ପଞ୍ଚମ ଶ୍ରେଣୀରୁ ମେଡିକାଲ ପାଠ ସାରିବା ଯାଏଁ ସାଥି ଦେଇଛି I ଏଇ ଗୋଟିଏ ମାତ୍ର ଜ୍ୟାମିତି ବାକ୍ସ ବୋଧେ ମୋ ପାଇଁ କିଣା ହୋଇଥିଲା I କିଣିବାର ସାଧ୍ୟ ନ ଥିଲା, ସେମିତି ତ ନୁହେଁ, ତେବେ ବର୍ଷେ ଦୁଇ ବର୍ଷ ପରେ ନିଜର ନିଜର ପରି ଲାଗିଥିଲା I କୌଣସି ନାମୀ କମ୍ପାନୀର ନ ଥିଲା, ତେଣୁ କାହା ସହ ମେଳ ଖାଉ ନ ଥିଲା…ବାସ ସେତିକି ବି ଯଥେଷ୍ଟ କାରଣ ତାକୁ ତ୍ୟାଗ ନ କରିବାକୁ I
ଧୀରେ ଧୀରେ “ଲକ୍କି ଚାର୍ମ” ବି ବୋଧେ ହୋଇଗଲା I ସର୍ବୋପରି କୁବେରଙ୍କ ଦେଶର ଲୋକ ନା ଆମେ, ଡିସପୋଜେବଲ ଗ୍ଳାସକୁ ବି ତିନି ଥର ବ୍ୟବହାର ନ କଲେ ଛାଡ଼ୁନା …ଆଉ ଇଏ ତା ଜ୍ୟାମିତି ବାକ୍ସ I
ରବିବାର ଦେଖି କଳଙ୍କି ନ ଲାଗୁ ବୋଲି କଳା ରବର ପେଣ୍ଟ ବି ବୋଳା ହେଇଛି I ପେନସିଲ ସୀସାର ଦାଗ ରେ ମସିଆ ନ ହେଉ, ସେଥିପାଇଁ ଧଳା କାଗଜ ପକା ହେବ ଆଉ ପେଂସିଲ କୁ ୟୁଜ ଆଣ୍ଡ ଥ୍ରୋ ପେନର ଟୋପି ପିନ୍ଧା ହେବ I ସାଇକଲ ପଙ୍କଚର ହେଲେ ଅଧିକରୁ ଅଧିକ କେତେ …ଦୁଇ ଟଙ୍କା ସେଥିପାଇଁ ରଖା ହେଇଥିବ I
କେବେ ଅଭାବୀ ଲାଗିନି ନିଜକୁ …କାରଣ ମୋ ନନା ବୋଉ ଆମକୁ ସବୁଠୁ ବଡ ଧନ ଦେଇଥିଲେ …”ସନ୍ତୁଷ୍ଟି ” ଧନ I ଆଗକୁ ବଢ …କାହା ସହ ତୁଳନା କର ନାହିଁ I ଶିକ୍ଷକମାନେ କହିଲେ …ନିଜ ସହ ପ୍ରତିଯୋଗିତା କର …ଆଉ କାହା ସହ ନୁହେଁ I
ଏତେ ଦିନର ସାଥୀ …ଏବେ ବି ସଯତ୍ନେ ସାଇତା ହୋଇ ରହିଛି, ଆହୁରି କିଛି ଏମିତି ଛୋଟ ଛୋଟ ସ୍ମୃତିଚିହ୍ନ ସହ …..
————————————————-
ଡ଼ଃ ବିୟତପ୍ରଜ୍ଞା ଆଚାର୍ଯ୍ୟ