Sudhaghara
ଶୁଦ୍ଧଘର
June 5, 2024
Nabaruna Agamane
ନବାରୁଣର ଆଗମନେ
June 20, 2024
Culture Odisha

ଡଃ ବିୟତପ୍ରଜ୍ଞା ଆଚାର୍ଯ୍ୟ
ପ୍ରଫେସର, ବାୟୋକେମିଷ୍ଟ୍ରି
———————
ରାଜସେବକ ଆସିବେ ଯିବେ, ଏଥର ସାଧାରଣ ନାଗରିକ ମଙ୍ଗ ନିଜ ହାତକୁ ନିଅନ୍ତୁ I ଠିକ ଜାଗାରେ ଠିକ ଦାବି ଉପସ୍ଥାପନା କରନ୍ତୁ I ମାଗଣା ପଛରେ ନ ଧାଇଁ ଦୀର୍ଘମିଆଦୀ ଯୋଜନା ପାଇଁ ଆଗ୍ରହ କରନ୍ତୁ I
କାଲି ମା’ ତାରାତାରିଣୀଙ୍କ ମନ୍ଦିରରୁ ଫେରିଲା ବେଳକୁ ରାସ୍ତା ଦୁଇ ପଟେ ଖାଲି ଟାଙ୍ଗରା ଭୂଇଁ …ନଡ଼ିଆ ଗଛ କାଇଁ? ଚାଷ ବାସ ହଉନି କି ? ପାଣି କାଇଁ ? ସ୍କୁଲ ? ଆଜ୍ଞା, ବେଶୀ ବାଟମାରଣା …ସରକାରୀ ସ୍କୁଲ ବନ୍ଦ ହେଇ ଗଲାଣି ବହୁତ I ଯେତିକି ରାଜନୀତି ବିଷୟରେ ମୋତେ ଜଣା, ତାଠୁ ଟିକେ ଅଧିକା ମୋ ଅଟୋ ବାଲାଙ୍କୁ ଜଣା ଥିଲା ପରି ଲାଗିଲା l
ମାଗଣା …ମାଗଣା …ମାଗଣା
ସବୁ ଶାସ୍ତ୍ରରେ ଗୋଟିଏ ଜିନିଷ ଉପରେ ହିଁ ଜୋର ଦିଅ ଯାଇଛି …କର୍ମ…କର୍ମ…କର୍ମ
ଅଷ୍ଟାଦଶ ଅଧ୍ୟାୟରେ ଭଗବାନ ଶ୍ରୀକୃଷ୍ଣ ଆଉ ଥରେ ଜାତିଭେଦ ବୁଝେଇବାକୁ ଯାଇ ବଖାଣିଲେ ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ ଓ ଶୂଦ୍ର କାହାକୁ କୁହାଯିବ ଗୁଣ ଅନୁସାରେ l ଆମେ ସମସ୍ତେ ଆଜି ପ୍ରାୟତଃ ଶୂଦ୍ର (ଚାକିରିଆ) I
ବୈଶ୍ୟ ମାନଙ୍କ ପାଇଁ କୃଷି, ଗୋରକ୍ଷ ଓ ବାଣିଜ୍ୟ ….କୁଆଡେ ଗଲା ମୋ ସ୍ଵର୍ଣ୍ଣପ୍ରସୁ ଓଡ଼ିଶାର କୃଷି, ଗୋ-ସମ୍ପଦ, ବାଣିଜ୍ୟ !! ଓହୋ କି ଦୁର୍ଭାଗ୍ୟ ଆଜି ଗ୍ରାମୀଣ ଅଞ୍ଚଳର ! ମାଗଣା ଖାଇ, କୋଢିଆ ହୋଇ ମେଦବହୁଳତା, ଉଚ୍ଚ ରକ୍ତଚାପ, ମଧୁମେହ ଆଦି ରୋଗରେ ପଡି ମାଗଣା ସ୍ୱାସ୍ଥ୍ୟ କାର୍ଡ ଧରି ଯେ ହସ୍ପିଟାଲ ରେ ଭର୍ତ୍ତି ହେଉଛନ୍ତି, ବଥ, ବିଣ୍ଡି, ଯାଦୁ କାଛୁ କୁଣ୍ଡିଆ ଆଦି ଦେଖେଇ, ହସ୍ପିଟାଲ ବେଡ଼ ଛାଡି ଯାଉ ନାହାନ୍ତି …ତେଣିକି ସତସତିକା ରୋଗୀ ପଛେ ବେଡ଼ ନ ପାଇ ହସ୍ପିଟାଲ ରୁ ହସ୍ପିଟାଲକୁ ଘୁରି ବୁଲନ୍ତୁ I
