ଗଣମାଧ୍ୟମ ଦ୍ୱାରା ସଂସ୍କୃତିର ହନନ
April 20, 2025
Life is ephemeral
May 7, 2025

ପେଶାରେ ମୁଁ ବାୟୋକେମିଷ୍ଟ I ବିଭିନ୍ନ ରୋଗର ନିଦାନ ପାଇଁ ଅଥବା ରୋଗ କେତେଦୂର ଭଲ ହେଲା, କେତେ ସାଙ୍ଘାତିକ ଅବସ୍ଥା ରୋଗୀର, କ୍ୟାନ୍ସର ପୁଣି ଫେରିଲା କି …ଏ ନେଇ ଯେଉଁ ସବୁ ପରୀକ୍ଷଣ କରାଯାଏ, ସେ ସବୁ ଆମ ବିଭାଗକୁ ଆସେ I ଧରି ନିଅନ୍ତୁ, ଯେ କୌଣସି ଲ୍ୟାବର ୭0- Γ0 ଭାଗ ପରୀକ୍ଷଣ ଆମ ବିଭାଗକୁ ଆସେ I ଦିନକୁ ଆନୁମାନିକ ଆଠ ରୁ ଦଶ ହଜାର ରିପୋର୍ଟ ଦେଖି ଦେଖି ଛାଡୁ I ତେବେ ଏତେ ସଂଖ୍ୟକ ରିପୋର୍ଟ କରେ କିଏ ? ଖୁବ ବଡ ବଡ ମେସିନ, ଯାହାକୁ ଫୁଲଲି ଅଟୋମେଟେଡ଼ ଆନାଲାଇଜର (Fully automated analyzer) କୁହାଯାଏ, ସେଥିରେ ଦିନ ରାତି ଚବିଶ ଘଣ୍ଟା ଏ ପରୀକ୍ଷଣ ଚାଲିଥାଏ ….ଥାନ୍ତି କିଛି କର୍ମଠ ଟେକନିସିଆନ ଓ କିଛି ଡାକ୍ତର, ଆମ ପରି ବାୟୋକେମିଷ୍ଟ I ତେବେ ଏମିତି ଦଶ ହଜାର ରିପୋର୍ଟ ଯାଉଥିବା ଲ୍ୟାବରେ ମଧ୍ୟ ବେଳେବେଳେ କିଛି ଭୁଲ ହୁଏ I ଭୁଲ ନ ହେବା ପାଇଁ ଯେଉଁ ବ୍ୟବସ୍ଥା ଖଞ୍ଜା ଯାଇଛି, ତାହାକୁ ଗୁଣବତ୍ତା ନିୟନ୍ତ୍ରଣ (quality control) ବ୍ୟବସ୍ଥା କୁହାଯାଏ I ତେବେ, ଯେବେ କିଛି ଭୁଲ ରିପୋର୍ଟ ଯାଏ, ଚିକିତ୍ସା କରୁଥିବା ଡାକ୍ତର କିମ୍ବା ରୋଗୀର ଲୋକମାନେ ଦୋଷାରୋପ କରିବାକୁ ମାଡି ଆସନ୍ତି I

ଟେଷ୍ଟ ରିପୋର୍ଟରେ ଥିବା ସଂଖ୍ୟାଗୁଡିକ ଆମ ପାଇଁ ଜୀବନ-ମୃତ୍ୟୁ ଅବା ରୋଗ ସହ ଯୁଝୁଥିବା ରୋଗୀଙ୍କର ଭାଗ୍ୟରେଖା ସତେ ଯେମିତି I ତେଣୁ ହେଳା କରିବାରେ ପ୍ରଶ୍ନ ଉଠୁନି I ତେବେ ଯେଉଁମାନେ ଦୋଷାରୋପ କରନ୍ତି, ହୁଏତ ତାଙ୍କ ରିପୋର୍ଟ ଭୁଲ ଆସିଛି ବୋଲି ସେମାନେ ପ୍ରବଳ ଦୁଃଖିତ ଅବା ଆମ ଉପରେ କ୍ରୋଧିତ I କିନ୍ତୁ ସେମାନେ ବୁଝିବା ଦରକାର ଯେ, କଦବା କ୍ଵଚିତ ଏ ଭଳି ଭୁଲ ରିପୋର୍ଟଟିଏ ପାଞ୍ଚ ଲକ୍ଷ ରିପୋର୍ଟ ଭିତରେ ଆସିଛି I ପୂର୍ବର ପାଞ୍ଚ ଲକ୍ଷ ରିପୋର୍ଟ ଠିକ ଦିଆ ଯାଇଛି I

