problem solving
ସ୍ୱାଭିମାନୀ ଓଡ଼ିଆଙ୍କୁ କିଛି ପ୍ରଶ୍ନ
January 3, 2024
Odisha's craftsmanship
ମନ୍ଦିର ରାଜନୀତି
January 20, 2024
Road Safety

(ସଡ଼କ ସୁରକ୍ଷା ସପ୍ତାହ ଉପଲକ୍ଷେ)
—————————-
ଡଃ ବିୟତପ୍ରଜ୍ଞା ଆଚାର୍ଯ୍ୟ
ପ୍ରଫେସର, ବାୟୋକେମିଷ୍ଟ୍ରି
08.01.2024
*******
ଯେବେ ମୁଖ ପୁସ୍ତିକା (Facebook) ସର୍ଚ୍ଚ ବାର ରେ “ଟ୍ରାଫିକ” ଶବ୍ଦ ଇଂରାଜୀ ରେ ଟାଇପ କଲି, କେବଳ ମୋର ଅନ୍ୟୂନ 30 ହେବ ପୋଷ୍ଟ ଓ ଓଡ଼ିଆରେ 50 ହେବ ପୋଷ୍ଟ ଦେଖାଇଲା … ସେଥିପାଇଁ ବୋଧେ “ମୋ ଟ୍ରାଫିକ ଆବୁରୁଜାବୁରୁ ଗଳ୍ପ” କୁ ନେଇ ଏକ ଳଘୁକଥାର ସିରିଜ ଲେଖିଦେଲି l ଅନନ୍ୟ ସମ୍ପର୍କ ମୋର ଏ ଟ୍ରାଫିକ ସଙ୍ଗେ ….ଟ୍ରାଫିକରେ ଆମ ବ୍ୟବହାର, ସଂସ୍କୃତି, ଜାତୀୟ ଚରିତ୍ର, ଆଧ୍ୟାତ୍ମିକ ପ୍ରଗତି, ଶୃଙ୍ଖଳା ସବୁ ଯେମିତି ଖୋଲିଯାଏ l
ଆମେ ସମସ୍ତେ ଉର୍ଦ୍ଧ୍ୱଶ୍ଵାସ ହୋଇ ପ୍ରତିଦିନ ଦୌଡୁଛେ, ଦୌଡିବା ମଧ୍ୟ I ତେବେ ଟ୍ରାଫିକରେ ଯଦି ନିଜ ବ୍ୟବହାର ଅନୁଧ୍ୟାନ କରୁଛନ୍ତି ଓ ପ୍ରତିଦିନ ସମସ୍ୟା ପ୍ରତି ନିଜ ପ୍ରତିକ୍ରିୟାରେ ଉନ୍ନତି ପରିଲକ୍ଷିତ କରୁଛନ୍ତି, ତେବେ ତାହା ମଧ୍ୟ ଏକ ପ୍ରକାର ଆଧ୍ୟାତ୍ମିକ ସାଧନା I ଆମେ ପ୍ରାୟତଃ ସକାଳୁ କର୍ମସ୍ଥଳୀକୁ ବାହାରିଲା ବେଳେ ଶୀଘ୍ର ପହଞ୍ଚିବାକୁ ଅସ୍ଥିର ହୋଇ ଉଠୁ l ଏହାର ମୁଁ ଏକ ସରଳ ସମାଧାନ ପାଇଛି l ମନକୁ ବର୍ତ୍ତମାନରେ ବାନ୍ଧି ରଖିବାକୁ ହେବ I ହେଲେ ଆମ ମନ ତ ଆଗୁଆ ଅଫିସରେ ପହଞ୍ଚି ଟାଇପ ବାଡେଇଲାଣି, ନ ହେଲେ ଅଧୀନସ୍ଥ କର୍ମଚାରୀକୁ ଭୁଲ ପାଇଁ ଗାଳି ଦେଲାଣି, ନତୁବା ଉପରସ୍ଥ ଅଫିସରଙ୍କ ଆଗରେ କଣ ସବୁ ଫେରାଦ ଦେଲାଣି କିମ୍ବା ଡେରି ହେବାର କିଛି ବାହାନା ଗପିଲାଣି…କେତେବେଳେ ପ୍ରେମିକାର ଲାଞ୍ଛନା ମନେ ପଡ଼ିଲାଣି, କେତେବେଳେ ପିଲାର ଦେହ ଖରାପ, ଚାକରାଣୀ ସକାଳୁ ନ ଆସିବାର କ୍ରୋଧ ମଧ୍ୟ ମନକୁ ଚହଟି ଆସୁଛି … ….କ’ଣ ଠିକ ତ ?
ତେବେ ଏ ଭଳି ମଦମତ୍ତ, ଚଞ୍ଚଳ ମନକୁ ବାନ୍ଧିବାକୁ ହେଲେ ଏହାକୁ ଗୋଟିଏ ଭାବନାରେ ସ୍ଥିର ରଖନ୍ତୁ ….ଏକ ମନ୍ତ୍ର ଉଚ୍ଚାରଣ, ଏକ ସ୍ତୋତ୍ର ପାଠ, କବିତା ଯଦି ଭଲ ପାଆନ୍ତି କବିତା ମଧ୍ୟ ଘୋଷିକି ମନରେ ଆବୃତ୍ତି, ଆଉ ନ ହେଲେ କୌଣସି ନୂଆ ଗୀତ ଶିଖି ମନେ ମନେ ଗାଆନ୍ତୁ I
ଆମେ କହୁ “ନଜର ହଟି ତୋ ଦୁର୍ଘଟଣା ଘଟି “, ଅର୍ଥାତ ନଜର ହୁଏତ ରାସ୍ତା ଉପରେ ଥାଇପାରେ, କିନ୍ତୁ ମନ ଯଦି ଅନ୍ୟତ୍ର ରମଣ କରେ, ତେବେ ମଧ୍ୟ ତାହା “ନଜର ହଟି” ଭଳି ହିଁ ଅବସ୍ଥା ସୃଷ୍ଟି କରିବ l
ହନୁମାନ ଚାଳିଶା ଅବା ରାମରକ୍ଷା ସ୍ତୋତ୍ର ହେଉ, ହେଉ ଅବା ସିନେମା ଗୀତ ….ମନ ଏକାଗ୍ର ରହିବା ଯୋଗୁଁ ଆପଣ ନିଜର ଆଖପାଖ ପରିସ୍ଥିତି ପ୍ରତି ଆପଣ ସଜାଗ ରହନ୍ତି ଏବଂ ଅନ୍ୟ କାହାର ଭୁଲ ଥିଲେ ମଧ୍ୟ ରାସ୍ତାରେ ଅନ୍ତତଃ ନିଜକୁ ସୁରକ୍ଷିତ କରିନେଇ ପାରନ୍ତି l
ଏତିକି ପଢିଲା ବେଳକୁ ଆପଣ ବାହାସ୍ଫୋଟ ମାରିବେଣି, ମୁଁ ପରା ନିତିଦିନ ଇୟରଫୋନରେ ଗୀତ ଶୁଣି ଶୁଣି ଯାଏ, ନ ହେଲେ ଅମୁକ ବାବାଙ୍କ ପ୍ରବଚନ ….କିନ୍ତୁ ଆପଣ ଯେ ନିଜର ଶ୍ରବଣେନ୍ଦ୍ରିୟକୁ ବନ୍ଦ କରି ଦେଲେଣି I ଆଉ ମନ ଏକାଗ୍ର ହେବ କି ନାହିଁ କହି ହେବନି, ସେ ପୁଣି ସେଇମିତି ବିକ୍ଷିପ୍ତ ହୋଇ କୁଆଡେ ନ ବୁଲୁଥିବ, ତା’ କହି ହେବନି I

