସି କାରଣ ନାହିଁ । ସମସ୍ତଙ୍କୁ ଭଲପାଅ । ସମସ୍ତଙ୍କ ଭିତରେ ‘ତାଙ୍କୁ’ ହିଁ ଦେଖ। ମୃତ୍ୟୁପାଇଁ ଭୟ କରନାହିଁ। ମୃତ୍ୟୁର କାମନା ମଧ୍ୟ କରନାହିଁ । ଯାହା ଆସୁଛି ଜୀବନରେ ସାଦରେ ଗ୍ରହଣ କର ଈଶ୍ୱରଙ୍କ ନିର୍ଦେଶ ବୋଲି ଭାବ । ଏ ମାସେ ମଧ୍ୟରେ ତମେ ନିଜର ସ୍ୱଭାବକୁ ଜାଣିବାକୁ ସମର୍ଥ ହେବ ଓ ତାପରେ ମୋ ପାଖକୁ ଫେରିଆସିବ । ଏଥର ଆସ ମୋ ସାଥିରେ ।
ଗୁମ୍ଫାରୁ ବାହାରି ଦୀନବନ୍ଧୁ ସନ୍ନ୍ୟାସୀଙ୍କ ପଛେ ପଛେ ଚାଲିଲେ । ଚତୁର୍ଦ୍ଦିଗ ଉଜ୍ୱଳ ଆଲୋକରେ ଉଦ୍ଭାସିତ ହେଲାପରି ମନେ ହେଉଥାଏ । ଆହୁରି ଶୂନ୍ୟ ଶୂନ୍ୟ ଲାଗୁଥାଏ । କିନ୍ତୁ ଏଥର ଶୂନ୍ୟତା ଭିତରେ ଥାଏ ପୂର୍ଣ୍ଣତା । ଜୀବନର ମରୁଭୂମିରେ ନିରନ୍ତର ଦିଶାହୀନ ଭାବେ ବିଚରୁଥିବା ଦୀନବନ୍ଧୁ ସତେ ଯେମିତି ଏବେ ମରୁଦ୍ୟାନର ସନ୍ଧାନ ପାଇ ଯା