ଠିକ ସେଇ ଭଳି ଏବେକାର ପହଲଗାଓଁର ସୁରକ୍ଷା ଉପରେ ଲାଗିଥିବା ପ୍ରଶ୍ନବାଚୀ I ଯେତିକି ଆରାମରେ ଲକ୍ଷ ଲକ୍ଷ ଯାତ୍ରୀ ସେଠି ବୁଲାବୁଲି କରି ସୁରକ୍ଷିତ ଘରକୁ ଫେରିଛନ୍ତି, ସେମାନଙ୍କ ପାଇଁ କେତେ ଆର୍ମି ଯବାନ ସତର୍କ ପ୍ରହରା ଦେଉଥିଲେ I ସୁରକ୍ଷା ଜନିତ ତଥ୍ୟ ସବୁକୁ ଏମିତି ଜନସାଧାରଣଙ୍କ ଭିତରେ କିମ୍ବା ମିଡିଆରେ ତ ସରକାର ବାଣ୍ଟି ଦେଇ ପାରିବେନି ! ଆମେ ସମସ୍ତେ ନିଜ ନିଜ ମତାମତ ଦେବାକୁ ଉତ୍ସୁକ I ଅନେକେ କହୁଛନ୍ତି ଯୁଦ୍ଧ କାହିଁକି ହେଉ ନାହିଁ, ପରମାଣୁ ବୋମା କଣ କାଚଲଗା ଥାକରେ ସଜେଇ ରଖିବା ଜିନିଷ କି …ବ୍ୟବହାର କରୁନ? ଏମାନେ ସବୁ ହ୍ୱାଟ୍ସଅପ୍ପ ଯୋଦ୍ଧା I ସତରେ ଯୁଦ୍ଧ ଲାଗିଲେ କେଉଁଠି ଯାଇ ଲୁଚିବେ I

ଯୁଦ୍ଧ ଲାଗିଲେ ଜିନିଷର ଦରଦାମ ବଢିବ, ସମ୍ଭାଳିବା ତ ? ଏ.ସି ବିନା କାହାକୁ ନିଦ ହେଉନି ପରା …ବିଜୁଳି ଦିନ ଦିନ ଧରି ଚାଲିଯାଇପାରେ …ସମ୍ଭାଳିବା ତ? ସ୍କୁଲ କଲେଜ ଅନିଶ୍ଚିତତା ଭିତରେ ଗତି କରିବ …କଣ ହେବ ଛୁଆଙ୍କ ଭବିଷ୍ୟତ ? ଇଣ୍ଟେର୍ନେଟରେ ସବୁ କାମ ଚାଲୁଛି …ସାଇବର ଆଟାକ ହେଲେ ସମ୍ଭାଳିବା ତ ?

ତେବେ ଆମ କର୍ତ୍ତବ୍ୟ କଣ ଏ ମୁହୂର୍ତ୍ତରେ ? ଆଗାମୀ ଦିନ ପାଇଁ ଆମ ସନ୍ତାନ ମାନଙ୍କୁ ସଶକ୍ତ କରି ଗଢିବା I ଅତିଶୟ କୋମଳାଙ୍ଗ /ଙ୍ଗୀ କରି ବଢେଇବା ନାହିଁ I ପିଲେ ଟିକେ ଖରା, ବର୍ଷା, ଶୀତ ସମ୍ଭାଳନ୍ତୁ I ଶାରୀରିକ ସାମର୍ଥ୍ୟ ଓ ମାନସିକ ଶକ୍ତି ସଂଗ୍ରହରେ ଲାଗିବା I କୋଭିଡ ମହାମାରୀକୁ ଓ ମହାବାତ୍ୟାକୁ ସାମ୍ନା କରି ଯେଉଁ ଶିକ୍ଷା ପାଇଛେ, ସେତକ ନିଜ ନିଜ ଜୀବନରେ ଉପଯୋଗ କରିବା I ଯୁଦ୍ଧ ଭଳି ପରିସ୍ଥିତିକୁ ସାମ୍ନା କରିବାର ବୁଦ୍ଧି, ଶକ୍ତି ଓ ଅର୍ଥ ସଞ୍ଚୟ କରି ରଖିବା I ଶକ୍ତି ସଂରକ୍ଷଣ କରିବା ଶିଖିବା I ଦରକାର ପଡିଲେ ଦେଶ ପାଇଁ ଜୀବନଦାନ କରିବାକୁ ପ୍ରସ୍ତୁତ ରହିବା I
ଜୟ ହିନ୍ଦ II ଶୁଭମସ୍ତୁ II
#drvpacharya #preparedness
ଡଃ ବିୟତପ୍ରଜ୍ଞା ଆଚାର୍ଯ୍ୟ, ପ୍ରଫେସର ବାୟୋକେମିଷ୍ଟ୍ରି
PC: Internet

Leave a Reply

Your email address will not be published. Required fields are marked *