କିଛି ଲୋକ ଷ୍ଟାଣ୍ଡରେ ମୋବାଇଲ ଫୋନକୁ ଥୋଇ ଭିଡିଓ କଲ କରି କରି ମଧ୍ୟ ଯାଉଛନ୍ତି I ସେମାନେ ତାଙ୍କ ଶ୍ରବଣେନ୍ଦ୍ରିୟ ସହ ଦର୍ଶନେନ୍ଦ୍ରିୟକୁ ମଧ୍ୟ ଦାନ କରିଦେଲେ l ତେଣିକି ପଛରୁ କେହି ହର୍ନ ମାରି ରାସ୍ତା ମାଗୁଛି କିମ୍ବା ଆଗରେ କିଛି ଖାଲ ଢିପ ଅଛି, ସେଥିକୁ କାହିଁକି ନଜର କରିବା ?
ଟ୍ରାଫିକ ନିୟମ ମାନିବା, ହାତରେ ସମୟ ରଖି କାମକୁ, ସ୍କୁଲ, କଲେଜକୁ ବାହାରିବା, ଜଣେ ଜଣକ ପ୍ରତି ସହୃଦୟ ହେବା, ମନକୁ ବର୍ତ୍ତମାନରେ ବାନ୍ଧି ରଖିବା l ଘର କଥା ଘରେ ଆଉ କର୍ମସ୍ଥଳୀ କଥା ସେଇଠି ଭାବିବା, ଇୟରଫୋନ ଲଗେଇ କିମ୍ବା ହେଲ୍ମେଟ ଭିତରେ ଫୋନକୁ ଗେଞ୍ଜି କଥା ହେବା ନାହିଁ, ଅତି ଜରୁରୀ କଲ ଆସୁଥିବା ଭାବିଲେ, ଗାଡିକୁ ରାସ୍ତାକଡ଼ରେ ଠିଆ କରି ଦୁଇ ପଦ କଥା ହୋଇ ପାରିବା l
ମନକୁ ଏକାଗ୍ର କରି ଆମେ ନିଜକୁ ତଥା ଅନ୍ୟ ମାନଙ୍କୁ ଟ୍ରାଫିକରେ ସୁରକ୍ଷିତ ରଖିବା l ସଡକ ଦୁର୍ଘଟଣା ସବୁଦିନ ହୁଏ ନାହିଁ, ଥରଟିଏ ହେଲେ ତାହା କେଉଁ ପ୍ରକାରରେ ହେବ ଓ ତାହା ଆପଣଙ୍କ ଜୀବନ ପ୍ରତି କେତେ ବିପଦ ଆଣିବ, ତାହା କହି ହେବ ନାହିଁ l
=ଶୁଭମସ୍ତୁ=
#odiablogger #Odia #drvpacharya #traffic #RoadSafetyWeek
କୁନି ମଡେଲଟି ମୋ ଝିଅ, ଶୋ ରୁମରେ ବାଇକ ଉପରେ ବସି ଉଠେଇଛି …ଏଠାରେ କୌଣସି ଟ୍ରାଫିକ ନିୟମ ଉଲ୍ଲଙ୍ଘନ ହୋଇ ନାହିଁ 😀


Warning: Trying to access array offset on null in /home/u480314390/domains/drvpacharya.com/public_html/wp-content/themes/themes/betheme/includes/content-single.php on line 259
vpacharya

Leave a Reply

Your email address will not be published. Required fields are marked *