ଡ: ବିୟତ ପ୍ରଜ୍ଞା ଆଚାର୍ଯ୍ୟ
————————-
ଟର……ଟର ……ଟରର…ଓଁ ତ୍ର୍ୟମ୍ବକମ ଜଜାମହେ
ଟରର… ଘୁଂ… ଘୁଂ….. ସୁଗନ୍ଧିମ ପୃଷ୍ଟି ବର୍ଦ୍ଧନମ
ମହାମୃତ୍ୟୁଞ୍ଜୟ ମନ୍ତ୍ର ବୋଲି ବୋଲି ଦୁଇ ଚକିଆ ଯାନରେ କିକ ମାରିଲି | ମେକାନିକ କହିଛି – ପ୍ରଥମ କରି ସକାଳୁ ଗାଡିକୁ କିକ ମାରି ଷ୍ଟାର୍ଟ କରିବାକୁ | ବହୁ ଦିନ ପରେ ବାହାରିଲି ଦୁଇ ଚକିଆ ଯାନରେ କର୍ମକ୍ଷେତ୍ରକୁ | ଆଃ! ଦଲକାଏ ଥଣ୍ଡା ପବନରେ ସତେ ଯେମିତି ମନର ବନ୍ଦ ଝର୍କା ସବୁ ଖୋଲିଗଲା | ମଣିଷ ମନ ବି ବଡ ବିଚିତ୍ର |
ମନେପଡେ, ଛାତ୍ରାବସ୍ଥାରେ ଯେବେ ସ୍କୁଲରୁ ପ୍ରବଳ ବର୍ଷାରେ ସାଇକେଲରେ ଫେରେ | ବର୍ଷାତି ପିନ୍ଧି ଓ ହାତରେ ଛତା ଧରି … ସେତେବେଳେ ଯଦି ଆମ୍ବାସଡର କାରଟିଏ ମୋ କଡ ଦେଇ ପାଣି ଛିଟିକାଇ ଦିଏ, ସେତେବେଳେ ଲାଗେ , ଓଃ ! ଦିନେ ଏମିତି କାର ଖଣ୍ଡେ କିଣିବି | ସାଇକେଲରୁ ଲୁନା, ତା’ ପରେ ସ୍କୁଟି –ପରେ କାର ଦେଲେ ଭଗବାନ | ହେଲେ ଏ ମନ ପୁଣି ବ୍ୟାକୁଳ – ଏ ନିବୁଜ କାରରୁ ବାହାରି କେବେ ପୁଣି ଦୁଇ ଚକିଆ ଅବା ସାଇକେଲ ଚଲାଇବି |
“ଖଡା-ବଡି-ଥୋଡ, ଥୋଡ-ବଡି-ଖଡା” – କେଜାଣି କେବେ ଯେ ମନଟା ସ୍ଥିର ହବ | ମୋ ଚିନ୍ତାରେ ବାଧା ଦେଇ ନାକରେ ଦଲକାଏ ଖୋଲା ନାଳର ଗନ୍ଧ ବାଜିଲା | ହଁ ଆମେ ଭାରତୀୟ ବିଶେଷ କରି ଓଡ଼ିଆ , ଏଥିରେ ଅଭ୍ୟସ୍ତ | “ରାତ ଗୟି, ବାତ ଗୟି” |
ଏପଟେ ଭୋଟ ଦିଆ ସରିଲା , ତେଣେ ବିକାଶ ପରିଷଦ ଗଢି ଲୋକ ମଝିରେ ମଝିରେ ପଇସା ବି ଆଦାୟ କଲେ | ପୂଜା ମେଢ଼ ହେଲା , ମନ୍ଦିରରେ ଭୋଜିଭାତ ହେଲା | କନ୍ଦଳ କରି ଆଉ ଗୋଟିଏ ଗୋଷ୍ଠୀ ଆଉ ଗୋଟିଏ ମନ୍ଦିର ମଧ୍ୟ ତିଆରି କଲେ | ଆଉ ଆମେ—- ପଚା ନାଳ ପାଖରେ ନିଃଶ୍ୱାସଟା ରୋକି ଖଣ୍ଡେ ଦୂରରେ “ହାଃ”… କରି ଛାଡିଦେଉ |
ଏଇ ସେଇ …..ଟିକିଏ ଆଗରେ ପିଚୁରାସ୍ତା ଉପରେ ଉଷ୍ଟ୍ର ଆରୋହଣ କରିବାର ମଧ୍ୟ ଆନନ୍ଦ ଅନୁଭବ କରି କରି ଯିବୁ ଯେ !