spiritual journey
ଶାସ୍ତ୍ର ଆପଣଙ୍କୁ ବାଛେ
February 23, 2024
Menu of fasting
ଉପବାସର ମେନୁ (୧)
March 10, 2024
Band baja Barat

ଡଃ ବିୟତପ୍ରଜ୍ଞା ଆଚାର୍ଯ୍ୟ
ପ୍ରଫେସର, ବାୟୋକେମିଷ୍ଟ୍ରି
—————————
ଝିଅକୁ ପରୀକ୍ଷା ପରେ ସ୍କୁଲରୁ ଧରି ଫେରିଲା ବେଳକୁ ପଡ଼ିଗଲୁ ଭିଡରେ | ଆଗରେ ଡି.ଜେ. ଗାଡି ଯାଉଛି କର୍ଣ୍ଣଫଟା ଦୁମ ଦୁମ ବାଜା ଓ ଗୀତ ବଜେଇ | ଦିନ ୧:୩୦ରେ ବରଯାତ୍ରୀ ଶୋଭାଯାତ୍ରା ! ଏପଟେ ଭୋକରେ ପେଟ ଜଳୁଛି, ତେଣେ ଡିଜେ ଗାଡି ଯୋଗୁଁ ଟ୍ରାଫିକ ଜାମ I ସେ ଗାଡି ପଛରେ ଠିଆ ହେଲେ ହୃଦରୋଗୀ ଶୀଘ୍ର ଉପରକୁ ଟିକେଟ କାଟି ପାରନ୍ତି I ଛୋଟ ଛୁଆଟିଏର କାନ ପରଦା ଫଟେଇବା ପରି ଶବ୍ଦ କମ୍ପନ ତ ନିଶ୍ଚୟ ହେଉଥାଏ I

ଶୋଭାଯାତ୍ରା ନୁହଁ ତ ପ୍ରହସନ | ବରଯାତ୍ରୀ ଘରର କିଛି ସ୍ତ୍ରୀ ଲୋକ ମୁଣ୍ଡରେ ଓଢଣା ଦେଇ ଚାଲିଛନ୍ତି | ବରପିଲାର ସାଙ୍ଗ ସୁଙ୍ଗା ନ ଥାନ୍ତି ବୋଧହୁଏ ନାଚିବା ପାଇଁ | ଥିଲେ ବି ଦେଢ଼ଟା ବେଳର ଜଳାପୋଡ଼ା ଗରମରେ କିଏ ନାଚିବ ନା ଡେଇଁବ ? ଯା’ ହେଉ ସ୍କୁଟି ଧରିଥିଲି ବୋଲି କଟେଇ କାଟେଇ ଆସିଗଲି |