ମାଗଣା ଶିକ୍ଷା ନାଁରେ ଯାହା ଶିକ୍ଷା ଦିଆ ଯାଉଛି, ସେଥିରେ ତଳସ୍ତର ଲୋକେ ପେଟ ପୋଷି ତ ପାରିବେନି, ବରଂ ପାଠ ପଢିଛୁ କହି ଚାଷ ବାସ କରିବା କିମ୍ବା ଗାଁକୁ ଫେରିବାକୁ ବି ପସନ୍ଦ କରି ପାରୁ ନାହାନ୍ତି I
ଏଆଡ଼େ ଅର୍ଥନୀତିର ଅଭିବୃଦ୍ଧି ନାଁରେ ମରାମତି କାମ କମି କମି ଯାଉଛି I ସାମର୍ଥ୍ୟ ଓ ବୁଦ୍ଧି ଅନୁସାରେ ରୋଜଗାର ପନ୍ଥା ଦିଆ ହେଉ ନାହିଁ କାହିଁକି ? ଯୁବଗୋଷ୍ଠୀ ବେକାର ହୋଇ ବା ପାଠପଢା ଅଧାରୁ ଛାଡି ଦେଇ ନିଶା ନ ହେଲେ ଚୋରି ଆଦିରେ ଲିପ୍ତ ରହୁଛନ୍ତି I
ବୁଦ୍ଧିଜୀବୀମାନେ ଏଥର ଜାଗ୍ରତ ହୋଇ ଓଡିଶା ଓ ଓଡିଶାବାସୀଙ୍କ ଜାତୀୟ ଚରିତ୍ର, ମାନସିକତା ଓ ଏଠାକାର ପାଣିପାଗକୁ ନେଇ ନୂଆ ନୂଆ ଯୋଜନାର ପ୍ରସ୍ତାବ ଦିଅନ୍ତୁ I ଏଠି ତାମିଲନାଡୁ, ଗୁଜରାଟ , ଦିଲ୍ଲୀ ଅବା ରାଜସ୍ଥାନ ମଡେଲ କାମ ଦେବ ନାହିଁ I
* କୃଷି ଉପରେ ନିଘା ଦିଅନ୍ତୁ
* ବନୀକରଣ ବଢ଼ାନ୍ତୁ
* ମରାମତିରେ ପ୍ରଶିକ୍ଷଣ ଦିଅନ୍ତୁ ଓ ପ୍ରାକୃତିକ ସମ୍ପଦର ରକ୍ଷା କରନ୍ତୁ
* ଭବିଷ୍ୟତ ପାଇଁ ଯେଉଁ ଭଳି ଶିକ୍ଷାକରମ ଦରକାର, ସେ ସବୁ ଶିଖାନ୍ତୁ
ଆପଣ ସମସ୍ତେ ଵିଜ୍ଞ, ନିଜର ସୁମତାମତ ରଖନ୍ତୁ I କେବଳ କାଦୁଅ ଫିଙ୍ଗାଫିଙ୍ଗିରେ ମନ ନ ଦେଇ, ଅନ୍ୟ ରାଷ୍ଟ୍ର ବା ରାଜ୍ୟ ସହ ତୁଳନା ନ କରି ନିଜସ୍ୱ ସମୃଦ୍ଧ ଓଡିଶା ଗଢିବାରେ ସହାୟକ ହୁଅନ୍ତୁ l ଏତିକି ପ୍ରାର୍ଥନା I ଆମେ ସେଇ ମାଟିର, ଯାହାର ଇତିହାସ ଆମ ମନ୍ଦିର ଗାତ୍ରରେ ଖୋଦି ହେଇଛି ଆଉ ଉଚ୍ଚାଙ୍ଗ ଭାବେ ଆମ ସମୃଦ୍ଧିର ଗାଥା ଗାଉଛି I ଉତ୍ତିଷ୍ଠତ…ଜାଗ୍ରତ …ପ୍ରାପ୍ୟ ବରାନ୍ନିବୋଧତ II
=ଶୁଭମସ୍ତୁ=

Leave a Reply

Your email address will not be published. Required fields are marked *