ଆଉ ଟିକିଏ ଅଗରେ ଆଉ ଗୋଟିଏ ଶୋଭାଯାତ୍ରା | ଏଥରକ କିଛି ଯୁବତୀ ଚାଲୁଥିବାର ଦିଶିଲେ | ସେମାନେ ମଝି ମଝିରେ ହାତ ଟେକି ନାଚିଲା ପରି ଦିଶୁଥାନ୍ତି | ଆଉ କିଛି ସମୟ ଅନୁଧ୍ୟାନ କଲାପରେ ସେ ତିନି ଜଣ ରୁ ଜଣେ ମୁଣ୍ଡ ବୁଲାଉଛି ବୋଲି ଜଣା ପଡିଲା ଓ ସେ A.C. କାର ମଧ୍ୟକୁ ପ୍ରବେଶିଲା | D.J. ତା’ ବାଟେ ବାଜୁଥାଏ …ଆଗରେ ପୁଣି ଶଙ୍ଖ ମହୁରୀ ମଧ୍ୟ ବଜେଇ ଆଉ ଦଳେ କଳାକାର ଯାଉଥାନ୍ତି |
ହାଏ ! ଆମ ଯୁବାବର୍ଗ ! ଏ.ସି. କି କାଳ ହେଲାରେ ! ନା ବ୍ୟାୟାମ କ’ଣ ଜାଣୁଛନ୍ତି , ନା ପାଦେ ଚାଲୁଛନ୍ତି |
ଏ.ସି., ହିଟରର କୃତ୍ରିମ ପରିବେଶ ଗଢି ତା’ରି ଭିତରେ ଖାଲି ବହିଚାଷ ନ ହେଲେ ମୋବାଇଲ ଧରି ମନ ତୋଷ |
DJ ରେ ଆପାତତଃ ୨୦-୩୦ହଜାର ଟଙ୍କା ତ ଖର୍ଚ୍ଚ ହୋଇଥିବ | କିଏ ଶୁଣିଲା ନା କିଏ ନାଚିଲା! ଲୋକଦେଖାଣିଆ ଖର୍ଚ୍ଚଟିଏ କିନ୍ତୁ ହେଲା | ଭାବନ୍ତୁନି ଯେ, ସନ୍ଧ୍ୟାବେଳେ କିଛି ଅଧିକ ଲୋକ ନାଚୁଥିବେ I
ଯୁବାବର୍ଗର ଏତାଦୃଶ ବିକଳ ଅବସ୍ଥା ଦେଖି ମୁଁ ବନ୍ଧୁ ମହଲରେ କହିଲି – “ଆଃ!, ସତେ ଯଦି କେହି ଏକ କମ୍ପାନୀ ଖୋଲନ୍ତା , ଯେଉଁଥିରେ କିଛି ଯୁବା ନର୍ତ୍ତକ, ନର୍ତ୍ତକୀ DJ ପଛରେ ନାଚି ନାଚି ଯା’ନ୍ତେ , ଲୋକ ସେତକ ବାବଦକୁ ମଧ୍ୟ ଭଡା ଗଣିବାକୁ ପଛାନ୍ତେନି ପରା !”
ଶୁଣୁ ଶୁଶୁ ଜଣେ ବାନ୍ଧବୀ କହିଲେ – “ଆଉ କ’ଣ ବାକି ଅଛି ! ଏମିତି ଭଡାଟିଆ ନର୍ତ୍ତକ କମ୍ପାନୀ ଗଢି ଉଠିଲାଣି ନା | ଭଡାରେ ଆସି ଭଲ ବେଶ ପୋଷାକ ପିନ୍ଧି ନାଚିବେ, ଭୋଜି ଭାତ ଖାଇ ବିଦା ହେବେ I”
ଯାହା ଆଗରୁ ବନ୍ଧୁ ବାନ୍ଧବ , ସାଙ୍ଗମାନେ ଖୁସିରେ କରୁଥିଲେ, ସେତକ କରିବାକୁ ଖୋସାମତ, ମଦ ଯଚା ଆଦି ଚାଲିଲା |ଏବେ ସେତକ ମଧ୍ୟ କରିବାକୁ କେହି ରାଜି ନାହାନ୍ତି | ସମସ୍ତେ ମାତ୍ରାଧିକ ବ୍ୟସ୍ତ ନିଜ ନିଜ ଜୀବନରେ , ନ ହେଲେ ଏ.ସି. ପରିବେଶରେ ରହି ରହି ବାହାରକୁ ବାହାରିବାର କିମ୍ବା ଗରମ ସମ୍ଭାଳିବାର ଅଭ୍ୟାସ ନାହିଁ | ବାଃ ବାଃ ରେ ବ୍ୟାଣ୍ଡ , ବାଜା , ବାରାତ !
ସତରେ କ’ଣ ଦରକାର ଏ ସବୁ ପ୍ରହସନର ! ଯେ ଯାଏଁ ବନ୍ଧୁ କୁଟୁମ୍ବ ନିଜ ଆଡୁ ଅନୁରୋଧ ନ କରିଛନ୍ତି କିମ୍ବା ଆପଣ ଶତ ପ୍ରତିଶତ ସଠିକ ଜାଣିଛନ୍ତି ଯେ ଆପଣଙ୍କ ଶୁଭେଚ୍ଛୁମାନଙ୍କ ସଂଖ୍ୟା ବେଶ ଅଧିକ, ସେ ଯାଏଁ ଏ ଭଳି ଶବ୍ଦ ପ୍ରଦୂଷଣକାରୀ DJ ଆଦିରେ ଅର୍ଥ ଶ୍ରାଦ୍ଧ କରିବା ଅନାବଶ୍ୟକ I ଶୁଭ କାର୍ଯ୍ୟରେ ମଙ୍ଗଳ ବାଦ୍ୟ ବଜେଇବାର ପ୍ରଥା ରହିଛି I ବରଂ ଶଙ୍ଖ ମହୁରୀ କଳାକାରମାନଙ୍କୁ ସମ୍ମାନର ସହ ଏଥିରେ ସାମିଲ କରାନ୍ତୁ ଭଲ ଦରଦାମରେ I ସେ ମଧ୍ୟ ବାହାଘର ସ୍ଥଳୀର ଦ୍ୱାର ମୁହଁରୁ …ଯଦ୍ଦ୍ଵାରା ଅଯଥା ରାସ୍ତା ଜାମ ହେବ ନାହିଁ କିମ୍ବା ଡିଜେ ଜନିତ ଯାନ୍ତ୍ରିକ ଶବ୍ଦ ପ୍ରଦୂଷଣ ହେବ ନାହିଁ I
llଶୁଭମସ୍ତୁ II
*************


Warning: Trying to access array offset on null in /home/u480314390/domains/drvpacharya.com/public_html/wp-content/themes/themes/betheme/includes/content-single.php on line 259
vpacharya

Leave a Reply

Your email address will not be published. Required fields are marked *